ଏବେ ବିଶିଷ୍ଟ କୂଟନୀତିଜ୍ଞମାନେ ସ୍ୱୀକାର କରୁଛନ୍ତି ଯେ ମୋଦୀଙ୍କର ଏକ ବଡ଼ ସଫଳତା ହେଲା ମୁସଲମାନ ରାଷ୍ଟ୍ରମାନଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି କରିବା ତଥା ସେମାନଙ୍କ ମନ ଜିଣିବା। ଅଥଚ, ମୋଦୀଙ୍କର ମୁଖ୍ୟମନ୍ତ୍ରୀ ପଦ ଓ ପ୍ରଧାନମନ୍ତ୍ରୀ ପଦର ଭିତ୍ତିଭୂମି ହେଲା ହିନ୍ଦୁ ମାନସିକତା ଓ ହିନ୍ଦୁ ଭୋଟ। ଯେତେବେଳେ ଗୁଜରାଟରେ ଦଙ୍ଗା ହେଲା ଓ ମୁସଲମାନମାନେ ଅନେକ କ୍ଷତିଗ୍ରସ୍ତ ହେଲେ, ସେତେବେଳେ ମୋଦୀଙ୍କୁ କୁହାଯାଉଥିଲା ‘ହିନ୍ଦୁ ହୃଦୟ ସମ୍ରାଟ’। ସେଥିପାଇଁ ୨୦୧୪ ଓ ୨୦୧୯ ନିର୍ବାଚନରେ ଭାରତର ମୁସଲମାନମାନେ ବିଜେପିକୁ ଭୋଟ ଦେଇ ନ ଥିଲେ ତଥା ଯେଉଁ ଦଳ ବିଜେପିକୁ ପରାସ୍ତ କରିପାରିବ, ମୁଖ୍ୟତଃ ସେହି ଦଳମାନଙ୍କୁ ଭୋଟ ଦେଇଥିଲେ। ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଏକ ହୋଇ ତଥା ସବୁ ମୁସଲମାନ ଭୋଟ ପାଇ ମଧ୍ୟ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲେ। ୨୦୧୯ ନିର୍ବାଚନରେ, ୨୦୧୪ ଅପେକ୍ଷା ଆହୁରି ଅଧିକ ଭୋଟରେ ମୋଦୀ ଜିଣିଲେ ମଧ୍ୟ। ନିର୍ବାଚନ ପରେ କାଶ୍ମୀରର ୩୭୦ ଧାରାର ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ (ସିଏଏ)ର ଅନୁମୋଦନ, ତିନି ତଲାକ୍ ବିଲ୍‌ର ସଂସଦରେ ଅନୁମୋଦନ, ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ପ୍ରସ୍ତୁତି ଆଦି ଘଟଣାମାନ ମୁସଲମାନମାନଙ୍କୁ ଆହୁରି ଅଧିକ ମୋଦୀ ବିରୋଧୀ କରି ଦେଇଥିଲା। ନାଗରିକତା ସଂଶୋଧନ ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ, ବଙ୍ଗଳାଦେଶରେ ଧର୍ମ ନାମରେ ଅତ୍ୟାଚାରିତ ହୋଇ ଭାରତକୁ ପଳାୟନ କରିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଖ୍ରୀଷ୍ଟିଆନ, ପାର୍ସି ଇତ୍ୟାଦିଙ୍କୁ ନାଗରିକତା ଦେବା ପ୍ରସଙ୍ଗରେ ଭାରତରେ ବ୍ୟାପକ ଦଙ୍ଗା ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିଲା। ବିଜେପି ଦଳରେ ମଧ୍ୟ କେହି ଜଣେ ମୁସଲମାନ ଲୋକସଭା ସଦସ୍ୟ ନାହାନ୍ତି। କେବଳ ମୁକ୍ତାର ଅବାସ ନକଭିଙ୍କୁ ରାଜ୍ୟସଭାକୁ ପଠାଇ ତାଙ୍କୁ ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀ କରାଯାଇଛି।

Advertisment

କାଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ନେଇ ପାକିସ୍ତାନ ଓ ଏହାର ପ୍ରଧାନମନ୍ତ୍ରୀ ଇମରାନ ଖାଁ ବିଶ୍ୱ ସ୍ତରର ପ୍ରାୟ ସବୁ ସଂସ୍ଥା ନିକଟରେ ଆପତ୍ତି ଉଠାଇଛନ୍ତିି। ଏ ସବୁ ବ୍ୟାପାରକୁ ବିଶ୍ୱର ଇସଲାମୀୟ ରାଷ୍ଟ୍ର ଓ ନେତାମାନେ ମୋଦୀ ଏବଂ ଭାରତର ବିରୋଧୀରେ ପରିଣତ ହୋଇଯିବା କଥା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ତାହା ହୋଇ ନାହିଁ। ବିଶେଷ କରି ଯେଉଁ ଓଆଇସି (ଇସ୍‌ଲାମୀ ରାଷ୍ଟ୍ରମାନଙ୍କ ଦେଶ) ପୂର୍ବରୁ ପ୍ରାୟ ପ୍ରତି ବର୍ଷ କାଶ୍ମୀରକୁ ନେଇ ପାକିସ୍ତାନର ପ୍ରରୋଚନାରେ ସେଠାରେ ଗଣ ଭୋଟ ହେଉ ବୋଲି ପ୍ରସ୍ତାବ ଗୃହୀତ କରି ଆସୁଥିଲା, ସେହି ୫୭ଟି ଇସ୍‌ଲାମୀ ଦେଶକୁ ନେଇ ଗଢ଼ା ସଂଗଠନରେ ପାକିସ୍ତାନର ୩୭୦ ଧାରା ସମ୍ପକୀୟ ଆପତ୍ତିକୁ ପ୍ରତ୍ୟାଖାନ କରାଯାଇଛି। ସେହି ସଂଗଠନର ସଦସ୍ୟମାନେ ପାକିସ୍ତାନକୁ ସ୍ପଷ୍ଟ କହିଛନ୍ତି ଯେ, କାଶ୍ମୀର ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ସେମାନେ ହସ୍ତକ୍ଷେପ କରିବେ ନାହିଁ।

ଅନ୍ୟ ପକ୍ଷରେ କୌଣସି ପ୍ରସ୍ତାବ ଗୃହୀତ ନ ହେବାରୁ କ୍ଷୁବ୍‌ଧ ହୋଇ ପାକିସ୍ତାନ ସେହି ଅନୁଷ୍ଠାନରୁ ଛାଡ଼ି ପଳାଇ ଆସିଥିଲା ଓ ଏହି କ୍ଷେତ୍ରରେ କିଛିଟା ସମର୍ଥନ ଦେଉଥିବା ମାଲେସିଆ ଓ ତୁର୍କୀ ସାଙ୍ଗରେ ମିଶି ଆଉ ଏକ ଇସଲାମୀ ସଂଗଠନ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲା। ମୁଖ୍ୟତଃ ଅର୍ଥ ଓ ଅନ୍ୟାନ୍ୟ ସାହାଯ୍ୟ ଦେଇ ପାକିସ୍ତାନକୁ ବଞ୍ଚାଇ ରଖିଥିବା ଇସଲାମୀ ଦେଶମାନଙ୍କର ନେତୃ ସ୍ଥାନୀୟ ତଥା ଅତ୍ୟନ୍ତ ଧନଶାଳୀ ଏବଂ ପାକିସ୍ତାନର ଏକ ବଡ଼ ପୃଷ୍ଠପୋଷକ ସାଉଦି ଆରବ ମଧ୍ୟ ପାକିସ୍ତାନର ୩୭୦ ଧାରା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ପାକିସ୍ତାନ ମଧ୍ୟ ପ୍ରଥମେ ଏଥି ପାଇଁ ସାଉଦି ଆରବ ଉପରେ ଘୋର ଅସନ୍ତୁଷ୍ଟ ହୋଇଥିଲା। କିନ୍ତୁ ଉଲ୍ଲେଖନୀୟ ଯେ ସାଉଦି ଆରବ ଓ ଏହାର ଏକ ଘନିଷ୍ଠ ରାଷ୍ଟ୍ର ୟୁ.ଏ.ଇ. ମୋଦୀଙ୍କୁ ଡାକି ସେମାନଙ୍କ ଦେଶର ଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରଦାନ କରିଥିଲେ। ଏହାଛଡ଼ା ଆମେରିକାର ନେତୃତ୍ୱରେ ମୁଖ୍ୟତଃ ଚୀନ ବିରୋଧରେ ଯେଉଁ ଚତୁର୍ଦ୍ଦେଶୀୟ ‘କ୍ୱାଡ୍‌’ ମେଣ୍ଟ ଜାପାନ, ଅଷ୍ଟ୍ରେଲିଆ ଓ ଭାରତକୁ ନେଇ ଗଢ଼ା ଯାଇଛି, ତା’ର ଦ୍ୱିତୀୟ ସଂସ୍କରଣ ହିସାବରେ ‘କ୍ୱାଡ୍‌-୨’ ମେଣ୍ଟ, ମଧ୍ୟ-ପ୍ରାଚ୍ୟରେ ଗଠନ କରାଯାଇଛି ଯେଉଁଥିରେ ଆମେରିକା ଛଡ଼ା ଭାରତ, ଇସ୍ରାଏଲ ଓ ୟୁ.ଏ.ଇ. ଅଛନ୍ତି। ପାଲେଷ୍ଟାଇନକୁ ନେଇ ସାରା ମଧ୍ୟ-ପ୍ରାଚ୍ୟର ଦେଶମାନେ ଇସ୍ରାଏଲ ବିରୋଧୀ ହୋଇ ଯାଇଛନ୍ତି। ଏପରି କ୍ଷେତ୍ରରେ ୟୁ.ଏ.ଇ. ପୁଣି କେମିତି ଇସ୍ରାଏଲ ଥିବା ଏକ ମେଣ୍ଟରେ ଯୋଗ ଦେଲା, ତାହା ଏକ ଆଶ୍ଚର୍ଯ୍ୟର ବିଷୟ। ଯେତେବେଳେ ବିଶ୍ୱର ସବୁଠାରୁ ଆକର୍ଷଣୀୟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଗତ ବର୍ଷ ଭାରତରେ ଅନୁଷ୍ଠିତ ହୋଇ ନ ପାରିଲା, ସେତେବେଳେ ୟୁ.ଏ.ଇ.ର ଦୁବାଇ ଠାରେ ତାହା ଅନୁଷ୍ଠିତ ହେଲା।

ଏଠାରେ ଉଲ୍ଲେଖନୀୟ ଯେ, କେବଳ ପାକିସ୍ତାନକୁ ଛାଡ଼ି ଦେଲେ ଅନ୍ୟ ସବୁ ଇସଲାମୀୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ଏବେ ଅତି ମଧୁର ହୋଇ ଯାଇଛି। ମୋଦୀଙ୍କର ଇରାନୀ ଅଧିକାରୀ, ରାଜନେତା ଓ ଆରବ ଦେଶମାନଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ସୃଷ୍ଟି ହୋଇଯାଇଛି। ବିଶେଷ କରି ମଧ୍ୟ-ପ୍ରାଚ୍ୟର ସମ୍ରାଟମାନଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ। ଏମାନଙ୍କ ମଧ୍ୟରେ ସାଉଦି ଆରବ, ୟୁ.ଏ.ଇ., ଜୋର୍ଡାନ ଆଦିର ରାଜାମାନେ ଅଛନ୍ତି। କେବଳ ସେତିକି ନୁହେଁ ଅନ୍ୟ ଏକ ଇସଲାମୀୟ ରାଷ୍ଟ୍ର ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ୱାଜେଦଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ ଅତି ଘନିଷ୍ଠ। ବଙ୍ଗଳାଦେଶ ସୃଷ୍ଟି ହେବାର ସୁବର୍ଣ୍ଣ ଜୟନ୍ତୀ ବେଳେ ସେଠାକାର ଉତ୍ସବରେ ଯୋଗ ଦେବା ପାଇଁ ମୋଦୀ ଢାକା ଯାଇଥିଲେ। ସେଠାକାର ମୌଳବାଦୀମାନେ ତାଙ୍କ ଗସ୍ତର ବିରୋଧ କରିବାରୁ ହସିନା ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଥିଲେ। ଅନ୍ୟ ଏକ ଭାରତ ମହାସାଗରୀୟ ଇସଲାମୀୟ ଦ୍ବୀପ ରାଷ୍ଟ୍ର ମାଲଡିଭ୍‌ସର ଛାତ୍ରଛାତ୍ରୀମାନେ କରୋନା ମହାମାରୀ ବେଳେ ଚୀନ୍‌ରେ ପଡ଼ି ରହିଥିବା ବେଳେ ଏବଂ ସେଠାରୁ ବାହାରି ଆସିବାର କୌଣସି ଉପାୟ ନ ଥିଲା ବେଳେ ଭାରତ ତା’ର ସ୍ୱତନ୍ତ୍ର ବିମାନରେ ଭାରତର ଛାତ୍ରଛାତ୍ରୀମାନଙ୍କ ସହିତ ମାଲଡିଭ୍‌ସର ଛାତ୍ରଛାତ୍ରୀମାନଙ୍କୁ ନେଇ ଆସିଥିଲା; ଯେଉଁଥି ପାଇଁ ସେହି ଦେଶ ମଧ୍ୟ ମୋଦୀଙ୍କ ନିକଟରେ କୃତଜ୍ଞ।

ଅବଶ୍ୟ କୁହାଯାଉଛି ଯେ ସାଉଦି ଆରବର ‘ଆରାମକୋ’ ତୈଳ କମ୍ପାନି ଭାରତର ରିଲାଏନ୍‌ସ କମ୍ପାନି ସହ ଅଶୋଧିତ ତୈଳ ବିଶୋଧନ କରିବା ପାଇଁ ଚୁକ୍ତି କରିଥିବା ହେତୁ ସେହି ଚୁକ୍ତି ବାତିଲ ହୋଇ ନ ଯାଉ ବୋଲି ବାଧ୍ୟ ହୋଇ ପାକିସ୍ତାନର ୩୭୦ ଧାରା ବିରୋଧକୁ ସାଉଦି ଆରବ ସମର୍ଥନ କରି ନ ଥିଲା। କିନ୍ତୁ କେବଳ ଏହି କାରଣ ପାଇଁ ସାଉଦି ଆରବ ପାକିସ୍ତାନକୁ ସମର୍ଥନ ଦେଲା ନାହିଁ ବୋଲି କହିବା ଭୁଲ୍‌। ଅବଶ୍ୟ ଶକ୍ତିରୁ ଭକ୍ତି ଆସେ ବୋଲି ଯାହା କୁହାଯାଉଛି ତାହା କିଛିଟା ସତ୍ୟ ହୋଇପାରେ। କିନ୍ତୁ ବ୍ୟକ୍ତିଗତ ସମ୍ପର୍କ ଓ ବନ୍ଧୁତା ନ ଥିଲେ ଏପରି କଥା ଘଟିନଥା’ନ୍ତା।

ଭାରତର ବୈଦେଶିକ ନୀତି ଏବେ ଏକ ଜଟିଳ ମୋଡ଼ରେ ପହଞ୍ଚିଛି। ଚୀନ ସହ ଭାରତର ବିବାଦ ଅତି ଗୁରୁତର ଅବସ୍ଥାରେ ଅଛି। ଅନ୍ୟ ପକ୍ଷରେ ଚୀନ୍‌ର ସିଂଜିଆଙ୍ଗ ପ୍ରଦେଶରେ ଥିବା ଉଇଘୁର ମୁସଲମାନମାନଙ୍କ ଉପରେ ଚୀନ ଅତ୍ୟାଚାର କରୁଥିଲା ବେଳେ ଭାରତ ସେମାନଙ୍କୁ ନୈତିକ ସମର୍ଥନ ଦେଇ ଚାଲିଛି। ସେଥିପାଇଁ ମଧ୍ୟ ଚୀନ ଭାରତ ଉପରେ ଅତ୍ୟନ୍ତ ଅସନ୍ତୁଷ୍ଟ।

ଚୀନ ଏବେ ମୁଖ୍ୟତଃ ଆମେରିକାକୁ ବିରୋଧ କରି ରୁଷିଆ ସହ ମିଶିଛି। ରୁଷିଆ କ୍ରମଶଃ ଚୀନ ଆଡ଼କୁ ଅଧିକ ଢଳୁଛି। ଏହା ସହିତ ଚୀନ ପାକିସ୍ତାନକୁ ତା’ର ସବୁ ଦିନିଆ ବନ୍ଧୁ ହିସାବରେ ଗ୍ରହଣ କରିନେଇଛି। ତେଣୁ ହୁଏ’ତ ଭବିଷ୍ୟତ୍‌ରେ ଚୀନ, ରୁଷିଆ ଓ ପାକିସ୍ତାନ ମେଣ୍ଟ ଗଠିତ ହୋଇ ଭାରତ ଓ ଆମେରିକା ବିରୋଧରେ ଯାଇ ପାରେ। କିନ୍ତୁ ଐତିହାସିକ ଦୃଷ୍ଟିକୋଣରୁ ରୁଷିଆ କେବେହେଲେ ଚୀନ୍‌କୁ ବିଶ୍ୱାସ କରେ ନାହିଁ। ରୁଷୀୟମାନେ ଚୀନ୍‌କୁ ଚେଙ୍ଗିଜ୍ ଖାଁଙ୍କ ଉତ୍ତରାଧିକାରୀ ବୋଲି ଭାବିଥା’ନ୍ତି। ଚେଙ୍ଗିଜ୍ ଖାଁ ହେଉଛନ୍ତି ଚୀନ୍‌ର ପ‌େଡ଼ାଶୀ ମଙ୍ଗୋଲିଆର ଲୋକ। ଇତିହାସରେ ଚେଙ୍ଗିଜ୍ ଖାଁ ଜଣେ ଆକ୍ରମଣକାରୀ ଓ ଅତ୍ୟାଚାରୀ ଭାବେ ପ୍ରସିଦ୍ଧ। ସେ ଭାରତ ଆକ୍ରମଣ କରିଥିଲେ ତଥା ରୁଷିଆକୁ ମଧ୍ୟ ବାରମ୍ବାର ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ, ୧୯୭୧ର ବଙ୍ଗଳାଦେଶ ଯୁଦ୍ଧ ବେଳେ ଆମେରିକା, ପାକିସ୍ତାନର ସମର୍ଥକ ଥିଲା ବେଳେ ଭାରତୀୟ ସେନାର ମନୋବଳ ବଢ଼ାଇବା ପାଇଁ ରୁଷିଆ ଭାରତ ମହାସାଗରକୁ ଗୋଟିଏ ବୁଡ଼ାଜାହାଜ ପଠାଇଥିଲା, ସେତେବେଳେ ରୁଷିଆ ମଧ୍ୟ ଚୀନ୍‌ର ସୀମାନ୍ତରେ ସୈନ୍ୟ ମୁତୟନ କରିଥିଲା, ଯେମିତି ଚୀନ ବାହାରକୁ ଆସି ଭାରତକୁ ଆକ୍ରମଣ କରି ନ ପାରେ। ଏବେ ଆମେରିକାର ବିରୋଧ ସତ୍ତ୍ୱେ ଭାରତ ରୁଷିଆ ଠାରୁ ଏସ୍‌-୪୦୦ ପ୍ରତିରକ୍ଷା ବ୍ୟବସ୍ଥା କିଣିଛି।

ଅର୍ଥନୀତି ଦୃଷ୍ଟିରୁ ଚୀନ ସହ ଭାରତର ବାଣିଜ୍ୟିକ ସମ୍ପର୍କ ଏକ ପ୍ରକାର ଏକ ପାଖିଆ। ୨୦୦୨ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟ ଅତି ସୀମିତ ଥିଲା। ତା’ ପରେ ଏହା ବହୁ ଗୁଣରେ ବୃଦ୍ଧି ପାଇଛି। କାରଣ ଭାରତ ତା’ର ବାଣିଜ୍ୟ କଟକଣାକୁ ଅନେକ ହଟାଇ ଦେଇଛି। କିନ୍ତୁ ଚୀନ ସହ ବାଣିଜ୍ୟ ବେଳେ ଭାରତର ନିଅଣ୍ଟ ବହୁ ଅଧିକ। ଅର୍ଥାତ୍ ଚୀନ୍‌ରୁ ଯେତେ ଦ୍ରବ୍ୟ ଭାରତକୁ ଆସୁଛି, ଭାରତ ଠାରୁ ବହୁ କମ୍ ଦ୍ରବ୍ୟ ଚୀନ୍‌କୁ ଯାଉଛି। ଏହା ଦ୍ୱାରା ଭାରତର ଶିଳ୍ପ ବିକାଶ କମିବାରେ ଲାଗିଛି ଓ ଭାରତର କ୍ଷୁଦ୍ର ତଥା ମଧ୍ୟମ ଧରଣର ଶିଳ୍ପମାନେ କ୍ରମଶଃ ବନ୍ଦ ହେବାରେ ଲାଗିଛନ୍ତି। କାରଣ, ଏହି ସବୁ ଦ୍ରବ୍ୟ ଚୀନ୍‌ରୁ ଆମଦାନି ହେଉଛି। କିନ୍ତୁ ଏହି ସମୟରେ ଆମେରିକା ସହ ଭାରତର ବାଣିଜ୍ୟ ସମ୍ପର୍କ ବଢ଼ୁଛି ଓ ତାହା ଲାଭଜନକ ହେଉଛି ମଧ୍ୟ। ଅଥଚ ଚୀନ ସହ ବାଣିଜ୍ୟିକ ସମ୍ପର୍କ ହେତୁ ସେ ଦେଶରୁ ଶସ୍ତା ଦ୍ରବ୍ୟ ଭାରତୀୟ ବଜାରକୁ ମାଡ଼ିଆସୁଛି। ବିଶେଷ କରି ଭାରତର ମଧ୍ୟ ବର୍ଗ ଏହି ଶସ୍ତା ଦ୍ରବ୍ୟକୁ କିଣୁଛି। ଅର୍ଥନୀତି ଉପରେ ଏହାର ପ୍ରଭାବ ଅତି କ୍ଷତିକାରକ ଅଟେ।

ଭାରତ ବିଶ୍ୱ ଶକ୍ତିରେ ପରିଣତ ହେବାକୁ ହେଲେ ଚୀନ୍‌ର ଏହି ଆର୍ଥିକ ନିୟନ୍ତ୍ରଣରୁ ନିଜକୁ ମୁକ୍ତ କରିବାକୁ ହେବ। ସେତେବେଳେ ଇସଲାମୀୟ ଦେଶମାନେ ଭାରତ ବିରୋଧୀ ହେବା ଉଚିତ ନୁହେଁ। ଅାଫଗାନିସ୍ତାନରେ ଶହ ଶହ କୋଟି ଡଲାର୍‌ର ଭିତ୍ତିଭୂମିମୂଳକ କାମ କରି ଭାରତ ଇସ୍‌ଲାମୀୟ ଦେଶମାନଙ୍କ ମଧ୍ୟରେ ଏକ ଭଲ ଧାରଣା ସୃଷ୍ଟି କରିଛି। ନରେନ୍ଦ୍ର ମୋଦୀଙ୍କର ଏହା ଏକ ବଡ଼ ସଫଳତା।

ମୋ- ୯୪୩୭୦୨୦୨୯୦
[email protected]