‘ଆଣ୍ଠୁ ଉପରେ ମୁଣ୍ଡ ରଖି ଝରି ଆସୁଥିବା ଲୁହକୁ ସେମିତି ଝରିବାକୁ ଛାଡ଼ିଦେଲି। ମୁଁ ଜାଣେ, ଯାହା ହରାଇଲି ଭାବି ମୁଁ କାନ୍ଦୁଛି ତାହା କେବେ ମୋର ନ ଥିଲା, ତେଣୁ ପ୍ରତ୍ୟାଖ୍ୟାତ ହୋଇଯିବା ପରେ ଦୁଃଖ ଆଉ କ’ଣ ପାଇଁ? ଯେଉଁ ଆଶା ଆଉ ଆମ ମନର ନୁହେଁ, ଯେଉଁ ସ୍ବପ୍ନ ଆଉ ଆମ ଆଖିର ନୁହେଁ, ତାକୁ ନେଇ ଦୁଃଖ କରି ଆଉ ଲାଭ ବା କ’ଣ...?’ ପ୍ରତ୍ୟାଖ୍ୟାତ ହେବାର ବେଦନା ଏହିପରି ବ୍ୟକ୍ତ କରିଛନ୍ତି ବିଶିଷ୍ଟ ବ୍ରିଟିସ୍‌ ଲେଖିକା ଏରିକା ଜେମ୍‌ସ୍ ତାଙ୍କ ଚର୍ଚ୍ଚିତ ଉପନ୍ୟାସ ‘ଫିପ୍‌ଟି ସେଡସ୍ ଅଫ୍ ଗ୍ରେ’ରେ। ପ୍ରତ୍ୟାଖ୍ୟାନରେ ଭରା ଏ ପୃଥିବୀରେ ନାକଚ ହୋଇଯିବାର ଦୁଃଖକୁ ନେଇ ବାହୁନି ବସିଲେ ପଛରେ ରହିଯିବା ସ୍ବାଭାବିକ। ସାକ୍ଷାତ୍‌କାର ଦେଇଥିଲେ କୃତକାର୍ଯ୍ୟ ହେଲେନି, ଭଲ ପାଉଥିବା ବ୍ୟକ୍ତିଟି ଶେଷରେ ଛାଡ଼ି ଚାଲିଗଲା, ପ୍ରତିଯୋଗିତାରେ ଅସଫଳ ହେଲେ, ବହୁ ଶ୍ରମ ସ୍ବୀକାର କରି ତିଆରି କରିଥିବା ଯୋଜନାଟି ଗ୍ରହଣୀୟ ହେଲାନି, ଜୀବନସାଥୀ ହୋଇ ଅନେକ ବର୍ଷ ରହିବା ପରେ ଆଜି ସେ ଛାଡ଼ପତ୍ରର ମାମଲା କରିଛନ୍ତି, ନିଯୁକ୍ତିଦାତା ବାହାରକୁ ରାସ୍ତା ଦେଖାଇ ଦେଲେ, ଏପରି ଅନେକ। ପ୍ରତ୍ୟାଖ୍ୟାନକୁ ସାମ୍‌ନା କଲା ବେଳକୁ ଜଣେ ଦୁଃଖରେ ଭାଙ୍ଗି ପଡ଼େ। ଭାବିନିଏ, ପ୍ରତ୍ୟାଖ୍ୟାନ କରିଥିବା ଲୋକଟି ପାଇଁ ସେ ଏବେ ଅଦରକାରୀ। ସେଇଠି ନିଜ ଯୋଗ୍ୟତା ଉପରେ ପ୍ରଶ୍ନ ଚିହ୍ନ ଲାଗିଯାଏ। ପ୍ରତ୍ୟାଖ୍ୟାତ ହେବା ଜୀବନର ଏକ ପ୍ରାକୃତିକ ପ୍ରକ୍ରିୟା। ବର୍ଷକର ପିଲାଟିଏ ଦିନକ ଭିତରେ କେତେଥର ‘ନା’ ଶଦ୍ଦ ଶୁଣେ ଭାବନ୍ତୁ। ସେଇ ‘ନା’ ଶଦ୍ଦ ଶୁଣିଶୁଣି ଜୀବନ ତା’ର ଗଢ଼ି ହୋଇଯାଏନି କି?

Advertisment

କାହାରି ଉପରେ ବିଶ୍ୱାସ ରଖି ତାକୁ ଗ୍ରହଣ କରି ନେବା ଜଣକର ବ୍ୟକ୍ତିଗତ ବ୍ୟାପାର। ପ୍ରତ୍ୟେକ ବ୍ୟକ୍ତି ବା ପଦାର୍ଥର ନିଜସ୍ବ ମୂଲ୍ୟ କିଛି ନ ଥାଏ। ତାକୁ ନିଜ ଆବଶ୍ୟକତା ଅନୁଯାୟୀ ଯେ ଯେଉଁ ମୂଲ୍ୟ ଦେଲା ତା’ପାଇଁ ସେ ସେତିକି ମୂଲ୍ୟବାନ ହୋଇଯାଏ। ରାସ୍ତାରେ ପଡ଼ିଥିବା ଏକ କଳା ପଥରକୁ ଅନେକେ ନ ଅନାଇ ଚାଲିଯାଆନ୍ତି, କାରଣ ପଥରଟି ସେମାନଙ୍କ ପାଇଁ ମୂଲ୍ୟହୀନ। ଆଉ ଜଣେ ତାକୁ ଗୋଟାଇ ନେଇ ଶାଳଗ୍ରାମ ଭାବରେ ପୂଜା କରେ ତ ଆଉଜଣେ ନେଇ ଖାଲ ପୋତିବା କାମରେ ଲଗାଏ। ଗୋଟିଏ ପଥର, ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ପରିଗ୍ରହଣ କଲା। ଇଚ୍ଛା, ସଂପର୍କ, ପ୍ରେମ, ଯୋଗ୍ୟତା ସବୁ ଠିକ୍ ସେହିପରି ଅନ୍ୟ ଜଣକର ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ମୂଲ୍ୟାୟିତ ହୋଇଥାଏ। ସମସ୍ୟା ସେତେବେଳେ ଆସେ, ଯେତେବେଳେ ମୁଁ ନିଜେ ନିର୍ଦ୍ଧାରଣ କରିଥିବା ନିଜର ମୂଲ୍ୟ ଆପଣଙ୍କ ପାଇଁ ମୂଲ୍ୟହୀନ ବା କମ୍‌ ମୂଲ୍ୟର ସାବ୍ୟସ୍ତ ହୁଏ। ଏପରି କ୍ଷେତ୍ରରେ ମୁଁ ଆପଣଙ୍କ ଠାରୁ ଦୂରେଇ ଯାଏ ଓ ମୋତେ ପ୍ରତ୍ୟାଖ୍ୟାତ ହେବା ପରି ଲାଗିବ, କାରଣ ମୁଁ ଚାହେଁ ସମସ୍ତେ ମୋତେ ମୁଁ ନିର୍ଦ୍ଧାରଣ କରିଥିବା ଭଳି ଅଧିକ ମୂଲ୍ୟ ଦିଅନ୍ତୁ। ଯେହେତୁ ମୋର ଉପଯୋଗିତା ଅନ୍ୟ ଜଣକ ହାତରେ, ମୋ ମୂଲ୍ୟ ତା’ ପାଇଁ କମ୍‌ ହୋଇଗଲେ ପ୍ରତ୍ୟାଖ୍ୟାନକୁ ସାମ୍‌ନା କରିବା ଛଡ଼ା ମୋର ଆଉ କିଛି କରିବାର ନ ଥାଏ। ମନେ କରନ୍ତୁ, ଜଣେ ଖୁବ୍ ଯୋଗ୍ୟ ବ୍ୟକ୍ତି ଚାକିରି ପାଇଁ ଦେଇଥିବା ସାକ୍ଷାତ୍‌କାରରେ କୃତକାର୍ଯ୍ୟ ହେଲାନି, ମାତ୍ର ଯିଏ ସଫଳ ହେଲା ତା’ର ଯୋଗ୍ୟତା ପୂର୍ବ ବ୍ୟକ୍ତି ଠାରୁ ଢେର କମ୍‌। ଏପରି କାହିଁକି ହେଲା? ନିଯୁକ୍ତିଦାତା ଦେଖିଲେ ପ୍ରଥମ ବ୍ୟକ୍ତି ଜଣକ ସୁଯୋଗ୍ୟ ହେଲେ ମଧ୍ୟ କ୍ଷେତ୍ରୀୟ କାର୍ଯ୍ୟ ସଂପାଦନ ପାଇଁ ସେ ଶାରୀରିକ ଭାବରେ ଅକ୍ଷମ, ତେଣୁ ତାଙ୍କ ମୂଲ୍ୟାଙ୍କନ ବ୍ୟକ୍ତିଟି ପାଇଁ କମ୍ ହେଲା। ତେଣୁ ପ୍ରତ୍ୟାଖ୍ୟାତ ହେବା ନିଜ ହାତରେ ନୁହେଁ, ସର୍ବଦା ଅନ୍ୟର ହାତରେ ଥାଏ।

ନିଜକୁ ଏପରି ଏକ ପରିସ୍ଥିତିରେ ସମ୍ଭାଳି ନେବାକୁ ହେଲେ ଅଯଥା ଦୁଃଖୀ ନ ହୋଇ ନିଜକୁ ଅନ୍ୟ ପାଖରେ ଅଧିକ ମୂଲ୍ୟବାନ କରିବାକୁ ହେବ ଓ ନିଜର ଯୋଗ୍ୟତାକୁ ଆଉ ଥରେ ପରଖିବାକୁ ହେବ।

ଘରେ ଜେଜେମା’ଙ୍କର ସୁନା ଗହଣା ପଡ଼ି ରହିଥିବ, ପୁରୁଣା କାଳିଆ କହି ଝିଅ ବୋହୂ ନାକ ଟେକୁଥିବେ, କେହି ପିନ୍ଧୁ ନ ଥିବେ। ସେଇ ଗହଣାକୁ ଆଉଟେଇ ଆଧୁନିକ ଡିଜାଇନ୍‌ର ଗହଣା ତିଆରି କରିଦିଅନ୍ତୁ ତ, ଦେଖିବେ ପିନ୍ଧିବା ପାଇଁ ପ୍ରତିଯୋଗିତା ଲାଗିଯିବ। ଗ୍ରହଣୀୟ ହେବା ପାଇଁ ସୁନାକୁ ନିଆଁରେ ତରଳି କେତେ କଷ୍ଟ ସହିବାକୁ ହେଲା। ମନୁଷ୍ୟ ସେମିତି ନିଜକୁ ଆଉଟେଇ ଦୃଢ଼ ଓ ଅନ୍ୟର ମନଲାଖି କରିଦେଲେ ପ୍ରତ୍ୟାଖ୍ୟାତ ହେବା ପରି ଦୁର୍ଯୋଗ ଆସିବ ନାହିଁ। ସେଇଥି ପାଇଁ ତ ପ୍ରତ୍ୟେକ ସଫଳତା ପଛରେ ଥାଏ ଅତୀତରେ ପ୍ରତ୍ୟାଖ୍ୟାତ ହୋଇଥିବାର ଏକ ଏକ ନିଷ୍ଠୁର ଅନୁଭବ।

ଗ୍ରହଣୀୟ ନ ହେବା ସାରା ଜୀବନ ସବୁ କ୍ଷେତ୍ରରେ ଘଟେ ନାହିଁ। କେଉଁ ଏକ ପରିସ୍ଥିତିରେ ଆପଣ ଗ୍ରହଣୀୟ ହୋଇ ପାରିଲେନି, ସେଥିପାଇଁ ଅନ୍ୟ ଜଣେ ଆପଣଙ୍କୁ ଯେ ଉପଯୁକ୍ତ ମୂଲ୍ୟ ଦେବନି; ତାହା ମଧ୍ୟ ନୁହେଁ। ଜୀବନର ରାସ୍ତା ଲମ୍ବା ଓ ଚାଲିବାକୁ ଅନେକ ରାସ୍ତା ଏବେ ବି ବାକି ଅଛି। ମନେ ରଖନ୍ତୁ, ପ୍ରତ୍ୟାଖ୍ୟାତ ହୋଇଯିବା ପାଇଁ ଆପଣଙ୍କ ଯୋଗ୍ୟତା ଦାୟୀ ନୁହେଁ, ଦାୟୀ ଅନ୍ୟ ଜଣକର ମୂଲ୍ୟାଙ୍କନ। ଯଦି କାହାରି ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି, ଭାବନ୍ତୁନି ଖୁବ୍ ବଡ଼ ଆଘାତଟିଏ ମିଳିଛି, ବରଂ ପରଖି ଦେଖନ୍ତୁ ତା’ ଠାରୁ ଆଉ କେତେ ବଡ଼ ଆଘାତ ଆପଣ ସହ୍ୟ କରିପାରିବେ। ତାହା ହିଁ ହେବ ଆପଣଙ୍କର ସଫଳତାର ଚାବିକାଠି। ମଜରୁହ ସୁଲତାନପୁରୀଙ୍କ ଗୀତଟି ତ ଶୁଣିଥିବେ,
‘ରୁକ ଯାନା ନହିଁ ତୁ କହିଁ ହାରକେ, କାଁଟୋ ପେ ଚଲକେ ମିଲେଙ୍ଗେ ଶାୟେ ବାହାର କେ।
ୱ ରାହୀ, ୱ ରାହୀ....’

ହେ ପଥିକ, ହାରିଗଲ ବୋଲି ଅଟକି ଯାଅନି। କଣ୍ଟା ଉପର ଦେଇ ଆଗେଇ ଚାଲ, ବସନ୍ତର ଶୀତଳ ଛାୟା ଆଗରେ ନିଶ୍ଚୟ ମିଳିବ।

ମୋ- ୯୩୩୭୬୪୮୬୩୮