ଅପ୍ରମିତ ଆଶା ଓ କରୋନାର ଶିକ୍ଷା

ଆମରି କଥା - ନାରାୟଣ ମିଶ୍ର

ବିଚିତ୍ର ଏ ମଣିଷ। ଶାସ୍ତ୍ର ଆଉ ଇତିହାସରୁ କିଛି ଶିଖିଲା ନାହିଁ। କ୍ଷମତା ଓ ଧନ ଲୋଭରୁ ଅତ୍ୟାଚାରୀ ହୋଇଯାଇଥିବା ରାବଣ ଓ କ˚ସକୁ ମାରିବା ପାଇଁ ଭଗବାନ ଅବତାର ନେଇଥିବା କଥା ପଢ଼ିଲା। ବିଶ୍ବବିଜୟୀ ଆଲେକ୍‌ଜାଣ୍ତର ମୃତ୍ୟୁ ପୂର୍ବରୁ ବିଶ୍ବବାସୀଙ୍କୁ ଜଣାଇ ଦେଇଥିଲେ ଯେ ମୋତେ ଶ୍ମଶାନକୁ ନେବାବେଳେ ମୋ ଦୁଇ ହାତକୁ ବାହାରକୁ ଝୁଲାଇ ଦେଇଥିବ, ଯଦ୍ଦ୍ବାରା ବଞ୍ଚିଥିବା ଲୋକେ ଦେଖନ୍ତୁ ଯେ ମୁଁ କିଛି ବି ନେଇ ଯାଇପାରୁନାହିଁ।
‘‘ଯେତେବେଳେ ପିଣ୍ତୁ ଯିବ ପ୍ରାଣ ଛାଡ଼ି,
ନେବ ଯେବେ ମୋତେ କୋକେଇରେ କାଢ଼ି,
ଦେଇଥିବ ତହିଁ ମୋ ଶବ ଶୁଆଇ
ବେନି ପାଶେ ବେନି କରକୁ ଝୁଲାଇ,
ଯା ଦେଖି ଜାଣିବେ ଜଗତେ ସମସ୍ତେ
ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ।’’

ତୈମୁରଲଙ୍ଗ ଧନ ସାଉଁଟିବା ପାଇଁ ରକ୍ତମୁଖା ହୋଇ ଯାଇଥିଲେ। ଭାରତକୁ ବାରମ୍ବାର ଆକ୍ରମଣ କରି ଅସ˚ଖ୍ୟ ବାକ୍‌ସରେ ହୀରା, ନୀଳା, ସୁନା ଭର୍ତ୍ତି କରି ମରିବା ପୂର୍ବରୁ ନିଜ ଚାରିପଟେ ସେ ବାକ୍‌ସଗୁଡ଼ିକୁ ରଖି ପିଲାଙ୍କୁ ଆଉଁସିବା ପରି ବାକ୍‌ସଗୁଡ଼ିକୁ ଆଉଁସୁ ଆଉଁସୁ ପ୍ରାଣତ୍ୟାଗ କରିଥିଲେ। ରୁଷିଆର ଜାର‌୍‌ ଦ୍ବିତୀୟ ନିକୋଲାସ୍‌ଙ୍କ ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ସାଧାରଣ ସୈନିକ ଓ ଜନତା ତାଙ୍କୁ ତେଣ୍ଟାରେ ଭୁସି ମାରି ଦେଇଥିଲେ। ‘ଅସମ୍ଭବ’ ବୋଲି ଶବ୍ଦ କେବଳ ମୂର୍ଖ ବା ବୋକାଙ୍କ ଅଭିଧାନରେ ମିଳେ ବୋଲି କହିଥିବା ବିଶ୍ବବିଜୟୀ ନେପୋଲିୟନ ସେଣ୍ଟ ହେଲେନା ଦ୍ବୀପରେ ନିର୍ବାସିତ ହୋଇ ପ୍ରାଣତ୍ୟାଗ କରିଥିଲେ। ଏ ସବୁ ପଢ଼ି ମଧୢ ଆମେ ଜୀବନ ଥିବା ପର୍ଯ୍ୟନ୍ତ କ୍ଷମତା ଓ ସମ୍ପତ୍ତିବାଡ଼ି ବଢ଼ାଇ ଚାଲିଛେ। ୧୮୮୬ ମସିହାରେ ଲିଓ ଟଲଷ୍ଟୟ ନିଜ ଗଳ୍ପ ‘ମଣିଷ ଲାଗି କେତେ ଜାଗା ଦରକାର’ରେ ଲେଖିଥିଲେ ଯେ ଜାଗା ପାଇଁ ବିକଳ ହେଉଥିବା ଜଣେ ମଣିଷକୁ ସକାଳୁ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେତେ ଜାଗା ବୁଲି ଆସିବ ସେତକ ତା’ର ହୋଇଯିବ ବୋଲି କୁହାଯାଇଥିଲା; କିନ୍ତୁ ଲୋଭବଶତଃ ଲୋକଟି ଏତେ ଜାଗା ଅକ୍ତିଆର କରିବାକୁ ଚାହିଁଲା ଯେ ସୂର୍ଯ୍ୟାସ୍ତ ବେଳକୁ ସେ ବହୁ ଦୂରରେ ଥାଇ ବାହାରିଥିବା ସ୍ଥାନକୁ ନ ଫେରି ପ୍ରାଣତ୍ୟାଗ କଲା। ଏବଂ ‌େଶଷକୁ ତା ହାତ ମାପରେ ତିନି ହାତ ଆଉ ଚାଖଣ୍ଡକ ଭୂମିରେ କବର ଦିଆଗଲା। ସୁତରାଂ, ଗାଳ୍ପିକ କହିଦେଲେ ଯେ ଜଣେ ମଣିଷ ଲାଗି ସେତିକି ମାତ୍ର ଜମି ହିଁ ଲୋଡ଼ା। କିନ୍ତୁ ଦୁଃଖର କଥା, ଏ ସବୁ ଗଳ୍ପକୁ, ଶାସ୍ତ୍ରକୁ ବା ଇତିହାସ ଉପରେ ଗୁରୁତ୍ବ ନ ଦେଇ ଅନେକ ଶିକ୍ଷିତ ଲୋକ ଏଥି ପ୍ରତି ଆଖି ବୁଜି ଦିଅନ୍ତି।

ଏବେ ଦେଖନ୍ତୁ ଆମ ସମୟରେ ସଦ୍ଦାମ ହୁସେନ୍‌ ବା ମୁଆମର ଗଦ୍ଦାଫିଙ୍କ ଶେଷ ଜୀବନ କିଭଳି କଟିଥିଲା। ଉଭୟଙ୍କ ଅକଳନୀୟ କ୍ଷମତା, ପ୍ରତିପତ୍ତି ଓ ଧନସଂପଦ ଥିଲା। କିନ୍ତୁ ସଦ୍ଦାମ ହୁସେନ ଗାତ ଭିତରେ ଲୁଚି ରହିଥିବା ବେଳେ ଧରା ପଡ଼ି ଫାଶୀ ପାଇ ମଲେ ଏବଂ ଗଦ୍ଦାଫିଙ୍କୁ ଏକ କଲଭର୍ଟ ତଳୁ ଘୋଷାରି ଆଣି ବିଦ୍ରୋହୀମାନେ ହତ୍ୟା କରିଥିଲେ। ଆମ ଦେଶରେ ଅସଦ୍‌ ଉପାୟରେ କୋଟି କୋଟି ଟଙ୍କା ଠୁଳ କରି ଭାରି ସୁଖ ପାଉଥିବା ଅନେକ ଲୋକ ଧରାପଡ଼ି ଆଜି ଜେଲ୍‌ ଭିତରେ ଅନୁତାପର ଅଶ୍ରୁ ବୁହାଇ ଚାଲିଛନ୍ତି। ତଥାପି ଆମର ଚୈତନ୍ୟ ଉଦୟ ହେଉନାହିଁ। ସ˚ସ୍କୃତରେ ଠିକ୍‌ କୁହାଯାଇଛି:
ଧନେଷୁ ଜୀବିତବ୍ୟେଷୁ ସ୍ତ୍ରୀଷୁ ଆହାରକର୍ମସୁ
ଅତ୍ୟପ୍ତାଃ ପାଣିନଃ ସର୍ବେ ଯାତା, ଯାସ୍ୟନ୍ତି ଯାନ୍ତି ଚ।

ଅର୍ଥାତ୍‌ ଯେଉଁ ମଣିଷମାନେ ଯାଇଛନ୍ତି, ଅଛନ୍ତି ଓ ଯିବେ ସେ ସମସ୍ତେ ଧନ ସଞ୍ଚିବାରେ, ବଞ୍ଚି ରହିବାରେ, ସ୍ତ୍ରୀ ଉପଭୋଗରେ ଏବ˚ ଭୋଜନରେ ସବୁବେଳେ ଅତୃପ୍ତ ଥିଲେ, ଅଛନ୍ତି ଓ ଥିବେ!

ମଣିଷ ସବୁ ଜାଣେ, ସବୁ ଅନୁଭବ ବି କରେ, ସେ ସବୁ ବିଷୟରେ ଲେଖେ ଓ ଭାଷଣ ବି ଦିଏ; କିନ୍ତୁ ନିଜେ ମରିବା କଥା କେବେ ବି ଚିନ୍ତା କରେନି। ସେଥିପାଇଁ ଯକ୍ଷ ବେଶରେ ଯୁଧିଷ୍ଠିରଙ୍କୁ ଧର୍ମଦେବତା ପଚାରିଥିଲେ- ପୃଥିବୀର ସବୁଠୁଁ ଆଶ୍ଚର୍ଯ୍ୟ ଜିନିଷ କ’ଣ?

ଯୁଧିଷ୍ଠିର ଉତ୍ତରରେ କହିଥିଲେ: ଅହନ୍ୟହନି ଭୂତାନି ଗଛନ୍ତୀହ ଯମାଳୟମ୍‌
ଶେଷା ଜୀବିତୁମିଚ୍ଛନ୍ତି କିମାଶ୍ଚର୍ଯ୍ୟମ ତଃ ପରମ୍‌।

ଏହାର ଅର୍ଥ ହେଲା ପ୍ରତିଦିନ ଲୋକଙ୍କ ଭିତରୁ କେତେକ ମୃତ୍ୟୁ ଲାଭ କରୁଛନ୍ତି ବା ଯମାଳୟ ଯାଉଛନ୍ତି; ଏ ସବୁ ଦେଖି ମଧୢ ବଞ୍ଚି ରହି ଯାଇଥିବା ଲୋକେ ସବୁଦିନେ ବଞ୍ଚି ରହିବା ଓ ମରିବା ନାହିଁ ବୋଲି ଭାବୁଛନ୍ତି।

‘ମନବୋଧ ଚଉତିଶା’ରେ ମଧୢ ବହୁ ପୂର୍ବରୁ ଚେତେଇ ଦିଆଯାଇଛି ଯେ ‘ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ,

ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ?’

ସୁତରାଂ, ଥରେ ମୃତ୍ୟୁବରଣ କଲା ପରେ, ଏଇ ନାମରେ ଏଇ ଲୋକ ଏଇ କ୍ଷମତାରେ ଏଇ ସମ୍ପତ୍ତିବାଡ଼ି ସହ ଆଉ ଥରେ ଆସିବ ନାହିଁ- ଏହା ଧ୍ରୁବ ସତ୍ୟ।

ଏତେ କଥା ଲେଖିବାର କାରଣ, ବିଶ୍ବନିୟନ୍ତା ଭଗବାନଙ୍କ ପୃଥିବୀରେ ଅହରହ ମୃତ୍ୟୁର ଖେଳାଲୀଳା ଚାଲିଥିଲେ ବି ମଣିଷ ଚେତୁ ନାହିଁ।

ଏବେ କରୋନା ଭାଇରସ୍‌ ସାରା ପୃଥିବୀର ସମସ୍ତ ଦେଶକୁ ଏକ ସଙ୍ଗେ ବ୍ୟାପିଗଲା। କେହି କାହାକୁ ସାହାଯ୍ୟ କରିବାର ସ୍ଥିତିରେ ନାହାନ୍ତି। ପ୍ରତି ଦିନ ହଜାର ହଜାର ଲୋକ ପ୍ରାଣ ହରାଉଥିଲେ ବି ଏଯାବତ୍‌ ଏ ମହାମାରୀର ଟିକା ବାହାରି ପାରିନାହିଁ। ଏକୁ ଆରେକ ବିଜ୍ଞାନରେ ସିଦ୍ଧି ଲାଭ କରିଥିବା ମଣିଷମାନେ ଏହାର ନିରାକରଣ ବା ଚିକିତ୍ସା ଉଦ୍ଭାବନ କରିବାରେ ବିନିଦ୍ର ରଜନୀ କାଟୁଛନ୍ତି କିନ୍ତୁ ସଫଳତା ପାଇ ନାହାନ୍ତି। ଏବେ ସବୁ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଦାଲତ, ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଇତ୍ୟାଦି ବନ୍ଦ। ପର୍ବପର୍ବାଣି, ଯାନିଯାତ୍ରା ବନ୍ଦ। ପ୍ରାର୍ଥନା କରାଯାଉଛି, କିନ୍ତୁ ଘର ଭିତରେ ଓ ନିରବରେ। କିଛି ଦପ୍ତର କାମ ବି ଘରୁ କରାଯାଉଛି। କରୋନା ସଂକ୍ରମଣ ମଣିଷ ଜାତିକୁ କି ମହାଶିକ୍ଷା ନ ଦେଇଛି ସତେ? ବିଭିନ୍ନ ଅନୁଶୀଳନରୁ ଜଣାପଡୁଛି ଯେ ପୃଥିବୀ ଏବେ ଟିକିଏ ଶାନ୍ତିରେ ନିଃଶ୍ବାସ ମାରୁଛି। କଳକାରଖାନା, ଗାଡ଼ି ମଟର ସବୁ ବନ୍ଦ। ତେଣୁ, ଜଳ ଓ ବାୟୁ ନିର୍ମଳ ଓ ପ୍ରଦୂଷଣ ମୁକ୍ତ। ସକାଳ ହେବା ମାତ୍ରକେ ରାସ୍ତାଘାଟ, ବଜାର ଓ ଅଫିସରେ ସାଲୁ ବାଲୁ ହେଉଥିବା ମଣିଷମାନଙ୍କ ଭିଡ଼ ନାହିଁ; ସମସ୍ତେ ଘରେ ବନ୍ଦ। ଏବେ ଦେଖିବାକୁ ମିଳୁଛି ଯେ ପରିବାରର ସଦସ୍ୟମାନେ ଘରେ ରହି ନିଜ ନିଜକୁ ଆବିଷ୍କାର ବି କରୁଛନ୍ତି। ଘର କାମରେ ପରସ୍ପରକୁ ସାହାଯ୍ୟ କରୁଛନ୍ତି; ଆମର ଆବଶ୍ୟକତା କମିଯାଇଛି, ସର୍ବନିମ୍ନ ସ୍ତରରେ ଆମେ ଚଳୁଛୁ। ଏହା ଏକ ନୂଆ ଉପଲବ୍‌ଧି। କରୋନାର ଦାଉ ସରିଯିବା ପରେ ପୁଣି ଆମେମାନେ ଆଉ ଥରେ ହାହୁତାଶମୟ ଜୀବନ ଦୌଡ଼ରେ ଦୌଡ଼ି ଜୀବନଟାକୁ ସାରିଦେବା ନିଶ୍ଚିତ। କିନ୍ତୁ ଏବେ ‘କରୋନା’ କାଳୀନ ବାଧ୍ୟବାଧକତାରୁ ଶିକ୍ଷା ଲାଭ କରି ଅତି କମ୍‌ ଆବଶ୍ୟକତାରେ ଚଳିବା କଥାଟିକୁ ସବୁ ଦିନ ପାଇଁ ମନେ ରଖିବା ଉଚିତ ନୁହେଁ କି?

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର