ବଙ୍ଗଳା ଦେଶରେ ସ˚ଖ୍ୟାଲଘୁ

ଶରତ ଚନ୍ଦ୍ର ମିଶ୍ର

ବ୍ରିଟିସ୍‌ ଶାସନ ସମୟରେ ପ୍ରଥମ କରି ୧୯୦୧ରେ ଜନଗଣନା ଆରମ୍ଭ ହୋଇ ବଙ୍ଗଭାଷୀ ଅଞ୍ଚଳରେ ହିନ୍ଦୁ ବଙ୍ଗାଳୀଙ୍କ ଅପେକ୍ଷା ମୁସଲମାନ ବଙ୍ଗାଳୀଙ୍କ ସ˚ଖ୍ୟା ଅଧିକ ବୋଲି ଜଣାପଡ଼ିଲା। ବିଶେଷତଃ ପୂର୍ବ ବଙ୍ଗ ଅଞ୍ଚଳରେ ମୁସଲମାନ ବଙ୍ଗାଳୀଙ୍କ ସ˚ଖ୍ୟା ହିନ୍ଦୁ ବଙ୍ଗାଳୀଙ୍କର ପ୍ରାୟ ଦୁଇଗୁଣ। ଏଇ ତଥ୍ୟର ସୁବିଧା ନେଇ ତତ୍‌କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ କର୍ଜନ ଦୁଇ ଧର୍ମାବଲମ୍ବୀଙ୍କ ମଧୢରେ ବିଭେଦ ସୃଷ୍ଟି କରିବା ନିମନ୍ତେ ବଙ୍ଗ ବିଭାଜନ କରାଇଲେ ଓ ତା’ର ତୀବ୍ର ହିନ୍ଦୁ ପ୍ରତିବାଦକୁ ମୁକାବିଲା କରି ନ ପାରି ବିଭାଜନକୁ ବାତିଲ କଲେ। କିନ୍ତୁ ବଙ୍ଗ ପ୍ରେସିଡେନ୍‌ସିରୁ ଅଣ ବଙ୍ଗ ଭାଷାଭାଷୀ ଅଞ୍ଚଳକୁ ଅଲଗା କରି ବଙ୍ଗ ପ୍ରଦେଶରେ ବଙ୍ଗାଳୀ-ହିନ୍ଦୁଙ୍କୁ ସ˚ଖ୍ୟା ନ୍ୟୂନ କରିଦେଲେ। ମୁସଲିମ ଲିଗ୍‌ ଗଠନ ନିମନ୍ତେ ଢାକା ନବାବଙ୍କୁ ପ୍ରୋତ୍ସାହନ ଓ ଢାକା ବିଶ୍ବବିଦ୍ୟାଳୟ ସ୍ଥାପନ କରି, ହିନ୍ଦୁ ଶ୍ରେଷ୍ଠତ୍ବ ବିରୋଧରେ ସ୍ବର ଉତ୍ତୋଳନ କରିବା ନିମନ୍ତେ ମୁସଲମାନମାନଙ୍କୁ ବ୍ରିଟିସ୍‌ ସରକାର ତରଫରୁ ସାହାଯ୍ୟ ଓ ଉତ୍ସାହ ପ୍ରଦାନ କରାଗଲା। ବଙ୍ଗାଳୀ-ହିନ୍ଦୁମାନେ ପ୍ରଥମେ ଇଂରେଜୀ ଶିକ୍ଷାର ସୁଯୋଗ ଲାଭ କରି ସରକାରୀ ଚାକିରିର ସି˚ହ ଭାଗ କରାୟତ୍ତ କରିଥିଲେ ଓ ହିନ୍ଦୁ ଜମିଦାର ଏବଂ ସାହୁକାରମାନେ ମୁସଲମାନ ବଙ୍ଗାଳୀ ପ୍ରଜାମାନଙ୍କୁ ନ୍ୟୂନ ଭାବରେ ବ୍ୟବହାର କରୁଥିଲେ। ମୁସଲମାନମାନଙ୍କର ଏ ହିନ୍ଦୁ ଆଧିପତ୍ୟରୁ ନିଜକୁ ମୁକ୍ତ କରିବାର ପ୍ରଚେଷ୍ଟାରୁ ହିଁ ବଙ୍ଗ ପ୍ରଦେଶରେ ସା˚ପ୍ରଦାୟିକତାର ବୀଜ ବପନ ହେଲା ଓ ୧୯୦୮ ମସିହାରେ ପ୍ରଥମ ସା˚ପ୍ରଦାୟିକ ସ˚ଘର୍ଷ ହେଲା।
ପୂର୍ବ ବଙ୍ଗର ମୁସଲମାନମାନେ ସଫଳକାମ ହୋଇ ପ୍ରଥମେ ପାକିସ୍ତାନ (୧୯୪୭)ର ଅ˚ଶ ବିଶେଷ ହେଲେ ଓ ପରବର୍ତ୍ତୀ କାଳେ (୧୯୭୧) ସ୍ବାଧୀନ ବଙ୍ଗଳାଦେଶ ଗଠନ କଲେ। ଏଇ ପାକିସ୍ତାନ ବିରୋଧୀ ମୁକ୍ତି ସ˚ଗ୍ରାମର ଭାରତର ସାହାଯ୍ୟ ହିଁ ସେମାନଙ୍କୁ ସଫଳ କାମ କରାଇଲା ଓ ଏ ବର୍ଷ ତା’ର ପଚାଶ ବର୍ଷର ପୂର୍ତ୍ତି ପାଳନ କରା ହେଉଅଛି। ସ୍ବାଧୀନ ବଙ୍ଗଳାଦେଶ ଗଠନର ପଚାଶ ବର୍ଷ ପରେ ମଧୢ ବଙ୍ଗଳାଦେଶରେ ସା˚ପ୍ରଦାୟିକ ସଦ୍‌ଭାବ ସ˚ପୂର୍ଣ୍ଣ ପ୍ରତିଷ୍ଠା ହୋଇପାରିନାହିଁ ଓ ହିନ୍ଦୁ ସମେତ ସମସ୍ତ ସ˚ଖ୍ୟାଲଘୁମାନେ ହି˚ସା ଓ ଅବିଚାରର ଶରବ୍ୟ ହେଉଛନ୍ତି।

ଦେଶ ବିଭାଜନ (୧୯୪୭) ସମୟରେ ତତ୍‌କାଳୀନ ପୂର୍ବ ବଙ୍ଗରେ ଶତକଡ଼ା ୨୯ ଭାଗ ଲୋକ ହିନ୍ଦୁ ଥିଲେ। ୧୯୫୦ ବେଳକୁ ଏହା ଶତକଡ଼ା ୨୨ ଭାଗକୁ କମି ଆସିଥିଲା ଓ ୨୦୦୧ ଜନଗଣନା ସମୟକୁ ୧୦.୫% ଭାଗ ମାତ୍ର ହିନ୍ଦୁ। ବର୍ତ୍ତମାନ (୨୦୨୧) ହିନ୍ଦୁମାନଙ୍କ ସ˚ଖ୍ୟା ୮.୫% ଭାଗକୁ କମି ଆସିଛି। ହିନ୍ଦୁ ଜନସ˚ଖ୍ୟାର ହ୍ରାସ ସେମାନେ ଭାରତକୁ ପଳାୟନ ହେତୁ ଓ ହିନ୍ଦୁ ପ୍ରଜନନ ମୁସଲମାନ ପ୍ରଜନନ ଠାରୁ ଅପେକ୍ଷାକୃତ କମ୍‌ ଥିବାରୁ ଘଟୁଅଛି। ହାରାହାରି ଦୈନିକ ୪୭୫ ଜଣ ହିନ୍ଦୁ ଭାରତକୁ ପଳାଇ ଆସୁଛନ୍ତି। ହିନ୍ଦୁମାନଙ୍କ ବ୍ୟତୀତ ପ୍ରାୟ ଶତକଡ଼ା ୦.୬ ବୌଦ୍ଧ ଧର୍ମାବଲମ୍ବୀ ଓ ୦.୩ ଖ୍ରୀଷ୍ଟିଆନ। ସେମାନଙ୍କ ଆପେକ୍ଷିକ ସ˚ଖ୍ୟା ପ୍ରାୟ ସ୍ଥିର ରହିଛି। ଗାରୋ ଉପଜାତିମାନେ ଖ୍ରୀଷ୍ଟିଆନ ଓ ତା’ ବ୍ୟତୀତ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିବା ଓ କେତେ ଆଙ୍ଗ୍‌ଲୋ-ଇଣ୍ତିଆନ୍‌ ଢାକାରେ ବାସ କରନ୍ତି। ଚିଟାଗଙ୍ଗ ପାର୍ବତ୍ୟ ଅଞ୍ଚଳର ଚକମାମାନେ ବୌଦ୍ଧ ଧର୍ମାବଲମ୍ବୀ। ଦେଶର ମୁସଲମାନମାନେ ପ୍ରାୟ ସମସ୍ତେ ସୁନ୍ନି। ଅଳ୍ପ କିଛି ସିହା ଓ ପ୍ରାୟ ଏକ ଲକ୍ଷ ଅହମେଦିଆ ମଧୢ ଅଛନ୍ତି। ସେଇ ଦୁଇ ସ˚ପ୍ରଦାୟକୁ ସୁନ୍ନିମାନେ ମୁସଲମାନ ବୋଲି ସ୍ବୀକାର କରନ୍ତି ନାହିଁ। ଦେଶ ବିଭାଜନ ସମୟରେ ପୂର୍ବ ଭାରତରୁ କେତେକ ଅଣ ବଙ୍ଗାଳୀ ମୁସଲମାନ ପୂର୍ବ ପାକିସ୍ତାନକୁ ଚାଲି ଯାଇଥିଲେ। ସେମାନେ ବିହାରୀ ମୁସଲମାନ ଭାବରେ ବିଦିତ। ସ୍ବାଧୀନତା ସ˚ଗ୍ରାମ ସମୟରେ ସେମାନେ ପାକ୍‌ ସେନାକୁ ସାହାଯ୍ୟ କରି ସ୍ବାଧୀନ ବଙ୍ଗଳାଦେଶ ଗଠନର ବିରୋଧ କରିଥିଲେ। ଆଇନତଃ ସେମାନେ ପାକିସ୍ତାନୀ ନାଗରିକ। କିନ୍ତୁ ସେଇ ତିନି ଲକ୍ଷ ଲୋକଙ୍କୁ ପାକିସ୍ତାନ ଫେରାଇ ନେଉନାହିଁ। ସେମାନେ ସୁନ୍ନି ମୁସଲମାନ ହେଲେ ମଧୢ, ବଙ୍ଗଳାଦେଶର ନାଗରିକତ୍ବ ପାଇନାହାନ୍ତି ଓ ନାନା ପ୍ରକାର ଅବହେଳାର ଶରବ୍ୟ।

ବା˚ଲାଦେଶ ସୃଷ୍ଟି ହେଲା ପରେ ସମ୍ବିଧାନରେ ଧର୍ମ ନିରପେକ୍ଷତାକୁ ଏକ ସ୍ତମ୍ଭ ଭାବରେ ଗ୍ରହଣ କରା ହୋଇଥିଲା। କିନ୍ତୁ ୧୯୭୫ ମସିହାରେ ଶେଖ ମୁଜିବର ରହେମାନଙ୍କ ନିଧନ ପରେ ଧର୍ମ ନିରପେକ୍ଷତାକୁ ସମ୍ବିଧାନରୁ ବାଦ୍‌ ଦେଇ ଇସଲାମକୁ ଦେଶର ଧର୍ମ ରୂପେ ଗ୍ରହଣ କରାଗଲା। ଫଳତଃ ସ˚ଖ୍ୟାଲଘୁମାନେ ଦ୍ବିତୀୟ ଶ୍ରେଣୀର ନାଗରିକ ହୋଇଗଲେ। ଆଵାମି ଲିଗ୍‌ ବହୁ କାଳ ଶାସନରୁ ଅଲଗା ହୋଇ ପାଞ୍ଚ ବର୍ଷ ନିମନ୍ତେ ୧୯୯୬ରେ ଶାସନକୁ ଫେରିଲା ଓ ଏବେ ପ୍ରାୟ ଦଶାଧିକ ବର୍ଷ ହେଲା ଶାସନରେ ଅଛି। ପ୍ରଧାନମନ୍ତ୍ରୀ ଶେଖ ହାସିନା କିନ୍ତୁ ପୁଣି ସମ୍ବିଧାନରେ ଧର୍ମ ନିରପେକ୍ଷତାକୁ ସ୍ଥାନ ଦେବା ନିମନ୍ତେ ସାହସ ଜୁଟାଇ ପାରିନାହାନ୍ତି।

ବି.ଏନ୍‌.ପି ନେତ୍ରୀ ବେଗମ ଖାଲେଦା ଜିଆ ଶାସନରେ ଥିବା ସମୟରେ ହିନ୍ଦୁଙ୍କ ବିରୋଧରେ ଅଧିକ ଦ˚ଗାହଙ୍ଗାମା ହେଉଥିଲା। ବାବରୀ ମସ୍‌ଜିଦ ଭଙ୍ଗର ପରିପ୍ରେକ୍ଷୀରେ (୧୯୯୨) ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାହୋଇଥିଲା। ପ୍ରାୟ ୨୮ ହଜାର ବାସଗୃହ, ୨୭ ଶହ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଏବଂ ୩୬ ଶହ ମନ୍ଦିର ଭଙ୍ଗା ଯାଇଥିଲା। ୧୨ ଜଣ ହିନ୍ଦୁ ପ୍ରାଣ ହରାଇଥିଲେ, ୨୦ ଆଘାତପ୍ରାପ୍ତ ହୋଇଥିଲେ ଓ ୨୦୦୦ ନିର୍ଯାତିତ ହୋଇଥିଲେ। ବହୁ ହିନ୍ଦୁ ମହିଳା ନିର୍ଯାତିତା ହୋଇଥିଲେ। ଅତ୍ୟାଚାରୀମାନଙ୍କର ଡାକରା ଥିଲା ‘‘ଜାନେ ମାରିସନା, ଇଜ୍ଜତ ମାର’’। ଦେଶ ବିଦେଶରେ ଏହାର ତୀବ୍ର ପ୍ରତିବାଦ ହୋଇଥିଲା ଓ ବଙ୍ଗଳାଦେଶୀ ଲେଖିକା ତସ୍‌ଲିମା ନାସ୍‌ରିନ ‘ଲଜ୍ଜା’ ନାମକ ଏକ ପୁସ୍ତକ ଲେଖି ଏ ଅତ୍ୟାଚାରର ତୀବ୍ର ସମାଲୋଚନା କରିଥିଲେ। ଆନ୍ତର୍ଜାତିକ ସମାଲୋଚନାରେ ଅତିଷ୍ଠ ହୋଇ ଓ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆ ଢାକେଶ୍ବରୀ ମନ୍ଦିର ପରିଦର୍ଶନ କରିଥିଲେ। ହିନ୍ଦୁମାନେ କିନ୍ତୁ ତାଙ୍କୁ ବିଶ୍ବାସ କରନ୍ତି ନାହିଁ। ସେ ନୋଆଖାଲିର ଜଣେ ମୌଲବୀଙ୍କ ଝିଅ ଓ ନୋଆଖାଲି ଅଞ୍ଚଳ ସା˚ପ୍ରଦାୟିକତା ଲାଗି କୁଖ୍ୟାତ। ତାଙ୍କ ସ୍ବାମୀ ଜେନେରାଲ ଜିଆଙ୍କ ସମୟରେ ବଙ୍ଗଳାଦେଶ ସମ୍ବିଧାନରୁ ଧର୍ମ ନିରପେକ୍ଷତାକୁ ଉଠାଇ ଦିଆଯାଇଥିଲା।

ଶେଖ ହାସିନା କ୍ଷମତାକୁ ଆସିଲା ପରେ ସା˚ପ୍ରଦାୟିକ ଶକ୍ତିମାନେ ସରକାରୀ ସାହାଯ୍ୟ ପାଉନାହାନ୍ତି। ସେମାନଙ୍କର ଆଶଙ୍କା ଯେ ହିନ୍ଦୁ ସ˚ସ୍କୃତି ବଙ୍ଗଳାଦେଶର ମୁସଲମାନ ସ˚ସ୍କୃତିକୁ ଦୁର୍ବଳ କରିଦେବ। ଜଣେ ବଙ୍ଗଳାଦେଶୀର ଦୁଇଟି ପରିଚୟ। ମୁସଲମାନ ଓ ବଙ୍ଗାଳୀ। ସେମାନେ ଚାହାନ୍ତି ଯେ ବଙ୍ଗାଳୀ ପରିଚୟଟି ଗୌଣ ହୋଇ ମୁସ୍‌ଲିମ ପରିଚୟଟି ମୁଖ୍ୟ ହେଉ। ଦ୍ବିତୀୟରେ ସେମାନେ ହାସିନା ସରକାରଙ୍କର ଭାରତ ସରକାର ସହିତ ଉତ୍ତମ ସ˚ପର୍କକୁ ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ। ସେମାନଙ୍କର ଧାରଣା ତଦ୍ଦ୍ବାରା ଦେଶରେ ଭାରତ ଓ ହିନ୍ଦୁ ପ୍ରଭାବ ବୃଦ୍ଧି ପାଇବ। ଅନେକ ବଙ୍ଗଳାଦେଶୀ ମୁସଲମାନ ଉତ୍ତମ ମାନର ଜୀବନଯାପନ ନିମନ୍ତେ ପ୍ରତିଦିନ ଭାରତ ଚାଲିଆସୁଛନ୍ତି ଓ ସେମାନେ ଭାରତର ନାଗରିକ ମଧୢ ହୋଇଛନ୍ତି। ବର୍ତ୍ତମାନର ସ˚ଶୋଧିତ ଭାରତୀୟ ନାଗରିକ ଆଇନ ଫଳରେ ସେମାନେ ଆଉ ଭାରତରେ ନାଗରିକ ହୋଇପାରିବେ ନାହିଁ। ଭାରତ ଓ ହିନ୍ଦୁ ବିରୋଧରେ ଦ୍ବେଷର ଏହା ଅନ୍ୟ ଏକ କାରଣ। ଦ˚ଗାହଙ୍ଗାମା କରି ହିନ୍ଦୁମାନଙ୍କୁ ଦେଶରୁ ବିଦା କରି ଦେଲେ ସେମାନଙ୍କର ଭୂସମ୍ପତ୍ତି କରାୟତ୍ତ କରିବାର ଆଗ୍ରହ ରହିଛି।

ପାକିସ୍ତାନ, ଭାରତର ବଙ୍ଗଳାଦେଶ ସହିତ ସୁସ˚ପର୍କ ରହିବା ଚାହେଁ ନାହିଁ। ବଙ୍ଗଳାଦେଶରେ ସା˚ପ୍ରଦାୟିକ ଦ˚ଗା ସ˚ଗଠିତ ହୋଇପାରିଲେ ତା’ର ପ୍ରତିଫଳନ ଭାରତରେ ହେବ ଓ ଉଭୟ ଦେଶର ସ˚ପର୍କ କ୍ଷୁଣ୍ଣ ହେବ। ଏଇ ବର୍ଷ ଦୁର୍ଗା ପୂଜା ସମୟରେ କୁମିଲ୍ଲା ଜିଲ୍ଲାର ଗୋଟିଏ ପୂଜାମଣ୍ତପରେ ପବିତ୍ର କୋରାନ ପୁସ୍ତକ ରଖିଦେଇ ତା’ର ଫଟୋକୁ ପ୍ରଚାରିତ କରି ଦ˚ଗା ସୃଷ୍ଟି କରାଗଲା। ପ୍ରାୟ ୧୦୦ ହିନ୍ଦୁ ମନ୍ଦିର ଓ ଉପାସନା ସ୍ଥଳ ଉପରେ ଆକ୍ରମଣ ହୋଇ ସାତ ଜଣ ହିନ୍ଦୁ ପ୍ରାଣ ହରାଇଲେ। ବଙ୍ଗଳାଦେଶ ସରକାର କିନ୍ତୁ ପ୍ରାୟ ୭୨ଟି ମୋକଦ୍ଦମା କରି ୪୦୦ ଦ˚ଗାକାରୀଙ୍କୁ ଗିରଫ କରି ଏ ଦ˚ଗାକୁ ଆୟତ୍ତାଧୀନ କଲେ।

ଯେ ପର୍ଯ୍ୟନ୍ତ ଦେଶରେ ଆଵାମି ଲିଗ୍‌ର ସରକାର ଅଛି, ହିନ୍ଦୁମାନେ ଏକ ପ୍ରକାର ସୁରକ୍ଷିତ ଅଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଗୋଟିଏ ଦଳର ସରକାର ସବୁ ସମୟରେ କ୍ଷମତାରେ ରହିବା ସମ୍ଭବ ନୁହେଁ। ବଙ୍ଗଳାଦେଶରେ ଭାରତ ବିରୋଧୀ, ହିନ୍ଦୁ ବିରୋଧୀ ସା˚ପ୍ରଦାୟିକ ଶକ୍ତି ଏବେ ମଧୢ ସକ୍ରିୟ ଓ ସୁବିଧା ପାଇଲା ମାତ୍ରକେ ସେମାନେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେବେ। ଦେଶରୁ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ସ˚ଖ୍ୟା ଲୋପ କରିବା ସେମାନଙ୍କର ଲକ୍ଷ୍ୟ। ଏକ ନିର୍ବାଚନୀ ସଭାରେ ବେଗମ ଜିଆ ଥରେ କହିଥିଲେ, ‘ବଙ୍ଗଳାଦେଶ, ଇସଲାମିକ ରାଷ୍ଟ୍ର। ଏହା ଧର୍ମ ନିରପେକ୍ଷ ରାଷ୍ଟ୍ର ନୁହେଁ। ତେଣୁ ଅଣ ମୁସଲିମମାନେ ଦେଶ ତ୍ୟାଗ କରନ୍ତୁ, ଅଥବା ଇସଲାମ ଧର୍ମ ଗ୍ରହଣ କରନ୍ତୁ।’ ଏଇଆ ହିଁ ସେମାନଙ୍କର ମନୋଭାବ।

ହିନ୍ଦୁମାନଙ୍କ ବ୍ୟତୀତ ଅନ୍ୟ ସ˚ଖ୍ୟାଲଘୁମାନେ ମଧୢ ନିର୍ଯାତନା ଓ ଅଣହେଳାର ଶିକାର। ଚକମାମାନେ ତାଙ୍କର ଦେଶ ଛାଡ଼ି ଆସି ବହୁକାଳ ତ୍ରିପୁରାରେ ରହିଥିଲେ। ଭାରତ ସହିତ ଆଲୋଚନା ହୋଇ, ପରେ ବଙ୍ଗଳାଦେଶ ସରକାର ସେମାନଙ୍କୁ ଫେରାଇ ନେଲା। ଚିଟାଗଙ୍ଗ ପାର୍ବତ୍ୟ ଅଞ୍ଚଳରେ ବର୍ତ୍ତମାନ ଅଧିକା˚ଶ ଜାଗା, ଜମି ମୁସଲମାନମାନେ କରାୟତ୍ତ କରିନେଲେଣି। ବଙ୍ଗଳାଦେଶ ଆମ ଦେଶ ନିମନ୍ତେ ଏକ ସମ୍ବେଦନଶୀଳ ସମସ୍ୟା ହୋଇ ସବୁକାଳେ ରହିବ।

ମୋ- ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର