କରୋନା ବିଷାଣୁଠାରୁ ଅଧିକ ମାରାତ୍ମକ ସାଂସ୍କୃତିକ ସଂକ୍ରମଣ। କାରଣ, କରୋନା ବିଷାଣୁ ସେଇମାନଙ୍କ ପାଇଁ ଅଧିକ ଘାତକ ହୁଏ- ଯେଉଁମାନେ ବୟସ୍କ ବା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ। କିନ୍ତୁ ସାଂସ୍କୃତିକ ସଂକ୍ରମଣ ତେଜସ୍ୱୀ, ବଳବାନ୍ ଓ ଆତ୍ମଶକ୍ତି ସଂପନ୍ନଙ୍କ ବ୍ୟକ୍ତିତ୍ୱକୁ ବି ଅନ୍ୟ ଆଗରେ ଖର୍ବ ଓ କଳଙ୍କିତ କରିଦେଇପାରେ। ଏହାର ଗୋଟିଏ ଦୃଷ୍ଟାନ୍ତ- ଦ୍ରୌପଦୀ।
ଦ୍ରୌପଦୀ ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ର ସବୁଠୁ ତେଜସ୍ୱୀ ନାରୀ ଚରିତ୍ର। ସେ ଏ ମହାକାବ୍ୟର ତେଜସ୍ୱିନୀ ମହାନାୟିକା। ‘ରାମାୟଣ’ର ମହାନାୟିକା ସୀତାଙ୍କ ପରି, ସେ ମଧ୍ୟ ଅଯୋନିସଂଭୂତା। ସୀତା ଯେପରି ଭୂ-ସୁତା, ଦ୍ରୌପଦୀ ସେହିପରି ଯଜ୍ଞସଂଭୂତା। ସେଥିପାଇଁ ତାଙ୍କର ନାମ ‘ଯାଜ୍ଞସେନୀ’।
‘ମହାଭାରତ’ର କାହାଣୀ ଅନୁସାରେ, ଗୁରୁ ଦ୍ରୋଣଙ୍କୁ ବଧ କରି ପାରିବା ପରି ପୁତ୍ରଟିଏ ପାଇବାପାଇଁ, ରାଜା ଦ୍ରୁପଦ ଏକ ପୁତ୍ରେଷ୍ଟି ଯଜ୍ଞ କରିଥିଲେ। ତାଙ୍କର ଅନୁରୋଧରେ, ଋଷି ଉପଯାଜଙ୍କ ବଡ଼ଭାଇ ଯାଜ ସେହି ଯଜ୍ଞ କଲେ। ଯାଜ ଦ୍ରୁପଦଙ୍କୁ କହିଥିଲେ- ଯଜ୍ଞର ଚରୁ ଭକ୍ଷଣ କଲେ ରାଣୀ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନର ଜନନୀ ହେବେ। ସେହି ପୁତ୍ର ଓ କନ୍ୟା ମହାତେଜସ୍ୱୀ ହେବେ।
କିନ୍ତୁ ଯଜ୍ଞର ପୂର୍ଣ୍ଣାହୁତି ବେଳକୁ ରାଣୀ ପ୍ରାସାଦରେ ପ୍ରସାଧନରତା ଥିଲେ। ତେଣୁ ସେ ଆସି ଚରୁଗ୍ରହଣ କରିବାରେ ବିଳମ୍ବ ଘଟିଲା। ତେଣୁ ଯାଜ ବିରକ୍ତ ହୋଇ ସେହି ଚରୁକୁ ଯଜ୍ଞକୁଣ୍ଡରେ ନିକ୍ଷେପ କଲେ। ଫଳରେ ସେହି ଯଜ୍ଞାଗ୍ନିରୁ ପ୍ରଥମେ ଏକ ମହାପରାକ୍ରମୀ, ମହାତେଜସ୍ୱୀ ଓ ମହାବଳୀ ପୁତ୍ର ଆବିର୍ଭୂତ ହେଲେ। ‘ମହାଭାରତ’ର ବର୍ଣ୍ଣନା ଅନୁସାରେ- ତାଙ୍କର ଅଙ୍ଗକାନ୍ତି ଅଗ୍ନିର ଜ୍ଜ୍ୱାଳା ପରି ଉଦ୍ଭାସିତ ହେଉଥିଲା। ତାଙ୍କର ହାତରେ ଥିଲା ଧନୁର୍ବାଣ। ମସ୍ତକରେ କିରୀଟ ଓ ଅଙ୍ଗରେ କବଚ ଶୋଭା ପାଉଥିଲା। ସେ ଥିଲେ ଧୃଷ୍ଟଦ୍ୟୁମ୍ନ।
ତାହାପରେ, ସେହି ଯଜ୍ଞାଗ୍ନି ମଧ୍ୟରୁ ଏକ ଦିବ୍ୟ କୁମାରୀ କନ୍ୟା ପ୍ରକଟ ହେଲେ। ସେ ଥିଲେ ଅତ୍ୟନ୍ତ ସୁନ୍ଦରୀ। ଶ୍ୟାମ କାନ୍ତି, କୃଷ୍ଣଚକ୍ଷୁ, ଦୀର୍ଘ କୁଞ୍ଚିତ କେଶ ଓ ପୀନ ଉରଜରେ ସେ ଦିଶୁଥିଲେ ଅପରୂପା। ବ୍ୟାସଦେବ ତାଙ୍କର ବର୍ଣ୍ଣନା କରି କହିଛନ୍ତି, “ମାନୁଷଂ ବିଗ୍ରହଂ କୃତ୍ୱା ସାକ୍ଷାଦମରବର୍ଣ୍ଣିନୀ। ନୀଳୋତ୍ପଳସମୋ ଗନ୍ଧୋ ଯସ୍ୟା କ୍ରୋଶାତ୍ ପ୍ରଧାବତି।” ଅର୍ଥାତ୍, ତାଙ୍କର ରୂପଶୋଭାରୁ ମନେ ହେଉଥିଲା, ସତେ ଯେପରି ସାକ୍ଷାତ୍ ଦୁର୍ଗା ମାନବ ଶରୀର ଧାରଣ କରି ପ୍ରକଟ ହୋଇଛନ୍ତି। ତାଙ୍କର ଅଙ୍ଗରୁ ନୀଳୋତ୍ପଳର କାନ୍ତି କ୍ରୋଶବ୍ୟାପୀ ପ୍ରସରୁଥିଲା।
ଏବେ ‘ଦୂରଦର୍ଶନ’ର ଏକ ଜାତୀୟ ଚ୍ୟାନେଲ୍ରେ ପୁନଃ ପ୍ରସାରିତ ହେଉଛି ବି. ଆର୍. (ବଳଦେବ ରାଜ) ଚୋପ୍ରାଙ୍କ ପ୍ରଯୋଜନା ଓ ରବି ଚୋପ୍ରାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ମହାଭାରତ’ ଧାରାବାହିକ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଚମତ୍କାର ଚରିତ୍ରଚୟନ, ଚିତ୍ରନାଟ୍ୟ ଓ ସଂଳାପ ଏହାର ସଫଳତାର ମୁଖ୍ୟ କାରଣ। ଏହି ଚିତ୍ରନାଟ୍ୟ ପଣ୍ଡିତ ନରେନ୍ଦ୍ର ଶର୍ମା ଲେଖିଥିବା ବେଳେ, ରାହି ମାସୁମ ରଜା ଲେଖିଛନ୍ତି ସଂଳାପ। ‘ସମୟ’ର ସ୍ୱରରେ କାହାଣୀର ଭାବଗମ୍ଭୀର ଉପସ୍ଥାପକ ହେଉଛନ୍ତି ହରୀଶ ଭିମାନୀ। ୨ ଅକ୍ଟୋବର ୧୯୮୮ରୁ ୨୪ ଜୁନ୍ ୧୯୯୦ ପର୍ଯ୍ୟନ୍ତ ଏହାର ୯୪ଟି ଅଧ୍ୟାୟ ପ୍ରସାରିତ ହୋଇ ସେତେବେଳେ ଇତିହାସ ସୃଷ୍ଟି କରିଥିଲା। ଏବେ ଏହା ପୁନଃ ପ୍ରସାରିତ ହୋଇ ସେହି ଇତିହାସର ପୁନରାବୃତ୍ତି କରୁଛି।
କିନ୍ତୁ ସେତେବେଳେ ଉଠିଥିବା ଗୋଟିଏ ବିବାଦ ଓ ବିତର୍କର ସମାଧାନ ଆଜି ବି ହୋଇନାହିଁ। ଏହି ପୁନଃପ୍ରସାରଣ ସହିତ, ସେହି ବିବାଦ ଓ ବିତର୍କ ପୁଣିଥରେ ମୁଣ୍ଡଟେକିଛି। ସେ ବିବାଦ ଓ ବିତର୍କ ‘ମହାଭାରତ’ର ତେଜସ୍ୱିନୀ ମହାନାୟିକା ଦ୍ରୌପଦୀଙ୍କୁ ନେଇ।
‘ମହାଭାରତ’ର କାହାଣୀ ଅନୁସାରେ, ‘ସଭାପର୍ବ’ରେ ବର୍ଣ୍ଣିତ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଯୋଗଦେବାପାଇଁ, ହସ୍ତିନାପୁରରୁ ଇନ୍ଦ୍ରପ୍ରସ୍ଥକୁ ନିମନ୍ତ୍ରିତ ହୋଇଆସିଥିଲେ କୌରବଭାଇମାନେ। ରାଜସୂୟ ଯଜ୍ଞ ମହାସମାରୋହରେ ଶେଷ ହେଲା। ଅନ୍ୟ ରାଜା, ଋଷି ଓ ଅତିଥିମାନେ ବିଦାୟ ନେଇ ଚାଲିଯିବା ପରେ, ଦୁର୍ଯ୍ୟୋଧନ, ଶକୁନି ଓ ଅନ୍ୟ କୌରବ ଭାଇମାନେ ରହିଲେ। ମୟ ଦାନବ ଦ୍ୱାରା ନିର୍ମିତ ଇନ୍ଦ୍ରପ୍ରସ୍ଥ ରାଜପ୍ରାସାଦ ବୁଲି ଦେଖିବାବେଳେ, ଦୁର୍ଯ୍ୟୋଧନ ଯେତିକି ଚମତ୍କୃତ ହେଲେ, ସେତିକି ଈର୍ଷାନ୍ୱିତ ଓ ଉପହସିତ ବି ହେଲେ। କାରଣ ମୟ ଦାନବ ସ୍ଫଟିକରେ ପ୍ରାସାଦର ଗୋଟିଏ ଚଟାଣକୁ ଏପରି ଭାବରେ ନିର୍ମାଣ କରିଥିଲେ ଯେ ତାହା ଜଳର ଭ୍ରମ ସୃଷ୍ଟି କରୁଥିଲା। ତାହାକୁ ଜଳ ବୋଲି ଭାବି, ଲୁଗାଟେକି ସେ ବାଟରେ ଯିବାବେଳେ ଦୁର୍ଯ୍ୟୋଧନ ଉପହସିତ ହେଲେ। ସେହିପରି, ଅନ୍ୟ ଏକ ସ୍ଥାନରେ ଜଳପୂର୍ଣ୍ଣ କୁଣ୍ଡ ଥିଲା ଏବଂ ସେଥିରେ ପଦ୍ମ ଫୁଟିଥିଲା। ପୂର୍ବ ଅନୁଭୂତିରୁ, ତାହାକୁ ଜଳ ଓ ପଦ୍ମର ଭ୍ରମ ବୋଲି ଭାବିନେଇ ଆଗେଇ ଯିବାବେଳେ, ଦୁର୍ଯ୍ୟୋଧନ ସେହି ଜଳାଶୟରେ ଖସିପଡ଼ି ଉପହସିତ ହେଲେ।
‘ଚୋପ୍ରା’ଙ୍କ ‘ମହାଭାରତ’ ଧାରାବାହିକ ଅନୁସାରେ, ସେତେବେଳେ ଉପର ମହଲାରେ ଥିବା ଦ୍ରୌପଦୀ ତାହା ଦେଖି ଉଚ୍ଚସ୍ୱରରେ ଅଟ୍ଟହାସ୍ୟ କରିବା ସହିତ, ତାଚ୍ଛଲ୍ୟପୂର୍ଣ୍ଣ ଭଙ୍ଗୀରେ ଆକ୍ଷେପ କଲେ, “ଅନ୍ଧର ପୁଅ ଅନ୍ଧ”। ସେହି ଅପମାନ ଫଳରେ ଦୁର୍ଯ୍ୟୋଧନଙ୍କର ହୃଦୟରେ ଯେଉଁ ନିଆଁ ଜଳିଲା, ତାହା ହେଲା ମହାଭାରତ ଯୁଦ୍ଧର ମୁଖ୍ୟ କାରଣ।
‘ମହାଭାରତ’ ଧାରାବାହିକର ପ୍ରଥମ ପ୍ରସାରଣ ସମୟରେ ଏ ନେଇ ପ୍ରଶ୍ନ ଉଠିଥିଲା। ବିବାଦ ଓ ବିତର୍କ ବି ହୋଇଥିଲା। କାରଣ ସମଗ୍ର ‘ମହାଭାରତ’େର ନାୟିକା ଦ୍ରୌପଦୀଙ୍କର ଚରିତ୍ରକୁ ଯେପରି ମର୍ଯ୍ୟାଦାସଂପନ୍ନା ଓ ତେଜସ୍ୱିନୀ ଭାବରେ ଚିତ୍ରିତ କରିଛନ୍ତି ବ୍ୟାସଦେବ, ସେଥିରେ ଇତର ନାରୀ ପରି ତାଙ୍କର ଏହି ଆଚରଣ କେତେଦୂର ସମୀଚୀନ! ସତରେ କ’ଣ ମୂଳ, ସଂସ୍କୃତ ‘ମହାଭାରତ’ର ରଚୟିତା ବ୍ୟାସଦେବ, ସେଠାରେ ଦ୍ରୌପଦୀଙ୍କୁ ଏପରି ଇତରା ଭାବରେ ଚିତ୍ରିତ କରିଛନ୍ତି?
ଏବେ ‘ମହାଭାରତ’ର ପୁନଃପ୍ରସାରଣ ସହିତ ସେ ପ୍ରଶ୍ନ ପୁଣିଥରେ ଆମ ପାଖକୁ ଫେରିଆସିଛି। ଏ ନେଇ ‘ଚର୍ଚ୍ଚା ଓ ଚିନ୍ତନ’ର ଏକ କ୍ଷେତ୍ର ପ୍ରସ୍ତୁତ କରିବା ଇଚ୍ଛାରେ, ସାମାଜିକ ଗଣମାଧ୍ୟମ (ଫେସ୍ବୁକ୍)ରେ ଡକ୍ଟର ଗୋବିନ୍ଦ ଭୂୟାଁ କହିଛନ୍ତି, “ମହାଭାରତକୁ ନେଇ ଆମେ ଯାହା ଜାଣୁ, ଦ୍ରୌପଦୀ ଯଜ୍ଞସଂଭୂତା; ତେଣୁ ସେ ‘ଯାଜ୍ଞସେନୀ’। ତାଙ୍କୁ ଭାରତୀୟ ସଂସ୍କୃତି ବିଚାରରେ ଏକ ଆଦର୍ଶ ଓ ମହୀୟସୀ ନାରୀ ଭାବରେ ଆମେ ଚିହ୍ନିଥାଉ। ଆମମାନଙ୍କର ବୌଦ୍ଧିକ-ବିମର୍ଶରେ ବାମାବାଦୀ ବୈଶିଷ୍ଟ୍ୟର ସେ ଏକ ଉଜ୍ଜ୍ୱଳ ପ୍ରତୀକ।
...୧୯୮୮ରେ ଯୁବା ବୟସରେ ଏହି ଧାରାବାହିକ ଦେଖିବା ବେଳେ ଆମକୁ ଏଥିରୁ ଭରା ଆନନ୍ଦ ମିଳୁଥିଲା। ଆଜି ୩୨ ବର୍ଷ ପରେ ଆଉଥରେ ଦେଖିବା ବେଳେ ଏହା ଆମ ବିଚାରକୁ ଆଲୋଡ଼ିତ କରୁଛି। ପ୍ରଶ୍ନ ପଚାରୁଛି।
ଗତ (ଏପ୍ରିଲ୍) ୧୮ ତାରିଖରେ ପ୍ରସାରିତ ଦୃଶ୍ୟରେ... ରାଜପ୍ରାସାଦ ପରିସରରେ ଭ୍ରମବଶତଃ ଏକ ଜଳାଶୟକୁ ସ୍ଫଟିକ ଚଟାଣ ଭାବି ଆଗେଇଯିବାରୁ ଦୁର୍ଯ୍ୟୋଧନ ଝୁଣ୍ଟି ପଡ଼ିଛନ୍ତି। ଅଦୂରରେ ଥିବା ଦ୍ରୌପଦୀ ତାଙ୍କୁ ଲକ୍ଷ୍ୟ କରି ଉଗ୍ର ଅଟ୍ଟହାସ୍ୟ କରୁଛନ୍ତି। କହୁଛନ୍ତି, ‘ଅନ୍ଧର ପୁତ୍ର ଅନ୍ଧ’। ଏପରି କହିବାବେଳେ, ଦ୍ରୌପଦୀଙ୍କର ଉଚ୍ଛୃଙ୍ଖଳ ହସରେ ଉଛୁଳି ଉଠିଛି ଅବଜ୍ଞା ଓ ତାଚ୍ଛଲ୍ୟ। ଏ ଦୃଶ୍ୟ ଦେଖି ଦ୍ରୌପଦୀଙ୍କ ବ୍ୟକ୍ତିତ୍ୱ ପ୍ରତି ସ୍ୱାଭାବିକ ଭାବରେ ନିମ୍ନ ଧାରଣା ଜାତ ହେଉଛି। ଏଠି ଦ୍ରୌପଦୀ ନିଜ ଜ୍ୟେଷ୍ଠ-ଶ୍ୱଶୁରଙ୍କୁ ଅପମାନିତ କରିଛନ୍ତି। ମନେହୁଏ, ବ୍ୟାସଦେବ ଓ ସାରଳା ଦାସଙ୍କ ମହାଭାରତରେ ଏପରି ଉପସ୍ଥାପନା ନାହିଁ। ... ଏ ବିଷୟରେ ବିସ୍ତୃତ ଚର୍ଚ୍ଚା ଓ ଚିନ୍ତନ ଆବଶ୍ୟକ।”
କିନ୍ତୁ ଏ ସଂପର୍କରେ ମିଳିଥିବା ମତ, ମନ୍ତବ୍ୟଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ଏ ନେଇ ବିସ୍ତୃତ ଚର୍ଚ୍ଚା ଓ ଚିନ୍ତନ ତଥାପି ହୋଇନାହିଁ। ମତ, ମନ୍ତବ୍ୟଗୁଡ଼ିକ ମଧ୍ୟ ବିଭାଜିତ। “ଏହା ଦ୍ରୌପଦୀଙ୍କର ଅହଂକାରର ପରିଚୟ। ଯୁଦ୍ଧପାଇଁ ଦୁର୍ଯ୍ୟୋଧନ ଆହ୍ୱାନ ଦେବାର କାରଣ ମଧ୍ୟ ଏହି ଅପମାନ” ବୋଲି ଜଣେ ମନ୍ତବ୍ୟ ଦେଇଥିବା ବେଳେ, ଆଉ ଜଣେ କହିଛନ୍ତି, “ଜଣେ ଆଦର୍ଶ ନାରୀ ହୋଇ ମଧ୍ୟ ସେ ଏପରି ତାଚ୍ଛଲ୍ୟ, ବିଶେଷ କରି ଧୃତରାଷ୍ଟ୍ରଙ୍କୁ ଅପମାନ କରିବା ଅଶୋଭନୀୟ। ସେହି କଥା ମଧ୍ୟ ଯୁଧିଷ୍ଠିର କହିଛନ୍ତି କି ବଡ଼ବାପାଙ୍କର ଅପମାନ ଏକ ଅପରାଧ। ଅବଶ୍ୟ ଦ୍ରୌପଦୀ ନିଜ ଅପରାଧ ବୁଝି ପଶ୍ଚାତ୍ତାପ କରୁଛନ୍ତି। କିନ୍ତୁ ନେଡ଼ିଗୁଡ଼ କହୁଣିକୁ ବହିଗଲା ପରି, ଏହି ଅପମାନ ହିଁ ମହାଭାରତ ଯୁଦ୍ଧର ଏକ ଅଦୃଶ୍ୟ ନକ୍ସା କାଟି ସାରିଛି। ଯୁଦ୍ଧର ରିହର୍ସଲ ଆରମ୍ଭ ହୋଇସାରିଲାଣି।”
ଏହି ସ୍ତମ୍ଭଲେଖରେ ଆମର ପ୍ରାରମ୍ଭିକ ମନ୍ତବ୍ୟ ଥିଲା- ‘‘କରୋନାର ବିଷାଣୁଠାରୁ ଅଧିକ ମାରାତ୍ମକ ସାଂସ୍କୃତିକ ସଂକ୍ରମଣ’’। ଉପରୋକ୍ତ ମତ-ମନ୍ତବ୍ୟଗୁଡ଼ିକରୁ ସ୍ପଷ୍ଟ ଯେ ‘ଚୋପ୍ରା-ମହାଭାରତ’ର ଏହି ଉପସ୍ଥାପନା, ମହାଭାରତର ମହାନାୟିକା, ତେଜସ୍ୱିନୀ ଦ୍ରୌପଦୀଙ୍କର ଚରିତ୍ର ଓ ବ୍ୟକ୍ତିତ୍ୱକୁ ବି ସଂକ୍ରମିତ କରି ଖର୍ବ ଓ ମ୍ଳାନ କରିଦେଇଛି।
କିନ୍ତୁ ଏପରି ଉପସ୍ଥାପନାର କିଛି ତଥ୍ୟ ବା ଯୁକ୍ତିସମ୍ମତ ଭିତ୍ତି ଅଛି କି?
ଅବଶ୍ୟ ଏ ସଂପର୍କରେ ମିଳିଥିବା ଆଉ ଦୁଇଟି ମତାମତରେ ରହିଛି ଭାରସାମ୍ୟ। ସେଥିରୁ ଗୋଟିଏ ‘ସୋସିଆଲ୍ ମିଡ଼ିଆ’ରେ ସକ୍ରିୟ ରହୁଥିବା ଜଗଦୀଶ ପ୍ରଧାନଙ୍କର ଏବଂ ଅନ୍ୟଟି ରାଜନେତା ଗଣେଶ୍ୱର ବେହେରାଙ୍କର। ଶ୍ରୀ ପ୍ରଧାନ କହିଛନ୍ତି, “ମହାଭାରତ ଭାରତବର୍ଷର ଇତିହାସରେ ଏକ ମହାନ୍ ଓ ଦୀର୍ଘ ନଦୀ ସ୍ୱରୂପ। ଏହାର ଶହ ଶହ ବା ହଜାର ହଜାର ବର୍ଷର ଗତିପଥରେ ଅନେକ ଛୋଟଛୋଟ ଝରଣା ବା ନଦୀ ମିଶି ଏହାର ଜଳରାଶିକୁ ସମୃଦ୍ଧ କରିଛନ୍ତି। କେଉଁଠି କେମିତି ସେଥିରୁ ଅନେକ ଶାଖା ପ୍ରଶାଖା ବି ବାହାରିଛନ୍ତି। ଏହି ନଦୀର ସ୍ୱରୂପ ଭିନ୍ନ ଭିନ୍ନ ସମୟରେ କେଉଁଠି କେମିତି ହେବା ସ୍ୱାଭାବିକ।”
ଏଥିରୁ ସୂଚିତ ଯେ ଶ୍ରୀ ପ୍ରଧାନ ‘ଚୋପ୍ରା-ମହାଭାରତ’ରେ ଦ୍ରୌପଦୀଙ୍କର ଏ ତୁଚ୍ଛ-ତାଚ୍ଛଲ୍ୟକାରିଣୀ ଭୂମିକାକୁ ହୁଏତ ଏକ ପ୍ରକ୍ଷେପ ହୋଇଥାଇପାରେ ବୋଲି ମନେ କରୁଛନ୍ତି।
କିନ୍ତୁ ଶ୍ରୀ ବେହେରାଙ୍କ ମତ-ମନ୍ତବ୍ୟରେ ସ୍ୱୀକୃତି, ଅସ୍ୱୀକୃତି ଓ ପ୍ରଶ୍ନ- ସବୁ ଅଛି। ସେ କହିଛନ୍ତି, “ମୋ ମନରେ ମଧ୍ୟ ଅନୁରୂପ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତାଚ୍ଛଲ୍ୟ ଏକ ମାନବୀୟ ଦୁର୍ଗୁଣ। ଯଜ୍ଞ-ସଂଭୂତା ହେଲେ ମଧ୍ୟ ସେ ମାନବୀ। ତେଣୁ ହୁଏତ ଗ୍ରହଣୀୟ ହୋଇପାରେ। ଦ୍ୱିତୀୟରେ, ଯିଏ ଦ୍ରୁପଦଙ୍କ କନ୍ୟା ଭାବରେ, ଉଚ୍ଚ ସଂସ୍କୃତି ସଂପନ୍ନ ରାଜ ପରିବାରରେ ପରିପାଳିତ ଏବଂ ଶୁଦ୍ଧ, ବିଚାରବନ୍ତ, ଧର୍ମାବତାର ଯୁଧିଷ୍ଠିରଙ୍କର ସହଧର୍ମିଣୀ- ତାଙ୍କର ଚରିତ୍ରରେ ଏପରି ଅଭାବନୀୟ ସ୍ଖଳନ ସମ୍ଭବ ହେଲା କିପରି?”
ଏହା ହିଁ ଆଜିର ପ୍ରଶ୍ନ। ମହାଭାରତର ମହାନାୟିକା ଦ୍ରୌପଦୀଙ୍କର ଏ ସ୍ଖଳନ ବା ଏ ସଂକ୍ରମଣର କାରଣ ଆମକୁ ବ୍ୟାସଦେବଙ୍କ ମୂଳ ମହାଭାରତ ସହିତ ଆମ ଓଡ଼ିଆ ମହାଭାରତଗୁଡ଼ିକର ଅଧ୍ୟୟନର ଆଧାରରେ ହିଁ ଖୋଜିବାକୁ ପଡ଼ିବ। ତାହା ହିଁ ହେବ ସବୁ ପ୍ରଶ୍ନର ଉତ୍ତର।
(ସେ କଥା ଆରଥରକୁ)
ମୋ: ୯୪୩୭୦ ୩୪୮୦୪
[email protected]