ବଙ୍ଗ ଭଙ୍ଗ ଆନ୍ଦୋଳନ ଭାରତୀୟ ମୁକ୍ତି ସଂଗ୍ରାମରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ତାହାର ପ୍ରଭାବ ଖାଲି ଭାରତବର୍ଷରେ ସୀମିତ ନ ଥିଲା। ସୁଦୂର ଇଂଲଣ୍ଡରେ ବି ତା’ର ପ୍ରତିକ୍ରିୟା ପ୍ରତିଫଳିତ ହୋଇଥିଲା। ଇଂଲଣ୍ଡରେ ୧୯୦୫ ଜୁଲାଇ ପହିଲାରେ ଉନ୍ମୋଚିତ ହୋଇଥିବା ‘ଇଣ୍ଡିଆ ହାଉସ୍‌’ ଥିଲା ତା’ର ପ୍ରାଣକେନ୍ଦ୍ର। ଭାରତବର୍ଷରୁ ବିଭିନ୍ନ ଧରଣର ଶିକ୍ଷା ଲାଭ ଲାଗି ଆସୁଥିବା ଛାତ୍ରମାନେ ସେଠାରେ ରହୁଥିଲେ। ସେଠାରେ ଇଂରେଜ ସରକାରଙ୍କ ବିରୋଧୀ କାର୍ଯ୍ୟକ୍ରମର ସୁରାକ୍ ପାଇଥିଲେ ବ୍ରିଟିସ୍ ପୁଲିସର ଗୁପ୍ତଚରମାନେ। ବିନାୟକ ଦୋମୋଦର ସବରକର ସେହିଠାରେ ରହି ବାର୍‌.ଆଟ୍‌.ଲ’ ପାଇଁ ନିଜକୁ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ଅନ୍ତେବାସୀଙ୍କୁ ବୈପ୍ଳବିକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ କରୁଥିଲେ। ମଦନ ଲାଲ୍ ଧିଙ୍ଗ୍ରା ନାମକ ଅମୃତସର୍‌ର ଜଣେ ଯୁବକ ତାଙ୍କ ଦ୍ୱାରା ବିଶେଷ ଭାବରେ ଅନୁପ୍ରାଣିତ ହୋଇଥିଲେ।

Advertisment

ଧିଙ୍ଗ୍ରାଙ୍କ ବାପା ଅମୃତସର୍‌ର ଜଣେ ଆଖି ଡାକ୍ତର। ସାତ ଭାଇ ମଧ୍ୟରେ ସେ ଥିଲେ ଷଷ୍ଠ। ଦୁଇଭାଇ ଡାକ୍ତର, ଅନ୍ୟ ଦୁଇଭାଇ ବାରିଷ୍ଟର, ଆଉ ମଦନଲାଲ୍ ୧୯୦୬ ମସିହାରେ ଇଞ୍ଜିନିୟରିଙ୍ଗ ପଢ଼ିବା ଲାଗି ଇଂଲଣ୍ଡ ଯାଇଥିଲେ। ‘ଇଣ୍ଡିଆ ହାଉସ୍‌’ରେ ଏକ ହଲ୍‌ରେ ସବରକର ବନ୍ଧୁମାନଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରୁଥିଲା ବେଳେ, ମଦନଲାଲ ପାଖ ବଖରାରେ ଅନ୍ୟ କିଛି ବନ୍ଧୁଙ୍କ ସହିତ ହାଲ୍‌କା ବିଷୟରେ ହୋହା କରୁଥିଲେ। ସବରକର ବିବ୍ରତ ହୋଇ ଆସି ତାଙ୍କୁ ଏଭଳି ଭର୍ତ୍ସନା କରିଥିଲେ ଯେ, ମଦନଲାଲ କିଛି ଦିନ ପାଇଁ ‘ଇଣ୍ଡିଆ ହାଉସ୍‌’ରୁ ଅନ୍ୟତ୍ର ଚାଲି ଯାଇଥିଲେ। ପରେ ଆସି ତାଙ୍କର ଦାୟିତ୍ୱହୀନ ବ୍ୟବହାର ଲାଗି ସବରକରଙ୍କୁ ଖାଲି କ୍ଷମା ମାଗିନଥିଲେ, ଏହି ଘଟଣା ପରେ ସେ ସବରକରଙ୍କର ଏକାନ୍ତ ବିଶ୍ୱସ୍ତ ହୋଇଯାଇଥିଲେ।

ବଙ୍ଗ ଭଙ୍ଗର କର୍ତ୍ତା କର୍ଜନଙ୍କୁ ମାରିବା ଲାଗି ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିଲା। ଏଥିଲାଗି ମଦନଲାଲଙ୍କ ଛଡ଼ା ବହୁ ଯୁବକ ଇଂଲଣ୍ଡ ଅପେକ୍ଷା ଫ୍ରାନ୍‌ସକୁ ବୋମା ତିଆରି ତଥା ଗୁଳି ଚଳାଇବାରେ ଦକ୍ଷତା ଲାଗି ନିରାପଦ ଦେଶ ମନେ କରୁଥିଲେ। ମଦନଲାଲ କିନ୍ତୁ ଇଂଲଣ୍ଡରେ ହିଁ ଏହା ଶିକ୍ଷା ଖାଲି କରିନଥିଲେ, ଏ ଦିଗରେ ଦକ୍ଷତା ହାସଲ କରିଥିଲେ। କିନ୍ତୁ କର୍ଜନ ଓ ମୋର୍ଲେଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସ୍କଟ୍‌ଲାଣ୍ଡ୍‌ୟାର୍ଡ ଛଡ଼ା ଭାରତରେ ଚାକିରି କରି ଅବ୍ୟାହତ ନେଇଥିବା କିଛି ଇଂରେଜ ବି ଏହି ସନ୍ତ୍ରାସବାଦୀଙ୍କ କାର୍ଯ୍ୟକଳାପର ତଥ୍ୟ ସଂଗ୍ରହ କରି ପୁଲିସ୍‌କୁ ଜଣାଉଥିଲେ। ସେଭଳି ଜଣେ ହେଲେ ସାର୍ ଉଇଲିୟମ୍ ହଟ୍ଟ କର୍ଜନ ଉଇଲି। ଛାତ୍ରମାନଙ୍କ ଛଡ଼ା ସେ ବରୋଦାର ଗାଇକୋୱାଡ୍‌ଙ୍କ ଭଳି କିଛି ରାଜା ଓ ନବାବ ଏବଂ ଛାତ୍ର ତଥା ଅନ୍ୟାନ୍ୟ ଭାରତ ଆଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ଗୁପ୍ତ ତଥ୍ୟ ସରକାରଙ୍କୁ ଯୋଗାଉଥିଲେ। ଭାରତୀୟ ଛାତ୍ରମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ଲାଗି ଉଇଲି ‘ଇଣ୍ଡିଆ ହାଉସ୍‌’କୁ ଯାତାୟାତ କରୁଥିଲେ ଓ ଛାତ୍ରମାନଙ୍କୁ ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ର ଆଲୋଚନା ଶୁଣିବା ଲାଗି ପାସ୍ ବ୍ୟବସ୍ଥା କରି ଦେଉଥିଲେ ଏବଂ ସେମାନଙ୍କୁ ଘରକୁ ଡ଼ାକି ଆପ୍ୟାୟିତ ବି କରୁଥିଲେ। ତାଙ୍କର ଗତିବିଧିକୁ ସବରକର ଆଦି କିଛି ଛାତ୍ର ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ସବରକର ଭାରତବର୍ଷରେ ଥିଲାବେଳେ ବ୍ରିଟିସ୍‌ ବିରୋଧୀ ସଂଗଠନମାନ ଗଢ଼ିଥିଲେ। ସେ ତାଙ୍କ ଭାଇଙ୍କ ପାଖକୁ ପଠାଉଥିବା କିଛି ଚିଠି ଯାଞ୍ଚ କରି ଭାରତ ସରକାର ତାଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ ରଖିବା ଲାଗି ବ୍ରିଟିସ୍‌ ପୁଲିସ୍‌ଙ୍କୁ ଜଣାଇଥିଲେ। କର୍ଜନ ଉଇଲି ସେସବୁ ଜାଣି ସବରକର ଓ ହରନାମ ସିଂହଙ୍କୁ ଗ୍ରେ’ଜ ଇନ୍‌ରେ (ବାର୍‌.ଆଟ୍‌.ଲ’ ସାର୍ଟିଫିକେଟ୍‌ ଦେଉଥିବା ସଂସ୍ଥା) ସ୍ୱୀକୃତି ନ ଦେବା ଲାଗି ପ୍ରବର୍ତ୍ତାଇ ଥିଲେ। ହରନାମ ସିଂହ ବାର୍.ଆଟ୍.ଲ’ ହୋଇପାରିଥିଲେ ବି ସନ୍ତ୍ରାସବାଦୀଙ୍କ ସହିତ ସମ୍ପର୍କ ଯୋଗୁଁ ସବରକରଙ୍କୁ ସେଥିରୁ ବଂଚିତ କରାଯାଇଥିଲା।

୧୯୦୯ ଜୁଲାଇ ପହିଲ ଦିନ ନ୍ୟାସ୍‌ନାଲ ଇଣ୍ଡିଆନ ଆସୋସିଏସନ୍‌ର ଏକ ବୈଠକ ଲଣ୍ଡନ ନିକଟସ୍ଥ ଏକ ସ୍ଥାନରେ ବସିବାର ଥିଲା। ସେଠାକୁ ବହୁ ଭାରତୀୟ ଯାଇଥିଲେ। କର୍ଜନ ଉଇଲି ଥିଲେ ସେ ସଂସ୍ଥାର ଅବୈତନିକ କୋଷାଧ୍ୟକ୍ଷ। ସେ ସେଠାକୁ ଯାଇଥିବେ ବୋଲି ଅନୁମାନ କରି ମଦନଲାଲ ଧିଙ୍ଗ୍ରା ମଧ୍ୟ ସେଠାକୁ ଯାଇଥିଲେ। ତାଙ୍କ ନିଜର ଉଦ୍ଦେଶ୍ୟ ସାଧନ ଲାଗି ମଦନଲାଲ ୧୯୦୯ ଜାନୁଆରି ୨୬ରୁ ଏକ ବନ୍ଧୁକ କିଣି ତା’ର ଲାଇସେନ୍‌ସ ପାଇଯାଇଥିଲେ ଏବଂ ତିନି ମାସ ଧରି ବନ୍ଧୁକ ଚାଳନା ତାଲିମ ନେଇଥିଲେ। ଉଦ୍ଦିଷ୍ଟ ଦିନ ସନ୍ଧ୍ୟାରେ ସେ ବିପିନ ଚନ୍ଦ୍ର ପାଲଙ୍କ ଘରକୁ ଯାଇ ସବରକରଙ୍କୁ ସାକ୍ଷାତ୍‌ କରିଥିଲେ। ଏହା ପୂର୍ବରୁ ସେ କର୍ଜନ ଓ ମୋର୍ଲେଙ୍କୁ ହତ୍ୟା କରିବାରେ ବ୍ୟର୍ଥ ହୋଇଥିବାରୁ ସବରକର କହିଥିଲେ ‘ଏଥର ବିଫଳ ହେଲେ ମୋତେ ମୁହଁ ଦେଖାଇବୁ ନାହିଁ’।

କର୍ଜନ ଉଇଲି ପ୍ରାୟ ରାତି ୧୧ଟା ବେଳେ ନ୍ୟାସନାଲ ଇଣ୍ଡିଆନ ହଲ୍‌ରେ ପ୍ରବେଶ କରିବା ବେଳେ ଧିଙ୍ଗ୍ରା ତାଙ୍କୁ ଗୁଳି କରିଥିଲେ ଓ ସେ ସେହିଠାରେ ଟଳି ପଡ଼ିଥିଲେ। ଏହି ଖବର ପର ଦିନ ସମ୍ବାଦପତ୍ରରେ ପ୍ରକାଶିତ ହେବା ପରେ ଲଣ୍ଡନରେ ଥିବା ଭାରତୀୟମାନେ ଏହାକୁ ତୀବ୍ର ନିନ୍ଦା କରିଥିଲେ। ଜୁଲାଇ ୩ ତାରିଖ ସଭାରେ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କ ସଭାପତିତ୍ୱରେ ଏହି ଉଦ୍ଦେଶ୍ୟରେ ଏକ ସଭା ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଗୋପାଳ କୃଷ୍ଣ ଗୋଖେଲ ଏହି ଘଟଣାର ତୀବ୍ର ନିନ୍ଦା କରି ଭାଷଣ ଦେଇଥିଲେ। ଏହା ଫଳରେ ଭାରତୀୟମାନେ ଇଂଲଣ୍ଡରେ ମୁହଁ ଦେଖାଇବା ଅବସ୍ଥାରେ ନାହାନ୍ତି ବୋଲି ସେ କହିଥିଲେ। ନିଜ ସହର ଅମୃତସରରେ ତାଙ୍କ ବାପା ଏ ଖବର ପାଇ ତାଙ୍କୁ ତ୍ୟଜ୍ୟ ପୁତ୍ର ବୋଲି ଘୋଷଣା କରିଥିଲେ ଏବଂ ତାଙ୍କ କାର୍ଯ୍ୟକଳାପକୁ ଅନ୍ୟ ଭାଇମାନେ ମଧ୍ୟ ତୀବ୍ର ନିନ୍ଦା କରିଥିଲେ। ଜୁଲାଇ ୫ ତାରିଖରେ ଲଣ୍ଡନର କ୍ୟାକ୍‌ସଟନ୍‌ ହଲ୍‌ରେ ଭାରତୀୟମାନେ ବହୁ ସଂଖ୍ୟାରେ ସମବେତ ହୋଇ ଉକ୍ତ ମୃତ୍ୟୁ ପାଇଁ ଶୋକପ୍ରସ୍ତାବ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଧିଙ୍ଗ୍ରାଙ୍କୁ ଧିକ୍କାର କରିଥିଲେ। ଏଥିରେ ସବରକର ପ୍ରତିବାଦ କରିବାରୁ ଜଣେ ବିଧା ମାରି ତାଙ୍କ ଚଷମାଟି ଭାଙ୍ଗି ଦେବା ସହିତ ନାକ ଖଣ୍ଡିଆ କରି ପକାଇଥିଲା।

ଜୁଲାଇ ୧୦ ତାରିଖ ଦିନ ସାର୍ ଏଡ୍‌ୱାର୍ଡ ହେନେରୀଙ୍କ କୋର୍ଟରେ ଧିଙ୍ଗ୍ରାଙ୍କ ବିଚାର ଆରମ୍ଭ ହୋଇଥିଲା। ପୁଲିସ୍ ପକ୍ଷରୁ ସାକ୍ଷ୍ୟ ଗ୍ରହଣ କରିବା ପରେ ଜଜ୍ ଧିଙ୍ଗ୍ରାଙ୍କୁ କିଛି କହିବାର ଅଛି କି ବୋଲି ପଚାରିବାରୁ ସେ କହିଥିଲେ ସାକ୍ଷୀମାନେ ଯାହା କହିଛନ୍ତି ସେ ସବୁ ସତ୍ୟ ଓ ନିଜ ସପକ୍ଷରେ କିଛି ସାକ୍ଷ୍ୟ ଦେବାକୁ ଚାହାଁନ୍ତି ନାହିଁ। ଏହା କହି ସେ ତାଙ୍କର ବକ୍ତବ୍ୟଟି ପାଠ କରିଥିଲେ। ତାହା ଏହିପରି।

ମୁଁ ମୋ କାର୍ଯ୍ୟର ନିର୍ଦ୍ଦୋଷତା ସମ୍ପର୍କରେ କିଛି କହିବାକୁ ଚାହେଁନା। କିନ୍ତୁ ଏହାର ଔଚିତ୍ୟ ସମ୍ପର୍କରେ କିଛି କହିବାକୁ ଚାହେଁ।

କୌଣସି ଇଂରେଜୀ ଆଇନ ଅଦାଲତର ମୋତେ ଗିରଫ କରି ବନ୍ଦୀ କରିବା ବା ମୃତ୍ୟୁଦଣ୍ଡ ଦେବାର କ୍ଷମତା ନାହିଁ। ସେଥିଲାଗି ମୁଁ କୌଣସି ଆଇନଜୀବୀଙ୍କ ସହାୟତା ନେଉନାହିଁ। ମୁଁ ଜୋର ଦେଇ କହିପାରେ ଯେ ଜର୍ମାନି ଯଦି ଇଂଲଣ୍ଡ ଦଖଲ କରିଥା’ନ୍ତା, ତେବେ ଜଣେ ଇଂରେଜ ମୋରି ଭଳି କାର୍ଯ୍ୟ କରିଥିଲେ ସେହି କାର୍ଯ୍ୟକୁ ନିଶ୍ଚୟ ନ୍ୟାୟପୂର୍ଣ୍ଣ ଓ ଦେଶପ୍ରେମ ବୋଲି କୁହାଯାଇଥା’ନ୍ତା।

ଇଂରେଜମାନେ ମୋ ଦେଶକୁ ଦଖଲ କରିବା ଭିତରେ ଗତ ୫୦ ବର୍ଷ ମଧ୍ୟରେ ୮ କୋଟି ଲୋକଙ୍କୁ ମାରିଛନ୍ତି ଓ ପ୍ରତିବର୍ଷ ୧୦ କୋଟି ଷ୍ଟେର୍ଲିଂ (ଇଂଲଣ୍ଡର ମୁଦ୍ରା) ଲୁଟିଛନ୍ତି। ତାଙ୍କ ଦେଶକୁ ଅନ୍ୟ କେହି ଅଧିକାର କରି ଏଭଳି ଲୁଟ୍ ଓ ହତ୍ୟା କରୁଥିଲେ ସେମାନେ ତା’ର ପ୍ରତିବାଦ କରିବାକୁ ପଛାଉ ନଥା’ନ୍ତେ। ବହୁ ଦେଶପ୍ରେମୀ ଭାରତୀୟମାନଙ୍କୁ ଇଂରେଜମାନେ ଫାଶୀ ଦେଇଛନ୍ତି ଓ ଦ୍ବୀପାନ୍ତର ପଠାଇଛନ୍ତି। ଜଣେ ଜଣେ ଇଂରେଜ ଅଫିସର ଭାରତବର୍ଷରୁ ଯେଉଁ ମୋଟା ଦରମା ନେଉଛନ୍ତି ତଦ୍ଦ୍ବାରା ସେମାନେ ହଜାର ହଜାର ଲୋକଙ୍କ ଅନ୍ନ ଲୁଟ୍‌ କରୁଛନ୍ତି। ଜର୍ମାନ୍‌ମାନଙ୍କର ଯେଭଳି ଇଂଲଣ୍ଡ ଅଧିକାର କରିବାର ଅଧିକାର ନାହିଁ, ସେହିଭଳି ୟୁରୋପୀୟମାନଙ୍କର ଭାରତ ଅଧିକାର କରିବାର ଅଧିକାର ନାହିଁ; ଯାହା ଏକ ଅନଧିକାର କାର୍ଯ୍ୟ। ତେଣୁ ଯେଉଁ ଇଂରେଜମାନେ ଆମ୍ଭ ପବିତ୍ର ଭୂମିକୁ ନଷ୍ଟ କରିଛନ୍ତି, ସେମାନଙ୍କୁ ଆମେ ହତ୍ୟା କରିବା ସମ୍ପୂର୍ଣ୍ଣ ଯଥାର୍ଥ। ସେହି ଇଂରେଜମାନେ ପୁଣି କହନ୍ତି ଯେ, ରୁଷ ଓ କଙ୍ଗୋ ଭଳି ଦେଶର ଅତ୍ୟାଚାରିତ ଲୋକଙ୍କର ସଂଗ୍ରାମକୁ ସେମାନେ ସମର୍ଥନ କରନ୍ତି। ଭାରତବର୍ଷ ତାଙ୍କ ଶୋଷଣ ଓ ଅତ୍ୟାଚାର ଏବଂ ଦମନକୁ ବିରୋଧ କଲେ ସେମାନେ କାହିଁକି ଚିହିଁକି ଉଠନ୍ତି? ଏହି ଦେଶକୁ ଜର୍ମାନି ଦଖଲ କରିଥିଲେ, ଜଣେ ଇଂଲଣ୍ଡ ଲୋକ ସେହି ଜର୍ମାନ୍‌କୁ ଗୁଳି କଲେ, ତାକୁ ଯଦି ଦେଶପ୍ରେମୀ କୁହାଯିବ ତ ମୁଁ ମୋ ମାତୃଭୂମି ଲାଗି ସେହିଭଳି କାର୍ଯ୍ୟ କରି ଗର୍ବିତ।

ମୁଁ କୌଣସି କ୍ଷମା ଚାହେଁନା। ମୋତେ ମାରିଦେଲେ ମୋ ଦେଶର ଆହୁରି ଅନେକ ଭାରତୀୟ ଅଧିକ ଜର୍ଜରିତ ହୋଇ ଏଭଳି କାମ କରିବେ। ଏହି ବିବୃତି ଜରିଆରେ ମୁଁ ଆମେରିକା ଓ ଜର୍ମାନି ଲୋକଙ୍କ ସହାନୁଭୂତି ପାଇବି ବୋଲି ଆଶା କରେ।

ବିଚାରକ ତଥା ଉପସ୍ଥିତ ଅନ୍ୟମାନେ ମଦନଲାଲଙ୍କ ଏଭଳି ବିବୃତି ଶୁଣି ସ୍ତବ୍‌ଧ ହୋଇଯାଇଥିଲେ। ତଥାପି ବିଚାରପତି ପୁଣି କହିଥିଲେ ଯେ ମଦନଲାଲ କିଛି ଆଇନଗତ ମାର୍ଗ ନେବାକୁ ଚାହୁଁଛନ୍ତି କି? ଯାହା ଧିଙ୍ଗ୍ରାଙ୍କୁ କ୍ଷୁବ୍‌ଧ କରିଥିଲା।

ଅଗଷ୍ଟ ୧୭ ତାରିଖ ଦିନ ବିଚାରପତି ଧିଙ୍ଗ୍ରାଙ୍କୁ ଦୋଷୀ ବୋଲି କହି ତାଙ୍କୁ ଫାଶୀଦଣ୍ଡ ଦିଆଯିବ ବୋଲି ଘୋଷଣା କଲେ। ଏହି ନିଷ୍ପତ୍ତି ଚିଫ୍ ଜଷ୍ଟିସ୍ ଲର୍ଡ ଆଲ୍‌ଭର୍ ଷ୍ଟାନ୍‌ଙ୍କ କୋର୍ଟକୁ ପଠା ଯାଇଥିଲା। ପୁଲିସ୍ ମଦନଲାଲଙ୍କୁ କୋର୍ଟରୁ ନେଲା ବେଳେ ସେ କହିଥିଲେ, ବିଚାରପତି ମହାଶୟ ଧନ୍ୟବାଦ। ମୁଁ ଜନ୍ମଭୂମି ଲାଗି ଜୀବନ ଦେଉଥିବାରୁ ଗର୍ବିତ।

ଧିଙ୍ଗ୍ରା ବ୍ରିଟେନ‌୍ର ବ୍ରିକ୍‌ସଟନ୍ ଜେଲ୍‌ରେ ଥିଲା ବେଳେ ଜୁଲାଇ ୨୨ ତାରିଖରେ ସବରକର ତାଙ୍କୁ ଦେଖିବାକୁ ଯାଇଥିଲେ। ସମଗ୍ର ପରିବାର ତାଙ୍କୁ ପରିତ୍ୟାଗ କରିଥିଲା ବେଳେ ସବରକର ହିଁ ତାଙ୍କ ପାଖରେ ଦୃଢ଼ ଭାବରେ ଥିଲେ। ଦେଖା ହେଲା ବେଳେ ଉଭୟ କାନ୍ଦି ଥିଲେ। ସବରକର କହିଥିଲେ ମୁଁ ଜଣେ ମହାନ୍ ଦେଶପ୍ରେମୀ ଓ ସହିଦଙ୍କୁ ଭେଟିବାକୁ ଆସିଛି। ଧିଙ୍ଗ୍ରା ଅଶ୍ରୁଭରା ନୟନରେ ସବରକରଙ୍କ ପାଦ ଛୁଇଁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହା ପର ଦୁଇଥର ସାକ୍ଷାତ୍‌ କାଳରେ ଧିଙ୍ଗ୍ରା ତାଙ୍କର ଦୁଇ ଇଚ୍ଛା ପ୍ରକାଶ କରିଥିଲେ ଯେ ତାଙ୍କୁ ଗୋଟିଏ ଛୋଟ ଦର୍ପଣ ଦିଆଯାଉ ଯେଉଁଥିରେ ସେ ଫାଶୀଖୁଣ୍ଟକୁ ଗଲା ବେଳେ ହସହସ ମୁହଁକୁ ଦେଖୁଥିବେ ଓ ହିନ୍ଦୁ ରୀତିରେ ତାଙ୍କର ଶେଷକୃତ୍ୟ କରାଯିବ। ଏବଂ ଅଣହିନ୍ଦୁ ଯେମିତି ତାଙ୍କ ଶରୀରକୁ ସ୍ପର୍ଶ କରିବେ ନାହିଁ।

ଧିଙ୍ଗ୍ରାଙ୍କ ଫାଶୀରେ ବିବ୍ରତ ବିନାୟକ ସବରକର ବନ୍ଧୁଙ୍କ ଲାଗି ଗୋଟିଏ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମଦନଲାଲଙ୍କ ଦ୍ୱିତୀୟ ବିବୃତି, ଯାହା ସେ ପଢ଼ିବା ପୂର୍ବରୁ ପୁଲିସ୍ ଛଡ଼ାଇ ନେଇଥିଲା, ତାହାର ଏକ ନକଲ ସେ କୌଣସିମତେ ସଂଗ୍ରହ କରି ସେହି ଦୁଇଟିକୁ ସମ୍ବାଦପତ୍ରରେ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କାରଣ ତାହା ପଢ଼ି ଜନସାଧାରଣ ଓ ତାଙ୍କ ନିଜ ପରିବାର ଗର୍ବ ଅନୁଭବ କରିବେ ଏବଂ ଭାରତର ମୁକ୍ତି ସଂଗ୍ରାମର ଇତିହାସରେ ସେହି ବିବୃତିର ମହନୀୟତା ଲିପିବଦ୍ଧ ହୋଇ ରହିବ। ଇଂଲଣ୍ଡର ଖବରକାଗଜ ସେସବୁକୁ ଛାପିବା ଲାଗି କୁଣ୍ଠିତ ହୋଇପାରନ୍ତି ବୋଲି ଆଶଙ୍କା କରି ଜ୍ଞାନଚାନ୍ଦ ବର୍ମା ତାହାକୁ ନେଇ ପ୍ୟାରିସ୍ ଧାଇଁଲେ ଓ ସେଠାରୁ ଆମେରିକା ତଥା ଭାରତବର୍ଷର ସମ୍ବାଦପତ୍ରମାନଙ୍କୁ ପଠାଇଲେ। ଅବଶ୍ୟ ବିନାୟକଙ୍କ ଚେଷ୍ଟାରେ ଲଣ୍ଡନ୍‌ର ‘ଡେଲି ନ୍ୟୁଜ୍‌’ ତାହାକୁ ପ୍ରକାଶ କରିଥିଲେ। ଦ୍ୱିତୀୟ ଘୋଷଣାଟିର ଶିରୋନାମା ଥିଲା ‘ଚ୍ୟାଲେଞ୍ଜ୍‌’।

ତହିଁରେ ଯାହା ଥିଲା, ତାହା ଏହିପରି: ମୁଁ ସ୍ୱୀକାର କରୁଛି ଯେ, ଭାରତୀୟ ଦେଶପ୍ରେମୀମାନଙ୍କୁ ଆଣ୍ଡାମାନକୁ ପଠାଉଥିବାରୁ ଓ ଫାଶୀ ଦେଉଥିବାରୁ ମୁଁ ପ୍ରତିଶୋଧ ସ୍ୱରୂପ ଇଂରେଜ ରକ୍ତ ବୁହାଇବି ବୋଲି ଉଦ୍ୟମ କରିଥିଲି। ଏହା କରିବାକୁ ଯାଇ ମୁଁ କାହାରି ସହିତ ପରାମର୍ଶ ବା ମନ୍ତ୍ରଣା କରିନାହିଁ। ମୋର ବିବେକର ଆହ୍ୱାନରେ ମୁଁ ଏହା କରିଛି।

ବିଦେଶୀମାନେ ବାୟୋନେଟ୍‌ରେ ଗୋଟିଏ ଜାତିକୁ ଦାସତ୍ୱରେ ରଖି ତାକୁ ସମର-ମୁଖୀ ପରିସ୍ଥିତିକୁ ଠେଲି ଦେଇଛନ୍ତି। ଯେହେତୁ ସେମାନଙ୍କ ସହିତ ସମ୍ମୁଖ ସମର ଅସମ୍ଭବ, ମୋତେ ବନ୍ଧୁକ ନ ମିଳିବାରୁ ମୁଁ ମୋ ପିସ୍ତଲରେ ଅତର୍କିତ ଭାବରେ ଜଣେ ବିଟେନ୍‌ବାସୀଙ୍କୁ ହତ୍ୟା କରିଛି।

ଜଣେ ହିନ୍ଦୁ ଭାବରେ ମୁଁ ଅନୁଭବ କରେ ଯେ ମୋ ଦେଶ ପ୍ରତି ଅନ୍ୟାୟ ଭଗବାନଙ୍କ ପ୍ରତି ଅପମାନ। ମୋ ଭଳି ଶାରୀରିକ ଓ ବୌଦ୍ଧିକ ଭାବରେ ଦୁର୍ବଳ ପୁଅଟିଏ ତା’ର ମା’ର ସମ୍ମାନ ଲାଗି ନିଜର ରକ୍ତଦାନ କରିବା ଛଡ଼ା ଆଉ କ’ଣ ବା କରିପାରନ୍ତା? ଏଣୁ ତା’ର ବଳି ବେଦିରେ ମୁଁ ନିଜକୁ ଅର୍ପଣ କରୁଛି। ତା’ପାଇଁ ଆମର ଯାହା କର୍ତ୍ତବ୍ୟ ତାହା ବି ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ପାଇଁ ଆମର କର୍ତ୍ତବ୍ୟ। ଏକ ଜାତିକୁ ପରାଧୀନ କରି ରଖିବା ଭଳି କୃତ୍ରିମ ସମ୍ପର୍କ ଥିବା ପର୍ଯ୍ୟନ୍ତ ଭାରତୀୟ ଓ ଇଂରେଜମାନଙ୍କ ମଧ୍ୟରେ ଏହି ସଂଗ୍ରାମ ଚାଲିଥିବ।

ଆଜିର ପରିସ୍ଥିତିିରେ ଭାରତୀୟମାନଙ୍କର ମରିବାର କଳା ଶିକ୍ଷା କରିବାର ଆବଶ୍ୟକତା ରହିଛି। ଏଣୁ ମୁଁ ମରୁଛି ଓ ସହିଦ ହେବାର ଗୌରବ ସହ ମୃତ୍ୟୁକୁ ବରଣ କରୁଛି।

ମୋର ଏକମାତ୍ର ପ୍ରାର୍ଥନା, ମୁଁ ସେହି ଭାରତମାତାଙ୍କ ଠାରୁ ଜନ୍ମ ହେଉଥାଏ, ତା’ରି ମୁକ୍ତି ପର୍ଯ୍ୟନ୍ତ ବାରମ୍ବାର ଏଭଳି ପବିତ୍ର ଉଦ୍ଦେଶ୍ୟରେ ଜୀବନଦାନ କରୁଥାଏ; ଯାହା ଫଳରେ ତା’ର ଗୌରବ ସମୁଜ୍ଜ୍ୱଳ ହେଉଥାଉ ଓ ମାନବ ସମାଜର ମଙ୍ଗଳ ହେଉଥାଉ ଏବଂ ଈଶ୍ୱରଙ୍କ ଜୟ ହେଉ। ବନ୍ଦେ ମାତରଂ!
ଏହି ଘଟଣାର ବହୁ ଦଶାବ୍ଦୀ ପରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଲଏଡ୍ ଜର୍ଜ‌୍ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲଙ୍କୁ ଧିଙ୍ଗ୍ରାଙ୍କ ଦେଶପ୍ରୀତିର ଗରିମା ବର୍ଣ୍ଣନା କରୁଥିଲା ବେଳେ ଚର୍ଚ୍ଚିଲ କହିଥିଲେ ଧିଙ୍ଗ୍ରାଙ୍କ ଶେଷ କେଇପଦ ଯଥାର୍ଥ ଭାବରେ ଦେଶପ୍ରୀତିର ଅତୁଳନୀୟ ଉଦ୍‌ଭାସ।

ଧିଙ୍ଗ୍ରାଙ୍କୁ ସେ ବନ୍ଦୀ ହୋଇ ରହିଥିବା ଜେଲ୍ ପରିସର ମଧ୍ୟରେ ସମାଧି ଦିଆଯାଇଥିଲା। ୧୯୭୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଇନ୍ଦିରା ଗାନ୍ଧୀଙ୍କ ଉଦ୍ୟମରେ ତାଙ୍କ ଶରୀରାବଶେଷକୁ ଇଂଲଣ୍ଡର ଜେଲ୍‌ରୁ ଅଣାଯାଇ ତାଙ୍କ ଜନ୍ମସ୍ଥାନ ଅମୃତସରରେ ଏକ ସ୍ମାରକୀ ପୀଠରେ ସୁରକ୍ଷିତ ଭାବରେ ରଖାଯାଇଛି।

ମୋ- ୯୯୩୮୮୯୩୪୪୫