ପ୍ରାପ୍ତି, ଅପ୍ରାପ୍ତି ନିୟତିର ଖେଳ। କିଏ କ’ଣ ପାଇଲା, କ’ଣ ନ ପାଇଲା ତାହାର ନିୟାମକ ଖୋଜି ପାଇବା ଦୁରୂହ। ସେଇଥିପାଇଁ କୁହାଯାଇଛି କର୍ମ କରି ଚାଲ, କର୍ମ ଅନୁସାରେ ଫଳ ଅବଶ୍ୟ ଫଳିବ। ସତ୍କର୍ମରୁ ଯେ ସତ୍ଫଳର ଉଦ୍ଗମ ହେବ ଏକଥା କେଉଁ ପ୍ରାଚୀନକାଳରୁ ଆମର ଶାସ୍ତ୍ର ପୁରାଣରେ ଆଲୋଚିତ ହୋଇଛି। ‘‘ମୁଁ ଜାଣେ ମୁଁ କ’ଣ କରିବି ମାତ୍ର ମୁଁ କ’ଣ ପାଇବି ତାହା ମୋ ହାତରେ ନାହିଁ।’’
ବ୍ୟବସ୍ଥା ମାତ୍ରେ ଗତିଶୀଳ। ମଣିଷର ଦେହ ବି ଗୋଟେ ବ୍ୟବସ୍ଥା ବା ସିଷ୍ଟମ୍। ଆଜି ଦେହଟି ଯେଉଁ ଅବସ୍ଥାରେ ଅଛି, କାଲି ତାହା ଉପଚାର ବିବର୍ଜିତ ହେଲେ ସେଭଳି ରହିବ ସେ କଥା ନୁହେଁ। ସେଇଭଳି ପରିବାର, ସ˚ଘ, ଗୋଷ୍ଠୀ, ସମାଜ ଓ ରାଷ୍ଟ୍ର। ମଣିଷ, ଜଙ୍ଗଲ ଜୀବନରୁ ଯେ ସାମାଜିକ ଜୀବନକୁ ଆସିଲା, ତାହା ବ୍ୟବସ୍ଥାର ଗତିଶୀଳତା ଯୋଗୁଁ ସମ୍ଭବ ହୋଇଛି। ଗତିର ପ୍ରକ୍ରିୟାରେ ଆମେ ଯେମିତି ଅବ୍ୟବସ୍ଥାରୁ ବ୍ୟବସ୍ଥା ଭିତରକୁ ଆସୁ ସେମିତି ଆପଣା ବେହିସାବୀପଣରୁ ବ୍ୟବସ୍ଥାକୁ ବିଗାଡ଼ି ଅବ୍ୟବସ୍ଥା ଭିତରକୁ ଚାଲିଯାଉ।
କିଛି ପାଇବା ପାଇଁ କେତେ କଷ୍ଟ କରିବାକୁ ପଡ଼େ। ଏଠାରେ ଅଚାନକ ବା ଆକାଶରୁ ଖସିବା ଭଳି ପ୍ରାପ୍ତିର ଆଲୋଚନା ଅନାବଶ୍ୟକ କାରଣ ସେଭଳି ଘଟଣା କେତେଜଣଙ୍କର ଜୀବନରେ ଅବା ଘଟେ? ବିରଳ ଘଟଣାବଳୀ ସ୍ବାଭାବିକ ଜୀବନର ପ୍ରତିଫଳନ ନୁହନ୍ତି। ମଞ୍ଜି ପୋତି ଦେଲେ ଯେ ସହସା ଗଛ ହୋଇ ଫଳ ଫଳିବ, ତାହା କେବଳ କାହାଣୀରେ ଘଟେ। ଛୁଆଟିଏ ଜନ୍ମ ହେବା ପାଇଁ ସେ ତା’ର ସ୍ବାଭାବିକ ପ୍ରକୃତିଗତ ସମୟ ନିଏ। ଆକାଶକୁ ଜଳୀୟବାଷ୍ପ ଉଠିଯାଇ ସେଇକ୍ଷଣି ମେଘ ହୋଇ ବରଷିବା ପରୀକଥାରେ ବଖାଣି ଦେଇ ହେବ ସିନା ଅସଲରେ ତାହା ଅସମ୍ଭବ।
ମାତ୍ର ହରେଇବା କଥାଟା? ତାସ୍ ଘର ଭୁଶୁଡ଼ିବା ପରି ସେଇଲାଗୁ ସବୁ ହଜିଯାଏ। ପାଇବା ସମୟ ସାପେକ୍ଷ ଅଥଚ ହରେଇବା ପାଇଁ ସମୟ ଲାଗେ ନାହିଁ। ଜନ୍ମ ପ୍ରକ୍ରିୟା ପାଇଁ ଦୀର୍ଘ ପ୍ରସ୍ତୁତି ଲୋଡ଼ା। ମୃତ୍ୟୁ କିନ୍ତୁ ବିନା ଖବରରେ ଛୁଟ୍କିନା ଆସି ହାବୁଡ଼ିଯାଏ।
ତେଣୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯାହା କିଛି ଭଲ କଥା ଜୀବନରେ ପାଇଛ ତା’କୁ ହରେଇ ଦିଅ ନାହିଁ। କାରଣ ପାଇଥିବା କଥାକୁ ଜାଣିଶୁଣି ହରେଇବାଠାରୁ ବଳି ବଡ଼ ଅବିମୃଶ୍ୟକାରିତା ଆଉ କିଛି ନାହିଁ। ସାମାଜିକ ଜୀବନରେ ଆମେ ବ୍ୟକ୍ତିଗତ ସ୍ତର ଠାରୁ ଆରମ୍ଭ କରି ସାମାଜିକ ସ୍ତର ଯାଏ ଅନେକ ଭଲ କଥା ପାଇ ଥାଉ। ନିଜେନିଜେ ସେସବୁକୁ ହରେଇଦେବା ସବୁଠୁ ବଡ଼ ଦ୍ରୋହ। ଜଣେ ଆପଣା ସଦ୍ଗୁଣ ହରାଇ ନିଜ ପ୍ରତି ଯେମିତି ଦ୍ରୋହ ଆଚରଣ କରେ ସେମିତି ସାମାଜିକ ବ୍ୟବସ୍ଥା ଭିତରେ ସତ୍ପଥ ଓ ସତ୍ ସ˚ସ୍କାର ପାଇ ସେସବୁକୁ ହରେଇଦେବା ସମାଜ ପ୍ରତି ମଧୢ ଦ୍ରୋହ ଆଚରଣ ଭାବରେ ବିବେଚିତ ହୁଏ।
ଭାରତ ବର୍ଷ ପ୍ରାକୃତିକ ଅବଦାନ ଭାବରେ ନଈ, ନାଳ, ଭୂମି, ପର୍ବତ, ଅରଣ୍ୟ, ଜୀବଜନ୍ତୁ ଓ ଜଳବାୟୁ ଯେମିତି ପାଇଛି ସେମିତି ସଭ୍ୟତାର ସ୍ରୋତରେ କେତେ ମୁନି, ଋଷି, ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ, ଗାନ୍ଧୀ, ବିବେକାନନ୍ଦ ଓ ଅରବିନ୍ଦ ଆଦିଙ୍କୁ ବି ପାଇଛି।
ଗୋଟିଏ ଗଙ୍ଗାନଦୀ, ଗୋଟିଏ ହିମାଳୟ ଏପରି କି ବିଶାଳ ବଟବୃକ୍ଷମାନଙ୍କୁ ଆମେ ଯେ ପାଇଛୁ ତାହା କେବଳ ଭାରତୀୟ ବୋଲି। ସେମିତି ଯେଉଁ ମହାମନୀଷୀ ନିଜର ସାଧନା, ତ୍ୟାଗ ଓ ତିତିକ୍ଷା ବଳରେ ଆମକୁ ଅମୂଲ୍ୟ ନିଧି ଦେଇଯାଇଛନ୍ତି ଓ ଅଭିଜ୍ଞତା ଆଧାରରେ ଆମ ପାଇଁ ସାମାଜିକ ସ˚ସ୍କାରର ପଥମାନ ଗଢ଼ି ଯାଇଛନ୍ତି ସେ ସବୁର ପ୍ରାପ୍ତିକୁ ଅପ୍ରାପ୍ତିରେ ପରିଣତ କରିବା ଠାରୁ ବଳି ବଡ଼ ଦ୍ରୋହ ଆଉ କ’ଣ ଅଛି?
‘ସତ୍ୟ’, ‘ଅହି˚ସା’ କ’ଣ ଜଙ୍ଗଲ ଜୀବନରେ ନିୟାମକ ହୋଇଥିଲା ନା କ’ଣ? ବୁଦ୍ଧଙ୍କର ଯେ ‘କରୁଣା’ ତାହାକୁ ମଣିଷ ସମାଜରେ ଭାବଗତ କରିବା ପାଇଁ ତା’ଙ୍କୁ କେତେ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ଉଦ୍ଭାବନଠାରୁ ଆବିଷ୍କାର, ଅନ୍ତର୍ଦୃଷ୍ଟିରୁ ବାହ୍ୟ ଦୃଷ୍ଟି ବା ବିଶ୍ବଦୃଷ୍ଟି, ବ୍ରହ୍ମଜ୍ଞାନ, ଆଧୢାତ୍ମିକତା ମଣିଷ ଯେ ପାଇଛି ତାହା କେଉଁବାଟେ ସମାଜକୁ ଆସିଛି? ଭାରତ ମାଟିରେ ଗଢ଼ା ହୋଇଥିବା ବେଦ, ଉପନିଷଦ, ପୁରାଣ, ରାମାୟଣ, ମହାଭାରତ, ସ˚ହିତା, ସିଦ୍ଧାନ୍ତ ଆଦି ଯେତେଯେତେ ‘‘ପାଇବା’’ ତାହାର ପ୍ରାପ୍ତି ଲାଗି କେତେ ବର୍ଷ ବିତିଯାଇଛି, ସେ କଥା କ’ଣ କିଏ କଳ୍ପନା କରିଛି? ଆମେ ଭାଗବତ କି ରାମାୟଣ ଧରି ବସିଯାଉ। ଏପରିକି ଭାରତ-ବାହାର ମାଟିରେ ଜନ୍ମ ନେଇଥିବା ବାଇବେଲ୍ କି କୋରାନ୍ ପଢ଼ିଲାବେଳେ କେବେ କ’ଣ ଭାବୁ ସେ ସବୁ ଆଖି ସାମନାକୁ ଆସିବା ପୂର୍ବରୁ କେତେ ବର୍ଷ ଓ ସମୟ ଭିତରେ ଆଉଟି ହୋଇ ଆମ ପାଖକୁ ଆସିଛନ୍ତି?
ସେମିତି ମହାମନୀଷୀ ଓ ମହାତ୍ମାମାନଙ୍କ କଥା। ଜଣେ ରାମକୃଷ୍ଣ, ବିବେକାନନ୍ଦ, ଅରବିନ୍ଦ କି ସୁଭାଷ ବା ଗାନ୍ଧୀ କ’ଣ ହଠାତ୍ କେଉଁଠୁ ଆସି ଖସିପଡ଼ିଲେ ଆମ ଆଗରେ? ସେମାନଙ୍କୁ ତିଆରିବା ପାଇଁ ଭାରତୀୟ ସଭ୍ୟତା କେତେ କେତେ ସମୟ ନେଇଛି। ଅଥଚ ଗୋଟିଏ ଧାଡ଼ିରେ, ପଦିଏ କଥାରେ ଆମେ ସେମାନଙ୍କୁ ଫୋପାଡ଼ି ଦେବାର ଆସ୍ଫାଳନ କରୁ। ସେମାନେ ଆମକୁ ଦେଇଥିବା ଅମୂଲ୍ୟ ନିଧିଗୁଡ଼ିକୁ ହାତଛଡ଼ା କରି ଦେଉ। ଶ୍ରୀରାମ, ଶ୍ରୀକୃଷ୍ଣ ଆଦିଙ୍କୁ ଏ ମାଟିରୁ ହଟେଇ ଦେଲେ ସେମାନଙ୍କର କି କ୍ଷତି ହେବ? ସେମାନେ ଏବେ ଆମ ଆଗରେ ସ୍ବଦେହରେ ଅଛନ୍ତି ନା’ କ’ଣ? ନିଜସ୍ବ ବିଭୂତି ବିତରଣ କରି ମହାତ୍ମାମାନେ ବିଶ୍ବବଳୟରେ ସମାହିତ। ବୁଦ୍ଧଙ୍କୁ ହଟେଇ ଦେଲେ ବୁଦ୍ଧଙ୍କର କି କ୍ଷତି ହେବ? ଓଲଟି ଆମ ଭିତରର କରୁଣା ଚୂର୍ଚୂର୍ ହୋଇଯିବ।
ଏବେ ଭାରତବର୍ଷରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମବାର୍ଷିକୀ ପାଳିତ ହେଉଛି। ୨୦୧୯ରୁ ୨୦୨୦ ଅକ୍ଟୋବର ଯାଏ ମହାତ୍ମା ଗାନ୍ଧୀଙ୍କ ଜନ୍ମର ଦେଢ଼ଶହ ବର୍ଷ ପୂର୍ତ୍ତି ସମ୍ବତ୍ସର ସାରା ଦେଶ କେତେ କେତେ ଯୋଜନା ଭିତରେ ପାଳିଲା। ବର୍ତ୍ତମାନ ଓଡ଼ିଶାରେ ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ଶତାବ୍ଦୀ ସମ୍ବତ୍ସର ପାଳିତ ହେଉଛି। ପ୍ରଥମ କରି ୧୯୨୧ ମାର୍ଚ୍ଚ ମାସରେ ସେ ପ୍ରଥମ ଥର ପାଇଁ ଓଡ଼ିଶା ମାଟିରେ ପାଦ ଦେଇଥିଲେ। କୃତଜ୍ଞତା ସ୍ବୀକାର କରି ଓଡ଼ିଶାବାସୀ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଗାନ୍ଧୀ- ଆଗମନ-ଶତାବ୍ଦୀ ଉତ୍ସବ ପାଳନ କରୁଛନ୍ତି।
ଆମେ ସେ ମହାପୁରୁଷମାନଙ୍କୁ ଏ ମାଟିରେ ପାଇଥିଲୁ। ଯାହା ପାଇଥିଲୁ ତାହାକୁ ମାଜିମୁଜି ପରିଷ୍କାର କରି ରଖିବା ଓ ଜୀବନ ସ˚ସ୍କାରରେ ଲଗାଇବା ପ୍ରକୃତରେ ଏ ଭଳି ଉତ୍ସବ ପାଳନର ମୂଳକଥା ହେବା ଉଚିତ୍। ହେଲେ ପ୍ରକୃତରେ ସେଭଳି ହେଉଛି କି? ଆମେ କ’ଣ ସତରେ ବୁଝିଛୁ, ଗାନ୍ଧୀଜୀ କି ସୁଭାଷଜୀ ଆମକୁ କ’ଣ ଦେଇଛନ୍ତି?
ସମ୍ପ୍ରତି ସାମାଜିକ ଗଣମାଧୢମରେ ଗାନ୍ଧୀ-ସୁଭାଷଙ୍କୁ ନେଇ ଯେଉଁ ମନ୍ତବ୍ୟ ଓ ଉଦ୍ଧୃତିମାନ ପ୍ରକାଶ ପାଉଛି ସେଥିରେ ସେମାନଙ୍କୁ ନ ବୁଝିଥିବାର ଏବ˚ ଉଦ୍ଦେଶ୍ୟମୂଳକ ଭାବେ ଗୋଟାଏ ଘୃଣାର ବାତାବରଣ ତିଆରି କରାଯିବାର ଉପକ୍ରମ ଦେଖାଦେଉଛି। କବର ଖୋଳି ଅମୂଳକ ଚର୍ଚ୍ଚା କରିବା ମାଧୢମରେ ଆମେ କେତେ କେତେ ଭଲ କଥା ଯେ ହରାଇବାରେ ଲାଗିଛୁ ତା’ର ହିସାବ ନାହିଁ। କିଏ କହୁଛି ଗାନ୍ଧୀ ସୁଭାଷଙ୍କ ପ୍ରତି ଅନ୍ୟାୟ କଲେ। ସୁଭାଷ ଥିଲେ ଆଜି ଦେଶ ଏମିତି ହୋଇନଥାନ୍ତା। ଗାନ୍ଧୀ ସବୁ ବିଗାଡ଼ି ଦେଲେ। ଏ ଭଳି ମନ୍ତବ୍ୟ ଦେଉଥିବା ଲୋକେ ସତରେ ଗାନ୍ଧୀଙ୍କୁ କେତେ ବୁଝିଛନ୍ତି ନା ସୁଭାଷଙ୍କୁ ବୁଝିଛନ୍ତି?
ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ ୧୯୨୧ରେ ବିଲାତରୁ ଆଇ.ସି.ଏସ୍ ଚାକିରି ଛାଡ଼ି ଆସି ସିଧାସଳଖ ଗାନ୍ଧୀଙ୍କ ପାଖକୁ ଯାଇ କ˚ଗ୍ରେସ ଆନ୍ଦୋଳନରେ ସାମିଲ ହୋଇଥିଲେ। କଲିକତାକୁ ଆସି ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ସହ ଏକାଠି ହୋଇ କ˚ଗ୍ରେସ ଆନ୍ଦୋଳନକୁ ଆଗେଇ ନେଇଥିଲେ। ଦୁଇ ଦୁଇ ଥର କ˚ଗ୍ରେସର ସଭାପତି ହୋଇ ଆପଣା ନେତୃତ୍ବର ପରାକାଷ୍ଠା ଦେଖାଇଥିଲେ। ଗାନ୍ଧୀ ଓ ନେତାଜୀ ଥିଲେ ଦୁଇ ବିଚାରଧାରାର ଦୁଇଟି ତୀକ୍ଷ୍ଣ ଧାର। ସୁଭାଷ କହୁଥିଲେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି। ଗାନ୍ଧୀଜୀ କହୁଥିଲେ ମୋ ସହ ଅହି˚ସା ବାଟକୁ ଆସ ମୁଁ ତୁମକୁ ସ୍ବାଧୀନତା ଆଣି ଦେବି। ଦୁଇଟି ଭିନ୍ନ ବିଚାରବୋଧ। ଉଭୟଙ୍କ ବିଚାର ମାଧୢମରେ ସ୍ବାଧୀନତା ପାଇଁ ଲଢ଼ୁଥିବା ଭାରତ ଉପକୃତ ହୋଇଛି। ଆମକୁ ଯେ ସ୍ବାଧୀନତା ମିଳିଛି ତା’ପଛରେ ଅଛନ୍ତି ଉଭୟ ଗାନ୍ଧୀଜୀ ଓ ନେତାଜୀ।
ଗାନ୍ଧୀଜୀ ଅହି˚ସା ବଳରେ ଭାରତୀୟଙ୍କୁ ସାହସୀ କରାଇଥିଲେ। ସେଥିପାଇଁ ସେ ସତ୍ୟାଗ୍ରହ, ସ୍ବଦେଶୀ, ସାମ୍ପ୍ରଦାୟିକ ସଦ୍ଭାବ ଓ ସ୍ବାବଲମ୍ବନଶୀଳତା ଭଳି କେତେ କେତେ ବାଟ ବାହାର କରିଥିଲେ। ନେତାଜୀ ସୁଭାଷ ଅନ୍ୟ ପକ୍ଷରେ ଆଜାଦ ହିନ୍ଦ୍ ଫଉଜ ଗଢ଼ି ଜୟହିନ୍ଦ୍ ଡାକରା ଦେଇ ବ୍ରିଟିସ ସରକାର ଭିତରେ ଭୟ ସ˚ଚାର କରିଥିଲେ। ଗୋରା ସରକାର ସମ୍ବଳ କରିଥିବା ସେନାବାହିନୀର ଆନୁଗତ୍ୟ ଭୁଶୁଡ଼ି ପଡୁଥିଲା ଆପେ। ଏପଟେ ଭାରତୀୟଙ୍କ ଭିତରେ ବଢ଼ୁଥିବା ସାହସ ଓ ସେପଟେ ବ୍ରିଟିସ ସରକାର ଭିତରେ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ଅସହାୟତାର ଭୟ ବାଧୢ କରିଥିଲା ସେମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ।
‘‘ଭାରତ ଛାଡ଼’’ ଓ ‘‘ଦିଲ୍ଲୀ ଚଲୋ’’, ଏ ଦୁଇଟି କଥାର ମୂଳ ଲକ୍ଷ୍ୟ ଗୋଟିଏ। ତାହା ହେଲା ‘‘ଭାରତର ସ୍ବାଧୀନତା’’। ସେଇଥିପାଇଁ ତ ଗାନ୍ଧୀଙ୍କ ଭାଷାରେ ସୁଭାଷ ‘‘ଦେଶଭକ୍ତ ରାଜପୁତ୍ର’’, ଆଉ ନେତାଜୀଙ୍କ ଭାଷାରେ ଗାନ୍ଧୀଜୀ ‘‘ଜାତିର ପିତା’’। ଦୁଇ ମହାନ୍ ନେତାଙ୍କର ପରସ୍ପର ପ୍ରତି ସମ୍ମାନ ଏ ଦେଶ ସ୍ବୀକାର କରିଛି। ପାଇଛି ସୁଭାଷ-ସମର୍ପିତ ଅକଳନ୍ତି ତ୍ୟାଗ ଓ ଦେଶ ଭକ୍ତି, ପୁଣି ଗାନ୍ଧୀ-ବିତରିତ ସତ୍ୟାଗ୍ରହୀ ସର୍ବୋଦୟ ଭାବ।
ଉତ୍ସବ ପାଳନ ନାଆଁରେ ଆମେ ଏ ମହାତ୍ମାମାନଙ୍କ ଠାରୁ ମିଳିଥିବା ସଦ୍ଗୁଣ ଆଧାରରେ ନିଜକୁ ପୁଷ୍ଟ କରିବା ନା ଇଏ କାହିଁକି କାହା କାନ୍ଧରେ ହାତ ପକାଇ ଚାଲୁଥିଲେ, ସିଏ କାହିଁକି ସିଗାରେଟ ଟାଣୁଥିଲେ ବା ସେ ମଣିଷ-ମରା ହିଟ୍ଲର ସହ ହାତ ମିଳାଉଥିଲେ ସେ କଥାର ଆଲୋଚନା କରିବା? ଏମିତି କେଉଁ ମଣିଷ ଅଛି ଯାହାର ସବୁ କଥା ଭଲ? ମନୀଷୀମାନଙ୍କର ଅଭଲ କଥାକୁ ଖୋଜି ବସିବା ଗୋଲାପ ଫୁଲଟିକୁ ଫୋପାଡ଼ି ତା’ର କଣ୍ଟାଯୁକ୍ତ ଡେମ୍ଫଲଗା କାଣ୍ତଟିକୁ ଧରି ବସିବା ଭଳି ପ୍ରତ୍ୟୟ ସୃଷ୍ଟି କରେ। କଦଳୀ ଖାଇବାର ଅର୍ଥ ନୁହେଁ କଦଳୀ ଚୋପାକୁ ଧରି ବସିବା।
ଗାନ୍ଧୀଜୀ ଓ ସୁଭାଷ ବୋଷଙ୍କ ଠାରୁ ଭାରତ ଯାହା ପାଇଛି ସେଥିରେ ଘୃଣାର ସ୍ଥାନ ନାହିଁ। ଆଜି ଯେଉଁମାନେ ଅଜାଣତରେ ବି ଘୃଣାର କଥା କହୁଛନ୍ତି ସେମାନେ କାହାର ଉପକାର କରୁଛନ୍ତି? ଆମ ପରମ୍ପରାରେ ତ ମଣିଷଟିଏ ଇହଲୀଳା ସାଙ୍ଗ କଲା ପରେ ତାକୁ ଦାହ କରି ପାଉଁଶ କରାଯାଏ! ଅନ୍ୟ ଦିଗରେ ଯେଉଁମାନେ କବର ବା ସମାଧି ଦିଅନ୍ତି ସେମାନେ ସୁଦ୍ଧା କବର ଖୋଳିବା ମହାପାପ ବୋଲି ସ୍ବୀକାର କରନ୍ତି।
ଶାସ୍ତ୍ରରେ ଗୃହସ୍ଥମାନଙ୍କ ଲାଗି ତିନି ପ୍ରକାରର ଋଣରୁ ମୁକ୍ତ ହେବା ଲାଗି କୁହାଯାଇଛି। ଗୋଟିଏ ହେଉଛି ପିତୃଋଣ, ଦ୍ବିତୀୟଟି ଦେବଋଣ ଓ ତୃତୀୟଟି ହେଉଛି ଋଷିଋଣ। ଏଠାରେ ଆମ ପାଇଁ ଋଷିଋଣର କଥାଟି ଯଥେଷ୍ଟ ତାତ୍ପର୍ଯ୍ୟ ବହନ କରେ। ଋଷି ବା ମହାତ୍ମାମାନଙ୍କର ବିଚାରଧାରା ବା କାର୍ଯ୍ୟକୁ କିମ୍ବା ଆଦର୍ଶକୁ ନିଜ ଜୀବନରେ କାର୍ଯ୍ୟକାରୀ କଲେ ଯାଇ ଋଷିଋଣରୁ ମୁକ୍ତି ମିଳେ। ଯେଉଁମାନେ ଗାନ୍ଧୀଜୀଙ୍କୁ ମହାତ୍ମା ବୋଲି ସ୍ବୀକାର କରୁନାହାନ୍ତି ସେମାନେ ସ୍ବବିଚାରରେ ଅଧିଷ୍ଠିତ। ହେଲେ ନେତାଜୀଙ୍କୁ ମହାତ୍ମା ମାନୁଥିବା ଲୋକେ ବିଚାର କରନ୍ତୁ ନେତାଜୀଙ୍କର କେଉଁ କାର୍ଯ୍ୟ ବା ଆଦର୍ଶକୁ ସେମାନେ ପ୍ରତିପାଳିତ କରୁଛନ୍ତି। ସୌର୍ଯ୍ୟ, ବୀରତା, ଏକତା ଓ ତ୍ୟାଗ ଥିଲା ନେତାଜୀଙ୍କର ଅସଲ ବିଭୂତି। ନେତାଜୀଙ୍କ କଥା କହୁଥିବା ଲୋକେ କେଉଁ ବୀରତା ବା ଏକତାର କାର୍ଯ୍ୟ କରୁଛନ୍ତି ଗାନ୍ଧୀଜୀଙ୍କୁ ଗାଳି କରି!
ସେମିତି ଗାନ୍ଧୀଙ୍କୁ ମହାତ୍ମା ମାନୁଥିବା ଲୋକେ। ଓଡ଼ିଶା ଆସି ଗାନ୍ଧୀ ବାରମ୍ବାର ଆଳସ୍ୟ, ଅଫିମ (ନିଶା) ଓ ଅଛୁଆଁ ମନୋଭାବ ପରିହାର କରିବାକୁ ନିବେଦନ କରିଛନ୍ତି। ଆଜି ଓଡ଼ିଶାରେ କର୍ମଜୀବୀଙ୍କ ସ˚ଖ୍ୟା କେତେ? ନିଶା ନିବାରଣ କେଉଁ ଭଳି ଅବସ୍ଥାରେ ଅଛି? ସବର୍ଣ୍ଣ ଅସବର୍ଣ୍ଣର ରାଜନୀତି ବଢ଼ିଛି ନା କମିଛି ଏ ଓଡ଼ିଶା ଭୂଇଁରେ? ଯଦି ସେମାନଙ୍କର ଆଦର୍ଶକୁ ସମ୍ମାନ ଦେଇପାରିବାନି, ଏ ମିଛ-ଉତ୍ସବ ପାଳିବା କାହିଁକି?
କହିବାର ଅଛି, ଆମେ ଯାହା ଭଲକଥା ପାଇଛେ ତା’ର ଉପଯୋଗ ହିଁ ଆମକୁ ଆଗୁସାର କରିବ। ତା’କୁ ହରେଇ ଦେବା କେବଳ ନିଜ ପାଇଁ ଦ୍ରୋହ ନୁହେଁ ଅନୁରୂପ ଭାବେ ରାଷ୍ଟ୍ର ପାଇଁ ମଧ୍ୟ ଦ୍ରୋହ।