ଆଜିର ଏଭଳି ବାମନ କାଳରେ ଡେସ୍‌ମଣ୍ଡ ଟୁଟୁଙ୍କ ଭଳି କୌଣସି ଅତ୍ୟୁଚ୍ଚ ମାନବଙ୍କ ପ୍ରସ୍ଥାନ ଏମିତି ତ ବହୁତ କିଛି ଦୁଃଖ ଆଣିଛି; ଯେପରିକି ନିଜ କୁଡ଼ିଆକୁ ଛାଇ ଦେଉଥିବା ଅନ୍ତିମ ବୃକ୍ଷଟି ତୋଫାନରେ ଧରାଶାୟୀ ହୋଇଯାଇଛି। ଭୀଷଣ ନିଦାଘରେ ଅଟ୍ଟହାସ୍ୟ କରୁଥିବା ପ୍ରେତ-ଛାୟାମାନଙ୍କର ବିକଟାଳ ଚିତ୍କାର ସର୍ବତ୍ର ଗୁଞ୍ଜରି ଉଠୁଥିବା ବେଳେ ସେପରି ବ୍ୟକ୍ତିମାନେ ବିଶେଷ ଭାବେ ଆପଣାର ଭଳି ମନେ ହୁଅନ୍ତି, କାରଣ ସେମାନେ ସଂସାରର କେଉଁଠି ନା କେଉଁଠି ମାନବିକତାର ମନ୍ଦିର ତୋଳିବାରେ ମଗ୍ନ ରହିଥାଆନ୍ତି, ଆଉ ମନ୍ଦିର ଗଢୁ ଗଢୁ ହିଁ ବିଦାୟ ନେଇ ଯାଆନ୍ତି। ଏହା ସେହି ମନ୍ଦିର ଯାହା ମନ ମନ୍ଦିରରେ ଅବସ୍ଥିତ, ଆଉ ଥରେ ଏହା ଭିତରକୁ ପ୍ରବେଶ କରିଗଲେ ଶାନ୍ତିରେ ରହିବାକୁ ଦିଏ ନାହିଁ। ଗାନ୍ଧୀଜୀ ତାଙ୍କର ହିନ୍ଦ-ସ୍ବରାଜ୍ୟରେ ଲେଖିଥିଲେ: ‘ଥରେ ଏହି ସତ୍ୟର ଅନୁଭବ ହୋଇଗଲେ, ତାହାକୁ ଅନ୍ୟ ପାଖରେ ନ ପହଞ୍ଚାଇ ଆମେ କେମିତି ରହିପାରିବା!’

Advertisment

ଡେସ୍‌ମଣ୍ଡ ଟୁଟୁ ଇଂରେଜୀ ଖ୍ରୀଷ୍ଟିଆନ୍‌ ପାଦ୍ରି ଥିଲେ, ମାତ୍ର ସାରା ଖ୍ରୀଷ୍ଟିଆନ୍‌ ଦୁନିଆରେ ତାଙ୍କ ଭଳି ପାଦ୍ରି କୌଣସି ହିସାବରେ ବି ନ ଥିଲେ। ଡେସ୍‌ମଣ୍ଡ ଟୁଟୁ ଶ୍ବେତାଙ୍ଗ ନ ଥିଲେ, ମାତ୍ର ତାଙ୍କ ଭଳି ଶୁଭ୍ର ବ୍ୟକ୍ତିତ୍ବ ଖୋଜିଲେ ବି ମିଳି‌େବନି। ସେ ଶାନ୍ତିବାଦୀ ଥିଲେ, ମାତ୍ର ତାଙ୍କ ଭଳି ଯୋଦ୍ଧା ଆଙ୍ଗୁଠିରେ ଗଣି ହୋଇଯିବେ। ଦକ୍ଷିଣ ଆଫ୍ରିକା ପରି ଏକ ଦୂର ଦେଶର ସେ ନାଗରିକ ହୋଇଥିଲେ ମଧ୍ୟ ଆମ ପାଇଁ ଅତ୍ୟନ୍ତ ଆପଣାର ମନେ ହେଉଥିଲେ; କାରଣ ଗାନ୍ଧୀଙ୍କର ଭାରତ ଓ ଭାରତର ଗାନ୍ଧୀଙ୍କ ସହ ତାଙ୍କର ହୃଦୟ ଏପରି ଅବିଚ୍ଛେଦ୍ୟ ଭାବେ ଯୋଡ଼ି ହୋଇ ରହିଥିଲା, ଯେପରି ଦେଖିବାକୁ ମିଳିଥିଲା, ତାଙ୍କର ସମକାଳୀନ ସାଥୀ ତଥା ସୈନିକ ନେଲସନ୍‌ ମାଣ୍ଡେଲାଙ୍କ ପରିପ୍ରେକ୍ଷୀରେ। ଗାନ୍ଧୀଙ୍କର ତତ୍ତ୍ବ ସାରା ସଂସାରରେ ଏପରି ବ୍ୟାପି ରହିଛି ଯେ ସେ ସର୍ବଦା ଜୀବନ୍ତ ହୋଇ ରହିଛନ୍ତି। ଗାନ୍ଧୀ ହତ୍ୟାକାରୀର ଅସୁବିଧା ଏହା ଯେ ଲମ୍ବା ଷଡ୍‌ଯନ୍ତ୍ର ଏବଂ କିଛି ଅସଫଳ ପ୍ରୟାସ ପରେ ୧୯୪୮ ଜାନୁଆରି ୩୦ରେ ଯଦିଓ ସେ ସେହି ତିନିଟି ଗୁଳି ମାରିବାରେ ସଫଳ ହେଲା, ତେବେ, ଜଣାପଡ଼ିଲା କି ଗାନ୍ଧୀଜୀଙ୍କ ଭଳି ବ୍ୟକ୍ତି ପ୍ରକୃତରେ ସେ ଦିନ ମରି ନ ଥିଲେ। ସେ ଭଳି ବ୍ୟକ୍ତି ଭାରତର ସୀମା ଡେଇଁ ସାରା ସଂସାରକୁ ଆବୋରି ଯିବାର ଘଟଣା ସେ ଦିନ ଘଟିଥିଲା। ଦୁନିଆରେ ପରିବ୍ୟାପ୍ତ ଗାନ୍ଧୀଙ୍କ ପରିବାରର ଅମୂଲ୍ୟ ସଦସ୍ୟଙ୍କ ମଧ୍ୟରେ ଡେସ୍‌ମଣ୍ଡ ଟୁଟୁ ହେଉଛନ୍ତି ଅନ୍ୟତମ। ଏହା ମଧ୍ୟ ଏକ ଚମତ୍କାର ସଂଯୋଗ ଯେ ସେ ଦକ୍ଷିଣ ଆଫ୍ରିକାର ଥିଲେ, ଯେଉଁ ମାଟି ବାରିଷ୍ଟର ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ସତ୍ୟାଗ୍ରହୀ ଗାନ୍ଧୀରେ ପରିଣତ କରି ଦୁନିଆକୁ ଉପହାର ଦେଇଥିଲା। ଗାନ୍ଧୀଙ୍କର ସେହି ଉତ୍ତରାଧିକାରକୁ ଉଭୟ ମାଣ୍ଡେଲା ଓ ଟୁଟୁ ଯେପରି ନିର୍ବାହ କରିଥିଲେ, ଆଜି ଗାନ୍ଧୀଜୀ ଯଦି ଜୀବିତ ଥାଆନ୍ତେ, ତେବେ ତାହା ଦେଖି ପ୍ରସନ୍ନ ହୋଇଥାଆନ୍ତେ।

ଦକ୍ଷିଣ ଆଫ୍ରିକାରେ ଶ୍ବେତାଙ୍ଗ ଆଧିପତ୍ୟରୁ ମୁକ୍ତି ପାଇବା ଲାଗି ସଂଘଟିତ ରକ୍ତାକ୍ତ ସଂଘର୍ଷରେ ଅଧିକାଂଶ ସିପାହିଙ୍କୁ ହୁଏ’ତ ମୃତ୍ୟୁ ଘାଟରେ ପହଞ୍ଚିବାକୁ ପଡ଼ିଥିଲା ଅଥବା ଦେଶାନ୍ତର ହେବାକୁ କିମ୍ବା ଆଜୀବନ କାରାବାସ ଭୋଗିବାକୁ ପଡ଼ିଥିଲା। ସମସ୍ତଙ୍କର ସାକ୍ଷୀ ଏବଂ ସହଭାଗୀ ଥାଇ ବି ଡେସ୍‌ମଣ୍ଡ ଟୁଟୁଙ୍କ ଠାରେ ଚର୍ଚ୍ଚ‌୍ର ଛାପ ପଡ଼ିଥିବା ଯୋଗୁ ସେ ସେଥିରୁ ନିସ୍ତାର ପାଇ ଯାଇଥିଲେ। ୧୯୬୦ରେ ସେ ପାଦ୍ରି ହୋଇଥିଲେ ଏବଂ ଧାର୍ମିକ ସଂଗଠନର ନିଶୁଣି ଚଢ଼ି ଚଢ଼ି ୧୯୮୫ରେ ସେ ଜୋହନେସ୍‌ବର୍ଗର ବିଶପ୍‌ ହୋଇଥିଲେ। ତହିଁ ପର ବର୍ଷ ସେ କେପ୍‌ ଟାଉନ୍‌ର ପ୍ରଥମ ଅଣଶ୍ବେତାଙ୍ଗ ‘ଆର୍କ୍‌ ବିଶପ୍‌’ରେ ପରିଣତ ହୋଇଥିଲେ। ଦବି ଯାଇଥିବା ସେହି ବିବାଦ ତ ଚାଲୁ ରହିଥିଲା, ତେବେ ଡେସ୍‌ମଣ୍ଡ ଟୁଟୁ ସମାଜ ଓ ରାଜନୀତି ପ୍ରସଙ୍ଗରେ ଯାହା କିଛି କହୁଥିଲେ କି କରୁଥିଲେ, ତାହା କ’ଣ ଚର୍ଚ୍ଚ‌୍ର ମାନ୍ୟତା ବା ଧାରଣା ସହିତ ସର୍ବଦା ତାଳମେଳ ରଖୁଥିଲା? ଆଜି ଯେପରି ଧର୍ମ ଓ ଶାସନ କ୍ଷମତାର ମେଣ୍ଟ ଜାରି ରହିଛି, ସେଥିରେ ଏଭ​ଳି ପ୍ରଶ୍ନ କେବଳ ପ୍ରଶ୍ନ ହୋଇ ରହିବ ନାହିଁ, ଏକ ପ୍ରଚ୍ଛନ୍ନ ଧମକରେ ତାହା ବଦଳିଯିବ। ଡେସ୍‌ମଣ୍ଡ ଟୁଟୁ ସେଭଳି ପ୍ରଶ୍ନର ସାମନା କରୁଥିଲେ ଏବଂ ତହିଁରେ ନିହିତ ଧମକକୁ ମଧ୍ୟ ଠଉରାଇ ପାରୁଥିଲେ। ସେଥି ପାଇଁ ‘ଆର୍କ‌୍ ବିଶପ୍‌’ ନିଜ ଭୂମିକାକୁ ସ୍ପଷ୍ଟ କରି କହିଥିଲେ: ‘ମୁଁ ଯାହା କହୁଛି ଏବଂ କରୁଛି ତାହା ଆର୍କ‌୍ ବିଶପ୍‌ଙ୍କର ଶୁଦ୍ଧ ଭୂମିକା। ଧର୍ମ ଯଦି ଅନ୍ୟାୟ ଓ ଉତ୍ପୀଡ଼ନ ବିରୋଧରେ ନ କହିବ, ତେବେ ଧର୍ମ ହୋଇ ରହିବ ନାହିଁ।’ ଭାଟିକାନ୍‌ ଦ୍ବାରା ମଧ୍ୟ ‘ଆର୍କ‌୍ ବିଶପ୍‌’ଙ୍କ ଏଭଳି ଭୂମିକାରେ ହସ୍ତକ୍ଷେପ କରିବା ଦୁରୂହ ହୋଇ ପଡ଼ିଥିଲା।

ବର୍ଣ୍ଣ ବୈଷମ୍ୟବାଦୀ ଶାସନର ତମାମ ନିର୍ଯାତନାକୁ ସେ ବିରୋଧ କରିଥିଲେ। ସେ ନ ଥିଲେ ହୁଏ’ତ ସେଭ​ଳି ଅତ୍ୟାଚାରର ଆର୍ତ୍ତନାଦ ଆମେ ଶୁଣି ପାରି ନ ଥା’ନ୍ତେ। ଚର୍ଚ୍ଚ‌୍ ସହ ଜଡ଼ିତ ସେ ପ୍ରଥମ ବ୍ୟକ୍ତି, ଯିଏ ଦକ୍ଷିଣ ଆଫ୍ରିକାର ନିର୍ବାଚିତ ସରକାରଙ୍କୁ ଜର୍ମାନିର ନାଜିମାନଙ୍କ ସହ ତୁଳନା କରିଥିଲେ ଏବଂ ଦୁନିଆର ତମାମ ଶ୍ବେତାଙ୍ଗ ସରକାରଙ୍କୁ ଲଜ୍ଜିତ କରି ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟବାଦୀ ସରକାରଙ୍କ ପ୍ରତି ଆର୍ଥିକ ପ୍ରତିବନ୍ଧ କଠୋର କରିବା ଲାଗି ବାଧ୍ୟ କରିଥିଲେ। ଆମେ ଡେସ୍‌ମଣ୍ଡ ଟୁଟୁଙ୍କୁ ପଢ଼ିଲେ କି ଶୁଣିଲେ ଜାଣି ପାରିବା ଯେ ସେ କିଭଳି ଉଗ୍ରତାର ସହ ନୁହେ, ବରଂ ଦୃଢ଼ତାର ସହ ନିଜ କଥା ରଖୁଥିଲେ। ତାଙ୍କର ମଜାଳିଆ ଶୈଳୀ ପଛରେ ଏକ ମଜଭୁତ ନୈତିକ ମନ ରହିଥିଲା, ଯାହା ଉପରେ ତାଙ୍କର ଅତୁଟ ଭରସା ଥିଲା। ସେଥିପାଇଁ ଶାସନ କଳ ଜାଣିଥିଲା ଯେ ତାଙ୍କ କଥା ଅକାଟ୍ୟ ଏବଂ ସେହି କଥାକୁ କହିଥିବା ବ୍ୟକ୍ତି ଜଣକ ମଧ୍ୟ ନିଜ କଥାରେ ଅଟଳ।

ନୈତିକ ଶକ୍ତି କେତେ ଶାଣିତ ହୋଇପାରେ, ତାହା ଚିହ୍ନିବାରେ ଆମେ ବେଳେ ବେଳେ ଗାନ୍ଧୀଙ୍କ ପ୍ରସଙ୍ଗରେ ମଧ୍ୟ ବିଫଳ ହୋଇଥାଉ; କାରଣ ତାହାକୁ ଚିହ୍ନିବା, ଶୁଣିବା ଓ ବୁଝିବା ଲାଗି ମଧ୍ୟ ଉଚ୍ଚ ସ୍ତରର ନୈତିକ ସାହସର ଆବଶ୍ୟକତା ରହିଥାଏ। ଡେସ୍‌ମଣ୍ଡ ଟୁଟୁଙ୍କ ଠାରେ ସେହି ସାହସ ଥିଲା। ସେ ଶ୍ବେତାଙ୍ଗ ସରକାରର କପଟତାର ଉନ୍ମୋଚନ କରି ଚାଲିଥିଲେ ଏବଂ ଆନ୍ଦୋଳନକାରୀଙ୍କ ଭଲମନ୍ଦ ବୁଝିବାରେ ଓ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ଆଦିରେ ମଧ୍ୟ ସେ ସକ୍ରିୟ ଥିଲେ।

ନେଲସନ୍‌ ମାଣ୍ଡେଲା ଯେତେବେଳେ ଦକ୍ଷିଣ ଆଫ୍ରିକାର ଶାସନ ଭାର ସମ୍ଭାଳିଲେ, ସେତେବେଳେ ସେ ବର୍ଣ୍ଣବୈଷମ୍ୟ ମାନସିକତା ବଦଳାଇବା ଲାଗି ଏକ ଅସାଧାରଣ ପ୍ରୟାସ କରିଥିଲେ, ଯେଉଁଥିରେ ପରାଜିତ ଶ୍ବେତାଙ୍ଗ ରାଷ୍ଟ୍ରପତି ଡି’ କ୍ଲାର୍କ ତାଙ୍କର ଉପରାଷ୍ଟ୍ରପତି ହୋଇଥିଲେ। ମାଣ୍ଡେଲା ‘ଟ୍ରୁଥ୍‌ ଏଣ୍ଡ୍‌ ରିକନ୍‌ସିଲିଏସନ୍ କମିଟି’ ଗଠନ କରିଥିଲେ, ଯହିଁରେ ନିହିତ ଥିବା ମୂଳ ଭାବନାଟି ହେଲା ଏହା ଯେ ଶ୍ବେତାଙ୍ଗ-ଅଣଶ୍ବେତାଙ୍ଗ ସମସ୍ତେ ନିଜ ତ୍ରୁଟିକୁ ଚିହ୍ନି ସ୍ବୀକାର କରି ଦଣ୍ଡ ଭୋଗିବେ ଏବଂ ସାଥୀ ହୋଇ ଚଳିବାର ପନ୍ଥା ଖୋଜିବେ। ତାହା ହୋଇଥିଲା ମଧ୍ୟ। ସାମାଜିକ ଜୀବନରେ ସଦ୍‌ଭାବନା ଲାଗି ଏହା ଅପୂର୍ବ ପ୍ରୟୋଗ ଥିଲା। ଶ୍ବେତାଙ୍ଗ-ଅଣଶ୍ବେତାଙ୍ଗ ଯୋଡ଼ି ମାଣ୍ଡେଲା-କ୍ଳାର୍କ ଏହି ପ୍ରୟୋଗର ଅଧ୍ୟକ୍ଷ ରୂପେ ଡେସ୍‌ମଣ୍ଡ ଟୁଟୁଙ୍କୁ ମନୋନୀତ କରିଥିଲେ। ସେ ଦୁହେଁ ଏ କଥା ଜାଣିଥିଲେ ଯେ ଦେଶରେ ଟୁଟୁଙ୍କ ବ୍ୟତୀତ ଅନ୍ୟ କେହି ଏମିତି ନାହାନ୍ତି ଯିଏ ସେହି ସମୟର ନୈରାଶ୍ୟର ବାତାବରଣରୁ ଉପରକୁ ଉଠି ସମତା ଆଧାରରେ ପ୍ରତିଟି ମାମଲାର ବିଚାର କରିପାରିବ।

ସତ୍ୟର ପ୍ରୟୋଗ ସର୍ବଦା ଦୁଇ ପଟେ ଶାଣ ଦିଆ ଖଣ୍ଡା ସଦୃଶ ହୋଇଥାଏ। ସେହି କମିସନ୍‌ ସହିତ ଏମିତି ମଧ୍ୟ ଘଟିଥିଲା। ସତ୍ୟର ନିଶାଣରେ ମାଣ୍ଡେଲାଙ୍କ ଶାସନ କ୍ଷମତା ମଧ୍ୟ ଆସିଲା। ଡେସ୍‌ମଣ୍ଡ ଟୁଟୁ ସେହି ସାହସ ଓ ବିବେକର ସହ ‘ଆଫ୍ରିକୀୟ ଜାତୀୟ କଂଗ୍ରେସ’(ଏ.ଏନ୍‌.ସି.)ର ସମାଲୋଚନା ମଧ୍ୟ କରିଥିଲେ, ଯାହା ଚିର କାଳ ପାଇଁ ତାଙ୍କର ପରିଚୟ ହୋଇ ରହିଥିଲା। କ୍ଷମତା ଓ ସତ୍ୟର ସମ୍ପର୍କ କେତେ ଉଚ୍ଚ ସ୍ତରର ତାହା ସ୍ବାଧୀନତା ପରେ ଆମେ ଗାନ୍ଧୀଙ୍କ ପ୍ରସଙ୍ଗରେ ଦେଖିଥିଲେ। ଡେସ୍‌ମଣ୍ଡ ଟୁଟୁ ମଧ୍ୟ ତାହା ଦେଖିଥିଲେ। ମାତ୍ର ଫରକ ଏତିକି ଯେ ଟୁଟୁ ସେଭଳି ଅନୁଭବ ପରେ ତିକ୍ତ କି ନିରାଶ ହୋଇ ନଥିଲେ। ବିଶପ୍‌ର ନିଜସ୍ବ ପରିଚ୍ଛଦ ପରିହିତ ଟୁଟୁ ନିଜର ହସ-ମୁଖ ଢଙ୍ଗରେ ନିଜର ବାଣୀ କହି ଚାଲିଥିଲେ।

ନିଜର ପରମ ମିତ୍ର ଦଲାଇ ଲାମାଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ପ୍ରସଙ୍ଗରେ ଶାସନ କଳ ସହ ତାଙ୍କର ଟଣାଓଟରା ତୀବ୍ର ହୋଇଥିଲା। ଦଲାଇ ଲାମା ସେଠାକୁ ଆସନ୍ତୁ ବୋଲି ସରକାର ଚାହୁ ନଥିଲେ, ଟୁଟୁ କିନ୍ତୁ ଯେ କୌଣସି ପରିସ୍ଥିତିରେ ବି ‘ପୃଥିବୀ ପାଇଁ ସେଭଳି ଆଶାର ତାରକା’ଙ୍କୁ ନିଜ ଦେଶକୁ ଆଣିବାକୁ ଚାହୁଥିଲେ। ପୁଲିସ ଉଚ୍ଚ ଅଧିକାରୀଙ୍କ ଦପ୍ତରରେ ଅନ୍ତିମ ମୁହାଁମୁହିଁ ଘଟିଥିଲା, ଯେଉଁଠି ପୁଲିସ ଅଫିସର ତାଙ୍କୁ ଘୃଣାର ସହିତ କହିଥିଲେ, ‘ମୁହଁ ବନ୍ଦ କରି ନିଜ ଘରେ ବସି ରହ।’ ଡେସ୍‌ମଣ୍ଡ ଟୁଟୁ ଶାନ୍ତ ମନରେ ତଥା ସଂଯତ କଣ୍ଠରେ କହିଥିଲେ, ‘ମାତ୍ର ମୁଁ ତୁମକୁ ଜଣାଇ ଦେଉଛି କି ସେ ଜଣେ ନକଲି ଖ୍ରୀଷ୍ଟ ନୁହନ୍ତି।’ ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଡେସ୍‌ମଣ୍ଡ ସତ୍ୟ କି ସଂଯମ କିଛି ବି ଛାଡ଼ି ନ ଥିଲେ। ଗାନ୍ଧୀଙ୍କ ଭଳି ସେ ମଧ୍ୟ କହି ଯାଇଥିଲେ କି ଏହା ତାଙ୍କର ସ୍ବପ୍ନର ଦକ୍ଷିଣ ଆଫ୍ରିକା ନୁହେଁ।

ଡେସ୍‌ମଣ୍ଡ ଟୁଟୁଙ୍କର ସ୍ବପ୍ନ ସିନା ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ, ତଥାପି ସେ ଆମମାନଙ୍କ ପାଇଁ ଅନେକ ସ୍ବପ୍ନ ଛାଡ଼ି ଯାଇଛନ୍ତି, ଯାହାକୁ ପୂରଣ କରି ଆମେ ନିଜକୁ ପରିପୂର୍ଣ୍ଣ କରିପାରିବା।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ