ନୂଆ ବର୍ଷ ୨୦୨୨ ଅନେକ ବାର୍ଷିକୀ ପାଳନର ବର୍ଷ ହେବ; ଯେମିତି କି ଶ୍ରୀଅରବିନ୍ଦଙ୍କ ଜନ୍ମର ସାର୍ଦ୍ଧ ଶତବାର୍ଷିକୀ, ଅସହଯୋଗ ଆନ୍ଦୋଳନ ବେଳେ ମହାତ୍ମା ଗାନ୍ଧୀଙ୍କ ଗିରଫଦାରିର ଶତବାର୍ଷିକୀ, ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭର ଅଶୀତିତମ ବାର୍ଷିକୀ, ସ୍ବାଧୀନତାର ପଞ୍ଚସ୍ତରିତମ ବାର୍ଷିକୀ, ପ୍ରଥମ ସାଧାରଣ ନିର୍ବାଚନର ସତୁରିତମ ବାର୍ଷିକୀ ଓ ଭାରତ-ଚୀନ୍ ଯୁଦ୍ଧର ଷାଠିଏତମ ବାର୍ଷିକୀ।
ଏହି ସବୁ ବାର୍ଷିକୀ ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କ ଦ୍ବାରା ମହାଡ଼ମ୍ବରରେ ପାଳିତ ହେବ, ପ୍ରତ୍ୟେକ ଉତ୍ସବ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବ ଉପାସନାକୁ ଅଧିକ ପ୍ରୋତ୍ସାହିତ କରିବ। ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ମହନୀୟତା, ସ୍ବାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଓ ବଳିଦାନ, ଭାରତୀୟ ଗାଣତନ୍ତ୍ରିକ ପରମ୍ପରାର ସୁଗଭୀର ତଥା ସ୍ଥାୟୀ ଆଧାର ଏବଂ ବିଦେଶୀ ପ୍ରତିପକ୍ଷର ସମ୍ମୁଖୀନ ହେବା ପାଇଁ ଭାରତୀୟ ସେନାକୁ ଆଉ କେବେ ଦୁର୍ବଳ ପ୍ରସ୍ତୁତି ପାଇଁ ଅନୁମତି ଦେଉ ନ ଥିବା ନିଜ ସରକାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସରଗରମ ଭାଷଣ ଦେବେ।
ତେବେ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ କ୍ୟାଲେଣ୍ଡର୍ରୁ ଗୋଟିଏ ବାର୍ଷିକୀର ପାଳନ ଗାଏବ ହୋଇଯିବ ବୋଲି ମୁଁ ଆଶଙ୍କା ପ୍ରକଟ କରୁଛି। ତାହା ହେଉଛି ୨୦୦୨ ଫେବ୍ରୁଆରି-ମାର୍ଚ୍ଚ ଗୁଜରାଟ ଦଙ୍ଗାର ବିଂଶତମ ବାର୍ଷିକୀ। ବାସ୍ତବରେ ସେହି ଘଟଣା ପରିପ୍ରେକ୍ଷୀରେ ‘ଦଙ୍ଗା’ ଶବ୍ଦଟି ଏକ ଶିଷ୍ଟୋକ୍ତି ମାତ୍ର; ନୋହିଲେ ଯାହା ଘଟିଥିଲା ତା’ ପାଇଁ ପ୍ରକୃତ ଶୁଦ୍ଧ ଶବ୍ଦ ହେଉଛି ‘ଗଣହତ୍ୟା’, ଯେହେତୁ କେବଳ ମୁସଲମାନ ସମ୍ପ୍ରଦାୟଙ୍କୁ ନିଶାଣ କରି ମୁଖ୍ୟତଃ ହିଂସା ରଚାଯାଇଥିଲା।
ଐତିହାସିକମାନଙ୍କ ପାଇଁ ୨୦୦୨ରେ ଗୁଜରାଟର ମୁସଲମାନମାନଙ୍କ ବିରୋଧରେ ଗଣହତ୍ୟା ଓ ତାହାର ଅଠର ବର୍ଷ ତଳେ ଦିଲ୍ଲୀର ଶିଖ୍ମାନଙ୍କ ବିରୋଧରେ ସଂଘଟିତ ଗଣହତ୍ୟା ମଧ୍ୟରେ କିଛି ମର୍ମଭେଦୀ ସାମଞ୍ଜସ୍ୟ ରହିଛି। ୧୯୮୪ରେ ଅଙ୍ଗରକ୍ଷୀଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ଘଟଣା ହଜାର ହଜାର ନିରୀହ ଶିଖ୍ଙ୍କ ବିରୋଧରେ ଅସଭ୍ୟ ପ୍ରତିଶୋଧ ନେବା ପାଇଁ ଉସୁକାଇଥିଲା। ୨୦୦୨ରେ ସାବରମତୀ ଏକ୍ସପ୍ରେସ୍ ଟ୍ରେନ୍ରେ ୫୯ ଜଣ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଜାଳି ଦେବା ଘଟଣା ହଜାର ହଜାର ନିରୀହ ମୁସଲମାନମାନଙ୍କ ବିରୋଧରେ ଅନୁରୂପ ଅସଭ୍ୟ ପ୍ରତିଶୋଧ ନେବା ପାଇଁ ପ୍ରରୋଚିତ କରିଥିଲା। ଉଭୟ କ୍ଷେତ୍ରରେ ଶାସକ ଦଳ ଓ ସରକାର ନିରବଦ୍ରଷ୍ଟା ସାଜି ହିଂସାକୁ ପ୍ରଶ୍ରୟ ଦେଇଥିଲେ ଏବଂ ଦଙ୍ଗାକୁ ଧର୍ମୀୟ ସଂଖ୍ୟାଲଘୁଙ୍କ ବିରୋଧରେ ଗଣହତ୍ୟାର ରୂପ ନେବାକୁ ଅନୁମତି ଦେଇଥିଲେ। ଉଭୟ ଗଣହତ୍ୟା ପାଇଁ ଯେଉଁ ରାଜନେତାମାନେ ଦାୟୀ, ସେମାନେ ହେଲେ ଯଥାକ୍ରମେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେମାନେ ଏହି ହିଂସାକୁ ପୁଞ୍ଜି କରି ପରବର୍ତ୍ତୀ ନିର୍ବାଚନରେ ବିଜୟୀ ହୋଇଥିଲେ, ସେମାନଙ୍କ ପ୍ରଚାର ମଧ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ଘୃଣା ଓ ଅପବାଦଭରା ରହିଥିଲା।
ଏହି ଦୁଇ ଗଣହତ୍ୟା ମଧ୍ୟରେ କିଛି ଦୃଶ୍ୟମାନ ସାମଞ୍ଜସ୍ୟ ଏବଂ କିଛି ଉଲ୍ଲେଖନୀୟ ପାର୍ଥକ୍ୟ ମଧ୍ୟ ରହିଛି। ପ୍ରଥମତଃ ୧୯୮୪ରେ ଶିଖ୍ଙ୍କ ଉପରେ ବିଷୋଦ୍ଗାର କରିଥିବା ଘଟଣାରେ କଂଗ୍ରେସ ଅନ୍ତତଃ ପରେ ସୁଧାର ଆଣିଥିଲା। ଅବଶ୍ୟ ନିଃସନ୍ଦେହରେ ଏଥି ଲାଗି ଦୀର୍ଘ ସମୟ ଲାଗିଥିଲା। ୧୯୯୯ରେ କଂଗ୍ରେସ ଅଧ୍ୟକ୍ଷା ହେବା ପରେ ପରେ ସୋନିଆ ଗାନ୍ଧୀ ପଶ୍ଚାତ୍ତାପ ସ୍ବରୂପ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନରେ ଯାଇଥିଲେ, ଯଦିଓ ସେ ଔପଚାରିକ କ୍ଷମା ପ୍ରାର୍ଥନାରୁ ଟିକିଏ ପଛେଇ ଯାଇଥିଲେ। ତେବେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ ୨୦୦୪ରେ କ୍ଷମତାକୁ ଆସିବା ପରେ ଏହାର ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, କଂଗ୍ରେସର ଜଣେ ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ ଜାଣତରେ ଯାହା ଘଟିଥିଲା, ସେଥିପାଇଁ ସର୍ବସମକ୍ଷରେ କ୍ଷମା ମାଗିଥିଲେ। ଶିଖ୍ ସମ୍ପ୍ରଦାୟକୁ କ୍ଷମା ମାଗିବାରେ ଆଦୌ ସଂକୋଚ କରୁନାହାନ୍ତି ବୋଲି ୨୦୦୫ ଅଗଷ୍ଟରେ ସଂସଦରେ ଡ. ସିଂହ ଟିପ୍ପଣୀ କରି କହିଥିଲେ, ‘କେବଳ ଶିଖ୍ ସମ୍ପ୍ରଦାୟ କାହିଁକି, ସମଗ୍ର ଭାରତକୁ ମୁଁ କ୍ଷମା ମାଗୁଛି, କାରଣ ୧୯୮୪ରେ ଯାହା ଘଟିଗଲା ତାହା ଆମ ସମ୍ବିଧାନରେ ପ୍ରତିଷ୍ଠିତ ରାଷ୍ଟ୍ରୀୟତା ପରିକଳ୍ପନାକୁ ଅସ୍ବୀକାର କରିଛି।’
ବାସ୍ତବରେ, ଡ. ସିଂହ ଏହି କ୍ଷମା ପ୍ରାର୍ଥନା କଲା ବେଳକୁ ଶିଖ୍ମାନେ ପୁଣି ଦେଶ ସହ ମିଳାମିଶା କରି ଯୋଡ଼ି ହୋଇ ସାରିଥିଲେ। ୨୦୦୫ ଏପ୍ରିଲରେ ମୁଁ ପଞ୍ଜାବ ବୁଲି ଯାଇଥିଲି ଏବଂ ଦଳେ ଶିଖ୍ ସ୍କୁଲ୍ ସହପାଠୀଙ୍କ ସହ ଦୀର୍ଘ ଆଲୋଚନା କରିଥିଲି। ସେମାନେ କହିଥିଲେ କି ପ୍ରଧାନମନ୍ତ୍ରୀ ଭାବରେ ଡ. ମନମୋହନ ସିଂହ, ସ୍ଥଳ ସେନା ମୁଖ୍ୟ ଭାବେ ଜେନେରାଲ ଜେ.ଜେ. ସିଂହ (ପ୍ରଥମ ଶିଖ୍) ଓ ଯୋଜନା ଆୟୋଗର ଉପାଧ୍ୟକ୍ଷ ଭାବେ ମଣ୍ଟେକ ସିଂହ ଆହ୍ଲୁଵାଲିଆଙ୍କୁ ପାଇ ଶିଖ୍ମାନେ ଆଶ୍ବସ୍ତ ଯେ ସେମାନେ ଭାରତ ମାଟିର ସମାନ ନାଗରିକ ଭାବେ ବିବେଚିତ। ନିଶ୍ଚିତ ଭାବରେ କଂଗ୍ରେସ କେବେ ଏପରି ସାନ୍ନିଧ୍ୟ ପାଇଁ ଯୋଜନା କରିନଥିଲା, ମାତ୍ର ତିନି ଜଣ ଶିଖ୍ଙ୍କୁ ରାଜନୀତି, ସାମରିକ ଓ ଅର୍ଥନୀତି କ୍ଷେତ୍ରରେ ଏପରି ଶୀର୍ଷରେ ବସାଇବା ହିଁ ପ୍ରଭୂତ ପ୍ରତୀକାତ୍ମକ ଗୌରବ ବହନ କରୁଛି।
ଶିଖ୍ ବିରୋଧୀ ଗଣହତ୍ୟାର କୋଡ଼ିଏ ବର୍ଷ ପରେ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଆହତ ଭାବନା ସଂପୂର୍ଣ୍ଣ ରୂପେ ନ ହେଲେ ବି ଉଲ୍ଲେଖନୀୟ ଭାବେ ଶାନ୍ତ ହୋଇ ଯାଇଛି। ଅପର ପକ୍ଷେ, ଗୁଜରାଟର ମୁସଲମାନମାନେ ୨୦୦୨ରେ ଯେମିତି ରହିଥିଲେ ସେମିତି ଭୟାତୁର ଓ ଅସୁରକ୍ଷିତ ହୋଇ ରହିଛନ୍ତି। ନରେନ୍ଦ୍ର ମୋଦୀ କି ଅନ୍ୟ କୌଣସି ବିଜେପି ନେତାଙ୍କ ଠାରୁ ସାମାନ୍ୟତମ କ୍ଷମା ପ୍ରାର୍ଥନା କି ଅନୁଶୋଚନାର ସଂକେତ ମିଳିନାହିଁ। ମୋଦୀ ଏବଂ ତାଙ୍କ ଦଳ ଡ. ସିଂହ ଓ କଂଗ୍ରେସକୁ ଏକ ବିପରୀତ ଶିକ୍ଷାଟି ଦେଇଛନ୍ତି ଯେ ଥରେ ପ୍ରତ୍ୟକ୍ଷ ହିଂସାରେ ମୁସଲମାନ ସଂଖ୍ୟାଲଘୁଙ୍କୁ ଭୟଭୀତ ଓ ଆତଙ୍କିତ କରିବା ପରେ ସେମାନେ ଏବେ ବହୁସଂଖ୍ୟକବାଦ ପ୍ରକଳ୍ପକୁ ଦ୍ବିଗୁଣା କରିପାରିବେ ଏବଂ ଶାସନକଳକୁ ନିଜ ନିୟନ୍ତ୍ରଣରେ ରଖି ଅନ୍ୟ ଧର୍ମର, ବିଶେଷ କରି ମୁସଲମାନ ଭାରତୀୟଙ୍କ ଉପରେ ହିନ୍ଦୁଙ୍କ ଇଚ୍ଛାକୁ ଲଦିଦେବେ।
ଯଦିଓ ଅସମ୍ଭବ ନୁହେଁ, ତଥାପି ଜଣେ ମୁସଲମାନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ବିଜେପି ଶାସିତ ଭାରତ କଳ୍ପନା କରିବା କଷ୍ଟକର, ସେମିତି ଯୋଗ୍ୟତା ଥାଇ ବି କୌଣସି ସେନାବାହିନୀର ମୁଖ୍ୟ ଭାବେ ଜଣେ ମୁସଲମାନଙ୍କୁ ଦେଖିବା ମଧ୍ୟ। ଲୋକସଭାରେ ବିଜେପିର ତିନି ଶହ ସରିକି ସାଂସଦଙ୍କ ମଧ୍ୟରେ ଜଣେ ବି ମୁସଲମାନ ନାହାନ୍ତି। ଏହା ବ୍ୟତୀତ ଜାତୀୟ କି ରାଜ୍ୟସ୍ତରୀୟ ନିର୍ବାଚନ ପ୍ରଚାରରେ ଦଳ ‘ବିପଦରେ ହିନ୍ଦୁ’ ଭାବନାକୁ ଆଣି ନିଜର ସଶକ୍ତ ମତଦାତାମାନଙ୍କ ମଧ୍ୟରୁ ମୁସଲମାନମାନଙ୍କୁ ସଂପୂର୍ଣ୍ଣ ଭାବେ ବାଦ୍ ଦେବାକୁ ଚାହୁଛି। ଦୈନନ୍ଦିନ ଜୀବନରେ ସତ୍ତାରୂଢ଼ ଶକ୍ତି ସହ ଜଡ଼ିତ ଗୋଷ୍ଠୀ ରାସ୍ତାରେ ଘୂରି ଘୂରି ଏପରି ମୁସଲମାନ ଖୋଜୁଛନ୍ତି ଯାହାକୁ ସେମାନେ ଉପହାସ କି ଭୟଭୀତ କରିପାରିବେ ବା ଯାହାର ଜୀବିକା ଛଡ଼ାଇ ନେଇପାରିବେ। ବିଜେପି ଶାସିତ ରାଜ୍ୟରେ ଏପରି ସମ୍ମେଳନ ହେଉଛି, ଯେଉଁଠି ମୁସଲମାନମାନଙ୍କୁ ସାମୂହିକ ଭାବେ ହତ୍ୟା କରିବା ଲାଗି ବକ୍ତାମାନେ ଆହ୍ବାନ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନିଜର ‘ରାଜଧର୍ମ’ ପାଳନ ନ କରିବାର ପରିଣତି ହେଉଛି ୨୦୦୨ର ଗୁଜରାଟ ଦଙ୍ଗା ବୋଲି ସେ ସମୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚିନ୍ତା ପ୍ରକଟ କରିଥିଲେ। ତେବେ ନରେନ୍ଦ୍ର ମୋଦୀଙ୍କ ପରବର୍ତ୍ତୀ ଜୀବନଯାତ୍ରା ଦର୍ଶାଉଛି କି ଶାସନରେ ଥିବା ଜଣେ ରାଜନେତା ଯାହା କରିବେ ତାହା ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଭିନ୍ନ ହେବ ବୋଲି ତାଙ୍କ ଧାରଣା। ମୋଦୀ ଓ ଶାହଙ୍କ ଅଧୀନରେ ବିଜେପି କେବଳ ହିନ୍ଦୁମାନଙ୍କ ପାଇଁ, ହିନ୍ଦୁମାନଙ୍କ ଦ୍ବାରା ଏବଂ ହିନ୍ଦୁମାନଙ୍କର ଏକ ଦଳରେ ପରିଣତ ହୋଇଛି। ଏ ପରିପ୍ରେକ୍ଷୀରେ ଗୁଜରାଟ ୨୦୦୨ ଏକ ପରୀକ୍ଷଣ ଥିଲା ଯାହାକୁ ଏବେ ଜାତୀୟ ସ୍ତରରେ କରାଯିବାର ପ୍ରୟାସ କରାଯାଉଛି।
୧୯୮୪ ଦଙ୍ଗା ପାଇଁ ନିଜର କୈଫିୟତରେ ମନମୋହନ ସିଂହ କହିଥିଲେ ଯେ ତାହା ଆମ ସମ୍ବିଧାନରେ ପ୍ରତିଷ୍ଠିତ ରାଷ୍ଟ୍ରୀୟତା ପରିକଳ୍ପନାର ବିରୋଧାଭାସ। ନରେନ୍ଦ୍ର ମୋଦୀଙ୍କ ଜ୍ଞାତସାରରେ ୨୦୦୨ରେ ଗୁଜରାଟରେ ଯାହା ହେଲା, ତାହା ମଧ୍ୟ ଆମ ସମ୍ବିଧାନ ମୁକ୍ତାରନାମାର ବିରୋଧାଭାସ। ତଥାପି ଯାହା ଘଟିଗଲା, ସେଥିପାଇଁ କ୍ଷମା ମାଗିବାକୁ ମୋଦୀ ଉଚିତ ମଣୁନାହାନ୍ତି, ଆଂଶିକ ଭାବରେ ଅହମିକା ଯୋଗୁଁ ଏବଂ ଅଧିକ ପରିମାଣରେ ତାଙ୍କ ଜାତୀୟତା ଭାବନା ସମ୍ବିଧାନରେ ପ୍ରତିଷ୍ଠିତ ଜାତୀୟତାର ବିରୋଧାତ୍ମକ ବୋଲି।
ସପ୍ତଦଶ ଶତକର ଫରାସୀ ଲେଖକ ରା ରୋଚଫୋକଲ୍ଟ କପଟତାକୁ ‘ସଦାଚାର ପ୍ରତି ଦୁରାଚାରର ଶ୍ରଦ୍ଧାଞ୍ଜଳି’ ବୋଲି ବର୍ଣ୍ଣନା କରିଥିଲେ। ଭାରତୀୟମାନେ ଏହାର ବହୁଳତା ୨୦୨୨ ମସିହାରେ ଦେଖିବାକୁ ପାଇବେ। ନରେନ୍ଦ୍ର ମୋଦୀ ଓ ଆର୍ଏସ୍ଏସ୍ର ଯଦିଓ ସ୍ବାଧୀନତା ସଂଗ୍ରାମ ପ୍ରତି କୌଣସି ଅବଦାନ ନାହିଁ, ବର୍ଷ ତମାମ ଅନେକ ଉତ୍ସବରେ ପ୍ରଧାନମନ୍ତ୍ରୀ ସେହି ଲଢ଼େଇକୁ ଅଭିମନ୍ତ୍ରିତ କରୁଥିବା ଦେଖିବାକୁ ମିଳିବ। ଯଦିଓ ତାଙ୍କ ହିନ୍ଦୁତ୍ବ ବହୁସଂଖ୍ୟକବାଦ ଗାନ୍ଧୀଜୀଙ୍କ ଅନ୍ତର୍ଭୁକ୍ତ ଆସ୍ଥାର ପରିପନ୍ଥୀ, ତଥାପି ସେ ମଧ୍ୟ ଗାନ୍ଧୀଙ୍କୁ ପ୍ରଶଂସା କରୁଥିବା ଆମେ ଶୁଣିବାକୁ ପାଇବା। ଯଦିଓ ସଂସଦ ଅତି କମ୍ ଗୁରୁତ୍ବପୂର୍ଣ୍ଣ ମନେ ହେଉଛି (ଯେତେବେଳେ ନୂଆଦିଲ୍ଲୀ ଅଧିକରୁ ଅଧିକ ପ୍ରଦୂଷିତ ହୋଇଚାଲିଛି), ‘ଗଣତନ୍ତ୍ରର ଆତ୍ମା’ ଓ ଏକ ‘ନୂତନ ଭାରତ’କୁ ପ୍ରତିନିଧିତ୍ବ କରିବା ଉଦ୍ଦେଶ୍ୟରେ ଏକ ବିରାଟ ନୂଆ ଅଟ୍ଟାଳିକାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରୁଥିବା ମଧ୍ୟ ଆମେ ଦେଖିବା। ଶେଷରେ ମୋଦୀ ମଧ୍ୟ ଶ୍ରୀଅରବିନ୍ଦଙ୍କ ସହ ନିବିଡ଼ତା ଦାବି କରିବେ, ଯଦିଓ ନୈତିକ ଓ ବୌଦ୍ଧିକ ଦୃଷ୍ଟିକୋଣରୁ ସେହି ପ୍ରତିଭାଶାଳୀ ଏକାନ୍ତ ପ୍ରିୟ ରହସ୍ୟବାଦୀ ଓ ଆମ ପ୍ରଚାର ବାଉଳା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ବୃହତ୍ ବ୍ୟବଧାନ ରହିଛି।
୨୦୨୨ରେ ବିଭିନ୍ନ ବାର୍ଷିକୀ ପାଳନ କରିବା ଅବସରରେ ନରେନ୍ଦ୍ର ମୋଦୀ ନିଜକୁ ପ୍ରୋତ୍ସାହିତ କରିବା ଲାଗି ଇତିହାସକୁ ମୋଡ଼ି ତହିଁରେ ପ୍ରତିଫଳିତ ହେଉଥିବା ଗୌରବ ଆଶା କରିବେ। କିନ୍ତୁ ଠିକ୍ ସେତିକି ବେଳେ ତାଙ୍କ ନିରୀକ୍ଷଣରେ ସଂଘଟିତ ହୋଇଥିବା ତଥା ଏ ଯାବତ୍ ସାଧାରଣ ଜୀବନକୁ ଛାୟାଗ୍ରସ୍ତ କରି ରଖି ଆସିଥିବା ସେହି ଭୟାବହ ଗୁଜରାଟ ଗଣହତ୍ୟାର ବିଂଶତିତମ ବାର୍ଷିକୀ ପାଳନ କଥା ସେ ସର୍ବ ସମକ୍ଷରେ ଉଠାଇବାର ସମ୍ଭାବନା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/2022.jpg)