ମନର ଶାନ୍ତି

ଆମରି କଥା - ନାରାୟଣ ମିଶ୍ର

ଆମ ଦୁଃଖୀ ମନର ଏକ ବଡ଼ କାରଣ ଈର୍ଷା। ଧରନ୍ତୁ କେହି ଜଣେ ହଠାତ୍ ଉପରକୁ ଉଠିଗଲା ବା ବହୁତ ଧନୀ ହୋଇଗଲା। ଆମମାନଙ୍କ ଭିତରୁ ଅନେକ ଈର୍ଷାରେ ଜଳିଗଲେ। ସେମାନେ ଭାବି ପାରିଲେ ନାହିଁ ଯେ ଅନେକ ଲୋକ କେବଳ ଋଣ ମାଧ୍ୟମରେ ଗାଡ଼ି, ଘର ଓ ଆସବାବପତ୍ର କରିଯା’ନ୍ତି। ସେମାନେ ‘ଧନୀ’ ବା ବଡ଼ ଲୋକ ଭଳି ଆମକୁ ବିଶ୍ବାସ କରାନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ଋଣ କିସ୍ତି ଶୁଝିବାର କ୍ଷମତା ନ ଥାଏ। ସମୟ ଓ ନିଜ ସଞ୍ଚୟକୁ ଅପେକ୍ଷା ନ କରି ସମାଜ ଆଗରେ ନିଜ ପ୍ରତିଷ୍ଠା ଦେଖାଇବା ଉଦ୍ଦେଶ୍ୟରେ ସେମାନେ ତାହା ସବୁ କରିଥା’ନ୍ତି। ଆଉ କେତେକ କଳାଧନ ମାଧ୍ୟମରେ ପ୍ରତିଷ୍ଠିତ ହୋଇଯା’ନ୍ତି; କିନ୍ତୁ ଏଭଳି ଲୋକେ ପ୍ରକୃତ ଧନୀ ନୁହନ୍ତି। ଛୋଟ ଛୋଟ ସଞ୍ଚୟ ମାଧ୍ୟମରେ ନିଜ ଅର୍ଜିତ ଦଶ ଟଙ୍କାରୁ ଟଙ୍କାଏ ଦି’ଟଙ୍କା ରଖି ଯେଉଁମାନେ କିଛି ବର୍ଷ ପରେ ଅର୍ଥନୈତିକ ସ୍ବାଧୀନତା ହାସଲ କରନ୍ତି, ସେମାନେ ହିଁ ପ୍ରକୃତ ଧନୀ ଓ ସୁଖୀ। କାରଣ ସେମାନଙ୍କୁ ଋଣ ପରିଶୋଧ କରିବାର ଦୁଶ୍ଚିନ୍ତା ଗ୍ରାସ କରେ ନାହିଁ।

ସେହିଭଳି ନିଜେ ନ ଖାଇ ନ ପିଇ କାହାରିକୁ ଟଙ୍କାଟିଏ ବି ସାହାଯ୍ୟ ନ କରି କେବଳ ଟଙ୍କା ସଞ୍ଚିବା ଏବଂ ଅନ୍ୟ କେହି ଦେଲେ ଭଲରେ ଚଳିବା ନୀତି ବି କେବେ ଜୀବନକୁ ସୁଖମୟ କରିବ ନାହିଁ। ମାଗଣା ଖିଆରେ ମନ ବଳାଉଥିବା ମଣିଷ ଏବଂ କୃପଣତାକୁ ଜୀବନର ଲକ୍ଷ୍ୟ ରଖିଥିବା ମଣିଷ ଆଉ ଯାହା ପାଉ ପଛେ, ମାନସିକ ଶାନ୍ତି ପାଇ ପାରେନି।

ତ୍ୟାଗ ନିଃସର୍ତ୍ତ ହେବା ଉଚିତ। ପ୍ରକୃତିର ତ୍ୟାଗ ଏହାର ଜ୍ବଳନ୍ତ ଉଦାହରଣ। ସୂର୍ଯ୍ୟ ବିନା କୌଣସି ପ୍ରତ୍ୟାଶାରେ ଉତ୍ତାପ, ଆଲୋକ ଯୋଗାଇ ଚାଲିଛି। ବୃକ୍ଷରାଶି ଖରା, ବର୍ଷା, ଶୀତ ସହି ବଞ୍ଚିଥିବା ପର୍ଯ୍ୟନ୍ତ ଛାଇ, ଆଶ୍ରୟ ଓ ‌ଔଷଧ ଯୋଗାଇ ଚାଲିଛନ୍ତି। ବର୍ଷାର ଜଳ ନଦୀ, ଝରଣା ମାଧ୍ୟମରେ ଆମର ତୃଷା ନିବାରଣର ବ୍ୟବସ୍ଥା କରୁଛି। ଆମେ ଭୋଗୁଛେ, କାରଣ ଆମ ଭଲପାଇବା ଛଳନାପୂର୍ଣ୍ଣ ଓ ବ୍ୟବସାୟଭିତ୍ତିକ- ଏଥିରେ ତ୍ୟାଗ ନାହିଁ। ଆମ ତ୍ୟାଗର ଅନେକ ପ୍ରତ୍ୟାଶା। ବାପା ଓ ମା’ ମଧ୍ୟ ସନ୍ତାନ ଲାଗି ତ୍ୟାଗ କରିଥିବା କଥା କହି ପ୍ରତ୍ୟାଶାରେ ଅନେକ କିଛି ଚାହାନ୍ତି। ତାହା ଦୁଃଖ ଦିଏ।

ଅତୀତରେ ଘାଣ୍ଟି ହେବା ଏବଂ ଅନିଶ୍ଚିତ ଭବିଷ୍ୟତ ବିଷୟରେ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବାରେ ଆମେ ବର୍ତ୍ତମାନ ମିଳୁଥିବା ସୁଯୋଗକୁ ହତାଦର କରୁ ଓ ଦୁଃଖ ପାଉ। ଅଭ୍ୟାସ କରି ଅନ୍ୟକୁ ପ୍ରଶଂସା କରିବା ଶିଖିଗଲେ ଆମର ଓ ପ୍ରଶଂସା ଗୋଟାଉ ଥିବା ଲୋକ- ଉଭୟଙ୍କର ଦୁଃଖ କମିଯିବ। ଆମ ଭିତରେ ଚାରିପ୍ରକାର ଲୋକ ଅଛନ୍ତି। ପ୍ରଥମ ପ୍ରକାରର ଲୋକଙ୍କୁ କିଛି କହିବାକୁ ପଡ଼େ ନାହିଁ। ନିଜର ଯୋଗ୍ୟତା ଓ ସାମର୍ଥ୍ୟକୁ ନିଜେ ପରଖି ସେମାନେ ନିଜ ଲାଗି ଆପେ ଆପେ ସିଦ୍ଧାନ୍ତ ନିଅନ୍ତି ଓ ଆଗେଇଯା’ନ୍ତି। ଏମାନଙ୍କର ‘‘ମୁଁ କରିପାରିବି’’ର ଆତ୍ମବିଶ୍ବାସ ଥାଏ। ଦ୍ବିତୀୟ ପ୍ରକାର ଲୋକେ କେହି କହିବାକୁ ଅପେକ୍ଷା କରିଥା’ନ୍ତି। ଥରେ ଦୁଇଥର କହିଲେ ସେମାନେ କିଛି କରନ୍ତି। ଏମାନେ ବିଶେଷ ଆଗେଇ ପାରନ୍ତି ନାହିଁ। ଯେନତେନ ପ୍ରକାରେ ଚଳିଯାଆନ୍ତି। ତୃତୀୟ ପ୍ରକାରର ଲୋକେ ଦରକାର ପଡ଼ିଲେ ହିଁ କାମକୁ ବାହାରନ୍ତି। ଏମାନେ ସମୟ ସମୟରେ ଅଭାବଗ୍ରସ୍ତ ହୁଅନ୍ତି। ଚତୁର୍ଥ ପ୍ରକାରର ଲୋକ କିଛି କାମ ନ କରି ଆରାମ କରନ୍ତି, ଗୁଲିଗପ‌େର ସମୟ କାଟନ୍ତି। ଏମାନେ ପ୍ରକୃତରେ ଶଢ଼ନ୍ତି। ଏଭଳି ଲୋକେ ଅଧିକ ଭାଗ୍ୟ, ପ୍ରାର୍‌ବଧକୁ ନିନ୍ଦା କରନ୍ତି। ଉପରେ ବର୍ଣ୍ଣିତ କେବଳ ପ୍ରଥମ ପ୍ରକାର ଲୋକ ମାନସିକ ଶାନ୍ତି ପାଆନ୍ତି।

ଅନେକ ବର୍ଷ ତଳର କଥା। ଗୋଟିଏ ଜାତୀୟକରଣ ବ୍ୟାଙ୍କ୍‌ର ଜଣେ କନିଷ୍ଠ ଅଧିକାରୀ ଚିନ୍ତା କରି ଏକ ଯୋଜନା ବ୍ୟାଙ୍କ୍‌କୁ ଦେଲେ। ବ୍ୟାଙ୍କ୍ ଉକ୍ତ ଯୋଜନାକୁ ସର୍ବସାଧାରଣଙ୍କ ଆଗରେ ଖବରକାଗଜ ଓ ହୋଡିଂ ମାଧ୍ୟମରେ ପ୍ରଚାର କଲେ। ବିଜ୍ଞାପନଟି ଏହିପରି ଥିଲା:- ଆପଣ ଆମକୁ ମାସକୁ ଯେତିକି ଲେଖା ଟଙ୍କା ପ୍ରତି ମାସରେ ମାତ୍ର ସାତବର୍ଷ ଦେବେ, ତା’ପରେ ଆମେ ଆପଣଙ୍କୁ ଠିକ୍ ସେତିକି ଲେଖାଁ ଟଙ୍କା ପ୍ରତି ମାସରେ ଆପଣ ବଞ୍ଚିଥିବା ଯାଏ ଦେବୁ, ଆପଣଙ୍କ ପରେ ଆପଣଙ୍କ ପୁଅକୁ, ତା’ପରେ ତା’ ପୁଅକୁ- ଏମିତି ନିରନ୍ତର ଦେଇ ଚାଲିବୁ। ଯେଉଁଦିନ ଆପଣ ମାସକୁ ମାସ ଟଙ୍କା ନେବା ଉଚିତ ମନେ ନ କରିବେ, ସେ ଦିନ ମାସିକ ଟଙ୍କା ପରିମାଣର ଶହେ ଗୁଣ ଏକାଥରକେ ଦେଇଦେବୁ। ଏ ଯୋଜନାରେ ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କ୍‌ରେ କୋଟି କୋଟି ଟଙ୍କା ଜମା କରିଦେଲେ; ଏହା ଉକ୍ତ ଅଫିସରଙ୍କର ନୂତନ ଚିନ୍ତାଧାରା ଥିଲା ଏବଂ ବ୍ୟାଙ୍କ୍ ତାଙ୍କୁ ଯଥେଷ୍ଟ ପୁରସ୍କାର ଦେଲେ।

ଯୋଜନା ନୂଆ ନୁହେଁ କେବଳ ବିଜ୍ଞାପନ ଭିନ୍ନ ପ୍ରକାରର। ଆପଣ ଯଦି ମାସକୁ ହଜାରେ ଟଙ୍କା ଲେଖାଁ ରଖନ୍ତି, ସେତେବେଳେ ସାତବର୍ଷ ପରେ ସୁଧ ସହ ଲକ୍ଷେ ଟଙ୍କା ମିଳିବା କଥା ଥିଲା। ସେଇ ଲକ୍ଷେ ଟଙ୍କାକୁ ସ୍ଥାୟୀ ଜମା (Fixed Deposit) ଆକାରରେ ରଖିଲେ ସେତେବେଳକାର ୧୨% ହାର ସୁଧରେ ବର୍ଷକୁ ୧୨ ହଜାର ବା ମାସକୁ ହଜାରେ ଲେଖାଁ ମିଳିବା ଅସମ୍ଭବ ନୁହେଁ। ଯେଉଁ ଦିନ ସୁଧ ବନ୍ଦ ହେବ, ସେ ଦିନ ମୂଳଧନ ଲକ୍ଷେ ଟଙ୍କା ମିଳିବ। ଯୋଜନା ପୁରୁଣା, କିନ୍ତୁ ନୂଆ ଆକାରରେ ତାକୁ ଉପସ୍ଥାପନ କରାଗଲା। ଏହା ଗୋଟିଏ ଭୌତିକ ଉଦାହରଣ। କିନ୍ତୁ ମୂଳ କଥା ହେଲା ନୂତନ ଭାବେ ଚିନ୍ତା କରି ଜାଣିଲେ, ପୁରୁଣା ଜୀବନ ବି ନୂଆ ଲାଗିଥାଏ। ଜୀବନକୁ ନିତ୍ୟ ନୂତନ କରି ରଖି ପାରୁଥିବା ଲୋକେ ସର୍ବଦା ସୁଖୀ ହୋଇଥାଆନ୍ତି।

[email protected]

ସମ୍ବନ୍ଧିତ ଖବର