ମୁଁ କସ୍ତୁରବା କହୁଛି

ପ୍ରଫୁଲ୍ଲ କୁମାର ପାଣି

ମୁଁ କସ୍ତୁରବା ଗାନ୍ଧୀ। ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀ ବା ସବୁରି ପ୍ରିୟ ବାପୁଜୀଙ୍କର ସହଧର୍ମିଣୀ। ମୋ ସହିତ ତାଙ୍କର ନିର୍ବନ୍ଧ ବେଳକୁ ତାଙ୍କୁ ମାତ୍ର ସାତ ବର୍ଷ। ଛଅ ବର୍ଷ ପରେ ଆମ ଦୁହିଁଙ୍କର ବିଭାଘର ହୋଇଥିଲା। ବୟସ ଆମର ପ୍ରାୟ ପାଖାପାଖି। ଖେଳକୁଦର ବୟସ। ତଥାପି ଆମେ ବିବାହ ବନ୍ଧନର ମାୟାରେ ପଡ଼ି ଯାଇଥିଲୁ। ମୋହନଦାସ କହୁଥିଲେ ଯେ ସେ ସ୍କୁଲ୍‌ରେ ଥିବା ସମୟରେ କେବଳ ମୋ କଥା ଭାବୁଥିଲେ। ବେଳେବେଳେ ମୋ ଉପରେ କୋମଳ ରାଗ କରି କଥା କହୁ ନ ଥିଲେ। ଏମିତି ମାନ ଅଭିମାନ ଭିତରେ ଆମ ଭଲ ପାଇବା ବଢ଼ି ଚାଲିଥିଲା। ବେଳେବେଳେ ତାଙ୍କର ସନ୍ଦେହ ବି ମୋତେ ଅସ୍ଥିର କରୁଥିଲା- କିନ୍ତୁ କିଛି କହୁନଥିଲି। ମୁଁ ନିରକ୍ଷର ଥିଲି। ମୋତେ ସାକ୍ଷର କରିବାକୁ ତାଙ୍କର ଶହେ ପଣ ଇଚ୍ଛା। କିନ୍ତୁ ରକ୍ଷଣଶୀଳ ପରିବାର ଭିତରେ ସେ ସବୁ ସମ୍ଭବ ହେଲା ନାହିଁ। ମୁରବିମାନେ ଜାଣିଲେ ରାଗିବାର ଭୟ ଥିଲା। ରାତିରେ ଲୁଚେଇ ଲୁଚେଇ ମୋତେ ପଢ଼େଇବାକୁ ଇଚ୍ଛା କରିଥିଲେ, ହେଲେ ହେଲା ନାହିଁ। ଇଆଡ଼ୁ ସିଆଡ଼ୁ ଗପି ସାରା ରାତି ବିତି ଯାଉଥିଲା। ତାଙ୍କର କଠୋର ଅନୁଶାସନ ଓ ମୁରବି ପଣିଆ କିଛି କାଳ ଧରି ମୋତେ ବିବ୍ରତ କରିଥିଲା। ଶେଷରେ ଦେହସୁହା ହୋଇଗଲା। ମୋର ସେଇ ସହିଯିବା ଗୁଣରୁ ଏକ ରକମ ଅହିଂସାର ମୂଳଦୂଆ ପଡ଼ିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ମୋର ବଡ଼ ଦୁଇ ପୁଅଙ୍କ ପ୍ରତି ତାଙ୍କର ସଂପର୍କ ଯେତେବେଳେ ଅତ୍ୟଧିକ କରୁଣ ହୋଇପଡ଼ିଲା, ମୁଁ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିଲି। ତାଙ୍କୁ ବୁଝାଇଥିଲି -ପିଲାମାନଙ୍କ ଶୈଶବ ଓ କୈଶୋର ଜୀବନ ପ୍ରତି ସଂବେଦନଶୀଳ ହେବା ଉଚିତ। ତୁମେ ନିଜ ପ୍ରତି ଯେତେ କଠୋର ହେଉଛ ହୁଅ, ସତ୍ୟର ପ୍ରୟୋଗ ଯେମିତି କରୁଛ କର; ହେଲେ, ପିଲାମାନଙ୍କ ପ୍ରତି ଏମିତି ଅନୁଶାସନ ମୋ ଅନ୍ତରକୁ ବିଦୀର୍ଣ୍ଣ କରୁଛି। ତୁମେ ଭୁଲିଯାଉଛ! ତୁମର ପିଲାଦିନ କେତେ ଗେହ୍ଲାରେ କଟିଥିଲା!

ସାବରମତୀରେ ହେଉ କିମ୍ବା ସଭାସମିତିରେ ହେଉ; ତୁମ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ଯୁବତୀ ତୁମକୁ ଘେରି ରହୁଥିଲେ। ତୁମେ ସେମାନଙ୍କ ସଙ୍ଗରେ ସ୍ବଚ୍ଛନ୍ଦ ମିଳାମିଶା କରୁଥିଲ। ମୁଁ କେବେ ଈର୍ଷା କରିନାହିଁ କିମ୍ବା ନକାରାତ୍ମକ ଭାବନା ପୋଷଣ କରିନାହିଁ। କାଳ କ୍ରମେ ଆମେ ପତି-ପତ୍ନୀ ସଂପର୍କରୁ ଉପରକୁ ଉଠି ଏକ ଶାଶ୍ବତ ସଂପର୍କର ଅଧିକାରୀ ହେଲେ। ମୋ ଚା’ ପିଇବାର ଅଭ୍ୟାସଟା ତୁମ ଆଦର୍ଶର ପରିପନ୍ଥୀ ଥିଲା। ଯେଉଁ ଦିନ ତୁମେ ନିଜେ ଚା’ ବନେଇ ମତେ ପିଇବାକୁ ଦେଲ; ଆପେ ଆପେ ମୋର ଏ ଅଭ୍ୟାସ ଚାଲିଗଲା। ଅନ୍ୟ ପିଲାମାନଙ୍କ ପ୍ରତି ତୁମ ଆତ୍ମୀୟତା ଓ ସହାନୁଭୂତି ଦେଖି ଖୁସି ହୁଏ ଯେତିକି, ନିଜ ପିଲାଙ୍କ ପ୍ରତି ତୁମର ନିର୍ଦୟ ଅନୁଶାସନ ମୋତେ ସେତିକି ଦୁଃଖ ଦିଏ। ମୁଁ ନିରପେକ୍ଷ ଭାବେ କହୁଛି ଯେ ପିଲାମାନଙ୍କୁ ତୁମ ଆଦର୍ଶରେ ଗଢ଼ି ତୋଳିବାର କଠୋର ମାନସିକତା ହିଁ ବଡ଼ପୁଅ ହରିଲାଲକୁ ସହ୍ୟ ହେଲା ନାହିଁ। ସେ ନିଜକୁ ନଷ୍ଟ କରି ତୁମକୁ ଦୁଃଖ ଦେଉଛି ବୋଲି ଜାଣିଥିଲେ ମଧ୍ୟ ମୁଁ ନାଚାର ଥିଲି। ଡର୍ବାନରେ ଥିଲା ବେଳେ ତିନି ତିନି ଥର ମରଣାନ୍ତକ ରୋଗରୁ ବଂଚି ଯାଇଛି- ତୁମର ଘରୋଇ ଉପଚାରରୁ। ମୋର ଅସ୍ତ୍ରୋପଚାର ସମୟରେ ଡାକ୍ତର କହିଲେ ମାଂସର ସୁରୁଆ ଖାଇବା ପାଇଁ। ଏହା ନ ଖାଇଲେ ମୃତ୍ୟୁ ଅବଶ୍ୟମ୍ଭାବୀ! ତୁମେ ତୁମର କର୍ତ୍ତବ୍ୟ ଭାବି ବଡ଼ ଦୁଃଖରେ ଡାକ୍ତରଙ୍କ ପରାମର୍ଶ ମୋତେ ବୁଝାଇ ଦେଲ। ମାତ୍ର ମୁଁ କହିଥିଲି -‘ମୁଁ ଭାରତୀୟ ହିନ୍ଦୁ ବୈଷ୍ଣବ ନାରୀ; ତୁମ କୋଳରେ ମରିଯିବି ପଛକେ କାୟା ଅପବିତ୍ର କରିବି ନାହିଁ।’ ଭଗବାନଙ୍କ ଅପାର କରୁଣାରୁ ତୁମର ଜଳ ଚିକିତ୍ସା ଦ୍ବାରା ମୁଁ ଆରୋଗ୍ୟ ଲାଭ କଲି।
ସତ୍ୟାଗ୍ରହ ନାମରେ ଡାଲିରେ ଲୁଣ ଖାଇବାକୁ ମନା କଲ। ମୁଁ ରାଜି ନ ଥିଲି। ହେଲେ ତୁମ ଜିଦ୍ ପାଖରେ ହାରିବାକୁ ହେଲା।

ଭାରତୀୟ ନାରୀମାନଙ୍କର ସ୍ବର୍ଣ୍ଣ ଅଳଙ୍କାର ପ୍ରତି ଅତ୍ୟଧିକ ଦୁର୍ବଳତା ରହିଛି। ଦକ୍ଷିଣ ଆଫ୍ରିକା ଛାଡ଼ିଲା ବେଳେ ଉପହାର ସ୍ବରୂପ ଯେଉଁ ସବୁ ସ୍ବର୍ଣ୍ଣ ଅଳଙ୍କାର ମିଳିଥିଲା, ତାକୁ ଭାରତୀୟମାନଙ୍କୁ ଦାନ କରିଦେଲ। ତେବେ, ମା’ ହିସାବରେ କହିଥିଲି ପିଲାମାନଙ୍କ ପାଇଁ କିଛି ପାଖରେ ରଖିବା। ତୁମେ ସେତକ ବି ରଖେଇ ଦେଲନି। ସେ ଦିନ ଲୁଚି ଲୁଚି କାନ୍ଦିବା ଛଡ଼ା ମୋର କିଛି ଚାରା ନ ଥିଲା। ଥରେ ଘରକୁ ଖ୍ରୀଷ୍ଟିଆନ ଅତିଥି ଆସିବା କଥା ମନେ ପଡ଼ୁଛି। ରକ୍ଷଣଶୀଳତା ପ୍ରକାଶ କରିବାରୁ କ୍ରୋଧରେ ମୋତେ ଘରୁ ବାହାର କରିଦେଲ। କିନ୍ତୁ ମୋର ନିରୀହ ଭାବ ଓ ସବୁ ସହିଯିବାର ପଣ ତୁମକୁ ପ୍ରକୃତିସ୍ଥ କଲା ଏବଂ ଶେଷରେ ମୋର ଧୈର୍ଯ୍ୟଶୀଳତାର ପ୍ରଶଂସା କଲ। ତୁମେ ଜେଲ୍‌ରେ ଥିଲା ବେଳେ ଯେଉଁ ଖାଦ୍ୟ ଖାଉଥିଲ, ମୁଁ ଘରେ ମଧ୍ୟ ସେଇ ଖାଦ୍ୟ ଖାଉଥିଲି। ତୁମ ଏକୋଇଶ ଦିନର ଅନଶନ ମୋ ଅନ୍ତରକୁ ବହୁତ ପୀଡ଼ା ଦେଇଥିଲା। ତୁମର ଜିଦ୍‌ଖୋର ମନୋବୃତ୍ତି ମୋର ଧୈର୍ଯ୍ୟକୁ ଆହୁରି ଶାଣିତ କରିଥିଲା।

ମୋର ଶେଷ ସମୟର କଥା। ତୁମ କୋଳରେ ମୁଣ୍ଡ ରଖି ମୁଁ ଶୋଇଥାଏ। ମୋତେ ପଚାରିଲ- କେମିତି ଲାଗୁଛି? ମୁଁ କହିଲି- ମୁଁ ଯାଉଛି। ମୋର ମୃତ୍ୟୁରେ କେହି କାନ୍ଦିବ ନାହିଁ, ମଥାରେ ସିନ୍ଦୂର ଧରି ତୁମ ବାହୁ ବନ୍ଧନରୁ ବିଦାୟ ନେଲି।

ମୁଁ ନିଷ୍ଠାପର ହିନ୍ଦୁ ବୈଷ୍ଣବ ନାରୀ; ତୁମ ସତ୍ୟର ପ୍ରୟୋଗ ଶାଳାରେ ଯଦି କିଛି ଭୁଲ୍‌ କରିଥାଏ- ତେବେ ମୋତେ କ୍ଷମା କରିବ। ତୁମେ ମହାତ୍ମା। ତେଣୁ ମୋତେ ସବୁ ସହିଯିବା ପାଇଁ ଈଶ୍ବର ସେଇଭଳି ହୃଦୟଟିଏ ଦେଇଥିଲେ। ତୁମର ଅହିଂସା ନୀତି ଆଜି ମାନବ ସମାଜ ପାଇଁ ସର୍ବାଧିକ ଆବଶ୍ୟକ ବୋଲି ସମସ୍ତେ କହୁଛନ୍ତି। ମୋର ଦେହ ଓ ପ୍ରାଣକୁ ତୁମରି ନୀତି ଆଦର୍ଶରେ ଅଜାଡ଼ି ଦେଇଥିଲି। ସତ୍ୟର ପ୍ରୟୋଗ ଶାଳାରେ ନିଜକୁ ସମର୍ପି ଥିଲି। ତୁମେ ନିଜେ ସ୍ବୀକାର କରିଥିଲ ଯେ ମୋର ସହନଶୀଳତା ଓ ଧୈର୍ଯ୍ୟ ତୁମକୁ ଅନୁପ୍ରାଣିତ କରିଛି; ତୁମକୁ ଦିଗ ଦେଖାଇଛି। ସତ ନୁହେଁ କି? ମୋ ଭଳି ଅସଂଖ୍ୟ ଭାରତୀୟ ନାରୀ ତ ବିଭିନ୍ନ ସମୟରେ ବ୍ୟକ୍ତିକୁ ବା ପରିବାରକୁ ବା ସମାଜକୁ ବାଟ ଦେଖାଇ ଚାଲିଛନ୍ତି।

ମୋ- ୬୩୭୨୪୫୯୯୬୦

ସମ୍ବନ୍ଧିତ ଖବର