ଗଣତନ୍ତ୍ର ମଧୢ ଏକ ଶକ୍ତିକ୍ଷେତ୍ର। ସାମ୍ରାଜ୍ୟବାଦର ଶକ୍ତିକ୍ଷେତ୍ର ଏକୋଦ୍ଦିଷ୍ଟ ଓ ଦୃଶ୍ୟମାନ। ସମ୍ରାଟ ହିଁ ସମସ୍ତ ଶକ୍ତିର ଉତ୍ସ, ସମସ୍ତ କ୍ରିୟାର କାରକ। ଗଣତନ୍ତ୍ରରେ କିନ୍ତୁ ଶକ୍ତି ଏକ କ୍ରୀଡ଼ା ବା ଖେଳ। ଏ ଖେଳ କିଭଳି ହୁଏ, ୟାର ଚର୍ଚ୍ଚା ଲୋକକ୍ଷେତ୍ରରେ ଖୋଲିବା ଉଚିତ।
ଗଣତନ୍ତ୍ରରେ ଶକ୍ତିର ଖେଳ, କେତେବେଳେ କେଉଁଠି ହୁଏ ଜଣାପଡ଼େ ନାହିଁ। ସେ ଦୃଷ୍ଟିରୁ ଗଣତନ୍ତ୍ରରେ ଶକ୍ତିର ଖେଳ ବିପଜ୍ଜନକ, କିନ୍ତୁ ମିଠା ଜହର ଭଳି ଲୋଭନୀୟ ଓ ସେବନୀୟ। କ’ଣ ଏ ମିଠା ଜହର! ପ୍ରଥମ କଥା ଗଣତନ୍ତ୍ରରେ ‘ଶକ୍ତି’ ଶବ୍ଦର ବ୍ୟବହାର କରାଯାଏ ନାହିଁ। ୟାର ଗୋଟିଏ ସୁନ୍ଦର ଉଦାହରଣ ଓଡ଼ିଶା ସରକାରଙ୍କ ସେକ୍ରେଟାରିଏଟ୍ର ନାମକରଣ, ‘ସେବା ଭବନ’। ‘ଶକ୍ତି’ ଅର୍ଥାତ୍ ରାଜନୈତିକ ଶକ୍ତି, ଅମଲା ଶକ୍ତି, ନିଷ୍ପତ୍ତିର ଶକ୍ତି, କ୍ରିୟାନୁଷ୍ଠାନର ଶକ୍ତି, ଏସବୁର ନର୍ଭ ସେଣ୍ଟର ସେକ୍ରେଟାରିଏଟ୍। ସାଧାରଣ ଲୋକଙ୍କ ମନରେ ଏହା ଭୟ ଓ ଦୂରତ୍ବର ଭାବ ସୃଷ୍ଟି କରେ। ଓଡ଼ିଶା ସରକାର ସେକ୍ରେଟାରିଏଟ୍ (ସଚିବାଳୟ ବା ଅମଲା ଭବନ)କୁ ବଦଳାଇ ‘ସେବା ଭବନ’ କରିଦେଲେ। ଦେଖନ୍ତୁ କେଡ଼େ ସହଜରେ ନାମ ପରିବର୍ତ୍ତନ ଘଟିଗଲା। ନାମ ବଦଳିଲା କିନ୍ତୁ କାମ ସେଇଆ ରହିଲା। ସଚିବମାନେ ବା ଅମଲାମାନେ ହଠାତ୍ ଶାସକରୁ ସେବକରେ ପରିଣତ ହେଲେ, ଏମିତି ନୁହେଁ, କିନ୍ତୁ ଶକ୍ତିର ଖେଳ ଆଉ ଟିକିଏ ରହସ୍ୟମୟ ନିଶ୍ଚୟ ହେଲା। ଗଣତନ୍ତ୍ରରେ ରାଷ୍ଟ୍ର ପରିଚାଳନା ଦାୟିତ୍ବରେ ଥିବା ସମସ୍ତ ବ୍ୟବସ୍ଥାର ନିର୍ବାହକମାନେ ଠିକ୍ ଅର୍ଥରେ ସେବକ ଏଇଥି ପାଇଁ ଯେ ସେମାନେ ଲୋକଙ୍କ ଶକ୍ତିରେ ବଳୀୟାନ, ଲୋକଙ୍କ ଶକ୍ତିର ବ୍ୟବହାରକାରୀ, ଲୋକଙ୍କ ଶକ୍ତିର ତର୍ଜମାକାରୀ। ଲୋକ ଶକ୍ତିର ବିଧ୍ବ˚ସକ ବି! ଯାହାର ଶକ୍ତି ୟାଙ୍କ ହାତରେ, ଏମାନେ ତା’ର ସେବକ ନୁହନ୍ତି ତ ଆଉ କ’ଣ? କହିବା ପାଇଁ ସେବକ, କିନ୍ତୁ ଏମାନଙ୍କ କାମ ଔପନିବେଶିକ ଶାସକର। ଔପନିବେଶିକ ବୋଲି କହିଲି କାରଣ ଗଣତନ୍ତ୍ରର ରାଷ୍ଟ୍ର ପ୍ରତିମା ପ˚ଚସ୍ତରି ବର୍ଷ ପରେ ବି ଔପନିବେଶିକ ମଡେଲ୍ର ବିକଳ୍ପ ଚିନ୍ତା କରିପାରିନାହିଁ। ସେ ଚିନ୍ତା କେବେ କରାଯିବ, ତା’ର ବିନ୍ୟାସ କିଭଳି ହେବ; କେହି ଜାଣନ୍ତି ନାହିଁ।
ଭାରତୀୟ ବିଶ୍ବବିଦ୍ୟାଳୟମାନଙ୍କରେ ‘ଲୋକ ପ୍ରଶାସନ’ ରାଜନୀତି ବିଜ୍ଞାନରୁ ଅଲଗା ହୋଇ ଗୋଟିିଏ ସ୍ବୟ˚ସ˚ପୂର୍ଣ୍ଣ ବିଷୟ ହେଲା ବେଳେ ମୁଁ ଭାବିଥିଲି ଯେ ଏଠି ଲୋକ ପ୍ରଶାସନର ମଡେଲ୍ ନିର୍ମାଣ ପାଇଁ ଚିନ୍ତନ କ୍ଷେତ୍ର ପ୍ରସ୍ତୁତ ହେବ। ତାହା ହୋଇନାହିଁ। ବିଶ୍ବର ପୂର୍ବତନ ଉପନିବେଶମାନଙ୍କରେ ସ୍ବାୟତ୍ତ ଶାସନର ଫଣ୍ତା-କାହିଁକି ନିର୍ମିତ ହୋଇପାରିଲା ନାହିଁ, ତା’ର ଗୋଟିଏ ବଡ଼ କାରଣ ସ୍ବାଧୀନତା ପ୍ରାପ୍ତି ଓ ସମ୍ବିଧାନର ଲୋକାର୍ପଣ ପୂର୍ବରୁ ବ୍ରିଟିସ୍ ପାର୍ଲିଆମେଣ୍ଟାରି ଆକ୍ଟ ଜରିଆରେ ଗଣତନ୍ତ୍ରର ଭିତ୍ତିଭୂମିଟିକୁ ଏଭଳି ଗଢ଼ି ଦିଆଯାଇଥିଲା ଯେ ନୂଆ ମଡେଲ୍ କଥା ଭାବିଲେ ସେ ଭୟ କଲେ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯିବ। ସମୟ ଅତିକ୍ରାନ୍ତ ହୋଇଗଲା। ଏବେ ପ˚ଚସ୍ତରି ବର୍ଷ ପରେ ଆମେ ଯେଉଁ ନୂଆ ମଡେଲ୍ କଥା ଚିନ୍ତା କରିବା, ତାହା ସମ୍ବିଧାନ ସ˚ଶୋଧନ ଦ୍ବାରା ହିଁ ସମ୍ଭବ ହେବ ଓ ସମ୍ବିଧାନ ସ˚ଶୋଧନ କିଛି ସହଜ କାମ ନୁହଁ। ଏଥିରେ ରାଷ୍ଟ୍ରୀୟ ସହମତି ତ ରହିବ ନାହିଁ, ଇଏ ରାଜନୀତିର ଶିକାର ହୋଇଯିବ। ଏକମାତ୍ର ବିକଳ୍ପ ‘ଆନ୍ତରିକ ସ˚ରଚନାରେ ସ˚ସ୍କାର’। ଏହାର ଅର୍ଥ ଯଦି ଆମ ଗଣତନ୍ତ୍ରରେ ଶକ୍ତି ଏକ ସେବା-କ୍ଷେତ୍ର, ତେବେ ସମସ୍ତ ନିୟନ୍ତ୍ରକ କାନୁନ୍ ଓ ନିଷ୍ପତ୍ତି ସେବାମୁଖୀ ହେବା ଆବଶ୍ୟକ। ଏଥିପାଇଁ ଗୋଟିଏ ‘ଥିଓରେଟେକିଲ’ ଗଢ଼ଣ ଦରକାର।
‘ଗଣତନ୍ତ୍ରରେ ସେବା’ କ’ଣ? ଯାହାର ସେବା କରାଯିବ ସେମାନେ ତ ପ୍ରଥମେ ବୁଝିବା ଦରକାର କି ସେବା କିଏ କରୁଚି? ନିର୍ବାଚନ ଏକ ଉତ୍ସବ ବୋଲି ସହଜରେ କୁହାଯାଇପାରୁଚି କାରଣ ଲୋକେ ୟାର ଜଟିଳ ସ˚ରଚନାକୁ ବୁଝନ୍ତି ନାହିଁ। ପ୍ରକୃତରେ ନିର୍ବାଚନ ହେଉ ଗଣତନ୍ତ୍ରର ସର୍ବବୃହତ୍ ପରୀକ୍ଷା। ଇଏ ଖାଇ ପିଇ ମସ୍ତ ହେବାର ସମୟ ନୁହଁ, ଇଏ ଗଭୀର ଆତ୍ମ ନିରୀକ୍ଷଣର ସମୟ। ନାଗରିକର ଆତ୍ମ ନିରୀକ୍ଷଣ ଗୋଟିଏ ନିରନ୍ତର ପ୍ରବାହମାନ ପ୍ରକ୍ରିୟା, ଯାହା ନିର୍ବାଚନ ବେଳେ ଏକ ପରୀକ୍ଷାରେ ପରିଣତ ହୁଏ। ଏ ପରୀକ୍ଷା ବିବେକ, ଔଚିତ୍ୟ, ସ˚ଭ୍ରମ, ସମ୍ବରଣ ଓ ଉତ୍ତରଦାୟିତ୍ବର ପରୀକ୍ଷା। ଏ ସବୁର କେନ୍ଦ୍ରରେ ଯୋଡ଼ିଏ ପ୍ରଶ୍ନ: (୧) ନିର୍ବାଚିତ ସରକାର କିଭଳି ଲୋକଙ୍କ ସେବା କରନ୍ତି, (୨) ‘ଶକ୍ତି’କୁ ଯଦି ଅଧିକାର ବୋଲି ବିଚାର କରାଯାଏ, ତେବେ ସେ କ୍ଷେତ୍ରରେ ନାଗରିକର ଅଧିକାର କୋଉଠି? ଭାରତୀୟ ବୁଦ୍ଧିଜୀବୀମାନେ ସମ୍ବିଧାନର ନ୍ୟାୟିକ ତର୍ଜମା ଉପରେ ସମସ୍ତ ଭାର ନ୍ୟସ୍ତ କରି ଦେଇ ନିଜର ହାତକୁ ଭାରମୁକ୍ତ କରି ରଖିଚନ୍ତି। ପ୍ରକୃତରେ ଗଣତନ୍ତ୍ରର ଭୂମି ନିର୍ମାଣ ନ କରି ଆମେ ଏକ ଔପନିବେଶିକ ‘ସୁପର୍ ଷ୍ଟ୍ରକ୍ଚର୍’ ଉପରେ ସବୁ ଭାର ନ୍ୟସ୍ତ କରିଦେଇଚେ। ଦେଖନ୍ତୁ ଗଣତନ୍ତ୍ରର ଏ ଖେଳ କେତେ ବିପଜ୍ଜନକ ଓ ଜଟିଳ! ରାଷ୍ଟ୍ର ପରିଚାଳନା ପାଇଁ ଶକ୍ତି ଦରକାର। ସେ ଶକ୍ତି ରାଷ୍ଟ୍ର ପରିଚାଳକଙ୍କ ହାତରେ ସମ୍ବିଧାନ ମାଧୢମରେ ନ୍ୟସ୍ତ ଶକ୍ତି। ରାଜତନ୍ତ୍ର ରାଜାଙ୍କ ସର୍ବାଧିକାର ବା ସାର୍ବଭୌମତ୍ବରେ, ବିନା ଲେଖାପଢ଼ିରେ ଚଳେ। କିନ୍ତୁ ଗଣତନ୍ତ୍ରରେ ଅନେକ ଅଧିକାର ଶକ୍ତି କ୍ଷେତ୍ରରେ ଖେଳାଳି। ସେଗୁଡ଼ିକ କ’ଣ ନ ବୁଝିଲା ପର୍ଯ୍ୟନ୍ତ ଗଣତନ୍ତ୍ରରେ ଶକ୍ତି-କ୍ରୀଡ଼ାକୁ ବୁଝି ହେବ ନାହିଁ।
ଗଣତନ୍ତ୍ରର ଶକ୍ତି କ୍ଷେତ୍ରରେ ‘ସେବା’ ଗୋଟେ ନୈତିକ-ଆଧୢାତ୍ମିକ ଶବ୍ଦ, ଯାହାକୁ ରାଜନୀତି ପ୍ରୟୋଗକୁ ଆଣିଚି ତା’ର ନିଜ ସୁବିଧା ପାଇଁ, ଅନ୍ୟଥା ଗଣତନ୍ତ୍ରର ଶକ୍ତି କ୍ଷେତ୍ର ପ୍ରକୃତରେ ଅଧିକାରର ନେଟ୍ଓ୍ୱାର୍କ।
ଗଣତନ୍ତ୍ରରେ କ୍ରୀଡ଼ାରତ ଅଧିକାରଗୁଡ଼ିକ ହେଲେ (୧) ସର୍ବାଧିକାର, (୨) ସତ୍ତାଧିକାର, (୩) ସ୍ବତ୍ବାଧିକାର, (୪) ସ୍ବାଧିକାର, (୫) ବିଶେଷାଧିକାର, (୬) ଅଗ୍ରାଧିକାର, (୭) ମତାଧିକାର, (୮) ହିତାଧିକାର। ଗଣତନ୍ତ୍ର ଏକ ଅଷ୍ଟକୋଣୀ ଅସନ୍ତୁଳିତ ବିଷମ କ୍ଷେତ୍ର। ଏ ଆଠଟି ବିନ୍ଦୁ କେବେ ଦିଶନ୍ତି, କେବେ ଦିଶନ୍ତି ନାହିଁ। ପୁଣି କେବେ ବଳବାନ ହୁଅନ୍ତି ତ କେବେ ଦୁର୍ବଳ। କେବେ କ୍ଷୁଦ୍ର ତ କେବେ ବିରାଟ। କେବେ ସୂକ୍ଷ୍ମ ତ କେବେ ସ୍ଥୂଳ। ଏ ଅଷ୍ଟକୋଣୀ କ୍ଷେତ୍ରକୁ ରାଜନେତାମାନେ ନିଜେ ବି ଚିହ୍ନନ୍ତି ନାହିଁ, କିନ୍ତୁ ଗଣତନ୍ତ୍ର ପ୍ରୟୋଗ ସହିତ ଏ ସବୁ କ୍ଷେତ୍ରର ଉପଲବ୍ଧ ଏବଂ ତାଙ୍କୁ ଆପେ ମିଳିଯାଏ। ରାଜନେତାମାନେ ଚତୁର ଓ ଧୂର୍ତ୍ତ ମନେ ହୁଅନ୍ତି ଏଇଥି ଯୋଗୁଁ ଯେ ପ୍ରତି ସ୍ଥିତିରେ ତାଙ୍କ ମୁଣ୍ତ ଭିତରେ ଏ ଅଧିକାର-କ୍ରୀଡ଼ା ଦୃଶ୍ୟ ଖେଳୁଥାଏ।
ରାଷ୍ଟ୍ରରେ ସର୍ବାଧିକାର ସ˚ପନ୍ନ ରାଷ୍ଟ୍ର ସ୍ବୟ˚। ଏଇଥିଯୋଗୁଁ ଗଣତନ୍ତ୍ରରେ ଆପାତକାଳୀନ ସର୍ବାଧିକାର-ସ˚ପନ୍ନତାକୁ ପ୍ରତ୍ୟାଖ୍ୟାନ କରାଯାଏ ବା ସନ୍ଦେହ ଓ ଘୃଣାର ଚକ୍ଷୁରେ ଦେଖାଯାଏ। ଶକ୍ତିଶାଳୀ ରାଜନେତାମାନେ ବି ଏ ଶକ୍ତିର ପ୍ରୟୋଗ କରି ଗଣତନ୍ତ୍ରର ମୌଳିକ ଆବେଦନକୁ ଆହତ କରନ୍ତି ନାହିଁ। କିନ୍ତୁ ଶକ୍ତିଶାଳୀ ରାଷ୍ଟ୍ର ଲୋକଙ୍କ ପାଖରେ ଆନ୍ଦୋଳନ, ବିପ୍ଳବ ବା ବିଦ୍ରୋହ ଛଡ଼ା ଆଉ କି ମାର୍ଗ ଖୋଲା ରଖିଥାଏ। ରୁଷିଆରେ ଯେତେବେଳେ କ୍ରାନ୍ତି ପରେ ‘ଡିକ୍ଟେଟର୍ସିପ୍ ଅଫ୍ ପ୍ରୋଲେତାରିଏତ୍’ ନାମ ଦେଇ ରାଷ୍ଟ୍ର ରଚନା ହେଲା ସେତେବେଳେ ମିଲୋଭାନ୍ ଜିଲାସ୍ ସୂଚାଇ ଦେଲେ ଯେ ଗଣତନ୍ତ୍ରକୁ ଡିକ୍ଟେଟର୍ସିପ୍ର ଭାଷାରେ ବ୍ୟ˚ଜିତ କରିବାର ବଡ଼ ଚତୁର ନାମକରଣ ଇଏ; ଏ ଡିକ୍ଟେଟର୍ସିପ୍ ପ୍ରୋଲେତାରିଏତ୍ଙ୍କ ନାମରେ ଚଳୁଚି ଅଥଚ ଏଥିରେ ପ୍ରୋଲେତାରିଏତ୍ ଭାଗୀଦାର ନୁହନ୍ତି। ଇଏ ଚଳୁଚି ଟେକ୍ନୋକ୍ରାଟ୍, ବ୍ୟୁରୋକ୍ରାଟ୍ ଓ ଅଟୋକ୍ରାଟ୍ଙ୍କ ପରସ୍ପର ନିର୍ଭରଶୀଳତା, ଭାଗୀଦାରି ଓ ସ˚ଯୁକ୍ତ କ୍ରିୟାଶୀଳତା ଦ୍ବାରା। ଏହି ଗୋଷ୍ଠୀ ହିଁ ରାଷ୍ଟ୍ରର ସର୍ବାଧିକାରକୁ ନିୟନ୍ତ୍ରିତ କରୁଚନ୍ତି। ବେଳେବେଳେ ମୋର ମନେହୁଏ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ସ୍ବେଚ୍ଛାଚାରୀ ଶାସକ ଯଦି ଟେକ୍ନୋକ୍ରାଟ୍ ଓ ବ୍ୟୁରୋକ୍ରାଟ୍ଙ୍କ ସମର୍ଥନ ପାଏ, ତେବେ ସର୍ବାଧିକାର ଆୟତ୍ତ କରିପାରିବ। ବସ୍ତୁତଃ ଲାଟିନ ଆମେରିକା, ଆଫ୍ରିକା ଓ ଆରବ ଦେଶମାନଙ୍କରେ ଏହା ହିଁ ଘଟିଚି।
ଲୋକଙ୍କ ନାଁରେ ଶାସନ, କିନ୍ତୁ ଲୋକେ ଶାସନରେ ସୀମାନ୍ତରିତ। ଏ ସୀମାନ୍ତରିତ ହେବାର ପ୍ରକ୍ରିୟାଟି ଏତେ ସୂକ୍ଷ୍ମ ଯେ ୟାକୁ ଦେଖିବା ସମ୍ଭବ ନୁହେଁ। ଫ୍ରାନ୍ସ, ଜର୍ମାନି ଓ ପର୍ତ୍ତୁଗାଲରେ ଗଣତନ୍ତ୍ର ସହିତ ପୂର୍ବତନ ସ୍ବେଚ୍ଛାଚାରୀ ଶାସନର ଛାୟାଗତ ସ˚ପର୍କକୁ ନେଇ କରାଯାଇଥିବା ଚିନ୍ତନରେ ବିଦ୍ବାନମାନେ ଏ ନିଷ୍କର୍ଷରେ ପହଞ୍ଚିଚନ୍ତି ଯେ ଗଣତନ୍ତ୍ରର ପଚାଶ ବର୍ଷ ପରେ ଗଣତନ୍ତ୍ରକୁ ଖୋଳ କରି ଭିତରେ ଭିତରେ ସର୍ବାଧିକାର ସ˚ପନ୍ନ ସ୍ବେଚ୍ଛାଚାରୀ ଶାସନ ଚଳାଇବା ଅସମ୍ଭବ। ସେଇଠି ୟା ବି କୁହାଯାଇଚି ଯେ ‘ନାଗରିକ ସତର୍କତା’ ହିଁ ସର୍ବାଧିକାର-ହରଣର ମହତ୍ତ୍ବାକା˚କ୍ଷାକୁ ପ୍ରତିହତ କରିପାରେ। ଏହା କିଛି ନୁହଁ, କେବଳ ‘ସ˚ଜ୍ଞାନବୋଧ’ ବା ଆଵାର୍ନେସ୍। ୟାର ଅର୍ଥ ନାଗରିକଙ୍କ ଜାଣିବା ଗଣତନ୍ତ୍ରର ସୁରକ୍ଷା। ଜାଣିବେ କେମିତି? ଖବରକାଗଜରୁ? ସେଇଠି ବିପଦ। ମିଡିଆର ରାଜନୈତିକ ଅଧିଗ୍ରହଣ ପରେ ଖବରର ସୁରାକ ମିଳେ, କିନ୍ତୁ ଚର୍ଚ୍ଚା ହୁଏ ନାହିଁ। ନିଷ୍ପକ୍ଷ ବୌଦ୍ଧିକତାର ପରିକଳ୍ପନା ସମ୍ଭବ ହେଉନାହିଁ। କାରଣ ସର୍ବାଧିକାରରେ ମହାବଳୀ ରାଷ୍ଟ୍ର ବିରୋଧରେ ମିଡିଆର ପ୍ରତିରୋଧ ବା ବୌଦ୍ଧିକ ଅସହମତିକୁ ଠିଆ କରେଇବା ବିପଜ୍ଜନକ। ୟାର ଭ୍ରଷ୍ଟ ପରିଣତି ହେଉଚି ‘ସରକାର-ବାଡ଼ିଆ’ ବା ସତ୍ତାର ନିନ୍ଦା। କିଛି ବୁଦ୍ଧିଜୀବୀ ବିନା କାରଣରେ ସତ୍ତା ବିରୋଧୀ, ଆଉ କିଛି ୟାକୁ ଏକ ବୌଦ୍ଧିକ ପ୍ରଚଣ୍ତତାର ଶୈଳୀ ମନେ କରନ୍ତି।
ପାଶ୍ଚାତ୍ୟ ଦେଶର ଲିବେରାଲ୍ ଚିନ୍ତକମାନେ ଯେ ପ୍ରକୃତରେ ପୁଞ୍ଜିଭୋଗୀ ସ˚ସ୍କାରର ହାତବାରସି ଓ ଘୋର ‘ପାର୍ଟିସାନ୍’; ଏକଥା ସେମାନେ ଜାଣନ୍ତି ନାହିଁ। ଡୋନାଲ୍ଡ ଟ୍ରମ୍ପ୍ ଜଣେ ସ୍ବେଚ୍ଛାଚାରୀ ଶାସକ ଓ ଇଏ ଆମେରିକାର ଗଣତନ୍ତ୍ରକୁ ଧ୍ବ˚ସ କରିଦେବେ, ଏଇ ‘ହାଇପୋଥେସିସ୍’ ଉପରେ ‘ଡିମୋକ୍ରାଟ୍’ମାନେ ଯେଉଁ ରିସର୍ଚ୍ଚ ଗୋପନରେ ଫଣ୍ତି˚ କରିଥିଲେ ତା’ର ପରିଣତି ‘ଡିମୋକ୍ରାସି’ ଉପରେ ଅନ୍ତତଃ ଦଶଟିି ବହି। ଉଦ୍ଦେଶ୍ୟ ଏତେ ସ˚କୀର୍ଣ୍ଣ ଅଥଚ ଏମିତି ଲେଖାଯାଇଚି ଯେ ଟ୍ରମ୍ପ୍ ନୁହେଁ, ବିଶ୍ବର ଗଣତନ୍ତ୍ର ପାଇଁ ତାହା ଏକ ବୌଦ୍ଧିକ ଥିଓରାଇଜେସନ୍। ୟାକୁ ବିଶ୍ବବିଦ୍ୟାଳୟରେ ପଢ଼ାଯିବ, ଏ ପାଠ ଆମ ଦେଶକୁ ବି ଆସିବ। ଆମେ ତାକୁ ପଢ଼ି ସବୁଠି ଭୂତ ଦେଖିବା! ଏ ଲିବେରାଲ୍ମାନେ ବଦଳି ଯିବେ ଯେତେବେଳେ ପିତୃ-କ୍ଷେତ୍ରରେ ଶାସ୍ତ୍ର ବଦଳିଯିବ। ଚିନ୍ତା ନାହିଁ। ପ୍ରକୃତ ଆବଶ୍ୟକତା ‘ସାମାଜିକ ମଧୢସ୍ଥତା’ର। ସେ କିଭଳି ଲୋକକ୍ଷେତ୍ରରୁ ହିଁ ଉପୁଜିବ, ସେ ଚିନ୍ତା ଆମର। ଗୋଟିଏ ଲୋକ ଗୋଟିଏ କ୍ଷେତ୍ରର ଚିନ୍ତନକୁ ବଦଳେଇ ଦେଇପାରେ। ସେ ଲୋକ ଆପଣ, ଯିଏ ଏ ରଚନା ପଢ଼ୁଚନ୍ତି।
ସତ୍ତ୍ବାଧିକାର ସର୍ବାଧିକାରର ଗୋଟିଏ ବ୍ୟବସ୍ଥାଗତ ରୂପ, ଅର୍ଥାତ୍ ଯାହା ପାଖରେ ସତ୍ତା ଅଛି ସେ ସର୍ବାଧିକାରରୁ କିଛି ବଳ ନିଜ ବ୍ୟବହାର ପାଇଁ ରଖିବ। ସେଇଥିପାଇଁ ତ ଲୋକେ ‘ଅଧିକାରୀ’ (ଅଫିସର୍)ଙ୍କୁ ଡରନ୍ତି। ୟାଙ୍କ ପାଖରେ ସତ୍ତ୍ବାଧିକାର ଥାଏ, ୟାର ଅପବ୍ୟବହାର ପ୍ରାୟ ସମସ୍ତେ ଅଳ୍ପେ ବହୁତେ କରନ୍ତି। ସେ ଚାଲି, ସେ ଠାଣି, ସେ ରୁକ୍ଷତା, ସେ କର୍କଶତାକୁ ସାଧାରଣ ନାଗରିକ ଚିହ୍ନେ। ଇଏ କି ପ୍ରକାରର ସେବକ ହେବେ? ସତ୍ତ୍ବାଧିକାର ସହିତ ଜୁଝିବାର ଏକମାତ୍ର ମାର୍ଗ ଶିକ୍ଷା ଓ ସାମାଜିକ ମଧୢସ୍ଥତା। ଜିଲ୍ଲାପାଳଙ୍କ କାମ କ’ଣ କେତେ ଜଣ ସାଧାରଣ ଲୋକ ଜାଣନ୍ତି। ଜିଲ୍ଲାପାଳ ବା ବିଡିଓଙ୍କର ସତ୍ତା ବା ଶକ୍ତିର କ୍ଷେତ୍ର କ’ଣ ତାକୁ ବିଜ୍ଞପିତ କରିଦେଲେ ଅସୁବିଧା କ’ଣ? କେହି ତ କେବେ କହିପାରିବ ଯେ ମହାଶୟ ଆପଣ ଏଭଳି ବ୍ୟବହାର କରିପାରିବେ ନାହିଁ। ଅଛି ସେତିକି ଦମ୍ଭ? ତେଣୁ ଆମେ ଜିଲ୍ଲାପାଳଙ୍କୁ ଜିଲ୍ଲା-ସେବକ ନାମିତ କରିପାରିବା କି? ଏହାର ଅର୍ଥ ନୁହେଁ ଯେ ଜିଲ୍ଲା ସେବାଧିକାରୀ ଲୋକଙ୍କୁ ସେବା ଦେବା ପାଇଁ ବିକଳ ହେଉଥିବେ, ଲୋକଙ୍କ ଦୁଆରେ ସେବା ଧରି ଠିଆ ହୋଇଥିବେ। କର୍ମ ସ˚ପାଦନର କ୍ଷେତ୍ର ଭିତରେ ସତ୍ତ୍ବାଧିକାରକୁ ସେବାଧିକାର ମନେ କରିପାରିଲେ ଯଥେଷ୍ଟ।
ସତ୍ତ୍ବାଧିକାର ହେଉଚି ସେଇ ଅଧିକାର ଯେଉଁଠି ଅଧିକାରୀ ମନେ କରନ୍ତି ଯେ ଅଧିକାରଟା ଏକ ପୈତୃକ ସମ୍ପତ୍ତି। ଏହି ଚିନ୍ତା ତାଙ୍କୁ ଭ୍ରଷ୍ଟ ଏବଂ ମହତ୍ତ୍ବାକା˚କ୍ଷୀ କରେ। ଏମାନେ ନାଗରିକ ସମାଜ ଆଗରେ ଗଣତାନ୍ତ୍ରିକ ଶାସନର ଗୋଟେ ଭ୍ରଷ୍ଟ ମୂର୍ତ୍ତି ନିର୍ମାଣ କରନ୍ତି। ୟାଙ୍କୁୁ ପ୍ରତିହତ କରିବ ଅନୁଷ୍ଠାନର ସାମୂହିକ ବିବେକ। ବିଶେଷାଧିକାର ଓ ଅଗ୍ରାଧିକାର ଯେମିତି ସମ୍ବିଧାନ-ସମ୍ମତ ସେତିକି ଠିକ୍, କିନ୍ତୁ ଲୋକକ୍ଷେତ୍ରରେ କେତେକ ବ୍ୟକ୍ତି ବିଶେଷାଧିକାର ଓ ଅଗ୍ରାଧିକାର ବିନା ସାମର୍ଥ୍ୟରେ ବି ପ୍ରୟୋଗ କରନ୍ତି। ୟାଙ୍କୁ ସରକାର ବି ଚାହିଁଥା’ନ୍ତି ଓ ଧରନ୍ତି, କିନ୍ତୁ ସେତେବେଳକୁ ତାଙ୍କର ଶକ୍ତି ପ୍ରୟୋଗର କାହାଣୀ ଦନ୍ତକଥା ହୋଇସାରିଥାଏ। ଆନ୍ଧ୍ରରେ ଜଣେ ଶାସକ ହାତ ଉଠେଇ ନଦୀର ପ୍ରବାହକୁ ବନ୍ଦ କରି ଦେଇଥିଲେ ବୋଲି ଗୋଟିଏ କି˚ବଦନ୍ତି ଲୋକେ ବଡ଼ ଉତ୍ସାହର ସହିତ ଗପନ୍ତି। ଗଣତନ୍ତ୍ରରେ ବ୍ୟକ୍ତିର କି˚ବଦନ୍ତି ବିପଜ୍ଜନକ। ପ୍ରକୃତରେ ଗଣତନ୍ତ୍ର କି˚ବଦନ୍ତି ନିର୍ମାଣର ଠିକ୍ ବିପରୀତ। ଏଠି ନିଜକୁ ଉହ୍ୟ କରି ରଖିବାର କଳା ସବୁ ଅଧିକାରୀଙ୍କ ପାଇଁ ଜରୁରୀ। ସ୍ବାଧିକାର ବିଷୟରେ ଆଲୋଚନା ନିଷ୍ପ୍ରୟୋଜନ। କାରଣ ସେଗୁଡ଼ିକ ମୌଳିକ ଅଧିକାର ଭାବରେ ସମ୍ବିଧାନରେ ସ୍ବୀକୃତ। କେବଳ ଲୋକକ୍ଷେତ୍ରରେ ଆତଯାତ ବିଜ୍ଞଜନେ ସମ୍ବିଧାନର ତର୍ଜମା ଦ୍ବାରା ପ୍ରଭାବିତ ଲୋକ ଜୀବନକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ଆବଶ୍ୟକ। ଓକିଲମାନେ ଏ କାର୍ଯ୍ୟ କରିପାରିବେ, ସେମାନେ ବି ମାନବାଧିକାର ଓ ଗଣତନ୍ତ୍ରର ପ୍ରବକ୍ତା।
ସତ୍ତ୍ବାଧିକାର ଓ ହିତାଧିକାର ବିଷୟରେ କିଛି କହିଲା ବେଳକୁ ଏ ଦୁଇ ନାଗରିକ ଅଧିକାର ବିଷୟରେ ରଚିତ ରାଜନୀତି ବିଜ୍ଞାନର ଥିଓରିଗୁଡ଼ିକ ମନକୁ ଆସୁଛି। ଇଲେକ୍ଟୋରାଲ ଡିମୋକ୍ରାସି (ନିର୍ବାଚନୀ ଗଣତନ୍ତ୍ର)ର ଥିଓରାଇଜେସନ୍ ଯାହା ପଶ୍ଚିମରୁ ଆସିଚି, ତାହା ଦରିଦ୍ର ଦେଶମାନଙ୍କ ପାଇଁ ନୁହେଁ ବା ସର୍ବବୃହତ୍ ଗଣତନ୍ତ୍ର ପାଇଁ ନୁହଁ। ଅଶିକ୍ଷା, ଅଜ୍ଞାନତା, ଦାରିଦ୍ର୍ୟ ଯେଉଠି ନାଗରିକ ପ୍ରୋଫାଇଲ୍, ସେଠି ଗଣତନ୍ତ୍ର ପଢ଼େଇବା ପାଇଁ ଲୋକଶିକ୍ଷା କେନ୍ଦ୍ର ସ୍ଥାପିତ ନ ହେବ କାହିଁକି? ଲୋକେ ଜାଣିଲେ ତ ମତ ଦେବେ। ପ୍ରବୁଦ୍ଧ ନାଗରିକ ସମାଜର ହସ୍ତକ୍ଷେପ ସ୍ଥିତି ବଦଳାଇ ପାରନ୍ତା, କିନ୍ତୁ ସେମାନେ ପ୍ରତ୍ୟେକ ରାଜନୈତିକ ବ୍ୟକ୍ତିତ୍ବ। ଲୋକ ସେବକ ସରକାର ଲୋକଶକ୍ତିର ପାଠ ପଢ଼େଇବା ଜରୁରୀ। ‘ହିତାଧିକାରୀ’ ଓ ‘ଭାଗୀଦାରି’ ଏକା ଅର୍ଥରେ ବ୍ୟବହୃତ ହେବା ଅନୁଚିତ। ‘ଷ୍ଟେକ୍ ହୋଲ୍ଡର୍’ ଅର୍ଥ ସାଧାରଣ ଲୋକକୁ ବୁଝେଇବ କିଏ? ବିଚାରଧାରା ଓ ନୀତିର ପ୍ରଚାର ପାଇଁ ଲୋକଶିକ୍ଷା କେନ୍ଦ୍ର ଶ୍ରେଷ୍ଠ ମାଧୢମ। କେବଳ ଗୋଟିଏ ସତର୍କ ଘଣ୍ଟି ବରାବର ବାଜିବା ଦରକାର। ଆଧୁନିକ ରାଷ୍ଟ୍ର ‘େଵଲ୍ଫେୟାର୍ ଷ୍ଟେଟ୍’ରେ ପରିଣତ ହେବା ଦୁର୍ଭାଗ୍ୟଜନକ। ସାମାଜିକ ସୁରକ୍ଷା ନେଟ୍ରେ ସମସ୍ତଙ୍କୁ ଧରିବା, ସମସ୍ତଙ୍କୁ ଦୁଆର ମୁହଁରେ ସବୁ ଯୋଗାଇ ନିଷ୍କର୍ଷ କରିବାର ଅର୍ଥ ରାଷ୍ଟ୍ରରେ ଲୋକଶକ୍ତିର ଅବଦମନ ଓ ଅପଚୟ ବ୍ୟତୀତ ଆଉ କ’ଣ ହୋଇପାରେ? ଗଣତନ୍ତ୍ରରେ ଭାଗୀଦାରି ଓ ହିତାଧିକାର ଗୋଟିଏ ଶବ୍ଦରେ ସମାହିତ। ତାହା ହେଉଛି ‘ଶ୍ରମ’। ଶ୍ରମ-ବିମୁଖ ଲୋକଶକ୍ତି ଅଳସୁଆ ରାଷ୍ଟ୍ର ନିର୍ମାଣ କରିବ। ୟାର କୁପରିଣତି ସବୁକ୍ଷେତ୍ରକୁ କଳୁଷିତ କରିବ। ସବୁଠୁ ବଡ଼ କଥା ଇଏ ରାଷ୍ଟ୍ରର ଇଚ୍ଛାଶକ୍ତିକୁ ମହାବାହୁଙ୍କ ବଦାନ୍ୟତାରେ ପରିଣତ କରିବ।
ଏସବୁ ଅଧିକାରର ନେଟ୍ଵାର୍କ ଆମର ଗଣତନ୍ତ୍ର!
ମୋ- ୯୪୩୭୦୩୯୮୫୮