ଅଯାଚିତ ପରାମର୍ଶର ଇତିବୃତ୍ତ

ସୃଜନ ପ୍ରକାଶ ଦାସ

କେବେ ଲକ୍ଷ୍ୟ କରିଛନ୍ତି କିଭଳି ବିନା ଦ୍ବିଧାରେ, ଅକ୍ଳେଶରେ ଆମ ଜୀବନରେ ଅଯାଚିତ ପରାମର୍ଶ ମିଳିଯାଏ? ସ୍ଥାନ କାଳ ପାତ୍ର ନିର୍ବିଶେଷରେ ଯଦି କୌଣସି ଗୋଟିଏ ଜିନିଷ ଆମ ପାଇଁ ଖୁବ ସହଜଲଭ୍ୟ, ତାହା ହେଉଛି ‘ବିଶେଷଜ୍ଞ’ ପରାମର୍ଶ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ହେଉ କିମ୍ବା ବୃତ୍ତି ସମ୍ବନ୍ଧରେ ଅଥବା ବିବାହ ବା ପାରିବାରିକ ସମସ୍ୟା କିମ୍ବା ଆଇନ-ଅଦାଲତ, କୃଷି, ପୁଣି ଯୋଗ ଠୁ ଆରମ୍ଭ କରି ଜମିଜମା ଇତ୍ୟାଦି ପର୍ଯ୍ୟନ୍ତ। ପ୍ରତ୍ୟେକ ପରିସ୍ଥିତିରେ ଏବଂ ପ୍ରତି ବିଷୟରେ ପରାମର୍ଶଦାତା ତୟାର, ଆପଣଙ୍କ ସମସ୍ୟାର ଆଶୁ ସମାଧାନ ଲକ୍ଷ୍ୟରେ। ମଜା କଥା ହେଉଛି- ସେହି ସମସ୍ୟା ବିଷୟରେ ଆପଣ ପରାମର୍ଶ ଲୋଡ଼ନ୍ତି କି ନାହିଁ; ତାହା ପରାମର୍ଶଦାତା ଜାଣିବାକୁ ଚାହି ନ ଥାଆନ୍ତି। କେହି କେହି ତ ଏ ସମ୍ବନ୍ଧରେ ପ୍ରଶ୍ନ ନ କରି ଏକ ପ୍ରକାର ଅଧିକାର ସାବ୍ୟସ୍ତ କରିବା ଭଳି ପରାମର୍ଶ ଦେଇ ପକାନ୍ତି। ପୁଣି କେବେ କେବେ ପରାମର୍ଶଦାତାଙ୍କର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଗ୍ରହୀତା ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରେ। ପ୍ରତ୍ୟେକ ପରାମର୍ଶଦାତା ନିଜ ନିଜ ପରାମର୍ଶରେ ଅଟଳ ଥାଇ ତାହା ଯେ ସମସ୍ୟାର ଅବ୍ୟର୍ଥ ପ୍ରତିକାର; ଏଭଳି ଦାବି କରୁଥିବା ବେଳେ ଅସହାୟ ଗ୍ରହୀତାଟି କାହାର ପରାମର୍ଶ ଗ୍ରହଣ କରିବ ଭଳି ଏକ ନୂଆ ସମସ୍ୟାରେ ଧନ୍ଦି ହୁଏ। କାରଣ ଯାହାର ପରାମର୍ଶ ଗୃହୀତ ନ ହୁଏ, ସେ ମୁହଁ ଫୁଲାଇ ପାରେ, ଆବଶ୍ୟକ ପଡ଼ିଲେ ବହୁ ଦିନର ସମ୍ପର୍କରେ ବି ଭଟ୍ଟା ପଡ଼ିପାରେ। ଏମିତି ଦୃଶ୍ୟ ହୁଏ’ତ ଆପଣଙ୍କ ନଜରରେ ପଡ଼ିଥିବ ଯେ ଦୁଇ ବ୍ୟକ୍ତିଙ୍କ ପରାମର୍ଶ ଆଲୋଚନା ତୁଙ୍ଗରେ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ଅପରିଚିତ ଏକ ତୃତୀୟ ବ୍ୟକ୍ତି -ଯିଏ କି ବହୁ ସମୟ ଧରି ସେମାନଙ୍କର ବକ୍ତବ୍ୟ ଶୁଣି ଶୁଣି ଧର୍ଯ୍ୟହରା ହୋଇଛନ୍ତି- ଏହି ଆଲୋଚନାରେ ହସ୍ତକ୍ଷେପ କରି ପୂରା ମାହୋଲକୁ ବିଗାଡ଼ି ଦେଇଛନ୍ତି; ପୁଣି କ୍ଷେତ୍ର ବିଶେଷରେ କୌଣସି ସ୍ପର୍ଶକାତର ବିଷୟରେ ବିନା ଆମନ୍ତ୍ରଣରେ ମୁଣ୍ଡ ପୂରାଇ ହଟହଟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। ଏହା ସତ୍ତ୍ବେ ନିଃଶୁଳ୍‌କ ପରାମର୍ଶଦାତାମାନଙ୍କର ସଂଖ୍ୟା କମୁ ନାହିଁ। ବରଂ ସେମାନଙ୍କର ପ୍ରାବଲ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଧରି ନିଅନ୍ତୁ, ଆପଣଙ୍କ ପରିବାରରେ କେହି ଜଣେ ରୋଗଗ୍ରସ୍ତ ହୋଇଛନ୍ତି, ଯାହା ସ୍ୱାଭାବିକ ଭାବରେ ଆପଣଙ୍କ ପାଇଁ ଚିନ୍ତାର ବିଷୟ। କେଉଁଠି, କେଉଁ ଡାକ୍ତରଙ୍କୁ ପରାମର୍ଶ କରିବେ- ଏ ବିଷୟରେ ଆପଣ ନିଜେ ଧନ୍ଦି ହେଉଥିବା ବେଳେ ଆପଣଙ୍କର ତଥାକଥିତ ଶୁଭାକାଂକ୍ଷୀ ପରାମର୍ଶଦାତାମାନେ ଆପଣଙ୍କୁ ଆହୁରି ଗଭୀର ସମସ୍ୟାରେ ପକାଇ କଟକର ଅମୁକ ଡାକ୍ତର ନା ଭୁବନେଶ୍ୱରର ସମୁକ ଡାକ୍ତର ମଝିରେ ଝୁଲେଇ ରଖି ପାରନ୍ତି। ପୁଣି କେହି ଆପଣଙ୍କୁ ହୋମିଓପାଥି ଚିକିତ୍ସା ପାଇଁ ପ୍ରବର୍ତ୍ତାଇବା ବେଳକୁ କେହି କବିରାଜୀ ଔଷଧ ନେବା ପାଇଁ ଏକ ପ୍ରକାର ବାଧ୍ୟ କରିପାରନ୍ତି। ପୁନଶ୍ଚ ଏହି ପରାମର୍ଶଦାତାମାନଙ୍କ ପାଖରେ ସେମାନଙ୍କ ପରାମର୍ଶର ସଫଳତା ପ୍ରମାଣ କରିବା ଲାଗି ନିଜର କୌଣସି ବନ୍ଧୁ ବା ସହକର୍ମୀ ବା ପଡ଼ୋଶୀ ଇତ୍ୟାଦିଙ୍କର ଉଦାହରଣ ମଧ୍ୟ ରହିଥାଏ। ଆପଣ ଏତେ ପ୍ରକାରର ପୁଣି ପରସ୍ପରର ବିରୋଧାତ୍ମକ ପରାମର୍ଶମାନ ଶୁଣୁ ଶୁଣୁ ନିଜେ ଏଭଳି ଏକ ଗୋଲକ ଧନ୍ଦାରେ ପଡ଼ି ଯାଆନ୍ତି ଯେ ମୂଳ ସମସ୍ୟାଟି ଆପଣଙ୍କୁ ଗୌଣ ଲାଗିଥାଏ।

ଠିକ ସେମିତି ବିବାହ ମାମଲାରେ ଝିଅ ଦେଖା ଠାରୁ ଆରମ୍ଭ କରି ବର-ଘର ଦେଖା, ଭୋଜି ତାଲିକା ପ୍ରସ୍ତୁତି ଠାରୁ ନେଇ ଯୌତୁକ ଦିଆ ନିଆ ଯାଏ ଯେଉଁ ସବୁ ପରାମର୍ଶମାନ ମିଳିଥାଏ, ସେ ସବୁ ଗଭୀର ଅନୁଧ୍ୟାନ ଯୋଗ୍ୟ। କିଏ କେତେ ଗୋଟି ବାହାଘର ସଫଳତାର ସହିତ ସମ୍ପନ୍ନ କରାଇ ପାରିଛନ୍ତି, ଉଚ୍ଛୃଙ୍ଖଳ ବରଯାତ୍ରୀଙ୍କୁ କେତେ ଦୃଢ଼ତାର ସହିତ ସମ୍ଭାଳି ପାରିଛନ୍ତି, ଭୋଜି ଚିଠା ତାଲିକାକୁ କେତେ ସୂକ୍ଷ୍ମ ଭାବରେ କାଟିକୁଟି କନ୍ୟା ପକ୍ଷର କେତେ ଟଙ୍କା ବଞ୍ଚାଇ ପାରିଛନ୍ତି- ଏ ସବୁ ଦାବି ମଧ୍ୟରେ ପରାମର୍ଶ ଗ୍ରହୀତାମାନଙ୍କ ଶରୀରର ଭାଷା (body language) ଅନେକ ସମୟରେ କରୁଣ ହୋଇଉଠେ।

ପରାମର୍ଶଦାତାମାନଙ୍କର ପ୍ରଭାବ ଓ ସେମାନଙ୍କର ମାନସିକତା ସମ୍ବନ୍ଧରେ ଗବେଷଣା କରି ଏହି ଲେଖକ କେତେକ ତତ୍ତ୍ବ ଆବିଷ୍କାର କରିବାର ସୌଭାଗ୍ୟ ପାଇଛି। ପ୍ରଥମ କଥା ହେଲା ପରାମର୍ଶଦାତା ଯେଉଁ ବିଷୟରେ ପରାମର୍ଶ ଦିଅନ୍ତି, ନିଜକୁ ସେହି ବିଷୟରେ ବିଶେଷଜ୍ଞ ବୋଲି ମନେ କରିଥା’ନ୍ତି। ନିଜ ଜ୍ଞାନ, ବୁଦ୍ଧି, ପ୍ରଜ୍ଞା ଆଧାରରେ ସମସ୍ୟା ସମାଧାନର କୁହୁକ ମନ୍ତ୍ରଟି ଯେ କେବଳ ତାଙ୍କୁ ହିଁ ଜଣା- ଏମିତି ଏକ ଚିନ୍ତାଧାରା ତାଙ୍କୁ ଗ୍ରାସ କରି ପକାଉଥିବାରୁ ସେ ପରାମର୍ଶ ଦେବା ପାଇଁ ତତ୍ପର ହୋଇ ଉଠନ୍ତି। ପରାମର୍ଶ ପ୍ରଦାନ ସେମାନଙ୍କୁ ଆତ୍ମ ସନ୍ତୋଷ ଦେଇଥାଏ, ଯାହା ସେମାନଙ୍କୁ ଆହୁରି ବହୁତ ପରାମର୍ଶ ଦେବାକୁ ପ୍ରୋତ୍ସାହନ ଦିଏ। ଅନ୍ୟ କେତେକ ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି କାରଣରୁ ପରାମର୍ଶଦା‌ତା ରୂପେ ଉଭା ହୁଅନ୍ତି। ଏହା ଦ୍ବାରା ପରାମର୍ଶଦାତାଙ୍କ ଗୁରୁତ୍ୱ ବୃଦ୍ଧି ପାଏ ବୋଲି ସେ ଭାବି ଥାଆନ୍ତି। ଅଯାଚିତ ପରାମର୍ଶ ଦେବା ପଛରେ ନିଜ ଅହଂ ତୃପ୍ତି ବା ‘ଇଗୋ ସାଟିସଫାକ୍‌ସନ୍‌’ ଥାଏ ବୋଲି ଅଧିକାଂଶ ମନୋବିଜ୍ଞାନୀ ଏକମତ।

ବିଡ଼ମ୍ବନା ଏହି କି ଯେ ଏହି ଆଲେଖ୍ୟ ପ୍ରସ୍ତୁତ କରୁ କରୁ କେତେବେଳେ ଯେ ଏହି ଲେଖକ ନିଜେ ଜଣେ ଅଯାଚିତ ପରାମର୍ଶଦାତା ବନିଯାଇଛି- ତାହା ଜାଣିପାରିନାହିଁ। ତେଣୁ, ଲେଖକକୁ ତା’ର ସୀମିତ ଜ୍ଞାନ ଓ ତତ୍‌ ଜନିତ ଧୃଷ୍ଟତା ପାଇଁ ପାଠକ କ୍ଷମା କରିବେ ବୋଲି ଆଶା। କିନ୍ତୁ ଶେଷରେ ପାଠକେ ଏହା ବି ଜାଣି ରଖନ୍ତୁ ଯେ ପ୍ରତ୍ୟେକ ପରାମର୍ଶଦାତା ସେମାନଙ୍କ ଜୀବନରେ କୌଣସି ନା କୌଣସି ବିଷୟରେ ଅଯାଚିତ ପରାମର୍ଶ ଗ୍ରହୀତା ହେବାକୁ ମଧ୍ୟ ବାଧ୍ୟ ହୋଇଥାଆନ୍ତି।

ମୋ- ୯୪୩୮୧ ୪୯୭୬୧
[email protected]

ସମ୍ବନ୍ଧିତ ଖବର