ଭୌତିକ ଭାରତ
ବିଜୟ ନାୟକ
ଆଗନ୍ତୁକର ଅନୁସନ୍ଧିତ୍ସାରେ ଭାରତର ଚିତ୍ର ଓ ଚରିତ୍ର କାଳେ କାଳେ କିମ୍ଭୂତକିମାକାର। କାହା ଦୃଷ୍ଟିରେ ଏହି ଭୂଖଣ୍ଡ ସାପ ଓ ସାପୁଆ କେଳାମାନଙ୍କର ଦେଶ ତ ଆଉ କାହା ଦୃଷ୍ଟିରେ ଏହା ଇନ୍ଦ୍ରଜାଲର ଅନନ୍ୟ ଇଲାକା। କତିପୟ ପଣ୍ଡିତ ଭାରତବର୍ଷକୁ ଧର୍ମ ଓ ଦର୍ଶନର ଆଦି ଭୂମି ବୋଲି ବିବେଚନା କରି କହନ୍ତି ଯେ ଭାରତୀୟ ଦର୍ଶନ ଭାବବାଦ ଉପରେ ପର୍ଯ୍ୟବସିତ। ଭୌତିକ ଅସ୍ତିତ୍ୱ ଅପେକ୍ଷା ଆଧିଭୌତିକ ଅନ୍ୱେଷା ଭାରତୀୟ ଚିନ୍ତା ଚେତନାର ଆଧାର ଶିଳା। ତେଣୁ ଅନେକ ପାଶ୍ଚାତ୍ୟ ପଣ୍ଡିତ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଅର୍ଥନୀତି, ରାଜନୀତି, ସମାଜତତ୍ତ୍ୱ, କ୍ରୀଡ଼ାକୌତୁକ, କଳା ସ୍ଥାପତ୍ୟ, ସାହିତ୍ୟ, ସଂଗୀତ ଆଦି କ୍ଷେତ୍ରରେ ଭାରତର ଅବଦାନକୁ ଅସ୍ୱୀକାର ନ କଲେ ମଧ୍ୟ ଗୁରୁତ୍ୱ ଦିଅନ୍ତି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଆବହମାନ କାଳରୁ ଚତୁର୍ବର୍ଗ ଅବଧାରଣା ଉପରେ ଭାରତୀୟ ଜୀବନଶୈଳୀ ପ୍ରତିଷ୍ଠିିତ। ଧର୍ମ, ଅର୍ଥ, କାମ ଓ ମୋକ୍ଷ–ଏହି ଚତୁର୍ବର୍ଗ ମଧ୍ୟରୁ ଧର୍ମ ଓ ମୋକ୍ଷ ଆଧ୍ୟାତ୍ମିକ ଉପଲବ୍ଧିର ମାର୍ଗ ହୋଇ ପାରେ କିନ୍ତୁ କାମ ଓ ଅର୍ଥ ବସ୍ତୁବାଦୀ ଜୀବନର ଉଭୟ ଧ୍ୟେୟ ଓ ସାଧନ। ରାମାୟଣ ଓ ମହାଭାରତ ପରି ମହାକାବ୍ୟ ଦ୍ୱୟରେ ଜୀବନର ଜୟ ପରାଜୟ, ତ୍ୟାଗ ଭୋଗ ତଥା ଅର୍ଥ ଓ ପରମାର୍ଥ କଥା କୁହାଯାଇଛି। ଭୂମା ପାଇଁ ଭୂମିକୁ କେବେ ଅସ୍ୱୀକାର କରିନାହିଁ ଭାରତୀୟ ଦର୍ଶନ। ବସ୍ତୁବାଦ ଭାରତୀୟ ଦର୍ଶନର ଏକ ପ୍ରମୁଖ ପ୍ରବାହ। ବୌଦ୍ଧନୀତି, ଆଜୀବକ ତତ୍ତ୍ୱ, ଚାର୍ବାକ ମନ୍ତ୍ର ବା ତନ୍ତ୍ର ମାର୍ଗ- ଏ ସବୁ ବସ୍ତୁବାଦୀ ଚିନ୍ତନର ଅଂଶ ବିଶେଷ। କପିଳ ମୁନି ବସ୍ତୁବାଦୀ ଦାର୍ଶନିକ ଭାବରେ ଖ୍ୟାତ ଥିଲେ ବି ଭଗବାନ ଶ୍ରୀକୃଷ୍ଣ ସିଦ୍ଧମାନଙ୍କ ମଧ୍ୟରେ ନିଜକୁ କପିଳ ମୁନି ବୋଲି ଅଭିହିତ କରନ୍ତି। ଜଗତ୍ ମିଥ୍ୟା ବୋଲି କହୁଥିବା ଆଦିଶଙ୍କର ଚାରିଧାମ ପ୍ରତିଷ୍ଠା କରନ୍ତି। ପିଣ୍ଡ ନ ଥିଲେ ବ୍ରହ୍ମାଣ୍ଡ କାହିଁ? ଭାରତୀୟ ଦୃଷ୍ଟି ଓ ଦର୍ଶନରେ ତେଣୁ ଜଗତ୍ ସତ୍ୟ, ଜୀବନ ସତ୍ୟ ସୁତରାଂ ବସ୍ତୁ ସତ୍ୟ।
ପାର୍ଥିବ ବିଜ୍ଞାନର ପରଂପରା ଓ ପ୍ରବହମାନତା ଭାରତୀୟ ଋଷି-ବିଜ୍ଞାନୀମାନଙ୍କର ବିଶ୍ୱକୁ ଅନବଦ୍ୟ ଅବଦାନ। ପୃଥିବୀର କୌଣସି ବି ଅଂଶରେ ବିଜ୍ଞାନର ନାମମାତ୍ର ସ୍ଥିତି ନ ଥିବା ବେଳେ ପଦାର୍ଥ ଓ ସୌର ବିଜ୍ଞାନ ତଥା ଭେଷଜ ଓ ଶଲ୍ୟ ଶାସ୍ତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଥିଲା ଭାରତବର୍ଷ। ମହାକାଶ ବିଜ୍ଞାନୀ ଓ ଗଣିତଜ୍ଞ ଆର୍ଯ୍ୟଭଟ୍ଟ (୪୭୬ ଖ୍ରୀଷ୍ଟାବ୍ଦ)ଙ୍କ ‘ଆର୍ଯ୍ୟଭଟ୍ଟିୟମ୍’ ଗ୍ରନ୍ଥ ହେଉଛି ଗଣିତ, ବୀଜଗଣିତ, ତ୍ରିକୋଣମିତି ଓ ମହାକାଶ ବିଜ୍ଞାନ ସଂପର୍କିତ ଏକ ଅମର କୃତି। ସୂର୍ଯ୍ୟ ଚତୁଃ ପାର୍ଶ୍ବରେ ପୃଥିବୀର ଘୂର୍ଣ୍ଣନ ଓ ମାଧ୍ୟାକର୍ଷଣ ଶକ୍ତିର ସେ ଆଦ୍ୟ ଆବିଷ୍କର୍ତ୍ତା। ୫୯୮ ଖ୍ରୀଷ୍ଟାବ୍ଦରେ ଜନ୍ମିତ ବ୍ରହ୍ମଗୁପ୍ତଙ୍କ ‘ବ୍ରହ୍ମସ୍ତୁତ ସିଦ୍ଧାନ୍ତ’ରେ ଗାଣିତିକ ଓ ଜ୍ୟାମିତିକ ସୂତ୍ର ସଂପର୍କରେ ଆଲୋକପାତ କରାଯାଇଛି। ଷଷ୍ଠ ଶତାବ୍ଦୀର ବରେଣ୍ୟ ବୈଜ୍ଞାନିକ ବରାହମିହିରଙ୍କ ‘ପଞ୍ଚ ସିଦ୍ଧାନ୍ତିକା’ ଓ ‘ବୃହତ୍ ସଂହିତା’ ନାମରେ ଦୁଇଟି ପୁସ୍ତକ ଗ୍ରହ, ନକ୍ଷତ୍ରମାନଙ୍କର ସ୍ଥିତି, ଚଳନ ଓ ଅନ୍ୟାନ୍ୟ ସୌର ସୂଚନା ତଥା ତ୍ରିକୋଣମିତିର ନୂତନ ସୂତ୍ରର ଅବତାରଣା କରିଥାଏ। ସେହିପରି ଦ୍ୱାଦଶ ଶତାବ୍ଦୀ (୧୧୧୪ ଖ୍ରୀଷ୍ଟାବ୍ଦ)ର ଭାସ୍କରାଚାର୍ଯ୍ୟ ତାଙ୍କ ‘ସିଦ୍ଧାନ୍ତ ଶିରୋମଣି’ ଗ୍ରନ୍ଥରେ ଆର୍ଯ୍ୟଭଟ୍ଟଙ୍କ ତତ୍ତ୍ୱକୁ ଭିତ୍ତି କରି ‘ଶୂନ’ର ସ୍ଥାନ ନିରୂପଣ କରିଥିଲେ। ବିଶ୍ୱବନ୍ଦିତ ବିଜ୍ଞାନୀ ଆଲବର୍ଟ ଆଇନ୍ଷ୍ଟାଇନ୍ କହିଥିଲେ ଯେ ବିଜ୍ଞାନର ଅଗ୍ରଗତି ପାଇଁ ଭାରତର ଅବଦାନ ଅତୁଳନୀୟ। କାରଣ ‘ଶୂନ’ର ସ୍ଥାନ ନିରୂପଣ ବିନା କୌଣସି ବୈଜ୍ଞାନିକ ଗବେଷଣା ଓ ଉଦ୍ଭାବନ ସମ୍ଭବ ହୋଇ ନଥା’ନ୍ତା। ଆରବ୍ୟ ପଣ୍ଡିତ ଓ ପରିବ୍ରାଜକ ଆଲ୍ବେରୁଣୀ ତାଙ୍କ ‘ତାରିଖ୍ ଅଲ୍ ହିନ୍ଦ୍’ (ଭାରତ ଇତିହାସ) ପୁସ୍ତକରେ ବ୍ରହ୍ମଗୁପ୍ତଙ୍କ ମଧ୍ୟାକର୍ଷଣ ଶକ୍ତି ସଂପର୍କିତ କଥା ଉଲ୍ଲେଖ କରିଛନ୍ତି।
ବାୟୁଯାନ ନିର୍ମାଣ ଓ ପରମାଣୁ ବିଜ୍ଞାନ ସଂପର୍କରେ ମଧ୍ୟ ପ୍ରାଥମିକ ଗବେଷଣା ଭାରତବର୍ଷରେ ହିଁ କରାଯାଇଥିଲା। ଚରକ ଏବଂ ଶୁଶ୍ରୁତ ଯଥାକ୍ରମେ ଭେଷଜ ଓ ଶଲ୍ୟ ଶାସ୍ତ୍ରରେ ପାରଦର୍ଶିତା ଲାଭ କରି ଚିକିତ୍ସା କ୍ଷେତ୍ରରେ ନବ ଦିଗନ୍ତ ଉନ୍ମୋଚନ କରିଥିଲେ। କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ପୁରାତନ ରାଜନୀତି ତତ୍ତ୍ୱ ସମ୍ବଳିତ ଏକ ମହାଗ୍ରନ୍ଥ ଭାବେ ବିଶ୍ୱବିଦିତ।
ତେବେ, ବିଶ୍ୱ ଶାସନ ତନ୍ତ୍ରକୁ ଭାରତର ସର୍ବଶ୍ରେଷ୍ଠ ଅବଦାନ ହେଉଛି ‘ଗଣରାଜ୍ୟ’ ବ୍ୟବସ୍ଥା। ହିମାଳୟ ପାଦ ଦେଶରେ ଥିବା ଛୋଟଛୋଟ ରାଜ୍ୟଗୁଡ଼ିକର ରାଜାମାନେ ନିର୍ବାଚିତ ହୋଇ ରାଜ୍ୟ ଶାସନ କରୁଥିଲେ। ବୁଦ୍ଧଙ୍କ ଜନ୍ମ ରାଜ୍ୟ କପିଳବାସ୍ତୁ ତା’ର ଉଦାହରଣ। ବୈଦିକ ଯୁଗରେ ‘ସଭା’ ଓ ‘ସମିତି’ ନାମକ ଦୁଇଟି ପ୍ରତିନିଧିମୂଳକ ଅନୁଷ୍ଠାନ ଜରିଆରେ ରାଜକାର୍ଯ୍ୟ ସଂପାଦିତ ହେଉଥିଲା।
ଜ୍ୟାମିତି, ଭୂ-ମାପ ଓ ଭୂ-ସର୍ବେକ୍ଷଣ ମଧ୍ୟ ଭାରତରୁ ଉଦ୍ଭବ। ପୁନଶ୍ଚ, ଗୃହ ନିର୍ମାଣ ଓ ନଗର ପରିଯୋଜନାରେ ଭାରତୀୟ ଯନ୍ତ୍ରୀମାନଙ୍କ ଦକ୍ଷତା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ପ୍ରମାଣିତ। ପ୍ରାଚୀନ ଭାରତର ଗାନ୍ଧାର ଓ କଳିଙ୍ଗ କଳା ଭାସ୍କର୍ଯ୍ୟ ବିଶ୍ୱ ଐତିହ୍ୟକୁ ମହିମାମଣ୍ଡିତ କରିଛି। କୋଣାର୍କ, ଖଜୁରାହୋ, ଅଜନ୍ତା ଓ ଏଲୋରା ଆଦି ମନ୍ଦିର ଏବଂ ଅସଂଖ୍ୟ ସ୍ତୂପ, ବିହାର, ଦୁର୍ଗ ଓ ପ୍ରାସାଦ ଭାରତୀୟ ଶିଳ୍ପୀକୁଳଙ୍କ ଉଜ୍ଜ୍ବଳ ପରାକାଷ୍ଠା।
ଶିକ୍ଷା, ସାହିତ୍ୟ, ନୃତ୍ୟ ଓ ସଙ୍ଗୀତ ଦିଗରେ ମଧ୍ୟ ଭାରତର ସ୍ୱକୀୟତା ପ୍ରାଞ୍ଜଳ। ନାଳନ୍ଦା, ତକ୍ଷଶିଳା ଓ ପୁଷ୍ପଗିରି ଆଦି ବିଶ୍ୱବିଦ୍ୟାଳୟ ଏକଦା ଥିଲେ ବିଶ୍ୱ ଜ୍ଞାନବିଜ୍ଞାନର କେନ୍ଦ୍ର। ପୁଣି ବାଲ୍ମୀକି, ବ୍ୟାସ, କାଳିଦାସ ଓ ମାଘ ପ୍ରମୁଖ କବିମାନଙ୍କ ରଚନାରେ ବିଶ୍ୱ ସାହିତ୍ୟ ଋଦ୍ଧିମନ୍ତ। ଭରତ ମୁନିଙ୍କ ‘ନାଟ୍ୟ ଶାସ୍ତ୍ର’ ଓ ପାଣିନିଙ୍କ ‘ଅଷ୍ଟାଧ୍ୟାୟୀ’, ଭାଷା, ସାହିତ୍ୟ, ନୃତ୍ୟ, ନାଟକ ଓ ବ୍ୟାକରଣ ସଂପର୍କିତ ପ୍ରମାଣସିଦ୍ଧ ଗ୍ରନ୍ଥ। ସେମିତି କଥା ଓ କାହାଣୀର ସୃଷ୍ଟି ପୁଣି ଭାରତବର୍ଷରୁ। ବିଷ୍ଣୁ ଶର୍ମାଙ୍କ ‘ପଞ୍ଚତନ୍ତ୍ର’, ଦାଣ୍ଡିଙ୍କ ‘ଦଶକୁମାର ଚରିତ’ ଓ ସୋମଦେବଙ୍କ ‘କଥା ସରିତ ସାଗର’ ବିଶ୍ୱସାହିତ୍ୟକୁ ଭାରତର ଦାନ।
ଚେସ୍, ପୋଲୋ ଓ ବ୍ୟାଡ୍ମିଣ୍ଟନ ଆଦି ଖେଳର ଉତ୍ପତ୍ତି କେଉଁଠୁ? ଭାରତବର୍ଷରୁ ନିଶ୍ଚୟ। ଚେସ୍ ପରି ବୌଦ୍ଧିକ ଖେଳ ସାଙ୍ଗକୁ ସାପ-ଶିଡ଼ି ପରି ମଉଜିଆ ଖେଳ ବି ବିଶ୍ୱକୁ ଭାରତର ଭେଟି। ପୁଣି ମସଲାଯୁକ୍ତ ସ୍ୱାଦିଷ୍ଠ ବ୍ୟଞ୍ଜନ ପରଷି ବିଶ୍ୱ ରସନାକୁ ଆନନ୍ଦାନୁଭୂତି ଦେଇଛି ଭାରତ।
ଭାରତର ଭୌତିକ ଆବିଷ୍କାର ଆଧିଭୌତିକ ଅନ୍ୱେଷଣ ପରି ସଦା ସମୁଜ୍ଜ୍ୱଳ।
ମୋ- ୯୪୩୭୧୪୩୮୯୬