ଦୃଷ୍ଟିହୀନଙ୍କ ଦେଶରେ ଏକଚକ୍ଷୁଧାରୀ ରାଜା

ସରସ ରସ - ସୁଭାଷ ପଟ୍ଟନାୟକ

ଦୁଇଟି ବହୁ ପ୍ରଚଳିତ ପ୍ରବାଦ ବାକ୍ୟ ସଂପର୍କରେ ଆମେ ସମସ୍ତେ ଜାଣିଛେ। ଗୋଟିଏ ହେଉଛି ‘ସ୍ବଳ୍ପ ବିଦ୍ୟା ଭୟଙ୍କର’ ଓ ଅନ୍ୟଟି ହେଉଛି ‘ଦୃଷ୍ଟିହୀନଙ୍କ ଦେଶରେ ଏକଚକ୍ଷୁଧାରୀ ରାଜା’। ପ୍ରଥମଟିର ସ୍ରଷ୍ଟା ଆଲେକଜାଣ୍ଡାର ପୋପ୍। ‘ଏ ଲିଟିଲ୍‌ ଲର୍ଣ୍ଣି ଇଜ୍‌ ଏ ଡେଞ୍ଜରସ୍ ଥିଙ୍ଗ୍‌’ ସେ ଲେଖିଥିଲେ ତାଙ୍କ କବିତା ‘ଆନ ଏସେ ଅନ୍ କ୍ରିଟିସିଜିମ୍‌’ରେ। ଦ୍ୱିତୀୟ ପ୍ରବାଦ ବାକ୍ୟଟି ପଞ୍ଚଦଶ ଶତାବ୍ଦୀର ଡଚ୍ ଦାର୍ଶନିକ ଇରାସମସ୍ ତାଙ୍କ ଆପ୍ତବାକ୍ୟ ସଂକଳନ ‘ଆଡାଜିଆ’ରେ ସ୍ଥାନିତ କରିଛନ୍ତି- ‘ଇନ୍ ଦ କଣ୍ଟ୍ରି ଅଫ୍‌ ବ୍ଲାଇଣ୍ଡ୍ ଦ ୱାନ୍‌ଆଇଡ ମ୍ୟାନ୍‌ ଇଜ୍ କିଙ୍ଗ୍‌’। ଉଭୟ ବାକ୍ୟର ଅନ୍ତର୍ନିହିତ ଅର୍ଥ ପ୍ରାୟତଃ ଏକପ୍ରକାର। ଅର୍ଦ୍ଧଜ୍ଞାନ ବିପଦପୂର୍ଣ୍ଣ ହେଲେ ମଧ୍ୟ ଜଣେ ସ୍ବଳ୍ପ ଜ୍ଞାନ ସଂପନ୍ନ ବ୍ୟକ୍ତି କେବଳ ମୂର୍ଖମାନଙ୍କୁ ନେତୃତ୍ବ ଦେଇ ନିଜକୁ ଜ୍ଞାନୀ ବୋଲାଇ ପାରେ। ପ୍ରଶ୍ନ ଉଠେ, ସତରେ କ’ଣ ଅଳ୍ପ ଜ୍ଞାନ ଭୟଙ୍କର? ଏହାର ଉତ୍ତର ‘ହଁ’ ହୋଇପାରେ ‘ନା’ ମଧ୍ୟ ହୋଇପାରେ। ମନସ୍ତତ୍ତ୍ବରେ ଗୋଟିଏ ବିଷୟ ଅଛି ‘ଡନିଂ କ୍ରୁଗର୍ ଇଫେକ୍ଟ’। ମନୁଷ୍ୟର ଏହା ଏକ ସଜ୍ଞାନାତ୍ମକ ବିଭ୍ରାନ୍ତି ଯେଉଁଥିରେ ଜଣେ କିଛି ଜ୍ଞାନ ପାଇଗଲେ ଆଉ ଆଗକୁ ନ ବଢ଼ି ସେତିକିରେ ନିଜକୁ ବିଶେଷଜ୍ଞ ବୋଲି ଭାବି ନିଏ। ଜଣେ କେବେ ହେଲେ କୌଣସି ଏକ ବିଦ୍ୟାରେ ମହାପଣ୍ଡିତ ହୋଇ ପାରିବନି। ତେଣୁ ଡାରୱିନଙ୍କ କହିବା ପରି, ସ୍ବଳ୍ପ ଜ୍ଞାନ ସଂପୂର୍ଣ୍ଣ ଜ୍ଞାନ ଠାରୁ ଅଧିକ ଆତ୍ମବିଶ୍ବାସ ଜନ୍ମାଏ ଓ ସେଥି ପାଇଁ କିଛି ଗୋଟେ ଜାଣିଗଲେ ସଂପୃକ୍ତ କ୍ଷେତ୍ରରେ ମନୁଷ୍ୟ ନିଜକୁ ମହାପଣ୍ଡିତ ବୋଲି ଭାବେ। ମହାଭାରତରେ ଅଭିମନ୍ୟୁ କଥା ଦେଖନ୍ତୁ। ସଂପୂର୍ଣ୍ଣ ଜ୍ଞାନ ନ ଥାଇ ଚକ୍ରବ୍ୟୂହରେ ପଶିବାର ଫଳ କ’ଣ ହେଲା। ଅପର ପକ୍ଷେ ସାମାନ୍ୟ ଜ୍ଞାନ ମଧ୍ୟ କାମରେ ଆସିଥାଏ। ଥରେ ଏକ ଗାଁରେ ଜଣେ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଲେ। ଡାକ୍ତରଖାନା ବହୁତ ଦୂର। ଏକ ଚିକିତ୍ସାଳୟରେ ସଫେଇ କାର୍ଯ୍ୟ କରୁଥିବା ଗାଁର ଜଣେ ଯୁବକ ରୋଗୀକୁ ବଞ୍ଚାଇବାକୁ ଯାଇ ତାଙ୍କ ଛାତିର ନିର୍ଦ୍ଦିଷ୍ଟ ସ୍ଥାନରେ ତିନିଟି ବିଧା ମାରିଲେ। ସେତିକିରେ ହୃତ୍‌ପିଣ୍ଡ ପୁନଃ କାର୍ଯ୍ୟକ୍ଷମ ହୋଇ ରୋଗୀ ବଞ୍ଚିଗଲା। ଡାକ୍ତରଙ୍କ ଠାରୁ ଦେଖି ଶିଖିଥିବା ଏ ପ୍ରକାର ‘ପ୍ରିକର୍ଡିଆଲ ଥମ୍ପ୍’ର ଜଣେ ଅନଭିଜ୍ଞ ବ୍ୟକ୍ତି ଦ୍ବାରା ପ୍ରୟୋଗ ସର୍ବଦା ବିପଦମୁକ୍ତ ହୋଇ ନ ପାରେ।

କୌଣସି ବ୍ୟକ୍ତି ସଂପୂର୍ଣ୍ଣ ଜ୍ଞାନୀ ନୁହନ୍ତି। ଜ୍ଞାନ ଆହରଣ ସମୟରେ ମନୁଷ୍ୟ ସ୍ବଳ୍ପ ଜ୍ଞାନର ଅଧିକାରୀ ହୋଇଥାଏ। ଠିକ୍ ସେତିକିବେଳେ ନିଜକୁ ବିଶେଷଜ୍ଞ ବୋଲି ଭାବି ତାକୁ କାର୍ଯ୍ୟରେ ଲଗାଇ ଦେଲେ ବିପର୍ଯ୍ୟୟ ଘଟିବା ସ୍ବାଭାବିକ। ତେଣୁ ଆଲେକଜାଣ୍ଡାର ପୋପ୍ ଲେଖିଛନ୍ତି, ‘ଡ୍ରିଙ୍କ୍‌ ଡିପ୍, ଅର୍ ଟେଷ୍ଟ ନଟ୍ ଦ ପେରିୟାନ ସ୍ପ୍ରିଂ’। ଅର୍ଥାତ୍‌ ଜ୍ଞାନର ରସ ପିଇଚାଲ, କେବେ ବି ଟିକିଏ ଚାଖି ଦେଇ ରହି ଯାଅନି। ଆକାଶକୁ ଯେମିତି ଛୁଇଁ ହୁଏନା, ଜ୍ଞାନର ଶେଷ ସୀମା ସେମିତି ଅପହଞ୍ଚ। ‘ତୁମେ ଯେତେ ଅଧିକ ଜାଣିବ, ଜାଣିପାରିବ ଯେ ତୁମେ କିଛି ବି ଜାଣିନ’ (ଆରିଷ୍ଟୋଟଲ)।

ଏହା ପରେ ଦୃଷ୍ଟିହୀନଙ୍କ ଦେଶରେ ଏକ ଚକ୍ଷୁଧାରୀ ରାଜାଙ୍କ କଥା। ଦୃଷ୍ଟିହୀନମାନଙ୍କୁ ଅନ୍ୟ ଜଣେ ଦୃଷ୍ଟିହୀନ ବାଟ ଦେଖାଇଲେ ସମସ୍ତେ ଖାଲରେ ପଡ଼ିବେ। ଏଇଠି ଆବିର୍ଭାବ ହୁଏ ଜଣେ ଏକ ଚକ୍ଷୁଧାରୀ ବ୍ୟକ୍ତିର। ଆଂଶିକ ଦୃଷ୍ଟିସଂପନ୍ନ ହେଲେ ବି ଜଣେ ଏକ ଚକ୍ଷୁଧାରୀ ବ୍ୟକ୍ତି ଦୃଷ୍ଟିହୀନମାନଙ୍କୁ ଠିକ୍ ରାସ୍ତା ଦେଖାଇ ପାରିବ; ଜ‌େଣ ସ୍ବଳ୍ପ ଜ୍ଞାନୀ ଅଜ୍ଞାନଙ୍କ ମେଳରେ ଶ୍ରେଷ୍ଠ ବୋଲାଇ ପାରିବା ଭଳି। କିନ୍ତୁ ତାହା ବାସ୍ତବରେ ସତ ହୁଏ ନାହିଁ। ଦୃଷ୍ଟିହୀନମାନଙ୍କ ମଧ୍ୟରେ ଜଣେ ଏକ ଚକ୍ଷୁଧାରୀ ବ୍ୟକ୍ତି ପଥ ପ୍ରଦର୍ଶକ ହେବା ଅନେକ ସମୟରେ ସମ୍ଭବ ହୋଇ ନ ପାରେ। କାରଣ ଦୃଷ୍ଟିହୀନମାନେ ତାଙ୍କୁ ବିଶ୍ବାସକୁ ନେଇ ନ ପାରନ୍ତି। ଏଚ୍. ଜି. ୱେଲ୍‌ସଙ୍କର ଗଳ୍ପ ‘ଦ କଣ୍ଟ୍ରି ଅଫ୍ ବ୍ଲାଇଣ୍ଡ୍’ ମନେ ପକାନ୍ତୁ। ପର୍ବତ ଚଢ଼ାଳି ନ୍ୟୁନେଜ ଗିରିଶୃଙ୍ଗରୁ ଏକ ଅଜଣା ଇଲାକାକୁ ଖସିପଡ଼ି ଦେଖିଲା ଯେ ସେଠାରେ ଯେଉଁମାନେ ବାସ କରନ୍ତି, ସମସ୍ତେ ଚଉଦ ପୁରୁଷ ଧରି ଦୃଷ୍ଟିହୀନ। ସଭ୍ୟ ଜଗତ୍‌କୁ ଆଉ ଫେରି ପାରିବନି ଜାଣି ସେ ସ୍ଥିର କଲା, ଯେହେତୁ ସେ ଚକ୍ଷୁଷ୍ମାନ, ତେଣୁ ଦୃଷ୍ଟିହୀନମାନଙ୍କର ରାଜା ହୋଇ ସେଇଠି ରହିଯିବ। ଦୃଷ୍ଟିହୀନମାନଙ୍କୁ ଡାକି ସେ ଦେଖି ପାରୁଥିବା, ଅତଏବ ସେମାନଙ୍କର ପଥପ୍ରଦର୍ଶକ ହୋଇପାରିବା କଥା କହିବାରୁ କେହି ବିଶ୍ବାସ ନ କରି ତାକୁ ପାଗଳ ଭାବିଲେ। ଅଗତ୍ୟା ବାଧ୍ୟ ହୋଇ ସେ ଘୋଷଣା କଲା ଯେ ଦେଖିପାରୁଥିବା କଥା ତା’ର ମିଛ ଓ ସେ ଅନ୍ୟମାନଙ୍କ ପରି ଦୃଷ୍ଟିହୀନ। ସମୟ କ୍ରମେ ମୁଖିଆଙ୍କ ଝିଅ ମେଡିନା ସହିତ ତା’ର ପ୍ରେମ ହୋଇଗଲା ଓ ଉଭୟ ବିବାହ କରିବାକୁ ସ୍ଥିର କଲେ। ଅତୀତରେ ବାରମ୍ବାର ଦେଖି ପାରୁଥିବା କଥା କହି ଥିବାରୁ ନ୍ୟୁନେଜ ସତରେ ପାଗଳ କି ନୁହେଁ ତାହା ବିବାହ ପୂର୍ବରୁ ନିଶ୍ଚିତ ହେବାକୁ ଜଣେ ଡାକ୍ତରଙ୍କୁ ଡକାଗଲା। ଡାକ୍ତର ଅନୁଭବ କଲେ ଯେ ନ୍ୟୁନେଜର ମୁହଁରେ ଯେଉଁଠି ଦୁଇଟି ଖୋପ ରହିବା କଥା, ସେଠି ଦୁଇଟି ମାଂସ ପିଣ୍ଡୁଳା (ଡୋଳା) ରହି ମସ୍ତିଷ୍କରେ ଚାପ ସୃଷ୍ଟି କରୁଛି। ତେଣୁ ପାଗଳାମି ଭବିଷ୍ୟତରେ ପୁନଶ୍ଚ ବାହାରି ପାରେ। ସ୍ଥିର ହେଲା ଡୋଳା ଦୁଇଟିକୁ କାଢ଼ି ଦିଆଯିବ। ଅପରେସନ ହେବାର ପୂର୍ବ ରାତିରେ ନ୍ୟୁନେଜ ବହୁତ ଭାବି ସ୍ଥିର କଲା ଯେ, ଦୃଷ୍ଟିହୀନ ହୋଇ ସେମାନଙ୍କ ମେଳରେ ରହିବା ଅପେକ୍ଷା ଚକ୍ଷୁଷ୍ମାନ ହୋଇ ବରଂ ମରିଯିବା ଭଲ। ତେଣୁ ସେ ଦୃଷ୍ଟିହୀନଙ୍କ ରାଜ୍ୟ ଛାଡ଼ି ଜଙ୍ଗଲକୁ ଚାଲିଗଲା।

ତେଣୁ ଜଣେ ଚକ୍ଷୁଷ୍ମାନ (ଏକ ଚକ୍ଷୁଧାରୀ ହେଲେ ବି) ଦୃଷ୍ଟିହୀନଙ୍କ ମଧ୍ୟରେ ରାଜା ହେବା କଷ୍ଟକର। ବରଂ ଦୃଷ୍ଟିହୀନମାନଙ୍କ ମଧ୍ୟରୁ କେହି ଜଣେ ଚତୁର ଦୃଷ୍ଟିହୀନ ସେମାନଙ୍କର ରାଜା ହୋଇପାରିବା ସହଜ। ଏବେ ଆମ ଦେଶ ଶାସନରେ ଠିକ୍ ଏହି କଥା ଘଟୁଛି। ଅପର ପକ୍ଷେ ଅର୍ଦ୍ଧଜ୍ଞାନ ନିଜ ପାଖରେ ସୀମିତ ଥିବା ପର୍ଯ୍ୟନ୍ତ ଭୟଙ୍କର ନୁହେଁ ବରଂ ଅଜ୍ଞତା ଠାରୁ ଭଲ। କିନ୍ତୁ ଅର୍ଦ୍ଧଜ୍ଞାନର ପ୍ରୟୋଗ ସର୍ବଦା ବିପଦପୂର୍ଣ୍ଣ।

ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର