ଟିକିଏ ହେଲେ ଯଥେଷ୍ଟ

ସୁଭାଷ ପଟ୍ଟନାୟକ

ତୃତୀୟ ଟ୍ରକଟି ଆସବାବପତ୍ର ନେଇ ଚାଲିଯିବା ପରେ ମିଶ୍ର ବାବୁ କାଲି ଘର ଛାଡି ଚାଲି ଗଲେ। ଆଠ ବର୍ଷ ପୂର୍ବେ ଗୋଟିଏ ଛୋଟ ଟ୍ରକରେ ଜିନିଷ ନେଇ ଆସିଥିଲେ ଏଠି ବସା ବାନ୍ଧିବାକୁ। ଅନେକ କିଛି ପରିବର୍ତ୍ତନ ହୋଇଛି ତାଙ୍କର ଏଠି ରହିବା ଭିତରେ। ଘରର ଆସବାବପତ୍ର ଏବେ ତିନିଟି ବଡ଼ ଟ୍ରକରେ ମଧ୍ୟ କୁଳଉନି। ତାଙ୍କ ଘରକୁ ଗଲେ ଏଣେ ତେଣେ ପଡିଥିବା ଜିନିଷପତ୍ର ଭିତରେ ଅଣନିଶ୍ବାସୀ ଲାଗେ। ତାଙ୍କ ଜୀବନଟା ମଧ୍ୟ ସେମିତି ଅସଜଡା। ଦିନ ସାରା ଗଧ ଖଟଣି। ଦରମା ମିଳିଲେ ପ୍ରଥମେ ଧାର ଶୁଝା, କିସ୍ତି ପଇଠ, ତା ପରେ ଘରର ଆବଶ୍ୟକତା ମେଣ୍ଟାଉ ମେଣ୍ଟାଉ ମାସ ଶେଷରେ ପୁଣି ଧାର ଉଧାର। ନାତିଟିଏ ଦୁଇ ବର୍ଷର ହେଲାଣି। ଟିଭିରେ ୟୁଟ୍ୟୁବ୍ ଚଳାଇ କାର୍ଟୁନ ନ ଦେଖିଲେ ତଣ୍ଟିରେ ଭାତ ଗଳେନି। ସେଥି ପାଇଁ ଘରେ ଇଣ୍ଟରନେଟ ଲାଗିଛି। ସ୍ବତନ୍ତ୍ର ଏକ ଖାଇବା ଟେବୁଲ କିଣାହୋଇଛି। ପୁରୁଣା ଟିଭି ବଦଳରେ ବଡ ଟିଭିଟିଏ ଆସିଛି। ‘ରଥ ବାବୁଙ୍କ ଘରେ ବତିଶ ଇଞ୍ଚ ଟିଭି ଅଛି। ତମେତ ସେକ୍‌ସନ ଅଫିସର ହେଲଣି, ଚାଳିଶ ଇଞ୍ଚ ଟିଭି ଆଣିବ, ନ ହେଲେ ଇଜ୍ଜତ ରହିବନି’- ଏ ଥିଲା ଟିଭି କିଣିବା ବେଳେ ପତ୍ନୀଙ୍କ କଡ଼ା ନିର୍ଦ୍ଦେଶ। ଆସବାବ ପତ୍ର ଅଧିକ ହେବାରୁ ଏ ଘରଟି ଛୋଟ ଲାଗିଲା। ଗାଡ଼ି ପାଇଁ ଗ୍ୟାରେଜ ମଧ୍ୟ ନାହିଁ। ତେଣୁ ଗୋଟିଏ ବଡ ଘର ଦରକାର ହେଲା। ମିଶ୍ର ବାବୁଙ୍କ ଘରର ଅସୁମାର ଆସବାବପତ୍ର କେବେ ବ୍ୟବହାର ହୁଏ, କେହି ଜାଣନ୍ତିନି। ଫେରି ବାଲା କେବେ ତାଙ୍କ ଦୁଆରୁ ବିକ୍ରି ନକରି ଫେରିଯିବା ମଧ୍ୟ କେହି ଦେଖି ନାହାନ୍ତି। ଏବେ କିସ୍ତିରେ କାର୍‌ଟିଏ କିଣିଛନ୍ତି ଯେ ରଖିବାକୁ ଜାଗା ନାହିଁ। ଥରେ ଅଫିସ ନେଲେ ଦୁଇଶହ ଟଙ୍କାର ତେଲ ଖର୍ଚ୍ଚ। ରାସ୍ତା କଡ଼ରେ ଥୁଆ ହୋଇଛି।

ଆମ ସମସ୍ତଙ୍କ ଭିତରେ ଜଣେ ଜଣେ ମିଶ୍ର ବାବୁ ଲୁଚି ରହିଛନ୍ତି। ଜୀବନ ଆମର ଏମିତି ଯେ ଆମେ ଆମ ସ୍ବପ୍ନକୁ ପିଛା ନ କରି ବସ୍ତୁବାଦୀ ଜଗତ୍‌ର ଜୀବନ ଶୈଳୀକୁ ପିଛା କରୁଛୁ। ନିଜର ଉପଲବ୍‌ଧିକୁ ନେଇ ଗର୍ବ ନ କରି କ’ଣ ସବୁ ପଦାର୍ଥର ଆମେ ଅଧିକାରୀ; ତାକୁ ନେଇ ଗର୍ବ କରୁଛୁ। ନିଜ ଘର ଭିତରେ ବୁଲି ଥରେ ହିସାବ କରି ଦେଖନ୍ତୁ ତ ଯାହା ସବୁ ଆସବାବପତ୍ର, ଘରକରଣା ସାମଗ୍ରୀ ଆପଣ ଠୁଳ କରିଛନ୍ତି, ସେଥିରୁ କେତେ ବ୍ୟବହାର ହେଉଛି ଓ ଆଉ କେତେ କେବଳ ସ୍ଥାନ ଦଖଲକରି ପଡ଼ି ରହିଛି? ଏ ସବୁର ପଛରେ କେତେ ଅର୍ଥ, ସମୟ ଓ ପରିଶ୍ରମର ଅପଚୟ କରିଛନ୍ତି ଆପଣ? ଉପଭୋକ୍ତାବାଦକୁ ଆପଣେଇବା ମନ୍ଦ କଥା ବୋଲି ଆମେ କହୁନାହୁଁ, ମାତ୍ର ବିନା ବିଚାରରେ ଆବଶ୍ୟକତା ଥାଉ କି ନ ଥାଉ, ଗୁଡ଼ାଏ ଆସବାବ ପତ୍ର କିଣି ଠୁଳ କରିବା ଆମକୁ ଅଧିକ ବସ୍ତୁବାଦୀ କରିଦେଉଛି, କାରଣ ଆମେ ଚାହୁଁଛୁ ଅନ୍ୟମାନଙ୍କ ଠାରୁ ପାଦେ ଆଗରେ ରହିବୁ। ସଫଳତାର ଅର୍ଥ ଆମେ ଭାବୁଛୁ ଆଖିରେ ପଡିବା ପରି କେତେ ଜିନିଷପତ୍ର ଆମ ପାଖରେ ଅଛି। ଏହା ଫଳରେ ଉପାର୍ଜନର ସଦ୍ ବ୍ୟବହାର ନ ହୋଇ ଆମର ମାନସିକ ଅବସାଦ ବଢୁଛି ଓ ଏ ସବୁର ପ୍ରଭାବ ପଡୁଛି ଆମର ପାରିବାରିକ ସୁଖଶାନ୍ତି ଉପରେ। ଘରର ଯେଉଁଠି ଆଘାତ କଲେ ବି ତା କମ୍ପନର ପ୍ରଭାବ ଯେମିତି ମୂଳଦୁଆ ଉପରେ ପଡ଼େ, ଆମ ଭିତରର ବିଚରା ମିଶ୍ର ବାବୁଟି ସେମିତି କମ୍ପନକୁ ସହିବାରେ ଜୀବନ ବିତାଇ ଚାଲିଛି। ଏବେ ତ ସମସ୍ତଙ୍କୁ କିଣାକିଣିର ଜ୍ବର ଘାରିଛି। ଘରେ ବସି ଅନ୍‌ଲାଇନ୍‌ କିଣିବାର ସୁବିଧା, କିସ୍ତିରେ ମୂଲ୍ୟ ପଇଠ କରିବାର ବ୍ୟବସ୍ଥା ଓ ରିହାତି ପାଇବାର ଲୋଭ ଆମକୁ ଟିକିଏରେ ସନ୍ତୁଷ୍ଟ ହେବାକୁ ଦେଉନି। କିଛି କିଣିବା ପୂର୍ବରୁ ଆମେ ଚିନ୍ତା କରୁନେ, ତାର ଆବଶ୍ୟକତା କେତେ, ତାର ଦୀର୍ଘସ୍ଥାୟୀ ଉପଯୋଗିତା ଅଛି ନା ନାହିଁ! ଫୋନ ଅଛି, ଠିକ୍ କାମ ବି କରୁଛି, ତଥାପି ଆଉ ଗୋଟିଏ ଲୋଡ଼ା। କାରଣ ନୂଆ ଫୋନର କ୍ୟାମେରାଟି ଭଲ। ଆବଶ୍ୟକ ନ ଥାଉ, ଆଇ-ପ୍ୟାଡ ଟିଏ କିଣିବା, କାରଣ ରଥ ବାବୁଙ୍କର ନାହିଁ। ତାଙ୍କୁ ତ ଦେଖେଇବାକୁ ହେବ!

ଏ ସବୁରୁ ନିଷ୍କୃତି ପାଇବାର ଏକମାତ୍ର ରାସ୍ତା। ତାହା ହେଉଛି ନ୍ୟୂନତମ ଆବଶ୍ୟକତାକୁ ନେଇ ଜୀବନ ଜିଇଁବାରେ ନିଜକୁ ଅଭ୍ୟସ୍ତ କରିବା। ନିଜର ଓ ପରିବାରର ସ୍ବଚ୍ଛନ୍ଦ ଜୀବନ ଧାରଣ ପାଇଁ ଯେତିକି ଆବଶ୍ୟକ କେବଳ ସେତିକିରେ ସନ୍ତୁଷ୍ଟ ରହିବା। କମ ଆବଶ୍ୟକତାରେ ବଞ୍ଚିବାକୁ ଜୀବନ ଜିଇଁବାର ଏକ ନିୟମ ଭାବରେ ଗ୍ରହଣ କରିନେବା। ଆମ ପାଖରେ ଯାହା ଅଛି ତାହା ଯଦି ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ଓ ତାକୁ ନେଇ ଜୀବନ ସ୍ବଚ୍ଛନ୍ଦ ହୋଇପାରେ, ତା ହେଲେ ସେଇଠି ହିଁ ଆମକୁ ଅଟକିଯିବାକୁ ହେବ। ଯାହା ନାହିଁ ଓ ନ ଥିଲେ କିଛି ଅସୁବିଧା ନାହିଁ ତାକୁ ପାଇବାକୁ ଆଶା କରିବା ଅର୍ଥ ଆମେ ବସ୍ତୁବାଦକୁ ପ୍ରାଧାନ୍ୟ ଦେଉଛେ। ବସ୍ତୁ ଅପେକ୍ଷା ନିଜକୁ ଯେତେବେଳେ ଆମେ ଅଧିକ ମୂଲ୍ୟ ଦେବା, ନ୍ୟୂନତମ ଆବଶ୍ୟକତାକୁ ନେଇ ଜିଇବା ଆପେଆପେ ଶିଖିଯିବା। ଧନୀ ହେବା ପାଇଁ ଦୁଇଟି ରାସ୍ତା ଅଛି। ଖୁବ୍ ଧନ କମାଅ, ଯାହା ଅସମ୍ଭବ। ତେଣୁ ଦ୍ୱିତୀୟଟି ଆପଣେଇ ନେଇ ନିଜର ଇଚ୍ଛା ସବୁକୁ ସୀମିତ କରିଦିଅ, ଧନବାନ ମନଟିଏ ମିଳିଯିବ। ଚାହୁଁ ଥିବା ଜିନିଷ ପାଇଯିବା ସୁଖ ଦିଏନି, କାରଣ ଅନ୍ୟ ଇଚ୍ଛା ସବୁ ପଛକୁ ପଛ ଲାଗି ରହିଥାଏ। ବରଂ ଯାହା ଅଛି, ତାକୁ ପୂର୍ଣ୍ଣ ଉପଭୋଗ କରିବା ହେଉଛି ଅସଲ ସୁଖବୋଧ।

ମିଶ୍ର ବାବୁଙ୍କ ନୂଆ ଘରକୁ ଆଜି ଯାଇଥିଲି। ଝିଅକୁ ତାଙ୍କର ପଚାରିଲି ‘ନେଟ୍ କି ଟିଭି କିଛି ତ ଏଯାଏଁ ଲାଗିନି! ପୁଅର ଖାଇବାରେ ଅସୁବିଧା ହେଉନି’? ଝିଅ ଉତ୍ତରଦେଲା ‘ନାଇଁ ମଉସା, ଭାଇର ପିଲାଦିନର ଚକ ଲଗା କାଠ ଶଗଡ଼ଟେ ପୁରୁଣା ଜିନିଷ ଭିତରୁ ପାଇଯାଇଛି ତ ସେଥିରେ ଖେଳିଖେଳି ଖାଇ ଦେଉଛି। ଫେରିବା ବେଳେ ୱର୍ଡସୱର୍ଥଙ୍କ କବିତା ଧାଡିଏ ମନେପଡିଲା। ‘ଚାଇଲଡ୍ ଇଜ୍ ଦ ଫାଦର ଅଫ୍ ମ୍ୟାନ୍’। ଶିଶୁହିଁ ବଡଙ୍କର ବାପା, ତାଙ୍କର ପ୍ରକୃତ ପଥ ପ୍ରଦର୍ଶକ। ଯେଉଁ କଥା ଆମ ପାଇଁ ଦୁର୍ବୋଧ୍ୟ, ଶିଶୁଟିଏ ତାକୁ ଅତି ସହଜରେ ବୁଝାଇ ଦେଇପାରେ।

[email protected]

ସମ୍ବନ୍ଧିତ ଖବର