ଗଧର ଜୟ ହେଉ

ଜାକିର ଖାନ୍‍

ସକାଳୁ ସକାଳୁ ଧେଡ଼ ଗୋବିନ୍ଦ ବାବୁଙ୍କ ମନଟା ଫିକା ପଡ଼ିିଗଲା। କାରଣ ଖବରକାଗଜରେ ବାହାରିଥିବା ଏକ ରିପୋର୍ଟ ଉପରେ ତାଙ୍କର ନଜର ପଡ଼ି ଯାଇଥିଲା। ସେଥିରେ ବାହାରିଥିଲା ଯେ ଭାରତରେ ତୀବ୍ର ଗତିରେ ଗଧ ସଂଖ୍ୟା କମିବାରେ ଲାଗିଛି। କି କଥା? ଏ ଦୁନିଆରେ ଗଧ ବି ଶତ୍ରୁମୁକ୍ତ ନୁହନ୍ତି?

ଧେଡ଼ ବାବୁ ରିପୋର୍ଟ‌୍କୁ ତନ୍ନତନ୍ନ କରି ପଢ଼ିଲେ। ତହିଁରେ ବାହାରିଥିଲା ଯେ ୨୦୧୨ରେ ଆମ ଦେଶରେ ପ୍ରାୟ ୩.୨ ଲକ୍ଷ ଗଧ ଥିଲା ବେଳେ ୨୦୧୯ ପଶୁ ଗଣନା ତଥ୍ୟ ଅନୁସାରେ ଏହି ସଂଖ୍ୟା ୧.୨ ଲକ୍ଷକୁ ଖସି ଆସିଛି। ତା’ ମାନେ ୨ ଲକ୍ଷ ଗଧ ଗାଏବ! ରିପୋର୍ଟ‌୍ଟି ଥିଲା ଡିସେମ୍ୱର ୨୦୨୧ର। ତା’ ଅନୁସାରେ ଦେଶରେ ଗଧ ସଂଖ୍ୟାରେ ୬୧.୨୩ ପ୍ରତିଶତ ହ୍ରାସ ପାଇଛି! ଏହାର କାରଣ ହେଉଛି ଗଧ ଚମଡ଼ା ଚୋରା କାରବାର ପାଇଁ ଗଧଙ୍କ ହତ୍ୟା। ଚୀନ୍‍ରେ ତ ଗଧ ଚମଡ଼ାରୁ ଔଷଧ ତିଆରି ହେଉଛି। ତେଣୁ ପାକିସ୍ତାନ ଚୀନ୍‌କୁ ଗଧ ରପ୍ତାନି କରି ନିୟୁତ ନିୟୁତ ଟଙ୍କା କମାଉଛି। ଖବର ବାହାରିଥିଲା ଯେ ‘ହିଡନ ହାଇଡ୍‌’ (ଓଡ଼ିଆ ମର୍ମାର୍ଥ ‘ଗୁପ୍ତ ଚମଡ଼ା’) ଶୀର୍ଷକ ଏକ ଅନୁସନ୍ଧାନମୂଳକ ରିପୋର୍ଟ‌୍ରେ ଗଧ ଚମଡ଼ା କାରବାର ନେଇ ବିସ୍ତୃତ ତଥ୍ୟ ବାହାରିଛି।

ସକାଳୁ ସକାଳୁ ଧେଡ଼ ବାବୁଙ୍କ ମନ ବାର’ଣା ମରି ଯାଇଥିଲା। ସେ ଭାବିଲେ ଯେ ଗଧର ତ ଦୁର୍ଭାଗ୍ୟ ଯେ ବିଚରା ବୁଦ୍ଧିଶୁଦ୍ଧି ଥିବା ସତ୍ତ୍ବେ ସବୁଦିନ ଲାଗି ସେ ‘ଗଧ’ ହୋଇ ରହିଗଲା ଏବଂ ହୀନିମାନିଆ ଜୀବନ କାଟିଲା! ସେଥିରେ ପୁଣି ତା’ର ନିସ୍ତାର ନାହିଁ ଯେ ତାକୁ ଏଭଳି ଦଶା ଭୋଗିବାକୁ ପଡୁଛି?

ସେ ରିପୋର୍ଟ‌୍ର ଆଉ ଟିକିଏ ଭିତରକୁ ପଶିଲେ। ତହିଁରେ ବାହାରିଥିଲା ଯେ ୨୦୧୨ରେ ରାଜସ୍ଥାନରେ ୮୧ ହଜାର ଗଧ ଥିଲେ, ଅଥଚ ୨୦୧୯ରେ ତାହା ପହଞ୍ଚିଛି ୨୩ ହଜାରରେ। ଉତ୍ତର ପ୍ରଦେଶରେ ୫୭ ହଜାରରୁ ସେମାନଙ୍କ ସଂଖ୍ୟା କମି ୧୬ ହଜାର ଏବଂ ଗୁଜରାଟରେ ୩୯ ହଜାରରୁ ଖସି ତାହା ୧୧ ହଜାରରେ ପହଞ୍ଚିଲାଣି। ହାୟରେ ଗଧ!

ତାଙ୍କର ମନେ ପଡ଼ିଗଲା ପିଲାଦିନେ ସେ ପଢ଼ିଥିବା ମୁଲ୍ଲା ନସିରୁଦ୍ଦିନ ଗପରେ କିପରି ଗଧ ଥିଲା ମୁଲ୍ଲାଙ୍କ ପ୍ରଧାନ ସଂପଦ। ‌େସ ପିଲା ଥିବା ବେଳେ ଧୋ‌ବା‌ମାନଙ୍କ ସହକାରୀ ଭାବେ ଗଧଙ୍କୁ ଦେଖିଛନ୍ତି। ଗଧଗୁଡ଼ିକ ମୁଣ୍ଡ ପୋତି ଲୁଗା ଗଣ୍ଡିରା ବହି ନଦୀ ଘାଟକୁ ଯାଆନ୍ତି ଏବଂ ଉପର ବେଳା ବେଳକୁ ସଫା ଲୁଗା ଧରି ଘରକୁ ଫେରନ୍ତି। ସେ ମନେ ମନେ ଭାବୁଥିଲେ ଗଧର କ’ଣ କିଛି କାମନା ନ ଥାଏ? ତାହା ନ ହେଲେ ସେ କାହିଁକି ସବୁବେଳେ ଉଦାସ ଓ ଉଦାସୀନ ଦିଶୁଥାଏ? କେହି କେହି ଗମାତରେ କହିଥା’ନ୍ତି ଯେ ଉଚ୍ଚାଭିଳାଷୀ ଗଧ ପର ଜନ୍ମରେ ଘୋଡ଼ା ହୋଇ ଜନ୍ମ ନିଅନ୍ତି; ନ ହେଲେ ସେମାନଙ୍କ ଗଧ ଜନ୍ମ ଚକ୍ରରୁ ମୁକ୍ତି ନାହିଁ।

ମଧମାନେ ବେଳ ଅବେଳରେ ଅତି କର୍କଶ ବୋବାଳି କରନ୍ତି ଯାହାକୁ ଅକ୍ଷରର ରୂପ ଦେଲେ ହାଇଁଚୁ ହାଇଁଚୁ ଭଳି ଲାଗିବ। ପୁରାଣରେ ଅଛି ସଦ୍ୟ ଜନ୍ମିତ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ପିତା ବସୁଦେବ ନିଶାର୍ଧରେ ଲୁଚିଲୁଚି ମଥୁରା ଛାଡ଼ି ଗୋପପୁରକୁ ଚାଲି ଯାଉଥିବା ବେଳେ ଏଭଳି ଏକ ଗଧର ବୋବାଳି ଶୁଣି ତାହା କାଳେ କଂସର ରକ୍ଷୀମାନଙ୍କ ନିଦ୍ରା‌ ଭଙ୍ଗ କରିଦେବ, ଏହି ଭୟରେ ତା’ର ଗୋଡ଼ ତଳେ ପଡ଼ି ଯାଇଥିଲେ। ଏବେ ବି ଉତ୍ତରପ୍ରଦେଶରେ ଗଧ ପାଦ ଧରିବାର ଏକ ପ୍ରଥା ରହିଛି। ଧେଡ଼ ବାବୁଙ୍କ ମନରେ ପିଲା ଦିନେ ପଢ଼ିଥିବା ଲାଳିକାଟି ହଠାତ୍‌ ଭାସି ଉଠିଲା। ସେ ଭାବିଲେ ସତରେ ଗଧ ଯଦି ଗୀତ ଗାଇ ପଶି ଆସନ୍ତା; ତେବେ କୋଉ ପିଲା ଅବା ନ ହସି ବା ଖୁସିରେ ତାଳି ମାରି ଉଠନ୍ତା ନାହିଁ?

ଏମିତି ଭାବୁଥିବା ବେଳେ ତାଙ୍କ ନାତି ଟୋକା ପଶି ଆସିଲା। ସେ କଲେଜରେ ପଢୁଛି। ଭାରି ତୀକ୍ଷ୍‌ଣ। ସେ ପଚାରିଲା- ଜେଜେ, କ’ଣ ଭାବୁଛ? ମୁହଁରେ କାହିଁକି ହସ ନାହିଁ?

ଧେଡ଼ ବାବୁ ତା’ ଆଡ଼କୁ ରିପୋର୍ଟ‌୍ଟି ବଢ଼ାଇ ଦେଲେ। ନାତି ତା’ ଉପରେ ଆଖି ପକାଇ ନେଲା ଓ ତା’ ପରେ କହିଲା- ଜେଜେ, ତୁମେ ବି? ହେଇ ଦେଖ ଗଧ ବାବଦରେ ଆଉ ଗୋଟାଏ ଖବର। ସେ ତା’ର ବଡ଼ ମୋବାଇଲ୍‌ରେ ‘ଗୁଗଲ’ ଖୋଲି ପକାଇଲା ଏବଂ ଜେଜେଙ୍କୁ ପଢ଼ି ଶୁଣାଇଲା। ଗଧ କ୍ଷୀରର ଦର ହେଉଛି ଲିଟରକୁ ୭୦୦୦ରୁ ୧୦,୦୦୦ ଟଙ୍କା! ଏହା ବିଦେଶକୁ ରପ୍ତାନି କରାଯିବ। ଏବେ ସେଥି ଲାଗି ଗୁଜରାଟ‌େର ଗଧ ଡାଏରି ଫାର୍ମ ଖୋଲା ଗଲାଣି। ସୌରାଷ୍ଟ୍ର ଅଞ୍ଚଳରେ ମିଳୁଥିବା ହଲାରି ଗଧର ସଂରକ୍ଷଣ ଲାଗି ସ୍ବତନ୍ତ୍ର ଯୋଜନା ଆରମ୍ଭ ‌ହେଲାଣି।

ଧେଡ଼ ବାବୁ ଥ’ ହୋଇ ରହିଗଲେ। ସେ ପଚାରିଲେ- କିରେ ନାତି, ଗଧ କ୍ଷୀରର ଦର ଏତେ ଅଧିକ କୋଉଥି ପାଇଁ?

ନାତି କହିଲା- ତା’ର ଔଷଧୀୟ ଗୁଣ ଲାଗି। ଜାଣିଛ ଜେଜେ, ଗଧ କ୍ଷୀର ପାନ କଲେ ବହୁ ରୋଗ ଭଲ ହୁଏ। ପୁଣି ବଡ଼ କଥା ହେଲା, ଗଧ କ୍ଷୀର ଯୌବନ ଫେରାଇ ଆଣେ!

ନାତି ବାହାରକୁ ଚାଲିଗଲା। ଧେଡ଼ ବାବୁ ପିଲା ଦିନେ ପଢ଼ିଥିବା କଥା ମନେ ପକାଉଥିଲେ। ଇଜିପ୍‌ଟର ସୁନ୍ଦରୀ ରାଣୀ କ୍ଲିଓପାଟ୍ରା ସେଇଥି ପାଇଁ ନିଜ ତ୍ୱଚାର ସରସତା ଓ ସ୍ନିଗ୍‌ଧତା ପାଇଁ ଗଧ କ୍ଷୀରରେ ସ୍ନାନ କରୁଥିଲେ !

ତାଙ୍କ ମନଟି ଖୁସି ହୋଇଗଲା। ସେ ଭାବିଲେ ସତରେ ଗଧର କ୍ଷୀର ଯଦି ଏଭଳି ମହାର୍ଘ ତେବେ ତା’ର ସଂରକ୍ଷଣ ଓ ଯତ୍ନ ଲାଗି ବାଟ ଅବଶ୍ୟ ଫିଟିବ। ସେ ମନେ ମନେ ଭାବୁଥିଲେ ଯଦି ଗଧ ତା’ର ମୂଲ୍ୟବାନ କ୍ଷୀର ବାବଦରେ ଜାଣନ୍ତା, ତେବେ କ’ଣ ଫୁଲେଇ ହୋଇ ଧମକ ଦିଅନ୍ତା ଯେ ମୋ ସହିତ ଆଜେବାଜେ ବ୍ୟବହାର କର ନାହିଁ; ନ ହେଲେ କ୍ଷୀର ଦେବା ବନ୍ଦ କରିଦେବି! ନା, ଗଧ ସେମିତି କରିବ ନାହିଁ। କାରଣ ଗଧ ହେଉଛି ବିଲକୁଲ କୌଣସି ଉଚ୍ଚାଭିଳାଷ ରଖି ନ ଥିବା ବୈରାଗୀ ଜନ୍ତୁଟିଏ। ଗଧର ଜୟ ହେଉ!

ମୋ- ୭୮୯୪୫୦୩୫୪୮

ସମ୍ବନ୍ଧିତ ଖବର