ବିଂଶ ଶତାବ୍ଦୀର ପ୍ରଥମାର୍ଧରେ ବିଶ୍ବକୁ ଆଶା ଓ ଆଶ୍ବାସନା ଦେଇଥିବା ଅନ୍ୟତମ କିଂବଦନ୍ତି ଜନନାୟକ ଥିଲେ ଗାନ୍ଧୀଜୀ। ବହୁବିଧ ଭାଷା, ଧର୍ମ, ବିଶ୍ବାସ ଓ ବିଚାରଧାରାର ଦେଶ ଭାରତବର୍ଷକୁ ଇଂରେଜ ଅଧୀନରୁ ମୁକ୍ତ କରିବା ପାଇଁ ତାଙ୍କ ଦ୍ବାରା ଉଦ୍ଭାବିତ, ପରୀକ୍ଷିତ ଓ ଆଦୃତ ସତ୍ୟାଗ୍ରହ ଆଜି ବି ସମଗ୍ର ବିଶ୍ବ ପାଇଁ ମହୌଷଧି। ଏକ ରକ୍ଷଣଶୀଳ ପରିବାରରେ ବଢ଼ିଥିବା ଓ ପାଠପଢ଼ାରେ ବିଶେଷ ପାରଙ୍ଗମ ନ ଥିବା ମୋହନଦାସ ଗାନ୍ଧୀ ଯେଉଁ ଅନନ୍ୟ ଚାରିତ୍ରିକ ବୈଶିଷ୍ଟ୍ୟ ଯୋଗୁଁ ମହାତ୍ମାରେ ରୂପାନ୍ତରିତ ହୋଇଥିଲେ, ତାହା ଥିଲା ତାଙ୍କ ସଂକଳ୍ପ ଶକ୍ତି।
ପ୍ରାଇମେରି ସ୍କୁଲ୍ରେ କପି ନ କରିବାର ଦମ୍ଭ ଓ ପିତାଙ୍କ ନିକଟରେ ମାଂସ ଭକ୍ଷଣ ସଂକ୍ରାନ୍ତୀୟ ସତ୍ୟ ସ୍ବୀକାରର ସାହସ, ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଳକ ଗାନ୍ଧୀଙ୍କ ବ୍ୟକ୍ତିତ୍ୱରେ ଏକ ଅନମନୀୟ ସଂକଳ୍ପ ଶକ୍ତିର ଆଦ୍ୟ ଇଙ୍ଗିତ ସଦୃଶ ଥିଲା। କଠୋର ପାରିବାରିକ ପରମ୍ପରା ଓ ସାମାଜିକ ରକ୍ଷଣଶୀଳତାକୁ ପ୍ରତିହତ କରି ଗାନ୍ଧୀ ଉଚ୍ଚ ଶିକ୍ଷା ନିମନ୍ତେ ସମୁଦ୍ର ପାର ହୋଇ ବିଲାତ ଯାଇପାରିଲେ କେବଳ ନିଜର ସୃଷ୍ଟ ବିଚାର ଓ ଦୃଢ଼ ନିଷ୍ପତ୍ତି ଯୋଗୁଁ। ଇଂଲଣ୍ଡ ରହଣି କାଳରେ ମଦ, ମାଂସ ଓ ନାରୀ ସଂସର୍ଗ ଠାରୁ ଦୂରରେ ରହିବେ ବୋଲି ମା’ଙ୍କ ନିକଟରେ ସେ ସଂକଳ୍ପ କରିଥିଲେ। ସେଠାରେ ଖାଦ୍ୟ ସଂକ୍ରାନ୍ତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଗାନ୍ଧୀ ମାଂସ ଭକ୍ଷଣ ନ କରିବାର ସଂକଳ୍ପରୁ ଓହରି ନ ଥିଲେ। ଏହି ନିଷ୍ଠା ଯୋଗୁ ଗାନ୍ଧୀ ନିରାମିଷ ଆହାର ସପକ୍ଷରେ ବିଶ୍ବର ଅନ୍ୟତମ ପ୍ରବକ୍ତା ହୋଇପାରିଥିଲେ।
ଇଂଲଣ୍ଡରେ ଅନ୍ୟ ସ୍ଥାନୀୟ ଓ ପ୍ରବାସୀ ଭାରତୀୟ ଛାତ୍ରଙ୍କ ପରି ଗାନ୍ଧୀଙ୍କର ମନଇଚ୍ଛା ଖର୍ଚ୍ଚ କରିବାର ସାମର୍ଥ୍ୟ ନ ଥିଲା। ମିତବ୍ୟୟିତା ଓ ସମସ୍ତ ଖର୍ଚ୍ଚର ବିବରଣୀ ଲିପିବଦ୍ଧ କରିବା ତାଙ୍କର ପ୍ରତିଦିନର ଦାୟିତ୍ବ ଥିଲା। ଖର୍ଚ୍ଚ ନିୟନ୍ତ୍ରଣ ପାଇଁ ନିଜେ ଖାଦ୍ୟ ପ୍ରସ୍ତୁତ କରିବା ଓ ଭଡ଼ାଗାଡ଼ି ବଦଳରେ ଚାଲିଚାଲି କାର୍ଯ୍ୟକ୍ଷେତ୍ରକୁ ଯିବା ଗାନ୍ଧୀଙ୍କ ଦିନଚର୍ଯ୍ୟାର ଅନିବାର୍ଯ୍ୟ ଅଂଶ ଥିଲା। ଗାନ୍ଧୀ ସ୍ବୀକାର କରିଛନ୍ତି ଯେ ଇଂଲଣ୍ଡ ରହଣି ସମୟରେ ଆୟବ୍ୟୟର ସଠିକ୍ ହିସାବ ରଖିବା ଅଭ୍ୟାସ ପରବର୍ତ୍ତୀ କାଳରେ କଂଗ୍ରେସ ସଂଗଠନର ବିପୁଳ ଅର୍ଥରାଶିର ନିର୍ଭୁଲ ପରିଚାଳନାରେ ତାଙ୍କୁ ସହାୟକ ହୋଇଥିଲା। ଗାନ୍ଧୀଙ୍କ ସହ ପାଦ ମିଳେଇ ଚାଲିବା ପାଇଁ ଅନ୍ୟମାନଙ୍କୁ ଦୌଡ଼ିବାକୁ ପଡ଼ୁଥିଲା। ପ୍ରତ୍ୟହ ନିର୍ଦ୍ଦିଷ୍ଟ ସମୟରେ ପ୍ରାର୍ଥନା କରିବା ଥିଲା ଗାନ୍ଧୀଙ୍କ କବଚ। ଦୁର୍ଭାଗ୍ୟକୁ ଯେଉଁଦିନ ନିର୍ଦ୍ଧାରିତ ପ୍ରାର୍ଥନା ସମୟ ଅତିକ୍ରାନ୍ତ ହୋଇଯାଇଥିଲା, ଗାନ୍ଧୀ ସେଦିନ ପ୍ରାର୍ଥନା ସଭାରେ ପହଞ୍ଚିବା ପୂର୍ବରୁ ଆତତାୟୀର ଗୁଳିରେ ଟଳିପଡ଼ିଲେ।
ଜଣେ ବ୍ୟକ୍ତିର ବିଚାର ସତ୍ୟ ଉପରେ ସ୍ଥାପିତ ହେଲେ ତାହା ଦିବ୍ୟ ସଂକଳ୍ପରେ ରୂପାନ୍ତରିତ ହୋଇଯାଏ। ଏହି ସଂକଳ୍ପ ହିଁ ମାନବବାଦର ପ୍ରତିଷ୍ଠା ଓ ପ୍ରସାରରେ ସହାୟକ ହୁଏ। ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ପ୍ରତିଷ୍ଠା କରିଥିବା ଟଲ୍ଷ୍ଟୟ ଫାର୍ମ ଭଳି ଜାତି ଓ ଧର୍ମ ନିରପେକ୍ଷ ଅନୁଷ୍ଠାନମାନଙ୍କରେ ସାମୂହିକ ଶ୍ରମଦାନ କାର୍ଯ୍ୟକ୍ରମ ପ୍ରଚଳିତ କରିଥିଲେ। ବଗିଚା, ରୋଷେଇ, ସଫେଇ ଆଦି କାର୍ଯ୍ୟରେ ସମସ୍ତଙ୍କ ସହଭାଗିତାକୁ ନିଶ୍ଚିତ କରିବା ଥିଲା ତାଙ୍କ ଉଦ୍ଦେଶ୍ୟ। ଏପରି କି ଦକ୍ଷିଣ ଆଫ୍ରିକା ଓ ଭାରତରେ ନିଜେ ପ୍ରତିଷ୍ଠା କରିଥିବା ଆଶ୍ରମରେ ‘କାମ ନ କଲେ ଖାଇବା ବନ୍ଦ’ ନିୟମଟିକୁ କଡ଼ାକଡ଼ି ଲାଗୁ କରିଥିଲେ। ବର୍ଣ୍ଣବୈଷମ୍ୟ କାରଣରୁ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ନିଃସଂକୋଚରେ ନିଜେ ନିଜର କେଶ ମଧ୍ୟ କାଟୁଥିଲେ।
୧୯୨୧ ମସିହାରେ ରେଳଗାଡ଼ିରେ ମଦୁରାଇ ଯାତ୍ରା ସମୟରେ ଦରିଦ୍ର ଯାତ୍ରୀମାନଙ୍କୁ ଦେଖି ଗାନ୍ଧୀ ପାରମ୍ପରିକ ଗୁଜୁରାଟୀ ବସ୍ତ୍ର ପରିତ୍ୟାଗ କରି ଆଣ୍ଠୁ ଲୁଚୁ ନ ଥିବା ଖଦଡ଼ ପିନ୍ଧିବାର ସଂକଳ୍ପ କଲେ। ନିଜ ସଂକଳ୍ପରେ ସେ ଏତେ କଠୋର ଥିଲେ ଯେ ବକିଂହାମ୍ ପ୍ରାସାଦରେ ରାଜା ପଞ୍ଚମ ଜର୍ଜଙ୍କ ସହ ସାକ୍ଷାତ୍ ନିମନ୍ତେ ‘ଅଧା ଲଙ୍ଗଳା ଫକିର’ ବେଶରେ ହିଁ ଯାଇଥିଲେ। ନିଜେ ଯାହା କରିପାରିବେ ନାହିଁ, ସେପରି କରିବା ପାଇଁ ଗାନ୍ଧୀ କାହାରିକୁ ପରାମର୍ଶ ଦେଉନଥିଲେ। ଆଚରଣ ଓ ଉଚ୍ଚାରଣରେ ଏଭଳି ସମାନତା ସାର୍ବଜନୀନ ଜୀବନରେ ସାରା ବିଶ୍ବରେ ବିରଳ।
ସମକାଳୀନ ବିଶ୍ବର ଅନ୍ୟତମ ପ୍ରଭାବୀ ଜନନାୟକ ଗାନ୍ଧୀଙ୍କର କେହି ଶତ୍ରୁ ନ ଥିଲେ ବୋଲି ବିଶ୍ବାସ ହୁଏନି। ପ୍ରଗାଢ଼ ସତ୍ୟନିଷ୍ଠା ଓ ବୈଚାରିକ ନିରପେକ୍ଷତା ତାଙ୍କ ଚିର ସହଚର। ଦକ୍ଷିଣ ଆଫ୍ରିକାରୁ ଭାରତ ପର୍ଯ୍ୟନ୍ତ, ସିଏ ଇଂରେଜ ଶାସନ ବିରୋଧରେ ଆନ୍ଦୋଳନ କରୁଥିଲେ ବି କେବେ ଇଂରେଜମାନଙ୍କୁ ଶତ୍ରୁ ମଣୁନଥିଲେ। ରୋଗୀ ନୁହେଁ, ରୋଗ ବିରୋଧରେ ହିଁ ଥିଲା ତାଙ୍କ ଆଜୀବନ ସଂଗ୍ରାମ। ଏପରି କି ନିଜ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ଆଶ୍ରମରେ ରହି ମନ ପରିବର୍ତ୍ତନ କରିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ। ବିରଳା ଭବନରେ ପ୍ରାର୍ଥନା ସଭା ପାଇଁ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତାବକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ସତ୍ୟ ପରି ଅହିଂସା ମଧ୍ୟ ଥିଲା ଗାନ୍ଧୀଙ୍କ ନୟନ ସଦୃଶ। କୌଣସି ଲକ୍ଷ୍ୟ ସିଦ୍ଧି ପାଇଁ ହିଂସାଚରଣ କଦାପି ବିକଳ୍ପ ହେଇନପାରେ ବୋଲି ଗାନ୍ଧୀ ବିଶ୍ବାସ କରୁଥିଲେ। ଏପରି କି ୧୯୨୨ ମସିହାରେ ଅସହଯୋଗ ଆନ୍ଦୋଳନ ବେଳେ ଚୌରିଚୌରା ଠାରେ ଆନ୍ଦୋଳନକାରୀଙ୍କ ହିଂସକ ଆଚରଣ ଓ ପୁଲିସ୍ ଷ୍ଟେସନ ପୋଡ଼ାଜଳା ଘଟଣାରେ ମର୍ମାହତ ଗାନ୍ଧୀ କହିଥିଲେ ଯେ ଅହିଂସା ସମ୍ବନ୍ଧରେ ଯଥେଷ୍ଟ ଶିକ୍ଷା ବିନା ସର୍ବଭାରତୀୟ ଆନ୍ଦୋଳନ ପାଇଁ ଆହ୍ବାନ ଦେବା ଉଚିତ ନଥିଲା। ନେହରୁ ଓ ଅନ୍ୟାନ୍ୟ ନେତାଙ୍କ ଅସହମତି ସତ୍ତ୍ବେ ବି ଗାନ୍ଧୀ ତୁରନ୍ତ ଉକ୍ତ ଆନ୍ଦୋଳନକୁ ସ୍ଥଗିତ କରିଥିଲେ।
ରାଜନୈତିକ କାର୍ଯ୍ୟ ଯୋଗୁ ଗାନ୍ଧୀ ଅନେକ ଥର ଜେଲ୍ ଯାଇଥିଲେ ମଧ୍ୟ ଦଣ୍ଡ କୋହଳ ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ କେବେ ଆବେଦନ କରିନଥିଲେ। ପରନ୍ତୁ ୧୯୨୨ ମସିହାରେ କୋର୍ଟ ଶୁଣାଣି ସମୟରେ ବ୍ରିଟିସ୍ ଶାସନ ବିପକ୍ଷରେ ଜନମତ ସୃଷ୍ଟି କରୁଥିବା ସ୍ବୀକାର କରି, ତତ୍କାଳୀନ ଆଇନ ଅନୁସାରେ ନିଜକୁ ଅପରାଧୀ ବୋଲି କହି ତାଙ୍କୁ କଠୋରତମ ଶାସ୍ତି ବିଧାନ ପାଇଁ ବିଚାରପତିଙ୍କୁ କହିଥିଲେ। ଏହି ମାମଲାରେ ଗାନ୍ଧୀଙ୍କ ବୟାନକୁ ସକ୍ରେଟିସ୍ଙ୍କ ମୃତ୍ୟୁକାଳୀନ ବିବୃତି ସହ ତୁଳନା କରାଯାଏ। ପରିଣାମର ଭୟାବହତା କଦାଚିତ ଗାନ୍ଧୀଙ୍କୁ ସତ୍ୟ ପଥରୁ ବିଚ୍ୟୁତ କରିନାହିଁ। ଅନେକ ଇଂରେଜ ଶାସକ ସମୟାନ୍ତରରେ ଗାନ୍ଧୀଙ୍କର ସ୍ତାବକ ପାଲଟିଥିବାର ନଜିର ଅଛି। ଗାନ୍ଧୀ ଦକ୍ଷିଣ ଆଫ୍ରିକା ପରିତ୍ୟାଗ କଲାବେଳେ, ଏକଦା ତାଙ୍କୁ ଦଣ୍ଡିତ କରିଥିବା ଜେନେରାଲ ସ୍ମଟ୍ଟ ମଧ୍ୟ ଦୁଃଖରେ କାନ୍ଦିଥିଲେ ବୋଲି କୁହାଯାଏ।
ସାବରମତୀ ଓ ସେବାଗ୍ରାମ ଆଶ୍ରମରେ ଗାନ୍ଧୀ ନିଜ ସମେତ ସମସ୍ତ ଅନ୍ତେବାସୀଙ୍କ ପାଇଁ ଏଗାରଟି ସଂକଳ୍ପ ବାଧ୍ୟତାମୂଳକ କରିଥିଲେ। ସେଗୁଡ଼ିକ ହେଲା ସତ୍ୟ, ଅହିଂସା, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ, ଶାରୀରିକ ଶ୍ରମ, ଅସ୍ବାଦ, ନିର୍ଭୟ, ସର୍ବଧର୍ମ ସମନ୍ବୟ, ସ୍ବଦେଶୀ ଓ ଅସ୍ପୃଶ୍ୟତା ନିବାରଣ। ବିନା ଶ୍ରମରେ ଭୋଜନ କରିବା ଚୋରି ସହ ସମାନ ବୋଲି ଗାନ୍ଧୀ ବିଚାର କରୁଥିଲେ। ଧନୀମାନେ ସେମାନଙ୍କ ଧନର ମାଲିକ ନୁହନ୍ତି, ବରଂ ମାର୍ଫତଦାର (trustee) ବୋଲି ଗାନ୍ଧୀ କହୁଥିଲେ। ଲୋକକ୍ଷେତ୍ରର ସଂସ୍କାରବାଦୀ ଜନନେତା ଗାନ୍ଧୀ ନିଜ ଜୀବନକୁ ଏଇ ସବୁ ସଂକଳ୍ପର ଶିକୁଳିରେ ସଂଯତ ଓ ସମର୍ପିତ କରିଥିଲେ।
ମୋ- ୯୪୩୭୦୬୬୦୯୯