ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତ୍‌ ଅବସରରେ ମହାତ୍ମା ଗାନ୍ଧୀଙ୍କ କଥା ପଡ଼ିଲା। ବାଇଡେନ୍‌ କହିଲେ ଗାନ୍ଧୀଙ୍କ ଅହିଂସା, ଅନ୍ୟ ପ୍ରତି ସମ୍ମାନ, ସହନଶୀଳତା ନୀତିର ଉପଯୋଗିତା ବର୍ତ୍ତମାନ ସମୟରେ ଅଧିକ। ମୋଦୀ ଆଲୋଚନାକୁ ପାଦେ ଆଗେଇନେଇ ପ୍ରାକୃତିକ ସମ୍ପଦ ଓ ପରିବେଶ ରକ୍ଷା ଦିଗରେ ମହାତ୍ମାଙ୍କ ‘‘ଟ୍ରଷ୍ଟିସିପ୍‌’’ ତତ୍ତ୍ୱର ଆବଶ୍ୟକତା ଉପରେ ବାଇଡେନ୍‌ଙ୍କ ଦୃଷ୍ଟି ଆକର୍ଷଣ କଲେ। ‘ମହାତ୍ମା ଗାନ୍ଧୀ ସବୁବେଳେ ଟ୍ରଷ୍ଟିସିପ୍‌ ନୀତି -ବିଶ୍ୱ ଟ୍ରଷ୍ଟିସିପ୍‌- ବିଷୟରେ କହୁଥିଲେ। ସେହି ଦୃଷ୍ଟିରୁ ଚଳିତ ଦଶନ୍ଧିରେ ସାରା ବିଶ୍ୱ ପାଇଁ ଏହାର ମହତ୍ତ୍ବ ବେଶୀ,’ ମୋଦୀ କହିଥିଲେ। ଗାନ୍ଧୀଙ୍କ ସାମାଜିକ-ଅର୍ଥନୈତିକ ଦର୍ଶନ ବାଇଡେନ୍‌ଙ୍କ ମନକୁ କେତେ ଛୁଇଁଥିବ ତାହା ତ ଜଣାନାହିଁ; କିନ୍ତୁ ତାଙ୍କ କଥାକୁ ଆଧାର କରି ଆମ ଦେଶ ଓ ବାହାରେ କେତେକ ଗଣମାଧ୍ୟମ ସଂସ୍ଥା ମୋଦୀ ଶାସନାଧୀନ ଭାରତକୁ ବିଶ୍ୱ ସମୁଦାୟ ଆଗରେ ନୀଚା ଦେଖାଇବାକୁ ବହୁ ଚେଷ୍ଟା କରିଛନ୍ତି। ଜଣେ ଲେଖକ ଏପରି କି ହିନ୍ଦୁ ଧର୍ମକୁ ଟାଣି ଓଟାରି ଭାରତରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସହନଶୀଳତାର ବାତାବରଣ ନାହିଁ, ବାଇଡେନ୍‌ଙ୍କ ଗାନ୍ଧୀ ଉକ୍ତି ଆମକୁ ସତର୍କବାଣୀ ବୋଲି କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ବସ୍ତୁତଃ ଅନାଲୋଚିତ ଏବଂ ପ୍ରାୟ ଲୁକ୍କାୟିତ ‘ଟ୍ରଷ୍ଟିସିପ୍‌ ଫର୍ମୁଲା’କୁ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ନିକଟରେ ଉତ୍‌ଥ‌ାପନ କରି ପ୍ରଧାନମନ୍ତ୍ରୀ ଯେ ପରିବେଶ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ଦିଗରେ ବାଟ ଦେଖାଇଛନ୍ତି, ସେ ଆଲୋଚନାକୁ ତଥାକଥିତ ବିଶେଷଜ୍ଞମାନେ ବିଶେଷ ଆଗ୍ରହ ଦେଖାଇନାହାନ୍ତି।

Advertisment

ଗାନ୍ଧୀଙ୍କ ଟ୍ରଷ୍ଟିସିପ୍‌ ଔଷଧ କେବଳ ପରିବେଶ ସୁରକ୍ଷାରେ ସୀମିତ ନୁହେଁ। ଏହାର ବୃହତ୍ତର ଲକ୍ଷ୍ୟ ଧନୀ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ହ୍ରାସ କରି ସାମାଜିକ ସ୍ତରରେ ଆର୍ଥିକ ସମାନତା ପ୍ରତିଷ୍ଠା କରିବା। ଏହା ଦ୍ୱାରା ହିଂସାର ଅବକାଶ ରହିବନି ଓ ବିକାଶ ବିନା ବାଧାରେ ତ୍ୱରାନ୍ୱିତ ହେବ। ଆମେରିକାର ପ୍ରଚଳିତ ଅର୍ଥନୈତିକ ବ୍ୟବସ୍ଥା ଗାନ୍ଧୀଙ୍କ ଟ୍ରଷ୍ଟିସିପ୍‌ ମଡେଲ୍‌ର ବିପରୀତ। ଅନେକ ଯୁକ୍ତି ଦର୍ଶାନ୍ତି ଯେ ଭାରତ ଯଦି ଗାନ୍ଧୀ ଆଦର୍ଶର ‘ରୋଲ୍‌ ମଡେଲ୍‌’ ହୋଇପାରିନି, ତା’ହେଲେ ବିଦେଶରେ ତାଙ୍କ ବିଚାରଧାରାର ଅଙ୍କୁରୋଦ୍‌ଗମ ଆଶା କରିବା ନିରାଧାର। ଗାନ୍ଧୀ କିନ୍ତୁ ଏ ବିତର୍କରୁ ଊର୍ଦ୍ଧ୍ବରେ ଥିଲେ। ତାଙ୍କ ନୀତି ଅନୁସରଣ କରିବାକୁ ସେ କାହାରିକୁ ପ୍ରବର୍ତ୍ତାଉ ନ ଥିଲେ କି ସମର୍ଥକ ଯୋଗାଡ଼ୁ ନ ଥିଲେ। ତାଙ୍କ ବିଚାରଧାରାର ସେ ଥିଲେ ପ୍ରଥମ ଉଦାହରଣ, ଅନ୍ୟମାନେ ପ୍ରଭାବିତ ହେଉଥିଲେ। ଭାରତରେ ଗାନ୍ଧୀଙ୍କ ୩୩ ବର୍ଷର ସକ୍ରିୟ ରାଜନୈତିକ ଜୀବନରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଟ୍ରଷ୍ଟିସିପ୍‌ ବିଚାରଧାରାର ଗୋଟିଏ ଗୋଟିଏ ଫର୍ଦ୍ଦ। ତାଙ୍କ ତତ୍ତ୍ୱ ବ୍ୟକ୍ତି ନୁହେଁ, ସମ୍ପ୍ରଦାୟ (କମ୍ୟୁନିଟି) ସଶକ୍ତୀକରଣର ମାଧ୍ୟମ।

ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିବାର ପ୍ରାୟ ୩୦ ବର୍ଷ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସ ନେତୃତ୍ୱରେ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ ହୋଇ ସାରିଥିଲା। ତେବେ ଆନ୍ଦୋଳନର ଧାରା ମୁଖ୍ୟତଃ ବ୍ୟକ୍ତି ସ୍ୱାର୍ଥ-କୈନ୍ଦ୍ରିକ ଦେଖି ସେ ଦେଶ ସାରା ବୁଲି ସାଧାରଣ ଲୋକଙ୍କୁ ପ୍ରଥମେ ସ୍ୱାଧୀନତା ‘ସମସ୍ତଙ୍କ ପାଇଁ’ ବୁଝାଇ ସେମାନଙ୍କୁ ଆନ୍ଦୋଳନରେ ଯୋଡ଼ିଥିଲେ। ଫେବ୍ରୁଆରି ୧୯୧୬ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ ଉତ୍ସବରେ ଗାନ୍ଧୀଙ୍କ ଭାଷଣ ସେଦିନ ଝଡ଼ ସୃଷ୍ଟି କରିଥିଲା। ଭାରତରେ ସାଧାରଣ ସଭାରେ କହିବା ତାଙ୍କ ପାଇଁ ଥିଲା ପ୍ରଥମ ସୁଯୋଗ ଏବଂ ସେ ଯାହା କହିଥିଲେ ଆଗରୁ ଏଭଳି କହିବାକୁ କେହି ସାହସ କରିନଥିଲେ। ‘ଦାମୀ ଆଭୂଷ ଗୁଡ଼ିକୁ ତ୍ୟାଗ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆପଣମାନେ ଟ୍ରଷ୍ଟ ଜରିଆରେ ସେ ସବୁକୁ ଉତ୍ସର୍ଗ ନ କରିବା ପର୍ଯ୍ୟନ୍ତ ଭାରତର ମୁକ୍ତି ସମ୍ଭବ ନୁହେଁ। ସ୍ୱାଧୀନତା ଚାଷୀମାନେ ଆଣିବେ; ଓକିଲ, ଡାକ୍ତର, ଧନୀ, ଜମିଦାର ନୁହନ୍ତି। ଶ୍ରମିକଙ୍କ ପରିଶ୍ରମର ସବୁ କିଛି ନେଇଗଲେ ସ୍ୱରାଜ ପାଇଁ ମନବଳ ଆସିବନି’, ଗାନ୍ଧୀ ‘ଆଡ଼ମ୍ବରପୂର୍ଣ୍ଣ’ ସଭାରେ କେବଳ ମାତ୍ର ଉପସ୍ଥିତ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ କଟାକ୍ଷ କରି କହିଥିଲେ। ଇଂରେଜ କବଳରୁ ଦେଶର ରାଜନୈତିକ ମୁକ୍ତି ଗାନ୍ଧୀଙ୍କ ଦୃଷ୍ଟିରେ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ତା’ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା ଅର୍ଥନୈତିକ ସମତା। ଆତ୍ମନିର୍ଭରଶୀଳତା ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତିର ମାର୍ଗ। ‘ଭାରତ ଯଦି ଇଂଲିସ୍‌ ପାଲଟିଯାଏ, ତା’ହେଲେ ଏହାକୁ ହିନ୍ଦୁସ୍ଥାନ ପରିବର୍ତ୍ତେ ଇଂଲିସ୍‌ସ୍ଥାନ କୁହାଯିବ। ମୁଁ ଏମିତି ସ୍ୱରାଜ ଚାହେଁନି’। ଗାନ୍ଧୀଙ୍କର ଆଶଙ୍କା ଥିଲା ଧନୀ ଗରିବଙ୍କ ମଧ୍ୟରେ ମାତ୍ରାଧିକ ପ୍ରଭେଦ ଅରାଜକତାକୁ ଇନ୍ଧନ ଦେବ। ସ୍ୱାଧୀନତା ମାନେ ସ୍ୱାବଲମ୍ବନ ହେବା। ବିଦେଶୀଙ୍କ ବଦଳରେ ନିଜ ଦେଶର ଲୋକଙ୍କ ଦ୍ୱାରା ସରକାର ହୋଇଗଲେ ଗଣତନ୍ତ୍ର ସ୍ଥାପିତ ହୁଏ ନାହିଁ, ଯେ ପର୍ଯ୍ୟନ୍ତ ଏହା ସମାଜର ସବୁ ଶ୍ରେଣୀର ଲୋକଙ୍କର ଆର୍ଥିକ ବିକାଶ ଦିଗରେ ସହାୟକ ନ ହୋଇଛି।

ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ଦୁଇଟି ଆଶ୍ରମ- ଫୋଏନିକ୍‌ସ ସେଟେଲ୍‌ମେଣ୍ଟ (୧୯୦୪) ଏବଂ ଟଲ୍‌ଷ୍ଟୟ ଫାର୍ମ (୧୯୧୦)- ପ୍ରତିଷ୍ଠା କରିଥିଲେ। ଏହା ଥିଲା ତାଙ୍କ ଟ୍ରଷ୍ଟିସିପ୍‌ ବିଚାରଧାରାର ପ୍ରଥମ ସଫଳ କାହାଣୀ। ଆଶ୍ରମର ଅନ୍ତେବାସୀମାନେ ରାସ୍ତା, ପାଇଖାନା ସଫା କରିବା ସହିତ କାଠ କାମ, ଚପଲ ଇତ୍ୟାଦି ତିଆରି କରୁଥିଲେ। ପିଲାମାନେ ମଧ୍ୟ ପାଠ ପଢ଼ିବା ସହିତ ଶାରୀରିକ ପରିଶ୍ରମ କରୁଥିଲେ। ଗାନ୍ଧୀଙ୍କ ଦୃଷ୍ଟିରେ ଟ୍ରଷ୍ଟ୍‌ର କାମ ରିଲିଫ୍‌ ବାଣ୍ଟିବା ନୁହେଁ, ଗରିବଙ୍କୁ ଉପାର୍ଜନକ୍ଷମ କରିବା। ଭାରତରେ ସାବରମତୀ ସମେତ ଅନ୍ୟ ଆଶ୍ରମ ଏବଂ ରଚନାତ୍ମକ କାର୍ଯ୍ୟ ଯଥା ସ୍ବଦେଶୀ, ଖଦି, ସର୍ବୋଦୟ, ଭୂଦାନ ଇତ୍ୟାଦି ସମାନ ଚିନ୍ତାଧାରାରେ ହୋଇଥିଲା। ଏହା ହିଁ ପ୍ରକୃତ ସ୍ୱାଧୀନତା, ନିର୍ଭରଶୀଳତାର ସମାଧି ଉପରେ ଆତ୍ମବିଶ୍ୱାସ, ପରିଶ୍ରମ ଓ ସ୍ୱାଭିମାନର ବିଜୟ। ‘ଗରିବଙ୍କ ସ୍ୱରାଜ ମୋର ସ୍ବପ୍ନ’। ଆଲୋଚନା ପ୍ରସଙ୍ଗରେ ଗାନ୍ଧୀ ଥରେ କଂଗ୍ରେସ ଦଳର ଧନୀ ସଦସ୍ୟମାନେ ‘ଗରିବଙ୍କ ପାଇଁ କ’ଣ କରିଛନ୍ତି’ ବୋଲି ପ୍ରଶ୍ନ କରିଥିଲେ ଏବଂ ସେମାନଙ୍କୁ ‘ଆତ୍ମମନ୍ଥନ’ କରିବାକୁ ପରାମର୍ଶ ଦେଇଥିଲେ।

ଅର୍ଥନୈତିକ ସମାନତା ପାଇଁ ଗାନ୍ଧୀଙ୍କ ଟ୍ରଷ୍ଟିସିପ୍‌ ଦର୍ଶନରେ ‘ଈଶ୍ୱର’ଙ୍କ ଉପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଯାହା ପୁଞ୍ଜିବାଦ, ଫ୍ରି ମାର୍କେଟ୍‌ ଇକୋନୋମି, ମିକ୍‌ସଡ (ମିଶ୍ରିତ) ଇକୋନୋମି, କାର୍ଲ ମାର୍କ‌୍ସଙ୍କ ସମାଜବାଦ ତତ୍ତ୍ୱରେ ଦେଖାଯାଏ ନାହିଁ। ତାଙ୍କ ମତରେ ପୃଥିବୀରେ ସବୁ କିଛି ଈଶ୍ୱର ସୃଷ୍ଟ, ସେ ମାଲିକ, ଆମେ ତାଙ୍କର ପ୍ରତିନିଧି; ତେଣୁ ଧନ ସମ୍ପତ୍ତି‌େର ଆମର ଏକଚାଟିଆ ଅଧିକାର ନାହିଁ, କେବଳ ଜୀବନକାଳ ଭିତରେ ସେଥିରୁ କିଂଚିତ ବ୍ୟବହାର କରି ଅବଶିଷ୍ଟ ପର ପିଢ଼ି ପାଇଁ ସାଇତି ରଖିବା ଆମର ଦାୟିତ୍ୱ। ୨୦୧୫ରୁ ସବୁ ଦେଶରେ କାର୍ଯ୍ୟକାରୀ ହେଉଥିବା ଜାତିସଂଘ ପ୍ରସ୍ତାବିତ ‘ନିରନ୍ତର ବିକାଶ ଲକ୍ଷ୍ୟ’ (‘ସଷ୍ଟେନେବଲ୍‌ ଡେଭେଲପ୍‌ମେଣ୍ଟ ଗୋଲ୍‌’) ଗାନ୍ଧୀଙ୍କ ଟ୍ରଷ୍ଟିସିପ୍‌ ଚିନ୍ତାଧାରାର କାର୍ବନ କପି (ଭବିଷ୍ୟତ୍‌ ପିଢ଼ି ପାଇଁ ବର୍ତ୍ତମାନ ସମ୍ବଳର ସଦୁପଯୋଗ) କହିଲେ ଭୁଲ୍‌ ହେବ ନାହିଁ। କିନ୍ତୁ ଧନୀ ହେବା ସମସ୍ତଙ୍କ ସ୍ବପ୍ନ, ଗରିବୀ କେହି ଚାହାନ୍ତିନି। ଗାନ୍ଧୀ ଅବଶ୍ୟ ଏହାର ବିରୋଧୀ ନ ଥିଲେ। ବ୍ୟବସାୟ, ପରିବାର, ଶିଳ୍ପ ଅବା ଅନ୍ୟ ଯେ କୌଣସି ସୂତ୍ରରୁ ଧନ ଅର୍ଜନ କରାଯାଇପାରେ, ତେବେ ଭୁଲିଯିବାର ନୁହେଁ ଯେ ଅର୍ଜିତ ସମ୍ପତ୍ତି ଅନେକ ଶ୍ରମିକଙ୍କ ପରିଶ୍ରମର ଫଳ, ତେଣୁ ସୁଖ ସ୍ବାଚ୍ଛନ୍ଦ୍ୟରେ ଚଳିବାକୁ ‘ଯଥେଷ୍ଟ’ ରଖିବା ପରେ ବଳକା ଧନକୁ ସାଧାରଣ ଜନତାଙ୍କ ବିକାଶ ପାଇଁ ଟ୍ରଷ୍ଟରେ ସ୍ୱଇଚ୍ଛାରେ ଜମା ରଖିବା ବାଞ୍ଛନୀୟ। ଧନ ସମ୍ପତ୍ତିର ଅଦୃଶ୍ୟ ଆକର୍ଷଣରେ ମଣିଷ ସମ୍ପୂର୍ଣ୍ଣ ଅନାସକ୍ତ ହୋଇନପାରେ, କିନ୍ତୁ ଆବଶ୍ୟକତା ଓ ଲୋଭ ମଧ୍ୟରେ ପାର୍ଥକ୍ୟ ଜାଣି ରଖିବା ଉଚିତ। ଏହା ଦ୍ୱାରା ସମାଜରେ ଅର୍ଥନୈତିକ ସମାନତା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେବା ସହିତ ହିଂସାତ୍ମକ ବାତାବରଣର ଅନ୍ତ ଘଟିବ। ସହରର ଧନୀ ବ୍ୟକ୍ତିମାନେ ଟ୍ରଷ୍ଟିସିପ୍‌ର ଉପାଦେୟତା ହୃଦୟଙ୍ଗମ କରି ବିଶ୍ୱରେ ଉଦାହରଣ ସୃଷ୍ଟି କରିବାକୁ ଅହମଦାବାଦରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଗାନ୍ଧୀ ଆହ୍ୱାନ ଦେଇଥିଲେ। ‘ଅହମଦାବାଦରେ ଏତେ ଧନ ଅଛି ଯାହା ଏହି ସହରକୁ ସରସ, ସୁନ୍ଦର, ସ୍ୱାସ୍ଥ୍ୟକର ଓ ଆଧ୍ୟାତ୍ମିକ ସ୍ଥାନ କରିପାରିବ’। ଶ୍ରେଣୀହୀନ ସମାଜ ଗଠନ ଦିଗରେ ମାର୍କ‌୍ସ ଓ ଗାନ୍ଧୀଙ୍କ ବିଚାରଧାରା ସମାନ ଲାଗିପାରେ, ଲକ୍ଷ୍ୟ ପ୍ରାପ୍ତିର ମାର୍ଗ କିନ୍ତୁ ବିପରୀତ। ମାର୍କ‌୍ସବାଦରେ ଧନୀ ବର୍ଗର ନିପାତ, ବଳ ପ୍ରୟୋଗ, ସର୍ବୋପରି ହିଂସାର ଛିଟା ବାରିହୁଏ। ସରକାର ସର୍ବେସର୍ବା, ବ୍ୟକ୍ତି ନିମିତ୍ତ ମାତ୍ର। କିନ୍ତୁ ଗାନ୍ଧୀଙ୍କ ରାସ୍ତାରେ ହିଂସାର ନାମ ଗନ୍ଧ ନାହିଁ। ଟ୍ରଷ୍ଟିସିପ୍‌ ସରକାରକୁ ସଶକ୍ତ ନୁହେଁ ବରଂ ବ୍ୟକ୍ତି ଆତ୍ମନିର୍ଭର ହେବା ପାଇଁ ଏକ ମାଧ୍ୟମ।

ଗାନ୍ଧୀଙ୍କ ମତରେ ପ୍ରତ୍ୟେକ ଧନୀ ବ୍ୟକ୍ତି ଅନ୍ତରାତ୍ମାରେ ‘ଶାନ୍ତିପ୍ରିୟ’, ସେମାନଙ୍କ ହୃଦୟ ଜିଣି ସାମଗ୍ରିକ ସ୍ୱାର୍ଥ ହାସଲ ସମ୍ଭବ। ସେହିଭଳି ପୁଞ୍ଜିବାଦରେ ବ୍ୟକ୍ତିଗତ ମାଲିକାନା ଓ କ୍ଷମତାର କେନ୍ଦ୍ରୀକରଣ ସାମାଜିକ ବିଭ୍ରାଟ ଓ ଅର୍ଥନୈତିକ ପ୍ରଭେଦର କାରଣ। ସେଥିପାଇଁ ମାଲିକବିହୀନ ଟ୍ରଷ୍ଟ୍‌ର ପରିକଳ୍ପନା, ଯାହାର ‘ପରିଚାଳନା’ ସରକାର ନୁହେଁ ସାଧାରଣ ଲୋକେ କରିବେ। ‘ମୋ ଟ୍ରଷ୍ଟିସିପ୍‌ ବିଚାରଧାରା ଛଦ୍ମବେଶୀ ନୁହଁ, ଏଥିରେ ଦର୍ଶନ ଓ ଧର୍ମ ଅନ୍ତର୍ନିହିତ, ଅନ୍ୟ ବିଚାରଧାରାର ଅହିଂସା ସହ ସୁସଙ୍ଗତି ନାହିଁ’। ଗାନ୍ଧୀ ତାଙ୍କ ତତ୍ତ୍ବର ପ୍ରଥମ ଉଦାହରଣ। ଅଳ୍ପ କେଇଖଣ୍ଡ ଲୁଗା, ଚାଦର, ଗୋଟାଏ ଅଣ୍ଟାଖୋସା ଘଣ୍ଟା ଓ ବାଡ଼ି ଖଣ୍ଡେ ଛଡ଼ା ତାଙ୍କର କିଛି ସମ୍ପତ୍ତି ନ ଥିଲା। ସାମାଜିକ ଅର୍ଥନୀତି କ୍ଷେତ୍ରରେ ଗାନ୍ଧୀଙ୍କ ଭାବନାକୁ ରୂପ ଦେବାରେ ବିଭିନ୍ନ ଲେଖକ, ଦାର୍ଶନିକ, ବ୍ରିଟିସ୍‌ ଆଇନ, ଭାରତର ସାଂସ୍କୃତିକ ପରମ୍ପରା ବ୍ୟତୀତ ଇସଭାଷ୍ୟ ଉପନିଷଦ (ଯାହା ଅଛି ଉପଭୋଗ କର, ପର ଧନରେ ଲୋଭ କର ନାହିଁ) ଓ ଭଗବତ୍‌ ଗୀତାର ଅବଦାନ ଅଧିକ। ଗାନ୍ଧୀ କହିଥିଲେ ସବୁ ହିନ୍ଦୁ ଶାସ୍ତ୍ର ଯଦି ନଷ୍ଟ ହୋଇଯାଏ କେବଳ ଇସଭାଷ୍ୟ ଉପନିଷଦ ହିନ୍ଦୁ ଧର୍ମକୁ ଉଜ୍ଜୀବିତ ରଖିବ। ପୁନେର ଆଘା ଖାଁ ପ୍ରାସାଦରୁ ମୁକୁଳିବା ପରେ ଗାନ୍ଧୀ ବମ୍ବେ ବିଶ୍ୱବିଦ୍ୟାଳୟର ଏମ ଏଲ ଦାନ୍ତୱାଲା ଓ ଅନ୍ୟାନ୍ୟ ସହଯୋଗୀଙ୍କ ସହାୟତାରେ ଟ୍ରଷ୍ଟିସିପ୍‌ ତତ୍ତ୍ବକୁ ଲିଖିତ ରୂପ ଦେଇଥିଲେ। ଅନୁମାନ କରାଯାଇପାରେ ଗାନ୍ଧୀଙ୍କ ଦର୍ଶନକୁ ସମସ୍ତେ ଆଖିବୁଜି ସମର୍ଥନ କରିଥିଲେ। କିନ୍ତୁ, ତା’ ନୁହେଁ। ପାଶ୍ଚାତ୍ୟ ଆଧୁନିକତାରେ ପ୍ରଭାବିତ ଜବାହରଲାଲଙ୍କ ଦୃଷ୍ଟିକୋଣ ଭିନ୍ନ ଥିଲା। ବଳ ପ୍ରୟୋଗର ସେ ସମର୍ଥକ ନ ଥିଲେ କିନ୍ତୁ ବିକାଶ ପାଇଁ ସରକାରୀ ନିୟନ୍ତ୍ରଣ ଅପରିହାର୍ଯ୍ୟ ବୋଲି ଭାବୁଥିଲେ।

ଦେଶ ସ୍ୱାଧୀନ ହେଲା ପରେ ପ୍ରଚଳିତ ଅର୍ଥନୀତିରେ ସରକାର କହିଲେ ସବୁ କରିବେ। ଫଳରେ ନିଜସ୍ୱ ଜ୍ଞାନ, ବୁଦ୍ଧି, ପୁଞ୍ଜି ବିନିଯୋଗ କରି ଘରୋଇ ଉଦ୍ୟମରେ ଆତ୍ମନିର୍ଭର ହେବାର ସ୍ପୃହା ପ୍ରୋତ୍ସାହନ ଓ ଇନ୍‌ସପେକ୍ଟର ରାଜତ୍ବର ପ୍ରାଦୁର୍ଭାବରେ ପାଣି ବିନା ଫୁଲ ଚାରା ଭଳି ଝାଉଁଳିଲା। କ’ଣ ମିଳିଲା? ଧଳା ହାତୀଙ୍କ ସଂଖ୍ୟା ବଢ଼ିଲା ସିନା ଆର୍ଥିକ ଅସମାନତାରୁ ମୁକ୍ତି ପାଇବାକୁ ଅପେକ୍ଷା କରିଥିବା କୋଟି କୋଟି ଲୋକଙ୍କ ସ୍ବପ୍ନ ପୂରଣ ହେଲା ନାହିଁ। ଦୀର୍ଘ ବର୍ଷ ପରେ ଗାନ୍ଧୀଜୀଙ୍କ କଥା ମନେ ପଡ଼ିଲା। ୧୯୯୧ରେ ଯୁଗାନ୍ତକାରୀ ଉଦାରୀକରଣ ନୀତି ଘୋଷଣା କଲା ବେଳେ ଅର୍ଥ ମନ୍ତ୍ରୀ ମନମୋହନ ସିଂହ ଗାନ୍ଧୀଙ୍କ ଟ୍ରଷ୍ଟିସିପ୍‌ ତତ୍ତ୍ବ ଦେଶ ପାଇଁ ‘ଦିଗବାରେଣୀ’ ବୋଲି ବର୍ଣ୍ଣନା କରିବା ସହିତ ତାଙ୍କ ନିଷ୍ଠାପର ଓ ସରଳ ଚଳଣି ଅନୁସରଣ କଲେ ଦେଶ ତୁରନ୍ତ ଆଗେଇ ପାରିବ ବୋଲି ବଜେଟ୍‌ ଭାଷଣରେ କହିଥିଲେ। ସବୁ ଧନ ସମ୍ପତ୍ତି ‘ସାମାଜିକ ଉତ୍ପାଦନ’, ସେ ସବୁକୁ ଟ୍ରଷ୍ଟ୍‌ରେ ରଖି ଗରିବଙ୍କ ପାଇଁ ବିନିଯୋଗ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। କିନ୍ତୁ ବର୍ତ୍ତମାନ ହୋଇଛି କ’ଣ? ଗାନ୍ଧୀଙ୍କ ମାହାତ୍ମ୍ୟ ଆମେ ଯେତେ ଆଡ଼ମ୍ବରପୂର୍ଣ୍ଣ ବାକ୍ୟରେ ବର୍ଣ୍ଣନା କରି ଆତ୍ମସନ୍ତୋଷ ପାଇଲେ ମଧ୍ୟ ତାଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବାସ୍ତବ ରୂପ ଦେବାରେ ଆମର କୁଣ୍ଠା ସବୁ କ୍ଷେତ୍ରରେ ସ୍ପଷ୍ଟ। ଅରବପତି ଓ ଗରିବଙ୍କ ସମାନ୍ତରାଳ ବୃଦ୍ଧି ତା’ର ପ୍ରମାଣ।

ମୋ- ୯୮୫୩୨୫୨୬୨୬