ଧାଡ଼ି ବେଉସା

ଚିନ୍ମୟ ଚେତନା - ଚିନ୍ମୟ କୁମାର ହୋତା

‘ଧନୀଙ୍କ ପାଇଁ ଧାଡ଼ିରେ ଠିଆ ହୋଇ ଦିନକୁ ୧୬ ହଜାର ଟଙ୍କା ରୋଜଗାର’: ସମ୍ବାଦପତ୍ରରେ ଏହି ରୋଚକ ଶିରୋନାମାଟି ପଢ଼ି ଯେତିକି ଆମୋଦିତ ହେଲି, ତା’ ଠୁ ଅଧିକ ଈର୍ଷାନ୍ୱିତ ହେଲି ବ୍ରିଟିସ୍‌ ଯୁବକ ଫ୍ରେଡି ବ୍ରେକିଟଙ୍କ ପ୍ରତି। ମନେ ପଡ଼ିଗଲା ମୋର ପିଲାଦିନୁ ଧାଡ଼ିରେ ଛିଡ଼ା ହୋଇ କାଟିଥିବା ପର୍ଯ୍ୟାପ୍ତ ସମୟର କଥା। କେତେ ବେଳେ ଅପେକ୍ଷା ପରେ ସଫଳତାର ଆନନ୍ଦ ତ ପୁଣି କେତେବେଳେ ଧାଡ଼ି ସରିବା ଆଗରୁ ଆକାଂକ୍ଷିତ ବସ୍ତୁଟି ସରି ଯାଇଥିବାରୁ ବିଫଳତାର କ୍ଳେଶ। ମୋର ସାରା ଜୀବନ ଧାଡ଼ି ମାନଙ୍କରେ ବିତାଇଥିବା ସମୟର ସମଷ୍ଟିକୁ ଟଙ୍କା ରୂପରେ ହିସାବ କଲେ ତାହା ହୁଏ’ତ ଫ୍ରେଡିର ଏହି କ୍ଷେତ୍ରରେ ଉପାର୍ଜନକୁ କାହିଁ କେତେ ପଛରେ ଛାଡ଼ି ଆସନ୍ତା, କିନ୍ତୁ ହାୟ! ବ୍ରିଟିସ୍‌ ମଣିଷର ସେହି ବାଣିଜ୍ୟିକ ଚାତୁରୀର କାଣିଚାଏ ଯଦି ଆମ ଭାରତୀୟ ଭେଜାରେ ଥା’ନ୍ତା!

ଆମେ ଭାରତୀୟମାନେ ଧାଡ଼ିରେ ଛିଡ଼ା ହେବାକୁ ଆମର ସାମାଜିକ ସଚେତନତା, ଅନୁଶାସନପ୍ରିୟତା କିମ୍ବା ‘ନିଜ ଦାୟିତ୍ୱ ନିଜେ ତୁଲାଅ’ ଆଦର୍ଶର ନିଦର୍ଶନ ବୋଲି ଭାବୁଥିବା ବେଳେ ଏହା ଯେ ଅର୍ଥନୈତିକ ସୁଯୋଗ ମଧ୍ୟ ସୃଷ୍ଟି କରିପାରେ, ଏହା ‘ସମ୍ବାଦ’ ଶିରୋନାମାରୁ ପଢ଼ି ହୃଦୟଙ୍ଗମ କରି ହେଲା। ଖାଲି କ’ଣ ମିଛରେ ନେପୋଲିଅନ ଇଂଲଣ୍ଡକୁ ‘ଦୋକାନଦାରମାନଙ୍କର ଦେଶ’ ବୋଲି କହିଥିଲେ? ଧାଡ଼ିରେ ଛିଡ଼ା ହେବା ଭଳି ନିରୁପଦ୍ରବୀ ପ୍ରତୀୟମାନ ହେଉଥିବା କାର୍ଯ୍ୟଟି ଯେ ଏକ ଲାଭଦାୟୀ ବେଉସାର ସୁଗମ ପନ୍ଥା, ବ୍ରିଟିସ୍‌ ଯୁବକ ଜଣକ ଆଜି ତାହା ପ୍ରମାଣ କରିଦେଲେ।

ଉପାର୍ଜନ ସୁଯୋଗ ଅପଚୟର ଲମ୍ବା ତାଲିକା ଭିତରେ ସର୍ବାଗ୍ରେ ରହିଥିଲା ମୋର ପିଲା ବେଳର ସିନେମା ଟିକଟ କିଣିବା ପାଇଁ ଥରକୁ ଥର ଲଗାଉ ଥିବା ଧାଡ଼ିର ସ୍ମୃତି। ନୂଆ ଚଳଚ୍ଚିତ୍ର ପଡ଼ିବା ଦିନ ମୋର ଭାଇଭଉଣୀମାନେ ମୋତେ ପରିବାରର କନିଷ୍ଠ ସଦସ୍ୟ ହିସାବରେ ଆମ ଘରର ଅନତି ଦୂରରେ ଥିବା ସିନେମା ପ୍ରେକ୍ଷାଳୟକୁ ପଠାଇ ଦେଉଥିଲେ ଟିକଟ କିଣିବା ପାଇଁ। ଟିକଟ କାଉଁଣ୍ଟର ଝରକା ଖୋଲିବା ସମୟର ଯଥେଷ୍ଟ ପୂର୍ବରୁ ଝରକାର ଅଧା ଖୋଲା ମୁହଁ ଭିତରେ ନିଜର କୁନି ହାତ ପୂରାଇ ମୁଁ ମନେ ମନେ ପ୍ରଥମ ଟିକଟ ମୁଠାକ ହାସଲ କରିବା ବିଷୟରେ ନିଶ୍ଚିତ ରହୁଥିଲି। ଧୀରେ ଧୀରେ ଧାଡ଼ିର କଳେବର ବଢ଼ୁଥିଲା ଓ କୋଳାହଳ ମଧ୍ୟ। ଟିକଟ ଝରକା ଖୋଲିବା ସମୟ ହେଲେ କିନ୍ତୁ ସେତେବେଳ ପର୍ଯ୍ୟନ୍ତ ଚା’ ଦୋକାନରେ ବସି ଆଡ୍‌ଡା ମାରୁଥିବା ଟିକଟ କଳାବଜାରୀ ରଘୁଆ ତା’ର ଦଳ ବଳ ସହ ଝପଟି ଆସି ଝରକା ମୁହଁରୁ ପ୍ରତ୍ୟାଶୀମାନଙ୍କୁ ସଶରୀରେ ଉତ୍ପାଟନ କରି ସବୁ ଟିକଟ ହାତେଇ ନେଉଥିଲା। ସୋ’ ସମୟ ବେଳକୁ ରଘୁଆ ତା’ର ହାତେଇଥିବା ଟିକଟଗୁଡ଼ିକ ଗ୍ରାହକମାନଙ୍କୁ ଉଚ୍ଚ ଦରରେ ବିକ୍ରି କରୁଥିଲା।

ଦେଖିବାକୁ ଗଲେ ରଘୁଆର ବେଉସାର ଉପାୟ ଓ ‘ସମ୍ବାଦ’ ଶିରୋନାମାର ବ୍ରିଟିସ୍‌ ଯୁବକଟିର କାର୍ଯ୍ୟ ଭିତରେ ଅନେକଟା ସାମଞ୍ଜସ୍ୟ ରହିଛି। ଉଭୟ କ୍ଷେତ୍ରରେ ଧାଡ଼ି ବିମୁଖମାନଙ୍କ ପାଇଁ ବିକଳ୍ପ ଓ ସହଜ ବ୍ୟବସ୍ଥା ଉପଲବ୍‌ଧ କରାଇବା ହିଁ ଉଦ୍ଦେଶ୍ୟ। ନିହାତି ବାଧ୍ୟ ନ ହେଲେ କେହି ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପସନ୍ଦ କରନ୍ତି ନାହିଁ, ଏହାର ବିଭିନ୍ନ ବିକଳ୍ପ ପନ୍ଥା ସବୁ ଖୋଜନ୍ତି। ରଘୁଆର ଚିନ୍ତାଧାରା ଶ୍ରେଣୀୟ ବ୍ୟକ୍ତି ଅଥବା ହିନ୍ଦୀ ଚଳଚ୍ଚିତ୍ରର ଧାଡ଼ି ବିଦ୍ୱେଷୀ ହିରୋ ସଗର୍ବେ ଘୋଷଣା କରିବାର ଶୁଣାଯାଏ ଯେ ସେମାନେ ଯେଉଁଠି ଛିଡ଼ା ହୁଅନ୍ତି, ସେଇଠୁ ଧାଡ଼ି ଆରମ୍ଭ ହୁଏ। ଆମ ସମାଜର ପାରିବା ବାଲା ଲୋକେ ଧାଡ଼ିରେ ଛିଡ଼ା ହୋଇ କିଛି ହାସଲ କରିବା କଥାଟିକୁ ଆତ୍ମସମ୍ମାନ ହାନିର ଉଦାହରଣ ବୋଲି ଭାବନ୍ତି ଓ ହାତରେ ପ୍ରଚୁର ଅବସର ସମୟ ଥିଲେ ସୁଦ୍ଧା ସବୁବେଳେ ଗଳା ବାଟ ଖୋଜନ୍ତି। ଖେଳପ୍ରେମୀ ଗଳଦ୍‌ଘର୍ମ ହୋଇ ଧାଡ଼ି ବାନ୍ଧି ଟିକଟ କାଟୁଥିବା ବେଳେ ଏମାନେ ପାସ୍‌ଟିଏ ଯୋଗାଡ଼ କରି ସ୍ବଚ୍ଛନ୍ଦରେ ଖେଳ ଦେଖନ୍ତି। ଠିକ ସେହିପରି ଆପଣ ବେଳେବେଳେ ଦେଖିବେ ଯେ ପୁରୁଷମାନେ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଘାଣ୍ଟି ଚକଟି ହେଉଥିବା ବେଳେ ଜଣେ ସ୍ୱାମୀ ତାଙ୍କର ସ୍ତ୍ରୀଙ୍କୁ ଆଣି ଧାଡ଼ି ଆଗକୁ ଯାଇ ମହିଳା ହିସାବରେ ଅଗ୍ରାଧିକାର ପାଇବାର ବାଟ ଖୋଜନ୍ତି। ମହିଳା ଆଗ୍ରାଧିକାରର ଫାଇଦା ଉଠାଇ ହାଉଡ଼ା ରେଳ ଷ୍ଟେସନ୍‌ରେ କିଛି ଭିକାରୁଣୀ ଆଗ୍ରହୀ ଯାତ୍ରୀମାନଙ୍କର ଟିକଟ କାଟିଦେବା କଥା ନିଶ୍ଚୟ କିଛି ପାଠକ ଅଙ୍ଗେ ନିଭାଇଥିବେ।

ପଙ୍‌କ୍ତି ପରାଙ୍‌ମୁଖ ମାନଙ୍କର ଆଉ ଏକ ମନୋନୀତ ବାଟ ହେଲା ନିଜେ ଧାଡ଼ିରେ ଛିଡ଼ା ନ ହୋଇ ସେଠି କୌଣସି ନିର୍ଜୀବ ବସ୍ତୁକୁ ଥୋଇ ନିଜର ସ୍ଥାନର ଅଧିକାର ସାବ୍ୟସ୍ତ କରିବା। ଏ କ୍ଷେତ୍ରରେ ବହୁଳ ଭାବେ ବ୍ୟବହୃତ ଓ ଜନପ୍ରିୟ ସାଙ୍କେତିକ ପ୍ରତିନିଧିଗୁଡ଼ିକ ହେଲେ ରୁମାଲ, ଚପଲ ଇତ୍ୟାଦି; ପାଣି କଳ ଆଗରେ ଲାଇନ ଲମ୍ବିଥିଲେ ବାଲ୍‌ତି ବା କଳସ। ଏପରି ସ୍ଥାନ ରକ୍ଷଣ କ୍ଷେତ୍ରରେ ଗୋଟିଏ ଅଘୋଷିତ ଚୁକ୍ତି ଅନୁସାରେ ପ୍ରତୀକଟିକୁ ଅନୁପସ୍ଥିତ ବ୍ୟକ୍ତିଙ୍କ ତୁଲ୍ୟ ଯଥାଯୋଗ୍ୟ ସମ୍ମାନ ପ୍ରଦାନ କରାଯାଏ ଓ ଆଗରେ ସ୍ଥାନ ରିକ୍ତ ହେଲେ ମୃଦୁ ପଦାଘାତ ବା ଆହୁରି ସମ୍ଭ୍ରମତାର ସହିତ ଆଗକୁ ବଢ଼େଇ ଦିଆଯାଏ। ଭଗବାନ ରାମଚନ୍ଦ୍ରଙ୍କର ଶାରୀରିକ ଅନୁପସ୍ଥିତିରେ ତାଙ୍କ ପାଦୁକା ଯୁଗଳକୁ ଭ୍ରାତା ଭରତ ରାମଙ୍କର ପ୍ରତୀକ ହିସାବରେ ଯେତେବେଳେ ଚଉଦ ବର୍ଷ କାଳ ସମ୍ମାନ ଦେଇ ରାଜ୍ୟ ଶାସନ କରିପାରିଲେ, ସାଧାରଣ ବ୍ୟକ୍ତିମାନେ ଧାଡ଼ିର ଚପଲକୁ କାହିଁକି ବା ଅବଜ୍ଞା କରିବେ?

ଠିକ ରୁମାଲ ଓ ଚପଲ କିମ୍ବା ‘ସମ୍ବାଦ’ ଶିରୋନାମାର ବ୍ରିଟିସ୍‌ ଯୁବକଙ୍କ ଭଳି ଧାଡ଼ିରେ ଯେଉଁମାନେ ସ୍ଥାନ ଗ୍ରହଣ କରନ୍ତି ସେମାନେ ସବୁବେଳେ ଧାଡ଼ିର ସିଧାସଳଖ ହିତାଧିକାରୀ ହୋଇ ନଥା’ନ୍ତି। ଏମାନେ ସମସ୍ତେ ଅସଲ ଲୋକଟିର କା’ର ଭୂମିକା ଫୁଟାଇ ଥା’ନ୍ତି। ଧାଡ଼ିର ଅସଲ ଫାଇଦା ଉଠାଇବା ଲୋକ କିଛି ପଇସା ପ୍ରତିବଦଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଭଳି ବିରକ୍ତିକର କାମଟି ଜଣେ ଅଭାବୀ ବ୍ୟକ୍ତିକୁ ହସ୍ତାନ୍ତର କରିଦିଏ। ଆଜି ଦୁନିଆରେ ସବୁ କିଛି ତ କିଣାବିକାରେ ଚାଲିଛି: ପରିବାରରେ ମୃତ୍ୟୁ ଶୋକ ପାଳନ କରିବା ପାଇଁ ପେସାଦାର କନ୍ଦାଳି ଦଳଠୁ ଆରମ୍ଭ କରି ‘ସରୋଗେଟ୍‌’ ମାତୃତ୍ବ ପର୍ଯ୍ୟନ୍ତ! ଏ ସବୁ ବିକଳ୍ପ ବ୍ୟବସ୍ଥାରେ ଅଭାବୀର ବେଉସା ବି ଭଲରେ ଚାଲେ, ଆଉ ସ୍ୱଚ୍ଛଳ ବ୍ୟକ୍ତି ମଧ୍ୟ ତା’ର ସମୟ ସ୍ବଚ୍ଛନ୍ଦରେ କାଟି ଶେଷରେ ଫାଇଦା ହାତେଇ ନିଏ।

ମୋ- ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର