ତୁମେ ଆସିଲଣି କେତେଥର, କେତେ ରୂପରେ, କେତେ ରଙ୍ଗ ଢଙ୍ଗରେ, କେତେ ଅବତାରରେ- ହଇଜା, ମିଳିମିଳା, ମେଲେରିଆ, ଡିପ୍ଥେରିଆ, କଳାଜ୍ବର, ଏଚ୍ଆଇଭି-ଏଡ୍ସ୍, ଡେଙ୍ଗୁ, ସାର୍ସ, ପ୍ଲେଗ୍- ଏମିତି କେତେ ନାଁ ଓ ଠିକଣା। ଏଥର ଜାନୁଆରି ୨୦୨୦ରେ ଜାତ ହେଲ ଚାଇନାରେ। ପ୍ରୟୋଗ ଶାଳାରେ ନା ପଶୁ ବଜାରରେ ସେକଥା ତମେ ଜାଣ। ଅଜ୍ଞାତ ବାସରେ ରହିଲ ସାତ ଦିନ। ଲୁଚି, ଛପି ସେଠି ମାରିଲ ତିନି ହଜାରରୁ ଅଧିକ, ପଶିଲ ୩୦ ହଜାରଙ୍କ ଦେହରେ, ସ˚କ୍ରମିତ କଲଣି ସାରା ବିଶ୍ବ। ମାରିଲଣି ଦୁଇ ଲକ୍ଷରୁ ଅଧିକ ଓ ଛୁଇଁଲଣି ଦୁଇଶହ ଦେଶର ୩୫ ଲକ୍ଷ ଲୋକଙ୍କୁ। ତମ ନୂଆ ନାଁ ଏବେ କରୋନା। ୧୯୯୨ ମସିହା ଅକ୍ଟୋବର ବାର ତାରିଖ ସକାଳେ ତମେ କଲମ୍ବସ୍ଙ୍କ ନିନା, ପିଣ୍ଟା, ଶାନ୍ତା ମେରିଆ, ବୋଇତରେ ବସି ୩୬ ଦିନ ପରେ ପହଞ୍ଚିଥିଲ ଆମେରିକା ଉପକୂଳରେ। ଲକ୍ଷ, ଲକ୍ଷ ବର୍ଷ ଧରି ପ୍ରକୃତି କୋଳରେ ନିରାମୟ ଜୀବନ ଯାପନ କରୁଥିବା ଲଙ୍ଗଳା, ଫୁଙ୍ଗୁଳା, ସରଳ ଆଦିବାସୀ ଓ ଆମେରିକାର ମୂଳ ଅଧିବାସୀ ବିଦେଶୀ, ୟୁରୋପିଆନଙ୍କ ଶରୀରରେ ଥିବା ଭୂତାଣୁ ସମ୍ପର୍କରେ ଆସି ମରିଗଲେ। ସଂଖ୍ୟା ଥିଲା ଆଠ କୋଟି। ମଧୢଯୁଗୀୟ ୟୁରୋପରେ ଏମିତି ମରିଯାଇଥିଲେ ଅଧେ ଲୋକ। ‘ଲାଇଫ୍ ଏକ୍ସପେକ୍ଟାନ୍ସି’ ବା ହାରାହାରି ଆୟୁଷ କମି ଯାଇଥିଲା ୨୦ ବର୍ଷକୁ। ମଣିଷ ଓ ମହାମାରୀଙ୍କ ମହାଯୁଦ୍ଧ ଚାଲୁ ରହିଚି।
ଏଥର ତମେ ନୂଆ ରୂପରେ ଆସିଲା ପରେ ମଣିଷକୁ ଆଉଥରେ ଚେତାଇ ଦେଇଛ ସେ କେତେ ଦୁର୍ବଳ, କେତେ ଅସହାୟ ଓ କେତେ ଭଙ୍ଗୁର ତା’ର ଜୀବନ। ସତର୍କ ଘଣ୍ଟି ବଜେଇ ପୁଣି ମନେ ପକାଇ ଦେଇଚ ଏଠି କେହି ବଡ଼-ସାନ ନାହାନ୍ତି, କାହାର ଧର୍ମ, ସ˚ସ୍କୃତି ଅନ୍ୟ ଠାରୁ ଭଲ କି ଖରାପ ନୁହେଁ। କରୋନାର କେହି ପ୍ରିୟ ଅପ୍ରିୟ ଶତ୍ରୁ, ମିତ୍ର ନାହାନ୍ତି। ଜଣେ ଅସୁସ୍ଥ ହେଲେ ଆଉ ଶହେଜଣଙ୍କ ସ୍ବାସ୍ଥ୍ୟ ପାଇଁ, ଜୀବନ ପାଇଁ ବିପଦ। ଏବେ ଆମେ ଅନୁଭବ କରୁଛେ, ଆମର ମୌଳିକ ଆବଶ୍ୟକତା କେତେ କମ୍ ଓ ଆମେ ଉପଭୋଗ କରୁଚେ କେତେ ବେଶୀ। ଆମେ କେତେ ଲୋଭୀ, କେତେ ଅହ˚କାରୀ, କେତେ ଗର୍ବୀ, କେତେ କ୍ଷମତା ପାଗଳ। ଗୋଟେ ଅଣୁ ପରମାଣୁ ଠାରୁ କ୍ଷୁଦ୍ରାତି କ୍ଷୁଦ୍ର, ଅଦୃଶ୍ୟ ଭୂତାଣୁ ଆମ ଠାରୁ କେତେ ଶକ୍ତିମାନ୍। ଦୁଇ ଗାଲରେ ଦୁଇ ଥାପଡ଼ ଦେଇ ପୃଥିବୀ ମଣିଷକୁ କହୁଚି ମୋ ଯୋଗୁ ତୁ ନୁହଁ- ତୋ ଯୋଗୁ ମୁଁ ଆଜି ଅସୁସ୍ଥ। ତୁ ମୋ ଘରେ ଭଡ଼ାଟିଆ ହୋଇ ରହୁ ରହୁ ମାଲିକ ହେଇଗଲୁ। ଘର ମରାମତି ବି କଲୁନାହିଁ। ଏ ମହାମାରୀ ତା’ରି ପରିଣାମ। ପ୍ରକୃତି ଏବେ ନିଜକୁ ନିଜେ ସୁଧାରିବା ପାଇଁ ସତେ ଯେମିତି ତାକୁ ଡାକି ଆଣିଚି। ପ୍ରଦୂଷଣରୁ ପରିଚ୍ଛନ୍ନତା ପ୍ରକ୍ରିୟା ଆରମ୍ଭ ହେଲାଣି। ଆଉ ପ୍ରତିବର୍ଷ ବିଷାକ୍ତ ବାୟୁ ଶୁ˚ଘି ଶୁ˚ଘି ଲକ୍ଷ ଲକ୍ଷ ଲୋକ ମରିବେ ନାହିଁ। ରୋଗ ପ୍ରତିଷେଧ ପାଇଁ ସ୍ବାସ୍ଥ୍ୟ କେତେ ମହତ୍ତ୍ବପୂର୍ଣ୍ଣ ଅନୁଭବ କଲେଣି ଲୋକେ। ଗଙ୍ଗା, ଯମୁନା ପାଣି ଏବେ ଅଧିକ ନିର୍ମଳ, ଆକାଶ ଫେରି ପାଇଲାଣି ନିଜର ନୀଳିମା। ବରଫ ଆଚ୍ଛାଦିତ ହିମାଳୟ ଶିଖର ଏବେ ଦୁଇଶହ କିଲୋମିଟରରୁ ଦୃଶ୍ୟମାନ। ରାସ୍ତା ଦୁର୍ଘଟଣାରେ ମରୁନାହାନ୍ତି ଲୋକେ। ଚଢ଼େଇମାନେ ମନ ଆନନ୍ଦରେ ଉଡ଼ିଲେଣି ଗୀତ ଗାଇ ଗାଇ। ସତେ ଯେମିତି ମଣିଷକୁ ଡାକି ଡାକି କହୁଛନ୍ତି ବହୁତ ହେଇଗଲା, ଫେରାଇ ଦିଅ ଆମ ପରିବେଶ। ପ୍ରକୃତି ସହ ଶତ୍ରୁତା ଛାଡ଼ି ବନ୍ଧୁତା ସ୍ଥାପନ କର। ନ ହେଲେ ‘କ୍ବାରାଣ୍ଟାଇନ୍’ରେ ଥାଅ। ଏହା ବିଶ୍ବ ପାଇଁ ମଙ୍ଗଳ। କାର୍ବନ ଶୁ˚ଘି ଶୁ˚ଘି ତ୍ରାହି ତ୍ରାହି ଡାକୁଥିବା ଗଛ ପତ୍ର ନୂଆ କରି ନିଃଶ୍ବାସ ନେଉଛନ୍ତି। ଆକାଶରେ ଏବେ ଉଡ଼ାଜାହାଜ କମ୍ ଓ ପକ୍ଷୀ ବେଶୀ ଉଡୁଛନ୍ତି। ରନ୍େଵ, ରେଲ୍େଵ, ରୋଡ୍ୱେଜ୍ ଖାଲି। ମୃତପ୍ରାୟ ପ୍ରକୃତି ଓ ପୃଥିବୀକୁ କରୋନା ଦେଇଚି ଜୀବନର ନୂତନ ଚୁମ୍ବନ। ସମୟର ଗତି ଓ ବେଗ ହ୍ରାସ ପାଇଲାଣି। ତା ସହ ହ୍ରାସ ପାଇଛି ଅପରାଧ ସ˚ଖ୍ୟା।
ଏହି କରୋନା। ତମେ ଆସିଲା ପରେ ବଦଳି ଗଲାଣି ଜୀବନଯାପନ ପ୍ରଣାଳୀ, ରୀତିନୀତି, ସ˚ସ୍କୃତି, ପରମ୍ପରା। ବିରୋଧୀ ଦଳ ଓ ବେସରକାରୀ ସ˚ଗଠନ, ଟ୍ରେଡ୍ ୟୁନିୟନ୍ମାନେ ଆଉ ଭାରତ ବନ୍ଦ, ଓଡ଼ିଶା ବନ୍ଦ ଡାକରା ଦେଉନାହାନ୍ତି। ବନ୍ଦ ଡାକରା ଦେଉଛନ୍ତି ସ୍ବୟ˚ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ସରକାର ଏବ˚ ବାରମ୍ବାର। ଅସ୍ପୃଶ୍ୟତା ଏବେ ବେଆଇନ ନୁହେଁ, ନୂଆ ଆଇନ। ସବୁଆଡ଼େ ଗୋଟିଏ ସ୍ବର ମତେ ଛୁଅଁନା, ଛୁଅଁନା। ଶବ ପାଇଁ ଶୋକଯାତ୍ରା, ଶୋଭାଯାତ୍ରା ମନା। ‘‘ବନ୍ଧୁ ବାନ୍ଧବ ମୋହରି, ଚାରିପଟେ ରହିଥିବେଟି ଘେରି- ଜୀବନ ଯିବ ବାହାରି’’ ମୃତକର ଏଇ ଶେଷ ଇଚ୍ଛା, ଇଚ୍ଛାରେ ରହିଯାଉଛି। ବାପା, ମା’ଙ୍କ ଶେଷ ଦର୍ଶନ ପାଇଁ ପିଲାଙ୍କୁ ଟିକଟ ମିଳୁନାହିଁ। ଫୁଲମାଳକୁ ହଟାଇ ଦେଲାଣି ପ୍ଲାଷ୍ଟିକ୍ ଖୋଳ। ଯେ ମୁଖାଗ୍ନି ଦେଇଥାନ୍ତେ, ସେ ସଙ୍ଗହୀନ କ୍ବାରାଣ୍ଟାଇନ୍ରେ। ଶୁଦ୍ଧିକ୍ରିୟା ପାଇଁ ବ୍ରାହ୍ମଣ, ବାରିକ ମିଳୁନାହାନ୍ତି।
ଯେଉଁମାନେ ପେଟ ପାଇଁ ପିଲା ଛୁଆ, ସ୍ତ୍ରୀ ପରିଜନ ଘରଦ୍ବାର ଛାଡ଼ି ବାହାରକୁ ପଳାଇଥିଲେ ସେମାନେ ଏବେ ପ୍ରାଣ ବଞ୍ଚାଇବାକୁ ଘରକୁ ପଳାଇ ଆସୁଛନ୍ତି। କିନ୍ତୁ ନାହିଁ ଆନନ୍ଦ, ନାହିଁ ଅଭିନନ୍ଦନ। କରୋନା ପ୍ରସଙ୍ଗରେ ଚାଣକ୍ୟଙ୍କର ଏକ ଉକ୍ତି- ‘‘ଉପସର୍ଗେ ଉପଦ୍ରବେ ଦୁର୍ଭିକ୍ଷେଚ ଭୟାବହେ- ଅସାଧୁ ଜନ ସମ୍ପର୍କେ- ଯଃ ପଳାୟତି ସଃ ଜୀବତି’’। ଅର୍ଥାତ୍ ମହାମାରୀ, ଉପଦ୍ରବ, ଶତ୍ରୁ ଆକ୍ରମଣ, ଦଙ୍ଗା ଫସାଦ, ଭୟାବହ ଦୁର୍ଭିକ୍ଷ ଓ ଦୁର୍ଜନ ଚରିତ୍ରହୀନ ରହୁଥିବା ସ୍ଥାନରୁ ପଳାୟକ କଲେ ଜୀବନ ରକ୍ଷା ହେବ। ଏଗୁଡ଼ିକ ସ୍ତ୍ରୀ, ପିଲା, ପରିବାର ପାଇଁ ବିପଦ। କରୋନା ସଙ୍କଟରୁ ମନ୍ଦିର, ମସ୍ଜିଦ୍, ଧର୍ମ, କର୍ମକାଣ୍ତ, ଈଶ୍ବର ଆଲ୍ଲା- କେହି ରକ୍ଷା କରିପାରିବେ ନାହିଁ। ରକ୍ଷା କରିବ କେବଳ ଆମର ସତର୍କତା ଓ ସଚେତନତା, ଆମର ଆଚରଣ। ରକ୍ଷା କରିବ ବାରମ୍ବାର ସାବୁନ୍ରେ ହାତ ଧୋଇବା, ସାମାଜିକ ଓ ଶାରୀରିକ ଦୂରତ୍ବ, ମୋଟା ସଫା କନାରେ ପାଟି, ନାକ ଘୋଡ଼ାଇ ବାହାରକୁ ଯିବା ଅଭ୍ୟାସ। ଦିଅଁମାନେ ବି ମାନିଲେଣି। ସି˚ହଦ୍ବାରେ ଭିଡ଼ାଭିଡ଼ି, ବେତବାଡ଼ି, ଜଗମୋହନ, ଆନନ୍ଦ ବଜାର ଏବେ ଜନଶୂନ୍ୟ, ନିରବ। ସାମାଜିକ ପ୍ରାଣୀମାନେ ଏବେ ଏକୁଟିଆ। ଯେଉଁ ଶୁଚିବାଇ ଓ ବାୟାଣୀମାନେ ଦିନ ରାତି ଛୁଆଁ ଛୁଆଁ ରଡ଼ି କରୁଥିଲେ ଏବେ ତାଙ୍କୁ ଦଶଫୁଟରୁ ଦୂରୁ ଜୁହାର। ପୃଥିବୀ ହାତ ନ ମିଳାଇ କହିଲାଣି ‘ନମସ୍ତେ’। ଆଲିଙ୍ଗନ, ଚୁମ୍ବନ, କରମର୍ଦ୍ଦନ ମନା।
ଏମିତି ଅନେକ ବ୍ୟକ୍ତିଗତ, ସାମୂହିକ ଗୋଷ୍ଠୀ ଆଚରଣ ବଦଳାଇ ଦେଲାଣି କରୋନା। ସ୍ବାମୀ-ସ୍ତ୍ରୀ ଏବେ ଫୁଲ୍ ଟାଇମ୍ ହଜ୍ବ୍ୟାଣ୍ତ ଵାଇଫ୍। ରାମାୟଣ ମହାଭାରତ ଦିନକୁ ଚାରିଥର ଦେଖିଲା ପରେ ବି ସମୟ ସରୁନି। ରାମାୟଣ ସିରିଆଲ୍ ବେଳେ, ହନୁମାନ ଚରିତ୍ର କରୁଥିଲେ ଦାରା ସି˚ହ। ଆମିଷ ଛାଡ଼ି ଦେଇଥିଲେ। ଏବେ ସେଇ ସିରିଆଲ ଦେଖୁଥିବା ଲୋକଙ୍କ ଭିତରୁ ଅନେକଙ୍କ ଘରେ ଆଇଁଷ ହେଉନାହିଁ। ବଞ୍ଚିଗଲେ ଲକ୍ଷ ଲକ୍ଷ ପ୍ରାଣୀ। ବାରିକ ନ ମିଳିବାରୁ ସବୁ ବାବୁ ଏବେ ଦାଢ଼ିଆ ବାବାଜି। ସମସ୍ତେ ଘରେ ରହିବାରୁ ଚୋରଙ୍କ ବ୍ୟବସାୟ ବନ୍ଦ। ସ୍ବାମୀ ରୋଷେଇ ଘରେ ବାସନ ମାଜିବା ଓ ପୋଛା ଲଗାଇବା ଆଉ ଏକ ମନୋରମ ଦୃଶ୍ୟ। କେତେକ ସ୍ବାମୀ ପରିହାସରେ କହୁଛନ୍ତି- ବର୍ତ୍ତନ, ଝାଡୁ, ପୋଛା ନା ନୂଆ ବି.ଜେ.ପି.? ଘରେ ପିଲାଙ୍କ ସହ କ୍ୟାରମ୍, ଲୁଡ଼ୁ, ତାସ୍ ଖେଳୁଛନ୍ତି ବାପା ମା’। ହୋମ୍ ସୁଇଟ୍ ହୋମ୍। ତା ସାଙ୍ଗେ ଲଢ଼େଇ, ଝଗଡ଼ା ବି ବଢ଼ିଲାଣି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁଁ ବହୁଲୋକ ଚାକିରି ହରାଇ ଘରେ ବସି ରହିଥିଲେ। ଫଳରେ ପିଲା ଜନ୍ମ ହାର ହଠାତ୍ ବଢ଼ି ଯାଇଥିଲା। ୧୮ ବର୍ଷରେ ଜନ୍ମ ହେଇଥିଲେ ପ୍ରାୟ ଆଠ କୋଟି ଅଧିକ ପିଲା। ଏମାନଙ୍କୁ କୁହାଗଲା ‘‘ବେବି ବୁମର ପିଢ଼ି।’’ ଏବେ ବାହାଘର ପ୍ରସ୍ତାବ ଆସିଲେ ଝିଅ ପଚାରୁଚି ସେଇ ପୁଅକୁ ବାହା ହେବି ଯିଏ ଆମେରିକା, ଇଟାଲି, ଇ˚ଲଣ୍ତ, ଫ୍ରାନ୍ସ, ଚାଇନାରେ କାମ କରୁନଥିବ। ହଟ୍ସ୍ପଟ୍ ମୁମ୍ବାଇ, ବାଙ୍ଗାଲୋରରେ ରହୁ ନ ଥିବ। କରୋନା ମୁକ୍ତ ସହରରେ ଜବ୍ କରୁଥିବ। ଭାରତୀୟ ଯୁବପିଢ଼ିଙ୍କର ଆମେରିକାରେ ଚାକିରି କରିବା ସ୍ବପ୍ନ ଭାଙ୍ଗିଯାଇଚି। ତା’ ସହ ଖବର ଅନୁସାରେ, ଭାରତରେ ରହୁଥିବା ଆମେରିକାନ ନାଗରିକମାନେ ଏବେ ନିଜ ଦେଶକୁ ଫେରିବା ଚାହୁଁନାହାନ୍ତି। ଜୀବନ ସର୍ବଦା ଜୀବିକା ଓ ଜନ୍ମଭୂମି ଠାରୁ ଅଧିକ ମୂଲ୍ୟବାନ। ସବୁ ହିସାବ ଓଲଟ୍ ପାଲଟ୍। ଜାଣି ହେଉନାହିଁ କିଏ କାହାକୁ ସ˚କ୍ରମଣ କରୁଛି। ଆଗେ ଅପରେସନ ଥିଏଟରରେ ଡାକ୍ତର, ନର୍ସ ପିନ୍ଧୁଥିଲେ ମୁଖା ନ ହେଲେ ଚନ୍ଦ୍ର, ମଙ୍ଗଳ ଗ୍ରହ ଯାତ୍ରା ବେଳେ। ଏବେ ସାରା ଦେଶ ମୁଖାମୟ। ପିଜାବୟ, ଜମାଟୋ ବୟଙ୍କୁ ଦେଖିଲେ ପାଟିରୁ ଲାଳ ବୋହୁଥିଲା- ଏବେ ଦେଖିଲେ ଲାଗୁଚି ଯେପରି କରୋନା ସଶରୀରେ ଉପସ୍ଥିତ। ସ୍କୁଲ୍, କଲେଜ, କମ୍ୟୁନିଟି ହଲ୍ ହେଲାଣି ସଙ୍ଗରୋଧ କ୍ବାରାଣ୍ଟାଇନ୍ କେନ୍ଦ୍ର, ଘର ହେଲାଣି ଅନ୍ଲାଇନ୍ ବିଦ୍ୟାଳୟ। ହ୍ବାଟ୍ସ୍ଆପ୍, ୟୁ ଟ୍ୟୁବ୍, ନୂଆ ଶିକ୍ଷକ। ଅବସାଦଗ୍ରସ୍ତଙ୍କ ପାଇଁ ଇଣ୍ଟରନେଟ୍ ନୂଆ ଡାକ୍ତର।
ସବୁ ପାର୍କରେ ତାଲା। ସହରୀ ବାବୁଙ୍କ ପ୍ରାତଃଭ୍ରମଣ ବନ୍ଦ। ବାବୁଆଣୀଙ୍କ ମନ୍ଦିର ଯାତ୍ରା, ପ୍ରବଚନ, ବିଉଟି ପାର୍ଲର ଓ ସାନ୍ଧ୍ୟ ଭ୍ରମଣ ବନ୍ଦ। ଚାରିଆଡ଼େ ନିଷ୍ଠୁର ନିରବତା। ଅନିଶ୍ଚିତତା ଆଶଙ୍କା ଓ ଆତଙ୍କଭାବ। ଜୀବିକା ହରାଇ ଲକ୍ଷ ଲକ୍ଷ ଲୋକ ଘରେ ବସିଛନ୍ତି ବା ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଫେରୁଛନ୍ତି। ସବୁ ଆଡ଼େ ଅନ୍ନଛତ୍ର। ଲାଗୁଚି ସତେ ଯେପରି ଓଡ଼ିଶାକୁ ପୁଣିଥରେ ନଅଙ୍କ ଦୁର୍ଭିକ୍ଷ ଫେରି ଆସିଚି। ଫରକ ଏତିକି ଯେ ସରକାରୀ ଓ ବେସରକାରୀ ସ˚ସ୍ଥାମାନେ ଏକାଠି ହୋଇ ଏହି ଅଭୂତପୂର୍ବ ବିପର୍ଯ୍ୟୟରୁ ଉଦ୍ଧାର ପାଇଁ ସାହସର ସହ ଅଣ୍ଟା ଭିଡ଼ିଛନ୍ତି ଏବ˚ କେତେକା˚ଶରେ ସଫଳ ହେଲେଣି। ସରକାର ପ୍ରତିଦିନ ପରିସ୍ଥିତି ସମ୍ପର୍କରେ ସାଧାରଣ ଜନତାକୁ ଅବଗତ କରାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ବିଭିନ୍ନ ବର୍ଗର ଲୋକେ ମୁକ୍ତ ହସ୍ତରେ ଦାନ କରୁଛନ୍ତି। କ୍ରୀଡ଼ା, ଚଳଚ୍ଚିତ୍ର, ସ˚ସ୍କୃତି, ସମାଜ ଓ ରାଜନୀତି କ୍ଷେତ୍ରର ତୁଙ୍ଗ ନେତା ଓ ତାରକାମାନେ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କରୋନା ଲଢ଼େଇରେ ସାମିଲ ହୋଇ ସଚେତନତା ଓ ସତର୍କତାର ବାର୍ତ୍ତା ପ୍ରସାର କରୁଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍କୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି। ଏହି ଭୟାବହ ପରିସ୍ଥିତିରୁ ମାନବ ଜାତିର ଉଦ୍ଧାର ପାଇଁ ଚିକିତ୍ସା କର୍ମୀଙ୍କ ସହ ଲାଗିଛନ୍ତି ଭାରତ ସମେତ ବିଭିନ୍ନ ଦେଶର ୮୯ଟି ଭୂତାଣୁ ବିଶେଷଜ୍ଞ ଓ ବୈଜ୍ଞାନିକ ଗୋଷ୍ଠୀ। ସାରା ବିଶ୍ବ ଚାହିଁ ରହିଚି କେବେ କରୋନା ପ୍ରତିଷେଧକ ଭାକ୍ସିନ୍ ବା ମ୍ୟାଜିକ୍ ବୁଲେଟ୍ ଟିକା ବାହାରିବ। ଏହା ବର୍ଷକ ଭିତରେ ସମ୍ଭବ ହେବ ବୋଲି ଆଶା ଓ ବିଶ୍ବାସ।
କରୋନା ମହାଯୁଦ୍ଧର ପ୍ରକୃତ ସୈନିକ ଭାରତର ସାଧାରଣ ଜନତା ଓ ସେମାନଙ୍କର ଅକୁଣ୍ଠ ସହଯୋଗ ଓ ତ୍ୟାଗ। ତା’ସହ ଦୃଢ଼ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି। ଫଳରେ ଏଠାରେ ମୃତ୍ୟୁ ସ˚ଖ୍ୟା ଆଜିସୁଦ୍ଧା ୧,୩୨୩ ଥିଲା ବେଳେ ଆମେରିକାରେ ୬୭,୪୪୮ ଓ ପୃଥିବୀରେ ୨,୪୫,୧୫୧। ଏହା ସତ୍ତ୍ବେ ଆମେରିକା ବନ୍ଦ ବିରୋଧରେ ସେଠି ଜନ ଆନ୍ଦୋଳନ ଓ ବିଭିନ୍ନ ରାଜ୍ୟ ମଧୢରେ ବିବାଦ ଆରମ୍ଭ ହେଲାଣି। ୟୁରୋପ, ଆମେରିକା ତୁଳନାରେ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ଅନେକ ପଛରେ। ଏଠି ୧୫୦୦ ଲୋକଙ୍କ ପାଇଁ ଗୋଟିଏ ଡାକ୍ତରଖାନା ଓ ଜଣେ ଡାକ୍ତର ଓ ଜଣେ ନର୍ସ। ଯଦି ଦେଶର ଏକ ପ୍ରତିଶତ ଲୋକଙ୍କୁ କରୋନା ସ˚କ୍ରମଣ ହୁଏ ଆକ୍ରାନ୍ତଙ୍କ ସ˚ଖ୍ୟା ହେବ କୋଟିଏ ୩୦ ଲକ୍ଷ। କିନ୍ତୁ ଦେଶର ସବୁ ରୋଗୀଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ଅଛି ମାତ୍ର ସାତ ଲକ୍ଷ ୧୪ ହଜାର ବେଡ୍। ତେଣୁ ଦୃଢ଼ ଓ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ବ୍ୟତୀତ ଦେଶ ଆଗରେ ଆଉ କୌଣସି ବିକଳ୍ପ ନାହିଁ।