ଅଦରକାରୀ ବିଦ୍ୟାର ଆଦର କେବେ?

ହିମା˚ଶୁ ଶେଖର ମହାପାତ୍ର

କିଛି ଦିନ ତଳେ ଖବରଟିଏ ପଢ଼ିଲି। ଭୁବନେଶ୍ବରସ୍ଥିତ ନାଇସର‌୍‌ର ଜଣେ ଓଡ଼ିଆ ପଦାର୍ଥ ବିଜ୍ଞାନୀ ଉଚ୍ଚକୋଟୀର ଗବେଷଣା ପାଇଁ ବିଶ୍ବ ବିଜ୍ଞାନୀଙ୍କ ମହଲରେ ଉଚ୍ଚ ପ୍ରଶ˚ସିତ ହୋଇଛନ୍ତି ଏବ˚ ସମ୍ମାନଜନକ ଇନ୍‌ଫୋସିସ୍‌ ପୁରସ୍କାର ଲାଭ କରିଛନ୍ତି। ସେ ଯେଉଁ ପଦାର୍ଥର ସନ୍ଧାନ କରିଛନ୍ତି, ତା’ ନାମ ହେଲା ‘କ୍ଳର୍କ-ଗ୍ଳୁଅନ୍‌’। ଏହା ଜଳ ଠାରୁ ଅଧିକ ସରଳ, ତରଳ ଓ ବେଗବାନ୍‌।

ତେବେ ‘କ୍ଳର୍କ-ଗ୍ଳୁଅନ୍‌’ର ଆବିଷ୍କାର ମାଧୢମରେ ଯେଉଁ ପ୍ରସଙ୍ଗଟି ମୁଁ ଉଠାଇବା ଲାଗି ଚେଷ୍ଟା କରୁଛି, ତା’ ହେଲା ଆମ ଶିକ୍ଷା ବ୍ୟବସ୍ଥାରେ ଏବ˚ ସମାଜରେ ଦରକାରୀ ଓ ଅଦରକାରୀ ବିଦ୍ୟାର କଥା। ଏବର ସାଧାରଣ ଆଭିମୁଖ୍ୟକୁ ବିଚାର କଲେ ପ୍ରତୀତ ହୋଇଥାଏ ଯେ ବିଜ୍ଞାନ ଓ ପ୍ରଯୁକ୍ତି ହେଉଛି ଅତି ଦରକାରୀ ବିଦ୍ୟା ଏବଂ କଳା, ସାହିତ୍ୟ ଭଳି ମାନବୀୟ ବିଦ୍ୟାଗୁଡ଼ିକ ଅଦରକାରୀ! ସେଇଥି ଲାଗି ବୋଧହୁଏ ନିକଟ ଅତୀତରେ ଆମ ରାଜ୍ୟରେ ପ୍ରବର୍ତ୍ତିତ ଦୁଇଟି ପାଠ୍ୟକ୍ରମଗତ ସ˚ସ୍କାର ଅଣାଯାଇଛି; ଯାହା ଅଦରକାରୀ ବିଦ୍ୟାକୁ ଦରକାରୀ କରିବା ଲାଗି ଆଗ୍ରହୀ।

ତହିଁରୁ ଗୋଟିଏ ହେଲା, ସାହିତ୍ୟ ପାଠ୍ୟକ୍ରମରେ ଯୋଗାଯୋଗ କୌଶଳ (କମ୍ୟୁନିକେସନ ସ୍କିଲ୍‌) ପାଠର ଅହେତୁକ ପ୍ରାଧାନ୍ୟ ବୃଦ୍ଧି। ଉଦାହରଣ ଭାବେ ଇ˚ରେଜୀ ଭାଷା ସାହିତ୍ୟ ବିଷୟକୁ ନିଆଯାଉ- ଏଥିରେ ଯେଉଁ ପରମ୍ପରା ୨୦୧୭ ଯାଏ ଗଡ଼ି ଆସିଥିଲା, ତାହା ହେଲା ଗଳ୍ପ, ଗଦ୍ୟ, ଲଳିତ ନିବନ୍ଧ ଓ କବିତା ସମ୍ବଳିତ ପାଠ୍ୟକ୍ରମ ଅନୁସାରେ ସାହିତ୍ୟ ଓ ଭାଷାର ଉତ୍କର୍ଷରେ ରସାଣିତ ହେବା। ୨୦୧୪ରେ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗ ସି.ବି.ସି.ଏସ୍‌ ବା ଚୟସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ୍‌ ନାମରେ ଏକ ସ˚ଶୋଧିତ ପାଠ୍ୟକ୍ରମ ଆଣିଲେ, ଯାହା ଆମ ରାଜ୍ୟରେ ୨୦୧୫-୧୬ରେ ଆଲୋଚିତ ହୋଇ ୨୦୧୭ ଶିକ୍ଷା ବର୍ଷରୁ ଗୃହୀତ ହେଲା। ଫଳରେ ଇ˚ରେଜୀ ପାଠ୍ୟକ୍ରମରେ ଏକ ବଡ଼ ଧରଣର ସ˚ସ୍କାର ଆସିଲା, ଯାହା ହେଉଛି ସାହିତ୍ୟ ଭିତ୍ତିକ ଭାଷା ଶିକ୍ଷାର ଉଚ୍ଛେଦ କରି ‘ଯୋଗାଯୋଗ’ ତତ୍ତ୍ବ ଏବ˚ କୌଶଳ ନାମରେ ଏକ ନୂଆ, ଯୁଗୋପଯୋଗୀ ବିଦ୍ୟାର ପ୍ରଚଳନ।

ଏହି ନୂଆ ପାଠ ସପକ୍ଷରେ ଯୁକ୍ତି ହେଉଛି ଯେ ଏହା ଶ୍ରେଣୀଗୃହ ବାହାର ବ୍ୟବସାୟିକ ଦୁନିଆ ପାଇଁ ଛାତ୍ରଙ୍କୁ କଥୋପକଥନ ଏବ˚ କାମ ଆଦାୟ କରିବା ପାଇଁ ଲେଖିବାର ଉପାୟ ଶିଖାଇବ। ପାଠ୍ୟକ୍ରମର ପ୍ରଣେତାମାନେ ‘କମ୍ୟୁନିକେଟିଭ୍‌ ଇ˚ରେଜୀ’ ବୋଲି ଏକ ନୂଆ ପ୍ରଜାତି ମଧୢ ସୃଷ୍ଟି କରିଛନ୍ତି, ଯାହା ତଡ଼ିତ୍‌ ବେଗରେ ପ୍ରସାରଣକ୍ଷମ ହେବ ଏବ˚ ଗୋଟିଏ ମନରୁ ଆଉ ଗୋଟିଏ ମନକୁ ଅନାୟାସରେ ସଞ୍ଚରି ଯିବ। କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା। ସରଳ ଭାଷା କାହାରି ମାତୃଭାଷା ନୁହେଁ। ବହୁତ କସରତ କରି ଏହାକୁ ମଧ୍ୟ ଶିଖିବାକୁ ହୁଏ। ଏବ˚ ଏଠାରେ ହିଁ ନିହିତ ଅଛି ‘ଯୋଗାଯୋଗ’ ତତ୍ତ୍ବ ବା କୌଶଳ ପାଠର ପ୍ରମାଦ। ଏହା ଛାତ୍ରଛାତ୍ରୀଙ୍କୁ ପାଟିରେ ବାଟୁଳି ନ ବାଜିବା ଭଳି କହିବା ଏବ˚ ପାଣି ଭଳି ଲେଖିବାର ଦିବା ସ୍ବପ୍ନ ସୃଷ୍ଟି କରେ। କିନ୍ତୁ ଭାଷାକୁ ଅନ୍ତଃକରଣ କରିବା ପାଇଁ ଯେଉଁ ପାଥେୟ ସାହିତ୍ୟ ପ୍ରଦାନ କରେ, ତାକୁ ଗୁରୁତ୍ବ ଦିଏନା। ଛାତ୍ରଛାତ୍ରୀଙ୍କ ଗନ୍ତବ୍ୟ ସ୍ଥଳର ସୁନ୍ଦର ନକ୍‌ସାଟିଏ ଆଙ୍କେ ସିନା, ଯାନଟିକୁ ଦିଏନା।

ମନେ ରଖିବା ଉଚିତ ଯେ ‘ଯୋଗାଯୋଗ’ ପାଠ କିଛି ନୂଆ ପାଠ ନୁହେଁ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପାଶ୍ଚାତ୍ୟ ଦେଶର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଏହାର ଅଭ୍ୟୁଦୟ ହୋଇଥିଲା। ଏବ˚ ତତ୍‌କ୍ଷଣାତ୍‌ ବିରୋଧର ମଧୢ ସମ୍ମୁଖୀନ ହୋଇଥିଲା। ଜେକ୍‌ ବାର୍ଜୁନ୍‌ ୧୯୪୫ରେ ‘ଟିଚର୍‌ ଇନ୍‌ ଆମେରିକା’ ନାମକ ଏକ ପୁସ୍ତକ ଲେଖିଥିଲେ, ଯାହା ପରବର୍ତ୍ତୀ ସମୟରେ ଏକ କ୍ଲାସିକ୍‌ର ମର୍ଯ୍ୟାଦା ପାଇଛି। ଏଥିରେ ବାର୍ଜୁନ୍‌ ଲେଖିଛନ୍ତି ‘ମଣିଷ ମାତ୍ରେ ହିଁ ଭାବର ଆଦାନ ପ୍ରଦାନ ଏବ˚ ଯୋଗାଯୋଗ ଅବଶ୍ୟମ୍ଭାବୀ। ତେଣୁ ଯେଉଁ ଶିକ୍ଷାବିତ୍‌ମାନେ ଏବେ କଲେଜ୍‌ରେ ଯୋଗାଯୋଗ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ ପାଠ ପଢ଼ାଇବା ଅର୍ଥ ଯୋଗାଯୋଗ, ଆଦାନ ପ୍ରଦାନ’। ସେହିପରି ଭ୍ଲାଡିମିର‌୍‌ ନବୋକୋଭ୍‌ ତାଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଲୋଲିଟା’ରେ ଯୋଗାଯୋଗ କୌଶଳ ଶିକ୍ଷାର ତୀବ୍ର ଏବ˚ ହାସ୍ୟବ୍ୟଂଜକ କଟାକ୍ଷ କରିଛନ୍ତି। କହିବା ବାହୁଲ୍ୟ ଯୋଗାଯୋଗ ପାଠ ବହ୍ବାଡ଼ମ୍ବରେ ଲଘୁ କ୍ରିୟା ହୋଇଛି।

ଦ୍ବିତୀୟ ପାଠ୍ୟକ୍ରମଗତ ସ˚ସ୍କାର ସାହିତ୍ୟ ଗବେଷଣା ସମ୍ପର୍କିତ। ଏହା ମଧୢ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗରୁ ନିଃସୃତ ହୋଇ ଆମ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ସାମାନ୍ୟ ପରିମାର୍ଜିତ ହୋଇ ରୂପ ପାଇଛି। ଗବେଷଣାର ଉତ୍କର୍ଷ ବର୍ତ୍ତମାନ ତିନିଟି ମାନଦଣ୍ତ ଦ୍ବାରା ନିରୂପିତ: ଉପସ୍ଥିତ ଜ୍ଞାନର ବୃଦ୍ଧି, ସମକାଳୀନ ପ୍ରାସଙ୍ଗିକତା ଏବ˚ ସାମାଜିକ ଉପଯୋଗିତା। ଭାଷାର ବ୍ୟବହାର ନିଶ୍ଚିତ କରୁଛି ଯେ ଏହି ତିନି ମାନଦଣ୍ତ ଦରକାରୀ ବିଦ୍ୟାର ସାରଣୀରୁ ଧାର ସୂତ୍ରରେ ଅଣାଯାଇଛି। କାରଣ ଏହା କଳା, ସାହିତ୍ୟ କ୍ଷେତ୍ରରେ ମଧ୍ୟ ସମୟୋପଯୋଗିତାକୁ ଗୁରୁତ୍ବ ଦେଇଛି। କିନ୍ତୁ ଏଥିରେ ଯେଉଁ ସମସ୍ୟା ରହିଛି ତାହା ଉପରେ କିଞ୍ଚିତ ଆଲୋକପାତ କରାଯାଇପାରେ।
କଳା ଓ ସାହିତ୍ୟକୁ ମାନବୀୟ ବିଦ୍ୟା ମଧୢରେ ଏଥିପାଇଁ ଗଣାଯାଏ ଯେ ଏମାନେ ଯେତିକି ପରିମାଣରେ ବର୍ତ୍ତମାନମୁଖୀ ସମ ପରିମାଣରେ ଅତୀତ- ଏପରିକି ସୁଦୂର ଅତୀତ-ମୁଖୀ। ଅର୍ଥାତ୍‌ ଅତୀତ ମୃତ ସାହିତ୍ୟିକ ପାଖରେ ପୂର୍ଣ୍ଣଚ୍ଛେଦ ଟାଣେ ନାହିଁ। ସେଇଥି ପାଇଁ ତ କାଳିଦାସ ଓ ସେକ୍‌ସପିୟରଙ୍କ ଉପରେ ଏବେ ବି ଗବେଷଣା ଚାଲିଛି। କିନ୍ତୁ ଆଜି ଆମ ଦେଶର ତଥା ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷଣାର ଯେଉଁ ଉପଯୋଗିତା ସର୍ବସ୍ବ ବାତାବରଣ ଉପଲବ୍‌ଧ, ସେଥିରେ ଏଭଳି ବିଷୟ‌େର ଗବେଷଣା ହୁଏ’ତ ଯୋଗ୍ୟ ବିବେଚିତ ହୋଇ ନ ପାରେ।

ଏମିତିରେ ତ କଳା, ସାହିତ୍ୟର ବ୍ୟାବହାରିକ ଦୁନିଆ ସହ ସମ୍ପର୍କ ଟିକେ ତେରେଚ୍ଛା ଓ ହୁଗୁଳା। ତା’ ଉପରେ ପୁଣି ଶିକ୍ଷାକ୍ଷେତ୍ରମାନଙ୍କର ଦ୍ରୁତ ବ୍ୟବସାୟୀକରଣ କଳା, ସାହିତ୍ୟ ଏବ˚ ଦର୍ଶନ ଭଳି ପାଠକୁ ଏକ ଅର୍ଥହୀନ, ବ୍ୟବହାର ଅନୁପଯୋଗୀ ଅଦରକାରିତା ଭିତରକୁ ଠେଲି ଦେଇଛି। ତେବେ ପ୍ରଶ୍ନ ହେଲା, ଅଦରକାରୀ ବିଦ୍ୟାର ଆଦର ପୁଣି କେବେ? ଗୋଟିଏ ବାକ୍ୟରେ କହିଲେ ଏହା ସେତେବେଳେ ସମ୍ଭବ ଯେତେବେଳେ ଏହି ବିଦ୍ୟାର ମାନବୀୟ, ସମ୍ବେଦନଶୀଳ, ସ˚ପ୍ରେଷଣକ୍ଷମ, ଚେତନା ପ୍ରସାରୀ ଭାଷା, ଭାବ ଓ ମୂଲ୍ୟକୁ ଅମେ ବୁଝିବା।

ମୋ: ୯୪୩୭୪୦୪୪୩୧

ସମ୍ବନ୍ଧିତ ଖବର