ଏକାଡେମୀ ଅପେରା- ସୁରେନ୍ଦ୍ର ଓ ସଚ୍ଚି ରାଉତରା

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଗୋଟିଏରୁ ତିନିଟି ହେଲା ୧୯୭୮ରେ ଏବଂ ସେ ବର୍ଷ ୧୯ ଜୁଲାଇରେ ସାହିତ୍ୟ ଏକାଡେମୀର ସଭାପତି ହେଲେ ଓଡ଼ିଆ ସାହିତ୍ୟର ବିଖ୍ୟାତ କବି ସଚ୍ଚି ରାଉତରା। ସେ ସେହି ପଦରେ ଥିଲେ ୨୫ ଅଗଷ୍ଟ ୧୯୮୧ ପର୍ଯ୍ୟନ୍ତ, ପ୍ରାୟ ତିନିବର୍ଷ।

ଆତ୍ମଜୀବନୀ ‘ଉତ୍ତରକକ୍ଷ’ର ଦ୍ୱିତୀୟ ତଥା ଶେଷଭାଗ (ଜୁଲାଇ, ୨୦୦୦)ର ‘ଦ୍ୱିଚତ୍ୱାରିଂଶ ଉଲ୍ଲାସ’ରେ ସେ ତାଙ୍କ ସଭାପତି କାର୍ଯ୍ୟକାଳର ବିବରଣୀ ଦେଇଛନ୍ତି। ସେହି ବିବରଣୀ ଅନୁସାରେ- ଓଡ଼ିଶା ସରକାର ତାଙ୍କର ନୋଟିଫିକେସନ୍ ନମ୍ବର ୯୭୨ (୩୧), ତା ୨୪.୭.୭୮ ଦ୍ୱାରା ତାଙ୍କୁ ସାହିତ୍ୟ ଏକାଡେମୀର ସଭାପତି ମନୋନୀତ କରିଥିଲେ। ସେତେବେଳେ ଏକାଡେମୀର ସଂପାଦକ ଥିଲେ ମନୋରଞ୍ଜନ ଦାସ। ତାଙ୍କ ସହିତ ଉପସଭାପତି ରୂପେ ମନୋନୀତ ହୋଇଥିଲେ ରାଜକିଶୋର ରାୟ। ସେହି ବିଜ୍ଞପ୍ତିରେ ନୂଆ ସାଧାରଣ ପରିଷଦ ମଧ୍ୟ ଗଠିତ ହୋଇଥିଲା। ସାଧାରଣ ପରିଷଦର ସଦସ୍ୟ ରୂପେ ଯେଉଁମାନେ ମନୋନୀତ ହୋଇଥିଲେ, ସେମାନଙ୍କ ମଧ୍ୟରେ ଥିଲେ- ସଂସ୍କୃତି ବିଭାଗର ନିର୍ଦ୍ଦେଶକ, ସଂସ୍କୃତି ସଚିବ ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ଦାସ, ଗୋପୀନାଥ ମହାନ୍ତି, ଗୌରୀକୁମାର ବ୍ରହ୍ମା, ରାଧାମୋହନ ଗଡ଼ନାୟକ, ଯତୀନ୍ଦ୍ର ମୋହନ ମହାନ୍ତି, ସୌଭାଗ୍ୟ କୁମାର ମିଶ୍ର ଓ କାହ୍ନୁଚରଣ ମିଶ୍ର ପ୍ରଭୃତି। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନୀଳମଣି ରାଉତରାୟ ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ ବିଶ୍ୱଭୂଷଣ ହରିଚନ୍ଦନ।

ସଚ୍ଚି ରାଉତରାଙ୍କ ସେହି ବିବରଣୀରେ, ଏକାଡେମୀ କିପରି ସ୍ୱୟଂଶାସିତ, ତାହାର ନିଦର୍ଶନ ଅତି ନଗ୍ନ ଭାବରେ ବର୍ଣ୍ଣିତ ଅଛି। ସେ ଲେଖିଛନ୍ତି- ସେତେବେଳେ ଏକାଡେମୀର ବାର୍ଷିକ ସରକାରୀ ଅନୁଦାନ ଥିଲା ୧ ଲକ୍ଷ ୭୦ ହଜାର ଟଙ୍କା। ସେଥିରୁ ୧ ଲକ୍ଷ ୫୮ ହଜାର ୬୦୦ ଟଙ୍କା କର୍ମଚାରୀମାନଙ୍କର ଦରମା ଓ ଗସ୍ତଖର୍ଚ୍ଚ ବାବଦରେ ବ୍ୟୟ ହୋଇଯାଉଥିଲା। ତେଣୁ ସେ ପ୍ରଶ୍ନ କରିଛନ୍ତି- “ଅବଶିଷ୍ଟ ୧୧,୪୦୦ ଟଙ୍କାରେ ଓଡ଼ିଆ ସାହିତ୍ୟର କି ଉନ୍ନତି କରାଯାଇପାରିବ?”

ସେହି ଉଲ୍ଲାସ (ଅଧ୍ୟାୟ)ରେ ଏକାଡେମୀର ଏକ ଦୟନୀୟ ସ୍ଥିତି ସଂପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। କହିଛନ୍ତି- “ଏକାଡେମୀର ସବୁ ଖର୍ଚ୍ଚ ସରକାରୀ ଏକାଉଂଟାଂଟ୍ ପାସ୍ କଲେ ତା’ପରେ ଯାଇ କାଏମ୍ ହେଉଥିଲା। ଏପରିକି ଅଫିସ୍‌ରେ ପାଣି ଟ୍ୟାପ୍ ଖରାପ ହୋଇଗଲେ, ଏକ ନୂଆ ଟ୍ୟାପ୍ କିଣିବାପାଇଁ ତାହାଂକ ଅନୁମତି ବା ମଂଜୁରୀ ନିଆଯାଉଥିଲା। ଏହା ବଡ଼ ଲଜ୍ଜାଜନକ ଅବସ୍ଥା ଥିଲା। ଏକାଡେମୀ ସରକାରୀ କଳର ଏକ ତଳିଆ ବିଭାଗରେ ପରିଣତ ହୋଇଥିଲା।”

କିନ୍ତୁ ଏହା ପରେ ଶ୍ରୀ ରାଉତରା ଯାହା ଲେଖିଛନ୍ତି- ତାହା ଏକ ଅପେରାର ଅତ୍ୟନ୍ତ ରୋମାଞ୍ଚକର ଦୃଶ୍ୟଠାରୁ କୌଣସି ଗୁଣରେ କମ୍ ନୁହେଁ। ସେ ଲେଖିଛନ୍ତି, “ଏହିସବୁ କାରଣରୁ, ମୁଁ ସାଧାରଣ ପରିଷଦର ପ୍ରଥମ ବୈଠକରେ ହିଁ ଏହିସବୁ ଅପମାନଜନକ ପରିସ୍ଥିତିରୁ ଏକାଡେମୀକୁ ଉଦ୍ଧାରିବାପାଇଁ ଏବଂ ଏହାକୁ ଏକ ସ୍ୱୟଂଶାସିତ ଅନୁଷ୍ଠାନର ମର୍ଯ୍ୟାଦା ଦେବାପାଇଁ ପ୍ରସ୍ତାବ ଆଣିଥିଲି। ମାତ୍ର ମୋ ପ୍ରସ୍ତାବକୁ ଗୋପୀନାଥ ମହାଂତି, ରାଜେଂଦ୍ର ପ୍ରସାଦ ଦାସ, ଯତୀଂଦ୍ର ମୋହନ ମହାଂତି, ସୀତାକାଂତ ମହାପାତ୍ର ପ୍ରଭୃତି ସରକାରୀ ଅଫିସରମାନେ ଘୋର ବିରୋଧ କଲେ। ସେମାନେ ଜୋର୍‌ରେ ପାଟିତୁଂଡ କରି ଏ ପ୍ରସ୍ତାବ ୱାପସ୍ (Withdraw) କର ବୋଲି କହୁଥାଂତି। ବହୁ କଥା କଟାକଟି ଓ ବାଦାନୁବାଦ ହେଲା। ମାତ୍ର ମୁଁ ମୋ ଦାବିରେ ଅଟଳ ରହିବାରୁ, ଉପରୋକ୍ତ ସଭ୍ୟମାନେ ମୋ ଆଡ଼କୁ ହାତଉଂଚେଇ ଉହୁଂକି ଆସିଲେ। ଟେବୁଲ୍ ବାଡ଼େଇ Withdraw Withdraw ପାଟି କରି ମୋତେ ଦବାଇଦେବାକୁ ଚେଷ୍ଟା କଲେ। ମାତ୍ର କେତେକ ବରିଷ୍ଠ ସଭ୍ୟ ବୁଝାଇ ସୁଝାଇ ସେମାନଂକୁ ନିଜ ନିଜ ଆସନରେ ବସାଇଦେଲେ। ଏହା ଫଳରେ ଅବସ୍ଥା ଟିକିଏ ଶାଂତ ପଡ଼ିଲା। … ଏ ସମସ୍ତ ବିଷୟ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ରେ ଉଦ୍‌ବେଗଜନକ ଭାଷାରେ ବଡ଼ ବଡ଼ ଅକ୍ଷରରେ ଛାପା ହୋଇଥିଲା। ମୁଁ ଏ ପ୍ରସ୍ତାବ ଆସଂତା ବୈଠକରେ ପଡ଼ିବା ପାଇଁ ସ୍ଥଗିତ ରଖିଲି।”

ସଚ୍ଚି ରାଉତରାଙ୍କ ଆତ୍ମଜୀବନୀର ସେହି ଉଲ୍ଲାସ ଅନୁସାରେ, ସେହି ସମୟରୁ ହିଁ ସରକାରୀ ଅଫିସର ସଂପାଦକ (ଆଜିର ‘ସଚିବ’) ନିଯୁକ୍ତ ହେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ‘ଏକାଡେମୀର ନୂଆ ସଂପାଦକ’ ଉପଶୀର୍ଷକରେ ସେ ସେଥିରେ ଲେଖିଛନ୍ତି, “ଏକାଡେମୀର ସଂପାଦକ ମନୋରଂଜନ ଦାସଂକ କାର୍ଯ୍ୟକାଳ ପୂରିଯିବାରୁ ସେ ସଂପାଦକ ପଦରୁ ଅବ୍ୟାହତି ନେଇଥିଲେ। ତାଂକ ସ୍ଥାନରେ ଓଡ଼ିଶା ସରକାର ରାଇଚରଣ ଦାସଂକୁ (ଓ.ଏ.ଏସ୍‌. ଓ ପରେ ଆଇ.ଏ.ଏସ୍‌.) ସଂପାଦକ ରୂପେ ନିଯୁକ୍ତ କରିଥିଲେ। ସେ ନିଜେ ଜଣେ ଭଲ ପ୍ରାବଂଧିକ ଥିଲେ। ମାତ୍ର ନୀତିଗତ ଦୃଷ୍ଟିରୁ ଜଣେ ସରକାରୀ ଅଫିସରଂକୁ ଏକାଡେମୀର ସଂପାଦକ କରିବା ଉଚିତ ନୁହେଁ ବୋଲି ମୁଁ ତହିଁର ବିରୋଧ କରିଥିଲି। ମୋ ବକ୍ତବ୍ୟ ଥିଲା, ଏକାଡେମୀ ଏକ ସ୍ୱୟଂଶାସିତ ଅନୁଷ୍ଠାନ। ଏହାର କର୍ମକର୍ତ୍ତାମାନେ ସରକାରୀ ଅଫିସର ହେବା ଉଚିତ ନୁହେଁ। ମାତ୍ର ସରକାର ତାଙ୍କର କାର୍ଯ ବଦଳାଇଲେ ନାହିଁ। ଏହାପରେ ମୋର ଆଉ କିଛି କରିବାର ନଥିଲା।”

ସଚ୍ଚି ରାଉତରାଙ୍କ ପରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୋଇଥିଲେ ଓଡ଼ିଆ କଥା ସାହିତ୍ୟର ସୁବିଖ୍ୟାତ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି। ତାଙ୍କରି ସଭାପତିତ୍ୱ ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପାଳନ କରିଥିଲା ତାହାର ରଜତ ଜୟନ୍ତୀ ଉତ୍ସବ। ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଆଗ୍ରହ ଓ ଅନୁରୋଧ ଫଳରେ ସେ ଏକାଡେମୀର ସଭାପତି ଦାୟିତ୍ୱ ନେଇଥିଲେ।

ଆତ୍ମଜୀବନୀ ‘ପଥ ଓ ପୃଥିବୀ’ (ଅକ୍ଟୋବର, ୧୯୮୬)ରେ ଏ ସଂପର୍କରେ ସେ ଲେଖିଛନ୍ତି- ୧୯୮୧ ମସିହା, ମେ ମାସରେ, ଦିଲ୍ଲୀରେ ଜାନକୀବାବୁ ସେହି ଅନୁରୋଧ ତାଙ୍କୁ କରିଥିଲେ, ଓଡ଼ିଶା ଭବନର ଟେରାସ୍‌ରେ ଗୋଟିଏ ରାତ୍ରିଭୋଜନ ପରେ। ତାହାର ବର୍ଣ୍ଣନା କରି ସେ କହିଛନ୍ତି-
“ସମସ୍ତେ ବିଦାୟ ନେଇଯିବା ପରେ, ଜାନକୀବାବୁ କହିଲେ, “ସୁରେନ୍ଦ୍ରବାବୁ, ଆପଣଙ୍କୁ ଗୋଟାଏ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିବ।”

ମୁଁ କୌତୂହଳୀ ହୋଇ ପଚାରିଲି, ‘କି ଦାୟିତ୍ୱ?’

ସେ ହସିହସି କହିଲେ, ‘ସମସ୍ତଙ୍କର ଇଚ୍ଛା, ଆପଣ ଓଡ଼ିଶା ସାହିତ୍ୟ ଅକାଦମୀର ସଭାପତି ହୁଅନ୍ତୁ।’

ମୁଁ ମନେ ମନେ ଆଶା କରିଥିଲି, କେନ୍ଦ୍ରରେ କିଛି ଗୋଟାଏ ମନ୍ତ୍ରୀ-ଟନ୍ତ୍ରୀ ପଦ ମୋତେ ମିଳିଗଲା ପରା!

କିନ୍ତୁ ଜାନକୀବାବୁଙ୍କ ପ୍ରସ୍ତାବ ଶୁଣି ମୁଁ ମୁହଁ ଶୁଖାଇ କହିଲି, ‘ମୁଁ ଜଣେ ସାହିତ୍ୟିକ ବୋଲି ଓଡ଼ିଶାରେ ମୋତେ ଊଣା ଅଧିକେ ସମସ୍ତେ ଜାଣନ୍ତି। ଅକାଦମୀ ସଭାପତି ହେଲେ ମୋତେ ଆଉ କି ନିଧି ମିଳିବ? ମୋର ସାହିତ୍ୟିକ ଯଶ ଅଛି ପ୍ରଚୁର। ଲକ୍ଷ୍ମୀ କିନ୍ତୁ ମୋ ପ୍ରତି ଅପ୍ରସନ୍ନ। ମୋର ଅଭାବ କେବଳ ଟଙ୍କା। ବରଂ ଗୋଟାଏ ଦୁଧିଆଳୀ କର୍ପୋରେସନ୍‌ର ଚେୟାରମ୍ୟାନ୍‌-ଟେୟାରମ୍ୟାନ୍ କରାଇଦେଇପାରିଲେ ମୁଁ ଖୁସି ହେବି।’…

ଜାନକୀ ବାବୁ ହସି ହସି କହିଲେ, ‘ନା ସୁରେନ୍ଦ୍ରବାବୁ, ଆପଣ ଅକାଦମୀର ସଭାପତି ହୁଅନ୍ତୁ- ଏହା ସମସ୍ତଙ୍କର ଇଚ୍ଛା। ଆମେ କିଛି ଗୋଟାଏ କରିବା’।
ଅଗତ୍ୟା, ସଭାପତି ପଦ ପାଇଁ ରାଜି ହୋଇଥିଲେ ସୁରେନ୍ଦ୍ର ମହାନ୍ତି।

କିନ୍ତୁ ସେ ସଂପର୍କରେ ନିଜ ଅନୁଭୂତିରୁ ସେ ଲେଖିଛନ୍ତି, “ମୁଁ ଭାବୁଥିଲି, ସାଂପ୍ରତିକ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ଓଡ଼ିଶା ସାହିତ୍ୟ ଅକାଦମୀରେ ମୋତେ ଗୋଟାଏ ସୁଯୋଗ ମିଳୁଛି। କିନ୍ତୁ କ୍ଷେତ୍ରକୁ ଆସି ଦେଖିଲି, ଦେଉଳରେ ଯେପରି ଦେବତା ଥାନ୍ତି; ମାତ୍ର ଦେବତ୍ୱ ନଥାଏ- ନ୍ୟାୟାଳୟରେ ଅନେକ କ୍ଷେତ୍ରରେ ନ୍ୟାୟମୂର୍ତ୍ତିମାନେ ଥାନ୍ତି; ମାତ୍ର ନ୍ୟାୟ ନଥାଏ- ସାହିତ୍ୟ ଅକାଦମୀରେ ସେହିପରି ଅକାଦମୀ ଥାଏ; କିନ୍ତୁ ସାହିତ୍ୟଟି ନଥାଏ।”
ଏ ପ୍ରସଙ୍ଗରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ କାର୍ଯ୍ୟକାରୀ କମିଟି ବୈଠକ କଥା ଲେଖିଛନ୍ତି। ସେଦିନ ସେହି ବୈଠକ ବସିଥିଲା, ୧୯୮୨ ଡିସେମ୍ବର ମାସରେ ପାଳିତ ହେବାକୁ ଥିବା ଏକାଡେମୀର ରଜତ ଜୟନ୍ତୀ ସଂପର୍କରେ ଆଲୋଚନା ପାଇଁ।

ସେହି ବୈଠକରେ ସୁରେନ୍ଦ୍ର ମହାନ୍ତି ସେକ୍ରେଟାରୀଙ୍କୁ ପଚାରିଥିଲେ- “ଏଥିପାଇଁ କେତେଟଙ୍କାର ବଜେଟ୍ କରିଛନ୍ତି?” ତାହାର ଉତ୍ତରରେ- ସେକ୍ରେଟାରୀ ତାଙ୍କୁ ୨୫ ହଜାର ଟଙ୍କାର ଗୋଟିଏ ସାଇକ୍ଲୋଷ୍ଟାଇଲ୍‌କରା ବଜେଟ୍ ଧରାଇ ଦେଇ କହିଥିଲେ- “ଏଥିପାଇଁ ପଚିଶ ହଜାର ଟଙ୍କାର ଏଷ୍ଟିମେଟ୍ ତିଆରି ହେଇଚି।”

ଏହା ପରର ଘଟଣା ସୁରେନ୍ଦ୍ର ମହାନ୍ତି ବର୍ଣ୍ଣନା କରିଛନ୍ତି ଏମିତି-
“ତା’ ଉପରେ ଥରେ ଆଖିବୁଲାଇ ନେଇ ମୁଁ ପଚାରିଲି, ‘ପଚିଶ ହଜାର ଟଙ୍କାରେ ଓଡ଼ିଶା ସାହିତ୍ୟ ଅକାଦମୀର ରଜତ ଜୟନ୍ତୀ ଉତ୍ସବ ହେବ?’
ତା’ପରେ କାଗଜଟି ମୋଡ଼ି ୱେଷ୍ଟପେପର ବାସ୍କେଟ ଭିତରକୁ ଫିଙ୍ଗିଦେଲି। ସେକ୍ରେଟାରୀଙ୍କୁ କହିଲି, “ଆପଣ ଦଶଲକ୍ଷ ଟଙ୍କାର ଗୋଟିଏ ବଜେଟ୍ ତିଆରି କରି ଯଥାଶୀଘ୍ର ମୋତେ ଦିଅନ୍ତୁ। ଏ ଆଲୋଚନା ଏଇଠାରେ ମୁଲତବି ରହୁ।’

ସେତେବେଳେ ଅନ୍ୟ ସଭ୍ୟମାନେ ମୋ ଆଡ଼େ ଯେପରି ଚାହିଁଲେ, ମୁଁ ଭାବିଲି, ବୋଧହୁଏ ଗୋଟାଏ ଉନ୍ମାଦକୁ ସେମାନେ ପ୍ରଥମ ଥର ପାଇଁ ଦେଖୁଛନ୍ତି ପରା!

ମୋତେ ସେମାନେ ପଚାରିଲେ, ‘କ’ଣ କହୁଛନ୍ତି ଆପଣ?’

ମୁଁ ଉତ୍ତର ଦେଲି, ‘ସାହିତ୍ୟ ଅକାଦମୀର ରଜତ ଜୟନ୍ତୀ ହେବ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଏକ ବର୍ଣ୍ଣାଢ଼୍ୟ ପାର୍ବଣ। ଏଥିପାଇଁ ପଚିଶ ଲକ୍ଷ ଟଙ୍କା ସୁଦ୍ଧା ଯଥେଷ୍ଟ ନୁହେଁ। ଆପଣ ଯଦି ଭାବିଥାନ୍ତି ଛାମୁଣ୍ଡିଆ ବାନ୍ଧି, ପେଟ୍ରୋମାକ୍ସ ଲାଇଟ୍ ଝୁଲାଇ, ଭାତଡାଲମା ଆଉ କଦଳୀଚକଟା ଖୁଆଇ, କୌଣସି ଗାୟକରତ୍ନ ଦ୍ୱାରା ଦାସକାଠିଆର ଆୟୋଜନ କରି ରଜତଜୟନ୍ତୀ ପାଳନ କରାଯିବ- ତା’ହେଲେ ପଚିଶ ହଜାର ଟଙ୍କା ହୁଏତ ଯଥେଷ୍ଟ। କିନ୍ତୁ ମୁଁ ସେଥିରେ ନାହିଁ। ମୁଁ ସେଇମାନଙ୍କ ଦଳର ଲୋକ, ଯେଉଁମାନେ କହନ୍ତି- ହେବି ତ ଭୁବନେଶ୍ୱର, ନଇଲେ ଭୋବନା’।”

ଏ ପ୍ରସଙ୍ଗରେ ଶେଷକଥା ହେଉଛି, ସେଦିନ ସଭାପତି ସୁରେନ୍ଦ୍ର ମହାନ୍ତିଙ୍କର ସେଇ ଜିଦ୍ ହିଁ ରହିଥିଲା। ମୁଖ୍ୟମନ୍ତ୍ରୀ ଜାନକୀବାବୁ ତାଙ୍କର ପ୍ରସ୍ତାବକୁ ସମ୍ମତି ଦେଇଥିଲେ। ପଚିଶ ଲକ୍ଷ ଟଙ୍କାରେ ହିଁ ପାଳିତ ହୋଇଥିଲା ଓଡ଼ିଶା ସାହିତ୍ୟ ଏକାଡେମୀର ୨୫ ବର୍ଷର ରଜତ ଜୟନ୍ତୀ ଉତ୍ସବ।
‘ପଥ ଓ ପୃଥିବୀ’ରେ ତାହାର ଏକ ବିବରଣୀ ସୁରେନ୍ଦ୍ର ମହାନ୍ତି ଦେଇଛନ୍ତି ଏମିତି-

“ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୋଟିଏ ପ୍ରାଥମିକ ବୈଠକ ଆହୂତ ହେଲା। ସେଥିରେ ସେଦିନ ଉପସ୍ଥିତ ଥିଲେ କେତେଜଣ ସେକ୍ରେଟାରୀ ପାହ୍ୟାର ଉଚ୍ଚପଦସ୍ଥ ଅଫିସର। ମୁଁ ସେଦିନ ସେଠାରେ ଗୋଟିଏ ନାତିଦୀର୍ଘ ଭାଷଣରେ ବୁଝାଇବାକୁ ଚେଷ୍ଟା କରିଥିଲି, ଗୋଟାଏ ଦେଶ କେବଳ ଚାଉଳ ଓ ଗହମ ଉତ୍ପାଦନ ବା କଳକାରଖାନା ଦ୍ୱାରା ବଡ଼ ହୁଏ ନାହିଁ। ଜାତିର ଉତ୍‌ଥାନ ମୂଳରେ ରହିଛି, ତାହାର ଚେତନା। ସାହିତ୍ୟ କେବଳ ସେଇ ଉନ୍ନତ ଚେତନାକୁ ଜାଗ୍ରତ କରିପାରେ, ତାକୁ ଅନୁପ୍ରେରିତ କରିପାରେ।”

ସେହି ବୈଠକରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା- “କେତେଟଙ୍କା ଏଥିପାଇଁ ଲାଗିବ?” ସୁରେନ୍ଦ୍ର ମହାନ୍ତି କହିଥିଲେ- “ପଚିଶ ଲକ୍ଷ ଟଙ୍କା ଲାଗିପାରେ।” କେହି ହଠାତ୍ ତାହା ବିଶ୍ୱାସ କରି ପାରିନଥିଲେ। ଏକସ୍ୱରରେ ପଚାରିଥିଲେ- “ଏତେ ଗୁଡ଼ାଏ ଟଙ୍କା?” କିନ୍ତୁ ସୁରେନ୍ଦ୍ର ମହାନ୍ତି ସେ ପ୍ରଶ୍ନ ପାଇଁ ଆଗରୁ ପ୍ରସ୍ତୁତ ହୋଇ ଆସିଥିଲେ। କହିଲେ, “ଆପଣଙ୍କ ଷଷ୍ଠପଞ୍ଚବାର୍ଷିକ ଯୋଜନାର ପରିମାଣ ପ୍ରାୟ ୨୦୦୦ କୋଟି ଟଙ୍କା। ସାମାନ୍ୟ ୨୫ ଲକ୍ଷ ଏ ୨୦୦୦ କୋଟିର ଦଶମିକ କେତେ ଭାଗ ସୁଦ୍ଧା ହେବ ନାହିଁ। ସାହିତ୍ୟ ସଂସ୍କୃତି ପାଇଁ ଆପଣମାନେ ଏତିକି ଖର୍ଚ୍ଚ କରିବାକୁ କୁଣ୍ଠିତ କାହିଁକି? ଓଡ଼ିଆ ଭାଷା ଓ ସାହିତ୍ୟ ନଥିଲେ ତ ଓଡ଼ିଶା ରାଜ୍ୟ ନଥାନ୍ତା। ଆଉ ଶିରୋନାସ୍ତି, ଶିରୋବ୍ୟଥା ପରି ଆପଣମାନେ ବା କୁଆଡ଼େ ଥା’ନ୍ତେ?”

ସୁରେନ୍ଦ୍ର ମହାନ୍ତିଙ୍କର ଏହି ଉକ୍ତି ସାବ୍ୟସ୍ତ କରେ, ସେ ସଚିବ ହୁଅନ୍ତୁ ଅଥବା ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ- ତାଙ୍କଠାରୁ ଯେ ସାହିତ୍ୟିକ ବଡ଼- ଏହା ସେଦିନ ସେ ସ୍ପଷ୍ଟ ଓ ଦୃଢ଼ ଭାବରେ ସୂଚାଇ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଗର୍ବର ସହ ସେଦିନ ପାଳନ କରିଥିଲା ତା’ର ରଜତ ଜୟନ୍ତୀ ଉତ୍ସବ।
ଏଇଠି, ପୂର୍ବ ସଭାପତି ସଚ୍ଚି ରାଉତରାଙ୍କ ସମୟର ଗୋଟିଏ କଥା ମଧ୍ୟ, ତାଙ୍କ ଆତ୍ମଜୀବନୀ ‘ଉତ୍ତରକକ୍ଷ’ରୁ ସ୍ମରଣ କରାଯାଇ ପାରେ। ସେ ଲେଖିଛନ୍ତି- “ପୂର୍ବେ ଲେଖକମାନଙ୍କୁ ପୁରସ୍କାର ବିତରଣ ସଭାମାନଙ୍କରେ ମୁଖ୍ୟମନ୍ତ୍ରୀ ସଭାପତିତ୍ୱ କରୁଥିଲେ ଏବଂ ପୁରସ୍କାର ବିତରଣ କରୁଥିଲେ। ଏହା ଏକ ପରଂପରାରେ ପରିଣତ ହୋଇଥିଲା। ମୁଁ ତାହା ବଂଦ କରିଦେଇଥିଲି। ମୁଁ କହିଲି- ଏ ସମସ୍ତ ଉତ୍ସବରେ ଏକାଡେମୀ ସଭାପତି ହିଁ ସଭାପତିତ୍ୱ କରିବା ଉଚିତ; ଯେପରି କେଂଦ୍ର ଏକାଡେମୀରେ ହେଉଛି।” ଏବଂ, ବିବରଣୀ ସୂଚାଏ, ଯେ ସୁରେନ୍ଦ୍ର ମହାନ୍ତି ମଧ୍ୟ, ଏକାଡେମୀର ରଜତ ଜୟନ୍ତୀ ଉତ୍ସବର ସମସ୍ତ ସାହିତ୍ୟିକ ସମ୍ବର୍ଦ୍ଧନା, ସଭାପତି ଭାବରେ ନିଜେ କରିଥିଲେ।

କିନ୍ତୁ ସଚ୍ଚିଦାନଂଦ ଓ ସୁରେନ୍ଦ୍ରଙ୍କ ପରି ଦମ୍ କେତେ ଶତାଂଶରେ ଏବର ସଭାପତିଙ୍କର ଅଛି? ତା’ ନହେଲେ ଛାର ଜୁରି ତାଲିକାଟିଏର ସରକାରୀ ଅନୁମୋଦନ ପାଇଁ କ’ଣ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ପ୍ରକ୍ରିୟା ମାସ ମାସ ଧରି ଝୁଲି ରହୁଥାନ୍ତା?

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର