ଈଶ୍ୱର ବିଶ୍ୱାସ

ଆମରି କଥା - ନାରାୟଣ ମିଶ୍ର

ଦ୍ରୌପଦୀଙ୍କ ସ୍ବୟଂମ୍ବରକୁ ଶ୍ରୀକୃଷ୍ଣଙ୍କ ସହ ଗଲା ବେଳେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ପଚାରିଲେ- ‘ସଖା, ତୁମେ ସେଠାରେ ଆୟୋଜନ ବିଷୟରେ ତ ଜାଣିଥିବ। ଅହରହ ବୁଲୁଥିବା (ଖୁମ୍ବରେ ଲାଗିଥିବା) ଗୋଟିଏ ଚକ୍ରରେ ମାଛଟିଏ ଖଞ୍ଜାଯାଇଛି। ଖୁମ୍ବ ତଳେ ପାଣି ଅଛି ଯେଉଁଥିରେ ଚକ୍ର ଓ ମାଛର ପ୍ରତିବିମ୍ବ ସ୍ପଷ୍ଟ ଦେଖାଯାଉଛି। ପ୍ରତିବିମ୍ବକୁ ଚାହିଁ ଯେଉଁ ବ୍ୟକ୍ତି ଚକ୍ର ଉପର ମାଛର ଆଖିରେ ଶର ବିଦ୍ଧ କରିପାରିବ, ତା’ରି ବେକରେ ହିଁ ଦ୍ରୌପଦୀ ବରଣମାଳା ଦେବେ- ପାରିବ ତ?’ ଅର୍ଜୁନ କହିଲେ- ‘ସଖା, ଏ ଯାବତ୍‌ ମୋର ଲକ୍ଷ୍ୟ ଭ୍ରଷ୍ଟ ହୋଇନାହିଁ। ତୁମେ ଜାଣ, ଧନୁର୍ବିଦ୍ୟାରେ ମୁଁ ପାରଙ୍ଗମ। ତେଣୁ ମୁଁ ଭାବୁଛି, ମୁଁ ନିଶ୍ଚୟ ସଫଳ ହେବି।’ ଭଗବାନ କହିଲେ- ‘ତୁମର ଆତ୍ମବିଶ୍ବାସ କଥା ଶୁଣି ମୋତେ ଖୁସି ଲାଗିଲା; କିନ୍ତୁ ‘କରିବା’ ତୁମର ଅଧୀନ, କିନ୍ତୁ ‘ହେବା’ ତୁମ ଅଧୀନରେ ନାହିଁ।’ ଅର୍ଜୁନ କହିଲେ- ‘ମୁଁ ତ ସବୁ କରିବି, ତୁମେ ତା’ହେଲେ କ’ଣ କରିବ? ତୁମେ ମୋ ସଙ୍ଗରେ ଥିବା ଯୋଗୁ ହିଁ ମୁଁ ଭବିଷ୍ୟତ୍‌ କଥା ତୁମ ଭରସାରେ କହି ଦେଲି।’ ଶ୍ରୀକୃଷ୍ଣ କହିଲେ- ‘ଠିକ୍‌ କଥା, କିନ୍ତୁ ତୁମେ ସଫଳ ହେବାର ସମ୍ଭାବନା ଅଧିକ ବୋଲି କହିବା କଥା। ତୁମେ ଦକ୍ଷ ମୁଁ ଜାଣେ, ତଥାପି ଫଳଟାକୁ ମୁଁ ସବୁବେଳେ ମୋ ହାତରେ ରଖିଥାଏ। ତୁମର ମୋ ଉପରେ ଥିବା ବିଶ୍ବାସର ମାତ୍ରାନୁସାରେ ଭବିଷ୍ୟତ୍‌ ମୁଁ ନିର୍ଣ୍ଣୟ କରିବି।’ ଅର୍ଜୁନ କହିଲେ- ‘ପ୍ରଭୁ, ଗୋଟିଏ ପ୍ରଶ୍ନ ପଚାରିବାକୁ ମନ ହେଉଛି। ସତରେ କ’ଣ ମଣିଷ କାମନା ରହିତ ହୋଇ ଚଳିପାରିବ ବା କୌଣସି କାମ କରିପାରିବ? ଦ୍ବିତୀୟତଃ ତୁମେ ଦକ୍ଷ ବା କର୍ମନିଷ୍ଠ ଲୋକଙ୍କ ପାଇଁ ତୁମେ କେଉଁ ବାକି କାମ କର- ସେ ତ ସବୁ କରେ!’ ଶ୍ରୀକୃଷ୍ଣ କହିଲେ- ‘କାମନା ଦୁଇ ପ୍ରକାର, ସ˚ସାରରେ ଥିବା ଏବ˚ ପରିଶେଷରେ ଏଇଠାରେ ହିଁ ରହି ଯାଉଥିବା ଜିନିଷ ପାଇବାକୁ ଇଚ୍ଛା କରିବା କାମନା ବିଷ ସଦୃଶ। କାରଣ ଏହା ଅସ୍ଥାୟୀ ଓ ଅନିତ୍ୟ। ନିତ୍ୟ ଓ ସ୍ଥାୟୀ ଜିନିଷ ହେଲା ଜନ୍ମ-ମୃତ୍ୟୁ ଚକ୍ରରୁ ବାହାରକୁ ଯିବା ଓ ସେଥି ପାଇଁ ଈଶ୍ବରଙ୍କ ପ୍ରତି ଭକ୍ତି ଓ ବିଶ୍ବାସ ଆଣିବାକୁ ପ୍ରାର୍ଥନା କରିବା। ଭଗବାନ ତିନି ପ୍ରକାର ଭକ୍ତଙ୍କ କାମନା ପୂରଣ କରନ୍ତି। ସାଧକ ଭକ୍ତ, ସିଦ୍ଧ ଭକ୍ତ ଓ ବିଷୟା ଭକ୍ତ। ନିଷାଦ ରାଜ ଥିଲେ ସିଦ୍ଧ ଭକ୍ତ। ଜ୍ଞାନୀ ଭକ୍ତ ପରି ସେ ପୂର୍ଣ୍ଣତ୍ବ ଲାଭ କରି ଭଗବାନଙ୍କ ପ୍ରିୟ ହୋଇଥିଲେ। ବିଭୀଷଣ ଥିଲେ ସାଧକ ଭକ୍ତ। ସେ ଅହରହ ଭଗବତ୍‌ ପ୍ରାପ୍ତିର ସାଧନାରେ ଅଗ୍ରସର ହେଉଥିଲେ। ସୁଗ୍ରୀବ ଥିଲେ ବିଷୟୀ ଭକ୍ତ ଯେ କେବଳ ବିପଦ ସମୟରେ ଭଗବାନଙ୍କୁ ଆତୁର ହୋଇ ଡାକିଥିଲେ। ତା’ ଆତୁରତାର ମାତ୍ରା ଦେଖି ଭଗବାନ ପ୍ରସନ୍ନ ହୁଅନ୍ତି ଓ ତାକୁ ବିପଦରୁ ଉଦ୍ଧାର କରନ୍ତି। ଦ୍ବିତୀୟ ପ୍ରଶ୍ନ ତୁମ ବିଷୟରେ ତୁମେ ପଚାରୁଛ। ତୁମେ ଭାବୁଛ, ମୁଁ ତ ଦକ୍ଷ, ମୁଁ ତ ନିଶ୍ଚୟ ମାଛ ଆଖିରେ ଶର ବିଦ୍ଧ କରିପାରିବି- ତେବେ ଏଥିରେ ଭଗବାନଙ୍କର ଭୂମିକା କେଉଁଠି?’

ଶୁଣ, ତୁମେ ପାଣିକୁ ଚାହିଁ ଉପରେ ଘୂରୁଥିବା ଚକ୍ରରେ ଖଞ୍ଜା ଯାଇଥିବା ମାଛ ଆଖିକୁ ତୀର ମାରିବ। ମୋର ଭୂମିକା ହେଲା, ତଳ ପାଣିକୁ ସ୍ଥିର ରଖିବା ଏବ˚ ତୁମ ତୀରକୁ ମାଛ ଆଖି ପାଖକୁ ନେବା। ସେଇଥିପାଇଁ କହୁଛି ଯେ ‘କରିବା’ ତୁମର ଆୟତ୍ତ କିନ୍ତୁ ‘ହେବା’ ମୋ ନିୟନ୍ତ୍ରଣରେ। ତୁମର ମୋ ଉପରେ ଥିବା ଅଖଣ୍ତ ବିଶ୍ବାସ ଯୋଗୁ ହିଁ ମୁଁ ତୁମକୁ ତୁମ କାର୍ଯ୍ୟରେ ସଫଳ କରାଇବାକୁ ବାଧୢ। ଈଶ୍ବରଙ୍କ ଉପରେ ବିଶ୍ବାସ ହିଁ ସଫଳତାର ମୂଳମନ୍ତ୍ର। ଛୋଟ ଗପଟିଏ କହୁଛି। ଥରେ କେତେକ ଛେଳି ଚରୁ ଚରୁ ବଣ ଭିତରକୁ ଚାଲିଗଲେ। ସନ୍ଧ୍ୟା ପୂର୍ବରୁ ସମସ୍ତ ଛେଳି ଫେରି ଆସିଲେ ବି ଛୋଟ ଛେଳି ଛୁଆଟିଏ ରହିଗଲା। ଏଠି ସେଠି ବୁଲିବା ପରେ ସେ ହଠାତ୍‌ ସି˚ହର ପାଦଚିହ୍ନ ଦେଖି ସେଇ ରାସ୍ତାରେ ଗଲା। ସି˚ହ ଗୁମ୍ଫା ନିକଟରେ ଠିଆ ହୋଇ ରହିଲା। ଅନ୍ୟାନ୍ୟ ଶିକାରୀ ଜନ୍ତୁ ଯଥା ଶିଆଳ, ବଣ ଗଧିଆ ଇତ୍ୟାଦି ତାକୁ ଆକ୍ରମଣ କରିବାକୁ ଆସିବା ମାତ୍ରେ ସେ କହିଲା- ଏ ପାଦ ଚିହ୍ନ ଦେଖ, ଏ ଗୁମ୍ଫାର ମାଲିକ ପଶୁରାଜ ସି˚ହ ମୋତେ ଆଶ୍ରୟ ଦେଇ ବୁଲିବାକୁ ଯାଇଛନ୍ତି। ଏହା ଶୁଣି ସମସ୍ତେ ସେ ଜାଗା ଛାଡ଼ି ଚାଲିଗଲେ। ପଶୁରାଜ ସି˚ହ ଗୁମ୍ଫା ନିକଟକୁ ଆସି ଅନ୍ୟମାନଙ୍କ ଠାରୁ ଛେଳି ଛୁଆର ତା’ ଉପରେ ଥିବା ନିଷ୍କପଟ ବିଶ୍ବାସ କଥା ଶୁଣି ଭାରି ଖୁସି ହୋଇ ହାତୀକୁ ଡାକି ତାକୁ ପିଠିରେ ବସାଇ ପ୍ରତିଦିନ ବୁଲାଇବାକୁ ନେବା ପାଇଁ ଆଦେଶ ଦେଲା।

ଶ୍ରୀକୃଷ୍ଣ କହିଲେ- ଶୁଣ ଅର୍ଜୁନ, ଧ୍ରୁବଙ୍କର ତପସ୍ୟା କରିବାର ବୟସ ହୋଇଥିଲା କି? ଗଜେନ୍ଦ୍ର ପାଖରେ କୌଣସି ବିଶେଷ ବିଦ୍ୟା ଥିଲା କି? ଯଦୁପତି ଉଗ୍ରସେନଙ୍କର କିଛି ପରାକ୍ରମ ଥିଲା କି? କୁବ୍‌ଜା ସୁନ୍ଦରୀ ଥିଲା କି? ସୁଦାମା ପାଖରେ ମୋତେ କିଛି ଦେବା ପାଇଁ ଧନ ଥିଲା କି? କେବଳ ଏତିକି ନୁହେଁ, ନିଷାଦରାଜ, ସୁଗ୍ରୀବ, ବିଭୀଷଣ, ହନୁମାନ ଏପରିକି ବୃତ୍ରାସୁର ଓ ପୂତନା ଇତ୍ୟାଦି ସେମାନଙ୍କର ମୋ ଉପରେ ଥିବା ବିଶ୍ବାସ ଯୋଗୁ ମୋ ଆଶୀର୍ବାଦ ପାଇପାରିଲେ। ‘ମୁଁ ତୁମର’ ବୋଲି ବିଶ୍ବାସ ଆସିଲେ ‘ତୁମେ ବି ମୋର’ ହୋଇଯିବ।

ଗୁରୁକୃପା, ୪୯/୬୦୦
ଲକ୍ଷ୍ମୀବିହାର, ଭୁବନେଶ୍ବର-୫

ସମ୍ବନ୍ଧିତ ଖବର