ଓଡ଼ିଶା ସରକାରଙ୍କ ଶିକ୍ଷା ବ୍ୟବସ୍ଥା: ମାର୍‌ ତାଳି, ଉଠା ଥାଳି

ସୁଖ-ଦୁଃଖ - ଲମ୍ବୋଦର ପ୍ରସାଦ ସି˚ହ

ହୋମ, ଯଜ୍ଞ ଓ ପୂଜାଦି ବିଧିବ୍ୟବସ୍ଥା ଦେବଦେବୀ ଏବ˚ ପୂଜ୍ୟମାନଙ୍କ ନିକଟରେ ପ୍ରଣତି, କୃତଜ୍ଞତା, କ୍ଷମା ପ୍ରାର୍ଥନା ସହ ସୁଖ, ଶାନ୍ତି ଓ ଅଭିବୃଦ୍ଧି କାମନା ପାଇଁ ଉଦ୍ଦିଷ୍ଟ। ଏହା ହିଁ ସ˚ସ୍କୃତି ଓ ପରମ୍ପରାର ଆହ୍ବାନ। କିନ୍ତୁ ଆଜିକାଲି ବ୍ୟସ୍ତତାବହୁଳ ଜୀବନର ସ୍ବର ଭାବରେ ଯଜମାନଙ୍କର ପୂଜକଙ୍କୁ ଅନୁରୋଧ, ‘ନନା, ଅଳ୍ପ ସମୟ ମଧୢରେ ପୂଜା ସାରି ଦିଅନ୍ତୁ,’ ଏହା ‘ମାର‌୍‌ ତାଳି, ଉଠା ଥାଳି’ ନ୍ୟାୟରେ ବିଧି ରକ୍ଷାର କଥା।

ସେହି ଭଳି ମହର୍ଷି, ମନୀଷୀ ଓ ଚିନ୍ତାନାୟକମାନଙ୍କ ଯୁଗ ଯୁଗର ବାର୍ତ୍ତା ବ୍ୟକ୍ତି, ସମାଜ ଓ ସଭ୍ୟତାର ଉତ୍ତରଣର ଏକମାତ୍ର ମାର୍ଗ ସୁଶିକ୍ଷା, ଜ୍ଞାନଚର୍ଯ୍ୟା ଓ ଜ୍ଞାନସୃଜନରେ ନିହିତ। ପ୍ରତ୍ୟେକଟି ସାଧନା, ତପସ୍ୟା ଓ (ନିମଗ୍ନତାର) ମାର୍ଗ। କିନ୍ତୁ ଓଡ଼ିଶା ସରକାର ନିରନ୍ତର ଭାବରେ ଶିକ୍ଷା ମାରଣ କାର୍ଯ୍ୟକ୍ରମକୁ ତୀବ୍ର କରି ‘ମାର‌୍‌ ତାଳି, ଉଠା ଥାଳି’ ଶିକ୍ଷା ବ୍ୟବସ୍ଥା ପ୍ରଚଳନରେ ବ୍ରତୀ ଥିବା ପ୍ରତୀୟମାନ ହେଉଛି।

ଓଡ଼ିଶାର ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା- ପ୍ରାଥମିକ ଠାରୁ ବିଶ୍ବବିଦ୍ୟାଳୟ ଯାଏ- ଗୁଣାତ୍ମକ ଦୃଷ୍ଟିରୁ ନିରନ୍ତର ନିମ୍ନଗାମୀ ହୋଇଚାଲିଛି ବୋଲି ସମସ୍ତ ସର୍ବେକ୍ଷଣର ନିଷ୍କର୍ଷରୁ ପ୍ରମାଣିତ। ଅତୀତର ସମୁଜ୍ଜ୍ବଳ ଊର୍ଦ୍ଧ୍ବମୁଖୀ ଶିକ୍ଷାନୁଷ୍ଠାନଗୁଡ଼ିକ ବର୍ତ୍ତମାନ ମୃତପ୍ରାୟ। ଶିକ୍ଷା କ୍ଷେତ୍ରରେ ଅମଲାତନ୍ତ୍ରର ଅନୁପ୍ରବେଶ ଯେତିକି ବଢ଼ୁଛି ଶିକ୍ଷାର ମାନ ସେତିକି ହ୍ରାସ ପାଉଛି। କାରଣ ତାତ୍ତ୍ବିକ ତଥା ପ୍ରାୟୋଗିକ ସ୍ତରରେ ସରକାରୀ କାର୍ଯ୍ୟଶୈଳୀ ମୁଖ୍ୟତଃ ଆଜ୍ଞା ପାଳନ ହୋଇଥିବା ବେଳେ ତାହା ‘ସା ବିଦ୍ୟା, ଯା ବିମୁକ୍ତୟେ’ ଅନୁସାରେ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଓ ସ୍ବପ୍ନର ଉନ୍ମେଷର ପ୍ରୋତ୍ସାହକ ହେବା ବଦଳରେ ପରିପନ୍ଥୀ ହୋଇ ଉଠିଛି। ସେଥିପାଇଁ ତ ସଭ୍ୟତାର ପ୍ରାକ୍‌ କାଳରୁ ଆଧୁନିକ ଯୁଗ ଯାଏ ରାଜା-ମହାରାଜାମାନଙ୍କ ଠାରୁ ଆରମ୍ଭ କରି ଉନ୍ନତ ଦେଶର ସରକାରଗୁଡ଼ିକ ପ୍ରତ୍ୟେକେ ଶିକ୍ଷା-ନିକେତନଗୁଡ଼ିକର ସ୍ବାତନ୍ତ୍ର୍ୟକୁ ଶ୍ରେଷ୍ଠ ନୀତି ଭାବରେ ଗ୍ରହଣ କରି ତାକୁ ସମ୍ମାନ ଦେଇ ଆସିଛନ୍ତି। ଓଡ଼ିଶା ସରକାରଙ୍କ ଏହି ତାତ୍ତ୍ବିକ ପ୍ରମାଦ ସହ ଯୋଡ଼ି ହୋଇ ଯାଉଛି ସର୍ବଜନବିଦିତ ଭାରତୀୟ ଅମଲାତାନ୍ତ୍ରିକ ଅହମିକା ଜର୍ଜର ଅପାରଗତା। ବେଳେ ବେଳେ ଶୁଣିବାକୁ ମିଳେ ‘ସରକାରଙ୍କ ପଇସାରେ ଶିକ୍ଷା ବ୍ୟବସ୍ଥା ଚାଲୁଥିବାରୁ ସରକାର ଏହାକୁ ପରିଚାଳନା କରିବା ହିଁ ନ୍ୟାୟୋଚିତ।’ କିନ୍ତୁ ଏହା ଏକ ଭ୍ରମାତ୍ମକ ଯୁକ୍ତି। କାରଣ ସବୁ ପଇସା ଲୋକଙ୍କର; ଏହି ଅର୍ଥକୁ ସମାଜ ମଙ୍ଗଳ କାର୍ଯ୍ୟରେ ବିନିଯୋଗ ନିମିତ୍ତ ଲୋକଙ୍କ ଦ୍ବାରା ଭାରପ୍ରାପ୍ତ ଏକ ଅନୁଷ୍ଠାନ ମାତ୍ର ହେଉଛନ୍ତି ସରକାର। ତଥାପି ଆସନ୍ତୁ ଶୁଣିବା ପ୍ରଖ୍ୟାତ ଦାର୍ଶନିକ ରାଧାକୃଷ୍ଣନଙ୍କୁ ଏହି ସମ୍ବନ୍ଧରେ, ଯିଏ କହିଥିଲେ- ‘ଆମ ଗଣତନ୍ତ୍ରର ମଙ୍ଗଳ ପାଇଁ ଆମେମାନେ ଶିକ୍ଷାର ପ୍ରକ୍ରିୟା ଉପରେ ସରକାରଙ୍କ ଆଧିପତ୍ୟର ବିରୋଧ କରିବା ଜରୁରୀ। ଉଚ୍ଚ ଶିକ୍ଷା ନିଃସନ୍ଦେହରେ ହେଉଛି ସରକାରଙ୍କ ଦାୟ। କିନ୍ତୁ ସରକାର ଅନୁଦାନ ଦେବା ଅର୍ଥ ନୁହେ ସେ ସରକାର ଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ!’ ଏହି ଦିଗ୍‌ଦର୍ଶନର ବିରୋଧାଚରଣ ହିଁ ସୃଷ୍ଟି କରିଛି ଓଡ଼ିଶାର ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଅବସ୍ଥା ଓ ବ୍ୟୟବହୁଳ ଶିକ୍ଷା ଘରୋଇକରଣର ବିକଳ୍ପ ଘୋଷଯାତ୍ରା।

ସରକାରୀ ଶିକ୍ଷା କୁପରିଚାଳନାର ସଦ୍ୟତମ ଉଦାହରଣ ହେଲା ଦଶମ, ଯୁକ୍ତ-ଦୁଇ, ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶନ। ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ବେଳେ କୋଭିଡ୍‌ ଯୋଗୁଁ ପରୀକ୍ଷା ହୋଇ ନ ଥିବା କାରଣରୁ ଖୋଜା ପଡ଼ିଲା ଅଷ୍ଟମ, ନବମ ଶ୍ରେଣୀର ପରୀକ୍ଷା ଫଳ। କିନ୍ତୁ ସେ ପାଠ୍ୟକ୍ରମ ଉପରେ ପରୀକ୍ଷା ନ ହେବା ନିୟମ ଦୃଷ୍ଟିରୁ ପିଲାମାନେ ସେଥି ପ୍ରତି ଗୁରୁତ୍ବ ନ ଦେବା ଓ ବିଦ୍ୟାଳୟଗୁଡ଼ିକରେ ବର୍ଷ-ଦିବର୍ଷ ତଳର ପରୀକ୍ଷା ଖାତା ନ ମିଳିବା ସ୍ବାଭାବିକ। ତେଣୁ ପ୍ରକୃତ-ଅପ୍ରକୃତ ନମ୍ବର ବସେଇ ଶତକଡ଼ା ୯୭.୮୯ ପରୀକ୍ଷାର୍ଥୀଙ୍କୁ ପାସ୍‌ କରେଇ ଦିଆଗଲା! ସେହିଭଳି ଯୁକ୍ତ-ଦୁଇ କ୍ଷେତ୍ରରେ ଦୁଇ ବର୍ଷ ତଳର ଦଶମ ପରୀକ୍ଷା ଫଳକୁ ବିଚାରକୁ ନିଆଗଲା। ସବୁଠାରୁ ତାତ୍ପର୍ଯ୍ୟର କଥା ହେଉଛି ବିଜ୍ଞାନ ଛାତ୍ରଛାତ୍ରୀମାନେ ଗୋଟିଏ ହେଲେ ପରୀକ୍ଷଣ (experiment) କରି ନ ଥିଲେ ମଧୢ କୁହାଗଲା କେବଳ ଲେଖି ପ୍ରାକ୍‌ଟିକାଲ ‌େରକର୍ଡ ଦାଖଲ କର। ଏହା ଦ୍ବାରା ବିଜ୍ଞାନ ପାଠ୍ୟକ୍ରମରେ ପରୀକ୍ଷାଗାରରେ ପରୀକ୍ଷଣ କରିବାର ଗୁରୁତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ସମ୍ପାଦିତ ହୋଇ ପାରିଲା ନାହିଁ। ସେୟା ହିଁ କରାଗଲା ସ୍ନାତକ ଓ ସ୍ନାତକୋତ୍ତର କ୍ଷେତ୍ରରେ। ଏକାଧିକ ସେମିଷ୍ଟାର୍‌ରେ ଗୋଟିଏ ହେଲେ ପରୀକ୍ଷଣ ନ କରି ଛାତ୍ରଛାତ୍ରୀମାନେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ନେଇ ବାହାରିଲେ! ଆଗରୁ ଯଦି ଆମର ଶତକଡ଼ା ତିରିଶ ଭାଗ ସ୍ନାତକ ଚାକିରି ଯୋଗ୍ୟ ହେଉଥିଲେ ଉପରୋକ୍ତ ସ୍ନାତକଙ୍କ କ୍ଷେତ୍ରରେ ଅବସ୍ଥା କିଭଳି ହୋଇଥିବ ତାହା ସହଜେ ଅନୁମେୟ।

ସରକାରୀ ନିୟନ୍ତ୍ରଣର ଅନ୍ୟ ଏକ ନମୁନା ହେଉଛି ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା କେବେ ହେବ, କେତେ ସମୟ ପାଇଁ ହେବ, କେତେ ଗୋଟି ପ୍ରଶ୍ନ ପଡ଼ିବ ଓ ଉତ୍ତର କେତେ ଶବ୍ଦରେ ଲେଖାଯିବ ଇତ୍ୟାଦି ନେଇ ଏକ ଅଦ୍ଭୁତ ନିର୍ଦ୍ଦେଶ। ଏହା ଦ୍ବାରା ୟୁଜିସି ନିର୍ଦ୍ଦେଶିତ ‘ୟୁନିଟ୍‌ ପାଟର୍ନ’ ଓ ବିଶ୍ବବିଦ୍ୟାଳୟଗୁଡ଼ିକର ଶୈକ୍ଷିକ କ୍ଷମତା ଉପେକ୍ଷିତ ହେଲା।

ସେହିଭଳି ଗତ ବର୍ଷ ଠାରୁ ଓଡ଼ିଶା ସରକାର ଓଡ଼ିଶାର ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ କେନ୍ଦ୍ରୀୟ ସ୍ତରରେ ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟା ପରିଚାଳନା କରୁଛନ୍ତି। ଶୁଣାଯାଏ ତାହା ପୁଣି ଏକ ଘରୋଇ ସ˚ସ୍ଥା ମାଧୢମରେ। କିନ୍ତୁ ପୂର୍ବରୁ ଏ ସମସ୍ତ ପ୍ରକ୍ରିୟା ମାସେ-ଦେଢ଼ ମାସ ମଧୢରେ ସମ୍ପୂର୍ଣ୍ଣ ହେଉଥିଲା ବେଳେ ବର୍ତ୍ତମାନ ତାହା ଚାରି-ପାଞ୍ଚ ମାସ ଲାଗି ଯାଉଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବାର ଦ୍ବାର ତେର ପିଣ୍ଡା ହେଉଛନ୍ତି। ଗଲା ବର୍ଷ ନଭେମ୍ବର ମାସ ୧୫ ତାରିଖରୁ ପି.ଜି. ବା ସ୍ନାତକୋତ୍ତର ପାଠ ପଢ଼ା ଆରମ୍ଭ ହେବାର ନିର୍ଦ୍ଦେଶ ଅସମ୍ପୂର୍ଣ୍ଣ ନାମ ଲେଖା ପ୍ରକ୍ରିୟା ଯୋଗୁ ନିଷ୍ଫଳ ହୋଇଯାଇଛି। ତଦ୍‌ ସହିତ ଠିକଣା ସମୟରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ପାଠ୍ୟକ୍ରମ ସାରିବା ପରିବର୍ତ୍ତେ ପରୀକ୍ଷା ଶେଷ କରି ଡିଗ୍ରି ବାଣ୍ଟିବାର ନିର୍ଦ୍ଦେଶ ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ଅଶୈକ୍ଷିକ ଉଦାହରଣ ସୃଷ୍ଟି କରୁଛି। ଯୋଗ୍ୟତା ସମ୍ପନ୍ନ ଯୁବ ପିଢ଼ି ପାଇଁ ଚାକିରି ଓ ଶିକ୍ଷା ଦାନରେ ଉତ୍କର୍ଷ ସକାଶେ ଅଙ୍ଗୀକାର ଅଭାବ ସହିତ କେବଳ ଡିଗ୍ରି ବାଣ୍ଟିବାର ତତ୍ପରତା ବିଚିତ୍ର ମନେହୁଏ।

ସ୍ମରଣଯୋଗ୍ୟ ଯେ ଗଲା ଷଷ୍ଠ ଦଶକର ମଧୢ ଭାଗରୁ ଅଷ୍ଟମ ଦଶକର ଶେଷ ଯାଏ ଛାତ୍ର ଆନ୍ଦୋଳନ ଯୋଗୁ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରୀକ୍ଷା ଦୁଇ ବର୍ଷ ବଦଳରେ ତିନି ବର୍ଷରେ ଶେଷ ହେଉଥିଲା; ପିଲାମାନେ ଗୋଟିଏ ବର୍ଷ ହରାଉଥିଲେ। (ଉତ୍କଳ ବିଶ୍ବବିଦ୍ୟାଳୟ ଶିକ୍ଷକ ସ˚ଘ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମର୍ଥନରେ ୧୯୯୧ରେ ପରୀକ୍ଷାରେ ଶୃଙ୍ଖଳା ଆଣିବାରେ ସମର୍ଥ ହୋଇଥିଲା। ତତ୍କାଳୀନ କୁଳାଧିପତି ଯଜ୍ଞଦତ୍ତ ଶର୍ମା ସେଥିଲାଗି ଶିକ୍ଷକ ସ˚ଘକୁ ଏକ ପ୍ରଶ˚ସା ପତ୍ର ଦେଇଥିଲେ।) କିନ୍ତୁ ପାଠ୍ୟକ୍ରମଗୁଡ଼ିକ ଉଚିତ ମାର୍ଗରେ ସମ୍ପୂର୍ଣ୍ଣ ହୋଇ ଥିବାରୁ ଛାତ୍ରଛାତ୍ରୀମାନେ ବର୍ଷଟିଏ ହରାଇବାର କ୍ଷତିକୁ ଭରଣା କରିବାରେ ଅନେକା˚ଶରେ ସମର୍ଥ ହେଉଥିଲେ। କିନ୍ତୁ ବର୍ତ୍ତମାନର ଖୁମ୍ପିକିଆ ପାଠ ସହ ଡିଗ୍ରି ପ୍ରଦାନର ବ୍ୟବସ୍ଥା ପିଲାମାନଙ୍କ ଭବିଷ୍ୟତ୍‌କୁ ଅନ୍ଧକାରମୟ କରିବା ନିଃସନ୍ଦେହ; ଠିକ୍‌ ଯେମିତି ଇଣ୍ଟର୍‌ନେଟ୍‌ ସ˚ଯୋଗର ସୁଲଭ ବ୍ୟବସ୍ଥା ନ କରି ଅନ୍‌ଲାଇନ୍‌ ଶିକ୍ଷାର କୁହାଟ ଭିତରେ ଲକ୍ଷ ଲକ୍ଷ ଗରିବ ଶିଶୁମାନଙ୍କ ଭବିଷ୍ୟତ୍‌କୁ ନଷ୍ଟ କରି ଦିଆଯାଇଛି। ସମ୍ବିଧାନ ପ୍ରଦତ୍ତ ଶିକ୍ଷା ଅଧିକାର ଓ ସମାନତା ଅଧିକାର ଦୁଇଟିରୁ ସେମାନଙ୍କୁ ବଞ୍ଚିତ କରାଯାଇଛି।

ଓଡ଼ିଶା ସରକାରଙ୍କ ଅଣଶୈକ୍ଷିକ ପ୍ରବୃତ୍ତିର ଅନ୍ୟ ଏକ ଦୃଷ୍ଟାନ୍ତ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଗଠନ ପ୍ରକ୍ରିୟା। ୨୦୧୩ ମସିହାରେ ଦେଶରେ ପ୍ରବର୍ତ୍ତିତ ଉଚ୍ଚତର ଶିକ୍ଷା ଅଭିଯାନ (Rusa) ନିୟମାବଳୀରେ ପ୍ରତ୍ୟେକ ରାଜ୍ୟରେ ପ୍ରବୀଣ ଶିକ୍ଷାବିତ୍‌ମାନଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ବ ବାହାରେ (‘at arm’s length’) ଏକ ସ୍ବାୟତ୍ତ କ୍ଷମତା ସମ୍ପନ୍ନ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଗଠନର ନିର୍ଦ୍ଦେଶ ଅଛି। ଓଡ଼ିଶା ସରକାର ଅଗଷ୍ଟ ୨୦୧୭ ମସିହାରେ ଯେଉଁ ଉଚ୍ଚ ଶିକ୍ଷା ପରିଷଦ ଗଠନ କରିଛନ୍ତି, ତାହା ଉଚ୍ଚ ଶିକ୍ଷାମନ୍ତ୍ରୀ (ଅଧୢକ୍ଷ), ଉଚ୍ଚ ଶିକ୍ଷା ସଚିବ ଓ ଅନ୍ୟ ଅଫିସର୍‌ମାନଙ୍କୁ ନେଇ ବସ୍ତୁତଃ ଏକ ସରକାରୀ ସ˚ସ୍ଥା; ସ୍ବାଭାବିକ ଭାବରେ ପରିଷଦର ବିଜ୍ଞପିତ ଲକ୍ଷ୍ୟ ‘ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାରେ ବୃଦ୍ଧି’ ରୂପାନ୍ତରିତ ହୋଇ ‘ସବୁ ସରକାରୀ ବିଶ୍ବବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗର ଅଧୀନସ୍ଥ ହେବା’ ଭଳି ସ୍ଥିତି ସୃଷ୍ଟି କଲା। ଶିକ୍ଷା କ୍ଷେତ୍ରରେ ଦିଗ୍‌ଦର୍ଶନକାରୀ ସ୍ଥାନରୁ ବିଚ୍ୟୁତ ହୋଇ ପ୍ରଧାନ ଶିକ୍ଷକ, ଅଧୢକ୍ଷ ଓ କୁଳପତିବୃନ୍ଦ ନିର୍ଦ୍ଦେଶ ପାଳନକାରୀ ସ୍ତରକୁ ସୀମାନ୍ତରିତ ହୋଇଛନ୍ତି। ଶିକ୍ଷା ଜଗତ୍‌ର ସ୍ବାୟତ୍ତତା ପ୍ରତି ହୁଏ’ତ ସରକାରଙ୍କ ଏହା ଶେଷ ହସ।

ଆଞ୍ଜେଲା ମର୍କେଲ୍‌ଙ୍କ ଭଳି ଆମର ତ କେହି ଶାସନ ମୁଖ୍ୟ ନାହାନ୍ତି ଯିଏ ଶିକ୍ଷା ତଥା ଶିକ୍ଷା ବ୍ୟବସ୍ଥାର ସଂଚାଳକ ଶିକ୍ଷକମାନଙ୍କ ଉଚ୍ଚ ଆସନ ଓ ସମ୍ମାନ ପ୍ରତି ବିଭିନ୍ନ ବର୍ଗର ଆକ୍ଷେପକୁ ‘ମୁଁ ତୁମମାନଙ୍କୁ କିଭଳି ତୁମମାନଙ୍କୁ ଶିକ୍ଷା ପ୍ରଦାନ କରିଥିବା ବ୍ୟକ୍ତିମାନଙ୍କ ସହିତ ସମତୁଲ କରିପାରିବି’ ଭଳି ଗୋଟିଏ ବାକ୍ୟରେ ପ୍ରତିହତ କରିପାରିବେ। କିନ୍ତୁ ଆମ ସମ୍ବିଧାନ ନାଗରିକମାନଙ୍କୁ ସାର୍ବଭୌମ କ୍ଷମତା ପ୍ରଦାନ କରିବା ସହ ‘ବିଜ୍ଞାନ ଭିତ୍ତିକ ଚେତନାର ବିକାଶ, ଅନ୍ବେ‌ଷଣର ଉତ୍ସାହ, ମାନବିକତା ଏବଂ ସଂସ୍କାର’କୁ ଆମର ଏକ ମୌଳିକ କର୍ତ୍ତବ୍ୟ ଭାବରେ ଅନ୍ତର୍ଭୁକ୍ତ କରିଛି। ସେହି କ୍ଷମତା ଓ କର୍ତ୍ତବ୍ୟବୋଧର ଆହ୍ବାନରେ ଓଡ଼ିଶାର ସଚେତନ ନାଗରିକ, ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ଅଭିଭାବକ ମଣ୍ତଳୀ ତଥା ଶିକ୍ଷାବିତ୍‌ମାନେ ଶିକ୍ଷା ବ୍ୟବସ୍ଥାକୁ ଅମଲାତାନ୍ତ୍ରିକ ପରିଚାଳନାର ନାଗଫାଶରୁ ମୁକ୍ତ କରି ପାରିବେ ବୋଲି ଆଶା କରିବା ହିଁ ବର୍ତ୍ତମାନର ଏକମାତ୍ର ସାନ୍ତ୍ବନା। ଅନ୍ୟଥା ଆମ ସର୍ବସାଧାରଣ ଶିକ୍ଷା ବ୍ୟବସ୍ଥାର ଅଭିଳଷିତ ଔଜ୍ଜ୍ବଲ୍ୟ ଓ ସ୍ବପ୍ନ ଅଚିରେ ନିର୍ବାପିତ ହୋଇଯିବା ଅବଧାରିତ।

ବାୟା ନିବାସ, ଶ୍ରୀବିହାର, ପଟିଆ
ମୋ- ୯୯୩୭୬୨୪୫୦୫

ସମ୍ବନ୍ଧିତ ଖବର