୧୯୪୮ ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ୩୦ଟି ନିୟମ ସମ୍ବଳିତ ଏକ ସାର୍ବଜନୀନ ମାନବାଧିକାର ଘୋଷଣାନାମା ଗୃହୀତ ଓ ଉଦ୍ଘୋଷିତ ହେଲା। ବିଶ୍ୱରେ ସ୍ୱାଧୀନତା, ନ୍ୟାୟ ଓ ଶାନ୍ତିର ମୂଳଦୁଆ ପକାଇବା ଦିଗରେ ଏହା ଥିଲା ମାନବ ଜାତିର ଏକ ବିରାଟ ଲମ୍ଫ। ଏହି ଘୋଷଣାନାମାକୁ ଆଇନସିଦ୍ଧ କରିବା ପାଇଁ ସାଧାରଣ ପରିଷଦ ତରଫରୁ ୧୯୬୬ ଡିସେମ୍ବର ୧୬ ତାରିଖରେ ୨ଟି ଆନ୍ତର୍ଜାତିକ ଚୁକ୍ତିପତ୍ର ଗ୍ରହଣ କରାଯାଇ ସ୍ବାକ୍ଷର ଓ ଅନୁମୋଦନ ପାଇଁ ରହିଲା। ଗୋଟିଏ ହେଉଛି ୫୩ଟି ନିୟମ ସମ୍ବଳିତ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତିପତ୍ର ଏବଂ ଅନ୍ୟଟି ହେଉଛି ୩୧ଟି ନିୟମ ସମ୍ବଳିତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ଚୁକ୍ତିପତ୍ର। ମଣିଷର ଜୀବନ, ସ୍ୱାଧୀନତା, ସମାନତା ଓ ମର୍ଯ୍ୟାଦା, ଯାହା କି ସମ୍ବିଧାନରେ ଏବଂ ଏହି ଚୁକ୍ତିପତ୍ରଗୁଡିକରେ ସନ୍ନିବେଶିତ, ହେଉଛି ମାନବାଧିକାର। ଭାରତ ୧୯୭୯ ଅପ୍ରେଲ ୧୦ ତାରିଖରେ ଏହି ଚୁକ୍ତିପତ୍ର ଦ୍ବୟକୁ ଅନୁମୋଦନ କରିଛି।
ପରବର୍ତ୍ତୀ ସମୟରେ ମାନବାଧିକାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ୧୯୯୧ ମସିହାରେ ପ୍ୟାରିସ୍ଠାରେ ଓ ୧୯୯୩ ଜୁନ୍ ୨୫ ତାରିଖରେ ଭିଏନାରେ ବିଶ୍ୱ ସ୍ତରୀୟ ସମାବେଶମାନ ଅନୁଷ୍ଠିତ ହୋଇଥିଲା। ତା’ ପରେ ୧୯୯୩ ଡିସେମ୍ବର ୨୦ ତାରିଖରେ ସାଧାରଣ ପରିଷଦ ବୈଠକରେ ପ୍ୟାରିସ୍ ନୀତି ଗ୍ରହଣ କରାଯାଇ ଜାତୀୟ ମାନବାଧିକାର ଅନୁଷ୍ଠାନଗୁଡ଼ିକ ପାଇଁ ମାନଦଣ୍ଡମାନ ନିର୍ଦ୍ଧାରଣ କରାଗଲା। ଭାରତରେ ୧୯୯୩ ଅକ୍ଟୋବର ମାସରେ ପ୍ରଥମେ ପ୍ୟାରିସ୍ ନୀତି ଅନୁସାରେ ଅଧ୍ୟାଦେଶ ଆସିଲା ପରେ ପାର୍ଲିଆମେଣ୍ଟ୍ରେ ମାନବାଧିକାର ସୁରକ୍ଷା ଆଇନ ଅନୁମୋଦନ ଲାଭ କଲା। ଏହି ଆଇନ ବଳରେ ଜାତୀୟ ମାନବାଧିକାର ଆୟୋଗ, ରାଜ୍ୟ ସ୍ତରରେ ରାଜ୍ୟ ମାନବାଧିକାର ଆୟୋଗ ଓ ମାନବାଧିକାର ନ୍ୟାୟାଳୟଗୁଡ଼ିକ ପ୍ରତିଷ୍ଠିତ ହେଲା। ଏହି ଆଇନ ମାନବାଧିକାର ଆୟୋଗମାନଙ୍କୁ ମାନବାଧିକାର ହନନ ଓ ଅଧିକାରୀଙ୍କ ଅବହେଳା ସମ୍ପର୍କରେ କରାଯାଇଥିବା ଆବେଦନଗୁଡ଼ିକର ତଦନ୍ତ, କାରାଗାର ଅନ୍ତେବାସୀଙ୍କର ଅବସ୍ଥା ପରିଦର୍ଶନ ଏବଂ ମାନବାଧିକାର ସୁରକ୍ଷା ପାଇଁ ସମ୍ବିଧାନ ଓ ଆଇନରେ ଦିଆଯାଇଥିବା ରକ୍ଷାକବଚର ପୁନର୍ବିଚାର କରି ସରକାରଙ୍କୁ ସୁପାରିସ କରିବାର କ୍ଷମତା ଦେଇଛି। ତଦନ୍ତ ଚାଲୁଥିବା ସମୟରେ କୌଣସି ପୀଡ଼ିତ ଲୋକକୁ ମଧ୍ୟବର୍ତ୍ତୀକାଳୀନ ସାହାଯ୍ୟ ତଥା ତଦନ୍ତ ଶେଷ ହେବା ପରେ କ୍ଷତିପୂରଣ ଏବଂ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ପାଇଁ ସୁପାରିସ କରିବାର କ୍ଷମତା ମଧ୍ୟ ଦେଇଛି। ଯଦିଓ ମାନବାଧିକାର ଅନୁଷ୍ଠାନଗୁଡ଼ିକର ନ୍ୟାୟାଳୟ ତୁଲ୍ୟ କାର୍ଯ୍ୟାନୁଷ୍ଠାନ କରିବାର କ୍ଷମତା ନାହିଁ, ତଥାପି ଅଧିକାଂଶ ମାନବାଧିକାର ଅନୁଷ୍ଠାନ ବିଭିନ୍ନ ପକ୍ଷଙ୍କ ଭିତରେ ମିଳାମିଶା କରିବାର ଯେଉଁ ଅଧିକାର ପାଇଛନ୍ତି, ତାହା ମାନବାଧିକାରର ସୁରକ୍ଷା ଓ ଅଭିବୃଦ୍ଧି ସମ୍ଭବ କରିଥାଏ।
୨୦୦୬ ମାର୍ଚ୍ଚ ୧୫ ତାରିଖରେ ସାଧାରଣ ପରିଷଦ ବୈଠକରେ ମାନବାଧିକାର ପରିଷଦ ଗଠନ କରାଯିବା ପରେ ୨୦୦୭ ମସିହାରୁ ପ୍ରତି ୪ ବର୍ଷରେ ଥରେ ଜାତିସଂଘର ସଦସ୍ୟଭୁକ୍ତ ସର୍ବମୋଟ ୧୯୨ଟି ରାଷ୍ଟ୍ରର ମାନବାଧିକାର କାର୍ଯ୍ୟର ସମୀକ୍ଷା କରାଯିବାର ଏକ ବ୍ୟବସ୍ଥା କରାଯାଇଛି। ବିଶ୍ୱରେ ପ୍ରତ୍ୟେକ ରାଷ୍ଟ୍ରରେ ମାନବାଧିକାର ଅବସ୍ଥାରେ ଉନ୍ନତି ଆଣିବା ହେଉଛି ଏହି ସମୀକ୍ଷାର ଲକ୍ଷ୍ୟ। ସମୀକ୍ଷା ଅନ୍ତର୍ଭୁକ୍ତ ରାଷ୍ଟ୍ର ତା’ର ନିଜସ୍ୱ ରିପୋର୍ଟ ପଠାଇଥାଏ ଯାହାକୁ ଜାତୀୟ ରିପୋର୍ଟ ବୋଲି କୁହାଯାଏ। ମିଳିତ ଜାତିସଂଘ ସହିତ ସଂଶ୍ଳିଷ୍ଟ ୩୨ ଜଣ ସ୍ୱାଧୀନ ମାନବାଧିକାର ବିଶେଷଜ୍ଞ ଓ ଦଳ, ମାନବାଧିକାର କମିଟି ସମେତ ୩୨ଟି କମିଟି ଓ ୟୁନିସେଫ୍ ଭଳି ୩୦ଟି ଜାତିସଂଘ ସଂଗଠନ ସେମାନଙ୍କ ରିପୋର୍ଟ ଦେଇଥା’ନ୍ତି। କିଛି ଏନ୍ଜିଓ ଓ ବେସରକାରୀ ମାନବାଧିକାର ଅନୁଷ୍ଠାନ ମଧ୍ୟ ସେମାନଙ୍କର ରିପୋର୍ଟ ଦିଅନ୍ତି। ରିପୋର୍ଟଗୁଡ଼ିକର ସମୀକ୍ଷା ପରେ ସଂପୃକ୍ତ ରାଷ୍ଟ୍ରର ପ୍ରତିନିଧିଙ୍କୁ ମାନବାଧିକାର ସ୍ଥିତି ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥା’ନ୍ତି।
ଭାରତର ମାନବାଧିକାର ସ୍ଥିତି ସମ୍ପର୍କରେ ୨୦୦୮, ୨୦୧୨, ୨୦୧୬ ଓ ୨୦୨୦ ମସିହାରେ ସମୀକ୍ଷା କରାଯାଇଛି। ମନେ ରଖିବାକୁ ହେବ ଯେ ମାନବାଧିକାର କଥା ଉଠିଲେ ଜାତୀୟ ମହିଳା ଆୟୋଗ, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଜାତୀୟ ସଂଖ୍ୟାଲଘୁ ଆୟୋଗ, ଜାତୀୟ ପଛୁଆବର୍ଗ ଆୟୋଗ, ଜାତୀୟ ଅନୁସୂଚିତ ଜାତି ଆୟୋଗ, ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ସମେତ ରାଜ୍ୟ ମାନବାଧିକାର ଆୟୋଗ ସମସ୍ତେ ଏହି ପ୍ରକରଣରେ ସାମିଲ ହୁଅନ୍ତି। ଏତେ ଗୁଡ଼ିଏ ଅନୁଷ୍ଠାନ ଏଥିରେ ସାମିଲ ହେଉଥିବାରୁ ମାନବାଧିକାର କ୍ଷେତ୍ରରେ ଅନେକ ପ୍ରଚ୍ଛନ୍ନ ସଂଦର୍ଭ ମଧ୍ୟ ପ୍ରାଂଜଳ ହୋଇଥାଏ। ଉଦାହରଣ ସ୍ବରୂପ ଓଡ଼ିଶାର ଗାଁ ଗହଳରେ ବହୁ ପ୍ରଚଳିତ ଧୋବା ଓ ବାରିକମାନଙ୍କର ‘ବର୍ତ୍ତନ’ ପ୍ରଥା। ଏହା ଅତି ସାଧାରଣ ଲାଗେ ସିନା, ଜାତୀୟ ମାନବାଧିକାର ଆୟୋଗଙ୍କ ମତରେ ଏହା ଗୋତି ପ୍ରଥାର ପ୍ରମାଣ। ତେଣୁ ଓଡ଼ିଶା ସରକାର ଏହି ସିଦ୍ଧାନ୍ତକୁ ଭିତ୍ତି କରି ବିଜ୍ଞପ୍ତି ଜାରି କରିବା ଫଳରେ ଓଡ଼ିଶାର ୬ଟି ଜିଲ୍ଲାରେ ଅଦ୍ୟାବଧି ୨୦୬୫ ଜଣ ବର୍ତ୍ତନଭୋଗୀ ଧୋବା ଓ ବାରିକ ଗୋତି ପ୍ରଥାରୁ ମୁକ୍ତି ପାଇବାକୁ ସକ୍ଷମ ହୋଇଛନ୍ତି।
ମାନବାଧିକାର ରକ୍ଷା ଦିଗରେ ଜାତିସଂଘରୁ ଆରମ୍ଭ କରି କ୍ଷୁଦ୍ର ଏନ୍.ଜି.ଓ.ଗୁଡ଼ିକ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।
ମୋ- ୯୪୩୮୦୫୯୩୩୦