ଜଣେ ବିରଳ ଯୋଦ୍ଧା

ପ୍ରଫୁଲ୍ଲ କୁମାର ପାଣି

୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ପଛରେ ଯେ ଜଣେ ବିରଳ ବ୍ୟକ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା- ତାହା ଅନେକ ଲୋକ ଜାଣନ୍ତି ନାହିଁ। ତେର ଦିନ ଯୁଦ୍ଧ ଲାଗି ରହିବା ପରେ ୧୯୭୧ ମସିହା ଡିସେମ୍ବର ୧୬ ତାରିଖ ଦିନ ପାକିସ୍ତାନର ସେନାବାହିନୀ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ଏହି ଗୌରବମୟ ଅଧ୍ୟାୟରେ ଯାହାଙ୍କର ଏକକ ଅବଦାନ ଯୋଡ଼ି ହୋଇ ରହିଛି, ସେ ହେଉଛନ୍ତି- ରଣଛୋଡ଼ ଦାସ ପାଗୀ।

ପାକିସ୍ତାନ ସୀମାକୁ ଲାଗିଥିବା ଗୁଜୁରାଟର ବନସକଣ୍ଠା ଜିଲ୍ଲାର ଏକ ସାଧାରଣ ପରିବାରରେ ୧୯୦୧ ମସିହାରେ ରଣଛୋଡ଼ ଦାସଙ୍କ ଜନ୍ମ। ବିଭିନ୍ନ ପ୍ରଜାତିର ପଶୁ ପାଳନ କରିବା ଥିଲା ତାଙ୍କ ପରିବାରର ମୁଖ୍ୟ ଜୀବିକା। ଓଟ ପାଳିବାର ଅଭିଜ୍ଞତା ମଧ୍ୟରୁ ଓଟର ପାଦ ଚିହ୍ନକୁ ଦେଖି ସେ ଅନୁମାନ କରି ପାରୁଥିଲେ ଓଟ ପୃଷ୍ଠରେ କେତେ ଜଣ ସବାର ହୋଇଛନ୍ତି। କେବଳ ସେତିକି ନୁହେଁ ମଣିଷର ପାଦ ଚିହ୍ନ ଦେଖି ସେ ସେହି ବ୍ୟକ୍ତିଙ୍କ ଓଜନ, ବୟସ, ଲିଙ୍ଗ ତଥା ଉଚ୍ଚତା ସଂପର୍କରେ ଏକ ନିର୍ଭୁଲ୍‌ ଅନ୍ଦାଜ ଲଗାଇ ପାରୁଥିଲେ।
୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କିଛି ପାକିସ୍ତାନୀ ସୈନିକ କଚ୍ଛ ସୀମା ଅନ୍ତର୍ଗତ ବିଦ୍ୟାକୋଟ୍ ଅଞ୍ଚଳକୁ ଅକ୍ତିଆର କରିନେଇ ପ୍ରାୟ ଶହେ ସରିକି ଭାରତୀୟ ଯବାନଙ୍କୁ ହତ୍ୟା କରିଥିଲେ। ଏହି ସମୟରେ ଭାରତୀୟ ସେନାର ଏପରି ଜଣେ ବ୍ୟକ୍ତିିଙ୍କ ଆବଶ୍ୟକତା ଥିଲା, ଯିଏ ମରୁଭୂମିର ପ୍ରତିଟି ସ୍ଥାନ ଓ ପ୍ରଭାବକୁ ଭଲ ଭାବେ ଜାଣିଥିବ। ରଣଛୋଡ଼ ଦାସ ଥିଲେ ଏଭଳି ଜଣେ ବ୍ୟକ୍ତି। ତେଣୁ ତାଙ୍କୁ ସ୍କାଉଟ୍ ଭାବରେ ସେନାରେ ଭର୍ତ୍ତି କରାଗଲା। ରଣଛୋଡ଼ ଦାସ କଚ୍ଛ ମରୁଭୂମିର ଦିଗନ୍ତ ବିସ୍ତାରୀ ବାଲୁକା ରାଶି ଉପରେ ପଡ଼ିଥିବା ପାଦ ଚିହ୍ନଗୁଡ଼ିକୁ ଲକ୍ଷ୍ୟ କରି ଠିକ୍ ତଥ୍ୟ ଦେଇ କହିଥିଲେ ଯେ ୧୨୦୦ ପାକିସ୍ତାନୀ ସୈନିକ ଜଙ୍ଗଲ ମଧ୍ୟରେ ଛପି ରହିଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ ଦଖଲରୁ ଏହି ଅଞ୍ଚଳକୁ ମୁକ୍ତ କରିବା ପାଇଁ ଦଶ ହଜାର ଭାରତୀୟ ସୈନିକ ତିନି ଦିନ ମଧ୍ୟରେ ଛାରକୋଟ୍ ଠାରେ ପହଞ୍ଚି ଥିଲେ। ରଣଛୋଡ଼ ଦାସ ଗାଇଡ୍ ଭାବରେ ରହି ଛୋଟ ସୁରକ୍ଷିତ ରାସ୍ତା ଦେଇ ଭାରତୀୟ ସେନାଙ୍କୁ ମରୁଭୂମି ଅତିକ୍ରମ କରାଇ ନିର୍ଦ୍ଧାରିତ ସମୟର ୧୨ ଘଣ୍ଟା ପୂର୍ବରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇଥିଲେ। ଏହି ଯୁଦ୍ଧରେ ଭାରତର ବିଜୟ ପରିପ୍ରେକ୍ଷୀରେ ଭାରତୀୟ ସେନାଧ୍ୟକ୍ଷ ଫିଲ୍‌ଡ ମାର୍ଶାଲ୍ ମାନେକସା ରଣଛୋଡ଼ ଦାସଙ୍କୁ ସର୍ବଦା ସ୍ମରଣ କରୁଥିଲେ।

ରଣଛୋଡ଼ ଦାସଙ୍କର ତୀକ୍ଷ୍‌ଣ ନଜର, ନିର୍ଭୁଲ୍ ଚିହ୍ନଟ ଗୁଣ ଯୋଗୁଁ ଭାରତୀୟ ପଦାତିକ ବାହିନୀରେ ତାଙ୍କ ପାଇଁ ସ୍ବତନ୍ତ୍ର ପଦ ସୃଷ୍ଟି କରିଥିଲେ ମାନେକସା। ଏହି ପଦର ନାମ ଥିଲା ‘ପାଗୀ’ ଅର୍ଥାତ୍ ଗାଇଡ୍। ସେହି ଦିନ ଠାରୁ ରଣଛୋଡ଼ ଦାସଙ୍କ ନାମରେ ‘ପାଗୀ’ ଶବ୍ଦ ଯୋଡ଼ି ହୋଇଗଲା।

ଫିଲ୍‌ଡ ମାର୍ଶାଲ୍‌ ମାନେକସା ତାଙ୍କୁ ‘ୱାନ୍‌ ମ୍ୟାନ୍‌ ଆର୍ମି ଅନ୍‌ ଡେଜର୍ଟ ଫ୍ରନ୍‌ଟ’ ବା ‘ମରୁଭୂମିର ଏକକ ବାହିନୀ’ ବୋଲି କହୁଥିଲେ। ଭାରତୀୟ ବି.ଏସ୍.ଏଫ୍ ଯବାନମାନେ ଶ୍ରଦ୍ଧାରେ ତାଙ୍କୁ ‘ଓଲ୍‌ଡ ୱାର୍‌ କ୍ୟାମେଲ୍‌’ ବା ‘ପ୍ରବୀଣ ସମର ଓଟ’ ବୋଲି ଡାକୁଥିଲେ।

୧୯୭୧ ମସିହା ଯୁଦ୍ଧରେ ମଧ୍ୟ ପାଗୀ ଭାରତୀୟ ସେନାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଯେଉଁ ସବୁ ତଥ୍ୟ ଭାରତୀୟ ସେନାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା, ଅଥଚ ତାହା ଲାଭ କରିବାର ଉପାୟ ନ ଥିଲା, ସେତିକି ବେଳେ ରଣଛୋଡ଼ ଦାସଙ୍କ ଅଲୌକିକ ବିଚକ୍ଷଣତା ସେହି ସବୁ ତଥ୍ୟ ବାବଦରେ ନିର୍ଭୁଲ୍‌ ଅନୁମାନ କରି ଭାରତୀୟ ସେନାକୁ ସବୁ କଥା ଜଣାଇ ପ୍ରସ୍ତୁତ କରାଉଥିଲା। ପାଗୀଙ୍କର ଏହି ମହତ୍ତ୍ବପୂର୍ଣ୍ଣ ଅବଦାନ ପାଇଁ ଜେନେରାଲ ମାନେକସା ଖୁସିରେ ପାଗୀଙ୍କୁ ଢାକାରେ ନୈଶ ଭୋଜି ଲାଗି ଆମନ୍ତ୍ରିତ କରିଥିଲେ, ଯାହା ଏକ ଭାଗ୍ୟର କଥା ଥିଲା।

୧୯୯୮ ମସିହାରେ ପାଗୀ ୨୨କେଜି ଓଜନର ଆର୍‌ଡିଏକ୍‌ସ ବିସ୍ଫୋରକ ବହନ କରିଥିବା ଓଟ, ୧୯୯୯ରେ ୨୪କେଜି ଆର୍‌ଡିଏକ୍‌ସ ନେଇ ଯାଉଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଧରାଇବାରେ ସଫଳ ହୋଇଥିଲେ। ପାଗୀଙ୍କ ଜିଲ୍ଲା ବନସ୍କଣ୍ଟ ପୋଷ୍ଟକୁ ତାଙ୍କ ନାମାନୁସାରେ ରଣଛୋଡ଼ ପୋଷ୍ଟ ଭାବରେ ନାମିତ କରାଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ଭୂମିକା ପାଇଁ ଭାରତ ସରକାରଙ୍କ ତରଫରୁ ସଂଗ୍ରାମ ମେଡାଲ୍, ପୁଲିସ୍ ମେଡାଲ୍, ସମର ସେବା ଷ୍ଟାର୍ ପ୍ରଦାନ କରାଯାଇଛି।

ଶୁଣାଯାଏ ଯେ ଜେନେରାଲ ମାନେକସା ତାଙ୍କ ଜୀବନର ଅନ୍ତିମ ପର୍ଯ୍ୟାୟରେ ତାମିଲନାଡୁର ୱେଲିଂଟନ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅର୍ଦ୍ଧଚେତନ ଅବସ୍ଥାରେ ବାରମ୍ବାର ରଣଛୋଡ଼ ଦାସ ପାଗୀଙ୍କ ନାମ ଉଚ୍ଚାରଣ କରୁଥିଲେ। ୨୦୧୩ ମସିହାରେ ପାଗୀ ମୃତ୍ୟୁବରଣ କଲେ। ମୃତ୍ୟୁ ବେଳକୁ ତାଙ୍କ ବୟସ ହୋଇଥିଲା ୧୧୨ ବର୍ଷ।

ମୋ- ୬୩୭୨୪୫୯୯୬୦

ସମ୍ବନ୍ଧିତ ଖବର