ଦୁର୍ବିପାକର ଦର୍ଶନ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ନ୍ୟୁୟର୍କର ଟ୍ବିନ୍-ଟାୱାର ଆତଙ୍କବାଦୀ ଆକ୍ରମଣରେ ଧ୍ବସ୍ତ ହେବାର (୧୧ ସେପ୍‌ଟେମ୍ବର ୨୦୦୧) ଠିକ୍ ତିନିବର୍ଷ ପରେ ସିକାଗୋ ବିଶ୍ବବିଦ୍ୟାଳୟ ପ୍ରେସ୍ ଦ୍ବାରା ପ୍ରକାଶିତ ହେଲା ଏକ ଗୁରୁତ୍ବପୂର୍ଣ୍ଣ ଗ୍ରନ୍ଥ (୧ ସେପ୍‌ଟେମ୍ବର ୨୦୦୪)। ଏ ଗ୍ରନ୍ଥ ଆଜି ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଗ୍ରନ୍ଥଟିର ଶୀର୍ଷକ ଥିଲା ‘ଫିଲୋସଫି ଇନ୍ ଦ ଟାଇମ୍ ଅଫ୍‌ ଟେରର୍’। ଏ ଗ୍ରନ୍ଥର ମୁଖ୍ୟ ଅଂଶ ଥିଲା ଦୁଇଜଣ ବିଶ୍ବ ବିଖ୍ୟାତ ଦାର୍ଶନିକ, ଜୁର୍ଗେନ୍ ହେବରମାସ ଓ ଜାକ୍‌ ଦେରିଦାଙ୍କ ସହିତ ଗିଓଭାନା ବାରା‌େଦାରି (ଭାସାର୍ କଲେଜର ପୂର୍ବତନ ପ୍ରଫେସର ଓ ‘ନିଉ ଇଟାଲିଆନ୍ ଫିଲୋସଫି’ ପତ୍ରିକାର ପ୍ରଭାବଶାଳୀ ସଂପାଦିକା)ଙ୍କ ସାକ୍ଷାତ୍‌କାର। ଏ ସାକ୍ଷାତ୍‌କାର ଏକ ସାଧାରଣ ସାକ୍ଷାତ୍‌କାର ନଥିଲା। ସମ‌କାଳୀନ ଦାର୍ଶନିକ-ଚିନ୍ତନର ପରିଦୃଶ୍ୟ ସହିତ ପରିଚିତ ବ୍ୟକ୍ତିମାନେ ଜାଣନ୍ତି ଯେ ହେବରମାସ ଓ ଦେରିଦା ଆଧୁନିକତା ଓ ଉତ୍ତରାଧୁନିକତାର ପ୍ରସଙ୍ଗକୁ ନେଇ ପରସ୍ପରର ବିରୋଧୀ, ଏପରିକି ସେମାନେ କୌଣସି ବିଚାର ମଂଚରେ ପରସ୍ପରର ସମ୍ମୁଖୀନ ହୋଇନଥିଲେ। ତେବେ ଏଭଳି ଏକ ସାକ୍ଷାତ୍‌କାର, ଯେଉଁଠି ଦୁହେଁ ସାମ୍ନାସାମ୍ନି ହେବେ ଓ ବାରା‌େଦାରି ତାଙ୍କୁ ପ୍ରଶ୍ନ ପଚାରିବେ, କିଭଳି ସମ୍ଭବ ହେଲା? ଏ ସାକ୍ଷାତ୍‌କାରର ପରିକଳ୍ପନା କରାଯାଇଥିଲା ଟ୍ବିନ୍-ଟାୱାର୍ ଧ୍ବସ୍ତ ହେବାର ଭୟଙ୍କର ପତନ ଧ୍ବନି, ଆହତ ମଣିଷଙ୍କ ଆର୍ତ୍ତଚିତ୍କାର ଓ ବୀଭତ୍ସ ଧୂମ ପଟଳ ଅପସୃତ ହେବା ପୂର୍ବରୁ। ଆତଙ୍କର ଛାୟା ତଳେ ଏ ଦୁଇ ଦାର୍ଶନିକଙ୍କ ଆଳାପର ପରିକଳ୍ପନା କରାଗଲା କାହିଁକି? ସ୍ମରଣରେ ରହୁ ଯେ ହେବରମାସଙ୍କ ଦୃ‌ଷ୍ଟିରେ ନବୋନ୍ମେଷ (ଏନ୍‌ଲାଇଟେନ୍‌ମେଣ୍ଟ)ର ପ୍ରବହମାନ ଜ୍ଞାନଧାରା ଏକ ଚିର ଅସମାପ୍ତ ଆଧୁନିକତାର ପରିଯୋଜନା, ଏହା ମାନବ ସଭ୍ୟତାର ଏକ ସାମୂହିକ ଉତ୍ତରାଧିକାର। ସ୍ମରଣରେ ରହୁ ଯେ ଦେରିଦା ଜଣେ ମୁକ୍ତ ଚିନ୍ତକ ଓ ତାଙ୍କର ଚିନ୍ତନ ନବୋନ୍ମେଷ ବିରୋଧୀ, ସାମ୍ରାଜ୍ୟବାଦ-ବିରୋଧୀ ଓ କହିପାରନ୍ତି ୟୁରୋ-ଆମେରିକାନ୍ ପ୍ରଭୁତ୍ବର ବିରୋଧୀ। କହିବାରେ ଦ୍ବିଧା ନାହିଁ ଯେ ୟୁରୋ-ଆମେରିକାନ୍ ଚିନ୍ତନରେ ସେମାନଙ୍କ ସଭ୍ୟତାର ମଉଡ଼ମଣି, ମୁଖପାତ୍ର ଓ ସଂକେତ -ରାଷ୍ଟ୍ର ଆମେରିକା। ଟ୍ବିନ୍ ଟାୱାର ଧ୍ବସ୍ତ କରି ଅଣ-ୟୁରୋପୀୟ, ଅଣ-ଆମେରିକାନ୍ ଉତ୍ସର ଆତଙ୍କବାଦୀମାନେ ଏ ସଂକେତ ଦେଇଚନ୍ତି ଯେ ଆମେରିକାନ୍ ପ୍ରଭୁତ୍ବ ଆତଙ୍କର ଟିପ ମାଡ଼ରେ ତାସ୍‌ର ଘର ଭଳି ଭୁଶୁଡ଼ି ଯାଇପାରେ। ନିଶ୍ଚିନ୍ତ ଓ ଆତ୍ମସନ୍ତୁଷ୍ଟ ଆମେରିକାର ସମସ୍ତ ସତର୍କତାକୁ ଫୁଟ୍‌କିରେ ଉଡ଼େଇ, ଦିବାଲୋକରେ, ନ୍ୟୁୟର୍କର ହୃଦ୍‌ସ୍ଥଳରେ ସ‌ଗ‌େର୍ବ ଦଣ୍ଡାୟମାନ ପୁଂଜିବାଦର ଯୁଗ୍ମ ଦୁର୍ଗକୁ ଗୋଟେ ଉନ୍ମତ୍ତ ଆତଙ୍କବାଦୀ ବ୍ୟୋମଯାନ ମାଡ଼ରେ ନିଶ୍ଚିହ୍ନ କରିଦେଇପାରେ ଓ ତା ସହିତ ଆମେରିକାର ଅପରାଜେୟତାର ଅହଂକାରକୁ ଧୂଳିସାତ୍ କରିଦେଇପାରେ। ଇଏ ହେଲା କେମିତି? ଏ ପ୍ରତିହିଂସାର ଆତଙ୍କୀ ମାଡ଼ ସମ୍ଭବ ହେଲା କେମିତି? ଦଳେ ବୁଦ୍ଧିଜୀବୀ କହିଲେ ୟାର କାରଣ ଆମେରିକାର ଲୁଣ ଖାଇ ଗୁଣ ଗାଇବାକୁ ନାରାଜ ୟୁରୋପୀୟ ଦାର୍ଶନିକମାନଙ୍କ ଚିନ୍ତନରେ ଆମେରିକାର ଅବମୂଲ୍ୟାୟନ। ହେବରମାସ ୟୁରୋପୀୟ ରେନାସାଁ (ନବୋନ୍ମେଷ ବା ଏନ୍‌ଲାଇଟେନ୍‌ମେଣ୍ଟ)ର ପ୍ରବକ୍ତା, ତାଙ୍କ ଦୃଷ୍ଟିରେ ଗୋଟେ ପ୍ରଚ୍ଛନ୍ନ ଆମେରିକା-ଅବହେଳନା ଅଛି କି? ଦେରିଦା ବିଗଠନବାଦୀ (ଡିକନ୍‌ଷ୍ଟ୍ରକ୍‌ସନ୍ ବାଦୀ) ଯାହାଙ୍କ ଦୃଷ୍ଟିରେ ବିଶ୍ବର ଦୁର୍ବଳ, ଅବହେଳିତ ଓ ସୀମାନ୍ତରିତ ସଭ୍ୟତାମାନଙ୍କର ସୃଜନ କଳା ୟୁରୋ-ଆମେରିକାନ୍ ପ୍ରଭୁପାଠ ଦ୍ବାରା ଆକ୍ରାନ୍ତ, ତେଣୁ ସେମାନଙ୍କର ଅଭିବ୍ୟକ୍ତି ଅବଦମିତ, ଲୁପ୍ତ ବା ବିଭ୍ରାନ୍ତିକର ଆଲୋଚନାରେ ପଥଭ୍ରଷ୍ଟ। ବିଶ୍ବ ରାଜନୀତିରେ ଏ ଦୁଇ ଚିନ୍ତକଙ୍କ ଦର୍ଶନକୁ ଆମେରିକା-ସପକ୍ଷରେ ନ ବଦଳାଇଲା ଯାଏଁ ବିଶ୍ବର ଦରିଦ୍ର ଓ ଦୁର୍ବଳ ଦେଶମାନେ ଆମେରିକାକୁ ସମ୍ମାନର ଦୃଷ୍ଟିରେ ଦେଖିବେ ନାହିଁ, କାରଣ ତୃତୀୟ ବିଶ୍ବର ବୁଦ୍ଧିଜୀବୀମାନେ ଏମାନଙ୍କ ଦର୍ଶନରେ ଉଦ୍‌ବୁଦ୍ଧ, ବୁଦ୍ଧିଜୀବୀଙ୍କ ସମର୍ଥନ ପାଇ ଆତଙ୍କବାଦର ନୂଆ କୌଶଳ ଓ ସାହସ ବି ବିକଶିତ ହୋଇପାରେ। ତେଣୁ ଶୀଘ୍ରାତିଶୀଘ୍ର ବୌଦ୍ଧିକ ଧରାତଳକୁ ସମତଳ କରାଯାଉ। ବାରାଦୋରି ଯେଉଁ ପ୍ରଶ୍ନ ଗୁଡ଼ିକ ପଚାରିଲେ, ସେଗୁଡ଼ିକ ସବୁ ଥିଲା ଆତଙ୍କବାଦ ପ୍ରତି ଦାର୍ଶନିକ ଆଭିମୁଖ୍ୟର ଦିଗ ପରିବର୍ତ୍ତନ ପାଇଁ। ବିସ୍ମୟର କଥା ଯେ ଏ ଦୁଇ ଭଗାରି ହଠାତ୍ ଭାଇ-ଭାଇ କହି ପରସ୍ପରକୁ କୁଣ୍ଢେଇ ପକେଇଲେ ଓ କହିଲେ ଆମେରିକା ଜିନ୍ଦାବାଦ୍, ସମୟ ଆସିଚି ଆମେରିକା-କୈନ୍ଦ୍ରିକ ସୁରକ୍ଷା ନେଟ୍‌ୱର୍କରେ ସମଗ୍ର ବିଶ୍ବକୁ ବାନ୍ଧିବାର, ସମୟ ଆସିଚି ପ୍ରଭୁତ୍ବର ନୂଆ ଦର୍ଶନ ବିକଶିତ କରିବାର।

ଏ ଗ୍ରନ୍ଥଟି ମୁଁ ପାଇଥିଲି ୨୦୦୮ରେ। ପଢ଼ି ସାରିଲା ପରେ ମୋତେ ଲାଗିଥିଲା ଯେ ୟୁରୋ-ଆମେରିକାନ୍ ସଂସ୍କୃତି ଓ ସଭ୍ୟତାର ପ୍ରଭୁତ୍ବ, ବା କହିପାରନ୍ତି ନୂଆ ସାମାଜ୍ର୍ୟବାଦ ବା ହେଜିମୋନି ବିତ୍ତୀୟ ସାମର୍ଥ୍ୟ ଯୋଗୁ ଯେତେ ନୁହେଁ, ତା’ ଠାରୁ ଅଧିକ ବିଶ୍ବର ଜ୍ଞାନକେନ୍ଦ୍ର ଗୁଡ଼ିକୁ ଦଖଲ କରିବାର ସାମର୍ଥ୍ୟରେ। ଯେବେ ଯେବେ ୟୁରୋ-ଆମେରିକାନ୍ ରାଷ୍ଟ୍ରମାନଙ୍କ ଉପରେ କୌଣସି ବିପଦ ପଡ଼େ ବା ସେମାନେ କୌଣସି ନା କୌଣସି ଦୁର୍ବିପାକରେ ପଡ଼ନ୍ତି, ତାଙ୍କର ଜ୍ଞାନକେନ୍ଦ୍ରଗୁଡ଼ିକ ସକ୍ରିୟ ହୋଇ ଉଠନ୍ତି। ସେମାନେ ବିଶ୍ବକୁ ଦେଖାଇବାକୁ ଚାହାନ୍ତି ନାହିଁ ଯେ ସେମାନେ ନିରୁପାୟ, ଦୁର୍ବଳ ବା ହତାଶ। ତେଣୁ ଆମକୁ ପଢ଼ିବାକୁ ମିଳେ ଦୁର୍ବିପାକର ନୂଆ ଇତିହାସ, କାଳ ଓ ଅନ୍ତରୀକ୍ଷକୁ ବଶୀଭୂତ କରିବାର ବୀରଗାଥା ଓ ତା’ର ଥିଓରାଇଜେସନ୍। ଏ ଗ୍ରନ୍ଥଟି ପଢ଼ିଲା ପରେ ମୁଁ ହେବରମାସ ଓ ଦେରିଦାଙ୍କୁ ପଢ଼ିବା ଛାଡ଼ିଦେଲି। ଲାଗିଲା ଯେମିତି ମୁଁ ବିଚରା ଭାରତୀୟ ୟାଙ୍କୁ ବିଶ୍ବାସ କରିବାକୁ ବାଧ୍ୟ କାରଣ ସବୁତକ ଜ୍ଞାନକେନ୍ଦ୍ର ୟାଙ୍କ କବଳରେ। ମୋ ଦେଶର ବିଶାଳ ବୌଦ୍ଧିକ ପରଂପରା ଅବହେଳିତ। ଦୁର୍ବିପାକ ଆମ ଉପର ଦେଇ ଆସେ ଓ ଯାଏ। ଦୁର୍ବିପାକ ବେଳେ ଆମେ ଖାଦ୍ୟପଦାର୍ଥ ଯୋଗାଡ଼ରେ ଲାଗିଯାଉ। ଗୋଟିଏ କଖାରୁକୁ ଭାଗ ନକରି ଗୋଟା ଉଠେଇ ନେବାପାଇଁ ମାଡ଼ପିଟ୍, ଆଠ ବସ୍ତା ଚାଉଳ ଓ ତିନି ବସ୍ତା ଡାଲି ନେଇ କିଏ ଗାଡ଼ିରେ ଲୋଡ୍ କଲାଣି ତ କିଏ ଛକିଚି କେତେବେଳେ ଉଠେଇନବ ବସ୍ତାଏ ଚୁଡ଼ା! ଆମର ତ ଦାର୍ଶନିକ ନାହାନ୍ତି, ଯିଏ ବା ଅଛନ୍ତି ବୁଦ୍ଧିଜୀବୀ; ସେମାନେ ବି ଦୁର୍ବିପାକରେ କ୍ଷୁଦ୍ରରୁ କ୍ଷୁଦ୍ରତର ମଣିଷ ହୋଇଯା’ନ୍ତି। ଆମ ସଭ୍ୟତାର ଅବଦାନକୁ ପରଖିବା ପାଇଁ ବା ତାକୁ ପ୍ରତିଷ୍ଠା ଦେବା ପାଇଁ ଦୁର୍ବିପାକ ଉପଯୁକ୍ତ ସମୟ ନୁହେଁ ବୋଲି ଆମର ବିଶ୍ବାସ। କିନ୍ତୁ ଦୁର୍ବିପାକକୁ ମୁକାବିଲା କରିବାରେ ଆମର ‌ମନୋବଳ, ପ୍ରକୃତି-ଦତ୍ତ ସହନଶୀଳତା ଓ ଗଭୀର ଆଧ୍ୟାତ୍ମିକ ପ୍ରେରଣା କିଭଳି ସହାୟ ହୁଏ ତା’ର ପାଠ ତ ଆମ ବୁଦ୍ଧିଜୀବୀମାନେ ନିର୍ମାଣ କରିପାରନ୍ତେ!

୨୦୧୦ରେ ମୁଁ କିଟ୍ ବିଶ୍ବବିଦ୍ୟାଳୟର ପ୍ରୋ-ଚାନ୍‌ସେଲର୍ ଥିଲା ବେଳେ ଆମେରିକାନ୍ ରାଷ୍ଟ୍ରଦୂତ କିଟ୍ ପରିଦର୍ଶନରେ ଆସିଲେ। ଛାତ୍ରମାନଙ୍କ ସହିତ ତାଙ୍କର ମତ ବିନିମୟର ଏକ ଅନୌପଚାରିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଁ ଓ ଭାଇସ୍-ଚାନ୍‌ସେଲର୍ କୋଲାସ୍କର୍ ପିଲାଙ୍କ ସହିତ ଏକ ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲୁ। ବିବିଧ ସମ୍ଭାବ୍ୟ ପ୍ରଶ୍ନ ବିଷୟରେ ଆଲୋଚନା ହେଲା। ମେକାନିକାଲ୍ ଇଂଜିନିଅରିଂ ପଢ଼ୁଥିବା ପିଲାଟିଏ ଥଙ୍ଗମଙ୍ଗ ହୋଇ ହଠାତ୍ ପଚାରିଦେଲା: ମୁଁ ପଚାରିବାକୁ ଚାହୁଁଚି ରାଷ୍ଟ୍ରଦୂତ ମହୋଦୟ ଭାରତୀୟ ସଭ୍ୟତାର ମହାନତା ବିଷୟରେ କ’ଣ ଭାବନ୍ତି? ଆମେ ଚୁପ୍ ହୋଇଗଲୁ ଓ ପିଲାଙ୍କ କୋଳାହଳରେ ସେ ପ୍ରଶ୍ନଟି ମ‌ିଳେଇଗଲା। କିନ୍ତୁ ସେ ପ୍ରଶ୍ନ ବିଳମ୍ବିତ ରାତିରେ ସୁଦୂରର ବଂଶୀଧ୍ବନି ଭଳି ଏବେ ବି ମୋ କାନରେ ବାଜେ, ମୋତେ ବିଚଳିତ କରେ।

ବର୍ତ୍ତମାନ ଆମେ ଭୂତାଣୁ ସଂକ୍ରମଣର ମହାମାରୀ ସହିତ ଲଢ଼ୁଚେ। ଘୋର ଦୁର୍ବିପାକର ସମୟ ଏ। ଏ କେବଳ ମହାମାରୀ ନୁହେଁ, ଇଏ ବିଶ୍ବମାରୀ (ପାଣ୍ଡେମିକ୍)। ଆମେ କିଭଳି ୟାର ମୁକାବିଲା କରୁଚେ, ଭାରତୀୟ ରାଷ୍ଟ୍ର କେଉଁ ସଂକଳ୍ପର ସାମର୍ଥ୍ୟରେ ଏକଜୁଟ ନାଗରିକଙ୍କୁ ସୁରକ୍ଷା ଓ ଆଶ୍ବାସନା ଦିଏ, ୟାର ବ୍ୟାଖ୍ୟାନ କାହିଁ? ଖବରକାଗଜ ପ୍ରାୟ ବନ୍ଦ, ଟେଲିମିଡିଆରେ ସମ୍ବାଦ ପରିବେଷଣ ମୁଖ୍ୟ। ନେରେଟିଭ୍ ବା ବ୍ୟାଖ୍ୟାନ ନିର୍ମାଣ ପାଇଁ ବୁଦ୍ଧିଜୀବୀମାନେ ପ୍ରସ୍ତୁତ ନୁହନ୍ତି, କାରଣ ବୁଦ୍ଧିଜୀବୀମାନଙ୍କ ଭିତରେ ନାସନାଲିଷ୍ଟ ଓ ଲିବେରାଲ ବିଭାଜନ ଏବେ ବି ଚାଲିଚି। ହେବରମାସ ଓ ଦେରିଦା ବୌଦ୍ଧିକ ଶତ୍ରୁତା ତ୍ୟାଗ କରି ତାଙ୍କ ୟୁରୋ-ଆମେରିକାନ ସଭ୍ୟତାର ଜୟଗାନ ପାଇଁ ନିଜର ବୌଦ୍ଧିକ ବିଚାରଧାରାକୁ ବି ଜଳାଂଜଳି ଦେଇଦେଲେ, କିନ୍ତୁ ଆମର ଏଠି ଭାରତ ଓ ଭାରତୀୟଙ୍କୁ ନୀଚରୁ ନୀଚତର କରି ଦେଖେଇବା ପାଇଁ ପୁଂଜେ ପାଂଚ ବାହାପିଆ ଓ କୁହାଳିଆ ବୁଦ୍ଧିଜୀବୀ ଆନ୍ତର୍ଜାତିକ ମିଡିଆରେ ସର୍ବଦା ଉପସ୍ଥିତ। ସତ୍ୟର ଆଧାରରେ ରାଷ୍ଟ୍ରଦ୍ରୋହୀକୁ ଚିହ୍ନିବା ଏବେ ସହଜ ହୋଇଗଲାଣି। କିଏ ମିଛ କହୁଚି ଲୋକେ ଜାଣିଗଲେଣି। ଲୋକେ ରାଷ୍ଟ୍ର ସହିତ ଓ ରାଷ୍ଟ୍ରୀୟ ନେତୃତ୍ବ ସହିତ ଏକାତ୍ମ ହୋଇଗଲେଣି। ୟାର ବ୍ୟାଖ୍ୟାନ ନିର୍ମାଣ କରିବାର ସମୟ ତ ଏଇ!

ଭାରତୀୟତା, ଭାରତୀୟ ରାଷ୍ଟ୍ରୀୟତା ଓ ଦୁର୍ବିପାକ ମୁକାବିଲାରେ ରାଷ୍ଟ୍ରୀୟ ନେତୃତ୍ବ ତଥା ଆମ ରାଜ୍ୟର ଭୂମିକା, ଏ ସବୁର ବ୍ୟାଖ୍ୟାନ ନିର୍ମାଣ ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ ଓ ଏ ଏ ସମୟ ଏଇଥିଯୋଗୁ ଉପଯୁକ୍ତ ଯେ ବିଶ୍ବ ଏ ଭୟଙ୍କର ବିଶ୍ବମାରୀ ପରେ ବଦଳିଯିବ। ଆମେରିକା ଓ ୟୁରୋପରେ ବିଶ୍ବମାରୀ ସହିତ ମୁକାବିଲା ଚାଲିଥିଲା ବେଳେ ବି ଭିଡିଓ କନ୍‌ଫେରେନ୍‌ସିଂ ଓ ଜୁମ୍ ଜରିଆରେ ବିଭିନ୍ନ ଶ୍ରେଣୀର କର୍ମଜୀବୀ, ଚିନ୍ତକ ଓ ଦାର୍ଶନିକ ମାନଙ୍କର ଆଲୋଚନା ଆରମ୍ଭ ହୋଇଯାଇଚି। ସେମାନେ ସ୍ଥିର ନିଶ୍ଚିତ ଯେ ସେମାନେ ଏ ମୁକାବିଲାରେ ଜିତିବେ ଓ ୟୁରୋ-ଆମେରିକାନ୍ ହେଜିମୋନିକୁ ସନ୍ଦେହ କରିବାର ଅବକାଶ ରହିବ ନାହିଁ। ଆମ ଆଖି ଆଗରେ ବିଶ୍ବମାରୀ-ଧ୍ବସ୍ତ ଆମେରିକାର ରାଷ୍ଟ୍ରପତିଙ୍କ ଦମ୍ଭ ଦେଖନ୍ତୁ ଓ ତାଙ୍କ ପଛରେ ଠିଆ ହୋଇଥିବା ଜ୍ଞାନକେନ୍ଦ୍ର ମାନଙ୍କରେ ମୁଖାପିନ୍ଧି, ଗ୍ଲୋଭ୍‌ସ୍ ପିନ୍ଧି ଆମେରିକାର ଅସହାୟତାକୁ ବିଜୟର ଦର୍ପ ପ୍ରଦାନ କରିବାର ପ୍ର‌ୟାସକୁ ଦେଖନ୍ତୁ। ସେମାନେ ବର୍ତ୍ତମାନ ପୋଷ୍ଟ-ପାଣ୍ଡେମିକ୍ ୟୁରୋ-ଆମେରିକାର ଉପସ୍ଥାପନା ପାଇଁ ପ୍ରସ୍ତୁତ ହେଉଚନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରର ବ୍ରେଟନ୍‌ଉଡ୍‌ସ୍ ଅନୁଷ୍ଠାନ ଗୁଡ଼ିକ ଭିତରେ ଜାତିସଂଘ ଓ ବିଶ୍ବବ୍ୟାଙ୍କ୍, ଜାତିସଂଘର ସ୍ବତନ୍ତ୍ର ଅନୁଷ୍ଠାନ ଡବ୍ଲୁ.ଏଚ୍.ଓ. (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ତାଙ୍କ ନଜରରେ। ଚୀନର ଭୂମିକା ଉପରେ ତାଙ୍କର ନଜର। ସେମାନେ କ’ଣ କରିବେ ଏବେ ଜଣାପଡୁନି। ହୁଏତ ଏଇ ଦୁର୍ବିପାକର ଆଳରେ ସେମାନେ ଜାତିସଂଘରେ ଦରିଦ୍ର ଦେଶଙ୍କ ବୌଦ୍ଧିକ ପତିଆରା ହ୍ରାସ କରିବା ପାଇଁ, ଜାତିସଂଘକୁ ଆମେରିକାନ୍ ବାଡ଼ିପଟରେ ପରିଣତ କରି ଦେଇ ପାରନ୍ତି, ବିଶ୍ବବ୍ୟାଙ୍କ ଜରିଆରେ ବିଶ୍ବର ବାଲାନ୍‌ସସିଟ୍ ବଦଳେଇ ଦେଇ ପାରନ୍ତି। ତୃତୀୟ ବିଶ୍ବଯୁଦ୍ଧ ଭଳି ଏକ ସ୍ଥିତି ବି ଉପୁଜିପାରେ, କାରଣ ପ୍ରକୃତି ଦ୍ବାରା ପରାଜିତ ବସ୍ତୁବାଦୀ ସମାଜରେ ଯୁଦ୍ଧ ହିଁ ବିଜୟ ଘୋଷଣାର ଏକମାତ୍ର ବିକଳ୍ପ।

ୟୁରୋ-ଆମେରିକାନ୍ ଚିନ୍ତନ ଗତ ଦଶ ବର୍ଷ ହେଲା ଅସ୍ବୀକାର କରିଚାଲିଚନ୍ତି ଯେ ସେମାନଙ୍କର ଜ୍ଞାନକେନ୍ଦ୍ର ମାନଙ୍କ ଉପରେ ସବାର ହୋଇ ଉଦାରବାଦ ସ୍ଥାନରେ ରାଷ୍ଟ୍ରବାଦ, ସାମ୍ୟବାଦ ସ୍ଥାନରେ ସାଧାରଣବାଦ (କମନିଜ୍‌ମ୍) ଓ ବ୍ୟକ୍ତିବାଦ ସ୍ଥାନରେ ଆଧ୍ୟାତ୍ମବାଦ କାଳର ପଟ ପରିବର୍ତ୍ତନରେ ସୂଚନା ଦେଇ ଚାଲିଚନ୍ତି। ସେମାନେ କହିଚାଲିଚନ୍ତି ଯେ ଇତିହାସ, ବିକାଶ, ବିଜ୍ଞାନ, ସଭ୍ୟତା, ତଥ୍ୟ ଓ ବ୍ୟାଖ୍ୟାନ ସବୁର ଅନ୍ତ ହୋଇ ସାରିଚି। ଏବେ ସବୁ ପୋଷ୍ଟ, ଅର୍ଥାତ୍ ଉପରାନ୍ତ! ପୋଷ୍ଟ-ହିଷ୍ଟ୍ରି, ପୋଷ୍ଟ-ଡେଭେଲପ୍‌ମେଣ୍ଟ, ପୋଷ୍ଟ-ସିଭିଲାଇଜେସନ୍, ପୋଷ୍ଟ-ଫ୍ୟାକ୍ଟ ଓ ପୋଷ୍ଟ-ନେରେଟିଭ୍! କାହିଁକି ସବୁର ଅନ୍ତ ହୋଇଯାଇଚି? ଅନ୍ତ ହୋଇନି, ‘ଅନ୍ତ’ର କଳ୍ପନା କରାଯାଇଚି କାରଣ ଫର୍ଦ୍ଦେ ଧଳାକାଗଜ ଦରକାର ଯୋଉଥିରେ ସେମାନେ ନୂଆ ବିଶ୍ବ-ପରିଚୟ ଲେଖିବେ ତାଙ୍କ ଦୃଷ୍ଟିକୋଣରୁ।

ୟାର ଉତ୍ତର ଦେବ ଭାରତ। ବିଶ୍ବମାରୀ ପରର ଭାରତ ପ୍ରସ୍ତୁତ କରିବ ରାଷ୍ଟ୍ରୀୟତା ଓ ବିଶ୍ବ ନିର୍ମାଣର ନୂଆ ପରିଚୟ। ଏଥିପାଇଁ ଲୋଡ଼ା ଅସଂଖ୍ୟ ଭାରତୀୟ ଜ୍ଞାନକେନ୍ଦ୍ରର ନିର୍ମାଣ, ରାଷ୍ଟ୍ର ଉପରେ ଆସ୍ଥା ଓ ରାଷ୍ଟ୍ରନାୟକ ଉପରେ ଭରସା। ନୂଆ ବିଶ୍ବରେ ରାଜନୀତି ଶକ୍ତିର ଖେଳ ନୁହେଁ, ଏହା ଆସ୍ଥା ନିର୍ଣ୍ଣୟର ଏକ ଦର୍ଶନ। ସଂକଳ୍ପର ଆଧାରରେ ପ୍ରତିଷ୍ଠିତ ଗଣତନ୍ତ୍ରରେ ନେତୃତ୍ବ ଉପରେ ଆସ୍ଥା ରଖିବାର ବିକଳ୍ପ ନାହିଁ। ଏବେ ଯେତେବେଳେ ଭାରତ ଓ ଭାରତୀୟ ନେତୃତ୍ବ ବିଶ୍ବସ୍ତରୀୟ ପ୍ରତିଷ୍ଠା ଲାଭ କରିଚି ଗଣତନ୍ତ୍ରରେ ଆସ୍ଥା ନିର୍ଣ୍ଣୟର ଦର୍ଶନ ମଧ୍ୟ ସ୍ବପ୍ରତିଷ୍ଠିତ ହୋଇଯାଇଚି। ଏବେ ବିଶ୍ବଦର୍ଶନ ଆମଠୁ ଆରମ୍ଭ ହେବ। ହୋଇପାରେ ଦୁର୍ବିପାକରେ ସନ୍ତୁଳନ ବଦଳିବାର ଶୁଭ ସୂଚନା ବିଶ୍ବମାରୀର ଏକ ଅବଦାନ ଲୋକକ୍ଷେତ୍ରକୁ।

ବାଗର୍ଥ, ଏନ୍ ୨/୨୬
ଆଇଆର୍୍ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର