ଶ୍ରୀକ୍ଷେତ୍ର ଐତିହ୍ୟ ପରିକ୍ରମା: କେତୋଟି ପ୍ରସ୍ତାବ

ପୀତବାସ ରାଉତରାୟ

ଓଡ଼ିଶା ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିର ଐତିହ୍ୟ କରିଡର ପରିକଳ୍ପନା ଓଡ଼ିଶା ତଥା ଭାରତବର୍ଷର ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିପାରିଛି; ମାତ୍ର ଯେଉଁ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଅବସ୍ଥିତ, ସେହି ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟକୁ ଆକର୍ଷଣୀୟ କରି ଗଢ଼ି ତୋଳିବାର ପ୍ରକୃତ ସମୟ ଆସିଛି। ତାହା ହେଲେ ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ର ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇପାରିବ। ପୁରୁଷୋତ୍ତମକ୍ଷେତ୍ର ପୁରୀ ବିଭିନ୍ନ ଧର୍ମଗ୍ରନ୍ଥ ଓ ପୁରାଣରେ ନୀଳାଚଳକ୍ଷେତ୍ର, ନୀଳାଚଳଧାମ, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମଧାମ ଓ ନୀଳାଦ୍ରି ନାମରେ ସ୍ଥାନ ପାଇଅଛି ଓ ପୃଥିବୀର ଏକ ପ୍ରାଚୀନ ଧର୍ମକ୍ଷେତ୍ର ନାମରେ ପ୍ରସିଦ୍ଧ। ତେଣୁ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ପ୍ରାଧାନ୍ୟ ଦେବା ଏକାନ୍ତ ଆବଶ୍ୟକ।

ଓଡ଼ିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଆଗମନର ହିସାବରୁ ଜଣାଯାଏ କରୋନା ପୂର୍ବରୁ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ୧ କୋଟି ୪୧ ଲକ୍ଷ। ତା’ ମଧ୍ୟରୁ କେବଳ ପୁରୀକୁ ୧ କୋଟି ୩୧ ଲକ୍ଷ ପର୍ଯ୍ୟଟକ ଆସିଥିଲେ ଯାହାର ଅର୍ଥ ହେଲା ସମଗ୍ର ଓଡ଼ିଶାରେ ପୁରୀ ହିଁ ୯୦ ପ୍ରତିଶତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଅଛି। ମାତ୍ର ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ଯେତେ ଆସନ୍ତି, ତା’ର ମାତ୍ର ୪୦ ପ୍ରତିଶତ ପୁରୀ ଆସିଥା’ନ୍ତି। ତା’ର ମୁଖ୍ୟ କାରଣ ହେଲା ପୃଥିବୀ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିବାର କୌଣସି ସୁବିଧା ନାହିଁ। ତେଣୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହେଲେ ସରକାରଙ୍କୁ ବହୁ ନୂତନ କାର୍ଯ୍ୟ କରିବାକୁ ପଡ଼ିବ।

ପୁରୀକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀ ଶ୍ରୀଜଗନ୍ନାଥ ଓ ପୁରୀର ଐତିହ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନ ଥା’ନ୍ତି। ବିଭିନ୍ନ ସୂତ୍ରରୁ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ଶୁଣିଥା’ନ୍ତି ଓ ତାହା ଲୋକମୁଖରେ ପ୍ରଚାରିତ ହୋଇ ଚାଲିଥାଏ; ଯେପରି କୁହାଯାଇଥାଏ ଯେ ଶ୍ରୀମନ୍ଦିର ରୋଷଶାଳାରେ କୁଡ଼ୁଆ ଉପରେ କୁଡ଼ୁଆ ଥୁଆ ହୋଇ ରୋଷେଇ ହୁଏ ଓ ସବା ଉପର କୁଡ଼ୁଆରେ ପ୍ରଥମେ ଅନ୍ନ ସିଦ୍ଧ ହୋଇଥାଏ। ପ୍ରକୃତରେ ତାହା ଠିକ୍ ନୁହେଁ। ସେହିଭଳି ଶ୍ରୀଜଗନ୍ନାଥଙ୍କୁ ନେଇ ମଧ୍ୟ ବିଭିନ୍ନ ଭୁଲ୍ ତଥ୍ୟ ପ୍ରଦାନ କରାଯାଇଥାଏ। ଯାତ୍ରୀମାନଙ୍କୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଉଚିତ ତଥ୍ୟ ପ୍ରଦାନ କରି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍‌ ସୋ ବା ଆଲୋକ ଓ ଧ୍ୱନିର ବନ୍ଦୋବସ୍ତ କରି କୌଣସି ହଲ୍ ବା ଶରଧାବାଲି ନିକଟରେ ପ୍ରଦର୍ଶିତ କରାଇଲେ, ବହୁ ଲୋକ ଠିକ୍ ତଥ୍ୟ ଜାଣିବା ପାଇଁ ଆଗ୍ରହୀ ହେବେ। ଏହା ଇଂରେଜୀ, ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଭାଷାରେ କରାଗଲେ ଅଧିକାଂଶ ପର୍ଯ୍ୟଟକ ଉପକୃତ ହୋଇପାରନ୍ତେ।

ଶ୍ରୀକ୍ଷେତ୍ରକୁ ଅତୀତରେ ବହୁ ସାଧୁ, ସନ୍ଥ ଓ ସନ୍ନ୍ୟାସୀ ବିଭିନ୍ନ ସମୟରେ ଆସି ଶ୍ରୀଜଗନ୍ନାଥ ସଂସ୍କୃତିରେ ମୁଗ୍‌ଧ ହୋଇ ଓ ତତ୍କାଳୀନ ରାଜାମାନଙ୍କ ସହାୟତାରେ ମଠ ସ୍ଥାପନ କରି ଯାଇଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ଠାରୁ ଆରମ୍ଭ କରି ତୁଳସୀ ଦାସ, ଗୁରୁ ନାନକ, କବୀର, ରାମାନୁଜ, ବଲ୍ଲଭାଚାର୍ଯ୍ୟ, ମାଧବାଚାର୍ଯ୍ୟ, ଚୈତନ୍ୟ, ନିମ୍ବାର୍କ, ଜୟଦେବ ଓ ଜଗନ୍ନାଥ ଦାସ ଆଦି ବହୁ ସନ୍ଥଙ୍କ ଦ୍ୱାରା ମଠମାନ ସ୍ଥାପନ ହୋଇ ଶ୍ରୀକ୍ଷେତ୍ରର ଐତିହ୍ୟ ମହିମାନ୍ୱିତ ହୋଇଛି। ପୁରୀ ସହରରେ ଛୋଟ ବଡ଼ ହୋଇ ପ୍ରାୟ ୧୫୦ଟି ମଠ ଅବସ୍ଥାପିତ। ତନ୍ମଧ୍ୟରୁ ମୁଖ୍ୟ ମଠମାନେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହ ସମ୍ପୃକ୍ତ। ପୁରୀକୁ ଆସୁଥିବା ଯାତ୍ରୀଗଣଙ୍କୁ ମଧ୍ୟ କିଛି ପ୍ରସିଦ୍ଧ ମଠ ପରିକ୍ରମା କରିବା ପାଇଁ ସ୍ୱତନ୍ତ୍ର ସୁବିଧା ଦେଲେ ପୁରୀ ପର୍ଯ୍ୟଟନ ଆହୁରି ଆକର୍ଷଣୀୟ ହୋଇପାରିବ। ମଠମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସୁବିଧା ଦେଇ ସେମାନଙ୍କର ସାଂସ୍କୃତିକ ଐତିହ୍ୟ ପ୍ରତିଫଳିତ କରିବାର ବ୍ୟବସ୍ଥା କରାଯିବା ଉଚିତ।

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଯାତ୍ରୀମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ରହିଥିଲେ ମଧ୍ୟ ବହୁ ମନ୍ଦିର ଓ ଦର୍ଶନୀୟ ସ୍ଥାନ ଏଠାରେ ରହିଅଛି ଯାହାର ସମ୍ପୂର୍ଣ୍ଣ ରୂପେ ପ୍ରଚାର ଓ ପ୍ରସାର କରାଯାଇ ନାହିଁ। ପଞ୍ଚପାଣ୍ଡବ ନାମରେ ପଞ୍ଚ ମହାଦେବ ରୂପେ ଶ୍ରୀଯମେଶ୍ୱର, ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠ ପ୍ରସିଦ୍ଧ ଶିବ ମନ୍ଦିର ଭାବେ ପରିଚିତ। ସେହିଭଳି ପରମ୍ପରା ସହ ଜଡ଼ିତ ଅନ୍ୟ ବହୁତ ମନ୍ଦିର ଯଥା ମାଉସୀ ମା’, ଆଲାମଚଣ୍ଡୀ, ଦକ୍ଷିଣକାଳୀ, ନାରାୟଣୀ, ଚର୍ଚ୍ଚିକା, ଶ୍ୟାମାକାଳୀ, କନକଦୁର୍ଗା, ଜୟଦୁର୍ଗା, ତୋଟା ଗୋପୀନାଥ, ସୁନାର ଗୌରାଙ୍ଗ, ଦରିଆ ମହାବୀର, ସିଦ୍ଧ ହନୁମାନ, ଚକ୍ରତୀର୍ଥ ନାରାୟଣ ମନ୍ଦିର ପୁରୀ ସହରରେ ଅବସ୍ଥାପିତ ଯାହାକୁ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ଭାବେ ଗଣାଯାଇପାରିବ। ଏପରିକି ପ୍ରସିଦ୍ଧ ଗୁଣ୍ଡିଚା ମନ୍ଦିର ଓ ପଞ୍ଚତୀର୍ଥ ନାମରେ ପରିଗଣିତ ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବରକୁ ମଧ୍ୟ ଯାତ୍ରୀମାନଙ୍କୁ ଦେଖାଇବା ପାଇଁ ବ୍ୟବସ୍ଥା କରିବା ଉଚିତ।

ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରସିଦ୍ଧ ବଡ଼ଦାଣ୍ଡ ହେଉଛି ପ୍ରାୟ ତିନି କିଲୋମିଟର ଲମ୍ବ ଯାହା ପ୍ରସିଦ୍ଧ ରଥଯାତ୍ରା ସମୟରେ ଲୋକାରଣ୍ୟ ହୋଇଉଠେ। ବର୍ଷର ଅନ୍ୟ ସମୟରେ ମଧ୍ୟ ଏହି ବଡ଼ଦାଣ୍ଡ ଉପରେ ସବୁବେଳେ ଯାତ୍ରୀ ଚଳାଚଳ ହେଉଥାଆନ୍ତି। ବଡ଼ଦାଣ୍ଡ ବର୍ତ୍ତମାନ ସୁନ୍ଦର ରାସ୍ତାରେ ପରିଣତ ହୋଇଗଲାଣି। ଏହାର ଦୁଇ ପାର୍ଶ୍ବକୁ ସୌନ୍ଦର୍ଯ୍ୟକରଣ କରାଗଲେ ତାହା ଆହୁରି ଆକର୍ଷଣୀୟ ହୋଇପାରନ୍ତା। ବଡ଼ଦାଣ୍ଡର ଦୁଇପାଖରେ ଯେତେ କୋଠା ରହିଛି ସବୁଗୁଡ଼ିକ ଯଦି ଗୋଟିଏ ରଙ୍ଗର ହୋଇପାରନ୍ତା, ତା’ହେଲେ ତାହାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଆନ୍ତା।
ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଐତିହ୍ୟ କରିଡର ନିର୍ମାଣ ହେବା ସହ ଶ୍ରୀକ୍ଷେତ୍ରର ଐତିହ୍ୟ ପରିକ୍ରମା ପାଇଁ କାର୍ଯ୍ୟ କରିବା ପରେ ଶ୍ରୀକ୍ଷେତ୍ରର ନିକଟବର୍ତ୍ତୀ ସ୍ଥାନମାନଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚିନ୍ତା କରିବାର ବେଳ ଆସିଛି। ଶ୍ରୀକ୍ଷେତ୍ରର ପାର୍ଶ୍ବ ସ୍ଥାନମାନଙ୍କ‌େର ବହୁ ମନ୍ଦିର ଓ ଧର୍ମାନୁଷ୍ଠାନ ଅବସ୍ଥିତ। ପୁରୀରୁ ଚିଲିକା ସାତପଡ଼ା ଯିବା ବାଟରେ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର ଓ ବାଲିହରଚଣ୍ଡୀ ମନ୍ଦିର ଅବସ୍ଥିତ। ପୁରୀରୁ ଭୁବନେଶ୍ୱର ଯିବା ବାଟରେ ସାକ୍ଷୀଗୋପାଳ, ଶିରୁଳୀ ମହାବୀର, ବାଟମଙ୍ଗଳା, ଦକ୍ଷିଣକାଳିକା ଏବଂ ପିପିଲି ପାଖରେ ଭକ୍ତ ଦାସିଆଙ୍କ ପୀଠ ଅବସ୍ଥିତ ଓ ପୁରୀରୁ କୋଣାର୍କ ଯିବା ବାଟରେ ବିଲ୍ୱେଶ୍ୱର, କପିଳେଶ୍ୱର ଓ ରାମଚଣ୍ଡୀ ମନ୍ଦିର ଅବସ୍ଥିତ। ରାମଚଣ୍ଡୀ ମନ୍ଦିର ଯାତ୍ରୀ ଆକର୍ଷଣର ଏକ କେନ୍ଦ୍ର ବିନ୍ଦୁ। ସେହି ସ୍ଥାନମାନଙ୍କର ସୌନ୍ଦର୍ଯ୍ୟକରଣ କରିବା ଏକାନ୍ତ ଆବଶ୍ୟକ। ଏପରିକି ପୁରୀରୁ ବ୍ରହ୍ମଗିରି ରାସ୍ତାରେ ଅଲାରନାଥ ନିକଟରେ ପ୍ରସିଦ୍ଧ ଭକ୍ତକବି ରାଗାନୁଗା ଭକ୍ତିର ପ୍ରବର୍ତ୍ତକ ତଥା ଶ୍ରୀଚୈତନ୍ୟଙ୍କ ସମସାମୟିକ ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଜନ୍ମପୀଠ ବେଣ୍ଟପୁର ଅବସ୍ଥିତ, ଯେଉଁଠାରେ ପାଞ୍ଚଶହ ବର୍ଷ ତଳର ପୋଥି ଓ ରାୟ ରାମାନନ୍ଦଙ୍କ ବ୍ୟବହୃତ ସାମଗ୍ରୀ ତାଙ୍କ ପରିବାରବର୍ଗ ସାଇତି ରଖିଛନ୍ତି; ଯାହାକୁ ଦେଖିବାକୁ ଗୌଡ଼ୀୟ ବୈଷ୍ଣବ ଭକ୍ତମାନେ ଆସିଥା’ନ୍ତି। ସେହି ଭକ୍ତକବିଙ୍କ ଜନ୍ମସ୍ଥାନ ତଥା ପଞ୍ଚସଖାପୀଠମାନଙ୍କୁ ସୌନ୍ଦର୍ଯ୍ୟକରଣ କରି ଭକ୍ତ ତୀର୍ଥଯାତ୍ରା ଆରମ୍ଭ କଲେ ଯାତ୍ରୀମାନେ ଶ୍ରୀଜଗନ୍ନାଥଙ୍କ ଐତିହ୍ୟର ବହୁକିଛି ସୂଚନା ପାଇପାରିବେ।

ପୁରୀ ଠାରେ ରାଜ୍ୟ ସରକାର ମନ୍ଦିର ବାହାରେ ଗୋଟିଏ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ନିର୍ମାଣ କରି ବିଭିନ୍ନ ଚିତ୍ରଶିଳ୍ପୀ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଆଙ୍କିଥିବା ଚିତ୍ରର ଗୋଟିଏ ଆର୍ଟ ଗ୍ୟାଲେରି କଲେ ଭକ୍ତମାନଙ୍କର ଆଗ୍ରହ ଆହୁରି ବୃଦ୍ଧି ପାଇବ। ଯେଉଁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରୁନାହାନ୍ତି, ସେମାନେ ଏହି ସଂଗ୍ରହାଳୟରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଅବଗତ ହେବାର ସୁଯୋଗ ପାଇ ଅତି ଉପକୃତ ହେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିରରେ ଯେଉଁ ସଂଗ୍ରହାଳୟ ଅଛି ସେଠାରେ ଯାତ୍ରୀମାନଙ୍କର ଭିଡ଼ ବେଶି ଲକ୍ଷ୍ୟ କରାଯାଏ ନାହିଁ; ତା’ର କାରଣ ହେଲା ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କଲାମାତ୍ରେ ସମସ୍ତ ପାର୍ଶ୍ବ ଦେବଦେବୀ ଦର୍ଶନ ପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରି ପ୍ରସାଦ ସେବନ ପାଇଁ ଏତେ ମାତ୍ରାରେ ବ୍ୟସ୍ତ ରହନ୍ତି ଯେ ସେ ସମୟରେ ସଂଗ୍ରହାଳୟ ଦେଖିବା ପାଇଁ ହାତରେ ସମୟ ନ ଥାଏ। ଏହି ସଂଗ୍ରହାଳୟ ଓ ଆର୍ଟ ଗ୍ୟାଲେରି ପୁରୀର ଅନ୍ୟ ସ୍ଥାନରେ ରହିପାରିଲେ, ସେଠାରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଯାତ୍ରୀଗଣ ସୁବିଧାମତେ ଦେଖିପାରିବେ।

ମହାପ୍ରସାଦ ସେବନ କେବଳ ପୁରୀ ଆନନ୍ଦ ବଜାରରେ ସୀମିତ ନ ରହି ପୁରୀ ସହରର କୌଣସି ସ୍ଥାନରେ ଏହାର ବନ୍ଦୋବସ୍ତ କଲେ ବହୁ ଲୋକ ଉପକୃତ ହେବେ। କାରଣ, ଅନ୍ୟ କାମରେ ଆସୁଥିବା ବ୍ୟକ୍ତିଙ୍କର ଇଚ୍ଛା ଥିଲେ ମଧ୍ୟ ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରସାଦ ସେବନ ପାଇଁ ସମୟ ନ ଥାଏ। ଏହା ବ୍ୟତୀତ ମହାପ୍ରସାଦକୁ ନିକଟବର୍ତ୍ତୀ ଅଞ୍ଚଳରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସେବନ କରିବା ପାଇଁ ରାଜ୍ୟ ସରକାର ପୁରୀ ଓ ଭୁବନେଶ୍ୱରରେ ଗୋଟିଏ ସୂଚନା କେନ୍ଦ୍ର କଲେ ଓଡ଼ିଶାବାସୀ ଉପକୃତ ହୋଇପାରନ୍ତେ। ଶ୍ରୀମନ୍ଦିରର ପ୍ରସିଦ୍ଧ ଖଜାକୁ ତିରୁପତି ମନ୍ଦିରର ଲଡୁ ଭଳି ମଧ୍ୟ ବିକ୍ରୟ କରିବାର ବ୍ୟବସ୍ଥା କରାଯିବା ଉଚିତ।

ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ବହୁ କିଛି ହସ୍ତଶିଳ୍ପ ଗଢ଼ିଉଠିଛି। କାଠ, ପଥର ଓ ତାଳପତ୍ର ଇତ୍ୟାଦିର ଯେଉଁ କାର୍ଯ୍ୟ ରଘୁରାଜପୁରରେ ନିର୍ମିତ ହେଉଛି ସେଗୁଡ଼ିକ ପୁରୀରେ ପ୍ରଦର୍ଶିତ କରିବା ପାଇଁ ଗୋଟିଏ ବଡ଼ ହସ୍ତଶିଳ୍ପ ବଜାର ସୃଷ୍ଟି ହେଲେ କାରିଗରମାନେ ଏହାର ସୁବିଧା ନିଅନ୍ତେ ଓ ଯାତ୍ରୀମାନେ ମଧ୍ୟ ଉପକୃତ ହୁଅନ୍ତେ।

ପୁରୀ ସହରର ଐତିହ୍ୟ ବିଶ୍ୱବ୍ୟାପୀ। କାହିଁ କେତେ ଯୁଗ ଧରି ଯେଉଁ ସାଧୁସନ୍ଥ ପୁରୀ ଆସି ଶ୍ରୀଜଗନ୍ନାଥ ପ୍ରେମରେ ଉଦ୍‌ବୁଦ୍ଧ ହୋଇଥିଲେ, ସେମାନଙ୍କର ସ୍ମୃତିରକ୍ଷା ପାଇଁ ସେମାନଙ୍କର ମାର୍ବଲ ପ୍ରତିମୂର୍ତ୍ତି ସ୍ଥାପନ କଲେ, ପୁରୀର ଐତିହ୍ୟ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷଣୀୟ କରି ଗଢ଼ି ତୋଳନ୍ତା।

ସେହିପରି ଶ୍ରୀମନ୍ଦିରକୁ ଓ ଶ୍ରୀକ୍ଷେତ୍ରକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଗାଇଡ୍ ସେବାର ପ୍ରଚଳନ ନାହିଁ। ତେଣୁ ଯାତ୍ରୀମାନେ ଯାହା କିଛି ପଣ୍ଡାମାନଙ୍କ ଠାରୁ ଶୁଣି ମନ ସନ୍ତୁଷ୍ଟ କରିଥା’ନ୍ତି। ମାତ୍ର ସ୍ବୀକୃତିପ୍ରାପ୍ତ ଗାଇଡ୍ ରହିଲେ କେବଳ ଶ୍ରୀମନ୍ଦିର ନୁହେଁ, ଶ୍ରୀକ୍ଷେତ୍ରର ବହୁକିଛି ଐତିହ୍ୟକୁ ଯାତ୍ରୀମାନଙ୍କୁ ଅବଗତ କରାଯାଇପାରନ୍ତା।

ରାଜ୍ୟ ସରକାର ଏମାର ମଠ ସ୍ଥାନରେ ରଘୁନନ୍ଦନ ପାଠାଗାର ନିର୍ମାଣ କରିବାର ଯୋଜନା କରିଛନ୍ତି। ଏହା ସହିତ ଗବେଷଣାଗାରଟିଏ ନିର୍ମାଣ କରି ଗବେଷକମାନଙ୍କ ପାଇଁ ପଠନର ସୁବିଧା ତଥା ଆନୁଷଙ୍ଗିକ ସୁବିଧା ପ୍ରଦାନ କଲେ ବହୁ ଗବେଷକ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ପ୍ରତି ଆକୃଷ୍ଟ ହେବେ।

ଶ୍ରୀକ୍ଷେତ୍ରରେ ବଡ଼ ଧରଣର ସଭା କରିବା ପାଇଁ କନ୍‌ଫରେନ୍‌ସ ହଲ୍ ଓ କନ୍‌ଭେନ୍‌ସନ୍‌ ହଲ୍‌ର ଆବଶ୍ୟକତା ରହିଛି। ଏହା ହୋଇ ପାରିଲେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନେ ସେମାନଙ୍କର ସଭା ଆୟୋଜନ କରି ଉପକୃତ ହୋଇପାରିବେ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଓଡ଼ିଶା ସରକାରଙ୍କର ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି, ତାହା ନିଶ୍ଚିତ ଭାବେ ଅଭିନନ୍ଦନୀୟ। ଏହା ସହିତ ଶ୍ରୀକ୍ଷେତ୍ର ଐତିହ୍ୟ ଓ ପାର୍ଶ୍ବସ୍ଥାନମାନଙ୍କର ଐତିହ୍ୟକୁ ଯୋଡ଼ିଲେ ହିଁ ଏହା ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ଭାବେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ରୂପେ ମାନ୍ୟତା ପ୍ରାପ୍ତ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।

ମୋ: ୯୪୩୭୫୭୪୬୪୯
[email protected]

ସମ୍ବନ୍ଧିତ ଖବର