ଡେଇଁବାର ଅଭ୍ୟାସ

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

କିଛି ଦିନ ତଳେ କୋଣାର୍କର ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପର୍ଯ୍ୟଟକମାନଙ୍କର ସବୁ ଦିନ ଭଳି ଗହଳି ଲାଗି ଯାଇଥିଲା। ହେଲେ କମ୍ପ୍ୟୁଟର ପ୍ରଣାଳୀରେ ବିଭ୍ରାଟ ଯୋଗୁଁ ପର୍ଯ୍ୟଟକମାନଙ୍କୁ ମନ୍ଦିର ପ୍ରବେଶ ଟିକଟ ବିକ୍ରି ଆରମ୍ଭ ହୋଇ ପାରୁ ନ ଥିଲା। ଅତଏବ ପଇସା ଦେଇ ଟିକଟ କିଣି ମନ୍ଦିର ପରିଦର୍ଶନ କରିବାକୁ ଇଚ୍ଛା ଥିଲେ ମଧୢ କୌଣସି ଯାତ୍ରୀଙ୍କୁ ଭିତରକୁ ଛଡ଼ା ଯାଇ ନ ଥିଲା। ହଠାତ୍‌ ଯାତ୍ରୀମାନଙ୍କୁ ସେଠାକୁ ନେଇ ଆସିଥିବା ପର୍ଯ୍ୟଟନ ସ˚ସ୍ଥାର କର୍ମଚାରୀଙ୍କ ମନକୁ ଅଭିନବ ବୁଦ୍ଧିଟିଏ ଜୁଟିଗଲା। ସେ ଯାତ୍ରୀମାନଙ୍କୁ ମନ୍ଦିରର ଗୋଟିଏ ପାର୍ଶ୍ବକୁ ଡାକି ନେଇ ସେମାନଙ୍କୁ ମନ୍ଦିରର ପ୍ରାଙ୍ଗଣ ଭିତରକୁ ଡେଇଁ ମନ୍ଦିର ବୁଲିବାକୁ ପ୍ରସ୍ତାବ ଦେଲେ ଓ ତଦନୁସାରେ ଯାତ୍ରୀମାନେ ଜଣକ ପରେ ଜଣେ ଘାସର ଗାଲିଚା ଉପରକୁ କୁଦି ପଡ଼ିଲେ। ଏତେ ଦୂରରୁ ମନ୍ଦିର ବୁଲିବା ପାଇଁ ସେମାନେ ଆସିଥିବାରୁ ସରକାରୀ ବ୍ୟବସ୍ଥାର ବିଫଳତା ଯୋଗୁଁ ସେମାନେ କେମିତି ବା ମନ୍ଦିର ପାଖକୁ ନ ଯାଇ ଘରକୁ ଫେରିଯାଇଥାଆନ୍ତେ?

ପର୍ଯ୍ୟଟନ ସ˚ସ୍ଥାର ସ˚ଚାଳକଙ୍କ ସେଇ ବୁଦ୍ଧି ସେମିତି ଗୋଟିଏ ଅସାଧାରଣ ଘଟନା ନୁହେଁ। ଆମ ଦେଶ ଓ ସ˚ସ୍କୃତିରେ ଏହି ଡିଆଁ ଡେଇଁର ପରମ୍ପରା ବହୁତ ପୁରୁଣା। ଆଜିର ସମୟରେ ମଧୢ ତାହା ଅପରିବର୍ତ୍ତନୀୟ ଭାବରେ ବିଦ୍ୟମାନ।

ଏହି ଡିଆଁ ଡେଇଁ କରି ହନୁମାନ ସ୍ବର୍ଣ୍ଣପୁରୀ ଲଙ୍କାକୁ ଧ୍ବ˚ସ କରି ନ ଥିଲେ ରାମଙ୍କର ବିଜୟ ଯାତ୍ରାର ମୂଳଦୁଆ ପଡ଼ି ପାରି ନ ଥାଆନ୍ତା। ଗୋଟିଏ ଉଚ୍ଚ ସ୍ଥାନରୁ ଆଉ ଏକ ଉଚ୍ଚ ସ୍ଥାନକୁ ଡେଇଁବାର ଏହି ସହଜାତ ପ୍ରବୃତ୍ତି ମଣିଷର ପୂର୍ବପୁରୁଷ ମାଙ୍କଡ଼ ଜାତିର ଏକ ବିଶେଷ ପରିଚୟ। ତେଣୁ ଆଧୁନିକ ମଣିଷ ସୁବିଧା ଓ ସୁଯୋଗ ଖୋଜି ଏହି କୌଶଳଟିର ପ୍ରୟୋଗ କରିଥାଏ। ରାଜନୀତିରେ ଏହି କଳାର ବିଶେଷ ଆଦର। ତେଣୁ ଭବିଷ୍ୟତ୍‌ର ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ରଖୁଥିବା ରାଜନୈତିକ ଦଳ ଆଡ଼କୁ ଦୁର୍ବଳ ଦଳର ସଦସ୍ୟମାନେ କାଳ ବିଳମ୍ବ ନ କରି ଡେଇଁବା ଆରମ୍ଭ କରି ଦିଅନ୍ତି। ବର୍ଷା ଦିନରେ ଗୋଟିଏ ସାରୁ ଗଛ ମୂଳରୁ ଆଉ ଏକ ସାରୁ ଗଛ ମୂଳକୁ ବେଙ୍ଗ ଡେଇଁଲା ଭଳି ନିର୍ବାଚନ ସମୟ ପହଞ୍ଚିଗଲେ ନେତାମାନଙ୍କର ଏହି ଡିଆଁ ଡେଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଏ। ଦଳ ଡିଆଁର ଏହି ଅଭ୍ୟାସ ପୁଣି ଦେଖାଯାଏ ବିଧାନସଭା କିମ୍ବା ଲୋକସଭାର ପରିଷଦ ଗୃହ ଭିତରେ, ଯେତେବେଳେ ଗୃହର କାର୍ଯ୍ୟ ବନ୍ଦ କରିବା ପାଇଁ ସଦସ୍ୟମାନେ ନିଜ ସ୍ଥାନରୁ ଲମ୍ଫ ମାରି ବାଚସ୍ପତିଙ୍କ ଆସନ ପାଖରେ ପହଞ୍ଚି ଯାଆନ୍ତି ଓ ହଟ୍ଟଗୋଳ କରନ୍ତି।

ଡେଇଁବା ପ୍ରବୃତ୍ତି ପ୍ରକୃତରେ ଆମମାନଙ୍କର ରକ୍ତ କଣିକାରେ ମିଶି ଯାଇଛି। କିଛି ବର୍ଷ ତଳେ ଲଣ୍ତନ୍‌ର ଟ୍ୟୁବ୍‌ ରେଳପଥର ଷ୍ଟେସନ୍‌ଗୁଡ଼ିକରେ ଫାଟକ ଡେଇଁ ପାର ହୋଇ ଯିବାକୁ ଚାହୁଁଥିବା ବିନା ଟିକଟଧାରୀ ଯାତ୍ରୀମାନଙ୍କର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସେମାନଙ୍କ ଭିତରୁ ପ୍ରାୟ ସମସ୍ତେ ଦକ୍ଷିଣ ଏସୀୟ ମୂଳର, ଅର୍ଥାତ୍‌ ସେମାନେ ମୁଖ୍ୟତଃ ଭାରତୀୟ, ପାକିସ୍ତାନୀ ଅଥବା ବା˚ଲାଦେଶୀ ବ˚ଶୋଦ୍ଭବ। ଅବଶ୍ୟ ଆମ ଦେଶର ବିନା ଟିକଟଧାରୀ ରେଳଯାତ୍ରୀମାନେ ଗନ୍ତବ୍ୟ ଷ୍ଟେସନ ପହଞ୍ଚିବା ପୂର୍ବରୁ ହିଁ ଗାଡ଼ିର ଚେନ୍‌ ଟାଣି ତଳକୁ ଖପାଖପ ଡେଇଁ ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇଯାଆନ୍ତି। ଟିକଟ ପରିଦର୍ଶକ ଆସୁଥିବାର ସୁରାକ ପାଇଲେ ସେମାନେ ଗୋଟିଏ ବଗିରୁ ଆଉ ଗୋଟିଏ ବଗିକୁ ଡେଇଁ ଆତ୍ମରକ୍ଷା କରିବାର କଳା ମଧ୍ୟ ଶିଖିଛନ୍ତି।

ବିନା ଟିକଟ ଯାତ୍ରାରେ ସିନା ଆମ ଦକ୍ଷିଣ ଏସୀୟ ମୂଳୋଦ୍ଭବମାନଙ୍କର ଆଧିପତ୍ୟ ରହିଛି; ହେଲେ, ଆଉ ଏକ ପ୍ରକାର ଗେଟ୍‌ ଡିଆଁ ରହିଛି, ଯାହାର ପ୍ରଚଳନ ଆମ ଦେଶ ସହିତ ଅନେକ ଉନ୍ନତ ଦେଶର ଅଧିବାସୀମାନଙ୍କ ପାଖରେ ରହିଛି। ଏହି କୁଶଳୀମାନଙ୍କୁ ‘ଗେଟ୍‌ କ୍ରାସର‌୍‌’ ବୋଲି କୁହାଯାଇଥାଏ, ଯାହାକୁ ଆମେ ଓଡ଼ିଆରେ ଅନୁପ୍ରବେଶକାରୀ ବା ‘ଧସେଇ ପଶିବା ବାଲା’ ବୋଲି କହିପାରୁ। କେଉଁଠି ବାହାଘର ଭୋଜିଟିଏ ଚାଲିଛି ତ ନିମନ୍ତ୍ରିତ ଭଦ୍ରଲୋକଙ୍କ ଗହଳି ଭିତରେ ଏମାନେ ପଶିଯାଇ ଭୁରି ଭୋଜନ କରନ୍ତି। ଏହି ପ୍ରବେଶ ଦ୍ବାର ଡିଆଁଳିମାନଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ପ୍ରାୟ ସବୁ ଭୋଜି ଆୟୋଜକମାନେ ଆଜିକାଲି ସତର୍କତା ଅବଲମ୍ବନ କଲେଣି ଓ ସ୍ବତନ୍ତ୍ର ଜଗୁଆଳି ମୁତୟନ କଲେଣି। ତେବେ ଏହି ବିଶାରଦମାନଙ୍କୁ ତାଙ୍କ କଳାରେ ବାଜିମାତ ଦେବା ଏତେ ସହଜ କଥା ନୁହେଁ। ନୂଆ ନୂଆ ଉପାୟରେ ସେମାନେ ଭୋଜି, ନାମୀଦାମୀ କାର୍ଯ୍ୟକ୍ରମ କିମ୍ବା ଉତ୍ସବଗୁଡ଼ିକ ଭିତରକୁ ପଶିବା ଲାଗି ବାଟ ପାଇଯାଆନ୍ତି। ଏମିତିକି ଆମେରିକାର ରାଷ୍ଟ୍ରପତି ଥରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସି˚ହଙ୍କ ଉଦ୍ଦେଶ୍ୟରେ ଦେଇଥିବା ନୈଶ ଭୋଜିରେ ହ୍ବାଇଟ୍‌ ହାଉସ୍‌ର ସୁଦୃଢ଼ ସୁରକ୍ଷା ବଳୟ ଡେଇଁ ତିନି ଜଣ ଅନିମନ୍ତ୍ରିତ ବ୍ୟକ୍ତି ପଶି ଆସି ପାରିଥିଲେ। ପ୍ରକାଶ ଥାଉ କି ସେ ତିନି ଜଣଙ୍କ ମଧୢରେ ଜଣେ ମହିଳା ମଧୢ ଥିଲେ।

ମଣିଷର ଲମ୍ଫ ମାରିବାର ପ୍ରବୃତ୍ତି ଯେ ସବୁ ବେଳେ କୁଉଦ୍ଦେଶ୍ୟ ପ୍ରଣୋଦିତ, ତାହା ନୁହେଁ। ଡେଇଁବା ମଣିଷର ଆଗକୁ ବଢ଼ିବାର ଇଚ୍ଛାକୁ ତ୍ବରାନ୍ବିତ କରିଥାଏ। ସେଇଥି ପାଇଁ ତ ସାତ ସମୁଦ୍ର ଓ ତେର ନଦୀ ଡେଇଁ ବିଦେଶୀ ଶକ୍ତିମାନେ ଦୂରଦୂରାନ୍ତର ଦେଶଗୁଡ଼ିକୁ ମାଡ଼ି ଯାଉଥିଲେ ଓ ସେମାନଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରୁଥିଲେ। ସେମିତି ବିଶ୍ବବିଜୟୀ ଯୋଦ୍ଧାମାନେ ବିପଦସଙ୍କୁଳ ଗିରିପଥ ଲ˚ଘି ଭାରତ ଭଳି ଭୂଖଣ୍ତକୁ ଆକ୍ରମଣ କରି ପାରୁଥିଲେ।

ଡେଇଁବାର ଅଭ୍ୟାସ ଖାଲି ମଣିଷ ଓ ପ୍ରାଣୀ ଜଗତ୍‌ରେ କାହିଁକି; ନିର୍ଜୀବ ଦୁନିଆରେ ମଧୢ ରହିଛି। ବସ୍ତୁ ଭିତରେ ପରମାଣୁ ଲମ୍ଫ ପ୍ରଦାନ କରି ଚାଲିଛି ସଦା ସର୍ବଦା। ବିଶାଳ ବିଶ୍ବ ବ୍ରହ୍ମାଣ୍ତର କେଉଁ ନା କେଉଁ କୋଣରେ ଉଲ୍‌କା ପିଣ୍ତ, ଧୂମକେତୁ ଓ ଅନ୍ୟାନ୍ୟ ମହାକାଶର ସଦସ୍ୟମାନେ ଲମ୍ଫ ପ୍ରଦାନ କରିଚାଲିଛନ୍ତି ଅହୋରାତ୍ର। ମଣିଷ ଦେହରୁ ଆଉ ଜଣେ ମଣିଷ ଦେହକୁ ଡେଇଁ ଚାଲିଛି ରୋଗର ଭୂତାଣୁ। କୁନି ଝିଅଟିଏ ନିର୍ବିକାର ଚିତ୍ତରେ ଖପରା ଡିଆଁ ଖେଳରେ ମଗ୍ନ ରହିଛି ଓ ଗ୍ରାମ୍ୟ ବାଳକଟିଏ ଡାଳ ମାଙ୍କୁଡ଼ି ଖେଳରେ ତା’ର ଲମ୍ଫ ପ୍ରଦାନର କୌଶଳ ବଢ଼ାଇ ଚାଲିଛି। ଡେଇଁବା ଚାଲିଛି ତ ଜୀବନ ସ୍ବାଭାବିକ ଭାବରେ ଚାଲିଛି।

ସେଦିନ କୋଣାର୍କ ପରିସରରେ ପର୍ଯ୍ୟଟକମାନଙ୍କର ସାମୂହିକ ଲମ୍ଫ ପ୍ରଦାନ ଏହି ଚିର ପରିଚିତ କଳାର ଏକ ଭିନ୍ନ ରୂପ ମାତ୍ର।

ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର