ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅନ୍ୟତମ, ଯେଉଁଠି ବିଜେପି ସତ୍ତାର ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି। ଦଳ ଉକ୍ତ ରାଜ୍ୟକୁ ଏକ ‘ହିନ୍ଦୁ ମଡେଲ୍‌’ ସରକାରର ପରୀକ୍ଷାଗାର ଭାବେ ବ୍ୟବହାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ଏହି ମଡେଲ୍‌ ହେଉଛି ଐତିହ୍ୟ ଓ ବିକାଶର ସମ୍ମିଶ୍ରଣ। ଉକ୍ତ ମଡେଲ୍‌କୁ କାର୍ଯ୍ୟକାରୀ କରିବାରେ ଯୋଗୀ ଆଦିତ୍ୟନାଥଙ୍କୁ ଦଳ ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ ବିବେଚନା କରିଛି, ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଦଳର ଆକଳନ ଅନୁସାରେ ସେ ହିଁ ଆଶାତୀତ ଭାବେ ଦାୟିତ୍ବ ନିର୍ବାହ କରିପାରିଛନ୍ତି।

Advertisment

ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଆଶା ଆହୁରି ଅଧିକ। ଆର୍‌ଏସ୍‌ଏସ୍‌ ହେଉଛି ହିନ୍ଦୁତ୍ବ ଆଦର୍ଶବାଦର ଚାଳକ। ବିଜେପି କେବଳ ଏହାର ଏକ ଯାନ ମାତ୍ର। ଐତିହ୍ୟ ଓ ବିକାଶ ସମ୍ମିଶ୍ରଣର ‘ହିନ୍ଦୁ ମଡେଲ୍‌’ ସରକାର ହେଉଛି ସଂଘର ଚିନ୍ତାଧାରା। ସଂଘ ନେତାମାନଙ୍କର ବକ୍ତବ୍ୟ ଅନୁସରଣ କରୁଥିବା ସମର୍ଥକମାନେ ଜାଣିଛନ୍ତି ଯେ ରାମ ମନ୍ଦିର ଲଢ଼େଇ ଜିତିବା ପରେ ସଂଘ ପରବର୍ତ୍ତୀ ପଚିଶ ବର୍ଷ ଭିତରେ ଏକ ‘ରାମ ରାଜ୍ୟ’ ସ୍ଥାପନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ‘ରାମ ରାଜ୍ୟ’ କିନ୍ତୁ ‘ହିନ୍ଦୁ ରାଷ୍ଟ୍ର’ର ଭିନ୍ନ ଏକ ନାମ। ଜନସାଧାରଣଙ୍କ ମନକୁ ‘ହିନ୍ଦୁ ରାଷ୍ଟ୍ର’ ଧାରଣା ଅପେକ୍ଷା ‘ରାମ ରାଜ୍ୟ’ ଧାରଣା ଅଧିକ ଛୁଇଁପାରିବ ଏବଂ ତାହା ମଧ୍ୟ ବହୁସଂଖ୍ୟକବାଦୀଙ୍କ ସମାଲୋଚନାରୁ ନିରାପଦ ବୋଲି ଏଇ କିଛି ବର୍ଷ ହେଲା ସଂଘ ପରିବାର ଅନୁଭବ କରିପାରିଛି।

ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ଐତିହ୍ୟ ଓ ବିକାଶ କଥା କହନ୍ତି, ତାହା ସାଧାରଣ ଜନତାଙ୍କୁ ଦୁଇଟି ଭିନ୍ନ ଚିନ୍ତାଧାରା ଭାବେ ମନେ ହେଉ ଥାଇପାରେ; ମାତ୍ର ସଂଘ ପରିବାର ପାଇଁ ତାହା ଭିନ୍ନ ନୁହେଁ। ରାମ ଭକ୍ତି ବା ରାମଙ୍କୁ ସଂପୂର୍ଣ୍ଣ ଉତ୍ସର୍ଗ ପରି ଏକକ ଚିନ୍ତାଧାରାରୁ ତାହା ପ୍ରବାହିତ। ଶାସକଙ୍କୁ ଜଣେ ରାମ ଭକ୍ତ ହେବାକୁ ପଡ଼ିବ (ଐତିହ୍ୟ) ଏବଂ ସେ ଜନସାଧାରଣଙ୍କର ଉନ୍ନତି କଥା ଚିନ୍ତା କରିବେ (ବିକାଶ), ଯେମିତି ଅଯୋଧ୍ୟାର ରାଜା ଭାବରେ ରାମ ତାଙ୍କ ପ୍ରଜାମାନଙ୍କ ପାଇଁ କରିଥିଲେ। ଏହିପରି ଭାବେ ଶାସକ ଏକ ‘ରାମ ରାଜ୍ୟ’ ସ୍ଥାପନ କରି ପାରିବେ। ଏହା ହେଉଛି ଉତ୍ତରପ୍ରଦେଶରେ ବିଜେପି ସରକାର ସ୍ଥାପନ କରୁଥିବା ‘ହିନ୍ଦୁ ମଡେଲ୍‌’।

ସାମାଜିକ ଅନ୍ତର୍ଭୁକ୍ତୀକରଣରେ ସମାଜବାଦୀ ପାର୍ଟି ସରକାରଙ୍କ ‘ସାମାଜିକ ନ୍ୟାୟ ମଡେଲ୍‌’ ଠାରୁ ଯେ ଏହି ‘ହିନ୍ଦୁ ମଡେଲ୍‌’ ଶ୍ରେୟସ୍କର, ତାହା ପ୍ରମାଣ କରିବା ମୋଦୀ ଓ ଯୋଗୀଙ୍କ ପକ୍ଷରେ କଷ୍ଟକର ହେବ। ସମାଜବାଦୀ ପାର୍ଟି ସରକାର କିଛି ନିର୍ଦ୍ଦିଷ୍ଟ ଜାତି ବା ଶ୍ରେଣୀକୁ ଉପକୃତ କରିଥିବା ବେଳେ ‘ହିନ୍ଦୁ ମଡେଲ୍‌’ ସବୁ ବର୍ଗର ଜାତି ଓ ସମ୍ପ୍ରଦାୟ ପାଇଁ ମଙ୍ଗଳକାରୀ ବୋଲି ସେମାନେ କହିପାରନ୍ତି। ସେମାନଙ୍କ ଶାସନରେ ବାସ୍ତବ ସାମାଜିକ ସମାନତା ଓ ସଂହତି ବଜାୟ ହୋଇପାରିଛି ବୋଲି ସେମାନେ ଦାବି ବି କରିପାରନ୍ତି। ସେମାନଙ୍କ ଦାବିର ଯଥାର୍ଥତା ପ୍ରତିପାଦନ ପାଇଁ କିଛି ବର୍ଷ ହେଲା ସେମାନଙ୍କ ଦଳ ସପକ୍ଷରେ ବହୁ ସଂଖ୍ୟାରେ ଅଣ-ଯାଦବ ଓ ଦଳିତ ବର୍ଗ ଆକର୍ଷିତ ହୋଇଥିବା ଉଦାହରଣ ସେମାନେ ଦର୍ଶାଇ ପାରନ୍ତି। ଯଦି କେହି ମୋଦୀ ବା ଯୋଗୀଙ୍କୁ ବିଶ୍ବାସ କରୁଥାଆନ୍ତି, ତେବେ ଜଣେ ରାମଭକ୍ତ ଶାସକଙ୍କ ଶାସନରେ କୌଣସି ଭେଦଭାବ ବିନା ସବୁ ଶ୍ରେଣୀର ଜନତା ଶାସକଙ୍କ ନ୍ୟାୟ ଉପରେ ଭରସା ରଖିଛନ୍ତି ଓ ଉତ୍ତରପ୍ରଦେଶ ‘ରାମ ରାଜ୍ୟ’ ଆଡ଼କୁ ଅଗ୍ରସର ହେଉଛି ବୋଲି ଧାରଣା ବାନ୍ଧିବେ।

ମାତ୍ର ବାସ୍ତବରେ ତାହା ହୋଇ ନ ଥିବା କଥା, ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ ପରେ ସ୍ପଷ୍ଟ ଜଣାପଡ଼ିଛି। ସଂଖ୍ୟାଧିକ ବିଜେପି ବିଧାୟକ, ଯେଉଁମାନଙ୍କ ରାଜନୈତିକ ଜୀବନ ଅଣ-ଯାଦବ ପଛୁଆ ବର୍ଗଙ୍କ ସମର୍ଥନ ଉପରେ ନିର୍ଭର କରିଥାଏ, ବିଜେପିରୁ ଇସ୍ତଫା ଦେଲେଣି। ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିଜେପିର କାର୍ଯ୍ୟଶୈଳୀରେ ଲୋକେ ତୀବ୍ର ଅସନ୍ତୁଷ୍ଟ ବୋଲି ସେମାନଙ୍କ ଇସ୍ତଫାରୁ ସୂଚନା ମିଳୁଛି ଏବଂ ତୃଣମୂଳ ସ୍ତରରୁ ମିଳିଥିବା ରିପୋର୍ଟରୁ ସେହି ଧାରଣା ଅଧିକ ସ୍ପଷ୍ଟ ହୋଇଛି। ନିମ୍ନ ବର୍ଗମାନେ ଜିଉଥିବା ଜୀବନ ଓ ସେମାନଙ୍କ ପାଇଁ ସରକାର ଯାହା ସବୁ କରିଛନ୍ତି ବୋଲି ଦାବି କରୁଛନ୍ତି; ସେଥିରେ ମଧ୍ୟ ଅନେକ ଫରକ ରହିଛି।

ସ୍ଥାନୀୟ ସରକାରୀ ବାବୁମାନେ ଦାବି କରୁଥିବା ଉତ୍କୋଚ ପାଇଁ ଅସମର୍ଥ ହେବାରୁ ଅନେକ ଗ୍ରାମର ନିମ୍ନ ବର୍ଗର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ କରିବା ପାଇଁ ସରକାରୀ ଅନୁଦାନ ମନା କରି ଦିଆଯାଇଛି। ସାଂସଦ ହିସାବରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ୟ ଜିଲ୍ଲା ବାରାଣସୀ ଅନ୍ତର୍ଗତ ଚାରିଟି ଗ୍ରାମ ମଧ୍ୟରୁ ଜୟପୁର ହେଉଛି ସେଭଳି ଗୋଟିଏ ଗାଁ। ସେହିପରି ଖୋଲାରେ ମଳ ତ୍ୟାଗ ବର୍ଜନ କରିଥିବା ଗାଁ ଭାବେ ଘୋଷିତ ଅନେକ ଗାଁରେ ଅଧିକାଂଶ ଗରିବ ଲୋକଙ୍କର ପାଇଖାନା ନାହିଁ। ଅନେକ ସ୍ଥାନରେ ମଧ୍ୟ ପାଇଖାନାଗୁଡ଼ିକ ନିର୍ମିତ ହୋଇଛନ୍ତି, କିନ୍ତୁ ନିଷ୍କ୍ରିୟ ହୋଇପଡ଼ିଛି।

ମହିଳାମାନଙ୍କ ଜୀବନ ସୁରକ୍ଷିତ ବୋଲି ଯୋଗୀ ଦାବି କରୁଛନ୍ତି, ମାତ୍ର ବାସ୍ତବରେ ରାଜ୍ୟରେ ଗ୍ରାମାଞ୍ଚଳର ଗରିବ ଝିଅଟିଏ କ୍ଷେତକୁ କାମ କରିବାକୁ ଗଲା ବେଳେ କି ଗୋରୁ ଚରାଇବାକୁ ଗଲା ବେଳେ ଅସଦାଚରଣ, ଧର୍ଷଣ ଏବଂ ଏପରିକି ହତ୍ୟାର ଶିକାର ହେବାର ଆଶଙ୍କା ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟାନୁସାରେ ୨୦୨୦ ମସିହାରେ ରାଜ୍ୟରେ ୯,୮୬୪ଟି ମାମଲାରେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଜଣାଯାଇଛି। ସେହିପରି ରାଜ୍ୟରେ ୨୦୧୮ରେ ମୋଟ ୫୯,୪୪୫ଟି ମହିଳା ବିରୋଧୀ ହିଂସା ଘଟିଥିବା ବେଳେ ୨୦୧୯ରେ ୫୯,୮୫୩ ଓ ୨୦୨୦ରେ ୪୯,୩୮୫ଟି ମାମଲା ରୁଜୁ ହୋଇଛି, ଯାହା ଦେଶରେ ସର୍ବାଧିକ ।

ନିମ୍ନ ବର୍ଗ ବିରୋଧରେ ପ୍ରତିଟି ଅନ୍ୟାୟ ମାମଲାରେ ଉଚ୍ଚ ବର୍ଗର ଲୋକେ ଜଡ଼ିତ ରହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା‌େର ମିଳୁଥିବା ଅନୁଦାନରୁ କୋଡ଼ିଏ ପ୍ରତିଶତ କାଟି ରଖିବା ପାଇଁ ଦାବି କରୁଥିବା ପଞ୍ଚାୟତ ମୁଖିଆ, ଗ୍ରାମାଞ୍ଚଳରେ ଝିଅବୋହୂଙ୍କୁ ଅସଦାଚରଣ କରୁଥିବା ଦୁର୍ବୃତ୍ତ, ଦୋଷୀ ସପକ୍ଷରେ କାମ କରୁଥିବା ପୁଲିସ- ସମସ୍ତେ ଉଚ୍ଚ ବର୍ଗର। ଉତ୍ତରପ୍ରଦେଶର ଗରିବ ଲୋକେ ସର୍ବଦା ନିଜକୁ ନୀଚ, ନିଷ୍ପେଷିତ ତଥା ବଡ଼ ଲୋକଙ୍କ ଦ୍ବାରା ଶୋଷଣର ଶିକାର ଭାବେ ବିବେଚନା କରିଥା’ନ୍ତି। ଯୋଗୀ ଶାସନ କାଳରେ ସେଥିରେ କିଛି ପରିବର୍ତ୍ତନ ଆସିନାହିଁ। ତେଣୁ ନିମ୍ନ ଶ୍ରେଣୀ ଲୋକଙ୍କ ମଧ୍ୟରେ ବିଜେପି ପ୍ରତି ଅସନ୍ତୋଷ ଦେଖା ଦେଇଛି।

ସେମାନଙ୍କ ଏପରି ନିରାଶା ସହିତ ରାଜ୍ୟରେ ସାମାଜିକ-ଆର୍ଥିକ ଜାତି ଗଣନା ପ୍ରତି ବିଜେପିର ବିରୋଧ ଯୋଡ଼ି ହୋଇ ଯାଇଛି। ପଛୁଆ ବର୍ଗର ଗରିବ ସଂପ୍ରଦାୟଙ୍କ ମଧ୍ୟରେ ଏକ ସିଦ୍ଧାନ୍ତ ଆସିଯାଇଛି ଯେ ଜାତି ଜନଗଣନା ନ ହେଲା ଯାଏ ସରକାରୀ ଚାକିରି ଓ କଲେଜରେ ନାଁଲେଖା ସୁବିଧା କେବେ ସମାନ ଭାବରେ ବଣ୍ଟା ଯାଇ ପାରିବ ନାହିଁ। ଏପରିକି ଯୋଗୀ ସରକାର ମଧ୍ୟ ଓବିସି ବର୍ଗର ୨୭ ପ୍ରତିଶତ ଆରକ୍ଷଣକୁ ତିନି ଭାଗରେ ଯଥା-ପଛୁଆ ବର୍ଗ (୭%), ଅଧିକ ପଛୁଆ ବର୍ଗ (୧୧%) ଓ ସବୁଠୁ ପଛୁଆ ବର୍ଗ (୯%)ରେ ବିଭକ୍ତ କରିବା ଲାଗି ନିଜ ସାମାଜିକ ନ୍ୟାୟ କମିଟି କରିଥିବା ସୁପାରିସକୁ କାର୍ଯ୍ୟକାରୀ କରୁନାହାନ୍ତି।

ହିନ୍ଦୁତ୍ବ ଅଠାରେ ସବୁ ଜାତିକୁ ସୁରକ୍ଷିତ ଭାବେ ଯୋଡ଼ି ରଖା ଯାଇପାରିବ ବୋଲି ବିଜେପିର ରହିଥିବା ବିଭ୍ରାନ୍ତିକୁ ନିମ୍ନ ଜାତି ମଧ୍ୟରେ ଜାଗ୍ରତ ହୋଇଥିବା ଅସନ୍ତୋଷ ପର୍ଦ୍ଦାଫାସ କରିଛି। ନିମ୍ନ ଜାତିର ଲୋକେ ସୁରକ୍ଷା, ଆତ୍ମସମ୍ମାନ ଓ ଊର୍ଦ୍ଧ୍ବ ଗତିଶୀଳତା ଚାହାନ୍ତି ଏବଂ ହିନ୍ଦୁ ଏକତା ଆଳରେ ସେସବୁ ପ୍ରସଙ୍ଗକୁ ପରିହାର କରିବେ ନାହିଁ। ସେମାନଙ୍କ ପାଇଁ ହିନ୍ଦୁ ଏକତା ଏକ କାଳ୍ପନିକ ଧାରଣା ବୋଲି ପ୍ରମାଣିତ ହୋଇଛି, ଯାହା କେବଳ ଗଭୀର ଭାବେ ସାମାଜିକ ଓ ଅର୍ଥନୈତିକ ବିଭାଜନକୁ ବଜାୟ ରଖି ଚାଲିଛି।

ବିଜେପି ଦ୍ବାରା ସ୍ଥାପିତ ଗଠବନ୍ଧନର ଧ୍ବଂସାବଶେଷରେ ହିନ୍ଦୁତ୍ବ କବର ପାଇ ସାରିଛି। ଏବେ ସବୁ ଜାତିକୁ ହିନ୍ଦୁତ୍ବ ଅଠାରେ ଯୋଡ଼ିବା ପାଇଁ ଆଶା କରିବା ଆଗରୁ ଦଳ ପାଇଁ ବଡ଼ ଶିକ୍ଷା ହେଉଛି, ସାମାଜିକ ଅସମାନତା, ସାମାଜିକ ଅନ୍ୟାୟ, ଆର୍ଥିକ ଦମନ, ପ୍ରାଶାସନିକ ଭେଦଭାବ ଏବଂ ନୀଚ ବର୍ଗର ଲୋକେ ସାମ୍‌ନା କରୁଥିବା ଦୁର୍ନୀତି ଆଦି ମୌଳିକ ପ୍ରସଙ୍ଗ ଉପରେ ଆଲୋକପାତ କରିବା। ମାତ୍ର ଉଚ୍ଚ ବର୍ଗର ଲୋକେ ଯେହେତୁ ବିଜେପିର ମୂଳପିଣ୍ଡ, ଦଳ କେବେ ସେ କଥା ଚିନ୍ତା କରିବ ନାହିଁ। ଏହା ହିଁ ଦଳକୁ ଏକ ଧର୍ମ ସଂକଟରେ ଛାଡ଼ି ଦେଇଛି। ଆଗାମୀ ଦିନରେ ଦଳ ତାହାର କିପରି ସମାଧାନ କରୁଛି, ତାହା ଦେଖିବାକୁ ବାକି ରହିଲା।

[email protected]