ମାତୃଭାଷାରେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷା ସମ୍ଭବ

ମାତୃଭାଷାରେ ଇ˚ଜିନିୟରି˚ ଶିକ୍ଷା - ବିଜୟା ମିଶ୍ର

ଗତ କିଛିଦିନ ଧରି ମାତୃଭାଷାରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା କିପରି ସମ୍ଭବ ଓ ତାହା କାର୍ଯ୍ୟକାରୀ ହେବା ଉଚିତ୍‌ କି ନୁହେଁ ଏଇ ବିଷୟରେ ବାଦାନୁବାଦ ଚାଲିଛି। ୧୯୮୬ ମସିହା ପରେ ଆମ ଶିକ୍ଷାନୀତିରେ ପରିବର୍ତ୍ତନ ହେଉ ନ ଥିଲା। କିନ୍ତୁ ନିକଟରେ ୨୦୨୦ରେ ପ୍ରଣୀତ ନୂତନ ଶିକ୍ଷା ନୀତିରେ ଦେଶର ସବୁ ସ୍ତରର ପିଲା ନିଜର ସ୍ବପ୍ନ ସାକାର କରିବା ପାଇଁ କେମିତି ସୁବିଧା ପାଇ ପାରିବେ ସେଥିପାଇଁ ଯୋଜନା ହେଇଛି। ବିକଶିତ ଦେଶମାନଙ୍କରେ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷାର ସୁଯୋଗ ସମାନ ଥିଲା ବେଳେ ଆମ ଦେଶରେ ବିଭିନ୍ନ କାରଣରୁ ସ୍କୁଲ ଶିକ୍ଷା ପରେ କଲେଜରେ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ବହୁତ କମିଯାଏ। ଏହି ସବୁ ବିଷୟ ନଜରରେ ରଖି ଭାରତ ସରକାର ନୂତନ ଶିକ୍ଷାନୀତି ପ୍ରସ୍ତୁତ କରିବା ପାଇଁ ଯୋଜନା କଲେ ଯାହାଦ୍ବାରା ଆମ ପିଲାମାନେ ଅନ୍ୟ ଦେଶର ପିଲାଙ୍କର ସମକକ୍ଷ ହେଇ ପାରିବେ। ଏହି ଶିକ୍ଷାନୀତି ପ୍ରଣୟନରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପ୍ରତି ସ୍ତରରେ ଶିକ୍ଷା ତଥା ବୈଷୟିକ ଶିକ୍ଷା ମଧୢ ଅନ୍ତର୍ଭୁକ୍ତ ହେଲା ଏବ˚ ଗ୍ରାମା˚ଚଳ ଓ ସହରା˚ଚଳ ଉଭୟର ଶିକ୍ଷା ପ୍ରତି ଦୃଷ୍ଟି ଦିଆଗଲା। ଉଦ୍ଦେଶ୍ୟ ହେଲା, ୨୦୪୦ ବେଳକୁ ଆମର ଶିକ୍ଷାନୀତି ପୂରା ଅନ୍ୟ ଦେଶ ସହ ସମକକ୍ଷ ହେଇଥବ। ଏଥି ପାଇଁ ବିଜ୍ଞ ଶିକ୍ଷାବିତ୍‌ମାନଙ୍କୁ ନେଇ ଏକ କମିଟି ହେଲା ଯାହାର ଅଧୢକ୍ଷ ରହିଲେ ISRO (Indian Space Research Organistion)ର ପ୍ରାକ୍ତନ ମୁଖ୍ୟ କୃଷ୍ଣସ୍ବାମୀ କସ୍ତୁରୀ ରଙ୍ଗରାଜନ୍‌। ଦେଶର ବିଭିନ୍ନ ଅଞ୍ଚଳର ପ୍ରାୟ ସବୁ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍‌ମାନଙ୍କ ପରାମର୍ଶ ଭିତ୍ତିରେଏହି ଶିକ୍ଷାନୀତିର ଚିଠା ପ୍ରସ୍ତୁତ ହେଲା। ଦେଶର ମାନବ ସମ୍ବଳ ବିଭାଗ ଏଥିପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତି କଲେ ଓ ସମସ୍ତଙ୍କ ଠାରୁ ପ୍ରସ୍ତାବ ଆହ୍ବାନ କଲେ। ଦେଶର ଅଢେ଼ଇ ଲକ୍ଷ ଗ୍ରାମ ପ˚ଚାୟତରୁ ପ୍ରାୟ ଦୁଇ ଲକ୍ଷ ପ୍ରସ୍ତାବ ପାଇଥିଲେ ଏହି ଶିକ୍ଷାନୀତି ପାଇଁ। ଶେଷରେ ଏହି କମିଟି ପ୍ରସ୍ତୁତ କରିଥିବା ଚିଠା ୨୯ ଜୁଲାଇ ୨୦୨୦ରେ କ୍ୟାବିନେଟରେ ମଞ୍ଜୁରି ଲାଭ କଲା।

ନୂତନ ଶିକ୍ଷାନୀତିରେ ଥିବା ବିଭିନ୍ନ ପ୍ରସ୍ତାବ ମଧୢରୁ ମୁଖ୍ୟ ହେଉଛି ଆ˚ଚଳିକ ଭାଷାରେ ଶିକ୍ଷା ପ୍ରଦାନ। ସରକାର କିନ୍ତୁ ପ୍ରଥମରୁ ସ୍ପଷ୍ଟୀକରଣ ଦେଇଥିଲେ ଯେ, କୌଣସି ଛାତ୍ରକୁ କୌଣସି ଭାଷାରେ ପଢ଼ିବା ପାଇଁ ବାଧୢ କରାଯିବ ନାହିଁ ବା ଇ˚ରେଜୀ ମାଧୢମ ଶିକ୍ଷାକୁ ଆ˚ଚଳିକ ଭାଷା ମାଧୢମକୁ ପରିବର୍ତ୍ତନ କରାଯିବ ନାହିଁ। ଏହା କେବଳ ଏକ ପ୍ରସ୍ତାବ। କିନ୍ତୁ ରାଜ୍ୟ ସରକାର ବା ବିଭିନ୍ନ ଅନୁଷ୍ଠାନ ବା ବିଦ୍ୟାଳୟମାନେ କେଉଁ ଭାଷାରେ ଶିକ୍ଷା ଦିଆଯିବ ସ୍ଥିର କରିବେ। ଉଦ୍ଦେଶ୍ୟ ହେଲା, ଛାତ୍ରଛାତ୍ରୀମାନେ ଖାଲି ପାଠ ମୁଖସ୍ଥ କରି ପରୀକ୍ଷାରେ ପାସ୍‌ ନ କରି ପ୍ରକୃତ ପାଠର ବିଷୟ ବୁଝିବେ ଓ ଭବିଷ୍ୟତରେ ତା’ର ଉପଯୋଗ କରିବେ। ତେଣୁ ନୂତନ ଶିକ୍ଷାନୀତିରେ ନିଜ ମାତୃଭାଷାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ହେବାକୁ ଜୋର ଦେଇଛନ୍ତି ଓ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତାହା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। କାରଣ ନିଜେ କହୁଥିବା ଭାଷାରେ ପାଠ ପଢ଼ିଲେ ସହଜରେ ତାହା ବୁଝି ହେବ। ସବୁଠୁ ବଡ଼ କଥା ହେଲା ଅନ୍ୟ ଦେଶ ପରି ଆମ ଦେଶରେ ମଧୢ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ମଧୢରେ ଥିବା ବିଭାଜନକୁ ଦୂରେଇ ଦେଇ ପିଲାମାନଙ୍କୁ ଯିଏ ଯେଉଁ ସ୍ତରରେ ଯେଉଁ ବିଷୟ ପଢ଼ିବାକୁ ଚାହିବେ, ପଢ଼ି ପାରିବେ ବୋଲି ବ୍ୟବସ୍ଥା ହେଇଛି। ତେଣୁ ମାତୃଭାଷାରେ ବୈଷୟିକ ଶିକ୍ଷାଦାନର ସୁବିଧା କରାଯିବାର ପ୍ରସ୍ତାବ ଅଛି।

ଏଥିପାଇଁ ଆମ ଦେଶରେ ବୈଷୟିକ ଶିକ୍ଷା ନିୟନ୍ତ୍ରଣ କରୁଥିବା AICTE (All Indian Council for Technical Education) ଆଠଟି ରାଜ୍ୟର ଚଉଦଟି ଇ˚ଜିନିୟରି˚ କଲେଜରେ ପାଞ୍ଚଟି ଭାଷାରେ ବୈଷୟିକ ଶିକ୍ଷା ୨୦୨୧-୨୨ରୁ ଆରମ୍ଭ କରିବା ପାଇଁ ଅନୁମତି ଦେଇଛନ୍ତି। ସେଗୁଡ଼ିକ ହେଲା ହିନ୍ଦୀ, ତାମିଲ୍‌, ତେଲୁଗୁ, ମରାଠୀ ଓ ବଙ୍ଗଳା। ପର୍ଯ୍ୟାୟ କ୍ରମେ ଏଗାରଟି ଆ˚ଚଳିକ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ ପାଇଁ ନୂତନ ଶିକ୍ଷାନୀତି ଅନୁମୋଦନ କରିଛି, ଯାହା ମଧ୍ୟରେ ଓଡ଼ିଆ ଅନ୍ତର୍ଭୁକ୍ତ। ପ୍ରଥମ ଥର ପାଇଁ ଆ˚ଚଳିକ ଭାଷାରେ ବୈଷୟିକ ଶିକ୍ଷା ଆରମ୍ଭ ସିନା ହେଲା, ଏ ବର୍ଷ ବହୁତ କମ୍‌ ପିଲା ଏହି ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ଅନୁମୋଦିତ ସିଟ୍‌ର ମାତ୍ର ୧୫% ରୁ ୩୦% ପୂରଣ ହେଇଛି। କାରଣ ଆ˚ଚଳିକ ଭାଷାରେ ପୁସ୍ତକ ପ୍ରସ୍ତୁତ ହେଇ ପାରିବ କି ନାହିଁ ସେ ନେଇ ସମସ୍ତେ ସନ୍ଦିହାନ। କିନ୍ତୁ କ୍ରମେ ପିଲା ସ˚ଖ୍ୟା ଯେ ବଢ଼ିବ, ଏଥିରେ ସନ୍ଦେହ ନାହିଁ, କାରଣ ମାତୃଭାଷାରେ ପଢ଼ିବା ପାଇଁ ଗ୍ରାମାଞ୍ଚଳର ବହୁ ମେଧାବୀ ବିଦ୍ୟାର୍ଥୀ ସୁଯୋଗ ପାଇବେ।

ଏଇ ଓଡ଼ିଆ ମାଧୢମରେ ପଢ଼ାଇବା ବିଷୟରୁ ଜାଣି ଅତୀତର କଥା ସବୁ ମନେ ପଡୁଛି। ପ୍ରାୟ ନବମ ଦଶକରେ ମୁଁ ରମାଦେବୀ କଲେଜରେ ଅଧୢାପିକା ଥିଲି। ଥରେ ସରକାରଙ୍କଠୁ ଚିଠି ଆସିଲା ଯେ ଛାତ୍ରଛାତ୍ରୀମାନେ ଚାହିଲେ ସେମାନଙ୍କୁ ଓଡ଼ିଆରେ ପଢ଼ାଇବାକୁ ହେବ ଓ ପ୍ରଶ୍ନପତ୍ର ଉଭୟ ଇ˚ରେଜୀ ଓ ଓଡ଼ିଆ ଭାଷାରେ ହେବ। ମୁଁ ତ ଡରିଯାଇଥିଲି। କାରଣ ଓଡ଼ିଆ ଭାଷାରେ ଫିଜିକ୍‌ସ ବା ପଦାର୍ଥବିଜ୍ଞାନ ପାଠ ପିଲାଙ୍କୁ କେମିତି ପଢ଼ାଇବି ଭାବି ପାରୁନଥିଲି। ମନେ ମନେ ଭାବୁଥିଲି ନିଉଟନ୍‌ଙ୍କ ନିୟମ କଥା। Inertiaକୁ କ’ଣ କହିବି? Momentumଙ୍କୁ କ’ଣ କହିବି? Action, Reaction କ’ଣ କହିବି? ମୁଁ ଭାବି ପାରୁ ନ ଥିଲି ଯେ ଇ˚ରେଜୀ ଶବ୍ଦ ବ୍ୟବହାର କରି ମଧୢ ଓଡ଼ିଆରେ ସବୁ ବିଷୟ ବୁଝାଇ ଦେଲେ ସେମାନେ ଆହୁରି ଭଲରେ ବୁଝିବେ। ପ୍ରତିଟି ଶବ୍ଦର ଓଡ଼ିଆ କରିବା ଦରକାର ନାହିଁ। ଭାଗ୍ୟକୁ ବିଜ୍ଞାନର କୌଣସି ପିଲା ଓଡ଼ିଆରେ ପଢ଼ିବା ବା ଉତ୍ତର ଲେଖିବାକୁ ଆଗ୍ରହୀ ହେଲେ ନାହିଁ। ଯଦିଓ ପ୍ରଶ୍ନପତ୍ରରେ ଓଡ଼ିଆ ରହିଲା ଇ˚ରେଜୀ ସହିତ।

ରମାଦେବୀ କଲେଜରେ ଅଧୢକ୍ଷା ଥିଲା ବେଳେ ଏଇ ଭାଷା ନେଇ ଆଉ ଏକ ଅନୁଭୂତି। କଲେଜରେ ଅନୁସୂଚିତ ଜାତି ଓ ଜନଜାତି (Scheduled Caste, Scheduled Tribe) ଝିଅଙ୍କ ପାଇଁ ଗୋଟିଏ ଅଲଗା ହଷ୍ଟେଲ ଅଛି। ତା’ର ନାମ ‘ଇନ୍ଦିରା ଗାନ୍ଧୀ’ ହଷ୍ଟେଲ। ତା’ର ପରିଚାଳନା ସରକାରଙ୍କ SC/ST Development ବିଭାଗ ଅଧୀନରେ ଥାଏ। ଶିକ୍ଷା ବିଭାଗରେ ନ ଥିବାରୁ ଅଧୢକ୍ଷା ଚାହିଲେ ମଧୢ ବିଶେଷ କିଛି ଉନ୍ନତି କରିପାରୁନଥିଲେ। ସେ ହଷ୍ଟେଲ ପାଇଁ ସେଇ ଝିଅମାନଙ୍କର ଲାଜକୁଳା ସ୍ବଭାବ, ଶ୍ରେଣୀରେ ଅଧୢାପିକାଙ୍କୁ ଉତ୍ତର ନ ଦେବା, ଅନ୍ୟ ସାଧାରଣ ଝିଅଙ୍କ ସହ ନ ମିଶିବା ଇତ୍ୟାଦି ଲକ୍ଷ୍ୟ କରି ମୁଁ ସେଇ ଝିଅଙ୍କ ଉପରେ ବିଶେଷ ଧୢାନ ଦେଲି। ବାରମ୍ବାର ତାଙ୍କ ହଷ୍ଟେଲ ଯାଇ ତାଙ୍କ ସାଙ୍ଗରେ ଖୋଲାଖୋଲି କଥାବାର୍ତ୍ତାରୁ ଯାହା ଜାଣିଲି, ସେମାନଙ୍କ ସ˚କୋଚର ବିଭିନ୍ନ କାରଣ ମଧୢରୁ ମୁଖ୍ୟ ହେଲା ସେମାନେ ତାଙ୍କ ପାଇଁ ଉଦ୍ଦିଷ୍ଟ ଅଲଗା SC/ST ହଷ୍ଟେଲରେ ରହିବା ଓ ତଦ୍ଦ୍ବାରା ଅନ୍ୟମାନଙ୍କ ଠାରୁ ନ୍ୟୂନ ଭାବନାର ଶିକାର ହେବା। ତାହା ସହିତ ଅଧିକା˚ଶ ମଫସଲରୁ ଆସିଥିବାରୁ ଇ˚ରେଜୀ ମାଧୢମରେ ପାଠ ବୁଝି ନ ପାରିବ।। ତା’ପରେ ମୁଁ ଅଧୢାପିକାମାନଙ୍କୁ ଅନୁରୋଧ କଲି ସେମାନଙ୍କୁ ଓଡ଼ିଆରେ ପ୍ରଶ୍ନ ପଚାରିବା ପାଇଁ ଓ ଅନ୍ୟ ସମୟରେ ସେମାନଙ୍କ ପାଇଁ ଅଲଗା କ୍ଲାସ କରି ବୁଝି ପାରୁନଥିବା ପାଠକୁ ସହଜରେ ଓଡ଼ିଆରେ ବୁଝାଇ ଦେବା ପାଇଁ। ଏହାଦ୍ବାରା କ୍ରମେ କ୍ରମେ ସେମାନଙ୍କର ଫଳ ତ ଭଲ ହେଲା, ସେମାନେ ସ˚କୋଚ ଛାଡ଼ି ଅନ୍ୟ ପିଲାଙ୍କ ସାଙ୍ଗରେ ମିଶିଲେ ଓ ତାଙ୍କରି ଭିତରୁ ଶେଷରେ ଜଣେ କଲେଜ ସଂଘ ସଭାନେତ୍ରୀ ମଧୢ ହେଲା। ତେଣୁ କେବଳ ଇ˚ରେଜୀରେ ଲେକ୍‌ଚର ଦେଇ ଦେଲେ ଶିକ୍ଷକର କାମ ସରେନି। ପାଠ ବୁଝିବା ସହ ସହଜ ଭାବରେ କଥାବାର୍ତ୍ତା କରି ତା’କୁ ଜୀବନରେ ରାସ୍ତା ଦେଖାଇବା ମଧୢ ଶିକ୍ଷକଙ୍କର କାମ।

ସେଇଥିରୁ ହିଁ ବୁଝିଲି ସୁଯୋଗ ଦେଲେ ଓ ସାହାଯ୍ୟ କଲେ ଲୁକ୍କାୟିତ ପ୍ରତିଭା ପ୍ରକାଶିତ ହେଇପାରିବ ନିଶ୍ଚୟ। ପ୍ରକୃତରେ ସେଇ ଝିଅମାନେ ମୋ’ ଜୀବନର ମୋଡ଼ ବଦଳେଇ ଦେଲେ। ଅବସର ନେଲା ମାତ୍ରେ ମୁଁ ତାଙ୍କରି ବିଷୟରେ ଗବେଷଣା କରିବାକୁ ଠିକ୍‌ କଲି। ସେମାନଙ୍କ ପାଇଁ ସିଟ୍‌ ଆରକ୍ଷଣ, ବିଶେଷ ଆର୍ଥିକ ସହାୟତା ସତ୍ତ୍ବେ ଉଚ୍ଚଶିକ୍ଷା ବା ବୈଷୟିକ ଶିକ୍ଷାରେ କାହିଁକି ତାଙ୍କ ସ˚ଖ୍ୟା କମ୍‌, ଏହା ହିଁ ଥିଲା ମୋ’ର ଗବେଷଣାର ବିଷୟବସ୍ତୁ। ଦୀର୍ଘ ପଇଁତିରିଶ ବର୍ଷ କାଳ ମୁଁ ପଦାର୍ଥ ବିଜ୍ଞାନ ପଢ଼ାଇଲି, ପିଏଚ୍‌ଡି ଓ ପୋଷ୍ଟ ଡକ୍ଟ‌େରଟ୍‌ କଲି। କିନ୍ତୁ ସେଇ ବିଷୟ ଛାଡ଼ି ମୁଁ ଆସିଲି ସାମାଜିକ ବିଜ୍ଞାନ Women’s studiesରେ ଗବେଷଣା କରିବା ପାଇଁ। କାରଣ ଖାଲି ପାଠ ପଢେ଼ଇ ଦେଲେ ଆମର ଦାୟିତ୍ବ ସରେ ନାହିଁ, ଆମକୁ ଦେଖିବାକୁ ପଡ଼ିବ ସେଇ ପାଠକୁ ବୁଝି ଛାତ୍ରଛାତ୍ରୀମାନେ ତା’କୁ ଜୀବନରେ କାମରେ ଲଗେଇ ପାରୁଛନ୍ତି କି ନାହିଁ। ଦୀର୍ଘ ଦଶ ବର୍ଷର ଏହି ଗବେଷଣା ଶେଷ ହେଲା ମୋର D.Litt ଡିଗ୍ରୀ ସହ ନାରୀଶିକ୍ଷା ବିଷୟରେ।

ତେଣୁ ଆ˚ଚଳିକ ଭାଷାରେ ବିଜ୍ଞାନ ଯେ ପଢ଼ାଇ ହେବ ଏଥିରେ ସନ୍ଦେହ ନାହିଁ। ଅବସର ନେଲା ମାତ୍ରେ ସମୟ କଟାଇବା ପାଇଁ ଆମରି ଘର ପାଖରେ ଥିବା ଓଡ଼ିଆ ସ୍କୁଲରେ ପଢ୍ୁ‌ଥିବା କେତେଜଣ ପିଲାଙ୍କୁ ଗଣିତ ଓ ବିଜ୍ଞାନ ପଢ଼ାଇ ସାହାଯ୍ୟ କରିବାକୁ ଚାହିଲି। କିନ୍ତୁ Reflection, Refraction ବେଳକୁ ତାଙ୍କ ବହିରେ ପ୍ରତିଫଳନ, ପ୍ରତିସରଣ ଇତ୍ୟାଦି ଶବ୍ଦ ଦେଖି ମୋତେ ବହୁତ ଅଡୁଆ ଲାଗିଲା। ଯଦିଓ ମୁଁ ଓଡ଼ିଆ ମାଧୢମ ସ୍କୁଲରେ ପଢ଼ିଥିଲି, ଆମର ଶିକ୍ଷକମାନେ କ୍ଳିଷ୍ଟ ଓଡ଼ିଆରେ ସବୁ ଶବ୍ଦର ଅର୍ଥ ନ କରି ଇ˚ରାଜୀ ଶବ୍ଦ ବ୍ୟବହାର କରୁଥିଲେ। ତେଣୁ ଆମେ ସୁନ୍ଦର ଭାବରେ ବୁଝୁଥିଲୁ। କଲେଜରେ ଆସି ଇ˚ରେଜୀ ମାଧୢମରେ ବିଜ୍ଞାନ ପଢ଼ିଲେ ମଧୢ କିଛି ଅସୁବିଧା ହେଇ ନ ଥିଲା। ଏଥର କିନ୍ତୁ ମୁଁ ହାରିଗଲି। ଇ˚ରେଜୀ ଶବ୍ଦ ବ୍ୟବହାର ନ କରି ପୂରାପୂରି ଓଡ଼ିଆରେ ତାଙ୍କୁ ମୁଁ ପଢ଼ାଇ ପାରିଲିନି।

ତେଣୁ ନିଜର ଅନୁଭୂତିରୁ ମୁଁ ଏଇ ଶିକ୍ଷା ପାଇଛି ଯେ, ଆମେ କଥାବାର୍ତ୍ତା କରୁଥିବା ଭାଷାରେ ପାଠ ପଢ଼ାଇଲେ ନିଶ୍ଚୟ ପିଲାମାନେ ଭଲ ବୁଝିବେ, କିନ୍ତୁ ବିଜ୍ଞାନ ଶିକ୍ଷାରେ ପ୍ରଚଳିତ ଇ˚ରେଜୀ ଶବ୍ଦକୁ ସେଇ ଇ˚ରେଜୀରେ ହିଁ ରଖିବାକୁ ପଡ଼ିବ। ନ ହେଲେ ଭବିଷ୍ୟତରେ ଅନ୍ୟ ରାଜ୍ୟକୁ ବା ଅନ୍ୟ ଦେଶକୁ ପଢ଼ିବାକୁ ଗଲେ ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ସ୍କୁଲ ଶିକ୍ଷା ପରେ ଦରିଦ୍ର ସ୍ତରରେ ଥିବା ପିଲାମାନଙ୍କୁ ବୈଷୟିକ ଶିକ୍ଷା ଦେବାର ସୁଯୋଗ ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ ବୈଷୟିକ ଶିକ୍ଷା ଓ ଇ˚ଜିନିୟରି˚ ଶିକ୍ଷା ଓଡ଼ିଆରେ ଉପଲବ୍‌ଧ ହେଲେ ଅଧିକା˚ଶ ଓଡ଼ିଆ ପିଲା ଉପକୃତ ହେବେ। ଆମ ସ୍କୁଲ ପାଠ୍ୟକ୍ରମରେ ଶେଷ ପର୍ଯ୍ୟନ୍ତ ଇ˚ରେଜୀ ତ ଅଛି। ତେଣୁ ଏଇ ପିଲାମାନେ ବୈଷୟିକ ପାଠରେ ଇ˚ରେଜୀ ଶବ୍ଦ ବ୍ୟବହାର କଲେ କିଛି ଅସୁବିଧା ଅନୁଭବ କରିବେ ନାହିଁ। ବର˚ ଓଡ଼ିଆ ସହ ଇ˚ରେଜୀରେ ମଧୢ ପ୍ରକାଶ କରି ପାରୁଥିବାରୁ ଏମାନଙ୍କର କର୍ମଦକ୍ଷତା ଅଧିକ ହେବ। ଅଳ୍ପ କିଛି ପିଲା ଯେଉଁମାନେ ଇ˚ରେଜୀ ମାଧୢମରେ ପଢ଼ି ଆସିଛନ୍ତି ସେମାନେ ଘରୋଇ ଇ˚ଜିନିୟରି˚ କଲେଜରେ ପଢ଼ିବାରେ ଅସୁବିଧା ନାହିଁ।

ମୋ’ ନିଜ ଅନୁଭୂତିରୁ ଓ ଅନ୍ୟାନ୍ୟ ବିଜ୍ଞାନ ପଢ଼ାଉଥିବା ଅଧୢାପକମାନଙ୍କ ସହ ଆଲୋଚନା କରି ଭଲଭାବେ ଉପଲବ୍‌ଧି କରିଛି ଯେ, ପରୀକ୍ଷାଗାରରେ କୌଣସି ପରୀକ୍ଷା ନିରୀକ୍ଷା କଲାବେଳେ ଓଡ଼ିଆରେ ସେମାନଙ୍କୁ ସେଥିରେ ଥିବା ତଥ୍ୟ ବୁଝାଇ ଦେଲେ ସେମାନେ ଭଲରେ ବୁଝନ୍ତି। ଶିକ୍ଷକ ଓ ଛାତ୍ରମାନଙ୍କ ଭିତରେ ସହଜରେ ତଥ୍ୟର ଆଦାନ ପ୍ରଦାନ ହୁଏ। ତେଣୁ ଓଡ଼ିଆରେ ଇ˚ଜିନିୟରି˚ ଶିକ୍ଷାକୁ ଆମେ ବିରୋଧ ନ କରି ବର୍ତ୍ତମାନ ଓଡ଼ିଆରେ କେମିତି ଭଲ ପାଠ୍ୟପୁସ୍ତକ ହେଇ ପାରିବ ସେଇ ବିଷୟରେ ଧୢାନ ଦେବା ଉଚିତ। ଅଯଥା କ୍ଳିଷ୍ଟ ସାଧୁ ଓଡ଼ିଆ ଶବ୍ଦରେ ଅନୁବାଦ ନ କରି ଇ˚ରେଜୀ ଶବ୍ଦମାନ ସମାନ୍ତରାଳ ଭାବରେ ସରଳ ଓଡ଼ିଆ ବର୍ଣ୍ଣନା ସହ ରଖିଲେ ଛାତ୍ରମାନଙ୍କ ଦ୍ବାରା ଗ୍ରହଣୀୟ ହେବ ଓ ନୂତନ ଶିକ୍ଷାନୀତି ସଫଳ ହେବ।

ମୋ-୯୯୩୮୮୨୭୦୨୧

ସମ୍ବନ୍ଧିତ ଖବର