ଶୂନ ଓ ଶୂନ୍ୟ ସମ୍ପର୍କ

ପ୍ରଦୀପ୍ତ କୁମାର ମିଶ୍ର

ଶୂନ୍ୟର ମାହାତ୍ମ୍ୟ ସମ୍ପର୍କରେ ବହୁତ ଶୁଣିଥିଲି। ଏବେ ଦେଖୁଛି ଶୂନ୍ୟ ଯେମିତି ମୋର ସମସ୍ତ ସତ୍ତାକୁ ଘେରି ଯାଇଛି। ଯେତେବେଳେ ପ୍ରଥମେ ଖଡ଼ି ଧରିଥିଲି, ସେତେବେଳେ ମାଟି ଉପରେ ବା ଭଙ୍ଗା ସିଲଟ ଉପରେ ଅଧା ଦୃଶ୍ୟମାନ ‘ଶୂନ୍ୟ’କୁ ହିଁ ଦେଖିଥିଲି ଓ ମଡ଼ାଇଥିଲି। ସେଥିରୁ ମୋର ବିଦ୍ୟାରମ୍ଭ ହୋଇଥିଲା। ସେତେବେଳେ ତାକୁ ମୁଣ୍ଡୁଳା ବୋଲି କେହି କହୁଥିବା ବେଳେ କେହି କେହି କହୁଥିଲେ ‘ଠ’। ତା’ ପରେ ମୁଁ ସ୍ବର ବର୍ଣ୍ଣ ଆଡ଼କୁ ଅଗ୍ରସର ହେଲି।

ପରେ ଯେତେବେଳେ ମୁଁ ଗଣିତକୁ ହାବୁଡ଼ିଲି, ସେଥିରେ ଶୂନ୍ୟର ଅଦ୍ଭୁତ କାରନାମା ଦେଖି ଆଚମ୍ବିତ ହେଲି। ପରେ ଜାଣିଲି ଯେ ବ୍ରହ୍ମଗୁପ୍ତ ହିଁ ପ୍ରଥମେ ‘ଶୂନ୍ୟ’ର ଗୁଣଗ୍ରାମ ଚିହ୍ନି ତାର ନାମକରଣ କରିଥିଲେ। ‘ଶୁନ୍ୟ’କୁ ଏକ ‘ଗୋଲ’ ବୋଲି ଉଲ୍ଲେଖ କରି ତାର ବିଚିତ୍ର ଚରିତ୍ରର ପରିଚୟ ଦେଇଥିଲେ। ତାଙ୍କ ଠାରୁ ଦୁନିଆ ଜାଣିଲା ଯେ ୟେ ଏମିତି ଗୋଟିଏ ଅଙ୍କ ଯେ ତାକୁ ଯୋଗ ବା ବିୟୋଗ କଲେ ଫଳ ଯଥା ପୁର୍ବମ ତଥା ପରମ ରହିଥାଏ। ପୁଣି ଗୁଣ୍ୟ ଗୁଣକ ଭାବେ ତାହା ସବୁକୁ ଶୁନ୍ୟ କରିଦିଏ। ପୁଣି ଶୂନ୍ୟ ପାଇଁ ଏକ ଲକ୍ଷ୍ମଣ ରେଖା ଥାଏ ଯେ ତହିଁ‌ରେ ହରଣ କରି ହୁଏ ନାହିଁ। ପୁଣି ଶୁନ୍ୟ କୌଣସି ସଂଖ୍ୟାର ବାମାଂଗରେ ରହିଲେ ସଂଖ୍ୟାର ମୂଲ୍ୟ ସମାନ ରହେ, କିନ୍ତୁ ଦକ୍ଷିଣରେ ଶୂନ ବସିଗଲେ ସଂଖ୍ୟାର ମୂଲ୍ୟ ଦଶ ଗୁଣ ଲେଖାଏ ବଢ଼ିଯାଏ। ଏମିତି କାହିଁକି ହୁଏ? ପିଲା ଦିନେ ଏହାର ଉତ୍ତର ଜାଣିବାର ଉତ୍କଣ୍ଠା ମୋତେ ଉଚ୍ଛନ୍ନ କରି ପକାଉଥିଲା। କିନ୍ତୁ ତାହାର ଉତ୍ତର ମିଳୁ ନ ଥିଲା। ପୁଣି ଦଶମିକରେ ଏହାର ମହତ୍ତ୍ୱ ଏତେ ବଢ଼ି ଯାଉଥିଲା ଯେ କହିଲେ ନ ସରେ। ସୁତରାଂ, ମୋଟାମୋଟି ଆଳୁ ତୁଲ୍ୟ ‘ଶୂନ୍ୟ’ ସଂଖ୍ୟାଟି ଥିଲା ଏକ ଅଦ୍ଭୁତ ସଂଖ୍ୟା! ବ୍ରହ୍ମଗୁପ୍ତଙ୍କ ପାଇଁ ପୃଥିବୀ ଶୂନ୍ୟକୁ ପ୍ରଥମେ ପାଇଲା ଏବଂ ଆଜି କମ୍ପ୍ୟୁଟର ଭାଷାରେ ଏହା ନ ରହିଲେ ସେ ଭାଷା ଅଚଳ।
ପରେ ଜାଣିଲି ଯେ ଶୂନ୍ୟ କେବଳ ଗଣିତରେ ସୀମିତ ନୁହେଁ। ମୋର ବୟସର ବୃଦ୍ଧି ସହିତ ଅନୁଭବ କଲି ଶୂନ୍ୟ ହେଉଛି ଏମିତି ଗୋଟିଏ ଅବସ୍ଥା ଯେତେବେଳେ ସବୁ ଥାଇ ବି ଜୀବନଟି ତୁଚ୍ଛ ଲାଗେ- ଶୂନ୍ୟ ଶୂନ୍ୟ ଲାଗେ। ଦର୍ଶନ ଶାସ୍ତ୍ରରେ ଶୂନ୍ୟର ମହତ୍ତ୍ବ କାହିଁରେ କ’ଣ! ବ୍ରହ୍ମାଣ୍ଡ ‘ଶୂନ୍ୟ’ରୁ ସୃଷ୍ଟି ବୋଲି ପୁରାଣ କହେ। ‘ଶୂନ୍ୟ’ରୁ ପୁଣି ଶବ୍ଦର ଉତ୍ପତ୍ତି ଯହିଁରୁ ବ୍ରହ୍ମଙ୍କ ସୃଷ୍ଟି; ଏମିତି ଅନେକ କଥା। ଅଲେଖ ଧର୍ମରେ ସବୁ କିଛି ଶୂନ୍ୟ। ରୂପରେଖ ନ ଥିବା ଶୂନ୍ୟ ‌େଦହୀ ନିରାକାର ହେଉଛି ଅଲେଖ ଧର୍ମର ଈଶ୍ବର।

ସମ୍ପର୍କର ଡୋରିକୁ ଆପଣ ଦେଖିଛନ୍ତି। ଏହା ଶୂନ୍ୟ। କିନ୍ତୁ ଲୁହା ଶିକୁଳି ଠାରୁ ବି ଅଧିକ ଟାଣୁଆ। ତେବେ, ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଶୂନ୍ୟ ସଂପର୍କର ଆଉ ଏକ ପରିଭାଷାର ଆବିର୍ଭାବ ଘଟିଲାଣି। ସେଥିରେ ବନ୍ଧୁମାନେ ସୃଷ୍ଟି ହୋଇଯାଆନ୍ତି ଶୂନ୍ୟରେ! ସେଥିରୁ ବେଳେବେଳେ ପ୍ରେମ, ବିରହ, ରାଗ ଓ ରୁଷା ଆଦି ଦେଖିବାକୁ ମିଳେ, ପୁଣି ସେ ସବୁ ମିଳେଇ ଯାଏ ଶୂନ୍ୟରେ। ଆପଣ ସମସ୍ତେ ରାଜି ହେବେ ଯେ ଫେସ୍‌ବୁକ୍‌ ହେଉଛି ଏମିତି ଶୂନ୍ୟ ସଂପର୍କର ସୁନା ଖଣି। କିନ୍ତୁ ତାର କିମିଆ ଅଲଗା। ଅଜଣା ଓ ଅଦୃଶ୍ୟ ସ୍ତାବକଙ୍କ ଭାବହୀନ ଓ ଆବେଗହୀଦ ଏପରିକି ଅ‌େନକ ସମୟରେ ମିଛ ଆଙ୍ଗୁଠି ଟେକା ‘ଲାଇକ୍‌’ ଲୋକଙ୍କୁ ପାଗଳ କରିଦିଏ।

ଏହାକୁ ପାଠ କରୁଥିବା ଅନେକ କହିବେ ଯେ ସଂପର୍କ ତ ସବୁ ବେଳେ ଭାବର କଥା ହୋଇ ରହିଛି। ତେଣୁ ତା ମଧ୍ୟରେ ତ ଶୂନ୍ୟତା ରହିବ। କିନ୍ତୁ ଯାହା ସବୁଠାରୁ ବିସ୍ମୟଜନକ ତାହା ହେଲା ପୃଥିବୀର ସର୍ବାଧିକ ଆକର୍ଷଣୀୟ ‘ବସ୍ତୁ’ ରୂପେ ପରିଚିତ ମୁଦ୍ରା ବା ଟଙ୍କା ବି ଶୂନ୍ୟ ବା ଅଦୃଶ୍ୟ ହେବାକୁ ବସିଲାଣି। ଏମିତି ତ ଡିଜିଟାଲ ମାଧ୍ୟମରେ କାରବାର କଲା ବେଳକୁ ଆମେ ଶୂନ୍ୟରେ ଟଙ୍କା ପଇସା କାରବାର ବାବଦରେ ଧାରଣା ପାଇଲୁଣି। ତା ସହିତ ଏବେ ‘କ୍ରିପ୍ଟୋ କରେନ୍‌ସି’ ବା ଅଦୃଶ୍ୟ ମୁଦ୍ରାର ଉପସ୍ଥିତି ଭବିଷ୍ୟତ୍‌ରେ ବ୍ୟାଙ୍କଗୁଡ଼ିକୁ ପୂରା ଟଙ୍କା ଶୂନ୍ୟ କରି ଦେବ କି?

ପିଲା ଦିନେ ଜାଣି ନ ଥିଲି ଯେ ଦିନେ ଶୂନ୍ୟ ଏମନ୍ତ ମହିମାବନ୍ତ ହୋଇ ଉଠିବ! ଏବେ ବୁଝୁଛି।

ଅରେଇ, ବିଂଝାରପୁର, ଯାଜପୁର

ସମ୍ବନ୍ଧିତ ଖବର