ଚୀନର ‘ସାମୂହିକ ସମୃଦ୍ଧି’ ନୀତିରୁ ଖିଅ

ସରଳ ବିଚାର - ସରଳ କୁମାର ଦାସ

ଅଗଷ୍ଟ ୧୭, ୨୦୨୧ରେ ଚୀନର ରାଷ୍ଟ୍ରପତି ଚି ଜିନପିଙ୍ଗ, ଚୀନର ବିତ୍ତ ଓ ଅର୍ଥନୀତିର କେନ୍ଦ୍ରୀୟ କମିଟିର ଏକ ଅଧିବେଶନରେ ନିଜ ବକ୍ତବ୍ୟ ଦେଲେ- ‘ସାମ୍ୟବାଦର ପ୍ରତିଷ୍ଠା ଲାଗି ‘ସାମୂହିକ ସମୃଦ୍ଧି’ ନିହାତି ଆବଶ୍ୟକ ଓ ଏହା ‘ଚୀନ ଶୈଳୀର ଆଧୁନିକୀକରଣ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ, ତେଣୁ ଆମକୁ ଲୋକ-କୈନ୍ଦ୍ରିକ ବିକାଶ ନୀତିକୁ ଅନୁସରଣ କରିବାକୁ ହେବ ଓ ଉଚ୍ଚ ସ୍ତରର ବିକାଶ ମାଧ୍ୟମରେ ‘ସାମୂହିକ ସମୃଦ୍ଧି’କୁ ପ୍ରୋତ୍ସାହିତ କରିବାକୁ ହେବ।’

ତାଙ୍କ ମତରେ ବିକାଶ ଓ ଆର୍ଥିକ ସ୍ଥିରତା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଲାଗି ସାମୂହିକ ସମୃଦ୍ଧି ଏକ ମୌଳିକ ଆବଶ୍ୟକତା। ତେଣୁ ଅତ୍ୟଧିକ ରୋଜଗାର କରୁଥିବା ବ୍ୟକ୍ତି ଓ କମ୍ପାନିଗୁଡ଼ିକୁ ସେମାନଙ୍କ ରୋଜଗାରର ଅଧିକ ଅଂଶ ସମାଜକୁ ଫେରାଇବାକୁ ହେବ; ଯଦ୍ଦ୍ୱାରା ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବଢ଼ିଯାଇଥିବା ଆୟର ଖାଇକୁ କିଛି ମାତ୍ରାରେ କମ୍‌ କରି ହେବ। ଏହା ପରେ ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ଦ୍ୱାରା ପ୍ରସ୍ତାବଟି ଗୃହୀତ ହେଲା। ଇତିମଧ୍ୟରେ ସେଠାକାର ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟି ‘ସାମୂହିକ ସମୃଦ୍ଧି’ ହିଁ ଅର୍ଥନୀତିର କେନ୍ଦ୍ରବିନ୍ଦୁ ପାଲଟି ଗଲା। ଏହାକୁ ପୁଞ୍ଜିବାଦ ଦ୍ୱାରା ସୃଷ୍ଟ ବୈଷମ୍ୟକୁ ସୁଧାରିବା ପାଇଁ ଏକ ‘ଅସାମାନ୍ୟ ବିପ୍ଳବ’ ବୋଲି ଅଭିହିତ କରାଗଲା।

ଅବଶ୍ୟ ‘ସାମୂହିକ ସମୃଦ୍ଧି’ ନୀତି ଘୋଷିତ ହେବା ପୂର୍ବରୁ ମଧ୍ୟ ତାହାର କିଛିଟା ଆଭାସ ମିଳି ସାରିଥିଲା, ଯେତେବେଳେ ନଭେମ୍ୱର ୨୦୨୦ରେ ଚୀନର ବିଖ୍ୟାତ ଟେକ୍ କମ୍ପାନି ‘ଆଲିବାବା’ର ଅନୁବନ୍ଧିତ ‘ଆଣ୍ଟ’ର ସେୟାରକୁ ସରକାରୀ ହସ୍ତକ୍ଷେପ ଦ୍ୱାରା ସାଂଘାଇ ଓ ହଂକଂ ଷ୍ଟକ୍ ଏକ୍‌ସଚେଞ୍ଜ୍‌ରେ ତାଲିକାଭୁକ୍ତ (ଲିଷ୍ଟିଂ) କରାଇ ଦିଆଯାଇ ନ ଥିଲା। ଓଲା, ଉବେରଙ୍କ ଭଳି ଚୀନର ରାଇଡ୍‌ କମ୍ପାନି ‘ଡିଡି’ ତା’ର ସେୟାର୍‌କୁ ଆମେରିକାରେ ଲିଷ୍ଟିଂ କରିଥିବାରୁ ତାକୁ ମଧ୍ୟ ଦଣ୍ଡିତ କରାଯାଇଥିଲା। ଏହା ପରେ ଆଇଟି କ୍ଷେତ୍ରର ବଡ଼ ବଡ଼ କମ୍ପାନି, ବିତ୍ତଶାଳୀ ବ୍ୟକ୍ତିବିଶେଷ, ଶିକ୍ଷା ସେବା ପ୍ରଦାନକାରୀ, ସେଲିବ୍ରିଟି, ଭିଡିଓ ଗେମ୍‌ରେ ସମୟ ଅତିବାହିତ କରୁଥିବା ଯୁବକଯୁବତୀମାନଙ୍କ ଉପରେ ଘନଘନ ସରକାରୀ କାର୍ଯ୍ୟାନୁଷ୍ଠାନମାନ ହେବାକୁ ଲାଗିଲା। ଏହା ସାରା ବିଶ୍ୱରେ ନୀତି ନିର୍ଦ୍ଧାରକ, ନିବେଶକ, ସାମ୍ୱାଦିକଙ୍କୁ ଚକିତ ଓ ବିଚଳିତ କଲା, କାରଣ ଏହାଦ୍ୱାରା ଚୀନରେ ନିବେଶର ବାତାବରଣ ପ୍ରତି ବିପଦ ସୃଷ୍ଟି ହେଉଥିଲା। ଏହି ନୀତି ଦ୍ୱାରା ସବୁ ସମ୍ପତ୍ତିକୁ ଚୀନର ସବୁ ଲୋକଙ୍କ ମଧ୍ୟରେ ଯଥାସମ୍ଭବ ସମାନ ଭାବେ ଖେଳେଇ ଦେବାର ଅଭିଯାନ ଫଳରେ ସେୟାର୍‌ ବଜାରରେ ଭୟର ବାତାବରଣ ସୃଷ୍ଟି ହୋଇ ଆଇଟି କମ୍ପାନିଗୁଡ଼ିକଠାରେ ଭୀତି ସଞ୍ଚାର ହେଲା। ଫଳସ୍ୱରୂପ ଅଳ୍ପ ଦିନ ଭିତରେ ଚାଇନା କମ୍ପାନିଗୁଡ଼ିକର ଅଂଶଧନର ସାମଗ୍ରିକ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଡଲାର୍‌ ହ୍ରାସ ପାଇଗଲା।

‘ସାମୂହିକ ସମୃଦ୍ଧି’ର ଅବଧାରଣା ଚୀନ ପାଇଁ କିଛି ନୂଆ ନୁହେଁ। ପୁଞ୍ଜିବାଦୀ ବ୍ୟବସ୍ଥାରେ ଅଳ୍ପ ଲୋକ ଧନୀ ହୋଇ ଅଧିକାଂଶ ଲୋକ ଦାରିଦ୍ର୍ୟରେ କାଳାତିପାତ କରୁଥିବାରୁ ସାମ୍ୟବାଦୀ ବ୍ୟବସ୍ଥା ତା’ଠାରୁ ଯଥେଷ୍ଟ ଭଲ ବୋଲି ଦର୍ଶାଇବାକୁ ଯାଇ ୧୯୫୩ରେ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ‘ପିପୁଲ୍‌ସ୍ ଡେଲି’ରେ ପ୍ରଥମ ଥର ଲାଗି ଏହାର ଉଲ୍ଲେଖ ହୋଇଥିଲା। ତେବେ ଡେଙ୍ଗ ଚାଓପିଙ୍ଗଙ୍କ ଶାସନ କାଳରେ ସାମୂହିକ ସମୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ଚୀନର ଅର୍ଥନୈତିକ ବ୍ୟବସ୍ଥାର ଆଧୁନିକୀକରଣ କରାଯାଇ କୁହାଗଲା ଯେ ଆଗେ କିଛି ଲୋକ ଧନୀ ହୋଇଯାଆନ୍ତୁ; ତା’ପରେ ସେମାନଙ୍କ ପଛେ ପଛେ ଅନ୍ୟମାନଙ୍କୁ ଉପରକୁ ଉଠାଇ ହେବ। ଏହି ପରିବର୍ତ୍ତିତ ଖୋଲା ଅର୍ଥନୀତିରେ ଚୀନ ପୁଞ୍ଜିବାଦର ନିକଟତର ହେଲା ଓ ବିକାଶ ଦରର ବେଗ ବଢ଼ିଲା। ‘ଚାଇନା ଲକ୍ଷଣର ସାମ୍ୟବାଦ’ ନୀତିର ଅନୁସରଣ କରି ଏହା ଏକ ପ୍ରଭାବଶାଳୀ ଅର୍ଥନୈତିକ ଶକ୍ତିରେ ପରିଣତ ହେଲା। ମାତ୍ର, ବିଭିନ୍ନ ଶ୍ରେଣୀର ଲୋକଙ୍କ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ଏପରି ବଢ଼ିଲା ଯେ ତାହା କମ୍ୟୁନିଷ୍ଟ ପାର୍ଟି ପାଇଁ ଚିନ୍ତାର କାରଣ ହେଲା।

ବର୍ତ୍ତମାନ ଆମେରିକା ପଛକୁ ଚୀନରେ ବିଶ୍ୱର ସର୍ବାଧିକ ୬୨୬ ଜଣ ବିଲିଅନେଆର୍‌ (୧୦୦ କୋଟି ଡଲାର୍‌ ବା ତା’ଠାରୁ ଅଧିକ ସମ୍ପତ୍ତି ଥିବା ବ୍ୟକ୍ତି) ଅଛନ୍ତି। ସାରା ବିଶ୍ୱରେ ପ୍ରସ୍ତୁତ ସୌଖୀନ ଦ୍ରବ୍ୟର ପ୍ରାୟ ଅଧା ଚୀନର ଧନୀକ ଶ୍ରେଣୀର ଲୋକେ ହିଁ ବ୍ୟବହାର କରିଥାଆନ୍ତି। ଅନ୍ୟ ପକ୍ଷରେ ସେଠାରେ ୬୦ କୋଟି ଶ୍ରମିକ ମାସିକ ପ୍ରାୟ ୧୫୪ ଡଲାର୍‌ (୧୧୫୦୦ ଟଙ୍କା) ବା ତା’ ଠାରୁ କମ୍‌ ଆୟରେ ଦାରିଦ୍ର୍ୟ ଭିତରେ ଚଳିଥାଆନ୍ତି। ବସ୍ତୁତଃ ଚୀନରେ ରହୁଥିବା ଗରିବଙ୍କ ସଂଖ୍ୟା ଆମେରିକା ଲୋକସଂଖ୍ୟାର ପ୍ରାୟ ଦୁଇ ଗୁଣ। ତେଣୁ ‘ସାମୂହିକ ସମୃଦ୍ଧି’ ଏବେ ଚୀନର ଲକ୍ଷ୍ୟ।

ଏହି ନୀତିର ଅନୁସରଣ କରି ଜିନପିଙ୍ଗ ଗୋଟିଏ ପଟେ ନିଜକୁ ଗରିବଙ୍କ ତ୍ରାଣକର୍ତ୍ତା ଭାବେ ଲୋକପ୍ରିୟ ଶାସକ ରୂପେ ପରିଚିତ ହେବାକୁ ପ୍ରୟାସ କରିଥିଲା ବେଳେ ଅନ୍ୟ ପକ୍ଷରେ ତାଙ୍କ ପ୍ରତିପତ୍ତି ପ୍ରତି ଆହ୍ୱାନ ସୃଷ୍ଟି କରୁଥିବା ନବ୍ୟ-ଧନୀକ ଶ୍ରେଣୀର ଲୋକଙ୍କୁ ସେଥିରୁ ନିବୃତ୍ତ ରହିବା ଲାଗି ଚେତେଇ ଦେଇଛନ୍ତି। ଏଥି ଲାଗି ତାଙ୍କୁ ସମ୍ପତ୍ତିର ପୁନଃବଣ୍ଟନ, ସାମାଜିକ ସ୍ତରରେ ଅଗ୍ରସର ହେବା ପାଇଁ ସମାନ ସୁଯୋଗ ପ୍ରଦାନ ଓ ସାମାଜିକ ବୈଷମ୍ୟ ହ୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେବାକୁ ହେବ। ସମ୍ପତ୍ତି କର ବୃଦ୍ଧି, ଉଚ୍ଚ ଆୟକର ଦର, ଉତ୍ତରାଧିକାର କର ଭଳି ଗତାନୁଗତିକ ପନ୍ଥାର ଅବଲମ୍ୱନରେ ହୁଏ’ତ ସେ ଏହି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରି ପାରିଥାଆନ୍ତେ; ଯାହା ସେ କରି ନାହାନ୍ତି। ଦରମା ଓ ମଜୁରିକୁ ବଢ଼ାଇ ମଧ୍ୟମ ଆୟକାରୀ ବର୍ଗର ଅଧିକ ସଂଖ୍ୟକ ଲୋକଙ୍କୁ ଆୟକରର ପରିଧି ଭିତରକୁ ଆଣି ଗରିବ ଲୋକଙ୍କ ଆୟକୁ ବୃଦ୍ଧି କରି ଓ ଅତ୍ୟଧିକ ଆୟକୁ ଯୁକ୍ତିସଙ୍ଗତ ଭାବେ ନିୟନ୍ତ୍ରଣ କରିବା ସହ ଅବୈଧ ଆୟ ଉପରେ ଅଙ୍କୁଶ ଲଗାଇ ସାମୂହିକ ସମୃଦ୍ଧିର ଲକ୍ଷ୍ୟ ହାସଲ କରାଯିବ। କର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ଦେବାକୁ ପଡୁଥିବାରୁ କମ୍ପାନିଗୁଡ଼ିକର ଲାଭ ହ୍ରାସ ପାଇବ। ସିଧାସଳଖ ଦାନ ଓ ଅର୍ଥ ସାହାଯ୍ୟ ମାଧ୍ୟମରେ ଉଚ୍ଚ ଆୟକାରୀ ବ୍ୟକ୍ତିମାନଙ୍କୁ ଓ କମ୍ପାନିଗୁଡ଼ିକୁ ସମାଜକୁ ସହଯୋଗର ହାତ ବଢ଼ାଇବାକୁ ପ୍ରୋତ୍ସାହିତ କରାଯିବ। ଏହାକୁ ‘ତୃତୀୟ ବଣ୍ଟନ’ ବା ଥାର୍ଡ ଡିଷ୍ଟ୍ରିବ୍ୟୁସନ୍ ବୋଲି କୁହାଯାଏ। ଏଥି ସହିତ ସାଧାରଣ ସେବା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ ଅଧିକ ଉନ୍ନତ କରାଯିବ। ଏହି ସମସ୍ତ ପଦକ୍ଷେପ ଦ୍ୱାରା ସାଧାରଣ ଲୋକଙ୍କ ହାତକୁ ଅଧିକ ଅର୍ଥ ଆସିବ। ଫଳରେ ଚୀନର ଅର୍ଥନୀତି ଆଉ ରପ୍ତାନି ନିର୍ଭରଶୀଳ ନ ହୋଇ ଘରୋଇ ଉପଭୋକ୍ତା ସଞ୍ଚାଳିତ ହେବା ଆଶା କରାଯାଏ।

ସାମୂହିକ ସମୃଦ୍ଧିର ଅର୍ଥ ସମସ୍ତଙ୍କୁ ସମାନ ଭାବେ ବାଣ୍ଟିବା ନୁହେଁ। ତେଣୁ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଧନୀ ବ୍ୟକ୍ତିଙ୍କୁ ଲୁଟ୍‌ କରି ବା ସେମାନଙ୍କୁ ନିପାତ କରି ନୁହେଁ, ବରଂ ଉପଯୁକ୍ତ କାର୍ଯ୍ୟପନ୍ଥା ଅବଲମ୍ୱନରେ ସାମଗ୍ରିକ ଆୟକୁ ବଣ୍ଟନ କରିବା ହେଉଛି ଏହାର ଲକ୍ଷ୍ୟ। ଏହି ନୀତି କେବଳ ଅର୍ଥନୀତି କ୍ଷେତ୍ରରେ ସଂସ୍କାର ଲାଗି ନୁହେଁ ବରଂ ସାମାଜିକ କ୍ଷେତ୍ରରେ ମଧ୍ୟ କେତେକ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ। ଯେପରି ଆଇଟି କ୍ଷେତ୍ରର କର୍ମଚାରୀଙ୍କ କାମ କରିବାର ସର୍ବୋଚ୍ଚ ସମୟ ନିର୍ଦ୍ଧାରଣ, ଲାଭ ଉଦ୍ଦେଶ୍ୟରେ ଶିକ୍ଷା ପ୍ରଦାନ (ଟ୍ୟୁଟର ବ୍ୟବସ୍ଥା) ଉପରେ ପ୍ରତିବନ୍ଧ, କିଶୋରମାନେ ସର୍ବାଧିକ କେତେ ସମୟ ଭିଡିଓ ଗେମ୍‌ ଖେଳି ପାରିବେ, ସେଲିବ୍ରିଟି ଓ ମଡେଲ୍‌ମାନଙ୍କ ଆଚରଣ ଆଦି ଅନ୍ତର୍ଭୁକ୍ତ। ମୋଟ ଉପରେ ଏହା ଏକ ରାଜନୈତିକ ପରିବର୍ତ୍ତନ ଯେଉଁଥିରେ ସାଧାରଣ ଜନତା ପୁଣି ଶାସନର କେନ୍ଦ୍ରବିନ୍ଦୁକୁ ଫେରି ଆସିଛନ୍ତି। ୨୦୨୫ ସୁଦ୍ଧା ବୈଷମ୍ୟ ହ୍ରାସର ଲକ୍ଷ୍ୟ ରଖି ଏହି ନୀତିକୁ ପାଇଲଟ ଭିତ୍ତିରେ ଜେଜାଙ୍ଗ ପ୍ରଦେଶରେ କାର୍ଯ୍ୟକାରୀ କରାଯାଉଛି। ତେବେ ସାରା ଦେଶରେ ଚରମ ଦାରିଦ୍ର୍ୟ ଦୂର କରିବା ଲକ୍ଷ୍ୟରେ ଏହି ନୀତି ୨୦୩୫ ସୁଦ୍ଧା ‘ଉଲ୍ଲେଖନୀୟ ଅଗ୍ରଗତି’ କରିବା ସହ ୨୦୫୦ ସୁଦ୍ଧା ଏହାର ‘ସମ୍ପୂର୍ଣ୍ଣ ଲକ୍ଷ୍ୟ’ ହାସଲ ହୋଇ ପାରିବ ବୋଲି ଜିନପିଙ୍ଗ ବେଶ୍‌ ଆଶାବାଦୀ।

‘ଅକ୍‌ସଫାମ୍‌ ଇଣ୍ଡିଆ’ ଦ୍ୱାରା ସଦ୍ୟ ପ୍ରକାଶିତ ‘ଇନ୍‌ଇକ୍ୱାଲିଟି କିଲ୍‌ସ୍’ ରିପୋର୍ଟ ଅନୁଯାୟୀ ଭାରତରେ ଗତ ୧ ବର୍ଷ ମଧ୍ୟରେ ଦେଶର ୮୪ ପ୍ରତିଶତ ପରିବାର ଜୀବନ ଓ ଜୀବିକା ହରାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଆୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହି କୋଭିଡ୍‌ କାଳରେ (ମାର୍ଚ୍ଚ ୨୦୨୦ରୁ ନଭେମ୍ୱର ୨୦୨୧) ଦେଶରେ ବିଲିଅନେଆର୍‌ଙ୍କ ସଂଖ୍ୟା ୧୦୨ରୁ ବଢ଼ି ୧୪୨ରେ ପହଞ୍ଚିଛି। ମାତ୍ର ଦେଢ଼ ବର୍ଷ ମଧ୍ୟରେ କେବଳ ବିଲିଅନେଆର୍‌ଙ୍କ ନିକଟରେ ଥିବା ସମ୍ପତ୍ତିର ସାମଗ୍ରିକ ମୂଲ୍ୟ ୨୩.୧୪ ଲକ୍ଷ କୋଟି ଟଙ୍କାରୁ ବଢ଼ି ୫୩.୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଦୁଇ ଗୁଣରୁ ଅଧିକ। ଅନ୍ୟ ପକ୍ଷରେ ଇତିମଧ୍ୟରେ ୪.୬ କୋଟି ଭାରତୀୟ ଅତି ଗରିବ ସ୍ତରକୁ ଖସି ଯାଇଛନ୍ତି। ବସ୍ତୁତଃ ଜାତିସଂଘର ରିପୋର୍ଟ ଅନୁଯାୟୀ ସାରା ବିଶ୍ୱର ଅତି ଗରିବ ଲୋକଙ୍କ ମଧ୍ୟରୁ ଅଧାରୁ ବେଶି ଭାରତରେ ରହିବା ଓ ସେମାନଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ ରୂପେ ଉଦ୍‌ବେଗର ବିଷୟ। ଧନୀ ଓ ଗରିବଙ୍କ ମଧ୍ୟରେ ଆୟ ଓ ସମ୍ପତ୍ତିରେ ଥିବା ଏହି ଖାଇ ବୃଦ୍ଧି ପାଇ ଚାଲିବାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଭାରତର ଅର୍ଥନୈତିକ ବ୍ୟବସ୍ଥା ଦରିଦ୍ର ଓ ଅତି ଦରିଦ୍ରଙ୍କୁ ଆଗକୁ ନ ନେଇ ବରଂ ଅତ୍ୟଧିକ ଧନୀ (ସୁପର-ରିଚ୍)ଙ୍କୁ ଆହୁରି ଅଧିକ ଧନୀ ହେବାରେ ସାହାଯ୍ୟ କରୁଛି। ପ୍ରଚଳିତ ଅର୍ଥନୈତିକ ବ୍ୟବସ୍ଥା ବୈଷମ୍ୟ ବୃଦ୍ଧିକୁ ପ୍ରୋତ୍ସାହନ କରୁଥିବା ବେଳେ ଲୋକଙ୍କୁ ଚରମ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଉଛି। ଚରମ ଦାରିଦ୍ର୍ୟ କାରଣରୁ ପ୍ରତିଦିନ ପ୍ରାୟ ୨୧୦୦୦ ଲୋକ ମୃତ୍ୟୁ ବରଣ କରୁଛନ୍ତି, ଅର୍ଥାତ୍ ପ୍ରତି ୪ ସେକେଣ୍ଡ୍‌ରେ ଜଣେ। ରୋଜଗାର କ୍ଷେତ୍ରରେ ଲିଙ୍ଗଗତ ବୈଷମ୍ୟ ମଧ୍ୟ ବୃଦ୍ଧି ପାଇଛି। ୨୦୧୯ ତୁଳନାରେ ୨୦୨୦ରେ ପ୍ରାୟ ୧.୩ କୋଟି ଅଧିକ ମହିଳା ରୋଜଗାର ହରାଇଛନ୍ତି।

ତେଣୁ ପ୍ରଶ୍ନ ଉଠେ ଯେ ତାହା ହେଲେ ଯେମିତି ଚାଲିଛି କ’ଣ ସେମିତି ଚାଲିଥିବ? ଏବେ ଟିକିଏ ଥୁକୁଲ୍ ପକାଇ କେଉଁଠି ଭୁଲ୍‌ ରହିଗଲା ତା’ର ପୁନରାବଲୋକନ କରିବା। ତାହା ହେଲେ ଭୁଲ୍‌କୁ ସୁଧାରି ହେବ। ଭାରତୀୟ ସମ୍ୱିଧାନର ଧାରା ୩୮ ଅନୁଯାୟୀ ଅର୍ଥନୈତିକ ବୈଷମ୍ୟକୁ ହ୍ରାସ କରିବା ପାଇଁ ପ୍ରୟାସ କରିବାର ଦାୟିତ୍ୱ ରାଷ୍ଟ୍ର ଉପରେ ନ୍ୟସ୍ତ ଥିବାରୁ ସରକାରଙ୍କୁ ସେଥି ପ୍ରତି ଧ୍ୟାନ ଦେବାକୁ ହେବ। ‘ଅକ୍‌ସଫାମ୍ ଇଣ୍ଡିଆ’ର ପରାମର୍ଶ ଅନୁଯାୟୀ କେବଳ ଯଦି ଦେଶର ସର୍ବାଧିକ ୧୦ ପ୍ରତିଶତ ଧନୀଙ୍କ ଉପରେ ମାତ୍ର ୧ ପ୍ରତିଶତ ଅଧିକ ଟିକସ ଲଗାଯାଏ, ତେବେ ସ୍କୁଲ୍‌ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରୁଥିବା ଯୋଜନାଗୁଡ଼ିକ ପାଇଁ ଆବଶ୍ୟକ ଅର୍ଥ ସେଥିରୁ ସଂଗୃହୀତ ହୋଇପାରିବ। ଚୀନର ଜିଡିପି ଓ ଅର୍ଥନୈତିକ ବିକାଶ ହାର ଯଥେଷ୍ଟ ଅଧିକ ଥିବା ସତ୍ତ୍ୱେ ସାଧାରଣ ଜନତା ତଦ୍ଦ୍ୱାରା ଲାଭାନ୍ୱିତ ହୋଇ ପାରୁ ନ ଥିବାରୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି ଚୀନ ତା’ର ନୀତିରେ ବ୍ୟାପକ ପରିବର୍ତ୍ତନ କରି ‘ସାମୂହିକ ସମୃଦ୍ଧି’ ଭଳି ବେଗ ରୋଧକ ନୀତିକୁ ଆପଣେଇ ପାରିଲା, ତେବେ ସେଥିରୁ ଖିଅ ନେଇ ଭାରତରେ ମଧ୍ୟ ଗରିବ ଲୋକଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ନୂଆ ନୀତିର ପ୍ରଣୟନ ହେବା ଜରୁରୀ ନୁହେଁ କି?

ମୋ-୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର