ଏକାଡେମୀ ପୁରସ୍କାର- ଅପେରା ସରିନାହିଁ

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଆମ ସାହିତ୍ୟ ପାଇଁ ୨୦୨୧ ବିଦାୟୀ ବର୍ଷର ଶେଷ ଓ ବିଶେଷ ଖବର ଥିଲା ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା। ସାଧାରଣତଃ ଏହି ଅକାଦେମିର ମୂଳ ପୁରସ୍କାରଟି ଘୋଷଣା ହୁଏ ଡିସେମ୍ବର ମାସ ତୃତୀୟ ସପ୍ତାହରେ। ସେହିପରି, ବିଭିନ୍ନ ସମୟରେ ପ୍ରବର୍ତ୍ତିତ ଅନୁବାଦ ପୁରସ୍କାର, ବାଲ୍ ସାହିତ୍ୟ ପୁରସ୍କାର ବା ଯୁବ ପୁରସ୍କାର ଘୋଷଣାର ମଧ୍ୟ ନିର୍ଦ୍ଦିଷ୍ଟ ସମୟ ଅଛି। ପ୍ରାୟତଃ ବର୍ଷର ନିର୍ଦ୍ଦିଷ୍ଟ ମାସ ବା ମାସର ନିର୍ଦ୍ଦିଷ୍ଟ ସପ୍ତାହରେ ସେହିସବୁ ପୁରସ୍କାରର ଘୋଷଣା ହୋଇଥାଏ। କରୋନା ଅତିମାରୀଜନିତ ଅଚଳାବସ୍ଥା ବା କଟକଣା ଯୋଗୁଁ, ବିଗତ ଦୁଇବର୍ଷ ମଧ୍ୟରେ ଏହି କାର୍ଯ୍ୟସୂଚିରେ ଅବଶ୍ୟ କିଛିଟା ବ୍ୟତିକ୍ରମ ଘଟିଛି; ମାତ୍ର ଗତ ଡିସେମ୍ବର ୩୦ ତାରିଖ ଦିନ ଅକାଦେମି ବିଦାୟୀ ୨୦୨୧ ବର୍ଷର ତିନିଟି ପୁରସ୍କାର ଏକତ୍ର ଘୋଷଣା କରି, ପୁନଶ୍ଚ ସେହି ବ୍ୟତିକ୍ରମକୁ ନିୟମିତ କରିଦେଇଛି। ଏକତ୍ର ଘୋଷିତ ସେହି ତିନି ପୁରସ୍କାର ହେଉଛି- ସାହିତ୍ୟ ଅକାଦେମି ପୁରସ୍କାର, ବାଲ୍ ସାହିତ୍ୟ ପୁରସ୍କାର ଓ ସାହିତ୍ୟ ଅକାଦେମି ଯୁବ ପୁରସ୍କାର। ଏବଂ, ସଦ୍ୟ ଘୋଷିତ ଏହି ତିନି ପୁରସ୍କାରର ଗୋଟିଏ ବିଶେଷତ୍ୱ ହେଉଛି, ଓଡ଼ିଶାର ପାଞ୍ଚଜଣ ଏଥର ପୁରସ୍କାର ପାଇଛନ୍ତି। ସେମାନେ ହେଉଛନ୍ତି- ସାହିତ୍ୟ ଅକାଦେମି ପୁରସ୍କାରରେ କବି ହୃଷୀକେଶ ମଲ୍ଲିକ, ବାଲ୍ ସାହିତ୍ୟ ପୁରସ୍କାରରେ ଦିଗରାଜ ବ୍ରହ୍ମା ଓ ଯୁବ ପୁରସ୍କାରରେ ଦେବବ୍ରତ ଦାସଙ୍କ ସାଙ୍ଗକୁ, ଯଥାକ୍ରମେ ସଂସ୍କୃତ ଓ ସାନ୍ତାଳୀ ଯୁବ ପୁରସ୍କାରରେ ଆଉ ଦୁଇଜଣ ଓଡ଼ିଆ- ଶ୍ୱେତପଦ୍ମା ଶତପଥୀ ଓ କୁନା ହାଁସଦା।

ଏହିସବୁ ପୁରସ୍କାର ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ବେଳେ, ଆମର ସର୍ବାଧିକ ଦୃଷ୍ଟି ଆକର୍ଷଣ କରନ୍ତି ହୃଷୀକେଶ ମଲ୍ଲିକ। କାରଣ, ସେ କବି ଭାବରେ ତାଙ୍କ ‘ସରିଯାଇଥିବା ଅପେରା’ ପାଇଁ ଏଥରର ଅକାଦେମି ପୁରସ୍କାର ପାଇଥିଲେ ମଧ୍ୟ, ସେ ଏବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦରେ ଅବସ୍ଥାପିତ ଅଛନ୍ତି ଏବଂ ଏହି ଏକାଡେମୀର ପୁରସ୍କାର, ବିଦାୟୀ ୨୦୨୧ ବର୍ଷକୁ ମିଶାଇ ବିଗତ ପାଞ୍ଚବର୍ଷ ହେଲା ଦିଆଯାଇ ନାହିଁ। ଯଦି ସାହିତ୍ୟ ଅକାଦେମି ବର୍ଷକୁ ୨୪ଟି ଭାଷାରେ ଚାରିଟି କରି ୯୬ଟି ପୁରସ୍କାର ନିୟମିତ ଭାବରେ ପ୍ରତିବର୍ଷ ଦେଇପାରୁଛି, ଓଡ଼ିଶା ସାହିତ୍ୟ ଏକାଡେମୀ କେବଳ ଓଡ଼ିଆ ଭାଷାରେ ମାତ୍ର ୧୧ଟି ପୁରସ୍କାର କାହିଁକି ନିୟମିତ ଭାବରେ ଦେଇପାରୁ ନାହିଁ? ପୁଣି କାହିଁକି ଦୀର୍ଘ ପାଞ୍ଚବର୍ଷ ଧରି ପ୍ରାୟ ପଚାଶଟି ପୁରସ୍କାର ଚୟନ ନହୋଇପାରି ବାକି ରହିଛି? ଓଡ଼ିଶା ସାହିତ୍ୟ ଏକାଡେମୀର ଏ ପୁରସ୍କାର ଚୟନର ଅପେରା ସରିବ କେବେ?

କବି ଶ୍ରୀ ମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ୱ ନେଇଥିଲେ ୨୧ ମେ, ୨୦୨୧ରେ। ଦାୟିତ୍ୱ ନେବା ପରେ ପରେ, ନବ ଉତ୍ସାହରେ ସେ ଘୋଷଣା କରିଥିଲେ- ୨୦୨୧ ବର୍ଷର ବାକି ଥିବା ସାତ ମାସ ଭିତରେ, ଏକାଡେମୀ ପୁରସ୍କାରର ସବୁ ଅବ୍ୟବସ୍ଥାର ଅନ୍ତ କରି ସେ ଏହାକୁ ନିୟମିତ କରିଦେବେ। ମାତ୍ର ୨୦୨୧ ବର୍ଷର ସାତ ମାସ ବିତିଯିବା ପରେ ମଧ୍ୟ, ପାଞ୍ଚ ବର୍ଷ ମଧ୍ୟରୁ ଗୋଟିଏ ବର୍ଷର ପୁରସ୍କାର ବି ଦିଆଯାଇ ପାରିଲା ନାହିଁ। ଏବେ ନିଜେ ସାହିତ୍ୟ ଅକାଦେମି ପୁରସ୍କାର ପାଇବା ପରେ, ସେ ଆଉ ଏକ ନୂଆ ତାରିଖ ଘୋଷଣା କରି କହିଛନ୍ତି- ମାର୍ଚ୍ଚ ୩୧ ମଧ୍ୟରେ ସବୁ ବାକି ପୁରସ୍କାର ଦେଇଦିଆଯିବ। ଏକାଡେମୀ ପୁରସ୍କାରର ପଦ୍ମ ଏବେ ସାତ ମାସରୁ ଦଶ ମାସକୁ ଏବଂ ୨୦୨୧ ଡିସେମ୍ବରରୁ ୨୦୨୨ ମାର୍ଚ୍ଚକୁ ଘୁଞ୍ଚିଛି। ଏ ପଦ୍ମ ପୁଣି ଘୁଞ୍ଚିବ କି ନା କିଏ ଜାଣେ?

ନୂଆ ତାରିଖ ଘୋଷଣା କରିବା ପରେ ବି, ସଭାପତି ଭାବରେ ଶ୍ରୀ ମଲ୍ଲିକ ଯେ ସେ ବାବଦରେ ସନ୍ଦିହାନ- ତାହାର ସୂଚନା ମିଳିଛି ସାହିତ୍ୟ ଅକାଦେମି ପୁରସ୍କାର ପାଇବା ପରେ ପ୍ରକାଶ ପାଇଥିବା ତାଙ୍କର ଏକ ସାକ୍ଷାତ୍‌କାରରୁ। ସେଥିରେ ତାଙ୍କୁ ଏହି ଅନିୟମିତତା ସଂପର୍କରେ ପଚରାଯିବାରେ ସେ କହିଥିଲେ- “ଆଭ୍ୟନ୍ତରୀଣ ଅସୁବିଧା” ଏହାର ମୁଖ୍ୟ କାରଣ।

କିନ୍ତୁ ଏହି ‘ଆଭ୍ୟନ୍ତରୀଣ ଅସୁବିଧା’ଟି କ’ଣ?

ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୧୭/୧୨/୨୦୨୧, ଏକାଡେମୀ ପୁରସ୍କାରକୁ ପକ୍ଷାଘାତ)ରେ ସରକାରଙ୍କର ଗୋଟିଏ ଚିଠି ଏହାର କାରଣ ବୋଲି ଦର୍ଶାଯାଇଥିଲା। ସେହି ଚିଠି ଏକାଡେମୀର ‘ସାଧାରଣ ପରିଷଦ’ ସଦସ୍ୟଙ୍କ ମଧ୍ୟରେ ଏକ ବିକ୍ଷୁବ୍‌ଧ ସ୍ଥିତି ସୃଷ୍ଟି କରିଛି ବୋଲି ମଧ୍ୟ କୁହାଯାଇଥିଲା। ତାହାର କେତେକ ନଜିର ଏ ଭିତରେ ମିଳିଛି।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ୧୨ ଅଗଷ୍ଟ ୨୦୧୮ରେ ୨୦୧୭ ଓ ୨୦୧୮ ଦୁଇ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ପୁସ୍ତକ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେଉଁ ପୁସ୍ତକଗୁଡ଼ିକ ପୁରସ୍କାରର ବିଚାର ପରିସରର ଯୋଗ୍ୟ ହୋଇପାରିବ ନାହିଁ- ତାହା ସେହି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। ତାହା ହେଉଛି-
୧. ବିଚାରକାଳ ମଧ୍ୟରେ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ରହିଥିବା ଲେଖକଙ୍କର ପୁସ୍ତକ; ୨. କେନ୍ଦ୍ର ସାହିତ୍ୟ ଅକାଦେମି ଓ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପୁସ୍ତକ; ୩. ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ ପୁସ୍ତକ; ୪. କୌଣସି ପୁସ୍ତକର ଛାୟାରେ ଲିଖିତ ପୁସ୍ତକ; ୫. ଅସଂପୂର୍ଣ୍ଣ ପୁସ୍ତକ; ୬. ପୁରସ୍କାରର କାଳ ପରିଧି ବହିର୍ଭୂତ ପୁସ୍ତକ ଏବଂ ତାହାର ପୁନର୍ମୁଦ୍ରିତ ସଂସ୍କରଣ କିମ୍ବା ସଂକଳନ; ଏବଂ ୭. କୌଣସି ଡିଗ୍ରୀପାଇଁ ରଚିତ ସନ୍ଦର୍ଭ। ଏହି ସାତଟି ବିନ୍ଦୁ ମଧ୍ୟରୁ ଷଷ୍ଠ ବିନ୍ଦୁରେ ସୂଚିତ ହୋଇଛି ଯେ କୌଣସି ପୁନର୍ମୁଦ୍ରିତ ପୁସ୍ତକରେ ଯଦି ଶତକଡ଼ା ୬୦ ଭାଗ ନୂତନ ସଂଯୋଜିତ ହୋଇଥାଏ, ତେବେ ଉକ୍ତ ପୁସ୍ତକ ବିଚାର ପରିସରଭୁକ୍ତ ହେବ।

‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ’ର ଧାରା ୧୪ର ‘କ’ ରୁ ‘ଛ’ ମଧ୍ୟରେ ବି ଏହାର ଉଲ୍ଲେଖ ଅଛି। ସେଥିରେ, ଏକାଡେମୀର ସାଧାରଣ ପରିଷଦ ସଦସ୍ୟଙ୍କ ଦ୍ୱାରା ଲିଖିତ ପୁସ୍ତକ ବିଚାର ପରିସରର ଯୋଗ୍ୟ ହୋଇ ନପାରିବା ନେଇ କୌଣସି ଉଲ୍ଲେଖ ନାହିଁ। କିନ୍ତୁ ସରକାରଙ୍କର ଯେଉଁ ଚିଠିଟିକୁ ଏକାଡେମୀର ସଚିବ ସାଧାରଣ ପରିଷଦ ସଦସ୍ୟମାନଙ୍କୁ ପଠାଇଛନ୍ତି, ସେଥିରେ- ସାଧାରଣ ପରିଷଦ ସଦସ୍ୟମାନଙ୍କ ପୁସ୍ତକକୁ ବିଚାରକୁ ନିଆଯିବା ଉଚିତ ହେବନାହିଁ ବୋଲି ଉଲ୍ଲେଖ ରହିଥିବାରୁ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସାଧାରଣ ପରିଷଦର ଜଣେ ସଦସ୍ୟ ଏ ବାବଦରେ ପ୍ରଶ୍ନ ଉଠାଇ କହିଛନ୍ତି- “ଏକାଡେମୀର ସଚିବ ଓଡ଼ିଶା ସରକାରଙ୍କର ଜଣେ ଉଚ୍ଚପଦସ୍ଥ ପ୍ରାଶାସନିକ ଅଧିକାରୀ। ସେ ଆଇନର ରକ୍ଷକ ଓ ପାଳକ। ସଭାପତି ଜଣେ ପ୍ରତିଷ୍ଠିତ ସାହିତ୍ୟିକ। ଏକାଡେମୀର ସମ୍ବିଧାନ ଏମାନେ ନିଶ୍ଚୟ ପଢ଼ିଛନ୍ତି। ତେବେ ମନୋମୁଖୀ କାର୍ଯ୍ୟ କାହିଁକି? ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନର ବିଜ୍ଞପ୍ତି ଅନୁସାରେ ସେମାନେ କାର୍ଯ୍ୟ କରିବା କଥା। ଏପରି ମନୋମୁଖୀ କାର୍ଯ୍ୟ କରିବା ସର୍ବଥା ନିନ୍ଦନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ପିଲାଖେଳ ନୁହେଁ। ଆଇନର ଆଶ୍ରୟ ନେବାପାଇଁ ଏହା ବାଟ ତିଆରି କରିଛି।” ଏପରିକି, ଏନେଇ ସାଧାରଣ ପରିଷଦର ସଦସ୍ୟମାନେ “ସମୂହ ଇସ୍ତଫା” ଦେବାକୁ ମଧ୍ୟ ଜଣେ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି। ଆଉ ଜଣେ ସଦସ୍ୟ ଏହାକୁ “ଏକଛତ୍ରବାଦ ଶକ୍ତିର ପ୍ରଦର୍ଶନ” ବୋଲି ଅଭିହିତ କରିଛନ୍ତି।

ଏ ପ୍ରସଙ୍ଗରେ ସୂଚନାଯୋଗ୍ୟ ଯେ ସଂପ୍ରତି ପ୍ରଚଳିତ ପୁରସ୍କାର ନିୟମାବଳୀ ୭ ସେପ୍ଟେମ୍ବର ୧୯୯୬ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଠାରୁ ଲାଗୁ ହୋଇଥିଲା। ତାହା ଏଯାଏ ବଳବତ୍ତର ରହିଛି। ମଝିରେ ପୁରସ୍କାର ନିୟମାବଳୀର ସଂଶୋଧନ ସହିତ ଏକାଡେମୀର ସମ୍ବିଧାନ ସଂଶୋଧନ ପାଇଁ କମିଟି ଗଠିତ ହୋଇଥିଲା। ତାହାର ପ୍ରସ୍ତାବ ଦୀର୍ଘବର୍ଷ ହେଲା ଶୀତଳ ଭଣ୍ଡାରରେ ରହିଥିବା ବେଳେ, ୧୨ ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଯେଉଁ ‘ସମୀକ୍ଷକ/ବିଚାରକ ଚୟନ ନିୟମାବଳୀ’ ପ୍ରସ୍ତୁତ ହୋଇଛି- ତାହାକୁ ନେଇ ପ୍ରଶ୍ନ ଉଠିଛି।

‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ’ର ଧାରା-୭ରେ ଏ ବାବଦରେ ବ୍ୟବସ୍ଥା ଥିଲା। ସେଥିରେ କୁହାଯାଇଥିଲା- “ପ୍ରତ୍ୟେକ ବିଭାଗ ପାଇଁ ୨୫ ଜଣ ସମୀକ୍ଷକଙ୍କ ନାମ ତାଲିକା କାର୍ଯ୍ୟକାରୀ ସମିତି ପ୍ରଥମେ ପ୍ରସ୍ତୁତ କରିବେ। ଏହି ତାଲିକା ମଧ୍ୟରୁ ସଭାପତି ଗୋପନୀୟ ଭାବେ ପ୍ରତ୍ୟେକ ବିଭାଗ ଲାଗି ୧୫ ଜଣ ସମୀକ୍ଷକଙ୍କ ନାମ ସ୍ଥିର କରିବେ। ଏହି ନାମ ତାଲିକା ପ୍ରସ୍ତୁତି ସମୟରେ, ସାଧାରଣ ଭାବେ, ପୂର୍ବରୁ ଓଡ଼ିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ସାହିତ୍ୟିକ, ଆପାତତଃ ଅପ୍ରତିଯୋଗୀ ଲେଖକ ଏବଂ ବିଶେଷ ମାନ୍ୟତାପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ଅଗ୍ରଗଣ୍ୟ ବୋଲି ବିଚାର କରାଯିବ।”

ମାତ୍ର, ୧୨ ମାର୍ଚ୍ଚ ୨୦୨୧ରେ, ଏକାଡେମୀ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ “ସମୀକ୍ଷକ/ବିଚାରକ ଚୟନ ନିୟମାବଳୀ”କୁ ପରିବର୍ତ୍ତିତ କରିଦିଆଯାଇଛି। “ଏ କ୍ଷେତ୍ରରେ କାର୍ଯ୍ୟକାରୀ ପରିଷଦର ନିଷ୍ପତ୍ତି ନିର୍ଣ୍ଣାୟକ ହେବ” ବୋଲି ମଧ୍ୟ ତାହାର ଧାରା-୪ରେ କହି ଦିଆଯାଇଛି। ପୂର୍ବର ‘ପୁରସ୍କାର ନିୟମାବଳୀ’ ବା ‘ସମୀକ୍ଷକ/ବିଚାରକ ଚୟନ ନିୟମାବଳୀ’ରେ ଏହା ନଥିବାରୁ ଏବଂ ଏହାକୁ ସାଧାରଣ ପରିଷଦରେ ଅନୁମୋଦନ କରାଯାଇନଥିବାରୁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ନୂତନ ନିୟମ ଅନୁସାରେ ୨୫ ଜଣିଆ ସମୀକ୍ଷକଙ୍କର ତାଲିକା ପ୍ରସ୍ତୁତ କରାଯାଇଥିବାରୁ, ତାହା ସରକାରଙ୍କର ଅନୁମୋଦନ ନପାଇ ଚୟନ ପ୍ରକ୍ରିୟା ବିଳମ୍ବିତ ହେଉଛି ବୋଲି ମଧ୍ୟ ଜଣାଯାଇଛି।

କିନ୍ତୁ ଏ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି- ପ୍ରଚଳିତ ପୁରସ୍କାର ନିୟମାବଳୀ ଅନୁସାରେ- “ପ୍ରତ୍ୟେକ ବିଭାଗ ପାଇଁ ୨୫ ଜଣ ସମୀକ୍ଷକଙ୍କର ଯେଉଁ ନାମ ତାଲିକା କାର୍ଯ୍ୟକାରୀ ସମିତି ପ୍ରସ୍ତୁତ କରିବେ, ସେହି ତାଲିକା ମଧ୍ୟରୁ ସଭାପତି ଗୋପନୀୟ ଭାବେ ୧୫ ଜଣ ସମୀକ୍ଷକଙ୍କ ନାମ ସ୍ଥିର କରିବେ।” ଏଣୁ ଏହା ସଂପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ସମିତିର ପ୍ରସ୍ତାବ ଏବଂ ସଭାପତିଙ୍କ ଗୋପନ ଚୟନ ମଧ୍ୟରେ ସୀମିତ। କିନ୍ତୁ ଏହାକୁ ସରକାରଙ୍କର ଅନୁମୋଦନ ପାଇଁ ପଠାଯାଇଛି। ଏ ନେଇ ଅନେକ ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମଧ୍ୟରେ ଏକାଡେମୀର ଅନେକ ସଦସ୍ୟ ଓ ପୂର୍ବତନ ସଦସ୍ୟ ଅଛନ୍ତି।

ଏ ପ୍ରସଙ୍ଗରେ ପୂର୍ବ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଭାଗୀରଥି ମହାସୁଆରଙ୍କର ଗୋଟିଏ ପ୍ରତିକ୍ରିୟା ଗୁରୁତ୍ୱପୂର୍ଣ୍ଣ। ଏହି ସ୍ତମ୍ଭରେ ଏ ସଂପର୍କିତ ଆଲେଖ୍ୟ ପ୍ରକାଶ ପାଇବା ପରେ, ସେ ତାଙ୍କର ପ୍ରତିକ୍ରିୟାରେ କହିଥିଲେ, “ନିୟମଟି ବହୁ ପୁରୁଣା ଏବଂ କେହି ଏହାର ସଂଶୋଧନ ପାଇଁ ଚେଷ୍ଟା କରି ନାହାନ୍ତି। ଆମ କାର୍ଯ୍ୟକାରୀ ପରିଷଦ (୨୦୧୭ରୁ ୨୦୨୦)… ଏକ ଚିଠା ସଂଶୋଧନ ପ୍ରସ୍ତାବ କରିଥିଲେ। ଚିଠାଟି ସାଧାରଣ ପରିଷଦରେ ଗୃହୀତ ହେବାକୁ ଆଗୁଆ ସଦସ୍ୟମାନଙ୍କୁ ଅନୁଧ୍ୟାନ ପାଇଁ ପଠାଯିବା କଥା। ତାହା ହେବା ପୂର୍ବରୁ ଅଫିସ୍‌, କଚେରି ବନ୍ଦ। … କିନ୍ତୁ ୧୫ ଜଣିଆ ବିଚାରକ ମଣ୍ଡଳୀ ତାଲିକା କରିବା ଗୋପନୀୟ ଏବଂ ଏହା ସଭାପତିଙ୍କର ଏକାନ୍ତ ଅଧିକାର (ପୁରସ୍କାର ନିୟମାବଳୀ ଅନୁଯାୟୀ)। ଏହା ସରସ ହେଉ ବା ନିରସ ହେଉ, ଆଉ କାହା ମନକୁ ପାଇବା ପ୍ରସଙ୍ଗ କାହିଁକି ଉଠିଲା?’’

ଏ ବାବଦରେ, ବର୍ତ୍ତମାନର ଜଣେ ସାଧାରଣ ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବାହାଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଦୀର୍ଘବର୍ଷ ଧରି ସେ ଏକାଡେମୀର କର୍ମଚାରୀ ଓ କାର୍ଯ୍ୟକର୍ତ୍ତା ଥିଲେ। ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି- “ପରିଷଦ ଦ୍ୱାରା ୨୫ ଜଣ ସମୀକ୍ଷକଙ୍କ ନାମ ସ୍ଥିର ହେବ ଏବଂ ସେଥିରୁ ୧୫ ଜଣଙ୍କୁ ସଭାପତି ବାଛିବେ, ଏହା ଗୋପନୀୟ। ଯେହେତୁ ସଚିବ କାର୍ଯ୍ୟକାରୀ ମୁଖ୍ୟ, ସେ ସଂପୃକ୍ତ ହେବେ। ଏହା ଯଦି ଅନ୍ୟ କେହି ଅଧିକାରୀ ଜାଣିବା ହୁଅନ୍ତି, ଏହି ତାଲିକା ବାତିଲ ହେବା କଥା। … ଏଠାରେ ପୁରସ୍କାର ଦେବା କି ନଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୋଟିଏ ସାମ୍ବିଧାନିକ ଅନୁଷ୍ଠାନରେ ଅବ୍ୟବସ୍ଥା ଉପୁଜିବା ତା’ଠାରୁ ଗୁରୁତ୍ୱପୂର୍ଣ୍ଣ।”

ଦୁଇଜଣ କାର୍ଯ୍ୟକାରୀ ପରିଷଦ ସଦସ୍ୟ ବି ଏ ବାବଦରେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖର ହୋତା। ସାଧାରଣ ପରିଷଦ ସଦସ୍ୟମାନେ ପୁରସ୍କାର ପାଇପାରିବେ ନାହିଁ- ଏହାକୁ ସେ ବୈଠକରେ ବିରୋଧ କରିଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି, “୧. ପୁରସ୍କାର ନିୟମାବଳୀ ପରିବର୍ତ୍ତନ ନ କରି ଏହା ଲାଗୁ କରାଯିବା ଉଚିତ ନୁହେଁ; ୨. ସାଧାରଣ ପରିଷଦ ସଭ୍ୟଙ୍କର ପୁରସ୍କାର ବିଷୟରେ କୌଣସି ସଂପୃକ୍ତି ନଥାଏ; ୩. ସାଧାରଣ ପରିଷଦ ସଭ୍ୟଙ୍କୁ ସରକାର ସଭ୍ୟ କରନ୍ତି, ସେ ନିଜେ ହୁଏ ନାହିଁ; ୪. ଆଗରୁ ବହୁ ସଭ୍ୟ ସାଧାରଣ ପରିଷଦରେ ଥାଇ ପୁରସ୍କାର ପାଇଛନ୍ତି; ୫. କୌଣସି ସାଧାରଣ ପରିଷଦ ସଭ୍ୟଙ୍କୁ ତାଙ୍କର ସାହିତ୍ୟିକ ମର୍ଯ୍ୟାଦାରୁ ବଞ୍ଚିତ କରାଯିବା ଉଚିତ ନୁହେଁ; ଏବଂ ୬. ୨୦୦୦ ମସିହାର କଥା ଉଠାଇ, ନିଜ ସ୍ୱାର୍ଥ ଦେଖି, ଅନ୍ୟକୁ ଭ୍ରମିତ କରିବା ଅଯୌକ୍ତିକ। ଏହାର ପୁନର୍ବିଚାର ଆବଶ୍ୟକ। ଦରକାର ପଡ଼ିଲେ କେସ୍‌ ଥୟ।’’ ସେହିପରି ଅନ୍ୟ ଜଣେ କାର୍ଯ୍ୟକାରୀ ପରିଷଦ ସଦସ୍ୟ ନୃସିଂହ ଷଡ଼ଙ୍ଗୀ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି- “କନ୍‌ଫିଡେନ୍‌ସିଆଲ୍ ମ୍ୟାଟର୍‌ଟିକୁ କିଏ ନେଲା ଓ କେଉଁ ସ୍ୱାର୍ଥରେ ସରକାରଙ୍କ ପାଖକୁ? ଏହା ନୀତିଗତ ନୁହେଁଁ। ବରଂ ଅନଧିକାର ହସ୍ତକ୍ଷେପ। ଜୋରଦାର ବିରୋଧର ଆବଶ୍ୟକତା ରହିଛି।”

ଏଣୁ ଏହି ଦ୍ୱନ୍ଦ୍ୱ, ବିବାଦ ଓ ବିତର୍କର ସମାଧାନ ହୋଇ, ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଏକାଡେମୀ ପୁରସ୍କାର ଚୟନ ପ୍ରକ୍ରିୟା ସ୍ୱାଭାବିକ ହେବାର କୌଣସି ଲକ୍ଷଣ ଏବେ ଦେଖାଯାଉ ନାହିଁ। ସଭାପତିଙ୍କ ଘୋଷଣାମତେ, ପାଞ୍ଚବର୍ଷର ପୁରସ୍କାର ଚୟନ ୭ ମାସ ମଧ୍ୟରେ ସରିଲା ନାହିଁ। ତାହା ୧୦ ମାସକୁ ଘୁଞ୍ଚିଲା। କିନ୍ତୁ ମାର୍ଚ୍ଚ ୩୧ରେ ୧୦ ମାସ ସରିଲା ବେଳକୁ ଏକାଡେମୀ ପୁରସ୍କାରର ପଦ୍ମ ଯେ ପୁଣି ଘୁଞ୍ଚିବ- ଏ ସବୁ ତାହାର ସୁନିଶ୍ଚିତ ଲକ୍ଷଣ। କାରଣ, ଏକାଡେମୀ ପୁରସ୍କାର ଚୟନର ଅପେରା ଏବେ ଚାଲିଛି; ସରି ନାହିଁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର