ନାଲି ସିଗନାଲ ଓ ନୃତ୍ୟ

ଝରକା

ଟ୍ରାଫିକ୍ ଛକରେ ନାଲି ବତି ସବୁଜ ହେବା ଯାଏଁ ଅପେକ୍ଷା କରିବା ସମୟରେ ଲୋକେ ଅଧୈର୍ଯ୍ୟ ହୋଇପଡୁଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର କଲ୍ୟାଣ ସହରର ଜଣେ ଯୁବକ ଏଭଳି ଏକ ଅପ୍ରିୟ ସମୟକୁ ଉପଭୋଗ୍ୟ କରିବା ସହିତ ସଚେତନତା ସୃଷ୍ଟି କରିବା ସକାଶେ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସୁବୋଧ ସୁନନ୍ଦା ବାପୁ ଲୋନ୍ଧେ ନାମକ ଏହି ଯୁବକ ଲୋକଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବାକୁ ପ୍ରବର୍ତ୍ତାଇବା ସହିତ ସେହି ସମୟ ତକ ଖୁସି ଦେବା ଲାଗି ଟ୍ରାଫିକ୍ ଛକରେ ସିଗ୍‌ନାଲ୍‌ ବତି ଲାଲ ହୋଇଯିବା ମାତ୍ରକେ ସେ ନିଜ ବାଇକ୍‌ରୁ ଓହ୍ଲାଇ ଲୋକପ୍ରିୟ ବଲିଉଡ୍ ଗୀତମାନଙ୍କରେ ନୃତ୍ୟ ଆରମ୍ଭ କରିଥାଆନ୍ତି। ପ୍ରାୟ ଏକ ବର୍ଷ ହେଲାଣି ସେ ଏଭଳି କରିବା ସହିତ ତାଙ୍କ ନୃତ୍ୟର ଅନେକ ଭିଡିଓ ପ୍ରସ୍ତୁତ କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ମଧ୍ୟ। ସେ ଏବେ ‘ହେଲ୍‌ମେଟ୍‌ ଯୁବକ’ ନାମରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତାଙ୍କର ଭିଡିଓଗୁଡ଼ିକରେ ଲାଲ ବତିକୁ ଅତିକ୍ରମ ନ କରିବାକୁ ସନ୍ଦେଶ ଥାଏ।

ଗତ ବର୍ଷ କଲ୍ୟାଣର ଏକ ସ୍ଥାନରେ ନୂଆ କରି ଟ୍ରାଫିକ୍ ବତି ଲଗା ଯିବା ପରେ ଲୋକେ ଟ୍ରାଫିକ୍ ବତିର ନିର୍ଦେଶ ପାଳନ କରୁ ନ ଥିବା ତାଙ୍କୁ ବ୍ୟଥିତ କରିଥିଲା। ତେଣୁ ସେ ଏଭଳି ଉପାୟଟିଏ ବିଷୟରେ ଚିନ୍ତା କରିଥିଲେ।

ଅନେକ କହି ପାରନ୍ତି ଯେ ରାସ୍ତା ମଝିରେ ଜଣେ ନୃତ୍ୟ କରିବା ଦ୍ବାରା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ସୁବୋଧ କହନ୍ତି ଯେ ପୂର୍ବରୁ ସବୁ କିଛିର ପ୍ରସ୍ତୁତି କରାଯିବା ପରେ ଯାଇ ସେ ଟ୍ରାଫିକ୍‌ ଛକରେ ନୃତ୍ୟ କରିଥାନ୍ତି। ତାଙ୍କର ଉଦ୍ୟମ ସଚେତନତା ସୃଷ୍ଟି କରିବାରେ ସହାୟକ ହେଉଥିବାରୁ ଟ୍ରାଫିକ୍ ପୁଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହାନ୍ତି। ବରଂ ସେ ମହାରାଷ୍ଟ୍ର ପୁଲିସର ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର