ମନୁଷ୍ୟର ସମସ୍ତ ଚେତନା ବହିର୍ମୁଖୀ। ଯେଉଁ ଷଷ୍ଠ ଅନ୍ତର୍ମୁଖୀ ଚେତନାଟି ଆମର ଅଛି, ତାହା ହେଉଛି ଆମର ନିରବତା। ନିରବତାର ଶଦ୍ଦ ପ୍ରଚଣ୍ଡ। ନିରବତା ମଧ୍ୟ ଏକ ଶଦ୍ଦହୀନ ସଙ୍ଗୀତ। ନିଜ ସହିତ ନିଜର ଓ ଜଗତ୍‌ର ସଂଯୋଜକ ହେଉଛି ଆମର ନିରବତା। ପ୍ରତ୍ୟେକ ପଦାର୍ଥ ସେମାନଙ୍କ ନିରବତା ଭଙ୍ଗ ହେଲେ ବିଚଳିତ ହୁଅନ୍ତି। ଅସୁସ୍ଥତା ଶରୀରର ନିରବତା ଭଙ୍ଗ କରେ, ମୃତ୍ୟୁ ଜୀବନର ନିରବତା ଭଙ୍ଗ କରେ, ଛୋଟ ଏକ ଭାବନା ମସ୍ତିଷ୍କର ନିରବତା ଭଙ୍ଗ କରେ ଓ ପଥର ଖଣ୍ଡେ ପାଣିରେ ପଡ଼ିଲେ ସହସ୍ର ତରଙ୍ଗ ସୃଷ୍ଟି ହୋଇ ପୋଖରୀର ନିରବତା ଭଙ୍ଗ ହୁଏ। ସେହି ପରି ମୁଖ ନିଃସୃତ ଶଦ୍ଦ ସମଗ୍ର ବିଶ୍ବର ନିରବତା ଭଙ୍ଗ କରେ। କୋଳାହଳର ଏତେ ବ୍ୟାପକତା ମଧ୍ୟରେ ନିରବତାର ଅନୁପାଳନ କଷ୍ଟକର ହେଲେ ମଧ୍ୟ ଏହାର ସ୍ବର ଏତେ ବିସ୍ତାରିତ ଯେ, କୋଳାହଳ ତା’ ପାଖରେ ଶଦ୍ଦହୀନ। ସବୁ ସମସ୍ୟାର ମୂଳ କାରଣ ମନୁଷ୍ୟ ନିକଟରେ ନିରବତାର ଅଭାବ। ଆମେ ସର୍ବଦା ପରସ୍ପର ବିଷୟରେ ଉଚ୍ଚ ସ୍ବରରେ କଥା ହେବା ପାଇଁ ବ୍ୟଗ୍ର। ପରସ୍ପର ସହିତ କେବେ ବି ଆମେ କଥା ହୁଅନ୍ତି ନାହିଁ। ଚୁପ୍‌ ରହିବା ସେତେବେଳେ ଆବଶ୍ୟକ, ଯେତେବେଳେ ଆମେ ପରସ୍ପର ବିଷୟରେ କଥା ହେଉ। ପାଖାପାଖି ଠିଆ ହୋଇ ଦୁଇ ଜଣ ଯେତେବେଳେ ଝଗଡ଼ା କରନ୍ତି, ଅତି ଉଚ୍ଚ ସ୍ବରରେ କଥା ହୁଅନ୍ତି। କାରଣ, ପାଖରେ ଥାଇ ମଧ୍ୟ ଉଭୟଙ୍କ ହୃଦୟର ଦୂରତା ବଢ଼ି ଯାଇଥାଏ। ଏ ଦୂରତା ଅତିକ୍ରମ କରିବାକୁ ଉଚ୍ଚ ସ୍ବରର ଆବଶ୍ୟକ ହୁଏ। ପରସ୍ପରକୁ ଭଲ ପାଉଥିବା ଦୁଇ ଜଣ ବ୍ୟକ୍ତି ଅତି ନିମ୍ନ ସ୍ବରରେ କଥା ହୁଅନ୍ତି। ହୃଦୟ ପାଖାପାଖି ରହିଲେ ନିରବତାର ଭାଷା ବି ବୁଝିହୁଏ।

Advertisment

ଜିଭ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ଓ ବଡ଼ ମିତ୍ର ମଧ୍ୟ। ସେଇ ଜିଭରୁ ଶଦ୍ଦର ମଧୁ ଝରେ, ସେଇଥିରୁ ଝରେ ବିଷ। ସଙ୍ଗୀତ, ପ୍ରାର୍ଥନା, ଆଶ୍ବାସନା, ମା’ର ନାନାବାୟା; ସବୁ ଶଦ୍ଦର ସୃଷ୍ଟି ସେଇ ଜିଭରୁ। ସେଇ ଜିଭ ପୁଣି କେତେବେଳେ ଖୁର ଧାର ପାଲଟେ, ଶତ୍ରୁତାର ଅଗ୍ନି ସ୍ଫୁଲିଙ୍ଗ ସୃଷ୍ଟି କରେ। ଦାର୍ଶନିକ ଏପିକଟିଟସ୍‌ଙ୍କ କହିବା ପରି ‘ମନୁଷ୍ୟର ଦୁଇଟି କାନ ଓ ଗୋଟିଏ ମାତ୍ର ପାଟି, କାରଣ ଆମେ କହିବା କମ୍, ଶୁଣିବା ଅଧିକ।’ ପୃଥିବୀରେ ଏବେ ଏତେ କୋଳାହଳ କ’ଣ ପାଇଁ? କାରଣ ଏବେ ଆଉ ଶୁଣିବାକୁ କାହାରି ଧୈର୍ଯ୍ୟ ନାହିଁ। ସମସ୍ତେ କେବଳ କହିବାକୁ ବ୍ୟଗ୍ର। ଶୁଣିବ ତେବେ କିଏ? ଯିଏ ବି ଶୁଣେ, କେବଳ ଉତ୍ତର ଦେବା ପାଇଁ ଶୁଣେ।

ପ୍ରଶ୍ନ ଉଠେ, ସର୍ବଦା ସବୁ କଥାରେ ଚୁପ୍‌ ରହି କ’ଣ ବଞ୍ଚି ହେବ? କୋଳାହଳ ଓ ନିରବତା ପରସ୍ପରର ବିରୋଧୀ ନୁହନ୍ତି। ମନୁଷ୍ୟ ପାଇଁ ଉଭୟର ସମାନ ଆବଶ୍ୟକତା ରହିଛି। କେବଳ ଏହାର ସମୟ ଉପଯୋଗୀ ବ୍ୟବହାର ଆମକୁ ଶିଖିବାକୁ ହେବ। ପ୍ରତ୍ୟେକଙ୍କ ଜୀବନରେ ସଂପୂର୍ଣ୍ଣ ଚୁପ୍‌ ରହିବାର ସମୟ ସହିତ ମୁଖର ହେବାର ସମୟ ମଧ୍ୟ ଆସିଥାଏ। ପ୍ରକୃଷ୍ଟ ସମୟର ଅପେକ୍ଷା ନ ରଖି ଯେଉଁ ବ୍ୟକ୍ତି ଚୁପ୍‌ ରହିବାକୁ ଥିବା ସମୟରେ ମୁଖର ହୁଏ ଓ କହିବାର ଆବଶ୍ୟକତା ଥିବା ବେଳେ ଚୁପ୍‌ ରହେ, ସିଏ କେବଳ ଅସୁବିଧା ଭୋଗ କରେ। ନିରବତା କେବଳ ଶଦ୍ଦର ଅନୁପସ୍ଥିତିକୁ ବୁଝାଏ ନାହିଁ। ଶଦ୍ଦର ଗହଳି ମଝିରେ ମଧ୍ୟ ଜଣେ ନିଜ ଭିତରର ନିରବତା ଅନୁଭବ କରି ପାରେ। ନିରବତାକୁ ଆମେ ବୁଦ୍ଧିମତ୍ତାର ସହିତ ବ୍ୟବହାର କରି ପାରିଲେ ଅନେକ କ୍ଷେତ୍ରରେ ସଫଳତା ମିଳିଥାଏ। ତେଣୁ ଆମର ମୁଖ ନିଃସୃତ ଶଦ୍ଦକୁ ଆମେ ନିରବତା ଠାରୁ ଅଧିକ ମଧୁର କରିବା ଆବଶ୍ୟକ।

କୁହାଯାଇପାରେ, ମୌନ ରହିଲେ ତାହା ସମ୍ମତିରେ ଗଣ୍ୟ ହେବ। ଏ କଥା ଠିକ ନୁହେଁ। ପଡ଼ୋଶୀଙ୍କ ଦୁଆରେ ଆପଣ ବାଲି ଗଦା କଲେ, ସୌଜନ୍ୟ ଦୃଷ୍ଟିରୁ ସେ ଚୁପ୍‌ ରହିଲେ। ତା’ ଅର୍ଥ କ’ଣ ବାଲି ଢାଳିବାକୁ ସେ ସମ୍ମତି ଦେଲେ?

ପ୍ରାର୍ଥନା ସାରି ଫେରୁଥିବା ଦଳେ ଶ୍ରଦ୍ଧାଳୁଙ୍କୁ ଜଣେ ପଚାରିଲେ, ‘ଭଗବାନଙ୍କୁ ପ୍ରାର୍ଥନା କରି କ’ଣ ସବୁ କହିଲ?’ ଶ୍ରଦ୍ଧାଳୁ କହିଲେ, ‘କିଛି କହିନୁ, କେବଳ ଶୁଣିଲୁ।’ ପ୍ରଶ୍ନ କର୍ତ୍ତା ଭାବିଲେ, ବୋଧେ ଭଗବାନ କିଛି କହିଛନ୍ତି। ତେଣୁ ପଚାରିଲେ, ‘ଭଗବାନ ତା’ ହେଲେ କ’ଣ କହିଲେ?’ ଶ୍ରଦ୍ଧାଳୁ ଉତ୍ତର ଦେଲେ, ‘କିଛି କହିଲେନି, କେବଳ ଶୁଣିଲେ।’ ନିରବରେ ଭାବ ବିନିମୟ କିପରି ହେଲା ଦେଖିଲେ ତ? ଜିଭରୁ ସୃଷ୍ଟ ଶଦ୍ଦ ଏକ ମାରାତ୍ମକ ଅସ୍ତ୍ର। ଏହା ଖଡ୍‌ଗ ପରି ତୀକ୍ଷ୍‌ଣ, ଅଗ୍ନି ପରି ଉତ୍ତପ୍ତ ଓ ମୃତ୍ୟୁ ଦେବା ପରି ବିଷାକ୍ତ। ଠିକରେ ବ୍ୟବହାର କରି ପାରିଲେ ସେଇ ଶଦ୍ଦ ସବୁ ଜୀବନ ଦାନ କରିବାର ସଂଜୀବକ ମଧ୍ୟ। ମୁହଁରୁ ଶଦ୍ଦ ନିର୍ଗତ ହେବା ପୂର୍ବରୁ ଟିକିଏ ନିରବ ରହି ଦେଖନ୍ତୁ ତ, ଆପଣଙ୍କର ସେଇ ନିରବତାର ଶକ୍ତି ଉଚ୍ଚାରିତ ଶଦ୍ଦକୁ କେମିତି ଶ୍ରୁତିମଧୁର କରିଦେବ। ତେଣୁ ଯେତେବେଳେ ବି କିଛି କହିବାର ଅଛି, ପ୍ରକୃଷ୍ଟ ସମୟକୁ ଅପେକ୍ଷା କରନ୍ତୁ। ଜଣେ ନିର୍ବୋଧ ମଧ୍ୟ ବିଜ୍ଞ ବ୍ୟକ୍ତିରେ ଗଣ୍ୟ ହୁଏ, ଯଦି ସେ ଚୁପ୍‌ ରହିବାର କଳା ଜାଣିଥାଏ। କୁହାଯାଏ ମୁହଁର ବାକ୍ୟ ମନୁଷ୍ୟର ନିୟତିକୁ ଗଢ଼େ। ନିଜର ଭାବନା ଉପରେ ଧ୍ୟାନ ଦିଅନ୍ତୁ, ସେସବୁ ମୁଖ ନିଃସୃତ ଶଦ୍ଦ ପାଲଟିବ। ଉଚ୍ଚାରିତ ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ, ତାହା ଉତ୍ତମ କାର୍ଯ୍ୟ ପାଲଟିବ। କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କଲେ ତାହା ଉତ୍ତମ ଅଭ୍ୟାସ ପାଲଟିବ। ଅଭ୍ୟାସ ଉପରେ ଧ୍ୟାନ ଦେଲେ ତାହା ଉତ୍ତମ ଚରିତ୍ର ସୃଷ୍ଟି କରିବ। ଚରିତ୍ର ଉପରେ ଧ୍ୟାନ ଦେଲେ ତାହା ଆପଣଙ୍କ ନିୟତି ପାଲଟିବ। କବି ସୀମାବ୍ ଆକବରାବାଦୀଙ୍କ କବିତାରୁ କିଛି ମନେପଡ଼େ: ‘ମେରି ଖାମୋସୀୟୋଁ ପର୍ ଦୁନିୟାଁ ମୁଝକୋ ତାନ ଦେତି ହୈ, ୟେ କ୍ୟା ଜାନେ କି ଚୁପ୍ ରହ କର ଭି କି ଯାତି ହୈଁ ତକରୀରେଁ’। ମୋର ନିରବତା ପାଇଁ ଦୁନିଆ ମତେ ବିଦ୍ରୂପ କରୁଛି। ସେ କ’ଣ ଜାଣେ ନିରବତାର ଭାଷା କେତେ କୋଳାହଳମୟ।

ମୋ- ୯୩୩୭୬୪୮୬୩୮