ଗତ କେତେ ମାସ ହେଲା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସେ ରାଜ୍ୟରେ ଥିବା ମନ୍ଦିରମାନଙ୍କୁ ଆଉ ସରକାର ଚଳାଇବେ ନାହିଁ ଓ ସେହି ମନ୍ଦିରର ଅଧିକାରୀମାନେ ତାହାକୁ ଚଳାଇବେ ବୋଲି ଏକ ଆଇନ ଗୃହୀତ କରିଛନ୍ତି। ଏହା ସେହି ରାଜ୍ୟ ଓ ଭାରତର ଅନ୍ୟତ୍ର ଏକ ବିସ୍ମୟର ଭାବ ଖେଳାଇଛି। କାରଣ, ମୁଖ୍ୟତଃ ଦକ୍ଷିଣ ଭାରତରେ କେରଳ, ତାମିଲନାଡୁ ଆଦି ରାଜ୍ୟମାନଙ୍କରେ ସରକାରଙ୍କର ଏକ ମନ୍ଦିର ବୋର୍ଡ ଅଛି, ଯାହାର ଏକ ମନ୍ତ୍ରୀ ମଧ୍ୟ ଅଛନ୍ତି। ଏହି ମନ୍ତ୍ରୀ ସବୁ ମନ୍ଦିରମାନଙ୍କର ପରିଚାଳନା କରିଥା’ନ୍ତି। କେରଳରେ ଏହାକୁ ଦେବସ୍ୱମ ବୋର୍ଡ ବୋଲି କୁହାଯାଇଥାଏ। ଭାରତରେ ସବୁଠୁ ଧନୀ ମନ୍ଦିର ଥିରୁଅନନ୍ତପୁରମର ଶ୍ରୀପଦ୍ମନାଭେଶ୍ୱର, ଗୁରୁଭାୟୁର, ସାବରିମାଳା ଆଦି ପ୍ରସିଦ୍ଧ ମନ୍ଦିରମାନ ‘ଦେବସ୍ୱମ ବୋର୍ଡ’ ଦ୍ୱାରା ପରିଚାଳିତ। ତାମିଲନାଡୁରେ ମଧ୍ୟ ସେହି ଅବସ୍ଥା। ଏ ଯାଏ କର୍ଣ୍ଣାଟକରେ ମଧ୍ୟ ସେହି ଅବସ୍ଥା ଥିଲା। ଆନ୍ଧ୍ରର ତିରୁପତି ମନ୍ଦିରକୁ ‘ତିରୁପତି ତିରୁମଲ୍ଲା ଦେବସ୍ଥାନମ’ ଚଳାଇଥାଏ, ଯାହା ରାଜ୍ୟ ସରକାରଙ୍କ ଅଧୀନରେ କାମ କରେ। ଓଡ଼ିଶାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ଆଇଏଏସ୍‌ ଅଫିସର ମନ୍ଦିର ପ୍ରଶାସକ ଭାବରେ ଚଳାଇଥା’ନ୍ତି। ଅନ୍ୟ ସବୁ ରାଜ୍ୟମାନଙ୍କରେ ଅବସ୍ଥା ପାଖାପାଖି ଓଡ଼ିଶା ପରି।

Advertisment

ଏଠାରେ ମହତ୍ତ୍ବପୂର୍ଣ୍ଣ କଥା ହେଲା, କେରଳର ଅଣହିନ୍ଦୁମାନଙ୍କ ସଂଖ୍ୟା ପ୍ରାୟ ୪୪% (୨୫% ମୁସଲମାନ+୧୯% ଖ୍ରୀଷ୍ଟିଆନ), ସେଠାରେ ହିନ୍ଦୁମାନଙ୍କ ସଂଖ୍ୟା ପ୍ରାୟ ୫୬%। ହିନ୍ଦୁ, ଅଣହିନ୍ଦୁମାନଙ୍କ ସଂଖ୍ୟାରେ କେରଳରେ ସେତେ ବେଶି ଫରକ ନ ଥିଲେ ମଧ୍ୟ ଅଣହିନ୍ଦୁ ଧର୍ମାନୁଷ୍ଠାନମାନଙ୍କୁ ସରକାର ଚଳାଇ ନ ଥା’ନ୍ତି। ପଞ୍ଜାବର ଅମୃତସର ଶିଖ୍ ମୁଖ୍ୟ ଧର୍ମପୀଠ ସ୍ୱର୍ଣ୍ଣ ମନ୍ଦିରର ପରିଚାଳନା ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ନୁହେଁ, ଯଦିଓ ସ୍ୱାଧୀନତା ପରେ ପଞ୍ଜାବରେ ସବୁ ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି ଶିଖ୍। ଗୁରୁଦ୍ୱାରା ପ୍ରବନ୍ଧକ କମିଟି ହିଁ ସ୍ୱର୍ଣ୍ଣ ମନ୍ଦିରର ପରିଚାଳନା କରିଥା’ନ୍ତି। ଦିଲ୍ଲୀର ଜାମା ମସ୍‌ଜିଦ ବା ଭାରତର ଅନ୍ୟତ୍ର ଥିବା ମୁସଲମାନ ଧର୍ମାନୁଷ୍ଠାନମାନଙ୍କୁ ସରକାର ଚଳାଇ ନ ଥା’ନ୍ତି। ଆଶ୍ଚର୍ଯ୍ୟର ବିଷୟ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଥିଲେ ଜଣେ ଉଦାହରଣୀୟ ଧର୍ମ ନିରପେକ୍ଷ ବ୍ୟକ୍ତି। ସାଧାରଣତଃ ମନ୍ଦିର ବା ଧର୍ମାନୁଷ୍ଠାନମାନଙ୍କୁ ସେ ଯାଉ ନ ଥିଲେ। କିନ୍ତୁ ତାଙ୍କରି ବେଳେ ହିଁ ବଡ଼ ବଡ଼ ମନ୍ଦିରମାନ ସରକାରମାନଙ୍କ ନିୟନ୍ତ୍ରଣକୁ ଆସିଲା। କଂଗ୍ରେସ ଦଳ ଯେଉଁ ପ୍ରଥମ ୫୦ ବର୍ଷରୁ ଅଧିକ କ୍ଷମତାରେ ରହିଲା, ସେହି ସମୟରେ ମନ୍ଦିରମାନେ ସବୁ ସରକାରଙ୍କ ନିୟନ୍ତ୍ରଣକୁ ଆସିଲେ। ଅଥଚ, ୧୯୫୦ରେ ଯେତେବେଳେ ଭାରତ ସମ୍ବିଧାନ ପ୍ରଣୀତ ହେଲା ତା’ର ପ୍ରିଏମ୍ବଲ (ମୁଖଶାଳା)ରେ ଲେଖାଅଛି, ‘ଭାରତ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ପ୍ରଜାତନ୍ତ୍ର’ ରାଷ୍ଟ୍ର ହେବ। ପରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଘୋଷିତ ଜରୁରୀକାଳୀନ ଅବସ୍ଥା ବେଳେ ଏଥିରେ ‘ସମାଜବାଦ’ ଓ ‘ଧର୍ମ ନିରପେକ୍ଷ’ ଏପରି ୨ଟି ଶବ୍ଦ ଯୋଡ଼ି ଦିଆଗଲା।

ମୋଟାମୋଟି ଭାବରେ ଧର୍ମ ନିରପେକ୍ଷ ଶବ୍ଦର ଅର୍ଥ ହିସାବରେ ଆମକୁ କୁହାଯାଇଛି ଯେ, ସରକାରର କୌଣସି ଧର୍ମ ନାହିଁ, ଧର୍ମ ଭିତ୍ତିରେ ସରକାର ବ୍ୟକ୍ତି ବା ଅନୁଷ୍ଠାନ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିପାରିବେ ନାହିଁ। ମୁଖ୍ୟତଃ ସମ୍ବିଧାନର ଧାରା ୨୫ ଓ ୨୬ରେ ଏକଥା ଲିପିବଦ୍ଧ ଅଛି। ଧାରା ୨୫ରେ ବିଚାରର ସ୍ୱାଧୀନତା, ଧର୍ମଗ୍ରହଣ, ପ୍ରଚାର ଓ ପାଳନର ସ୍ୱାଧୀନତାର କଥା କୁହାଯାଇଛି। ସେହିପରି ବିଭିନ୍ନ ଧର୍ମର ଲୋକମାନଙ୍କୁ ଧର୍ମୀୟ ବ୍ୟାପାରର ପରିଚାଳନାର ସ୍ୱାଧୀନତା ଦିଆଯାଇଛି। ଏଥିରେ ଗ୍ୟାରେଣ୍ଟି ଦିଆଯାଇଛି ଯେ ପ୍ରତ୍ୟେକ ଧର୍ମ ଓ ଏହାର ବିଭିନ୍ନ ବର୍ଗମାନେ ଅବାଧରେ ସେମାନଙ୍କର ଧର୍ମାନୁଷ୍ଠାନ ବା ଦାତବ୍ୟ ପ୍ରତିଷ୍ଠାନ ଗଠନ କରିପାରିବେ ଏବଂ ତା’ର ପରିଚାଳନା କରିପାରିବେ। ଏଥିପାଇଁ ସେହି ବର୍ଗର ଲୋକମାନେ ସମ୍ପତ୍ତି ଓ ପ୍ରଶାସନର ଦଖଲ ମଧ୍ୟ କରିପାରିବେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ଆଇନ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍ ବା ଅନ୍ୟାନ୍ୟ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଲାଗୁ ହେଉଥିଲା ବେଳେ ହିନ୍ଦୁମାନଙ୍କ କ୍ଷେତ୍ରରେ ତାହାର ଓଲଟା କଥା ଘଟୁଛି। ଏ କ୍ଷେତ୍ରରେ ଆଉ ଧର୍ମ ନିରପେକ୍ଷ ସଂଜ୍ଞାର ପ୍ରୟୋଗ ହେଉନାହିଁ।

ଅବଶ୍ୟ, କର୍ଣ୍ଣାଟକ କ୍ଷେତ୍ରରେ କୁହାଯାଇପାରେ ଯେ, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ହେଉଛନ୍ତି ଲିଙ୍ଗାୟତ ସଂପ୍ରଦାୟର। ସେହି ସଂପ୍ରଦାୟ ହାତରେ ଶ୍ରୀଙ୍ଗେରି ପରି ଭାରତ ବିଖ୍ୟାତ ମଠ ରହିଛି। ସେହି ମଠର ମଠାଧୀଶମାନେ ଭାରତ ବିଖ୍ୟାତ। ଏ ଧରଣର ପ୍ରଭାବଶାଳୀ ମଠର ପରିଚାଳନା ସରକାରଙ୍କ ହାତକୁ ଯାଉ ବୋଲି ସେହି ମଠାଧୀଶମାନେ ଚାହାନ୍ତି ନାହିଁ। ସେଥି ଲାଗି ହୁଏ’ତ ମୁଖ୍ୟମନ୍ତ୍ରୀ ବୋମାଇ ଏପରି ନୂଆ ଆଇନ ଲାଗୁ କରିଛନ୍ତି। କିନ୍ତୁ ଯାହା ହେଲେ ବି, ଏ ଧରଣର ଆଇନ ସମ୍ବିଧାନସମ୍ମତ। ଏଥିରେ ପକ୍ଷପାତିତ୍ୱ ନାହିଁ। ସରକାରଙ୍କ ନିୟନ୍ତ୍ରଣରୁ ଏଥିରେ ମନ୍ଦିରମାନଙ୍କୁ ମୁକ୍ତ କରିଥିବାରୁ ‘ଧର୍ମ ନିରପେକ୍ଷତା’ ଏଥିରେ ନଷ୍ଟ ନ ହୋଇ ବରଂ ପ୍ରତିଷ୍ଠା ହେଉଛି।

କିନ୍ତୁ କର୍ଣ୍ଣାଟକ ସରକାର ଏପରି ଆଇନ ଗୃହୀତ କରିଥିଲା ବେଳେ ସେଠାକାର କଂଗ୍ରେସ ଦଳର ସଭାପତି ଶିବ କୁମାର ଆପତ୍ତି କରିଛନ୍ତି ଯେ, କରୋନା ମହାମାରୀ ସାରା ମଣିଷ ଜାତିକୁ ଆଉ କର୍ଣ୍ଣାଟକର ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରୁଥିଲା ବେଳେ ଜନସ୍ୱାସ୍ଥ୍ୟ ରକ୍ଷା, କୋଭିଡ୍ ପରିଚାଳନା ଓ ଅର୍ଥ ସାହାଯ୍ୟ ପାଇଁ ସରକାରଙ୍କୁ ବିପୁଳ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ସରକାରମାନେ ହିନ୍ଦୁ ମନ୍ଦିରମାନଙ୍କରୁ ଓ ବିଶେଷ କରି ଦକ୍ଷିଣ ଭାରତ ମନ୍ଦିରମାନଙ୍କରୁ ବିପୁଳ ଅର୍ଥ ଆୟ କରୁଛନ୍ତି। ଏହି ମନ୍ଦିରମାନଙ୍କର ପରିଚାଳନାକୁ ଧର୍ମାନୁଷ୍ଠାନମାନଙ୍କ ହାତକୁ ହସ୍ତାନ୍ତରିତ କରିବା ଫଳରେ ସରକାରଙ୍କ ହାତକୁ ସେହି ଅର୍ଥ ଆସିବ ନାହିଁ। ଏଣୁ ହିନ୍ଦୁ ମନ୍ଦିର ପରିଚାଳନାକୁ ଛାଡ଼ି ଦେବା ଫଳରେ ସରକାରମାନଙ୍କ ଅଶେଷ କ୍ଷତି ହେବ। ଉଦାହରଣ ସ୍ୱରୂପ, କର୍ଣ୍ଣାଟକର ପ୍ରସିଦ୍ଧ ମନ୍ଦିରମାନେ ଗତ ୨ ବର୍ଷରେ ୧୪ ଶହ କୋଟି ଟଙ୍କା ଆୟ କରିଛନ୍ତି। କିନ୍ତୁ କଥା ହେଲା, ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଦ୍ୱାରା ପରିଚାଳିତ ଗୁରୁଦ୍ୱାରାମାନଙ୍କର ବାର୍ଷିକ ଆୟ ୧,୦୦୦ କୋଟି ଟଙ୍କାରୁ ଅଧିକ, ଏହାକୁ କ’ଣ ସରକାର ନିଜ ହାତକୁ ନେଇ ପାରିବେ?

ତାମିଲନାଡୁ ସରକାରଙ୍କ ଅଧୀନରେ ୪୪,୦୦୦ ମନ୍ଦିର ଅଛନ୍ତି, ଯେଉଁମାନଙ୍କ ଅଧୀନରେ ୫ ଲକ୍ଷ ଏକର ଜମି ରହିଛି। ଏହି ମନ୍ଦିରମାନଙ୍କରୁ କିନ୍ତୁ ମାତ୍ର ୧୨୫ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥାଏ। ଏହା ସେତେ ଅଧିକ ନୁହେଁ। ତେବେ, ସରକାର ମନ୍ଦିରମାନଙ୍କର ପରିଚାଳନା ନିଜ ହାତକୁ ନେଇଛନ୍ତି କାହିଁକି?

ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନୁଧ୍ୟାନ କଲେ ଦେଖାଯିବ, ସତେ ଯେପରି ଏହା ଏକ ସରକାରୀ ବିଭାଗ। ଜିଲ୍ଲାପାଳ, ସାରା ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ଆଇଏଏସ୍‌ ଅଫିସର ଏ ମନ୍ଦିର ପ୍ରଶାସକ ହିସାବରେ ମନ୍ଦିରର ପରିଚାଳନା କରିଥା’ନ୍ତି। ଏଠାରେ ମନ୍ଦିରର ଆୟ ସେତେ ବେଶି ନୁହେଁ, ଯାହା କୋଭିଡ୍ ପରିଚାଳନା କ୍ଷେତ୍ରରେ ସରକାରଙ୍କୁ ଆର୍ଥିକ ଭାବେ ସାହାଯ୍ୟ କରିପାରିବ। କିନ୍ତୁ ମନ୍ଦିର ପରିଚାଳନାର ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କୁ ଦୋଷ ଦିଆଯାଇଥାଏ ଓ ସରକାର ପରିଚାଳନା କ୍ଷେତ୍ରରେ ନିଜେ ସବୁ କଥା ପାଇଁ ଦାୟୀ ବୋଲି ସ୍ୱୀକାର ମଧ୍ୟ କରିଥା’ନ୍ତି। ଏପରି କି ବ୍ରହ୍ମ ପରିବର୍ତ୍ତନ ବେଳେ କାହିଁକି ବିଭ୍ରାଟ ହେଲା, ତାହା ସରକାରଙ୍କ ଦାୟିତ୍ୱ ବୋଲି କୁହାଯାଇଥାଏ। ସରକାର ମଧ୍ୟ ତାହା ତାଙ୍କ ଦାୟିତ୍ୱ ବୋଲି ସ୍ୱୀକାର କରି ସେଥିପାଇଁ ତଦନ୍ତ କମିଟି ଗଠନ କରିଥା’ନ୍ତି।

କେତେ ବର୍ଷ ତଳେ ଶ୍ରୀଜଗନ୍ନାଥ ମନ୍ଦିରର କେମିତି ସଂସ୍କାର ହେବ, ସେଥିପାଇଁ ଏକ କମିସନ ଗଠିତ ହୋଇଥିଲା, ଯେଉଁଥିରେ ଅଧ୍ୟକ୍ଷ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଥିଲେ। ସେତେବେଳେ ଏହି ଲେଖକ ମନ୍ଦିର ପରିଚାଳନାର ଦାୟିତ୍ୱ ସରକାର ନିଜ ହାତରେ ନ ରଖି ଏକ ଟ୍ରଷ୍ଟ ହାତରେ ରଖନ୍ତୁ ବୋଲି ପ୍ରସ୍ତାବ ଦେଇଥିଲା, ଯେମିତି ତିରୁପତି, କାଶୀ ବିଶ୍ୱନାଥ, ବୈଷ୍ଣୋଦେବୀ ଆଦି ପ୍ରସିଦ୍ଧ ହିନ୍ଦୁ ମନ୍ଦିରମାନଙ୍କୁ ଟ୍ରଷ୍ଟମାନ ପରିଚାଳନା କରିଥା’ନ୍ତି। ପ୍ରଥମେ ମୁଁ ସୂଚନା ପାଇଥିଲି ଯେ ଏହା ଏକ ନୂତନ ପ୍ରକାର ପ୍ରସ୍ତାବ ହୋଇଥିବାରୁ କମିସନ ସେଥିପାଇଁ ମୋତେ ଡାକି ଏ ସମ୍ପର୍କରେ ପ୍ରଶ୍ନ କରିବେ। କିନ୍ତୁ ତାହା ହେଲା ନାହିଁ। କମିସନ ମୋଟାମୋଟି ଭାବରେ ମୂଳରୁ ଧରିନେଲେ ଯେ, ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ସରକାରଙ୍କର। ତେଣୁ ସରକାରୀ ବିଭାଗ ହିସାବରେ ମନ୍ଦିରର କିପରି ପରିବର୍ତ୍ତନ କରାଯିବ, ସେ କଥା ନିର୍ଣ୍ଣୟ କରିବା କମିସନ୍‌ର କାମ। ମନ୍ଦିର ପରିଚାଳନା ଟ୍ରଷ୍ଟ ବା ହିନ୍ଦୁ ପ୍ରତିଷ୍ଠାନମାନଙ୍କ ହାତକୁ ଦେବା ପାଇଁ ସୁପାରିସ କରିବା କମିସନ୍‌ର କାମ ନୁହେଁ। ତେଣୁ କମିସନ ସୁପାରିସ କଲେ କେମିତି ରାସ୍ତାକୁ ଚଉଡ଼ା କରାଯାଇ ମେଘନାଦ ପାଚେରି ପାଖରୁ ଦୋକାନ ହଟାଯିବ, ମନ୍ଦିରକୁ ଲାଗିକରି ଥିବା ମଠମାନଙ୍କର ଉଚ୍ଛେଦ କରାଯିବ ଇତ୍ୟାଦି ଇତ୍ୟାଦି।

କିନ୍ତୁ କୌଣସି ସରକାର ବା ତାଙ୍କ ଗଠିତ କମିସନ କୌଣସି ମୁସଲମାନ, ଖ୍ରୀଷ୍ଟିଆନ ଅବା ଶିଖ୍ ଆଦି ସଂଖ୍ୟାଲଘୁମାନଙ୍କ ଧର୍ମାନୁଷ୍ଠାନରେ ଏପରି ହସ୍ତକ୍ଷେପ କରି ପାରିଥା’ନ୍ତେ କି? ସେଥିପାଇଁ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଥା’ନ୍ତେ କି? ପଞ୍ଚମ ଦଶକ ବେଳେ ମନ୍ଦିର ପରିଚାଳନା ଗଜପତିଙ୍କ ହାତରେ ଥିଲା। ମନ୍ଦିର ପରିଚାଳନାରେ ନାନା ବିଶୃଙ୍ଖଳା ହେବାରୁ ଏହାକୁ ନେଇ ମାମଲା ସୁପ୍ରିମ୍‌ କୋର୍ଟକୁ ଗଲା ଓ ସୁପ୍ରିମ୍‌ କୋର୍ଟ ଗଜପତିଙ୍କ ହାତରୁ ମନ୍ଦିର ପରିଚାଳନା ଦାୟିତ୍ୱ ଛଡ଼ାଇ ନେଲେ ଏବଂ ସରକାରଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ କହିଲେ। କିନ୍ତୁ ଏହାର ଅର୍ଥ କ’ଣ ଏଇଆ ଯେ, ସରକାର ଏହାକୁ ନିଜର ଏକ ବିଭାଗ ବୋଲି ଧରି ନେଇ ସେହି ଅନୁସାରେ ଆଇଏଏସ୍‌ ଅଫିସରଙ୍କୁ ଲଗାଇ ତା’ର ପରିଚାଳନା କରିବେ? ଏହାକୁ କ’ଣ ଅନ୍ୟ ହିନ୍ଦୁ ମନ୍ଦିରମାନଙ୍କ ପରି ଟ୍ରଷ୍ଟ ଦ୍ୱାରା ପରିଚାଳିତ କରାଯାଇ ପାରିବ ନାହିଁ? ସେହି ଟ୍ରଷ୍ଟରେ କ’ଣ ସ୍ୱତନ୍ତ୍ର ପ୍ରତିନିଧି ରଖାଯାଇ ପାରିବ ନାହିଁ? ଟ୍ରଷ୍ଟ କ’ଣ ମନ୍ଦିର ପ୍ରଶାସକ ନିଯୁକ୍ତି କରିପାରିବ ନାହିଁ? ମନ୍ଦିର ପରିଚାଳନାରେ ଯେ କୌଣସି ଅବସ୍ଥା ପାଇଁ ସରକାର କାହିଁକି ଦାୟୀ ରହିବେ?
ବିପୁଳ ଜନସମାଗମ ହେଉଥିବାରୁ ସରକାର ଧର୍ମାନୁଷ୍ଠାନମାନଙ୍କ କ୍ଷେତ୍ରରେ ଆଇନଶୃଙ୍ଖଳା ରକ୍ଷା କରିବା, ଯାତ୍ରୀ ସୁବିଧା ଯୋଗାଇବା, ଯାତାୟାତ ଓ ପରିବହନର ସୁବିଧା କରିବା, ଜନସ୍ୱାସ୍ଥ୍ୟ ରକ୍ଷା କରିବା ଭଳି ଦାୟିତ୍ବ ଅବଶ୍ୟ ନିର୍ବାହ କରିପାରିବେ। କିନ୍ତୁ ପହଣ୍ଡି ବିଜେ କେମିତି ହେବ, ମନ୍ଦିର ଭୋଗ କେମିତି ଲାଗିବ, ବ୍ରହ୍ମ ପରିବର୍ତ୍ତନ କେମିତି ହେବ; ସେ କଥା କ’ଣ ଦେଖିବା ସରକାରଙ୍କ କାମ? ଏପରିକି କେରଳରେ ଧର୍ମରେ ବିଶ୍ୱାସ କରୁନଥିବା ଏକ ବାମପନ୍ଥୀ ସରକାର ମଧ୍ୟ ହିନ୍ଦୁ ମନ୍ଦିରମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଓ ସାବାଳିକା ମହିଳାମାନେ ସାବରିମାଳା ମନ୍ଦିରକୁ ଯିବେ କି ନାହିଁ ସେ ସମ୍ପର୍କରେ ନିର୍ଣ୍ଣୟ ନେବାକୁ ଅତ୍ୟନ୍ତ ଆଗ୍ରହୀ। ଏତେ ବଡ଼ ପ୍ରଭାବଶାଳୀ ମନ୍ଦିରମାନଙ୍କୁ ନିଜ କ୍ଷମତା ପରିସର ମଧ୍ୟରୁ ବାହାରେ ରଖିବା ପାଇଁ ସେମାନେ ରାଜି ନୁହନ୍ତି।

ଏ ସମ୍ପର୍କରେ ଗଭୀର ଚିନ୍ତା କରାଯିବା ଦରକାର। ସରକାରମାନେ ଧର୍ମ ବ୍ୟାପାରରେ ପ୍ରତ୍ୟକ୍ଷ ଭାବରେ ହସ୍ତକ୍ଷେପ କରିବା ଉଚିତ କି ନୁହେଁ ଓ ଉଚିତ ଯଦି ତାହା ସବୁ ଧର୍ମ କ୍ଷେତ୍ରରେ ପ୍ରୟୋଗ ହେବା ଉଚିତ କି ନୁହେଁ, ସେ ନେଇ ବିଚାର କରାଯିବା ଆବଶ୍ୟକ।

ମୋ- ୯୪୩୭୦୨୦୨୯୦
[email protected]