ତିନିଟି ଅଭୁଲା ଘଟଣା

ପ୍ରଶାସକର ଅନୁଭୂତି - କୃଷ୍ଣଚନ୍ଦ୍ର ମହାପାତ୍ର

ପ୍ରବନ୍ଧଟି ଆଦିବାସୀ ସଂପ୍ରଦାୟକୁ ନେଇ ନିଜ ଅନୁଭବ ଉପରେ ପର୍ଯ୍ୟବସିତ। ଚାକିରି ଜୀବନରେ ମୁଁ ଆଦିବାସୀବହୁଳ ଅଞ୍ଚଳରେ କାର୍ଯ୍ୟ କରିଛି ତଥା ପରେ ସେହି ବିଭାଗର ନିର୍ଦ୍ଦେଶକ ହୋଇଛି। ଆଜି ଜୀବନର ସାୟାହ୍ନରେ ପଛକୁ ଅନାଇଲେ ଦେଖୁଛି ସେହି ସମୟର କିଛି ଅନୁଭୂତି ମୋ ଲାଗି ଅଭିଜ୍ଞତାର ମୁକ୍ତା ଭଳି ଝଟକୁଛି।

ପ୍ରଥମ ଘଟଣାଟି ମୋର ନୂଆ ନୂଆ ଚାକିରି ବେଳର। ପୁରୀ ଜିଲ୍ଲାର ନୂଆଗାଁ ବ୍ଲକ୍‌ରେ ବିଡିଓ ଭାବେ ଯୋଗ ଦେଇଥାଏ। ତାହା ଏକ ଆଦିବାସୀ ବହୁଳ ବ୍ଲକ୍‌ ନ ହେଲେ ମଧ୍ୟ ଏହାର କେତେକ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ନିଘଞ୍ଚ ମାଳ ଅଞ୍ଚଳ ଠାରୁ କୌଣସି ଗୁଣରେ କମ୍ ନୁହେଁ। ସେତେବେଳେ ସେଠାରେ ଗାଡ଼ିଘୋଡ଼ା ନ ଥାଏ। ସୁତରାଂ, ଦିନେ ବ୍ଲକ୍‌ ଚେୟାରମ୍ୟାନ୍‌ ଓ କିଛି ସଂପ୍ରସାରଣ ଅଧିକାରୀଙ୍କ ସହ ଆମେ ସାଇକେଲ୍‌ରେ କାପ୍ତାପଲ୍ଲି ନାମକ ପଞ୍ଚାୟତର ଗୁମିମାଳ ଅଞ୍ଚଳକୁ ଗସ୍ତ କଲୁ। ସେଠାରେ ରହଣିର କିଛି ସୁବିଧା ନ ଥାଏ; ଥାଏ କେବଳ ବରକୋଳା ଗାଁରେ ଗୋଟିଏ ‘ଫରେଷ୍ଟ୍‌ ରେଷ୍ଟ୍‌ ‌େସଡ୍‌’। ତା’ର ଚାବି ରହୁଥାଏ ଫରେଷ୍ଟ ଗାର୍ଡଙ୍କ ପାଖରେ। ସେ ବାହାରକୁ ଗଲେ ଚାବିଟିକୁ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ଦେଇ ଯାଆନ୍ତି ଏବଂ କହିଦେଇ ଯାଇଥାଆନ୍ତି ଯେ କେବଳ ସରକାରୀ ଆଦେଶ ଦେଖିଲେ ତାହା ଖୋଲି‌େବ। ସେ ଦିନ ଚାଳିଶ କିଲୋମିଟରର ଲମ୍ବା ରାସ୍ତା ସାଇକେଲ୍‌ରେ ଅତିକ୍ରମ କରି ଆମେ କ୍ଳାନ୍ତ ହୋଇ ପଡ଼ିଥାଉ। ‘ରେଷ୍ଟ୍‌ ସେଡ୍’ ନିକଟରେ ପହଞ୍ଚି ଚାବି ଖୋଲିବା ପାଇଁ ସେହି ‘କେୟାର୍‌ଟେକର’ଙ୍କୁ ଅନୁରୋଧ କଲୁ। କିନ୍ତୁ ବିନା ରିଜର୍ଭେସନ୍ ଆଦେଶରେ ସେ ଖୋଲିବାକୁ ନାରାଜ। ବ୍ଲକ୍‌ ଚେୟାରମ୍ୟାନ୍‌ ଓ ବି.ଡି.ଓ (ନୂତନ) ଆସିଛନ୍ତି ବୋଲି କୁହାଗଲେ ମଧ୍ୟ ସେ ରାଜି ହେଲେ ନାହିଁ। ଏମିତି ବାଦାନୁବାଦ ଚାଲିଥିବ‌ା ଭିତରେ ମୁଁ ଯାହା ଲକ୍ଷ୍ୟ କରୁଥାଏ, ତାହା ହେଲା ସେ ଲୋକ ଜଣକ କେତେ କର୍ତ୍ତବ୍ୟନିଷ୍ଠ ନୁହେ ସତେ? ତାଙ୍କ ଲାଗି ଉପରିସ୍ଥ ବ୍ୟକ୍ତି ହେଲେ ସେହି ଫରେଷ୍ଟ ଗାର୍ଡ, ଯାହାଙ୍କ ଆଦେଶ ଅମାନ୍ୟ କରାଯାଇ ନ ପାରେ! ସୁତରାଂ, ଏକ ଛାଇ ଜାଗାରେ ଆମେ ବସିବା ପାଇଁ ଚଟେଇ ପକାଇ ଦେଇ ସେ ଗଲେ ଗାର୍ଡଙ୍କ ଠାରୁ ଅନୁମତି ଆଣିବା ଲାଗି। ପରେ ଗାର୍ଡ ଜଣକ ପହଞ୍ଚି ଆମ ସମସ୍ତଙ୍କୁ ଏଭଳି ଅବସ୍ଥାରେ ଦେଖି ସେହି ବ୍ୟକ୍ତିଙ୍କ ଉପରେ ମୃଦୁ ବିରକ୍ତି ପ୍ରକାଶ କରନ୍ତେ ମୁଁ ବାରଣ କଲି। କାରଣ ମୋର ମନେ ପଡ଼ି ଯାଉଥିଲା ଭୁବନେଶ୍ବର ବା ବଡ ବଡ଼ ସହରର ସରକାରୀ ଡାକ ବଙ୍ଗଳା ସବୁର କଥା, ଯାହାର ଚାବି ଖୋଲିବା ଲାଗି କୌଣସି ଆଦେଶପତ୍ରର ଆବଶ୍ୟକତା ପଡ଼ି ନ ଥାଏ। ବଡ଼ ଅଫିସର୍‌ ବା ରାଜନେତାଙ୍କ କହିବା ମାତ୍ରକେ ସେଠାକାର ଦରଜା ଖୋଲିଯାଏ; ସତେ ଯେମିତି ସେ ସବୁ ସେମାନଙ୍କ ପୈତୃକ ସଂପତ୍ତି!

ଦ୍ବିତୀୟ ଘଟଣା। ପାରଳାଖେମୁଣ୍ଡିରେ ଉପଜିଲ୍ଲାପାଳ ଥାଏ। ସ୍ଥାନୀୟ ବିଧାୟକ, ବି.ଡି.ଓ ଓ ବ୍ଲକ୍‌ର କିଛି ସଂପ୍ରସାରଣ ଅଧିକାରୀଙ୍କ ସହିତ ଯାଇଥାଏ ରାୟଗଡ଼ ବ୍ଲକ୍‌ର ମାଳ ଅଞ୍ଚଳରେ ଥିବା କେତେକ ଗାଁକୁ। ପାହାଡ଼ ଉପରେ ଚାଲି ଚାଲି ଯିବା ଭୀଷଣ କଷ୍ଟସାଧ୍ୟ ଥିଲା। ଏମିତି ଗଲା ବେଳକୁ ଭୀଷଣ ଭୋକ ଲାଗିଲା। ସେପଟେ ବହୁତ କମଳା ଚାଷ ହୁଏ। ବାଟରେ ଗୋଟିଏ ବଡ଼ କମଳା ବଗିଚା ଦେଖି କେତୋଟି କମଳା କିଣି ଖାଇବାକୁ ସ୍ଥିର କରି ବଗିଚାକୁ ଜଗିଥିବା ଆଦିବାସୀ ମହିଳାଙ୍କୁ କମଳାର ଦାମ୍‌ ବାବଦରେ ପଚାରିବାରୁ ଉତ୍ତର ମିଳିଲା- ‘ବଗିଚା ସିନା ମୋର, କିନ୍ତୁ ତାହା ମହାଜନ ପାଖରେ ବନ୍ଧା ପଡ଼ିଛି। ତେଣୁ କମଳା ଗଛ କି କମଳା ଉପରେ ମୋର ଅଧିକାର ନାହିଁ। ମହାଜନର ବିନା ଅନୁମତିରେ କମଳା ଦେବି ନାହିଁ।’

ବି.ଡି.ଓ ବା ବିଧାୟକ ବା ଉଦ୍ୟାନ ବିଭାଗୀୟ ଅଫିସର; କାହାର ଅନୁରୋଧକୁ ବି ସେ ରକ୍ଷା କରିବାକୁ ଅକ୍ଷମ ବୋଲି କହିଥିଲେ। କିଛି ଦୂର ପରେ ବଜାରରୁ କମଳା କିଣି ଖାଇଲୁ। ଏବଂ କହିବା ବାହୁଲ୍ୟ ଯେ ସେହି ଘଟଣାରେ ମୋର ହୃଦୟ ଏକ ଅକୁଣ୍ଠ କୃତଜ୍ଞତାରେ ଭରି ଯାଇଥିଲା। ମନେ ମନେ ଭଗବାନଙ୍କୁ ଡାକିଥିଲି ଯେ ପ୍ରଭୁ ଏଭଳି ଲୋକଙ୍କ ସଂଖ୍ୟା ବୃଦ୍ଧି କର!

ତୃତୀୟ ଘଟଣାଟି ବି ଘଟିଥିଲା ପାରଳାଖେମୁଣ୍ଡିରେ ଏବଂ ଉପଜିଲ୍ଲାପାଳ ଥିବା ସମୟରେ। ଚନ୍ଦ୍ରଗିରି ଅଞ୍ଚଳରେ ଗସ୍ତ କରୁଥିବା ବେଳେ ଜଣେ ଆଦିବାସୀ ଶ୍ରମିକଙ୍କୁ ଟାଣି ଟାଣି ନିଆଯାଉଥିବା ଦେଖି ଘଟଣା କ’ଣ ବୋଲି ଜାଣିବାକୁ ଚାହିଲି। ବୁଝିଲି ଯେ ସେହି ଆଦିବାସୀ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ସ୍ବଚ୍ଛଳ ବ୍ୟକ୍ତିଙ୍କ ନିକଟରେ ଜମି ବନ୍ଧକ ରଖି କିଛି ଟଙ୍କା ଧାର ଆଣିଥିଲେ। ସେଥି ଲାଗି ସେ ଅସୁସ୍ଥ ଥିବା ସତ୍ତ୍ବେ ତାଙ୍କୁ ଜମିଦାରର ବିଲରେ କାମ କରିବାକୁ ଭିଡ଼ି ଭିଡ଼ି ନିଆଯାଉଛି। ସେହି ଗରିବ ଆଦିବାସୀ ଜଣକ ବନ୍ଧା ପକାଇଥିବା ଜମିରେ ଚାଷ କରନ୍ତି, ଅଥଚ ଲବ୍‌ଧ ଫସଲ ମହାଜନ ନିଏ। ମନ କ୍ରୋଧରେ ଭରିଗଲା। ସେହି ଠାରେ ମୋ ସହିତ ଥିବା ମାଇକ୍ରୋ ପ୍ରୋଜେକ୍ଟ ଅଧିକାରୀଙ୍କ ସାହାଯ୍ୟରେ ସେହି ଆଦିବାସୀଙ୍କୁ କରଜମୁକ୍ତ କରାଗଲା। ମହାଜନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଲି। କିନ୍ତୁ ଦେଖିଥିଲି କିଭଳି ସରଳ ବିଶ୍ବାସ ଏବଂ ନିଜ ବଚନ ପ୍ରତି ଅଙ୍ଗୀକାର ଆଦିବାସୀମାନଙ୍କୁ ଏମିତି ଅସହାୟ କରିଦେଇଛି ଯେ ସେମାନେ ନିରବରେ ଶୋଷଣର ଶିକାର ହୋଇ ଚାଲିଛନ୍ତି!

ଜଣେ ବ୍ୟକ୍ତିର ଜୀବନର ଗତିପଥ ବା ଦୃଷ୍ଟିଭଙ୍ଗୀ ବଦଳାଇ ଦେବା ଲାଗି ଏଇ ତିନିଟି ଘଟଣା ଯଥେଷ୍ଟ ନୁହେଁ କି? ଜଣେ ପ୍ରଶାସନିକ ଅଧିକାରୀ ଭାବେ ଏଭଳି ଆହୁରି ଅନେକ ଘଟଣାର ଅନୁଭୂତି ମୋର ଜୀବନକୁ ଅର୍ଥପୂର୍ଣ୍ଣ କରିଛି, ଯାହା ପ୍ରସଙ୍ଗ କ୍ରମେ କେବେ ନା କେବେ କହିବି।

ପୂର୍ବତନ ଜିଲ୍ଲାପାଳ
ମୋ- ୯୪୩୭୦୩୨୦୦୨

ସମ୍ବନ୍ଧିତ ଖବର