ମଣିଷ ନିଜ ଭାବନାକୁ କେତେ ବୁଝେ?

ଗହନ ମନର କଥା - ସଂଗୀତା ରଥ

ମନ ବିଶ୍ଳେଷଣର ଜନକ ସିଗମଣ୍ଡ ଫ୍ରଏଡଙ୍କ ମତରେ ମଣିଷ ମନରେ ଥିବା ତିନିଟି ସ୍ତର ହେଲା ସଚେତନ (conscious), ଅବଚେତନ (sub-conscious) ଏବଂ ଅଚେତନ (unconscious) ସ୍ତର। ମଣିଷ ଅଧିକାଂଶ ସମୟ ସଚେତନ ଥାଏ। ମଣିଷ ମନ ଭିତରେ ଅସଂଖ୍ୟ ଅନୁଭୂତି ସ୍ମୃତି ଆକାରରେ ସଂରକ୍ଷିତ ହୋଇ ରହିଥାଏ, ଯାହାକୁ ଅବଚେତନ ସ୍ତର କୁହାଯାଏ। ଚେଷ୍ଟା କଲେ ଅବଚେତନ ସ୍ତରରେ ଥିବା ଘଟଣାଗୁଡ଼ିକୁ ସେ ସଚେତନ ସ୍ତରକୁ ଆଣିପାରେ। ଜଳ ମଧ୍ୟରେ ଭାସମାନ ବରଫ ଖଣ୍ଡର ଦୃଶ୍ୟମାନ ଉପରି ଭାଗ ପରି ସଚେତନ ଓ ଅବଚେତନ ସ୍ତର ହୋଇଥିବା ସ୍ଥଳେ ଜଳ ମଧ୍ୟରେ ବୁଡ଼ି ରହିଥିବା ବରଫ ଖଣ୍ଡର ଅଧିକାଂଶ ଭାଗ ଭଳି ମନର ଏକ ବୃହତ ଅଂଶ ଅଚେତନ ଦ୍ୱାରା ଅଧିକୃତ ହୋଇଥାଏ, ଯାହା ବିଷୟରେ ମଣିଷ ଆଦୌ ସଚେତନ ନ ଥାଏ ଏବଂ ଏହା ଉପରେ ତା’ର ନିୟନ୍ତ୍ରଣ ମଧ୍ୟ ନ ଥାଏ। କିନ୍ତୁ ଅଚେତନ ସ୍ତର ଖୁବ୍‌ ପ୍ରଭାବଶାଳୀ ଏବଂ ମଣିଷର ଅଜାଣତରେ ତାହାର ଅଧିକାଂଶ ବ୍ୟବହାରକୁ ଏହା ପ୍ରଭାବିତ କରିଥାଏ।

ଫ୍ରଏଡ ‘ଏଭ୍ରି ଡେ ସାଇକୋପାଥୋଲୋଜି ଅଫ ଲାଇଫ୍‌’ (୧୯୦୧)ରେ କହିଛନ୍ତି ଯେ ଭୁଲି ହୋଇ ଯାଉଥିବା ଅଧିକାଂଶ ଘଟଣା ଆକସ୍ମିକ ନୁହେଁ। ଅସୁଖକର, ଲଜ୍ଜାକର ଓ ବେଦନାଦାୟକ ଘଟଣା ସବୁକୁ ବ୍ୟକ୍ତି ଭୁଲିଯିବାକୁ ଚାହେ। କାରଣ ଏହି ଘଟଣାଗୁଡ଼ିକ ବହୁ ଉଦ୍‌ବେଗ ଓ ଦ୍ବନ୍ଦ୍ବ ସୃଷ୍ଟି କରେ। ବ୍ୟକ୍ତି ଏ ସବୁକୁ ଅଚେତନ ସ୍ତରକୁ ଠେଲି ଦେଇ ଏକ ସ୍ବାଭାବିକ ଜୀବନଯାପନ କରିବାକୁ ଚେଷ୍ଟା କରେ। ଅପ୍ରୀତିକର ଆବେଗଗୁଡ଼ିକ ଆତ୍ମସମ୍ମାନକୁ ବାଧା ପହଞ୍ଚାଏ, ଯାହା ବ୍ୟକ୍ତିର ଅହଂ (ego) ଲାଗି ଆଦୌ ଗ୍ରହଣୀୟ ହୁଏ ନାହିଁ। ସେଥି ଲାଗି ଅଚେତନ ମନ ସତ୍ୟତାର ସ୍ୱରୂପକୁ ବଦଳାଇ ଦେଇ ଭଲ ଲାଗୁଥିବା ଭାବନାର ଆଶ୍ରୟ ନିଏ, ଯାହାକୁ ପ୍ରତିରକ୍ଷା କୌଶଳ ବୋଲି କୁହାଯାଏ।

ସତ୍ୟର ଅସ୍ବୀକାର କରିବା ଏକ ଶକ୍ତିଶାଳୀ ପ୍ରତିରକ୍ଷା କୌଶଳ ଯହିଁରେ ବ୍ୟକ୍ତି ବାସ୍ତବିକତାକୁ ଅସ୍ବୀକାର କରି ପଳାୟନବାଦୀ ମନୋଭାବ ପୋଷଣ କରେ। ଯେପରି ବୟସ୍କ ଲୋକମାନେ ବୟସ ଜନିତ ଶାରୀରିକ ଓ ମାନସିକ ଅବକ୍ଷୟକୁ ବହୁତ ଦିନ ଧରି ଗ୍ରହଣ କରନ୍ତି ନାହିଁ। ଯନ୍ତ୍ରଣାଦାୟକ ଓ କଷ୍ଟଦାୟକ ନିଷ୍ପତ୍ତିକୁ ଲୋକେ ପରବର୍ତ୍ତୀ ସମୟ ପାଇଁ ଘୁଞ୍ଚାଇ ଦିଅନ୍ତି। ମୃତ୍ୟୁ ଅନିବାର୍ଯ୍ୟ ବୋଲି ଜାଣି ମଧ୍ୟ ପଥ ପାର୍ଶ୍ୱରେ ଦେଖୁଥିବା ମୃତ ବ୍ୟକ୍ତିଙ୍କ ଉପରୁ ଅଧିକାଂଶ ଲୋକ ନିଜର ଧ୍ୟାନ ହଟାଇ ଦେବାକୁ ଚେଷ୍ଟା କରିଥା’ନ୍ତି। ସେମାନେ ଭାବି ନିଅନ୍ତି ଯେ ନିକଟରେ ସେମାନଙ୍କ ମୃତ୍ୟୁ ଆସିବାର ନାହିଁ। ତେଣୁ ସେହି ମୁହୂର୍ତ୍ତରେ ମୃତ୍ୟୁ ବିଷୟରେ ଅଧିକ ମୁଣ୍ଡ ଖେଳାଇବାର ପ୍ରୟୋଜନ ନାହିଁ। ମଦ ବା ଡ୍ରଗ୍‌ସ ପ୍ରତି ଆସକ୍ତ ବ୍ୟକ୍ତି ଭାବିବାକୁ ଚାହେ ଯେ ଏସବୁ ମାଦକ ଦ୍ରବ୍ୟ ତା’ର କୌଣସି କ୍ଷତି କରିପାରିବ ନାହିଁ। ନିଜ ସନ୍ତାନର ମାନସିକ ଅସୁସ୍ଥତା ଅନେକ ବାପା, ମା’ ସ୍ବୀକାର ନ କରି ସେ ସ୍ୱାଭାବିକ ବୋଲି ଭାବି ଥାଆନ୍ତି। ପ୍ରିୟ ବ୍ୟକ୍ତି ବା ପରିବାରର କୌଣସି ସଦସ୍ୟଙ୍କ ଦ୍ୱାରା ଯୌନ ନିର୍ଯାତନା ପାଇଥିବା ଜଣେ ଯୁବତୀ ଏହାକୁ ଗ୍ରହଣ କରି ନ ପାରି ଏଭଳି ଘୃଣ୍ୟ ମାନସିକତା ତା’ର ପ୍ରିୟ ବ୍ୟକ୍ତିଙ୍କର ନ ଥାଇପାରେ ବା ସେ ଉଦ୍ଦେଶ୍ୟମୂଳକ ଭାବରେ ଏପରି କରୁ ନ ଥିବେ ବୋଲି ଭାବିବାକୁ ପସନ୍ଦ କରେ। ସୁତରାଂ, ଯେଉଁ ସମସ୍ୟାକୁ ମୁକାବିଲା କରିବା ବ୍ୟକ୍ତି ପକ୍ଷରେ ଅସମ୍ଭବ ବା କଷ୍ଟକର ହୁଏ, ସେ ମୂଳରୁ ସମସ୍ୟାକୁ ଅଗ୍ରାହ୍ୟ କରିଦିଏ।

ଯୁକ୍ତିନିଷ୍ଠ ବ୍ୟାଖ୍ୟା ମଧ୍ୟ ବହୁଳ ଭାବରେ ବ୍ୟବହୃତ ହେଉଥିବା ପ୍ରତିରକ୍ଷା କୌଶଳ, ଯହିଁରେ ଜଣେ ବିଫଳ ବ୍ୟକ୍ତି ତାର୍କିକ ଯୁକ୍ତି ଆଧାରରେ ନିଜର ବିଫଳତାକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରେ। ଫଳରେ ବିଫଳତାଜନିତ ନକାରାତ୍ମକ ଆବେଗ ଓ ନିରାଶାର ତୀବ୍ରତା ଓ ତିକ୍ତତା ହ୍ରାସ ପାଏ। ଉଦାହରଣ ସ୍ବରୂପ ବାରମ୍ବାର ଚେଷ୍ଟା କରି ଚାକିରି ପାଇ ନ ଥିବା ଯୁବକ ବ୍ୟବସାୟ କରିବାର ନିଷ୍ପତ୍ତି ନିଏ। ସେ ନିଜକୁ ବୁଝାଇ ଦିଏ ଯେ ସ୍ୱାଧୀନତା ଏବଂ ଆର୍ଥିକ ଲାଭ ଦୃଷ୍ଟିରୁ ଚାକିରି ତା’ ଲାଗି ଲାଭପ୍ରଦ ହୁଅନ୍ତା ନାହି। ସେମିତି ପ୍ରେମିକ ଦ୍ବାରା ପ୍ରତ୍ୟାଖ୍ୟାନ ଫଳରେ ସମ୍ପର୍କ ଭାଙ୍ଗିଯିବା ପରେ ପ୍ରେମିକର ଯୋଗ୍ୟତା ଓ ଦକ୍ଷତା ବ୍ୟାପାରରେ ସେ ପ୍ରଥମରୁ ସନ୍ଦିହାନ ଥିଲା ବୋଲି କହି ଏହା ଏକ ଆଶୀର୍ବାଦ ବୋଲି ପ୍ରେମିକା ବିଚାର କରିପାରେ। କଲେଜରେ ନୂଆ କରି ଯୋଗ ଦେଇଥିବା ସୁନ୍ଦରୀ ତରୁଣୀର ସୌନ୍ଦର୍ଯ୍ୟକୁ ସହପାଠୀମାନେ ପ୍ରଶଂସା କରୁଥିବା ବେଳେ ଜଣେ ସାଧାରଣ ବ୍ୟକ୍ତିତ୍ୱସମ୍ପନ୍ନା ଛାତ୍ରୀ ନିଜ ଅଲକ୍ଷ୍ୟରେ କହି ଦେଇଥାଏ ଯେ ଯୁବତୀ ସୁନ୍ଦରୀ ହୋଇଥିଲେ ମଧ୍ୟ ଯୁବତୀଟି ଆଦୌ ବୁଦ୍ଧିମତୀ ନୁହେ।

ଅବଦମନ (repression) ମଧ୍ୟ ଏକ ପ୍ରତିରକ୍ଷା କୌଶଳ ଯାହା ଉପରେ ଫ୍ରଏଡ ବହୁ ପ୍ରାଧାନ୍ୟ ଦେଇଥିଲେ। ତାଙ୍କ ମତରେ ନିଜକୁ ଅସ୍ବସ୍ତିକର ବା ଅପ୍ରୀତିକର ଭଳି ମନେ ହେଉଥିବା ଅନୁଭବ ଓ ସ୍ମୃତିଗୁଡ଼ିକ ସଚେତନରୁ ଅଚେତନ ସ୍ତରକୁ ଚାଲିଯାଏ। ବ୍ୟକ୍ତି ଏହି ଅନୁଭବଗୁଡ଼ିକୁ ଭୁଲିଯାଏ ଏବଂ ସାମୟିକ ଭାବରେ ନକାରାତ୍ମକ ଆବେଗରୁ ମୁକ୍ତି ପାଏ। ଫ୍ରଏଡ ଏପରି ବିିସ୍ମରଣକୁ ‘ଚୟନମୂଳକ ବିସ୍ମୃତି’ ବୋଲି କହୁଥିଲେ। ତେବେ, ଅପ୍ରୀତିକର ସ୍ମୃତିଗୁଡ଼ିକ ଅବଦମିତ ହୋଇ ଅଚେତନ ସ୍ତରରେ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିସ୍ମୃତ ହୁଏ ନାହିଁ। ସମୟ ସମୟରେ ଏଗୁଡ଼ିକ ନାନା ସମସ୍ୟା ଓ ମାନସିକ ବିକୃତି ସୃଷ୍ଟି କରେ। ମନ ବିଶ୍ଳେଷଣ ପଦ୍ଧତିରେ ମନୋବିଜ୍ଞାନୀମାନଙ୍କ ଦ୍ୱାରା ଏହି ଅବଦମିତ ସ୍ମୃତିଗୁଡ଼ିକୁ ସଚେତନ ସ୍ତରକୁ ଅଣାଯାଏ। ଫଳରେ ବ୍ୟକ୍ତି ବହୁ ମାନସିକ ରୋଗରୁ ଆରୋଗ୍ୟ ଲାଭ କରେ। କୁକୁର କାମୁଡ଼ାର ଶିକାର ହୋଇଥିବା ଶିଶୁର ପରବର୍ତ୍ତୀ କାଳରେ କୁକୁର ପ୍ରତି ଭୟ ସୃଷ୍ଟି ହୋଇଥାଏ। ଆମେରିକାରେ ଜର୍ଜ ଫ୍ରାଙ୍କଲିନ ନାମକ ଜଣେ ବ୍ୟକ୍ତି ଏକ ଆଠ ବର୍ଷର ଶିଶୁ କନ୍ୟାକୁ ଧର୍ଷଣ କରି ହତ୍ୟା କରିଥିଲା। ଏ ଘଟଣା ଘଟିବାର ପ୍ରାୟ ବାଇଶ ବର୍ଷ ପରେ ଫ୍ରାଙ୍କଲିନ ଦଣ୍ଡ ପାଇଥିଲା। କାରଣ ତା’ର କନ୍ୟା ଏଲିନ କୋର୍ଟରେ କହିଥିଲେ ଯେ ସେ ଶିଶୁ ଥିବା ବେଳେ ଖେଳୁଥିବା ତାଙ୍କ ପ୍ରିୟ ସାଥୀକୁ ବାପା ଧର୍ଷଣ କରି ମାରି ଦେଇଥିଲେ। ତେବେ, ତାଙ୍କ ପକ୍ଷରେ ଏହି ଘଟଣାଟି ଏତେ ଭୟଙ୍କର ଓ ଅସ୍ବସ୍ତିକର ଥିଲା ଯେ ବାଇଶ ବର୍ଷ ଧରି ସେ ଏହାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ତାହା ତାଙ୍କର ମନେ ପଡ଼ିଯିବା ପରେ ଫ୍ରାଙ୍କଲିନ ଦଣ୍ଡ ପାଇବା ସମ୍ଭବ ହେଲା।
ପଶ୍ଚାତ୍‌ଗମନ (regression)ରେ ଚାପଗ୍ରସ୍ତ ହେଲେ ବା ବିପଦର ସମ୍ମୁଖୀନ ହେଲେ ବ୍ୟକ୍ତି ପୂର୍ବରୁ ଦେଖାଉଥିବା ବା ବାଲ୍ୟ କାଳରେ କରୁଥିବା ବ୍ୟବହାରଗୁଡ଼ିକର ପୁନରାବୃତ୍ତି କରି ସୁରକ୍ଷିତ ମନେ କରେ। ଉଦାହରଣ ସ୍ବରୂପ ଦ୍ବିତୀୟ ପିଲାର ଜନ୍ମ ପରେ ପିତାମାତା ସେମାନଙ୍କର ସମସ୍ତ ଧ୍ୟାନ ଓ ସ୍ନେହ କନିଷ୍ଠ ସନ୍ତାନ ଉପରେ କେନ୍ଦ୍ରୀଭୂତ କଲେ ଜ୍ୟେଷ୍ଠ ସନ୍ତାନ ଉପେକ୍ଷିତ ମନେ କରି ବାପାମା’ଙ୍କର ଆଦର ଓ ଧ୍ୟାନ ଫେରି ପାଇବା ପାଇଁ ବହୁ ଦିନରୁ ଛାଡ଼ି ଦେଇଥିବା ଅଭ୍ୟାସର ପୁନରାବୃତ୍ତି କଲା। ସାନ ଭାଇ ପରି ସେ ଶେଯରେ ପରିସ୍ରା କରିପାରେ।

ନିଜର କ୍ରୋଧ ବା ଆବେଗ ଜଣକୁ ଦେଖାଇ ନ ପାରି ଆଉ ଜଣକୁ ଦେଖାଇବାକୁ ସ୍ଥାନଚ୍ୟୁତି ବା ସ୍ଥାନାନ୍ତରଣ (displacement) ବୋଲି କୁହାଯାଏ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ଖରାପ ବ୍ୟବହାର ପାଇ ପତ୍ନୀଙ୍କୁ ଗାଳି ଦେବା ବା ସ୍ୱାମୀଙ୍କ ଉପରେ ରାଗି ପିଲାଙ୍କୁ ବାଡ଼େଇବା ଭଳି ଆଚରଣ ଏହାର ଅନ୍ତର୍ଭୁକ୍ତ। ସେହିପରି ବାପାଙ୍କୁ ଘୃଣା କରୁଥିବା ବ୍ୟକ୍ତି ଉପରିସ୍ଥ କର୍ମଚାରୀ ବା ଶିକ୍ଷକ ବା ଅଭିଭାବକ ଆଦି ସବୁ ସତ୍ତାଧାରୀ ବ୍ୟକ୍ତିମାନଙ୍କ ପ୍ରତି ଏକାଭଳି ପ୍ରତିକ୍ରିୟା ପ୍ରକାଶ କରିପାରେ।

ପ୍ରତିକ୍ରିୟା ଗଠନ ମଧ୍ୟ ଏକ ଜଟିଳ ପ୍ରତିରକ୍ଷା କୌଶଳ, ଯହିଁରେ ନିଜ ଭିତରେ ଉଦ୍ରେକ ହେଉଥିବା ନକାରାତ୍ମକ ଅଭିଳାଷଗୁଡ଼ିକୁ ସକାରାତ୍ମକ ରୂପ ଦେବାକୁ ବ୍ୟକ୍ତି ଚେଷ୍ଟା କରେ। ଯେମିତି ଜଣେ ମା’ ତାଙ୍କର ସାବତ ଝିଅ ମରିଯାଉ ବୋଲି ମନରେ ଚାହୁଁଥିଲେ ମଧ୍ୟ କାଳେ ତାଙ୍କର ମନୋଭାବ କିଏ ବୁଝିପାରିବ, ସେଥି ଲାଗି ଦିନକୁ ତିନି ଚାରି ଥର ସାବତ ଝିଅର ଭଲ ମନ୍ଦ ବୁଝିବା ପାଇଁ ତା’ ସ୍କୁଲ୍‌କୁ ଯାଉଥିଲେ। ଯୁବକମାନଙ୍କ ସହ ମିଳାମିଶା କରିବା ପାଇଁ ଦୁର୍ବାର ଆଗ୍ରହ ଥିବା ସତ୍ତ୍ୱେ ଜଣେ ଯୁବତୀ ଆତ୍ମପ୍ରତ୍ୟୟର ଅଭାବ ଓ ହୀନମନ୍ୟତା ଯୋଗୁଁ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିପାରୁନଥିଲେ। କିନ୍ତୁ ସେ ବାରମ୍ବାର ଓ ଅପ୍ରାସଙ୍ଗିକ ଭାବେ କହୁଥିଲେ ଯେ ସେ ପୁଅମାନଙ୍କୁ ଘୃଣା କରନ୍ତି। ଏଭଳି ପ୍ରତିରକ୍ଷା କୌଶଳର ସାହାଯ୍ୟ ନେଉଥିବା ବ୍ୟକ୍ତି ବିପରୀତ କଥା ବାରମ୍ବାର କହି ନିଜେ ଇଚ୍ଛା ଅନୁଯାୟୀ କରି ପାରୁ ନ ଥିବା ଦୁର୍ବାର ଅଭିଳାଷଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଆନ୍ତି।

ପ୍ରକ୍ଷେପଣ (projection) କୌଶଳରେ ଜଣେ ବ୍ୟକ୍ତି ନିଜର ବିଫଳତା ବା ଦୋଷତ୍ରୁଟି ପାଇଁ ଅନ୍ୟମାନଙ୍କୁ ଦାୟୀ କରେ। ପରୀକ୍ଷାରେ ଅସଫଳ ହୋଇଥିବା ଜଣେ ଛାତ୍ର ତା’ର ବିଫଳତା ପାଇଁ ତ୍ରୁଟିପୂର୍ଣ୍ଣ ଶିକ୍ଷା ପଦ୍ଧତିକୁ ଦାୟୀ କରିପାରେ। ଚାଲି ନ ଜାଣି ବାଟକୁ ଦୋଷ ଦେବାର ଉଦାହରଣ ଆମ ଦୈନନ୍ଦିନ ଜୀବନରେ ଅସଂଖ୍ୟ ଏବଂ ତାହା ଏକ ପ୍ରତିରକ୍ଷା କୌଶଳ।

ପ୍ରାୟଶ୍ଚିତ୍ତ ଏବଂ କ୍ଷତିପୂରଣର ଉଦ୍ୟମ ମଧ୍ୟ ଗୋଟାଏ ଗୋଟାଏ ପ୍ରତିରକ୍ଷା କୌଶଳ। ବିବାହ ବହିର୍ଭୂତ ସମ୍ପର୍କ ସ୍ଥାପନ କରିଥିବା ସ୍ୱାମୀ ଯଦି ପ୍ରେମିକା ସହିତ ବହୁ ସମୟ ବିତାଏ, ତେବେ ସ୍ତ୍ରୀଙ୍କ ପାଇଁ ମୂଲ୍ୟବାନ ଉପହାର ଆଣି ‌ଦେଉଥିବା ଦେଖାଯାଏ। ଅସତ୍‌ ଉପାୟରେ ଅର୍ଥ ଉପାର୍ଜନ କରୁଥିବା ଜଣେ ବ୍ୟବସାୟୀ ମନ୍ଦିରରେ ଖୁବ୍‌ ଦାନ ଦକ୍ଷିଣା ଦେବା ବା ହୁଣ୍ଡିରେ ମୂଲ୍ୟବାନ ସାମଗ୍ରୀ ଅର୍ପଣ କରିବା ଦେଖାଯାଏ। ସେମିତି ସ୍ୱାମୀଙ୍କୁ ବିନା କାରଣରେ ଆଘାତ କରିବା ପରେ କିଛି ସମୟ ତାଙ୍କର ରୂପ, ଗୁଣର ପ୍ରଶଂସା କରିବା କ୍ଷତିପୂରଣ ପ୍ରତିରକ୍ଷା କୌଶଳର ପ୍ରୟୋଗ ଭାବରେ ବିବେଚିତ ହୁଏ।

ରୁଚିପୂର୍ଣ୍ଣ ରୂପାନ୍ତରୀକରଣ (sublimination) ଏକ ଅତ୍ୟନ୍ତ ପରିପକ୍ବ ପ୍ରତିରକ୍ଷା କୌଶଳ। ଏଥିରେ ସମାଜ ଦ୍ୱାରା ଅନାଦୃତ ହେଉଥିବା କାମନା ଓ ଲାଳସାଗୁଡ଼ିକ ସାମାଜିକ ସ୍ତରରେ ଆଦୃତ ହେଉଥିବା କାର୍ଯ୍ୟରେ ରୂପାନ୍ତରିତ ହୁଅନ୍ତି। କାମୋଦ୍ଦୀପକ ଲାଳସାକୁ ସବୁ ସ୍ଥାନରେ ଅବାଧ ପ୍ରକାଶ କରିବା ସମ୍ଭବ ନୁହେଁ। ତେଣୁ ଏହାର ଅଭିବ୍ୟକ୍ତି ବହୁ ସୃଜନଶୀଳ, ସାଂସ୍କୃତିକ ଏବଂ ବୌଦ୍ଧିକ କାର୍ଯ୍ୟ ମାଧ୍ୟମରେ ପ୍ରକାଶ ପାଏ। ପ୍ରେମରେ ବିଫଳ ଜଣେ ବ୍ୟକ୍ତି ଉଚ୍ଚକୋଟୀର କବିତା ଲେଖିପାରେ ବା ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି ପ୍ରତି ଥିବା ପୁଞ୍ଜିଭୂତ କ୍ରୋଧକୁ କଳହ ମାଧ୍ୟମରେ ପ୍ରକାଶ ନ କରି କୌଣସି କ୍ରୀଡ଼ାରେ ତାଙ୍କ ସହିତ ପ୍ରତିଯୋଗିତା କରିବାକୁ ଚେଷ୍ଟା କରିପାରେ।

ଯୁବାବସ୍ଥା ଓ କୈଶୋରରେ ବ୍ୟକ୍ତି ସବୁଠାରୁ ଅଧିକ ଦିବା ସ୍ବପ୍ନ ଦେଖୁଥିଲେ ମଧ୍ୟ ସବୁ ବୟସର ଲୋକେ ଜଞ୍ଜାଳମୟ ଓ ସଂଘର୍ଷମୟ ପରିସ୍ଥିତିରୁ ନିଜକୁ ମୁକୁଳାଇ ଭଲ ଲାଗୁଥିବା ଭଳି କାଳ୍ପନିକ ଜଗତ୍‌ରେ କିଛି ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି। ଜଣେ ବ୍ୟକ୍ତି ଦୈନନ୍ଦିନ ଜୀବନରେ ବା ଜୀବନ ବ୍ୟାପୀ ସଂଗ୍ରାମ କରିବା ପରେ ମଧ୍ୟ ଯାହା ପାଇ ପାରିନଥାଏ, କଳ୍ପନା ମାଧ୍ୟମରେ ସେସବୁକୁ ପାଇବାକୁ ଚେଷ୍ଟା କରେ। ଚାଲି ପାରୁନଥିବା ଜଣେ ଦିବ୍ୟାଙ୍ଗ ବାଳକ ଅତି ଉଚ୍ଚକୋଟୀର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରି ପ୍ରଶଂସା ପାଉଥିବା ବା ଜଣେ ନିଃସଙ୍ଗ ଶିଶୁ ତା’ର ବନ୍ଧୁମାନଙ୍କର ନେତୃତ୍ୱ ନେଉଥିବା ଭଳି କଥା କଳ୍ପନା କରିପାରେ। ଦିବା ସ୍ୱପ୍ନରେ ଅସୁଖକର ବାସ୍ତବତା, ବାଧାବିଘ୍ନ, ବ୍ୟକ୍ତିଗତ ଅଯୋଗ୍ୟତା ଓ ଦୁର୍ବଳତା କିଛି ସମୟ ପାଇଁ ଅପସରି ଯାଇଥାଏ।

ପ୍ରତିରକ୍ଷା କୌଶଳଗୁଡ଼ିକ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତିକୁ ସାମୟିକ ସୁଖ ଓ ସନ୍ତୋଷ ମିଳେ। ହତାଶା ଓ ଦୁଃଖ ଦୂର ହେବା ସହିତ ଉଦ୍‌ବେଗ କିଛି ପରିମାଣରେ ହ୍ରାସ ପାଏ। କିନ୍ତୁ ଏହି କୌଶଳଗୁଡ଼ିକ ଆତ୍ମ ପ୍ରବଞ୍ଚକ ହୋଇଥିବାରୁ ଏହାର ଆଧିକ୍ୟ ବ୍ୟକ୍ତିକୁ କ୍ଷତି ମଧ୍ୟ ପହଞ୍ଚେଇ ଥାଏ।
ସଦସ୍ୟା, ଓଡ଼ିଶା ଲୋକସେବା ଆୟୋଗ

ମୋ- ୯୪୩୭୫୭୭୨୧୧

ସମ୍ବନ୍ଧିତ ଖବର