ଆଉ କେତେ ଲୁଚିବା?

ଦେବେନ୍ଦ୍ର ସାମନ୍ତରାୟ

କୋଭିଡ୍‌-୧୯ ବା କରୋନା ଭୂତାଣୁ ଭୟରେ ଆଜି ଆମେ ସମସ୍ତେ ଲୁଚିବାକୁ ବାଧ୍ୟ ହୋଇଛୁ। ଆମର ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବହୁ ବର୍ଷ ପୂର୍ବରୁ ଯେତେବେଳେ ଚିକିତ୍ସାବିଜ୍ଞାନ ବିକଶିତ ହୋଇନଥିଲା, ସେ ସମୟରେ ପ୍ରାୟତଃ ଏମିତି ଅବସ୍ଥା ଦେଖିବାକୁ ମିଳୁଥିଲା। ‘ବାଡ଼ିବୁଢ଼ୀ’ ହେଉ କି ‘ଠାକୁରାଣୀ’; ମହାମାରୀ ରୂପ ନେଇ ଏକକାଳୀନ ଶହ ଶହ ଲୋକଙ୍କ ଜୀବନ ନେଉଥିଲେ। ଲୋକେ ଘରେ ତାଟିକବାଟ ଦେଇ ଲୁଚୁଥିଲେ ବା ଦେବାଳୟର ଶରଣ ନେଉଥିଲେ। କୁହାଯାଏ, ରୋଗଠାରୁ ବଡ଼ ଶତ୍ରୁ ନାହିଁ। ଆଉ ଶତ୍ରୁ ଯେତେବେଳେ ତୁମଠାରୁ ଢେର ଅଧିକ ଶକ୍ତିଶାଳୀ, ସେତେବେଳେ ଜୀବନରକ୍ଷାର ଏକମାତ୍ର ମାର୍ଗ ହେଲା ପଳାୟନ ଅଥବା ଆତ୍ମଗୋପନ। ନିଜେ ବଞ୍ଚିଲେ ହୁଏତ ଭବିଷ୍ୟତରେ ନିଜ ଶକ୍ତି ବୃଦ୍ଧି କରି ଶତ୍ରୁକୁ ପରାଜିତ କରିବାର ସୁଯୋଗ ମିଳପାରେ। ମାତ୍ର କେବଳ ବାହାସ୍ଫୋଟରେ ଆୟୁଧ ଓ ପ୍ରସ୍ତୁତି ବିନା ଶକ୍ତିଶାଳୀ ଶତ୍ରୁ ସହ ଯୁଦ୍ଧ କରିବାକୁ ବାହାରି ପଡ଼ିବା ଚରମ ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ।

ଇତିମଧ୍ୟରେ ଆଧୁନିକ ଚିକିତ୍ସା ବିଜ୍ଞାନ କିଛି ମହାମାରୀକୁ ନିର୍ମୂଳ କରିସାରିଛି। ବସନ୍ତ, ହଇଜା ଆଦି ମହାମାରୀ ନିଶ୍ଚିହ୍ନ ହୋଇସାରିଛନ୍ତି କିମ୍ବା ରୂପ ଓ ନାମ ବଦଳାଇ ସାରିଛନ୍ତି। ଅନେକ ମାରାତ୍ମକ ରୋଗ ପାଇଁ ପ୍ରତିଷେଧକ ଟିକା ଓ ଔଷଧ ଏବେ ସହଜରେ ଉପଲବ୍‌ଧ ହୋଇପାରୁଛି। କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ବି ଖୁବ୍‌ଶୀଘ୍ର ନୂଆ ଟିକା ଓ ଔଷଧ ପ୍ରସ୍ତୁତ ହୋଇଯିବ; ଏଥିରେ କିଛି ସନ୍ଦେହ ନାହିଁ। କିନ୍ତୁ ଏହି ଔଷଧ ବାହାରିବା ପର୍ଯ୍ୟନ୍ତ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ପାଇଁ ଘରେ କିମ୍ବା ସଂଗରୋଧରେ ରହିବା ଛଡ଼ା ଆଉ ବାଟ ନାହିଁ।

ମନରେ ପ୍ରଶ୍ନ ଉଠୁଛି, ଏମିତି ଆଉ କେତେ ଲୁଚୁଥିବା?

କିଛି ବର୍ଷ ତଳେ ଏଡ୍‌ସ ସୃଷ୍ଟିକାରୀ ଏଚ୍‌ଆଇଭି ଭୂତାଣୁ ବି ଏମିତି ପରିସ୍ଥିତି ସୃଷ୍ଟି କରିଥିଲା। ସାର୍ସ ଓ ଇବୋଲା ମଧ୍ୟ କିଛି ଦେଶରେ ଆତଙ୍କ ସୃଷ୍ଟି କରିଥିଲା। ସାର୍ସର କିଛି ଅପତ୍ୟ ବାର୍ଡ ଫ୍ଲୁ, ସ୍ବାଇନ୍‌ ଫ୍ଲୁ ଭଳି ବେମାରି ମଧ୍ୟ ହଇଚଇ ସୃଷ୍ଟି କରିଥିଲେ। ଏ ସବୁକୁ ଅନୁଧ୍ୟାନ ଓ ବିଶ୍ଳେଷଣ କରାଗଲେ ନିଃସନ୍ଦେହରେ ପୂର୍ବାନୁମାନ କରାଯାଇପାରେ ଯେ ଆଗକୁ ମଧ୍ୟ କରୋନା କିମ୍ବା ତା’ଠାରୁ ଅଧିକ ମାରାତ୍ମକ ଭୂତାଣୁ ଜନସମାଜ ଆଗରେ ଆସି ଠିଆ ହେବେ। ପୁଣି ଆମକୁ ‘ଲକ୍‌ଡାଉନ୍‌’ କି ‘ସଟ୍‌ଡାଉନ୍‌’ ଭିତରେ ରହିବାକୁ ପଡ଼ିବ। ଏହାର କ’ଣ କିଛି ସ୍ଥାୟୀ ପ୍ରତିକାର ନାହିଁ?

ସହଜ ଉତ୍ତର ହେଲା, ଏହି ଅଦୃଶ୍ୟ ଦୁଷ୍ଟଶକ୍ତି ବିରୋଧରେ ଲଢ଼ିବାକୁ ହେଲେ ଆମକୁ ତା’ଠାରୁ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ। ସାଧାରଣତଃ ଦୁର୍ବଳ ବିଶେଷ କରି କମ୍‌ ରୋଗ ପ୍ରତିରୋଧକ କ୍ଷମତାସଂପନ୍ନ ଲୋକଙ୍କୁ ହିଁ ରୋଗ ଅଧିକ ଆକ୍ରାନ୍ତ କରିଥାଏ। ତେଣୁ ମୂଳରୁ ସମସ୍ତ ନାଗରିକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଉପାୟ ଯଦି କରାଯାଆନ୍ତା ତେବେ ନିଶ୍ଚିତ ଭାବେ ଏହିସବୁ ଅଦୃଶ୍ୟ ଭୂତାଣୁଙ୍କ ଆକ୍ରମଣ ସମୟରେ କଲବଲ ହେବାକୁ ପଡ଼ନ୍ତାନାହିଁ। ଏହି କାମ କିଛି ଅସମ୍ଭବ ବ୍ୟାପାର ବି ନୁହେଁ। ପ୍ରାଚୀନ ଯୁଗରୁ ହିଁ ଭାରତବର୍ଷ ସାରା ସଂସାରକୁ ଆୟୁର୍ବେଦଠାରୁ ଆରମ୍ଭ କରି ଯୋଗ, ବ୍ୟାୟାମ ଓ ପ୍ରାଣାୟମ ଇତ୍ୟାଦି ମାଧ୍ୟମରେ ସୁସ୍ଥ ରହିବାର ଓ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାର ମାର୍ଗ ପ୍ରଦର୍ଶନ କରିଆସିଛି। କିନ୍ତୁ ସେସବୁକୁ ହେୟ ଜ୍ଞାନ କରି ଆମେ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତି ପଛରେ ଧାଇଁଛେ। ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତି ଖରାପ ନୁହେଁ। ତାତ୍କାଳିକ ଉପଶମ ପାଇଁ ଏହା ପ୍ରକୃଷ୍ଟ ଉପାୟ ହୋଇପାରେ। କିନ୍ତୁ ଚିରନ୍ତନ ସୁସ୍ଥତା ଓ ସ୍ଥାୟୀ ଉପଶମର ମାର୍ଗ କେବଳ ଆମ ଭାରତୀୟ ଚିକିତ୍ସା ପଦ୍ଧତିରେ ହିଁ ରହିଛି। କିନ୍ତୁ ଏହାର ଉପଯୁକ୍ତ ଅଧ୍ୟୟନ ହେଉନି କି ଗବେଷଣା ବି କରାଯାଉନି। ଯେଉଁଠି ସାମାନ୍ୟ ଅଧ୍ୟୟନ ଓ ଗବେଷଣା ହେଉଛି ସେଠାରେ ଏହାର ସୁଫଳ ମଧ୍ୟ ପରିଲକ୍ଷିତ ହୋଇଛି। କିଛିଦିନ ତଳେ ଦେଶର ଏକ ପ୍ରମୁଖ ଆଇଆଇଟିର ଗବେଷକଦଳ ପ୍ରାଚୀନ ଭାରତୀୟ ଔଷଧକୁ ଆଧାର କରି ଚିକନଗୁନିଆର ପ୍ରତି‌େଷଧକ ପ୍ରସ୍ତୁତ କରିଥିଲେ। ଅନ୍ୟ ଦୁଇଟି ଜାତୀୟ ଗବେଷଣା ପ୍ରତିଷ୍ଠାନ ମଧୁମେହ ଚିକିତ୍ସା ପାଇଁ ଅତ୍ୟନ୍ତ ସ୍ବଳ୍ପ ମୂଲ୍ୟର ଔଷଧ ମଧ୍ୟ ପ୍ରସ୍ତୁତ କରିଥିବା ଇତିମଧ୍ୟରେ ପ୍ରକାଶ ପାଇଛି। ଆମ ପାଖରେ ମାର୍ଗ ଥାଇ ବି ଆମେ ଅନ୍ଧାରରେ ବାଉଳି ହେଉଛେ।

କରୋନା ‘ଲକ୍‌ଡାଉନ୍‌’ ତେଣୁ ଆମକୁ ଘରେ ବସି ଚିନ୍ତା କରିବାର ଅନେକ ସୁଯୋଗ ଦେଉଛି। ଅ‌େନକ ଲୋକ ଏବେ ଘରେ ଯୋଗ, ବ୍ୟାୟାମ, ପ୍ରାଣାୟାମ ଆଦି କରୁଛନ୍ତି। ଭଲ କଥା। ଏହା କଲେ ରୋଗ ବିରୋଧରେ ଲଢ଼େଇ ପାଇଁ ଶକ୍ତି, ସାମର୍ଥ୍ୟ ଓ ନୈତିକ ବଳ ବଢ଼ିବ ବୋଲି ଅନେକଙ୍କର ଧାରଣା ରହିଛି। କିନ୍ତୁ କରୋନା ଭୟ ସରିଗଲେ ଓ ଲୋକେ ଗୃହାବଦ୍ଧ ହେବାରୁ ମୁକ୍ତ ହେଲେ ଏସବୁ ଆଉ କରିବେ କି? ତେଣୁ ଏ ଦିଗରେ ଚିନ୍ତା କରିବାର ବେଳ ଆସିଛି। ଶାସ୍ତ୍ରାନୁମୋଦିତ ଭାବେ ଏହି ଯୋଗ ପ୍ରାଣାୟମ ଇତ୍ୟାଦି ଆଦର୍ଶ ଜୀବନଚର୍ଯ୍ୟାକୁ ଯଦି ଆମେ ଆପଣାଇ ନିଅନ୍ତେ ଏବଂ ପରିବାରରେ ଏହାର ଏକ ସଂସ୍କୃତି ଆରମ୍ଭ କରାଯାଆନ୍ତା ବା ଶିକ୍ଷାନୁଷ୍ଠାନରେ ଏହା ଉପରେ ଗୁରୁତ୍ବ ଦିଆ ଯାଆନ୍ତା, ତେବେ ରୋଗ ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ମିଳିପାରନ୍ତା। ଚୀନ, ଜାପାନ ଓ କୋରିଆ ଆଦି କେତେକ ଦେଶର ସ୍କୁଲ୍‌ରେ ଶାରୀରିକ ବ୍ୟାୟାମକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଆମ ଦେଶରେ ମଧ୍ୟ ସେପରି କରାଯାଇପାରନ୍ତା। ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏହାକୁ ବାଧ୍ୟତାମୂଳକ କାର୍ଯ୍ୟ ଭାବେ ପ୍ରୟୋଗ କରାଯାଇପାରେ। କେବଳ ବ୍ୟାୟାମ ନୁହେଁ, ସମ୍ୟକ ଆହାର, ସମ୍ୟକ ବିହାର ଓ ସମ୍ୟକ ନିଦ୍ରାର ମଧ୍ୟ ଆବଶ୍ୟକତା ଅଛି। ଏଥିଲାଗି ସମସ୍ତ ଭାରତବାସୀଙ୍କ ବ୍ୟକ୍ତିଗତ ଓ ସାମୂହିକ ଆଗ୍ରହ ଦରକାର। ‘ସୁସ୍ଥ ରହିବା ଆମର ‌କେବଳ ଅଧିକ‌ାର ନୁହେଁ, କର୍ତ୍ତବ୍ୟ ମଧ୍ୟ’- ଏହି ଉକ୍ତିକୁ ଯେ ପର୍ଯ୍ୟନ୍ତ ଆମେ ହୃଦୟଙ୍ଗମ ନ କରିବା ସେ ପର୍ଯ୍ୟନ୍ତ ରୋଗକୁ ଡରି ଏମିତି ଘରେ ଲୁଚିବା ହିଁ ସାର ହେଉଥିବ।

ସମ୍ବଲପୁର
ମୋ-୯୪୩୭୩୪୮୬୩୨

ସମ୍ବନ୍ଧିତ ଖବର