ଘର, ହଷ୍ଟେଲ ଓ ଆମେ

ଅମାତ୍ୟ କୁମାର ପ୍ରଧାନ

କିଛି ଦିନ ତଳେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଏକମାତ୍ର ପୁଅକୁ ହଷ୍ଟେଲରେ ଛାଡି ଦେଇ ଆସିଥିବା ମା’ଙ୍କୁ ଦେଖିଥିଲି। ଉଭୟ ବାପା ଓ ମା’ ଅତ୍ୟନ୍ତ ଚିନ୍ତିତ ଦିଶୁଥିଲେ।
ସେମାନଙ୍କ ଚିନ୍ତା ସେ କ’ଣ ଖାଉଥିବ, କେମିତି ଖାଉଥିବ, କେମିତି ‌ଶୋଉଥିବ ଇତ୍ୟାଦି! ମୋର ମନେ ହେଲା ସତେ ଯେମିତି ସେମାନେ ତା’କୁ ଏକ ଅତ୍ୟନ୍ତ ଅସୁରକ୍ଷିତ ସ୍ଥାନରେ ଛାଡ଼ି ଆସିଛନ୍ତି, ଯେଉଁଥି ଲାଗି ସେମାନଙ୍କ ରାତିର ନିଦ ହଜିଯାଇଛି।

ବାସ୍ତବିକ କଥା, ଏବେ ଆମେମାନେ ନିଜ ପିଲାଙ୍କ ଲାଗି ସହର ବାହାରର କୌଣସି ଶିକ୍ଷା ଅନୁଷ୍ଠାନ ଚୟନ କଲା ବେଳେ ସେଠାରେ ଶିକ୍ଷା ଦାନର ମାନ କିଭଳି ବା ଭଲ ଶିକ୍ଷକ ଅଛନ୍ତି କି ନାହାନ୍ତି ବା ସେଠାରେ ଭଲ ଲାଇବ୍ରେରିଟିଏ ଅଛି ନା ନାହିଁ ଇତ୍ୟାଦି ବିଷୟ ଉପରେ ଦୃଷ୍ଟି ନ ‌େଦଇ ଅଧିକ ଧ୍ୟାନ ଦେଉ ହଷ୍ଟେଲରେ ରହିବା ବ୍ୟବସ୍ଥା କିଭଳି ବା ସେଠି କ’ଣ ଖାଇବାକୁ ଦିଆଯାଏ, ଗାଧୋଇବା ଲାଗି ବ୍ୟବସ୍ଥା କ’ଣ ବା କ୍ୟାଣ୍ଟିନରେ ମୁଖରୋଚକ ଖାନା ମିଳେ ତ? ଇତ୍ୟାଦି ଭଳି କଥା ଉପରେ। ସେଥି ଲାଗି ତ ଅନେକ ଘରୋଇ କଲେଜର ହଷ୍ଟେଲରେ ପିଲାମାନଙ୍କ ଲାଗି ଶୀତତାପ ନିୟନ୍ତ୍ରିତ ରୁମ୍‌ର ବ୍ୟବସ୍ଥା ହେଲାଣି, ଯେଉଁଥି ଲାଗି ଅଭିଭାବକଙ୍କୁ ଅଧିକ ଫି’ ଦେବାକୁ ପଡୁଛି ଏବଂ ଯାହା ଦେବାକୁ ସେମାନେ ତିଳେ ହେଲେ ଅମଙ୍ଗ ନୁହନ୍ତି ମଧ୍ୟ।

ତେବେ ଏହାର କାରଣ କ’ଣ? ସଂପ୍ରତି ଆମେ ନିଜର ପିଲାମାନଙ୍କ ଲାଳନପାଳନ ସମୟରେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଆବଶ୍ୟକ ସମସ୍ତ କାମ ଯଥା ଖାଦ୍ୟ ପ୍ରସ୍ତୁତ କରିବା, ଲୁଗା ଧୋଇବା , ନିଜ ପଢ଼ା ଟେବୁଲକୁ ପରିଷ୍କାର କରିବା, ଜୋତା ପଲିସ କରିବା, ବିଦ୍ୟାଳୟ ଯିବା ପାଇଁ ଟିଫିନ ପ୍ୟାକ୍‌ କରିବା ଏପରିକି ବ୍ୟାଗରେ ବହି ଓ ଖାତାପତ୍ର ସଜାଡ଼ିବା ଭଳି ଯାବତୀୟ କାମ ଆମେ ହିଁ କରିଥାଉଁ। ଏହା ପଛରେ ଆମ ଉଦ୍ଦେଶ୍ୟ ଯେ ଏଭଳି ଅଯଥା କାମରେ ପିଲାର ସମୟ ନଷ୍ଟ ନ ହେଉ। ସେ ପାଠ ପଢୁ। କିନ୍ତୁ ଏହା ଦ୍ୱାରା ହୁଏ କ’ଣ? ତାହାର ଆତ୍ମନିର୍ଭରଶୀଳତା କ୍ଷୁଣ୍ଣ ହୁଏ। ଯାହା ପ୍ରକାରାନ୍ତରେ ତାର ଆତ୍ମପ୍ରତ୍ୟୟକୁ ମଧ୍ୟ ଦୁର୍ବଳ କରିପାରେ। ସେ ଅନ୍ୟ ଉପରେ ନିର୍ଭରଶୀଳ ହୁଏ। ଯେତେବେଳେ ଜୀବନ ଅଚାନକ କିଛି ଆହ୍ବାନ ଆଣି ତା’ ଆଗରେ ଛିଡ଼ା କରାଏ, ସେ ବିଚଳିତ ହୋଇଯାଏ, ଜୀବନର ସାମନା କରୁଥିବା ବେଳେ ଅନେକ ଭୁଲ କରିଥାଏ।

ସତ କହିଲେ ହଷ୍ଟେଲର ରହଣି ହେଉଛି ଜୀବନ ବିଦ୍ୟାଳୟରେ ନାମ ଲେଖାଇବା ଭଳି କଥାଟିଏ। ଏଠାରେ ଜୀବନର ଅ‌େନକ ଅନ୍ତରଙ୍ଗତମ ବନ୍ଧୁ ସୃଷ୍ଟି ହୁଅନ୍ତି, ଯେଉଁଠି ସଂପର୍କ ସାରା ଜୀବନ ପ୍ରଲମ୍ବିତ ହୋଇ ରହିପାରେ। ଏଠାରେ ଅନେକ କିଛି କାମ ନିଜକୁ କରିବାକୁ ପଡୁଥିବାରୁ ଏହା ବିଭିନ୍ନ ପରିସ୍ଥିତିର ସାମନା କରିବାର କୌଶଳ ଶିଖାଏ ଏବଂ ଏହା ଦ୍ବାରା ଜଣେ କିଶୋର ବା କିଶୋରୀ ବା ତରୁଣ କି ତରୁଣୀ ଗଢ଼ି ହୋଇଯାଏ। ସାଧାରଣତଃ ହଷ୍ଟେଲମାନଙ୍କରେ ସମବୟସର ବନ୍ଧୁମାନଙ୍କ ମେଳରେ ଅନେକଙ୍କ ଠାରେ ସର୍ଜନା‌ଶୀଳତାର ସ୍ଫୁରଣ ଘଟେ। ସତ କହିଲେ ହଷ୍ଟେଲର ରହଣି ସମୟ ତକ ଅଧିକାଂଶ ଅନ୍ତେବାସୀଙ୍କ ଲାଗି ଚିର ଦିନ ସକାଶେ ଏକ ସୁଖଦ ସ୍ମୃତି ଭାବେ ରହିଯାଏ।

ପୂର୍ବେ ଗୁରୁକୁଳ ବ୍ୟବସ୍ଥାରେ ଆଶ୍ରମ ଥିଲା ଏକ ହ‌େଷ୍ଟଲ ଭଳି। ତାହାର ତତ୍ତ୍ବାବଧାରକ ଥିଲେ ନିଜେ ଗୁରୁ। ସେଠାରେ ଶିଷ୍ୟମାନେ ଗୁରୁଙ୍କ ସେବା କରିବା ସହିତ ଆଶ୍ରମର ଯାବତୀୟ କାର୍ଯ୍ୟ କରୁଥିଲେ। ସେଇ ମାଧ୍ୟମରେ ସେମାନେ ଗଢ଼ି ହେଉଥିଲେ। ଏହା ହିଁ ପ୍ରକୃତ ଅର୍ଥରେ ମଣିଷ ଗଢ଼ଣ କାରଖାନାର ରୂପ। ଆମେ ଲକ୍ଷ୍ୟ କଲେ ଜାଣିପାରିବା ଯେ ନବୋଦୟ ବିଦ୍ୟାଳୟ ଭଳି ଆବାସିକ ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ଆସିଥିବା ପିଲାମାନେ ଅଧକାଂଶ ସ୍ଥଳେ ଅନ୍ୟମାନଙ୍କ ତୁଳନାରେ ଅଧିକ ସମାବେଷ୍ଟୀ ହୁଅନ୍ତି, ଅଧିକ ସହିଷ୍ଣୁ ଓ ଧୈର୍ଯ୍ୟବାନ ହୋଇଥାଆନ୍ତି। ସମସ୍ତଙ୍କୁ ନେଇ ଚାଲି ପାରୁଥିବା ଭଳି ଆଭିମୁଖ୍ୟ ଦେଖାନ୍ତି।

ମଣିଷର ବ୍ୟକ୍ତିତ୍ୱ ଅନୁଭୂତି ଓ ଅଭିଜ୍ଞତା ଦ୍ୱାରା ନିର୍ମିତ ହୋଇଥାଏ। ସେ ଦୃଷ୍ଟିରୁ ଘର ପରିସର ଭିତରେ ମିଳୁଥିବା ଅନୁଭୂତି ଠାରୁ ଏକ ଭିନ୍ନ ଅନୁଭୂତି ମିଳେ ହଷ୍ଟେଲ ରହଣିରେ। ଏ କଥା ଯେଉଁମାନେ ହ‌େଷ୍ଟଲରେ ରହିଛନ୍ତି, ଛତ୍ରେଛତ୍ରେ ଅନୁଭବ କରିଛନ୍ତି।

ଧୂସରବାହାଲ, ସୋହେଲା, ବରଗଡ଼
ମୋ-୯୪୩୭୨୧୯୬୧୩

ସମ୍ବନ୍ଧିତ ଖବର