ସୃଷ୍ଟିର ରହସ୍ୟଭେଦ କରିବାକୁ ମଣିଷର କୌତୂହଳ ଯେ ଅସରନ୍ତି ତାହାର ସଦ୍ୟ ପ୍ରମାଣ ହେଉଛି ଗତ ୨୫ ତାରିଖରେ ଉତ୍‌କ୍ଷେପଣ ହୋଇଥିବା ‘ଜେମ୍‌ସ ୱେବ୍ ସ୍ପେସ୍ ଟେଲିସ୍କୋପ୍’ (ଜେଡବ୍ଲ୍ୟୁଏସ୍‌ଟି)। ମଣିଷ ତିଆରି ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍‌ଟି ପ୍ରାୟ ଦୁଇ ଦଶନ୍ଧିର ପ୍ରତୀକ୍ଷା ଏବଂ ବିଭିନ୍ନ ଦେଶର ୧୦ ହଜାର ବୈଜ୍ଞାନିକଙ୍କ କଠିନ ପରିଶ୍ରମର ଫଳଶ୍ରୁତି। ମହାକାଶ ଗବେଷଣା କ୍ଷେତ୍ରରେ ଏହା ଏକ ବିରାଟ ପାହୁଣ୍ଡ। ୧୯୯୦ ଦଶକରେ କାର୍ଯ୍ୟକ୍ଷମ ହୋଇଥିବା ‘ହବଲ୍ ଟେଲିସ୍କୋପ୍’ ସହିତ ତୁଳନା କଲେ ଏହାର ବିଶାଳତା ଓ କାର୍ଯ୍ୟକ୍ଷମତା ଆକଳନ କରିହେବ। ଏଥିରେ ଲାଗିଥିବା ଦର୍ପଣର ଆକାର ହବଲ୍ ଟେଲିସ୍କୋପ୍‌ର ପ୍ରାୟ ଅଢ଼େଇଗୁଣ। ହବଲ୍‌ର ଆକାର ଏକ ସ୍କୁଲ ବସ୍ ଅନୁରୂପ ହୋଇଥିବା ବେଳେ ଜେମ୍‌ସ ୱେବ୍‌ର ଆକାର ଏକ ଟେନିସ୍ କୋର୍ଟ ସହିତ ସମାନ। ହବଲ୍ ପୃଥିବୀକୁ ପରିକ୍ରମ କରୁଥିବାରୁ ଦିନର ଅଧା ସମୟ କାର୍ଯ୍ୟକ୍ଷମ ରହୁଥିବାବେଳେ ଜେମ୍‌ସ ୱେବ୍‌ରେ ଖଞ୍ଜାଯାଇଥିବା ସୂର୍ଯ୍ୟାଲୋକ ଅବରୋଧକ ଏହାକୁ ସବୁସମୟରେ କାର୍ଯ୍ୟକ୍ଷମ ରଖିପାରିବ। ଏହି ଟେଲିସ୍କୋପ୍‌ କେବଳ କମଳା ଓ ଲାଲ ରଙ୍ଗ ଦେଖିବାକୁ ସକ୍ଷମ।

Advertisment

ତେବେ ଏହା ଏକ ଖୁଣ ନୁହେଁ। ଏହା ପଛର କାରଣ ହେଉଛି ସାଧାରଣ ଆଲୋକରଶ୍ମି କୋଟି କୋଟି ଆଲୋକବର୍ଷର ଦୂରତା ଅତିକ୍ରମ କରିବା ପରେ ତାହା ଲାଲ ବର୍ଣ୍ଣର ହୋଇଯାଇଥାଏ। ଏହି ଟେଲିସ୍କୋପ୍ ଦ୍ବାରା ପ୍ରଥମ ଚିତ୍ର ଉତ୍ତୋଳିତ ହେବା ପାଇଁ ପ୍ରାୟ ଛଅ ମାସ କାଳ ଅପେକ୍ଷା କରିବାକୁ ହେବ। ପୃଥିବୀରୁ ପ୍ରାୟ ୧୫ ଲକ୍ଷ କି.ମି. ଦୂରରେ ଅବସ୍ଥାପିତ ହେବା ପାଇଁ ଏହାକୁ ୨୯ ଦିନ ଲାଗିବ। ପୁଣି ସବୁ ସରଞ୍ଜାମ ଖୋଲି ଟେଲିସ୍କୋପ୍‌ଟି ତାର ଦୃଷ୍ଟିଶକ୍ତି ହାସଲ କରିବାକୁ ଆଉ ଚାରିମାସ ଲାଗିବ। ଏହି ଦୂରବୀକ୍ଷଣ ଯନ୍ତ୍ରକୁ ଯେ କେହି ଗବେଷଣା ପାଇଁ ବ୍ୟବହାର କରିପାରିବେ। ତେବେ, ଏଥିପାଇଁ ଗବେଷଣା ପ୍ରକଳ୍ପର ପ୍ରସ୍ତାବ ଦେବାକୁ ହେବ। ଏକ ସ୍ବତନ୍ତ୍ର ଚୟନକର୍ତ୍ତା ଦଳ ଦ୍ବାରା ଅନୁମୋଦନ ମିଳିବା ପରେ ସୀମିତ ଅବଧି ପାଇଁ ଏହାକୁ ବ୍ୟବହାର କରିହେବ।

ବ୍ରହ୍ମାଣ୍ଡ ସୃଷ୍ଟି ପରର ପ୍ରଥମ ଆଲୋକର ପରୀକ୍ଷା ସମେତ ଛାୟାପଥ, ତାରକା ଓ ଗ୍ରହମାନଙ୍କର ସୃଷ୍ଟି ଓ ବିବର୍ତ୍ତନ ସମ୍ପର୍କରେ ଅନୁଧ୍ୟାନ କରିବା ଏହାର ମୂଳ ଉଦ୍ଦେଶ୍ୟ। ମହାକାଶ ବିଜ୍ଞାନୀଙ୍କ ମତରେ ଏହି ଦୂରବୀକ୍ଷଣ ଯନ୍ତ୍ରଟି ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିବ ଏବଂ ଅ‌େନକ ଅଜଣା ପ୍ରସ୍ଥର ଉନ୍ମୋଚନ କରିବ।