ଅଯୋଧ୍ୟାରୁ ହରିଦ୍ୱାର

ମହମ୍ମଦ ହିଫ୍‌ଜୁର ‌ରହେମାନ୍

୬ ନଭେମ୍ବର ୨୦୨୧। ଏହି ତାରିଖକୁ ସ୍ବାଧୀନ ଭାରତ ଇତିହାସର ଏକ ସ୍ମରଣୀୟ ଦିନ ଭାବେ ଅନେକ ମନେ ରଖିବେ। କାରଣ, ରାମ ମନ୍ଦିର ଏବଂ ବାବ୍‌ରୀ ମସ୍‌ଜିଦ ବିବାଦ ଯୋଗୁଁ ଦୀର୍ଘ କାଳ ଧରି ଆଶଙ୍କା ବିଜଡ଼ିତ ଅନିଶ୍ଚିତତା ମଧ୍ୟରେ ରହି ଆସିଥିବା ଆମ ରାଷ୍ଟ୍ର ସେହି ଦିନ ଏକ ପ୍ରକାର ଆଶ୍ବସ୍ତିର ପ୍ରଶ୍ବାସ ନେଇଥିଲା। ଏହି ଦିନ ମାନ୍ୟବର ସୁପ୍ରିମ୍‌ କୋର୍ଟ ଏହି ବିବାଦ ପରିପ୍ରେକ୍ଷୀରେ ଶୁଣାଇଥିବା ରାୟକୁ ସବୁ ପକ୍ଷ ଓ ବର୍ଗର ଲୋକେ ସମ୍ମାନର ସହିତ ଗ୍ରହଣ କରି ନେଇଥିଲେ। ସର୍ବାଧିକ ଉଲ୍ଲେଖନୀୟ ବିଷୟ ‌େହଲା ଏହା ଯେ ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ଯେଉଁ ପକ୍ଷ ବିଜୟୀ ବୋଲି ଧାରଣା ସୃଷ୍ଟି ହୋଇଥିଲା, ସେହି ପକ୍ଷ ବିବେକାନୁମୋଦିତ ସଂଯମ ପ୍ରଦର୍ଶନ କରି କୌଣସି ଉତ୍ସବ ପାଳନ କରି ନ ଥିଲେ। ସେହିପରି ପରାଜିତ ହୋଇଥିବା ପକ୍ଷ ମଧ୍ୟ ଏହାର ପ୍ରତିବାଦ ନ କରି ରାୟକୁ ସ୍ବୀକାର କରି ନେଇଥିଲେ। ସେହି ସମୟରେ ସମଗ୍ର ରାଷ୍ଟ୍ର ଏକ ସାନ୍ତ୍ବନା ଲାଭ କରିଥିଲା ଯେ ରାୟ ଯାହା ହୋଇଥାଉ ନା କାହିଁକି ପଛେ, ଦେଶ ଆଉ ଅଯଥାରେ ଏକ ସାଂପ୍ରଦାୟିକ ରୂପେ ସ୍ପର୍ଶକାତର ପ୍ରସଙ୍ଗକୁ ନେଇ ବିବ୍ରତ ହେବ ନାହିଁ। ପ୍ରକାରାନ୍ତରେ କୁହାଯାଇପାରେ କି ଭାରତରେ ସାଂପ୍ରଦାୟିକ ସଦ୍‌ଭାବନାର ଏକ ନୂଆ ଅଧ୍ୟାୟ ସୂତ୍ରପାତ ହେବାର ଲକ୍ଷଣ ପ୍ରକାଶ ପାଇଥିଲା।

କହିବା ବାହୁଲ୍ୟ ଯେ ଏଥିଲାଗି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଥିଲେ ଧନ୍ୟବାଦର ପାତ୍ର। ଏହି ରାୟ ପରେ ଉତ୍ସବ ପାଳନ ଅଥବା ଶୋଭାଯାତ୍ରା ଇତ୍ୟାଦି ନ କରିବା ଲାଗି ସେମାନେ ସମସ୍ତ ହିନ୍ଦୁବାଦୀ ସଂଗଠନଗୁଡ଼ିକୁ ପରାମର୍ଶ ଦେଇଥିଲେ। ଏପରି କି କେଉଁ ଠାରେ ହେଲେ ବାଣଟିଏ ବି ଫୁଟି ନ ଥିଲା। କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ସ୍ବାଧୀନତୋତ୍ତର ଭାରତରେ ଏହା ଥିଲା ସାଂପ୍ରଦାୟିକ ସୌହାର୍ଦ୍ୟର ଏକ ମାର୍ମିକ ଦୃଷ୍ଟାନ୍ତ। ଦଳ ଓ ବର୍ଗ ନିର୍ବିଶେଷରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସମସ୍ତେ ଏକ ସ୍ବରରେ ସ୍ବାଗତ କରିଥିଲେ। ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ପ୍ରକାଶ ପାଇଥିବା ସହମତି ମଧ୍ୟ ଥିଲା ୨୦୧୪ ପରବର୍ତ୍ତୀ ଭାରତର ଅତ୍ୟନ୍ତ ଧ୍ରୁବିକୃତ ରାଜନୀତି ପ୍ରେକ୍ଷାପଟରେ ଅତ୍ୟନ୍ତ ବିରଳ। ‘ଆର୍‌ଏସ୍‌ଏସ୍’ର ମୁଖ୍ୟ ମୋହନ ଭାଗବତ ଏହି ସଂଦର୍ଭରେ କହିଥିଲେ ଯେ ତାଙ୍କ ସଂଗଠନ ଆନ୍ଦୋଳନ ଅପେକ୍ଷା ଚରିତ୍ର ନିର୍ମାଣରେ ଅଧିକ ବିଶ୍ବାସ କରେ। କେବଳ ସେତିକି ନୁହେଁ, ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ମଥୁରା ଓ କାଶୀ ବିବାଦ ସଂଗଠନର ଏଜେଣ୍ଡାରେ ନାହିଁ।

ସତ କହିଲେ, ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିର ଦିନେ ଜାତୀୟ ଏକତା, ଶାନ୍ତି ଓ ସଦ୍‌ଭାବନାର ଏକ ଉଜ୍ଜ୍ବଳ ପ୍ରତୀକ ରୂପେ ବିବେଚିତ ହେବ। ଆସନ୍ତା ମାସରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ରାଜନୈତିକ ଦଳ ଏହି ପବିତ୍ର ସ୍ଥାନରୁ ସେମାନଙ୍କ ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି। ‘ବିଜେପି’ ସମେତ ଅଖିଳେଶଙ୍କ ‘ସମାଜବାଦୀ ପାର୍ଟି’, ମାୟାବତୀଙ୍କ ‘ବହୁଜନ ସମାଜ ପାର୍ଟି’, କେଜ୍ରିୱାଲଙ୍କ ‘ଆମ ଆଦମୀ ପାର୍ଟି’ ଏପରି କି ଅସଦୁଦ୍ଦିନ ଅୱେସୀଙ୍କ ‘ଏଆଇଏମ୍‌ଆଇଏମ୍‌’ ସମସ୍ତେ ଏଭଳି କରିଛନ୍ତି।

ତେବେ, ବିଡ଼ମ୍ବନାଟି ହେଉଛି ଯେ ରାମ ମନ୍ଦିର ନିର୍ମାଣକୁ ନେଇ ଏକ ଉତ୍ସାହର ପରିବେଶ ଥିବା ବେଳେ କିଛି ସଂଗଠନ ଓ ବ୍ୟକ୍ତି ସାଂପ୍ରଦାୟିକ ସଦ୍‌ଭାବନାକୁ ନଷ୍ଟ କରିବା ଲାଗି ଉଦ୍‌ଗ୍ରୀବ ହୋଇ ଉଠିଛନ୍ତି। ଏହାର ପ୍ରମାଣ ମିଳିଛି ଉତ୍ତରାଖଣ୍ଡର ହରିଦ୍ବାରରେ ନିକଟରେ ଅନୁଷ୍ଠିତ ଧର୍ମ ସଂସଦର ବୈଠକରେ, ଯେଉଁଠି କତିପୟ ବକ୍ତା ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ଅତ୍ୟନ୍ତ ଜହର ଜର୍ଜର ଭାଷଣମାନ ପ୍ରଦାନ କରି ସେହି ସଂପ୍ରଦାୟର ଗଣସଂହାର ପାଇଁ ଆହ୍ବାନ ଦେଇଥିଲେ। ଯଦିଓ, ଏହି ଘଟଣା ବ୍ୟାପକ ଓ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଅତ୍ୟନ୍ତ ବିସ୍ମୟକର ଭାବେ ସରକାର ଏବଂ ପୁଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ କରି ନିରବ ରହିଥିଲେ। ବିଭିନ୍ନ ଥାନାରେ ସାଧାରଣ ଲୋକେ ଅଭିଯୋଗ ପତ୍ରମାନ ଦାଖଲ କଲେ, ଅଥଚ ସରକାର କୌଣସି ସମାଲୋଚନା କଲେ ନାହିଁ କି ଶାସକ ଦଳର ନେତାମାନେ ଏହା ବିରୋଧରେ ମୁହଁ ଖୋଲିଲେ ନାହିଁ।

ଏପରିକି ପ୍ରଧାନମନ୍ତ୍ରୀ ଏଭଳି ଏକ ସ୍ପର୍ଶକାତର ଘଟଣାରେ ମଧ୍ୟ ନିରବ ରହିଲେ। କେବଳ ହରିଦ୍ବାର କାହିଁକି, ଅନେକ ସ୍ଥାନରେ ଏହି ନିର୍ଦିଷ୍ଟ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ଘୃଣା ବ୍ୟଂଜକ ବୟାନମାନ ପ୍ରଦାନ କରାଯାଉଛି, ଯାହା ସାଂପ୍ରଦାୟିକ ସଦ୍‌ଭାବନାର ପରିବେଶକୁ ପ୍ରଦୂଷିତ କରୁଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ପ୍ରଧାନମନ୍ତ୍ରୀଙ୍କ ନିରବତା ଏଭଳି ସାଂପ୍ରଦାୟିକ ବୟାନବାଜିରେ ଦେଖିବାକୁ ମିଳୁଥିବା ବୃଦ୍ଧି ପଛର ଏକ କାରଣ ନୁହେଁ ତ?

ସାଧାରଣ ଜ୍ଞାନରୁ କୁହାଯାଇପାରେ ‌େଯ ଭାରତରେ ସାଂପ୍ରଦାୟିକ ସଦ୍‌ଭାବନା କ୍ଷୁଣ୍ଣ ହେଉ ବୋଲି ଆମ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଏକାନ୍ତ ଭାବେ ଚାହିଥାଏ। ସାଂପ୍ରଦାୟିକ ସୌହାର୍ଦ୍ୟରେ ଭରପୂର ଶକ୍ତିଶାଳୀ ଭାରତ ହେବ ପାକିସ୍ତାନ ଲାଗି ଏକ ବଡ଼ ଦୁଃସ୍ବପ୍ନ। ତେଣୁ ଏଭଳି ଏକ ସ୍ଥିତିରେ ସାଂପ୍ରଦାୟିକ ତିକ୍ତତା ସୃଷ୍ଟି କରିବାର ଉଦ୍ୟମ ପ୍ରକାରାନ୍ତରେ ପାକିସ୍ତାନର ଇଚ୍ଛା ପୂରଣ ଭଳି ହେବ। ରାମ ମନ୍ଦିର ଏବଂ ବାବ୍‌ରୀ ମସ୍‌ଜିଦ୍‌ ରାୟ ପରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ସାଂପ୍ରଦାୟିକ ସଦ୍‌ଭାବନା ବଜାୟ ରହୁ ବୋଲି ଯେଉଁ ପରାମର୍ଶ ଦେଇଥିଲେ, ଦେଶ ତାହା ସାଦରେ ଗ୍ରହଣ କରିଥିଲା। ତେଣୁ ଏବେ ଯେତେବେଳେ ସାଂପ୍ରଦାୟିକ ବିଷର ମଞ୍ଜି ବୁଣିବା ଲାଗି ଉଦ୍ୟମ ପୁଣି ଥରେ ଆରମ୍ଭ ହୋଇଛି, ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କଡ଼ା ଚେତାବନୀ ଏଥିରେ ନିଶ୍ଚୟ ଲଗାମ ଲଗାଇ ପାରିବ।

ସମ୍ବନ୍ଧିତ ଖବର