ଛୁଟିଦିନର ପରିଭାଷା

କହିବାର ଅଛି - ଦାଶ ବେନହୁର

‘‘ଛୁଟି’’ ମଣିଷ ଜୀବନର ଏକ ଦରକାରୀ ଅଂଶ। ଛୁଟି କିଏ ନ ଚାହେଁ? ପ୍ରାଣୀ ମାତ୍ରକେ ପ୍ରତି ନିୟତ ଜୀବନଚର୍ଯ୍ୟାରୁ ଛୁଟି ଲୋଡ଼ନ୍ତି। ପେଟ ଭରିବା ପାଇଁ ପକ୍ଷୀଟିଏ ଏ ଡାଳ ସେ ଡାଳ ହୋଇ ଶେଷରେ ବସିଯାଏ ଗୁମ୍ ହୋଇ। ବାଘ, ସିଂହ ବି ଶିକାରର କ୍ଳାନ୍ତି ପରେ ଭୋଜନ କାମ ସାରି ଦେଇ ଘାଲେଇ ପଡ଼ନ୍ତି। କର୍ମଜୀବୀ ମଣିଷଟି ସେମିତି ଛୁଟି ଖୋଜୁଥାଏ ଦୈନନ୍ଦିନ ଜୀବନରୁ ମହଲତ ଖୋଜି।

ଅଭିଧାନମାନଙ୍କରେ ଛୁଟିକୁ ନାନା ପ୍ରକାର ଅର୍ଥରେ ବୁଝାଇ ଦିଆଯାଇଛି। ଅବକାଶ, ଅବସର, ବିଶ୍ରାମ, ମୁକ୍ତି, ବିଦାୟ, କାର୍ଯ୍ୟାବସାନ, କାର୍ଯ୍ୟବିରାମ ସମୟ, ଛାଡ଼, ଖେଳ-ସମୟ ଭେଦରେ ‘‘ଛୁଟି’’ର ବିବେଚନା ହୁଏ। ସଂସାରରୁ ଏବେ ଛୁଟି ନେବାର ବେଳ କହି ଏ ଶବ୍ଦଟିକୁ ମୃତ୍ୟୁ ବା ଇହଲୀଳା ସାଙ୍ଗ କରିବା ଅର୍ଥରେ ମଧ୍ୟ ବ୍ୟବହାର କରାଯାଏ।
ମୂଳତଃ ଏହା ହିନ୍ଦୀ ଭାଷାରୁ ଆନୀତ। ଛୁଟ୍‌କାରାରୁ ଛୁଟି, ପୁଣି ଛୁଟ୍‌ରୁ ଛୁଟି। ଆମେ ଯେ ଓଡ଼ିଆରେ ‘‘ଛୁଟିବା’’ ବୋଲି କ୍ରିୟା ପଦଟିଏ ବ୍ୟବହାର କରୁ ତାହାର ‘‘ଛୁଟି’’ ସହ କିଛି ସମ୍ପର୍କ ନାହିଁ। ଛୁଟିବା ଅର୍ଥ ଧାଇଁବା, ପଳାଇବା। କିନ୍ତୁ ‘କେତେ ଦିନକୁ ମନ କରିଛୁ ଆଣ୍ଟ/କି ଘେନି‌ଯିବୁ ତୋ’ର ଛୁଟିଲେ ଘଟ’ ବୋଲି ଯେ ମନବୋଧ ଚଉତିଶାରେ ଭକ୍ତଚରଣ ଲେଖିଛନ୍ତି, ତା’ର ଅର୍ଥ ଶେଷତମ ଅବସର ଲାଭ କରିବା ବା ମରଣ ଲଭିବା।

ସେ ଯାହା ହେଉ ‘‘ଛୁଟି’’କୁ ‌ଆମେ ଅବସର ଭାବରେ ବ୍ୟବହାର କରୁ। ହେଲେ ଛୁଟି କ’ଣ ପ୍ରକୃତରେ ବିଶ୍ରାମ ବା ଅବସର? ପୂଜାଛୁଟି ଆସିଲେ ସିନା ଦୈନନ୍ଦିନ କାମରୁ ଅବସର ପାଉ, ମାତ୍ର ସେତେବେଳେ ଅନ୍ୟ ଅର୍ଥରେ ଅଧିକ କର୍ମତତ୍ପର ହୋଇପଡୁ- କେମିତି ଦଶହରା ଓ କୁମାର ପୂର୍ଣ୍ଣମୀ ଉତ୍ସବ ପାଳିବା। ଧାନକଟା ଛୁଟି କ’ଣ ବିଶ୍ରାମକୁ ବୁଝାଏ ନା ଖ୍ରୀଷ୍ଟମାସ ଛୁଟିରେ କେହି ଘର କଣରେ ଗୋଡ଼ ହାତ ଟେକି ଚୁପ୍‌ଚାପ୍ ବସିଯାଏ? ସବୁଦିନିଆ ଦାୟିତ୍ବ ବାହାରେ ଅନ୍ୟ ଅନେକ ଜରୁରୀ ଦାୟିତ୍ବ ତୁଲାଇବା ପାଇଁ ମଣିଷ ଛୁଟି ଖୋଜେ। ବାହାଘର, ବ୍ରତଘର ଅଛି। ଶୁଦ୍ଧିଘର ଅଛି। ଏ ସବୁ ଅବସର ଅପେକ୍ଷା ଅଧିକ ତତ୍ପରତାର ବେଳା। ସେ ଭଳି କାମ ତୁଟେଇବା ପାଇଁ ସରକାରୀ ହେଉ ବା ବେସରକାରୀ ଚାକିରିଆଙ୍କ ଲାଗି ଆଇନାନୁଯାୟୀ ସାମୟିକ ଛୁଟି, ଅର୍ଜିତ ଛୁଟି ଓ ଇଚ୍ଛାଧୀନ ଛୁଟି ଆଧାରରେ ଚିରାଚରିତ କର୍ମରୁ ଛାଡ଼ ସକାଶେ ବ୍ୟବସ୍ଥା ରହିଥାଏ। ଅନେକ ସମୟରେ ‘‘ଛୁଟି’’, ଛାଡ଼ରେ ପରିଣତ ହୁଏ। ତା’ର ଅର୍ଥ ଏ କାମରୁ ଛାଡ଼ ପାଇ ଅନ୍ୟ କର୍ମଟି ସମାହିତ କରିବା।

ଇଂରେଜୀରେ ବ୍ୟବହୃତ ‘‘ହଲିଡେ’’କୁ ଆମେ ଛୁଟି ସହ ତୁଳନା କରୁ। ସେମାନଙ୍କର ‘‘ଇଷ୍ଟର ହଲିଡେ’’ ବା ‘‘ଖ୍ରୀଷ୍ଟମାସ୍‌ ହଲିଡେ’’ ବା ମୁସଲମାନ ସମ୍ପ୍ରଦାୟଙ୍କର ‘‘ରମ୍‌ଜାନ୍ ହଲିଡେ’’ ଅବସର ସମୟର ଅବକାଶ ବୋଲି କହିବା ନିତାନ୍ତ ଗର୍ହିତ। କାରଣ ଏତିକିବେଳେ ଜୀବନଚର୍ଯ୍ୟା ଅଧିକ ଶୃଙ୍ଖଳିତ ଓ ଦାୟିତ୍ବମୂଳକ ହୋଇପଡ଼େ।

ପ୍ରାଣୀମାନେ ଯେ ଛୁଟି ଲୋଡ଼ନ୍ତି ତାହା ସାମୟିକ ବିଶ୍ରାମ କେବଳ। ମଣିଷମାନଙ୍କ ପରି ସେମାନଙ୍କର ‘‘ହଲିଡେ’’ କାହୁଁ ଆସିବ? ପଶୁ, ପକ୍ଷୀ, କୀଟ, ପତଙ୍ଗଙ୍କ ପାଇଁ ପୂଜା, ଖ୍ରୀଷ୍ଟମାସ୍ ବା ରମ୍‌ଜାନ୍ ‘‘ହଲିଡେ’’ର ଅର୍ଥ କ’ଣ? ଠିକ୍ ସେମିତି ଦିନମଜୁରିଆ, ଖଟିଖିଆ ମଣିଷର କଥା। ଖଟିଖିଆମାନେ ବି ଦୁଇ ପ୍ରକାରର। ସଂଗଠିତ, ଅସଂଗଠିତ। ସଂଗଠିତ ଖଟିଖିଆଙ୍କ ଲାଗି ଆଇନ କାନୁନ ଅଛି, ହେଲେ ଅସଂଗଠିତଙ୍କ ପାଇଁ? ରିକ୍‌ସାବାଲା, ଟ୍ରଲିବାଲା, ବଢ଼େଇ, କମାର, ମୋଚି, କୁମ୍ଭାର, ଦିନମଜୁରିଆଙ୍କୁ ‘‘ହଲିଡେ’’ କିଏ ଦେବ? ରୋଗ କି ବାଧିକିରେ ପଡ଼ିଲେ ସେ ଛୁଟି ପାଏ। ଜବରଦସ୍ତ ଦେହ ଘୋଷିତ ଛୁଟି। ନଚେତ୍ ସେ ହୁଏତ କ୍ଷତି ସହି ନିଜକୁ ଅବସର ଦେଇପାରେ।

ଏଠାରେ ପ୍ରଣିଧାନଯୋଗ୍ୟ ଯେ ‘‘ହଲିଡେ’’ ପାଳନ କରିବା ଓ ହଲିଡେଇଂରେ ଯିବା ଏକା କଥା ନୁହେଁ। ‘‘ହଲିଡେ’’ ପାଳନ ଲାଗି ନିର୍ଦ୍ଦିଷ୍ଟ କାର୍ଯ୍ୟବିଧିରେ ଯୋଡ଼ି ହେବାକୁ ପଡ଼େ ମାତ୍ର ହଲିଡେଇଂରେ ଯାଇ ଅବସର ବିନୋଦନ କରାଯାଇଥାଏ। ଯଥେଷ୍ଟ ପରିଶ୍ରମ ପରେ ସମସ୍ତେ ବିଶ୍ରାମ ଲୋଡ଼ନ୍ତି। ମଣିଷ ବିଶ୍ରାମ ଦରକାର କରେ ମେସିନ୍ ବି ବିରାମ ଚାହେ। ଅତଏବ ପୃଥିବୀ ସାରାର କାର୍ଯ୍ୟ ବ୍ୟବସ୍ଥାରେ ଏ ହଲିଡେଇଂର ମହତ୍ତ୍ବ ଯଥେଷ୍ଟ। ସେଇଥିପାଇଁ ଅନେକ ସମୟରେ ରାଷ୍ଟ୍ରର ପ୍ରମୁଖ ଦାୟିତ୍ବରେ ଥିବା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀମାନେ ସୁଦ୍ଧା ଛୁଟି କଟେଇବା ପାଇଁ ଅବସର ଖୋଜନ୍ତି। ପ୍ରାୟ ଅଧିକାଂଶ କର୍ମ ସଂସ୍ଥାରେ ଏଥିପାଇଁ ନିର୍ଦ୍ଦିଷ୍ଟ ଅବଧିରେ ଚାକିରିଆମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ। ଅବସର, ଦେହ ଓ ମନକୁ ତାଜା କରିବା ସହ ଅଧିକ କର୍ମକ୍ଷମ କରେ।

ଏ କ୍ଷେତ୍ରରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଆମେ ଇଂରେଜୀରେ ‘‘ହଲିଡେ’’ ଓ ‘‘ଲିଭ୍’’କୁ ଛୁଟି ଭାବରେ ଗ୍ରହଣ କରୁ। ମାତ୍ର ବୁଝିବା ଅାବଶ୍ୟକ ଯେ ‘‘ହଲିଡେ’’ ଗୋଟିଏ ପ୍ରକାରର ନୁହେଁ କି ‘‘ଲିଭ୍’’ ମଧ୍ୟ ଗୋଟିଏ ପ୍ରକାରର ନୁହେଁ। ପାର୍ବଣ ଆଧାରିତ ଦିବସକୁ ଯେମିତି ‘‘ହଲିଡେ’’ କୁହାଯାଏ ସେମିତି ଘର ଠାରୁ ଦୂରକୁ ଯାଇ ଭ୍ରମଣ କରିବା ବା ଏକାଧିକ ଦିନ ଚିରାଚରିତ କର୍ମରୁ ଦୂରେଇ ଯାଇ ଅବସର ମଉଜ କରିବାକୁ ମଧ୍ୟ ‘‘ହଲିଡେ’’ କୁହାଯାଏ। ହେଲେ ଇଂରେଜୀ ଶବ୍ଦ ‘‘ଲିଭ୍’’, ‘‘ହଲିଡେ’’ ବା ‘‘ଭେକେସନ୍’’ ଠାରୁ ଭିନ୍ନ। ଅଥଚ ଆମେ ଏ ସମସ୍ତ ଅବସରକୁ ଛୁଟି କହି ଗୋଳିଆମିଶା କରିଦେଉ।

ଆଜି ସବୁ ଛୁଟି ଆମ ପାଇଁ ‘‘ହଲିଡେ’’। ‘‘ହଲିଡେ’’ ଶବ୍ଦଟି ‘‘ହୋଲି ଡେ’’ ବା ପବିତ୍ର ଦିବସରୁ ଆସିଛି। ତେଣୁ ମୂଳତଃ ‘‘ହଲିଡେ’’, ଧର୍ମ ଆଧାରିତ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଳନର ଅବସର ଭାବରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଧର୍ମରୁ ବୃତ୍ତିକୁ ଏ ଅବସରପାଳନ ସ୍ଥାନାନ୍ତରିତ ହୋଇଗଲା। ଭାରତବର୍ଷରେ ସେଥିପାଇଁ ଅଧିକାଂଶ ପର୍ବ ପାରଣାର ଦିବସ କୃଷି ଆଧାରିତ। ଅକ୍ଷୟ ତୃତୀୟାରୁ ଆରମ୍ଭ କରି, ନୂଆଖାଇ, ମାଣବସା ଓ ଅଇଘରା ପୂନେଇଁ ଭଳି ଦିବସଗୁଡ଼ିକ କୃଷିକର୍ମ ଉପରେ ହିଁ ପର୍ଯ୍ୟବସିତ। ବୃତ୍ତି ଓ ଧର୍ମକୁ ଏକାକାର କରି ଏ ଦିବସ ସମୂହର ପରିକଳ୍ପନା କରାଯାଇଥିଲା। ସ୍ମରଣ କରିବା ଆବଶ୍ୟକ ଯେ ପାଶ୍ଚାତ୍ୟ ଜଗତ୍‌ରେ ଆଧୁନିକ କାଳର ‘‘ହଲିଡେ’’ ବା ଛୁଟିଦିନ ଆମେରିକା ଗଠିତ ହେବାର ପ୍ରାୟ ଶହେ ବର୍ଷ ବାଦ୍ ୧୮୭୦ରେ ଆଇନାନୁଗତ ଭାବେ ସେଠାକାର ବ୍ୟବସ୍ଥାପକ ସଭା କଂଗ୍ରେସର ଅନୁମୋଦନ ଅନୁସାରେ ଚାରିଗୋଟି ଦିନ ମଞ୍ଜୁର ହୋଇଥିଲା। ପ୍ରଥମ କରି ଲୋକେ ପାଉଣା ସହ ଚାରିଗୋଟି ଦିନ ଛୁଟି ପାଇଥିଲେ। ଚାରିଟିଯାକ ଦିବସ କଲମ୍ବିଆ ପ୍ରଦେଶରେ ଲାଗୁ ହୋଇଥିଲା। ତାହା ଥିଲା ନୂଆବର୍ଷର ଦିବସ, ସ୍ବାଧୀନତା ଦିବସ, କୃତଜ୍ଞତାର ଦିବସ ବା ଥାଙ୍କ୍‌ସ ଗିଭିଂ ଡେ’ ଓ ଖ୍ରୀଷ୍ଟମାସ ଦିବସ। ଦଶବର୍ଷ ପରେ ଯୋଡ଼ି ହୋଇଥିଲା ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନ୍‌ଙ୍କର ଜନ୍ମ ଦିବସ।

ଏବେ ସବୁ ଦେଶରେ ପାଉଣା ସହ କେତେ କେତେ ଛୁଟିଦିନ ମିଳିବାରେ ଅସୁବିଧା ନାହିଁ। ଏ ପରିକି ଘରମାନଙ୍କରେ ଆଡ଼ତି କରୁଥିବା ମଣିଷଙ୍କୁ ସାପ୍ତାହିକ ଛୁଟି କେବଳ ନୁହେଁ, ନିର୍ଦ୍ଦିଷ୍ଟ ଆଠ ଘଣ୍ଟାର ଅବଧି ପରେ ଛୁଟି ନ ନେବା ଅପରାଧ ଭାବରେ ଗ୍ରହଣ କରାଯାଉଛି। ସାମାଜିକ ସ୍ତରରେ ବିଶ୍ବବ୍ୟାପୀ ସଂପ୍ରତି ଭିନ୍ନ ଭିନ୍ନ ଛୁଟିଦିନ। ‘‘ହଲିଡେ’’ଓ ‘‘ଲିଭ୍’’ ପ୍ରାୟ ଏକାକାର। ସବୁଦିନିଆ କାମରୁ ଛାଡ଼ ନେଇ ଅନ୍ୟକିଛି କରିବା ବା କିଛି ନ କରି ବସି ରହିବାକୁ ଛୁଟିର ସମୟ ବୋଲି ଅଭିହିତ କରାଯାଉଛି।

ଦିନକୁ ଦିନ ଏ ଛୁଟି ଏବେ ‌ଏତେ ଅଧିକ ବିସ୍ତାରିତ ଯେ ଅନେକ ସମୟରେ ଛୁଟି-ମୂଳକ ଅବକାଶ ରାଷ୍ଟ୍ର ପାଇଁ, ବ୍ୟବସ୍ଥା ପାଇଁ ଏକ ଅଦଉତିରେ ପରିଣତ ହୋଇଛି। ଅନେକ ଛୁଟିକୁ ସରକାର ସ୍ବେଚ୍ଛାଚ‌ାରୀ ଢଙ୍ଗରେ ମଧ୍ୟ ଘୋଷଣା କରିଦିଅନ୍ତି। ବିଦେଶରେ କ୍ରିକେଟ୍ ଖେଳ ଚାଲିଛି। ଗଣମାଧ୍ୟମ ଖେଳକୁ ଯୁଦ୍ଧ ସହ ତୁଳନା କରି ଜନମାନସକୁ ସରଗରମ କରିବାରେ ବ୍ୟସ୍ତ। ବାସ୍ ସରକାର ସାରା ଦେଶକୁ ଗୋଟିଏ ଘୋଷଣାରେ ଛୁଟି କରିଦେଲେ। ଆସନ୍ତାକାଲି ଦେଶର ଦଳ ଅମୁକ ସ୍ଥାନରେ ଖେଳୁଥିବାରୁ ଛୁଟି ଘୋଷଣା ହେଲା। ଏ ଛୁଟି ପ୍ରକୃତରେ କାହା ପାଇଁ? ସାଧାରଣ ସେବାରେ ଥିବା ପୁଲିସ୍, ଡାକ୍ତର, ପୋଷ୍ଟ୍‌ମ୍ୟାନ୍, ଶ୍ରମିକ କ’ଣ ଏଥିପାଇଁ ସତରେ ଛୁଟ୍‌କାରା ପାଆନ୍ତି? ଏ ଭଳି ଛୁଟି ଅବିମୃଶ୍ୟକାରିତାର ଛୁଟି। ଏହ‌ା ସାଧାରଣ ମଣିଷର ହିତ ପାଇଁ ଯେତେ ଉଦ୍ଦିଷ୍ଟ ନୁହେଁ ସେତେ, କିଛି ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ପାଇଁ। ପ୍ରାଚୀନ ରୋମ୍‌ରେ ଲୋକପ୍ରିୟତା ବଢ଼େଇବା ଲାଗି ସମ୍ରାଟମାନେ ସୁଦ୍ଧା ମାଟାଡୋର୍ ଲଢ଼େଇବେଳେ ଏଇଭଳି ସମୂହ ଛୁଟି ଘୋଷଣା କରି ଜନଜୀବନର ସ୍ବାଭାବିକ ଧାରାକୁ ଠପ୍ କରିଦେଉଥିଲେ। ‘‘ରୋମାନ୍ ହଲିଡେ’’ କଥାଟିକୁ ମନେ ପକାନ୍ତୁ। ଅନ୍ୟର ପ୍ରାଣାନ୍ତକ ବେଦନାରୁ ମଜା ଉଠାଇବାକୁ ଏହା ଏକ ଅବସର। ବାଃରେ ଛୁଟି!

ଆରମ୍ଭରୁ କଥା ଥିଲା, ମଣିଷ ପାଇଁ ଛୁଟି ଦରକାରୀ। ହିସାବ କଲେ ଦେଖାଯିବ ଯେ ଏବେ ସାଧାରଣ ଜୀବନ ରାଷ୍ଟ୍ରଗତଭାବେ ଛୁଟି-ଜର୍ଜରିତ। ଛିଙ୍କିଲେ ଛୁଟି, ଛିଙ୍କିବାକୁ ମନ କଲେ ଛୁଟି। ଛିଙ୍କିବାକୁ ମନ ହେଉଛି ବୋଲି ମିଛ କହିପାରିଲେ ବି ଛୁଟି। ଧର୍ମ ପାଇଁ ଛୁଟି, ଖେଳ ପାଇଁ ଛୁଟି, ନିର୍ବାଚନ ପାଇଁ ଛୁଟି, ଆନ୍ଦୋଳନ ପାଇଁ ଛୁଟି, ଦୁର୍ବିପାକ ପାଇଁ ଛୁଟି, ବିଶ୍ରାମ ପାଇଁ ଛୁଟି। ଛୁଟି, ଛୁଟି, ଛୁଟି। ଜୀବନ ରେଳଗାଡ଼ିର ପ୍ରତିଟି ଡବା ପଛରେ ବିପରୀତମୁଖୀ ଗୋଟେ ଗୋଟେ ଛୁଟି ଇଞ୍ଜିନ୍। ଜୀବନ ଯେ କର୍ମରେ ଚାଲେ, ଛୁଟିରେ ନୁହେଁ ସେ କଥା କିଏ କାହାକୁ ବୁଝେଇବ? ଜୀବନ-ବେଗରେ ଛୁଟି ଭଳି ବ୍ରେକ୍ ମଝିରେ ମଝିରେ ଲୋଡ଼ା ଯେ ହୁଏନା ସେ କଥା ନୁହେଁ ହେଲେ ବାରମ୍ବାର ବ୍ରେକ୍ କଷିଲେ ଗାଡ଼ି ଚାଲିବ କେମିତି? ସ୍ବାଭାବିକ ଛୁଟି ସହ ଅଣ୍ଟିରେ ହାତ ପୂରାଇ ଜବରଦସ୍ତ ଛୁଟି ହାସଲ କଲେ ତାହା ଠାରୁ ଅଧିକ ଭଦ୍ର-ଅତ୍ୟାଚାର ଆଉ କ’ଣ ଅଛି?

ଅସଂଗଠିତ କାର୍ଯ୍ୟରେ ଥିବା ବ୍ୟକ୍ତିମାନଙ୍କୁ ଛାଡ଼ିଦେଲେ ଏବେ ଲିଭ୍ ବା ଛାଡ଼ ଆଳରେ ଅନେକ ଛୁଟି ଆମେ ହାସଲ କରୁ। ମେଡିକାଲ୍ ଲିଭ୍, ମ୍ୟାଟର୍‌ନିଟି ଲିଭ୍, ପ୍ୟାଟର୍‌ନିଟି ଲିଭ୍, ଷ୍ଟଡି ଲିଭ୍, ସାବାଟିକାଲ୍ ଲିଭ୍ ଏବଂ ଏଲ୍‌ଟିସି ଲିଭ୍ ସହ ପୂର୍ବରୁ ବର୍ଣ୍ଣିତ ଆର୍ନଡ୍ ଲିଭ୍, କାଜୁଆଲ୍ ଲିଭ୍ ଓ ଅପ୍‌ସନାଲ୍ ଲିଭ୍ ମଧ୍ୟ ସଂଯୁକ୍ତ। ସାବାଥ୍ କଥାଟି ଖ୍ରୀଷ୍ଟିଆନ୍ ନିଷ୍ଠାପରତା ସହ ସଂପୃକ୍ତ। ଧର୍ମ ସମ୍ବନ୍ଧୀୟ ଅଧିକ ପଠନ, ଚିନ୍ତନ ଓ ଗବେଷଣା କରି ଧର୍ମାବଲମ୍ବୀମାନଙ୍କୁ ପ୍ରବୋଧିତ ଓ ସୁସଂହତ କରିବା ପାଇଁ ଆଗରୁ ଗୀର୍ଜାମାନଙ୍କରୁ ବିଶିଷ୍ଟ ବିଦ୍ବାନମାନଙ୍କୁ ଏ ଛୁଟି ମିଳୁଥିଲା। ଧୀରେ ଧୀରେ ଏହା ବିଶ୍ବବିଦ୍ୟାଳୟର ବିଦ୍ବାନମାନଙ୍କୁ ସଂପ୍ରସାରିତ ହେଲା। ଏବେ ଭାରତ ଭଳି ଦେଶରେ ଅମଲାମାନେ ସୁଦ୍ଧା ଅଧିକ ଜ୍ଞାନ ହାସଲ ପାଇଁ ସାବାଟିକାଲ୍‌ରେ ଯାଉଛନ୍ତି। ବ୍ୟବସ୍ଥାଟି ଉପରକୁ ସୁନ୍ଦର ଲାଗୁଛି, ମାତ୍ର କେତେ ମାତ୍ରାରେ ଏ ଛୁଟି ଉପଯୁକ୍ତ ମାର୍ଗରେ ବିନିଯୋଗ ହେଉଛିି?

ଆଶ୍ଚର୍ଯ୍ୟର କଥା, ଏଇ ଛୁଟି ଏବେ ମଣିଷମାନଙ୍କ ଭିତରେ ମିଥ୍ୟାଶ୍ରୟର ଏକ ମୁଖ୍ୟ କାରଣ ପାଲଟିଛି। ଦପ୍ତରମାନଙ୍କରୁ, ମାଲିକ ଠାରୁ, ଉପରିସ୍ଥ ଅଧିକାରୀଙ୍କ ଠାରୁ ଏପରିକି ଅଭିଭାବକଙ୍କ ଠାରୁ ଛୁଟି ହାସଲ କରିବା ଲାଗି ଅଧିକାଂଶ ଏବେ ମିଛର ଆଶ୍ରୟ ନେଉଛନ୍ତି। ଶହେକେ ବୋଧେ ଏକ ଭାଗ ବ୍ୟକ୍ତି ଆମ ଦେଶରେ ନ ଥିବେ ଯେଉଁମାନେ ଛୁଟି ହାସଲ କରିବା ଲାଗି ଜୀବନରେ କେବେ ମିଛ କହିନାହାନ୍ତି! ମିଛ ଏବେ ସ୍ଥଳ ବିଶେଷରେ ଛୁଟିର ନିଘନ ବନ୍ଧୁ।

ଜଣେ କର୍ମଚାରୀଙ୍କ ଲାଗି ଆଇନାନୁମୋଦିତ ଏତେ ଗଳାବାଟ ଛୁଟି ଅଛି ଯେ ସେ ଚାହିଁଲେ ସାରା ବ୍ୟବସ୍ଥାକୁ ଠପ୍ କରି ଦେଇପାରିବେ। ସଂଗଠନର କର୍ମଚାରୀମାନେ ଅପେକ୍ଷା କରିଛନ୍ତି, କ’ଣ ନା’ କୌଣସି କାରଣରୁ ଅଧ୍ୟକ୍ଷ ରାଗି ମେଡିକାଲ୍ ଲିଭ୍‌ରେ ଅଛନ୍ତି। ନିଅ ସମ୍ଭାଳ!

ରାଜ୍ୟର ମୁଖ୍ୟ କର୍ମଚାରୀ ଚିଫ୍ ସେକ୍ରେଟାରି। କ’ଣ ତାଙ୍କୁ ଶୁଝିଲା, ଘୋର ଚକ୍ରବାତ ବିତ୍ପାତ ବେଳେ ସେ ତାଙ୍କର ଅର୍ଜିତ ଛୁଟି ନେଇ ଚାଲିଲେ ବିଦେଶ। ରାଜ୍ୟ ସାରା ଜଳକା।
ପରୀକ୍ଷା ମୁଣ୍ଡ ଉପରେ। ପାଠ ପଢ଼ା ସରିନାହିଁ। ଆଜ୍ଞା ଆମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟଟି ପଢ଼ାନ୍ତି। ସେ ଗଲେ ସାବାଟିକାଲ୍‌ରେ। କେଉଁଟା ଅଧିକ ଜରୁରୀ ସେ କଥା କିଏ ସ୍ଥିର କରିବ?

ଆମ ଦେଶରେ ଏବେ କର୍ମ ଦିବସ ଅପେକ୍ଷା ଛୁଟିଦିନଗୁଡ଼ିକର ଅଦଉତି ବଢ଼ିବାରେ ଲାଗିଛି। ବିଭିନ୍ନ ଧର୍ମର ଲୋକ ଏ ବିବେକପ୍ରଧାନ ରାଷ୍ଟ୍ରଟିକୁ ଆଚ୍ଛା ଅକଳରେ ପକାଇଛନ୍ତି। ସିକୁଲାର୍ ଷ୍ଟେଟ୍‌ର ଅର୍ଥ ଧର୍ମ ନିରପେକ୍ଷ ରାଷ୍ଟ୍ର ନୁହେଁ, ବିବେକପ୍ରଧାନ ରାଷ୍ଟ୍ର। ଧର୍ମମାନଙ୍କର ଡିଆଁକୁଦାରୁ ଦୂରରେ ରାଷ୍ଟ୍ର ନିରପେକ୍ଷ ହେ‌ାଇ ଠିଆହେବ କାହିଁକି? ବିବେକ ଆଧାରରେ ପଦକ୍ଷେପ ଆବଶ୍ୟକ। ସଂପ୍ରତି ଉଭୟ ‘‘ହଲିଡେ’’ ଓ ଛୁଟି ତାଲିକାକୁ ଦେଖିଲେ ଜଣାଯିବ ଯେ ସମସ୍ତ ଧାର୍ମିକ ଦିବସକୁ ସବୁ ଧର୍ମର ଲୋକେ ପାଳିବାକୁ ବାଧ୍ୟ ଯେମିତି! ମହରମ୍ ଓ ଇଦ୍ ଭଳି ଜାତୀୟ ଛୁଟି ଦିନରେ ସଂଖ୍ୟାଧିକ ହିନ୍ଦୁ କ’ଣ କରନ୍ତି? ସେଇଭଳି ଗୁଡ୍ ଫ୍ରାଇଡେ’ରେ ମୁସଲମାନମାନଙ୍କୁ ମିଳିଥିବା ଛୁଟିରେ କ’ଣ କରନ୍ତି ସେମାନେ? ଅନୁରୂପ ଭାବେ ସମସ୍ତ ହିନ୍ଦୁ ପର୍ବରେ ଅଣହିନ୍ଦୁମାନଙ୍କର ଛୁଟି ସମୟ କି ଭଳି ବ୍ୟୟିତ ହୁଏ?

ପର୍ବ ପାଳନ, ଛୁଟି ପାଳନ ସହ ସମାନ ନୁହେଁ। ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀଙ୍କ ଲାଗି ଏ ଦିନଗୁଡ଼ିକ ଅତ୍ୟନ୍ତ ପବିତ୍ର। ସେମାନଙ୍କୁ ପର୍ବ ପାଳନର ଅବକାଶରୁ ବଞ୍ଚିତ କରିବା ଯେମିତି ଅନାବଶ୍ୟକ ଠିକ୍ ସେହିଭଳି କୌଣସି ସମ୍ପ୍ରଦାୟର ପର୍ବ ଦିବସରେ ଅନ୍ୟମାନଙ୍କୁ ଜୋର୍ ଜବରଦସ୍ତ ଛୁଟି ଭିତରକୁ ଠେଲି ଦେବା ଅଯୌକ୍ତିକ। ଅପରପକ୍ଷରେ ଯେ କୌଣସି ସମ୍ପ୍ରଦାୟ ବା ଧର୍ମଗୋଷ୍ଠୀ ଅନ୍ୟ କୌଣସି ଧର୍ମର ପର୍ବ ପାଳନ କରିବା ମଧ୍ୟ ଖୁବ୍ ଏକ ସ୍ପୃହଣୀୟ କାର୍ଯ୍ୟ। ତେଣୁ ଧର୍ମ ଆଧାରିତ ଛୁଟିଦିବସଗୁଡ଼ିକ ସମସ୍ତଙ୍କ ପାଇଁ ଅଧିକ ଇଚ୍ଛାଧୀନ ଛୁଟିର ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଏଗୁଡ଼ିକୁ ‘‘ଜାତୀୟ ହଲିଡେ’’ ବୋଲି କହିବାରେ ଯୁକ୍ତି କିଛି ନାହିଁ। ବହୁତ ହୋଇଗଲା ବ୍ୟକ୍ତିଙ୍କୁ ଆଧାର କରି ଛୁଟି ପାଳିବାର ବ୍ୟବସ୍ଥା। ସେ ସବୁ ମଧ୍ୟ ଇଚ୍ଛାଧୀନ ଛୁଟି ହୋଇ ରହିବା ଉଚିତ। ମହାମନୀଷୀମାନେ ତ ଯିବେ। ଆମେ ଆଉ ଛୁଟି ଛୁଟି କହି ସାଧାରଣ ଜୀବନରେ କେତେ ବ୍ରେକ୍ ଲଗେଇବା? ସେମିତି ହେଲେ ତ ଦିନ ଆସିବ ଯେତେବେଳେ ବର୍ଷର ୩୬୫ ଦିନ ବି ନିଅଣ୍ଟ ପଡ଼ିଯିବ!

କହିବାର ଅଛି ଯେ ଆମର ଜାତୀୟ ଛୁଟିଦିବସ ପ୍ରକୃତରେ ତିନି‌େଗାଟି। ସେ ତିିନିଟି ହେଲା, ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଓ ସମ୍ବିଧାନ ଦିବସ। ସବୁ ସମ୍ପ୍ରଦାୟଙ୍କ ପାଇଁ ଏ ତିନିଗୋଟି ଛୁଟିଦିନ ସର୍ବାଦୌ ପବିତ୍ର ହେବା ବାଞ୍ଛନୀୟ।

ରାଷ୍ଟ୍ର ବଡ଼। ଆଉ ସବୁକଥା ତା’ ତଳେ। ସମ୍ପ୍ରଦାୟ ବି ଛୁଟି ବି!

[email protected]

ସମ୍ବନ୍ଧିତ ଖବର