କେନ୍ଦ୍ରୀୟ ବଜେଟ୍ ୨୦୨୨ ଆଗତ ହେବା ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି। ଏହା ସହିତ ଆରମ୍ଭ ହୋଇଗଲାଣି ଅର୍ଥଶାସ୍ତ୍ରୀ, ଉଦ୍ୟୋଗପତି, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ବଜେଟ୍ର ସମ୍ଭାବ୍ୟ ରୂପରେଖ ସମ୍ପର୍କରେ ନାନାଦି କଳ୍ପନା ଜଳ୍ପନା। ପ୍ରାକ୍ ବଜେଟ୍ ଆଲୋଚନା ପୂର୍ବରୁ ହାତୀ ଓ ଛଅ ଦୃଷ୍ଟିହୀନଙ୍କ କାହାଣୀ ମନକୁ ଆସୁଛି। ଗୋଟିଏ ଗାଁରେ ରହୁଥିବା ଛଅ ଜଣ ଦୃଷ୍ଟିହୀନ ଜାଣିବାକୁ ପାଇଲେ ଯେ ହାତୀ କୁହାଯାଉଥିବା ଗୋଟିଏ ପଶୁ ସେମାନଙ୍କ ଗାଁକୁ ପ୍ରଥମ ଥର ପାଇଁ ଆସିଛି। ଏହା କିପରି ଦେଖିବାକୁ ତାହା ଜାଣିବା ପାଇଁ ସେମାନଙ୍କର ମନରେ କୌତୂହଳ ସୃଷ୍ଟି ହେଲା। ସେମାନେ ସ୍ଥିର କଲେ ଯେ ହାତୀକୁ ନିଜ ହାତରେ ସ୍ପର୍ଶ କରିବେ ଯଦ୍ଦ୍ବାରା ଏହାର କଳେବର ସମ୍ପର୍କରେ ଆବଶ୍ୟକ ତଥ୍ୟ ପାଇପାରିବେ। ପ୍ରଥମ ଦୃଷ୍ଟିହୀନଟିର ହାତ ହାତୀର ଗୋଡ଼ରେ ବାଜିଲା ଓ ସେ କହିଲା ଯେ ହାତୀର ଶରୀର ଗୋଟିଏ ଖମ୍ବ ଭଳି। ଦ୍ବିତୀୟ ଦୃଷ୍ଟିହୀନର ହାତ ହାତୀର ଲାଞ୍ଜକୁ ଛୁଇଁଲା। ସେ କହିଲା ଯେ ହାତୀ ଗୋଟିଏ ମଜଭୁତ ଦଉଡ଼ି ଭଳି ଦେଖିବାକୁ। ତୃତୀୟ ଦୃଷ୍ଟିହୀନର ହାତ ହାତୀର ଶୁଣ୍ଢରେ ବାଜିବାରୁ, ସେ ହାତୀକୁ ଗଛର ଡାଳ ସଦୃଶ ବୋଲି ବର୍ଣ୍ଣନା କଲା। ଚତୁର୍ଥ ଦୃଷ୍ଟିହୀନର ହାତ ହାତୀର କାନକୁ ଛୁଇଁଲା ଓ ସେ ହାତୀକୁ ଗୋଟିଏ ବଡ଼ ହାତ ପଙ୍ଖା ସହିତ ତୁଳନା କଲା। ପଞ୍ଚମ ଦୃଷ୍ଟିହୀନର ହାତ ହାତୀର ପେଟକୁ ସ୍ପର୍ଶ କଲାରୁ ସେ ସଙ୍ଗେ ସଙ୍ଗେ କହି ଉଠିଲା ଯେ ହାତୀ ଗୋଟିଏ ବଡ଼ ପାଚେରି ଭଳି ହୋଇଛି। ଶେଷ ଦୃଷ୍ଟିହୀନର ହାତ ହାତୀର ଦାନ୍ତକୁ ଛୁଇଁଲାରୁ, ସେ ଅତ୍ୟନ୍ତ ଆତ୍ମବିଶ୍ବାସ ସହିତ କହିଲା ଯେ ହାତୀର ଶରୀର ଗୋଟିଏ ବର୍ଚ୍ଛା ଭଳି ହୋଇଛି। କାହା ସହିତ କାହାର କଥାରେ ତାଳ ମେଳ ନ ମିଳିବାରୁ ଛଅ ବନ୍ଧୁଙ୍କ ମଧୢରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା। କେହି କାହା କଥା ମାନିବାକୁ ପ୍ରସ୍ତୁତ ନ ଥିଲେ। ଏହି ସମୟରେ ପାଖ ଦେଇ ଯାଉଥିବା ଗାଁର ଜଣେ ମୁଖିଆ ଲୋକ, ସେମାନଙ୍କ ପାଖକୁ ଆସି ସମସ୍ୟା କ’ଣ ବୋଲି ଜାଣିବାକୁ ଚାହିଁଲେ। ସମସ୍ତଙ୍କ କଥା ଧୈର୍ଯ୍ୟ ସହକାରେ ଶୁଣିଲା ପରେ ସେ କହିଲେ ଯେ ହାତୀକୁ ଯେଭଳି ଭାବରେ ଛଅ ଜଣ ବନ୍ଧୁ ନିଜ ନିଜର ବ୍ୟକ୍ତିଗତ ଅନୁଭବ ହିସାବରେ ବର୍ଣ୍ଣନା କରିଛନ୍ତି, ତାହା ଠିକ୍ ଅଛି। କିନ୍ତୁ ହାତୀର ସ˚ପୂର୍ଣ୍ଣ କଳେବର ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କର ବ୍ୟକ୍ତିଗତ ମନ୍ତବ୍ୟଗୁଡ଼ିକୁ ଏକତ୍ର ଭାବରେ ବିବେଚନା କରିବାକୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ହାତୀ ଓ ଛଅ ଦୃଷ୍ଟିହୀନଙ୍କ କାହାଣୀର ତାତ୍ପର୍ଯ୍ୟ ହେଉଛି ଯେ ବଜେଟ୍ର ସମ୍ଭାବ୍ୟ ରୂପରେଖ ସମ୍ପର୍କରେ ସମୀକ୍ଷକମାନେ ନିଜର କାର୍ଯ୍ୟାତ୍ମକ ବିଶେଷ ଜ୍ଞାନ ଓ ଅଭିଜ୍ଞତା ଭିତ୍ତିରେ ନିଜର ମତାମତ ପ୍ରକାଶ କରିଥା’ନ୍ତି। ଏହା ସ୍ବାଭାବିକ ଆସନ୍ତା କେନ୍ଦ୍ରୀୟ ବଜେଟ୍ ପାଇଁ ମଧୢ ଗଣମାଧୢମଗୁଡ଼ିକରେ ବିଶେଷଜ୍ଞମାନଙ୍କ ଭିନ୍ନ ଭିନ୍ନ ମତାମତ ଦେଖିବାକୁ ମିଳୁଛି। କେତେକଙ୍କ ମତରେ ନିକଟରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ବିଶେଷ କରି ଉତ୍ତର ପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ଆଗାମୀ ବଜେଟ୍ ପପୁଲିଷ୍ଟ ଅର୍ଥାତ୍ ଲୋକବାଦ ବଜେଟ୍ ହେବାର ସମ୍ଭାବନା ଅଛି ଯେଉଁଥିରେ ରାଜନୈତିକ ତୁଷ୍ଟୀକରଣର ପ୍ରାଧାନ୍ୟ ଦେଖିବାକୁ ମିଳିବ। ଆଉ କେତେକଙ୍କ ପୂର୍ବାନୁମାନ ଅନୁସାରେ ବଜେଟ୍ ବାସ୍ତବବାଦୀ ଓ ବିକାଶମୁଖୀ ହେବ ଯେଉଁଥିରେ ମୁଦ୍ରାସ୍ଫୀତି, ବେରୋଜଗାରୀକୁ ନିୟନ୍ତ୍ରଣ କରିବା ସହିତ ବିକାଶ ହାରକୁ ବୃଦ୍ଧି କରିବା ପାଇଁ ଜୋର୍ ଦିଆଯିବ। ପୁଣି କେତେକ ସମୀକ୍ଷକଙ୍କ ମତାନୁସାରେ ଓମିକ୍ରନ୍ ଜନିତ ଅର୍ଥନୈତିକ ସଙ୍କଟ ପାଇଁ ବଜେଟ୍ରେ ପର୍ଯ୍ୟାପ୍ତ ପ୍ରାବଧାନ ଦେଖିବାକୁ ମିଳିପାରେ।
ଏହି ପ୍ରାକ୍ ବଜେଟ୍ ଲେଖାରେ ଆଗାମୀ ବଜେଟ୍ର ରୂପରେଖ କିପରି ହେବ, ତାହାର ପୂର୍ବାନୁମାନ କରିବା ପରିବର୍ତ୍ତେ ଏହା କିପରି ହେବା ଉଚିତ ସେ ସମ୍ପର୍କରେ ସାମଗ୍ରିକ ଆଲୋଚନାର ପ୍ରୟାସ ହୋଇଛି। ପ୍ରାରମ୍ଭରେ ଭାରତୀୟ ଅର୍ଥନୀତିର ସା˚ପ୍ରତିକ ସ୍ଥିତିକୁ କେତୋଟି ଗୁରୁତ୍ବପୂର୍ଣ୍ଣ ପରିସ˚ଖ୍ୟାନ ଦ୍ବାରା ସୂଚାଇଦେବା ଉଚିତ ହେବ।
୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି (-) ୭.୩% ଥିଲା। ଓମିକ୍ରନ୍ ଜନିତ ଜାନୁଆରି ଓ ଫେବ୍ରୁଆରିରେ କିଛିଟା ବ୍ୟାପାରିକ ବ୍ୟାଘାତକୁ ବିବେଚନା କରାଯାଇ ଚଳିତ ଆର୍ଥିକ ବର୍ଷର ଜିଡିପି ୯.୨% ହେବ ବୋଲି ନୀତି ଆୟୋଗର ଉପାଧୢକ୍ଷ ରାଜୀବ କୁମାର କହିଛନ୍ତି। ତେଣୁ ୨୦୨୧-୨୨ ଆର୍ଥିକ ବର୍ଷ ସରିଲା ବେଳକୁ ଦେଶର ଅର୍ଥନୀତି ପ୍ରାକ୍-କୋଭିଡ୍ ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷର ସ୍ତରକୁ ଅତିକ୍ରମ କରିଯିବ। ଚଳିତ ବର୍ଷ ଜିଏସ୍ଟି ସ˚ଗ୍ରହ ଅତ୍ୟନ୍ତ ସନ୍ତୋଷଜନକ ରହିଛି। ବର୍ଷର ପ୍ରଥମ ନଅ ମାସ ମଧୢରୁ ଆଠ ମାସ ଜିଏସ୍ଟି ସ˚ଗ୍ରହ ଏକ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ରହିଥିଲା। ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ରାଜସ୍ବ ସ˚ଗ୍ରହ ଗତବର୍ଷର ଏହି ଅବଧି ତୁଳନାରେ ୬୦% ଅଧିକ ହୋଇଛି। ଏପରିକି ପ୍ରତ୍ୟକ୍ଷ ଓ ପ୍ରରୋକ୍ଷ ଟିକସ ରାଜସ୍ବ ସ˚ଗ୍ରହ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଅଧିକ ହୋଇପାରିଛି। ବିଦ୍ୟୁତ୍ ଚାହିଦା ଓ ରେଳରେ ମାଲ ପରିବହନ ପ୍ରାକ୍ କୋଭିଡ୍ ସ୍ତରକୁ ଫେରିଆସିଲାଣି। ସଂକ୍ଷେପରେ କହିଲେ ମହାମାରୀ ଜନିତ ଗୁରୁତର ବ୍ୟାଘାତ ସତ୍ତ୍ବେ ମାକ୍ରୋ ଅର୍ଥନୀତି ମୋଟାମୋଟି ସନ୍ତୋଷଜନକ ଅଛି। ତଥାପି ଦୁଇଟି ସମସ୍ୟା ସରକାରଙ୍କ ପାଇଁ ଚିନ୍ତାଜନକ ହୋଇପଡ଼ିଛି ଯାହାର ନିର୍ବାଚନରେ ବିଶେଷ ପ୍ରତିକୂଳ ପ୍ରଭାବ ଥାଏ। ସେଣ୍ଟର ଫର୍ ମନିଟରି˚ ଇଣ୍ତିଆନ୍ ଇକୋନମି (ସିଏମ୍ଆଇଇ)ର ପ୍ରକାଶିତ ତଥ୍ୟାନୁସାରେ ଗତ ଡିସେମ୍ବର ମାସରେ ବେରୋଜଗାରୀ ହାର ୭.୯୧% ଥିଲା। ସହରୀ ବେରୋଜଗାରୀ ହାର ୯.୩% ଥିଲା ବେଳେ ଗ୍ରାମାଞ୍ଚଳରେ ବେରୋଜଗାରୀ ୭.୨୮% ଥିଲା। ଦ୍ବିତୀୟ ସମସ୍ୟାଟି ହେଉଛି ମୁଦ୍ରାସ୍ଫୀତି। ଖାଉଟି ଦର ସୂଚନାଙ୍କ ଭିତ୍ତିରେ ମୁଦ୍ରାସ୍ଫୀତି ଗତ ଡିସେମ୍ବର ମାସରେ ୫.୫୯% ଥିଲା, ଯାହା ପୂର୍ବ ପାଞ୍ଚ ମାସ ତୁଳନାରେ ସର୍ବାଧିକ। ପାଇକାରୀ ଦର ସୂଚନାଙ୍କ ଭିତ୍ତିରେ ମୁଦ୍ରାସ୍ଫୀତି ୧୩.୫୬% ଥିଲା। ଯଦିଓ ଖାଉଟି ଦର ସୂଚନାଙ୍କ ଭିତ୍ତିରେ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଦ୍ବାରା ନିର୍ଦ୍ଧାରିତ ସର୍ବୋଚ୍ଚ ସିଲି˚ ୬% ମଧୢରେ ସୀମିତ ଅଛି, ତଥାପି ଏହା ୪% ମଧୢରେ ରହିବା ଉଚିତ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ତୈଳ, ଶିଳ୍ପ ନିର୍ମାଣ ପ୍ରକ୍ରିୟାରେ ଆବଶ୍ୟକ ଖଣିଜ ଓ ଧାତୁ ମୂଲ୍ୟ ବୃଦ୍ଧି, ସେମି କଣ୍ତକ୍ଟର ଚିପ୍ସର ନିଅଣ୍ଟିଆ ସ୍ଥିତି ଇତ୍ୟାଦି ଦ୍ବାରା ପାଇକାରୀ ଦର ସୂଚନାଙ୍କ ଭିତ୍ତିରେ ମୁଦ୍ରାସ୍ଫୀତି ଆଶାତୀତ ବୃଦ୍ଧି ପାଇଛି, ଯାହାକୁ ଯଥାଶୀଘ୍ର ନିୟନ୍ତ୍ରଣ ନ କଲେ ଭବିଷ୍ୟତରେ ଖାଉଟି ସୂଚନାଙ୍କ ଭିତ୍ତିରେ ମୁଦ୍ରାସ୍ଫୀତି ହାର ମଧୢ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି। ପେଟ୍ରୋଲ, ଡିଜେଲ ମୂଲ୍ୟ ବଢ଼ିବା ଦ୍ବାରା ଏହା ପ୍ରକାରାନ୍ତେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରୁଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଲେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ।
ଆସନ୍ତା କେନ୍ଦ୍ରୀୟ ବଜେଟ୍ କେଉଁ ସବୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଅନ୍ତର୍ଭୁକ୍ତ କରିବା ଉଚିତ, ଏହା ଉପରେ ଆଲୋକପାତ କରିବା। ଗତବର୍ଷ ନଭେମ୍ବର ମାସରେ ଗ୍ଲାସ୍ଗୋ ସହରରେ ଅନୁଷ୍ଠିତ କନ୍ଫରେନ୍ସ ଅଫ୍ ଦି ପାର୍ଟିସ୍ (କୋପ୍)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ୨୦୩୦ ମସିହା ସୁଦ୍ଧା ଭାରତର କାର୍ବନ ଗ୍ୟାସ୍ ନିଃସରଣ ଏକ ବିଲିୟନ୍ ଟନ୍ ହ୍ରାସ ପାଇବ। ଏହି ସମୟ ସୀମା ମଧୢରେ ଅକ୍ଷୟ ଊର୍ଜା କ୍ଷମତା ପଚାଶ ହଜାର ମେଗା ଵାଟ୍କୁ ବୃଦ୍ଧି ପାଇବ। ଏହି ସ˚କଳ୍ପକୁ ସାକାର କରିବାକୁ ହେଲେ କେନ୍ଦ୍ର ସରକାର କାଳ ବିଳମ୍ବ ନ କରି ଉଚିତ ପଦକ୍ଷେପ ଦେବାକୁ ପଡ଼ିବ। ଅକ୍ଷୟ ଊର୍ଜା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟ୍ରେ ଆବଶ୍ୟକ ଘୋଷଣା କରିବା ଉଚିତ। ଏହି କ୍ଷେତ୍ରର ବିକାଶ ହେଲେ ବିପୁଳ କର୍ମଯୋଗାଣ ସୃଷ୍ଟି ହେବା ସହିତ ସମଗ୍ର ଅର୍ଥନୀତି ଲାଭବାନ୍ ହେବ।
ଘରୋଇ କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ତଥା ସରକାରୀ ଡିଜିଟାଲ କରେନ୍ସି ପ୍ରଚଳନ ପରିପ୍ରେକ୍ଷୀରେ ଗତ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ବିଲ୍ ଆଗତ କରିବେ ବୋଲି ସୂଚନା ମିଳିଥିଲା। କିନ୍ତୁ କୌଣସି କାରଣରୁ ଏହା ଆଗତ ହୋଇନଥିଲା। ଅର୍ଥମନ୍ତ୍ରୀ ଆଗାମୀ ବଜେଟ୍ରେ ଘରୋଇ କ୍ରିପ୍ଟୋ କରେନ୍ସି କ୍ଷେତ୍ରରେ ସରକାରଙ୍କ ଭୂମିକା ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଉଚିତ ହେବ।
ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟିରେ ଅନ୍ତର୍ଭୁକ୍ତ କଲେ ଏହି ଦୁଇ ମୁଦ୍ରାସ୍ଫୀତି ପ୍ରବଣ ସାମଗ୍ରୀର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇପାରିବ। ଏପରିକି ଜିଏସ୍ଟି ସର୍ବୋଚ୍ଚ ୨୮% ଲାଗୁ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାରଙ୍କ ଦ୍ବାରା ଉତ୍ପାଦନ ଶୁଳ୍କ ଏବ˚ ରାଜ୍ୟ ସରକାରମାନଙ୍କ ଦ୍ବାରା ଭ୍ୟାଟ୍ ଲାଗୁ ହେଉଥିବାରୁ ମୂଲ୍ୟ ବୃଦ୍ଧି ହେଲେ କେନ୍ଦ୍ର ଓ ରାଜ୍ୟ ପରସ୍ପରର ଦୋଷାରୋପ ସିନା କରିଥା’ନ୍ତି, ବିଚରା ସାଧାରଣ ନାଗରିକମାନେ ହିଁ କେବଳ ହନ୍ତସନ୍ତ ହୋଇଥା’ନ୍ତି। ଜିଏସ୍ଟି ଲାଗୁ ହେଲେ ଦେଶବ୍ୟାପୀ ଏହି ଦୁଇ ସାମଗ୍ରୀ ମୋଟାମୋଟି ଗୋଟିଏ ମୂଲ୍ୟରେ ଉପଲବ୍ଧ ହେବେ। ଜିଏସ୍ଟି କାଉନ୍ସିଲ ପ୍ରତି ତ୍ରୈମାସିକରେ ଅନ୍ତତଃ ଥରେ ମିଳିତ ହେବା ଆବଶ୍ୟକ। ତେଣୁ ବିଶ୍ବ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଭିତ୍ତିରେ ପେଟ୍ରୋଲ, ଡିଜେଲ ଉପରେ ଜିଏସ୍ଟି ଆବଶ୍ୟକ ମୁତାବକ ହ୍ରାସ, ବୃଦ୍ଧି ସହଜେ କରି ହେବ। ଏହାଦ୍ବାରା ଉଭୟ ସରକାର ଓ ଜନସାଧାରଣଙ୍କ ସ୍ବାର୍ଥକୁ ସମୁଚିତ ଉପାୟରେ ସମ୍ଭାଳି ହେବ। ବିମାନ ଚଳାଚଳ ପାଇଁ ଆବଶ୍ୟକ ଏଭିଏସନ୍ ଟର୍ବାଇନ୍ ଫୁଏଲ୍ (ଏଟିଏଫ୍)କୁ ମଧୢ ଜିଏସ୍ଟି ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ଉଚିତ ହେବ। ବେସାମରିକ ବିମାନ ସେବା କୋଭିଡ୍ ଜନିତ କଟକଣା ଯୋଗୁଁ ବିତ୍ତୀୟ ସଙ୍କଟ ମଧୢରେ ଗତି କରୁଛି।
ଇସ୍ପାତ ଶିଳ୍ପ ପାଇଁ ଆମଦାନି ହେଉଥିବା କୋକି˚ କୋଇଲାର କ୍ରମବର୍ଦ୍ଧିଷ୍ଣୁ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ଆମଦାନି ଶୁଳ୍କ ହ୍ରାସ କରିବା ଉଚିତ। କୋଇଲା ଉପରେ ଲାଗୁ ହେଉଥିବା ଟନ୍ ପିଛା ୪୦୦ ଟଙ୍କା ଜିଏସ୍ଟି କମ୍ପେନ୍ସେସନ୍ ସେସ୍କୁ ତୁରନ୍ତ ଉଠାଇ ଦେବା ଉଚିତ ହେବ। ଭବିଷ୍ୟତକୁ ଲକ୍ଷ୍ୟ ରଖି ଅକ୍ଷୟ ଊର୍ଜା ଭିତ୍ତିକ ସବୁଜ ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନକୁ ଉତ୍ସାହିତ କରିବା ପାଇଁ ବଜେଟ୍ରେ ପ୍ରୋତ୍ସାହନ ଘୋଷଣା ସ୍ବାଗତଯୋଗ୍ୟ ହେବ।
ମୋଦୀ ସରକାର ରାଷ୍ଟ୍ରାୟତ୍ତ ସ˚ସ୍ଥାଗୁଡ଼ିକର ଘରୋଇକରଣ କ୍ଷେତ୍ରରେ ସାହସିକ ଉଦ୍ୟମ କରୁଥିଲେ ହେଁ ବାସ୍ତବ ଉପଲବ୍ଧ ବଜେଟ୍ ଲକ୍ଷ୍ୟ ଠାରୁ ବହୁତ ପଛରେ ପଡ଼ିଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଲକ୍ଷ୍ୟ ଏକ ଲକ୍ଷ ପଞ୍ଚସ୍ତରି ହଜାର କୋଟି ଟଙ୍କା ଥିଲା ବେଳେ ଏଯାବତ୍ ମାତ୍ର ପନ୍ଦର ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି। ବଜେଟ୍ ଅଟକଳର ଶୁଦ୍ଧତା ପ୍ରତି ଧୢାନ ଦେବା ଉଚିତ ହେବ।
କେନ୍ଦ୍ରୀୟ ବଜେଟ୍ର ସବୁଠାରୁ ଉତ୍କଣ୍ଠାଭରା ଭାଗଟି ହେଉଛି ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ନୂଆ ଘୋଷଣା। ବର୍ତ୍ତମାନ ବ୍ୟକ୍ତିଗତ ଆୟକର ନିର୍ଦ୍ଧାରଣ ପାଇଁ ଦୁଇଟି ଚୟନ ଅଛି। ଏହା ପରିବର୍ତ୍ତେ ଗୋଟିଏ ସରଳ ଓ ସ˚କ୍ଷିପ୍ତ ପଦ୍ଧତି ଗ୍ରହଣ କଲେ ଭଲ ହେବ। ବିଭିନ୍ନ ଭତ୍ତା ଉପରେ ମିଳୁଥିବା ସର୍ତ୍ତମୂଳକ ଟିକସ ଛାଡ଼କୁ ଉଠାଇ ନିଆଯାଇ ବର˚ ଷ୍ଟାଣ୍ତାର୍ଡ କାଟ୍ତି ରାଶିକୁ ୭୫ ହଜାର ଟଙ୍କାକୁ ବୃଦ୍ଧି କଲେ ଭଲ ହୁଅନ୍ତା। ଦୀର୍ଘସୂତ୍ରୀ ସଞ୍ଚୟ ବୃଦ୍ଧି ତଥା ସେବା ନିବୃତ୍ତି ପରେ ସାମାଜିକ ସୁରକ୍ଷା ପାଇଁ ଧାରା ୮୦ସି ଅନ୍ତର୍ଗତ ଯୋଗ୍ୟ ରାଶିକୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଉଚିତ ହେବ। ବର୍ତ୍ତମାନ ସ୍ବାସ୍ଥ୍ୟ ବୀମା ପ୍ରିମିୟମ ଉପରେ ୧୮% ଜିଏସ୍ଟି ଲାଗୁ ହେଉଛି, ଯାହାକୁ ସା˚ପ୍ରତିକ ପରିସ୍ଥିତି ପରିପ୍ରେକ୍ଷୀରେ ଉଠାଇ ଦେବା ଠିକ୍ ହେବ। ଇକ୍ୟୁଟି ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏଥିରୁ ମିଳୁଥିବା ଦୀର୍ଘସୂତ୍ରୀ ପୁଞ୍ଜିଗତ ଲାଭ ଛାଡ଼ ସୀମାକୁ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଯୁକ୍ତିଯୁକ୍ତ ମନେ ହୁଏ।
ଚଳିତ ବର୍ଷ ବଜେଟ୍ରେ କେନ୍ଦ୍ର ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬.୮% ହେବ ବୋଲି ଅଟକଳ କରିଥିଲେ। ମନେହୁଏ ସରକାର ଏହି ସୀମା ମଧୢରେ ବିତ୍ତୀୟ ନିଅଣ୍ଟକୁ ସୀମିତ ରଖିବାକୁ ସମର୍ଥ ହେବେ। ମହାମାରୀ ଜନିତ ଅଭୂତପୂର୍ବ ପରିସ୍ଥିତି ଦୃଷ୍ଟିରୁ ଅତିରିକ୍ତ ବିତ୍ତୀୟ ସଙ୍କଟକୁ ଗ୍ରହଣ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିଲା। କିନ୍ତୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ଠାରୁ ଆନ୍ତରିକ ଉଦ୍ୟମ ଆବଶ୍ୟକ। ଗତବର୍ଷ ବଜେଟ୍ରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ନିିଅଣ୍ଟ ମାତ୍ରା ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୪.୫%କୁ ହ୍ରାସ କରାଯିବ। ଏଠାରେ କହି ରଖିବା ଉଚିତ ଯେ ସାଧାରଣ ପରିସ୍ଥିତିରେ ଏହି ନିଅଣ୍ଟ ମାତ୍ରା ୩% ମଧୢରେ ସୀମିତ ରହିବା ଉଚିତ। ଖାଦ୍ୟ ଓ ସାର ସବ୍ସିଡିକୁ ଯଥାସମ୍ଭବ ନିୟନ୍ତ୍ରଣ କରିବା ଆବଶ୍ୟକ। ଏହି ଦୁଇ ସବ୍ସିଡି ବାବଦରେ ସରକାର ୨୦୧୯-୨୦ରେ ୧.୯୦ ଲକ୍ଷ କୋଟି ଟଙ୍କା ବ୍ୟୟ କରିଥିଲେ, ଯାହା ୨୦୨୦-୨୧ରେ ଏହା ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୫.୫୫ ଲକ୍ଷ କୋଟି ଟଙ୍କା ହୋଇଥିଲା। ଚଳିତବର୍ଷ ଏହା ୫.୩୦ ଲକ୍ଷ କୋଟି ଟଙ୍କା ହେବ ବୋଲି ସୂଚନା ମିଳୁଛି।
ପରିଶେଷରେ କୁହାଯାଇପାରେ ଯେ ବଜେଟ୍ର ମୁଖ୍ୟ ଆଧାର ହେଉଛି ଜନସାଧାରଣଙ୍କ ଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆଦାୟ ହୋଇଥିବା ଟିକସ ରାଜସ୍ବ। ତେଣୁ ଏହି କଷ୍ଟୋପାର୍ଜିତ ଅର୍ଥ ଦ୍ବାରା ରାଷ୍ଟ୍ରର କିଭଳି ସମୂହ ବିକାଶ ହୋଇପାରିବ, ତାହା ସରକାରଙ୍କ ଧର୍ମ ଓ ଦାୟିତ୍ବ।
ମୋ: ୯୮୮୬୨୧୧୭୭୨
[email protected]