ଆଧୁନିକ ଯୁଗରେ ସଫଳତା ପଛେର ମୂଷା ଦୌଡ଼ ଯେତିକି ତୀବ୍ର ହେଉଛି, ସେତିକି ଅଧିକ ଯନ୍ତ୍ର ବା ପ୍ରଯୁକ୍ତି ବା ଗ୍ୟାଜେଟ୍ ଆମ ଜୀବନ ଭିତରକୁ ପ୍ରବେଶ କରୁଛି। ସେହି ଦୃଷ୍ଟିରୁ ଇଣ୍ଟରନେଟ୍ ଭଳି ପ୍ରଯୁକ୍ତି ବିନା ଆଧୁନିକ ମଣିଷ ଦଣ୍ଡେ ଚଳି ନ ପାରିବା ଭଳି ସ୍ଥିତିରେ ପହଞ୍ଚିଥିବା ବେଳେ ତାହାର ସୁବିଧା ଅତି ସହଜରେ ମଣିଷ ପାଖରେ ପହଞ୍ଚାଇ ପାରୁଥିବା ସ୍ମାର୍ଟ୍ଫୋନ୍ ମଣିଷର ଶଯ୍ୟାସଙ୍ଗିନୀରେ ପରିଣତ ହେଲାଣି। ସୁତରାଂ, ଯଦିଓ ଏହା ସତ ଯେ ଇଣ୍ଟର୍ନେଟ୍ ଓ ସ୍ମାର୍ଟ୍ଫୋନ୍ ବିନା ଆଧୁନିକ ଜୀବନର ପରିକଳ୍ପନା କରାଯାଇ ପାରିବ ନାହିଁ, ଏହା ମଧ୍ୟ ଆହୁରି ଏକ ବଡ଼ ସତ୍ୟ ଯେ ଇଣ୍ଟର୍ନେଟ୍ ଓ ସ୍ମାର୍ଟ୍ଫୋନ୍ ଏକ ନିଶା ଭଳି ମାନବ ସମାଜକୁ ଗ୍ରାସ କରି ସାରିଲାଣି। ଆମେରିକାର ମନୋଚିକିତ୍ସକମାନେ ତ ଏହାର ମାତ୍ରାତିରିକ୍ତ ଅନୁରକ୍ତିକୁ ମାନସିକ ବ୍ୟାଧିର ଉପସର୍ଗ ଭାବେ ଦେଖିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ପାଠକମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବା ଦରକାର ଯେ ମୁଖ୍ୟତଃ ଦୁଇଟି ପଦ୍ଧତିରେ ମାନସିକ ବ୍ୟାଧିର ବର୍ଗୀକରଣ କରାଯାଇଥାଏ। ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଦ୍ବାରା କରାଯାଉଥିବା ମାନସିକ ରୋଗର ବର୍ଗୀକରଣର ପଦ୍ଧତିକୁ ଅଧିକାଂଶ ୟୁରୋପୀୟ ଦେଶ ଅନୁସରଣ କରନ୍ତି। ଅନ୍ୟ ପଦ୍ଧତିଟି ଆମେରିକାର ‘ମନୋଚିକିତ୍ସକ ପରିଷଦ’ ଦ୍ବାରା ଅନୁସୃତ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଯୁଦ୍ଧଫେରନ୍ତା ସୈନିକମାନଙ୍କ ମାନସିକ ବିକୃତିର ଅନୁଧ୍ୟାନ ପରେ ୧୯୫୨ ମସିହାରେ ଆମେରିକାରେ ମାନସିକ ବିକୃତି ନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଥିଲା। ଉଲ୍ଲେଖନୀୟ ଯେ ସମୟାନ୍ତରେ ଏହି ମାର୍ଗଦର୍ଶିକାର ନବୀକରଣ କରାଯାଇଥାଏ, ନୂଆ ତଥ୍ୟମାନ ଯୋଡ଼ା ଯାଇଥାଏ। ଏହି ମାର୍ଗଦର୍ଶିକାର ୨୦୧୩ ମସିହାର ସଂସ୍କରଣରେ ‘ଇଣ୍ଟରନେଟ୍ ନିଶା’କୁ ଏକ ମାନସିକ ବିପର୍ଯ୍ୟୟ ରୂପେ ବର୍ଣ୍ଣନା କରାଯାଇଛି।
ମନସ୍ତତ୍ତ୍ବବିତ୍ମାନେ କହନ୍ତି ଯେ ଆନନ୍ଦ ଲାଭର କାମନା ମନୁଷ୍ୟକୁ କ୍ରିୟାଶୀଳ କରି ରଖେ। ଯୌନ କାମନାର ପରିପୂରଣ ଠାରୁ ଆରମ୍ଭ କରି ସଫଳତା ଲାଭ କରିବାର କାମନା ପର୍ଯ୍ୟନ୍ତ ଅସୁମାରି କାମନା ଏହାର ଅନ୍ତର୍ଭୁକ୍ତ। କାମନା ପୂରଣର ଆଗ୍ରହ ଅବଲୀଳା କ୍ରମେ ଅପ୍ରତିରୋଧ୍ୟ ହୋଇ ଏକ ଦୁର୍ବାର ନିଶାରେ ପରିଣତ ହୋଇଥାଏ। ବିଶେଷଜ୍ଞମାନେ ଲକ୍ଷ୍ୟ କରିଛନ୍ତି ଯେ କାମନା ପରିପୂରଣ ଲାଗି କାର୍ଯ୍ୟ କରିବାର ନିଶା ମସ୍ତିଷ୍କରେ ଡୋପାମାଇନ୍ର କ୍ଷରଣ ଘଟାଇଥାଏ। ଏହା ସେହି ବ୍ୟକ୍ତିକୁ ନିଜ କାର୍ଯ୍ୟରେ ମଧ୍ୟ ଆନନ୍ଦାନୁଭୂତି ଦେଇଥାଏ। ଇଣ୍ଟରନେଟ୍ର ବ୍ୟବହାର ମଧ୍ୟ ସେହିଭଳି ବ୍ୟବହାରକାରୀର ମନରେ ସୁଖାନୁଭୂତି ସୃଷ୍ଟି କରିଥାଏ, ଯେଉଁ କାରଣରୁ ଏବେ ଅସଂଖ୍ୟ ଇଣ୍ଟରନେଟ୍ ‘ଆଡିକ୍ଟ’ ବା ନିଶାଗ୍ରସ୍ତ ସୃଷ୍ଟି ହେଲେଣି।
ଗବେଷଣାରୁ ଦେଖାଯାଇଛି ଯେ ଅଧିକରୁ ଅଧିକ ଇ-ମେଲ୍ ଖୋଲି ଦେଖିବାର ଆଗ୍ରହ ମାନସିକ ଚାପ ବୃଦ୍ଧି କରିବାର କାରଣ ହେଉଛି। ଅତୀତରେ ହୁଏ’ତ ଗୋଟିଏ ଦିନରେ ଦୁଇ-ତିନିଟି ଆବେଗପୂର୍ଣ୍ଣ ଚିଠି ବା ସନ୍ଦେଶ ମିଳୁଥିଲା, ଯାହାର ପ୍ରତିକ୍ରିୟା ସାମୟିକ ମାନସିକ ଚାପ ସୃଷ୍ଟି କରୁଥିଲା। ଆଜି କିନ୍ତୁ ଆମ ‘ଇନବକ୍ସ’ଗୁଡ଼ିକରେ ଇ-ମେଲ୍ର ଝଡ଼ ସୃଷ୍ଟି ହୋଇଛି, ଯେଉଁଠି ପ୍ରତ୍ୟହ ଶହ ଶହ ଚିଠି ଆସୁଛନ୍ତି ଏବଂ କେଉଁ ଚିଠିରେ କି ବାର୍ତ୍ତା ଅଛି ତାହା ଜାଣିବା ମାତ୍ରାଧିକ ଆଗ୍ରହ ସୃଷ୍ଟି କରୁଛି। ଧାଡ଼ିକିଆ ଇ-ମେଲ୍ରେ ଦାରୁଣ ସମ୍ବାଦ (ଚାକିରିରୁ ଛଟେଇ ଭଳି) କ୍ଷଣିକରେ ପହଞ୍ଚି ଯାଉଥିବାରୁ ପ୍ରାପକ ମନରେ ଚାପ ଓ ଚାଞ୍ଚଲ୍ୟ ସୃଷ୍ଟି ହେଉଛି। ଏହି କାରଣରୁ ଆଡ୍ରେନାଲିନ୍ ଏବଂ କର୍ଟିସଲ୍ର କ୍ଷରଣ ଅଧିକ ହେଉଛି। ଏ କଥା କହିବା ଅନାବଶ୍ୟକ ଯେ ମାତ୍ରାଧିକ ହରମୋନ୍ର କ୍ଷରଣ ଶରୀର ଏବଂ ମନ ଉପରେ କୁପ୍ରଭାବ ପକାଇଥାଏ।
ଏବେ ସଦ୍ୟତମ ଗବେଷଣା କହୁଛି ଯେ ଏଭଳି ମାନସିକ ସ୍ଥିତି ଯେଉଁ ସ୍ନାୟୁଗତ ଅବସ୍ଥା ସୃଷ୍ଟି କରୁଛି, ତହିଁରେ ଇଣ୍ଟରନେଟ୍ ନିଶାଗ୍ରସ୍ତ ବ୍ୟକ୍ତିର ନିଷ୍ପତ୍ତି ଗ୍ରହଣ କରିବାର ସାମର୍ଥ୍ୟରେ ବାଧକ ସୃଷ୍ଟି କରୁଛି। କାରଣ ଆବେଗର ସମନ୍ୱୟ ସହିତ ସମ୍ପୃକ୍ତ ଥିବା ମସ୍ତିଷ୍କର ଅଂଶରେ କ୍ଷୟ ପରିଲକ୍ଷିତ ହେଉଛି। ତେଣୁ ଶେଷରେ କୁହାଯାଇପାରେ କି ସ୍ମାର୍ଟଫୋନ୍କୁ ଶଯ୍ୟାସଙ୍ଗିନୀରେ ପରିଣତ କରିଥିବା ମନୁଷ୍ୟମାନେ ଏକ ପ୍ରକାର ମାନସିକ ବିକୃତି ସଂପନ୍ନ। ଏହା ସେମାନଙ୍କ ଦୈନନ୍ଦିନ ଜୀବନକୁ ଅସନ୍ତୁଳିତ କରୁଛି। ହରମୋନ କ୍ଷରଣର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡୁଛି ଓ ସ୍ନାୟୁଗତ (ମସ୍ତିଷ୍କଗତ) ଅସ୍ୱାଭାବିକତା ସୃଷ୍ଟି ହେଉଛି। ଏଥିରୁ ମୁକ୍ତି ପାଇବାର ପ୍ରୟାସ ନିତାନ୍ତ ଆବଶ୍ୟକ।
ମୋ- ୯୪୩୭୧୨୧୨୭୯