‘ଏମ୍.ଏସ୍.ପି. ଥିଲା, ଅଛି, ରହିବ’ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଏମ୍.ଏସ୍.ପି.କୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ଅଡ଼ି ବସିବାର କାରଣ ହେଉଛି ପ୍ରଚଳିତ ବ୍ୟବସ୍ଥାରେ ଅଧିକାଂଶ ଚାଷୀ ଏମ୍.ଏସ୍.ପି.ରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଅସମର୍ଥ ହୋଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ‘ଫସଲର ସମ୍ପୂର୍ଣ୍ଣ ବ୍ୟୟ ଆଧାରିତ (‘ସି’ଟୁ ଯୁକ୍ତ ୫୦ ପ୍ରତିଶତ) ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍.ଏସ୍.ପି. ସବୁ ପ୍ରକାର କୃଷି ଉତ୍ପାଦ ଉପରେ ପାଇବା ସବୁ ଚାଷୀଙ୍କର ଆଇନଗତ ଅଧିକାର ହେବା ଆବଶ୍ୟକ, ଯଦ୍ଦ୍ୱାରା ଦେଶର ପ୍ରତି ଚାଷୀ ତା’ର ସମ୍ପୂର୍ଣ୍ଣ ଅମଳକୁ ଅନ୍ତତଃ ସରକାରଙ୍କ ଦ୍ୱାରା ଘୋଷିତ ଏମ୍.ଏସ୍.ପି.ରେ ବିକିବାର ଗ୍ୟାରେଣ୍ଟି ପାଇପାରିବ’ ବୋଲି ମୋର୍ଚ୍ଚାର ଦୃଢ଼ ମତ। ଏମ୍.ଏସ୍.ପି.କୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଗଲେ ରାଜକୋଷ ଉପରେ ଅତ୍ୟଧିକ ଚାପ ପଡ଼ି ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ଅର୍ଥର ଅଭାବ ଦେଖା ଦେବ ବୋଲି କିଛି ଅର୍ଥନୀତିଜ୍ଞ କହୁଥିବା ବେଳେ ଏହା ଦ୍ୱାରା ଚାଷୀଙ୍କ ଅବସ୍ଥା ସ୍ୱଚ୍ଛଳ ହୋଇ ଅର୍ଥନୀତି ଗତିଶୀଳ ହେବ ବୋଲି ଅନ୍ୟ କେତେକ ଅର୍ଥନୀତିଜ୍ଞଙ୍କ ମତ।
ବର୍ତ୍ତମାନ ଯେଉଁ ୨୨ଟି ଫସଲ ପାଇଁ ଏମ୍.ଏସ୍.ପି. ଘୋଷିତ ହେଉଛି, ସେଥିରେ ଧାନ, ଗହମ, ମକା, ଯବ, ଜ୍ୱାର, ବାଜରା, ମାଣ୍ଡିଆ ଭଳି ୭ଟି ଖାଦ୍ୟାନ୍ନ; ବୁଟ, ହରଡ, ମୁଗ, ବିରି, ମସୁର ଭଳି ୫ଟି ଡାଲି ଜାତୀୟ ଶସ୍ୟ; ଚିନାବାଦାମ, ସୋରିଷ-ଧଳାସୋରିଷ, ସୋୟାବିନ, ତିଳ, ସୂର୍ଯ୍ୟମୁଖୀ, କୁସୁମ, ଅଳସୀ ଭଳି ୭ ପ୍ରକାର ତୈଳବୀଜ ଓ ଶୁଖିଲା ନଡ଼ିଆ ଶସ (କୋପ୍ରା), କପା, ଝୋଟ ଭଳି ୩ ପ୍ରକାର ବ୍ୟାବସାୟିକ ଫସଲ ଅନ୍ତର୍ଭୁକ୍ତ। ଅନ୍ୟ ପକ୍ଷରେ ଆଖୁ ସଂଗ୍ରହ ପାଇଁ ଏକ ଭିନ୍ନ ପଦ୍ଧତିରେ କେନ୍ଦ୍ର ସରକାର ‘ଫେଆର୍ ଆଣ୍ଡ୍ ରେମ୍ୟୁନରେଟିଭ୍ ପ୍ରାଇସ୍’ (ଏଫ୍.ଆର୍.ପି.) ଘୋଷଣା କରୁଥିବା ବେଳେ ପ୍ରମୁଖ ଆଖୁ ଉତ୍ପାଦକ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ ପାଇଁ ‘ଷ୍ଟେଟ୍ ଆଡ୍ଭାଇଜ୍ଡ ପ୍ରାଇସ୍ (ଏସ୍.ଏ.ପି.)ର ଘୋଷଣା କରିଥାଆନ୍ତି। ଉପରୋକ୍ତ ୨୩ଟି ଫସଲ ମଧ୍ୟରୁ କେବଳ ୪ଟି ଫସଲ ଯଥା ଆଖୁ (୭୫%), ଧାନ (୪୯%), ଗହମ (୪୦%) ଓ କପା (୨୬%)ର ପ୍ରଭାବୀ ଢଙ୍ଗରେ ସଂଗୃହୀତ ହେଉଥିବା ବେଳେ ୫ଟି ଫସଲ ଯଥା ବୁଟ, ସୋରିଷ, ଚିନାବାଦାମ, ହରଡ଼ ଓ ମୁଗର ୧୦ ପ୍ରତିଶତ ମଧ୍ୟ ସଂଗୃହୀତ ହୋଇ ନ ଥାଏ। ଅବଶିଷ୍ଟ ୧୪ଟି ଫସଲର ତ ନାମକୁ ମାତ୍ର ସଂଗ୍ରହ କରାଯାଇଥାଏ ବା ଆଦୌ କରାଯାଇ ନ ଥାଏ। ଗତ ବର୍ଷ ମାତ୍ର ୩୬ ଜଣ ଚାଷୀଙ୍କ ଠାରୁ ୯ ଲକ୍ଷ ଟଙ୍କା ମୂଲ୍ୟର କୋପ୍ରା ସଂଗ୍ରହ ହେବା ତାହାର ଏକ ଉଦାହରଣ। ସଂଖ୍ୟାଧିକ ଅନ୍ୟ ଫସଲ ପାଇଁ ଏମ୍.ଏସ୍.ପି. ଘୋଷଣା ହୋଇ ନ ଥାଏ। କିଛି ଫସଲର ବଜାର ଦର ଏମ୍.ଏସ୍.ପି. ଠାରୁ ଅଧିକ ଥିବାରୁ ସେଗୁଡ଼ିକର ସଂଗ୍ରହର ଆବଶ୍ୟକତା ଉପୁଜି ନ ଥାଏ। ଉଦାହରଣ ସ୍ୱରୂପ ୨୦୨୦-୨୧ରେ ସୋରିଷ, ହରଡ଼, ମୁଗ, ମସୁର, ସୋୟାବିନ୍ର ବଜାର ଦର ଏମ୍.ଏସ୍.ପି. ଠାରୁ ଯଥେଷ୍ଟ ଅଧିକ ରହିଥିବାରୁ ସେଗୁଡ଼ିକର ସରକାରୀ ସଂଗ୍ରହର ପରିମାଣ ହ୍ରାସ ପାଇଥିଲା। ଅର୍ଥାତ୍, ଏମ୍.ଏସ୍.ପି.ର ଗ୍ୟାରେଣ୍ଟି ପ୍ରଦାନ କଲେ ଯେ ସରକାରଙ୍କୁ ସବୁ ଫସଲକୁ ସମ୍ପୂର୍ଣ୍ଣ ଭାବେ କିଣିବାକୁ ହେବ, ତାହା ଠିକ୍ ନୁହେଁ।
ଯେଉଁ ୨୩ଟି ଫସଲ ପାଇଁ ଏମ୍.ଏସ୍.ପି. ଘୋଷିତ ହୁଏ, ତାହାର ସମୁଦାୟ ମୂଲ୍ୟ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା। ଚାଷୀ ନିଜ ପାଇଁ ବିହନ ଓ ପଶୁ ଖାଦ୍ୟ ଇତ୍ୟାଦି ବାବଦରେ ଉତ୍ପାଦିତ ଫସଲର ହାରାହାରି ୨୫% ରଖୁଥିବାରୁ ଅବଶିଷ୍ଟ ୭୫% ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ଖାଦ୍ୟଦ୍ରବ୍ୟ ବିକ୍ରିଯୋଗ୍ୟ। ବର୍ତ୍ତମାନ ଏମ୍.ଏସ୍.ପି.ରେ ସଂଗ୍ରହ ବାବଦରେ ସରକାରଙ୍କୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ହେଉଥିବାରୁ ଏମ୍.ଏସ୍.ପି.ର ଗ୍ୟାରେଣ୍ଟି ପରେ (ବ୍ୟବସାୟୀମାନେ ନ କିଣିଲେ) ସରକାରଙ୍କୁ ସର୍ବାଧିକ ଆଉ ୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବାକୁ ପଡ଼ିପାରେ। କିନ୍ତୁ ସରକାର କିଣିଥିବା ଖାଦ୍ୟଦ୍ରବ୍ୟର ବିକ୍ରି ଲବ୍ଧ ଅର୍ଥ ଏହି ଅତିରିକ୍ତ ବ୍ୟୟ ଭାର ଭରଣା କରିବାକୁ ଯଥେଷ୍ଟ ହେବ ଓ ସରକାରଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡ଼ି ନ ପାରେ। ତା’ ଛଡ଼ା ସରକାର ଅଳ୍ପ ପରିମାଣରେ କିଣିଲେ ମଧ୍ୟ ତାହା ବଜାର ଦରକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ। ଏଠାରେ କର୍ଣ୍ଣାଟକ ‘ଆଗ୍ରିକଲ୍ଚରାଲ୍ ପ୍ରାଇସେସ୍ କମିସନ’ ଦ୍ୱାରା ସେହି ରାଜ୍ୟରେ ହରଡ଼ ଡାଲି ପାଇଁ ପ୍ରଣୀତ ‘ମାର୍କେଟ୍ ଇଣ୍ଟର୍ଭେନ୍ସନ୍ ସ୍କିମ୍’କୁ ଉଦାହରଣ ସ୍ୱରୂପ ନିଆଯାଇପାରେ। ୨୦୧୭ରେ ଏହି ଯୋଜନା ଜରିଆରେ ସରକାର ୨.୫ ଲକ୍ଷ ଟନ୍ ହରଡ଼ ଡାଲି ସଂଗ୍ରହ କଲେ। ଅର୍ଥାତ୍ ରାଜ୍ୟ ସରକାରଙ୍କ ବଜାର ପ୍ରବେଶ ନିଷ୍ପତ୍ତି ଓ ମାତ୍ର ୧୫ ପ୍ରତିଶତ ଆଂଶିକ ସଂଗ୍ରହ ଦ୍ୱାରା ସେଠାରେ ଡାଲି ଉତ୍ପାଦନ କେବଳ ଯେ ପୂର୍ବ ବର୍ଷର ୧୦ ଲକ୍ଷ ଟନ୍ରୁ ବଢ଼ି ୧୪ ଲକ୍ଷ ଟନ୍ ହୋଇଗଲା ତାହା ନୁହେଁ, ବରଂ ଡାଲି ଦର ସ୍ଥିର ରହିବାରୁ ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ପଡ଼ିଲା ନାହିଁ। କେରଳ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ସେଠାରେ ଗତ ଦୁଇ ବର୍ଷ ଧରି ‘ପାୟମ ପଚକ୍କାରୀ’ ଯୋଜନାରେ ୧୬ ପ୍ରକାର ପଚନଶୀଳ (ପେରିସେବଲ୍) ପନିପରିବା ଓ ଫଳମୂଳ ଉପରେ ଚାଷୀମାନଙ୍କୁ ସର୍ବନିମ୍ନ ମୂଲ୍ୟର ଗ୍ୟାରେଣ୍ଟି ପ୍ରଦାନ କରୁଛନ୍ତି, ଯଦ୍ଦ୍ୱାରା ଉଭୟ ଚାଷୀ ଓ ଖାଉଟି ଲାଭାନ୍ୱିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯୋଜନାଟିକୁ ଏପରି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରାଯାଉଛି ଯେ ଗ୍ୟାରେଣ୍ଟି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ୨୦୨୧-୨୨ରେ ମାତ୍ର ୧୦ କୋଟି ଟଙ୍କାର ବଜେଟୀୟ ପ୍ରାବଧାନ କରିବାକୁ ପଡ଼ିଛି।
ଏମ୍.ଏସ୍.ପି.କୁ ବୈଧାନିକ ମାନ୍ୟତା ପ୍ରଦାନ କରାଯିବା ପରେ କୌଣସି ବ୍ୟକ୍ତି ବା କମ୍ପାନି ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ଦରରେ ଚାଷୀଙ୍କ ଠାରୁ କୃଷି ଉତ୍ପାଦ କିଣିଲେ ତାହା ଦଣ୍ଡନୀୟ ଅପରାଧ ହେବ। କୁହାଯାଉଛି ଯେ ଏପରି ଦଣ୍ଡର ପ୍ରାବଧାନ ରହିଲେ ବେପାରୀମାନେ କୃଷି ଉତ୍ପାଦ କିଣିବାକୁ ଆଗ୍ରହ ଦେଖାଇବେ ନାହିଁ, ଯଦ୍ଦ୍ୱାରା ଚାଷୀ ବରଂ ଅଧିକ କ୍ଷତିଗ୍ରସ୍ତ ହେବ। ସେ କ୍ଷେତ୍ରରେ ସରକାରଙ୍କୁ ବାଧ୍ୟ ହୋଇ ସବୁ ଉତ୍ପାଦ କିଣିବାକୁ ହେବ, ଯାହା ରାଜକୋଷ ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବୋଝ ଲଦି ଦେବ। ସଂଗୃହୀତ ଉତ୍ପାଦର ଭଣ୍ଡାରଣ ପାଇଁ ମଧ୍ୟ ଯଥେଷ୍ଟ ସଂଖ୍ୟକ ଉନ୍ନତ ମାନର ଗୋଦାମର ଅଭାବ, ସମସ୍ୟାଟିକୁ ଅଧିକ ଜଟିଳ କରିବ। ତା’ଛଡା ସରକାର ବି ସେ ସବୁ କିଣି କରିବେ କ’ଣ ? ଏ ସମସ୍ତ ଯୁକ୍ତି ବଳିଷ୍ଠ ମନେ ହେଉଥିଲେ ବି ଟିକେ ନିରିଖେଇ ଦେଖିଲେ ଜଣାପଡ଼ିବ ଯେ ଏମ୍.ଏସ୍.ପି.ର ବୈଧାନିକତା ପରେ ଖୁଚୁରା ଦର ତା’ଠାରୁ ସାମାନ୍ୟ ଅଧିକ ରହିବ। ଫଳରେ ସାଧୁ ବ୍ୟବସାୟୀଙ୍କର କ୍ଷତି ହେବାର ଆଶଙ୍କା ନ ଥିବାରୁ ସେମାନେ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ କିଣିବାର ଆବଶ୍ୟକତା ଉପୁଜିବ ନାହିଁ କି ଦଣ୍ଡିତ ହେବାର ଭୟ ରହିବ ନାହିଁ। ଏତଦ୍ ବ୍ୟତୀତ ଏମ୍.ଏସ୍.ପି. ସୁନିଶ୍ଚିତ କରିବା ଲାଗି ସବୁ ଉତ୍ପାଦକୁ ସରକାର କିଣନ୍ତୁ ବୋଲି ଚାଷୀମାନେ ଚାହୁଁ ନାହାନ୍ତି। ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦେବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟକୁ ସରକାର ସିଧାସଳଖ ଚାଷୀଙ୍କ ଠାରୁ ସଂଗ୍ରହ କରିପାରନ୍ତି। ବଜାର ଦର ଏମ୍.ଏସ୍.ପି. ଠାରୁ କମ୍ ହେଲେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରଣୀତ ‘ଭାବାନ୍ତର ଭୁଗତାନ’ ଯୋଜନା ପରି ସରକାରଙ୍କ ଦ୍ୱାରା ଚାଷୀଙ୍କ କ୍ଷତି ଭରଣା କରିବା କଥା ବିଚାର କରାଯାଇପାରେ। ହରିଆଣା ରାଜ୍ୟ ସରକାର ୨୦୨୧ରେ ବାଜରା ଫସଲ ପାଇଁ ଏକ ‘ଭାବାନ୍ତର ଭରପାୟୀ ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି। ତଦନୁଯାୟୀ ବାଜରାର ଏମ୍.ଏସ୍.ପି. କୁଇଣ୍ଟାଲ ପ୍ରତି ୨୨୫୦ ଟଙ୍କା ଥିଲା ବେଳେ ଏହାର ବଜାର ଦର ୧୬୫୦ ଟଙ୍କା ଥିବାରୁ ଚାଷୀର ହେଉଥିବା ୬୦୦ ଟଙ୍କାର କ୍ଷତିକୁ ରାଜ୍ୟ ସରକାର ଭରଣା କରୁଛନ୍ତି। ଏହି ପଦ୍ଧତିର ଅବଲମ୍ୱନ ଦ୍ୱାରା ସରକାରଙ୍କର ସଂଗ୍ରହ, ପରିବହନ, ଭଣ୍ଡାରଣ, କମିସନ, ସଂଗୃହୀତ ଦ୍ରବ୍ୟ ନଷ୍ଟ ହେବା ଆଦି ଲାଗି ହେଉଥିବା ଅତିରିକ୍ତ ପ୍ରାୟ ୪୦ ପ୍ରତିଶତ ଖର୍ଚ୍ଚ ମଧ୍ୟ ବଞ୍ଚିଯିବ।
ବିଦେଶରୁ କୌଣସି ଖାଦ୍ୟଦ୍ରବ୍ୟ ଆମଦାନି କଲା ବେଳେ ଦେଶରେ ଆସି ପହଞ୍ଚିଲା ବେଳକୁ ତା’ର ଦର ଯେପରି ଏମ୍.ଏସ୍.ପି. ଅପେକ୍ଷା କମ୍ ହୋଇ ନ ଯାଏ, ତାହା ସରକାର ସୁନିଶ୍ଚିତ କରିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ କେତେକ ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ରରେ ଆମଦାନି ଶୁଳ୍କ ବଢ଼ାଇ ବା ଅନ୍ୟ ଭାବେ ଘରୋଇ ଶିଳ୍ପଗୁଡ଼ିକୁ ସୁରକ୍ଷା ବଳୟ ପ୍ରଦାନ କରାଯାଇଥାଏ। ବିଦେଶରୁ ଆମଦାନି ହୋଇ ଦେଶରେ ଏମ୍.ଏସ୍.ପି. ତୁଳନାରେ କମ୍ ଦାମ୍ରେ ଖାଦ୍ୟଶସ୍ୟ ଉପଲବ୍ଧ ହେଲେ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳି ପାରି ନ ଥାଏ ଓ ଭବିଷ୍ୟତ୍ରେ ସେମାନେ ସେହି ଚାଷ ପ୍ରତି ବିମୁଖ ହୋଇଥାଆନ୍ତି।
ଦେଶରେ ସମୁଦାୟ କୃଷି ଉତ୍ପାଦର ସାମଗ୍ରିକ ମୂଲ୍ୟର ସିଂହ ଭାଗ ଉପରୋକ୍ତ ୨୩ଟି ଫସଲରୁ ଆସୁଥିବାରୁ ଅବଶିଷ୍ଟ ଫସଲଗୁଡ଼ିକ ପାଇଁ ବି ଏମ୍.ଏସ୍.ପି. ଘୋଷଣା କରାଗଲେ ତାହା ରାଜକୋଷ ଉପରେ ବିଶେଷ ବୋଝ ପକାଇ ନ ପାରେ। କାରଣ ସେହି ଫସଲଗୁଡ଼ିକ ମଧ୍ୟରୁ ଅଧିକାଂଶର ବଜାର ଦର ଅଧିକ ଥାଏ। ତେଣୁ ସେଗୁଡ଼ିକର ସଂଗ୍ରହର ଆବଶ୍ୟକତା ପଡ଼ି ନ ପାରେ। ଏହା ଦ୍ୱାରା ଏମ୍.ଏସ୍.ପି.ର ଲାଭ ସବୁ ଅଞ୍ଚଳର ସବୁ ଫସଲ ଚାଷୀ ପାଇପାରନ୍ତେ ଓ ସେମାନଙ୍କୁ ଅନ୍ତତଃ ଅଭାବୀ ବିକ୍ରି କରିବାକୁ ପଡ଼ନ୍ତା ନାହିଁ। ଏହା ଫସଲର ବିବିଧୀକରଣ (ଡାଇଭର୍ସିଫିକେସନ୍)କୁ ମଧ୍ୟ ପ୍ରୋତ୍ସାହନ ଦିଅନ୍ତା। ଓଡ଼ିଶାରେ ‘ମିଲେଟ୍ ମିସନ’ ଆରମ୍ଭ ହୋଇ ମାଣ୍ଡିଆର ସଂଗ୍ରହ ହେବା ପରେ ୧୫ଟି ଜିଲ୍ଲାର ଅନେକ ଅଞ୍ଚଳରେ ଲୋକେ ଧାନ ବଦଳରେ ମାଣ୍ଡିଆ ଚାଷ କରିବାକୁ ଆଗେଇ ଆସିବା ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏମ୍.ଏସ୍.ପି. ଗ୍ୟାରେଣ୍ଟି ଦ୍ୱାରା ହୁଏ’ତ ସାମୟିକ ଭାବେ ଖାଦ୍ୟପଦାର୍ଥର ଦର ବୃଦ୍ଧି ପାଇ ମୁଦ୍ରାସ୍ଫୀତିର ଦର ବଢ଼ିପାରେ। କିନ୍ତୁ ଏହି ନୂତନ ବାସ୍ତବତାକୁ ଖାଉଟିମାନେ କ୍ରମେ ଗ୍ରହଣ କରି ନେବେ, କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ତ କୃଷକ ବା କୃଷି ଉପରେ ନିର୍ଭରଶୀଳ।
ଏମ୍.ଏସ୍.ପି.କୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନର ଅର୍ଥ ନୁହେଁ ସରକାର ସବୁ ଖାଦ୍ୟଦ୍ରବ୍ୟ କିଣିବା। ଏହି ଗ୍ୟାରେଣ୍ଟି ଅନୁସାରେ ବଜାର ଦରକୁ ସ୍ଥିର ରଖିବା ପାଇଁ ସରକାର କିଛି ପରିମାଣରେ କିଣିବେ, ବଜାର ଦର ଏମ୍.ଏସ୍.ପି. ଠାରୁ କମ୍ ଥିଲେ ଚାଷୀର କ୍ଷତି ଭରଣା କରିବେ, କୃଷିଜାତ ଦ୍ରବ୍ୟର ଆମଦାନି-ରପ୍ତାନି ବେଳେ ଏମ୍.ଏସ୍.ପି.କୁ ଦୃଷ୍ଟିରେ ରଖି ଚାଷୀର ସ୍ୱାର୍ଥକୁ ସୁରକ୍ଷିତ ରଖିବେ ଏବଂ ଅସାଧୁ ବ୍ୟବସାୟୀଙ୍କ ପ୍ରତି ଦଣ୍ଡ ବିଧାନର ପ୍ରାବଧାନ ରଖିବେ। ଏଥିପାଇଁ ରାଜକୋଷ ଉପରେ ସେତେ ଅଧିକ ବୋଝ ମଧ୍ୟ ପଡ଼ି ନ ପାରେ। ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଇ ଆସୁଥିବା ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ଦର ପାଇବା ଦେଶ ଲାଗି ହିତରେ ହୋଇଥିବାରୁ ତାହା ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ। କାରଣ ଉତ୍ପାଦନ ଖର୍ଚ୍ଚ ଠାରୁ ସାମାନ୍ୟ ଅଧିକ ଲାଭ ରଖି ଏମ୍.ଏସ୍.ପି. ନିର୍ଦ୍ଧାରିତ ହେଉଥିବାରୁ ତା’ ଠାରୁ କମ୍ ଦରରେ ବିକିବା ଅର୍ଥ ଚାଷୀ କ୍ଷତି ସହି ନିଜ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିବା। ଦେଶର ୭୦% ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେମାନେ ଆର୍ଥିକ ଦୁଃସ୍ଥିତିରେ ରହିଲେ ଦେଶ କେବେ ବି ସାମଗ୍ରିକ ଭାବେ ଆଗେଇ ପାରିବ ନାହିଁ। ଚାଷୀ ସ୍ବଚ୍ଛଳ ହେଲେ ଏକ ବୃହତ୍ ସଂଖ୍ୟକ ଲୋକଙ୍କ ଆୟ ବୃଦ୍ଧି ହେବ; ଫଳରେ ସେମାନେ ଖର୍ଚ୍ଚ କରିବେ ଓ ଅର୍ଥନୀତି ପ୍ରାଣବନ୍ତ ହେବ। ଏମ୍.ଏସ୍.ପି.ର ବୈଧାନିକ ମାନ୍ୟତା ପାଇଁ ପ୍ରସ୍ତାବିତ କମିଟି ଏ ସମସ୍ତ ଦିଗ ପ୍ରତି ଗୁରୁତ୍ୱ ଦେଇ ଚାଷୀ ଓ ଦେଶ ହିତରେ ନିର୍ଣ୍ଣୟ ନେବେ ବୋଲି ଆଶା।
ମୋ- ୯୪୩୭୦୩୮୦୧୫
www.SaralJatil.com