ସୁବର୍ଣ୍ଣ ଲତା

ଗୌରହରି ଦାସ

ବସନ୍ତ ପଞ୍ଚମୀର ରାତି ଏଇ ମାତ୍ର ପାହିଛି। ସକାଳର ଅରୁଣିମା ଖେଳିଆସୁଛି ଆମ୍ର ଶାଖାର ପତ୍ର ଓ ବଉଳ ଦେହରେ। ଏବେ ବି ମାଟିତଳର ଘାସ ଉପରେ ରାତିର କାକର ଲାଖି ରହିଛି ଆଖିର ଲୁହ ପରି। ମୃଣ୍ମୟୀ ସରସ୍ବତୀ ପ୍ରତିମାଙ୍କର ବିସର୍ଜନ ହୋଇନାହିଁ। ଅଥଚ ଭାରତର ଗୀତ ଉଦ୍ୟାନକୁ ଯେଉଁ ଶୀର୍ଷ ଗାୟିକା କୋକିଳର ମିଠାପଣକୁ କାହିଁ କେଉଁ ଆଲୋକବର୍ଷର ଦୂରତାରେ ଛାଡ଼ି ଗୁଂଜରିତ କରୁଥିଲେ ଏବଂ ସରସ୍ବତୀଙ୍କର ଆଦରଣୀୟା ଜ୍ୟେଷ୍ଠା କନ୍ୟାର ମର୍ଯ୍ୟାଦାରେ ମହିମାମଣ୍ଡିତା ହୋଇଥିଲେ, ସେ ଚାଲିଗଲେ। ଯେଉଁ ମହୁ ମିଠା ସ୍ବରଟି ଗତ ଆଠ ଦଶନ୍ଧି ଧରି ଏ ଦେଶର ମଠ, ହାଟ, ଘାଟର ନିଃସଙ୍ଗତା, ନିର୍ଜନତା, ଅନ୍ତରାଳ, କୋଳାହଳ ଓ ସମାବେଶକୁ ଅପୂର୍ବ, ଅଦ୍ଭୁତ, ଉଷ୍ମ, କୋମଳ, କରୁଣ, ମଧୁର, ଉଚ୍ଚାଟ ଓ ଉଲ୍ଲାସରେ ମୂର୍ଚ୍ଛିତ କରିଆସୁଥିଲା, ସେ ସ୍ବରଟି ନିରବି ଗଲା ଚିରକାଳ ପାଇଁ। ସହସ୍ର କୋଟି ଯୌବନର ଉଚ୍ଚାରଣ, କୈଶୋରର ଗେହ୍ଲାପଣ, ବାର୍ଦ୍ଧକ୍ୟର ଅନୁଭୂତି ଏବଂ ଲୋକଗୀତର ଚମତ୍କାରୀ ପ୍ରତ୍ୟାଶା ସବୁ ଯେମିତି ଗୋଟେ ପୂର୍ଣ୍ଣଚ୍ଛେଦ ପାଖରେ ଅଟକିଗଲା। ଲତା ମଙ୍ଗେସକରଙ୍କ ମୃତ୍ୟୁରେ ଯବନିକା ପଡ଼ିଗଲା ଗୋଟିଏ ଯୁଗର, କିମ୍ବଦନ୍ତି ବିଦାୟ ନେଇଗଲା ପଛରେ ରଖିଦେଇ ଏକ ଅନତିକ୍ରମଣୀୟ, ସୁନ୍ଦର ଓ ମଧୁର ସୁଦୀର୍ଘ ଇତିହାସ।

ଅନେ‌େକ ହୁଏତ ବିଶ୍ବାସ କରିବେ ନାହିଁ ଯେ ଯେଉଁ ଲତା ମଙ୍ଗେସକର ଏ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଉପାଧି ଠାରୁ ନେଇ ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦାସାହେବ ଫାଲ୍‌କେ, ଦକ୍ଷିଣ ଏସିଆର ସର୍ବାଧିକ ଲୋକପ୍ରିୟ ଗାୟିକା ଇତ୍ୟାଦି ଇତ୍ୟାଦି ସହସ୍ର ସମ୍ମାନ ଲାଭ କରିଥିଲେ, ଯିଏ ପ୍ରଥମ ଭାରତୀୟ ଭାବରେ ଲଣ୍ଡନର ରୟାଲ ଆଲବର୍ଟ ହଲ୍‌ରେ ନିଜ ଗୀତ ପରିବେଷଣ କରିଥିଲେ ଅଥବା ଯାହାଙ୍କର ୩୬ଟି ଭାରତୀୟ ଭାଷା ସମେତ (ଓଡ଼ିିଆ ଅନ୍ତର୍ଭୁୁକ୍ତ) ଏକାଧିକ ବିଦେଶୀ ଭାଷାରେ ପଚିଶ ହଜାରରୁ ଊର୍ଦ୍ଧ୍ବ ଗୀତ ଗାଇଥିବାର ରେକର୍ଡ ରହିଛି, ସେହି ଲତା ଦିନେ ବର୍ଷାରେ ଜୁଡୁସୁଡୁ ହୋଇ, ଭୋକ ଓ ଶୋଷକୁ ସାଥୀ ସଜାଇ ବମ୍ବେ ମହାନଗରୀର ଏ ଷ୍ଟୁଡିଓରୁ ସେ ଷ୍ଟୁଡିଓକୁ ବୁଲୁଥିଲେ, କାରଣ ଏଇ ବାପଛେଉଣ୍ଡ କିଶୋରୀର ଦୁର୍ବଳ କାନ୍ଧ ଉପରେ ଲଦି ହୋଇ ପଡ଼ିଥିଲା ଗୋଟିଏ ସାତଜଣିଆ ପରିବାରର ଭରଣପୋଷଣ ଦାୟିତ୍ବ। ସେଇଥିପାଇଁ, ଏହି ଉପାସ କିଶୋରୀର ଉଦାସ ମୁହଁକୁ ଦେଖିଦେଲା କ୍ଷଣି ଓସ୍ତାଦ ଅମନ ଅଲି ଖାଁ ଉଠିଯାଇ ଆଗେ ରୋଟି ଭିତରେ ଆମଲେଟଟିଏ ଗୁଡ଼େଇ ତାଙ୍କୁ ଖୁଆଇ ଦେଉଥିଲେ ଓ ତା’ପରେ ତାଙ୍କୁ ଗୀତ ଶିଖାଉଥିଲେ। କହୁଥିଲେ- ଖାଲି ପେଟରେ କ’ଣ ଗୀତ ଗାଇ ହୁଏ, ଝିଅ?

ଲତା ମଙ୍ଗେସକରଙ୍କର ଜୀବନ, ତାଙ୍କର ସଫଳତା, ସିଦ୍ଧି ଓ ସାଧନା ସବୁକିଛି କିମ୍ବଦନ୍ତି ପର୍ଯ୍ୟାୟର। ନୌସଦ ଅଲି କହିଥିଲେ, ‘‘କିଛି ଲୋକ ଅର୍ଥ ଓ କିଛି ଲୋକ ଯଶ ପାଇଁ ଗୀତ ଗାଆନ୍ତି, ମାତ୍ର ଲତା ମଙ୍ଗେସକରଙ୍କ ପାଇଁ ଗୀତ ଥିଲା ତାଙ୍କର ସ୍ବଧର୍ମ।’’

ଶୈଶବର ସ୍ବପ୍ନ:
‘‘ପିଲାଦିନେ ଗୋଟିଏ ସ୍ବପ୍ନ ବରାବର ଲତାଙ୍କ ପାଖକୁ ଆସୁଥିଲା, ନିୟମିତ ବ୍ୟବଧାନରେ। ସେ ସ୍ବପ୍ନରେ ରାତି ପାହିନାହିଁ, କିଶୋରୀ ଲତା ସମୁଦ୍ର କୂଳର କଳାମୁଗୁନି ପଥରରେ ଗଢ଼ା ଗୋଟେ ମନ୍ଦିର ଭିତରକୁ ପଶିଯାଉଛନ୍ତି। ମନ୍ଦିରର ଗର୍ଭଗୃହରେ କେଉଁ ଦେବ କି ଦେବୀ ଅଛନ୍ତି ତାହା ଜାଣିବାଲାଗି ତାଙ୍କର ଆଗ୍ରହ ହେଉନାହିଁ। ମନ୍ଦିର ପଛ କାନ୍ଥ ଦେଇ ଏକ ସୋପାନ ଶ୍ରେଣୀ ଲମ୍ବିଯାଇଛି ଓ ଲତା ସେଇ ବାଟେ ସୋପାନ ପରେ ସୋପାନ ଦେଇ ଓହ୍ଲେଇ ଯାଉଛନ୍ତି ସମୁଦ୍ରକୁ। ସେଇଠି ତଳ ପାହାଚରେ ବସି ସେ ସମୁଦ୍ର ପାଣିକୁ ଲମ୍ବେଇ ଦେଉଛନ୍ତି ନିଜର ଦୁଇ ପାଦ।’’ ବାରମ୍ବାର ସେଇ ସ୍ବପ୍ନ ଦେଖିବା ପରେ ଦିନେ ଲତା ମାଆ ସୁଧାମୂର୍ତ୍ତିଙ୍କୁ ଆସି ଏହାର ଅର୍ଥ ପଚାରନ୍ତି। ମାଆ ହସିଦେଇ କହନ୍ତି, ତୁ ବଡ଼ ହେଲେ ପ୍ରସିଦ୍ଧ ହେବୁ। ମାଆଙ୍କର କଥା ପଦକ ଲତାଙ୍କୁ କିଞ୍ଚିତ୍ ଆତ୍ମବିଶ୍ବାସ ଦେଇଥିବ; କିନ୍ତୁ ସେଦିନ ସେ ନିଜେ କଦାପି ଭାବି ପାରିନଥିବେ ଯେ ଦିନେ ସେଇ ସମୁଦ୍ର ପାଲଟିବ ଭାରତୀୟ ସଂଗୀତର ମହା ସମୁଦ୍ର ଓ ତା’ କୂଳର ସେଇ କଳା ମନ୍ଦିର ଗର୍ଭଗୃହର ଅନୁପସ୍ଥିତ ଅଧିଷ୍ଠାତ୍ରୀ ଭାବରେ ସେ ନିଜେ ଅଧିଷ୍ଠିତା ହେବେ।

ନିରବ ପଦପାତ:
ଲତା ମଙ୍ଗେସକରଙ୍କର ପିତା ଥିଲେ ପ୍ରସିଦ୍ଧ ଗାୟକ ଦୀନନାଥ ମଙ୍ଗେସକର। ଜନ୍ମ ଗୋଆରେ, ଜୀବିକା କ୍ଷେତ୍ର ମହାରାଷ୍ଟ୍ରର କୋହ୍ଲାପୁର ପାଖ ସାଙ୍ଗଲି। ସେତେବେଳେ ଲତାଙ୍କୁ ମାତ୍ର ପାଞ୍ଚ ବର୍ଷ ବୟସ। ବାପାଙ୍କ ପାଖରେ ତାଙ୍କର ଜଣେ ଛାତ୍ର ଗୀତ ଶିକ୍ଷା କରୁଥାଆନ୍ତି। ଲତା ଅଗଣାରେ ଖେଳ ଖେଳୁଥିଲେ। କୌଣସି କାରଣ ଉପଲକ୍ଷେ ବାପା ଘର ଭିତରକୁ ଚାଲି ଯାଇଛନ୍ତି, ଲତା ଆସି ଛାତ୍ରଟିକୁ କହିଲେ, ‘ଏ ପୂରୀୟା ଧନଶ୍ରୀ ରାଗ ଏମିତି ଗାନ କରାଯାଏ ନାହିଁ- ଏମିତି ଗାନ ହୁଏ, ଶୁଣ।’ ତା’ପରେ ସେ ରାଗଟି ଗାଇ ଛାତ୍ରଟିକୁ ଶୁଣାଇଦେଲେ। ସେତିକିବେଳକୁ ବାପା ଦୀନନାଥ ଫେରିଆସିଥିଲେ। ଆଖିରେ ବିସ୍ମୟ, ହୃଦୟରେ ଆନନ୍ଦ। ପତ୍ନୀ ସୁଧାମୂର୍ତ୍ତିଙ୍କୁ ଡାକି କହିଲେ, ‘ମୁଁ ଏତେଆଡ଼େ ଶିଷ୍ୟ ସନ୍ଧାନ କରୁଛି, ଅଥଚ ଆମରି ଘର ଭିତରେ ଯେ ଏଡ଼େ ବଡ଼ ପ୍ରତିଭାଟିଏ ଅଛି ତାହା କିଭଳି ଜାଣି ପାରିନଥିଲି?’

ଝିଅକୁ ନେଇ ବାପାଙ୍କ ମନରେ ଯେମିତି ଗର୍ବ ଥିଲା, ବାପାଙ୍କୁ ନେଇ ଝିଅ ଲତାଙ୍କ ହୃଦୟରେ ସେମିତି ଗର୍ବ ଥିଲା। ବାପାଙ୍କୁ ନେଇ ଲତା ମଙ୍ଗେସକରଙ୍କର ପୁଣି ଥିଲା ହଜାରେ ସ୍ମୃତି। ତାଙ୍କୁ ମାତ୍ର ନଅ ବର୍ଷ ବୟସ ହୋଇଥିଲା, ପିତା ଦୀନନାଥ ଏ ପୃଥିବୀରୁ ବାହୁଡ଼ି ଯାଇଥିଲେ। ‌େସଇ ସଂକ୍ଷିପ୍ତ ସମୟର ମଧୁର ସ୍ମୃତିସବୁ ଲତାଙ୍କ ଜୀବନ ପାଇଁ ପ୍ରେରଣା ଓ ସଂକଳ୍ପ ହୋଇଯାଇଥିଲା। ଗତବର୍ଷ ନିଜ ଜନ୍ମଦିନ ୨୮ ସେପ୍ଟେମ୍ବରରେ ଲତା ତାଙ୍କର ‘ଫେସବୁକ୍’ରେ ଲେଖିଥିଲେ, ‘‘୧୯୩୮ର ଏଇ ତାରିଖର ସନ୍ଧ୍ୟା। ମହାରାଷ୍ଟ୍ର ସୋଲାପୁରର ‘ନୂତନ ସଂଗୀତ ଥିଏଟର’‌େର ମୁଁ ପ୍ରଥମ ଥର ପାଇଁ ମୋ ବାପାଙ୍କ ସାଙ୍ଗରେ ସଂଗୀତ ଓ ନାଟ୍ୟଗୀତ କାର୍ଯ୍ୟକ୍ରମରେ ଭାଗ ନେଇଥିଲି ଏବଂ ଖମ୍ବାବତୀ ରାଗ ଗୀତ ଗାଇଥିଲି। ମୋର ଆଜି ମଧ୍ୟ ମନେଅଛି, ମୁଁ ରାଗଟି ଗାଇ ସାରିବା ପରେ ବାପା ମଞ୍ଚ ଉପରକୁ ଆସି ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ଭିନ୍ନ ଭିନ୍ନ ଗୀତ ଗାଇଥିଲେ।

କେତେବେଳେ ଗୀତ ଶୁଣୁ ଶୁଣୁ ମୁଁ ବାପାଙ୍କ କୋଳରେ ମୁଣ୍ଡ ରଖି ଶୋଇ ପଡ଼ିଛି ମୋର ମନେ ନାହିଁ। କି ମଧୁର ସେ ସ୍ମୃତି!’’

ପିତା ଦୀନନାଥ ବାସ୍ତବ ଅର୍ଥରେ ରାଗର ଲତାଙ୍କର ଗୁରୁ ଥିଲେ ଯିଏ କହିଥିଲେ, ‘ଶିଷ୍ୟର ଶ୍ରେଷ୍ଠ ଗୁରୁଦକ୍ଷିଣା ହେଉଛି ପ୍ରତିଭାର ପରାକାଷ୍ଠାରେ ଗୁରୁଙ୍କୁ ଅତିକ୍ରମ କରିଯିବା; ଯଦି ତୁମେ ତାହା କରିପାରିବ ତାହାହେଲେ ମୋ ଗୁରୁପଣର କିଛି ମହିମା ରହିବ।’ ଉଲ୍ଲେଖ ନିଷ୍ପ୍ରୟୋଜନ, ନିଜର ଅଦ୍ଭୁତ ସାମର୍ଥ୍ୟ ଏବଂ ସାଧନା ବଳରେ ଲତା ତାଙ୍କର ଏଇ ପିତା-ଗୁରୁଙ୍କୁ ସର୍ବଶ୍ରେଷ୍ଠ ଗୁରୁଦକ୍ଷିଣା ଦେଇ ପାରିଥିଲେ, ଯଦିଓ ପିତା ସେତେବେଳକୁ ସ୍ବଦେହରେ ଏଇ ପୃଥିବୀରେ ନଥିଲେ।

ସଂଘର୍ଷର ପିଲାଦିନ:
ସାଙ୍ଗଲି ଗାଁରୁ ବମ୍ବେ ସହରକୁ ଲତା ମଙ୍ଗେସକରଙ୍କର ଯାତ୍ରା ବହୁ ଉତ୍‌ଥାନ ପତନ ଦେଇ ଗତି କରିଥିଲା। ଲତା ଜନ୍ମ ହେବା ବେଳକୁ ତାଙ୍କ ପରିବାର ଅତ୍ୟନ୍ତ ସ୍ବଚ୍ଛଳ ଥିଲା। ବାପାଙ୍କ ଥିଏଟର କଂପାନି ଭଲ ଉପାର୍ଜନ କରୁଥିଲା। ମାତ୍ର ଧୀରେ ଧୀରେ ତାହା ରୁଗ୍‌ଣ ହୋଇ ପଡ଼ିଲା। ଶେଷକୁ ଦୀନନାଥଙ୍କୁ ନିଜର ବାସଗୃହ ନିଲାମ କରି କରଜ ପରିଶୋଧ କରିବାକୁ ପଡ଼ିଲା। ସେଇ ଦୁଃଖରେ ସେ ଅସମୟରେ ଚାଲିଗଲେ ବିଧବା ପତ୍ନୀ, ତିନି ଝିଅ ଏବଂ ଗୋଟିଏ ପୁଅକୁ ଛେଉଣ୍ଡ ଛାଡ଼ିଦେଇ। ଲତା ମଙ୍ଗେସକର ଗୋଟେ ସାକ୍ଷାତ୍‌କାରରେ କହିଛନ୍ତି, ଜନ୍ମ ବେଳେ ତାଙ୍କର ନାମ ରଖାଯାଇଥିଲା ହୃଦୟ। ମାତ୍ର ପରେ ବାପା ତାଙ୍କୁ ଲତା ନାମରେ ଡାକିବାକୁ ଲାଗିଲେ। ହୁଏତ ଏହାର କାରଣ ହୋଇପାରେ ଯେ, ଆଗରୁ ବାହୁଡ଼ିଯାଇଥିବା ଦୀନନାଥଙ୍କ ପ୍ରଥମ ପତ୍ନୀଙ୍କ ପରଲୋକଗତା କନ୍ୟାର ନାମ ଥିଲା ଲତା। ବାହୁଡ଼ି ଯାଇଥିବା ପ୍ରଥମ କନ୍ୟାର ନାଆଁ ନବାଗତା କନ୍ୟାକୁ ଦେଇ ବାପା ସେଇ ସ୍ମୃତିକୁ ବଂଚାଇ ରଖିବାକୁ ଚାହିଥିଲେ।

ଅଭିନେତ୍ରୀରୁ ପାର୍ଶ୍ବଗାୟିକା:
କିଶୋରୀ ବୟସରେ ଲତା ମଙ୍ଗେସକର କେତୋଟି ମରାଠୀ ସିନେମାରେ ଅଭିନୟ କରିଥିଲେ। ମାତ୍ର ଏହା ପଛରେ ପିତାଙ୍କର ସମର୍ଥନ ନଥିଲା। ଲତାଙ୍କର ଜିଦ୍‌ ଦେଖି ସେ ଅବଶ୍ୟ ତାଙ୍କର ନାଟକ ଲେଖକଙ୍କୁ ଏକ ପୌରାଣିକ ଶିଶୁ ନାଟକ ଲେଖିବାକୁ କହିଥିଲେ ଯେଉଁଥିରେ ଲତା ଶ୍ରୀକୃଷ୍ଣ ଏବଂ ତାଙ୍କର ଅନ୍ୟ ଜଣେ ଭଉଣୀ ସୁଦାମା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପିତାଙ୍କ ପରଲୋକ ପରେ ଜଣେ ନିର୍ଦ୍ଦେଶକ ଆସି ଲତାଙ୍କୁ ଅଭିନୟ ପାଇଁ ଡାକି ନେଇଥିଲେ। ଯେଉଁ ସିନେମାରେ ନାୟିକା ବା କୌଣସି ଚରିତ୍ରର ବେଶୀ ଗୀତ ଗାଇବାର ଥାଏ ସେହି ଭୂମିକାଟି ଲତାଙ୍କୁ ଦିଆଯାଏ। ସେଇ ସମୟର ଗୋଟିଏ ଘଟଣା ତାଙ୍କୁ ଚିରଦିନ ପାଇଁ ଅଭିନେତ୍ରୀ ଭୂମିକାରୁ ପାର୍ଶ୍ବଗାୟିକା ଭୂମିକାକୁ ଟାଣି ଆଣିଲା, ଯେତେବେଳେ ତାଙ୍କୁ ପରୋକ୍ଷ ଭାବେ ସୂଚେଇ ଦିଆଗଲା ଯେ ତାଙ୍କର ମୁହଁଟି ନାୟିକା ହେବା ଭଳି ଆକର୍ଷଣୀୟା ନୁହେଁ। ସେଦିନ ଭ୍ରୂଲତା ଓ ଘନ କୁନ୍ତଳର କିଛି ଅଂଶ ରୂପସଜ୍ଜା ବିଭାଗର କଇଁଚିରେ କଟିଯିବାର ଅପମାନଜନକ ଅଭିଜ୍ଞତା ତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ପରବର୍ତ୍ତୀ ସମୟରେ କାଁ ଭାଁ ଥରେ କିମ୍ବା ଦି ଥର ସେ ମଞ୍ଚ ଉପରକୁ ଆସିଥିଲେ ସୁଦ୍ଧା ସେଇଦିନ ସେ ଅଭିନେତ୍ରୀ ଜୀବନକୁ ବିଦାୟ ଜଣାଇ ଦେଇଥିଲେ। ଚାରିଟି ମରାଠୀ ଫିଲ୍ମ ଓ ଚାରିଟି ହିନ୍ଦୀ ଫିଲ୍ମ ଭିତରେ ସୀମିତ ରହିଥିଲା ଲତାଙ୍କ ଅଭିନେତ୍ରୀ ଜୀବନ।

ମୋତେ ଚିହ୍ନି ରଖ:
ମରାଠୀ ଫିଲ୍ମ ‘ଗଜଭାଉ’ର ଗୋଟେ ଗୀତ ଲତା ମଙ୍ଗେସକର ଗାଇଥିଲେ ଯାହାର ପ୍ରଥମ ଧାଡ଼ି ଥିଲା- ‘ହିନ୍ଦୁସ୍ତାନ କି ଲୋଗୋଁ ଅବ୍‌ ତୋ ମୁଝ୍‌କୋ ପହେଚାନୋ।’ ହିନ୍ଦୁସ୍ତାନର ଲୋକେ ଲତାଙ୍କୁ ଚିହ୍ନିବାରେ ତଥାପି ବିଳମ୍ବ ଥିଲା। ୧୯୪୫ରେ ଓସ୍ତାତ ଅମନ ଅଲ୍ଲୀ ଖାଁଙ୍କ ନିକଟରେ ଶାସ୍ତ୍ରୀୟ ସ˚ଗୀତର ଶିକ୍ଷା ସ୍ବଳ୍ପକାଳୀନ ଥିଲା। ହଠାତ୍‌ ଓସ୍ତାତ କୁଆଡ଼େ ଚାଲିଗଲେ। ତା’ପରେ ତାଙ୍କର ଜୀବନକୁ ଆସିଲେ ଅମାନତ ଖାଁ ଦେବାସଵାଲେ। ମାଷ୍ଟର ବିନାୟକ ତ ପୂର୍ବରୁ ନିଜ ଥିଏଟର କଂପାନି ମାଧୢମରେ ଲତାଙ୍କ ଜୀବନକୁ ଆସି ସାରିଥିଲେ। ୧୯୪୭ ପର୍ଯ୍ୟନ୍ତ ଲତାଙ୍କର ବିଶେଷ କୌଣସି ସମସ୍ୟା ନ ଥିଲା। କିନ୍ତୁ ମାଷ୍ଟର ବିନାୟକ (ଭି.ସାନ୍ତାରାମଙ୍କ ସମ୍ପର୍କୀୟ)ଙ୍କ କମ୍ପାନି ବନ୍ଦ ହେବା ପରେ ଲତାଙ୍କ ପ୍ରକୃତ ସ˚ଘର୍ଷ ଆରମ୍ଭ ହୋଇଥିଲା।

୧୯୪୭ ଅଗଷ୍ଟ ୧୯ ତାରିଖ। ଚାରିଦିନ ଆଗରୁ ଦେଶ ସ୍ବାଧୀନ ହୋଇଥାଏ। ମାତ୍ର ଲତା କାମ କରୁଥିବା କଂପାନି ବନ୍ଦ । ଘରଭଡ଼ା ବାକି, ସଉଦା ଦୋକାନରେ ବାକି। ଲତାଙ୍କ ମୁଣ୍ତ ଉପରେ ଆକାଶ ଛିଣ୍ତି ପଡ଼ିଲା। ସେତିକିବେଳେ ପ୍ରଫୁଲ୍ଲ ପିକ୍‌ଚର୍ସର କ୍ୟାମେରାମ୍ୟାନ୍‌ ତାଙ୍କୁ ନେଇ ସେଣ୍ଟ୍ରାଲ ଷ୍ଟୁଡିଓରେ ହରିଶ୍ଚନ୍ଦ୍ର ବାଲିଙ୍କ ସାଙ୍ଗରେ ଭେଟ କରେଇ ଦେଲେ। ସେଇଠି ଲତା କେତୋଟି ଗୀତ ଗାଇଲେ। ମାତ୍ର ସେ ସିନେମା ରିଲିଜ୍‌ ହେଲା ନାହିଁ। ତା’ପରେ ତାଙ୍କ ଜୀବନକୁ ଆସିଲେ ମାଷ୍ଟର ଗୁଲାମ ହାଇଦର। ତାଙ୍କ ନିର୍ଦ୍ଦେଶନାରେ ସେ କେତୋଟି ଭଲ ଗୀତ ରେକର୍ଡି˚ କରାଇଥିଲେ। ତାହାହିଁ ଲତା ମଙ୍ଗେସକରଙ୍କ ଜୀବନକୁ ବଦଳେଇ ଦେଲା। ସେଇ ସମୟରେ ଲତା ଏ ଷ୍ଟୁଡିଓରୁ ସେ ଷ୍ଟୁଡିଓ ସକାଳୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘୂରି ଘୂରି, ଲୋକାଲ୍ ଟ୍ରେନ୍ ନ ହେଲେ ହାତଟଣା ଟାଙ୍ଗାରେ ଯାଇ ଗୀତ ଗାଉଥିଲେ। ଏହା ଭିତରେ କୈଶୋର ଯାଇ ଯୌବନ ବିତିବାକୁ ବସିଥିଲେ ସୁଦ୍ଧା ନିଜ ଭଉଣୀ ଓ ଭାଇମାନଙ୍କ ଚିନ୍ତା ଯୋଗୁଁ ସେ ନିଜର ବିବାହ କଥା ଚିନ୍ତା କରିପାରୁନଥିଲେ। ଚିରଦିନ ଲାଗି ଅବିବାହିତା ରହିଯାଇଥିଲେ ଏହି ସୁବର୍ଣ୍ଣ ଲତା।

ଝଡ଼ରାତିର ଆଲୋକ:
ଏହାପରେ କମଲ ଅମରୋହୀଙ୍କ ନିର୍ଦ୍ଦେଶନାରେ ଖେମଚାନ୍ଦ ପ୍ରକାଶଙ୍କ ସ˚ଗୀତ ନିର୍ଦ୍ଦେଶନାରେ ‘‘ମହଲ’’ ସିନେମାର ବହୁଚର୍ଚ୍ଚିତ ସେହି ଗୀତ ‘ଆୟେଗା ଆନେଵାଲା’ ଗୀତର ରେକର୍ଡି˚ ହେଲା। ସିନେମାର ସେ ଦୃଶ୍ୟ ହେଉଛି- ଏକ ଝଡ଼ବିକ୍ଷୁବ୍‌ଧ ରାତିରେ ନାୟକ (ଅଶୋକ କୁମାର) ଗୋଟିଏ ପରିତ୍ୟକ୍ତ ହର୍ମ୍ୟ ଭିତରକୁ ପଶିଆସି ଜଣେ ଶ୍ମଶ୍ରୁଧାରୀଙ୍କ ଚିତ୍ର ଆଗରେ ଠିଆ ହୋଇଛନ୍ତି। ଉପରୁ ଝୁଲୁଥିବା ଝାଡ (ସାଣ୍ତଲିଅର)ର ଆଲୁଅ ଅଧା ଛାୟା ଓ ଅଧା ମାୟା ସୃଷ୍ଟି କରୁଛି। ତା’ପରେ ଖୁବ୍ ଦୂରରୁ ଟିକେ ନିକଟକୁ ଭାସି ଭାସି ଆସୁଛି ଗୀତ- ଲତା ମଙ୍ଗେସକର ତୀକ୍ଷ୍‌ଣ ମଧୁର, କୋମଳ ଆବେଗଜଡ଼ିତ ସ୍ବରରେ- ଆୟେଗା ଆନେଵାଲା। ଏହାପରର କଥା ଇତିହାସ। ବହୁ ସଂଗୀତ ସମାଲୋଚକ, ସିନେମା ଆଲୋଚକ ଗୋଟିଏ ପ୍ରଶ୍ନ ଉତ୍‌ଥାପନ କରିଥା’ନ୍ତି- କିଭଳି, କାହିଁକି ଲତା ମଙ୍ଗେସକର ଏତେ ସଫଳ ହୋଇ ପାରିଲେ। ଏହାର ଉତ୍ତରରେ ସେମାନେ କହିଛନ୍ତି, ପ୍ରଥମ କଥା ହେଲା ଈଶ୍ବର ଦତ୍ତ ପ୍ରତିଭା ଏବଂ ଦ୍ବିତୀୟଟି ହେଲା ନିରବଚ୍ଛିନ୍ନ ସାଧନା। କିଛି କାଳ ଅଭିନୟ କରିଥିବାରୁ ଅଭିନେତ୍ରୀଙ୍କ ପ୍ରୟୋଜନ ଓ ପରିବେଶ ଭଲ ଭାବେ ବୁଝିପାରୁଥିଲେ।

ଶେଷକୁ ଯାହାଙ୍କ ଆଗମନ ପାଇଁ ଭାରତୀୟ ସିନେମାର ସ˚ଗୀତ ସାମ୍ରାଜ୍ୟ ଅପେକ୍ଷା କରୁଥିଲା ସେଇ ସୁର ସାମ୍ରାଜ୍ଞୀ ଓ ବଲିଉଡ୍‌ର ବୁଲ୍‌ବୁଲ୍‌ ଲତା ମଙ୍ଗେସକର ଆସିଯାଇଥିଲେ। ୯୨ ବର୍ଷର ଘଟଣାବହୁଳ ଜୀବନ ବିତେଇ ଲତା ମଙ୍ଗେସକର ବାହୁଡ଼ି ଯିବା ବେଳକୁ ସେ ପାଲଟି ଯାଇଥିଲେ ଶୀର୍ଷ ଗାୟିକା ଓ ଜୀବନ୍ତ କିମ୍ବଦନ୍ତି। ଏହା ଭିତରେ କେତେ କୀର୍ତ୍ତି, କେତେ କୀତ୍ତିମାନ! କେ.ଏଲ୍‌. ସାଇଗଲଙ୍କ ଗୀତଗୁଡ଼ିକୁ ସେ ଖୁବ୍‌ ଭଲ ପାଉଥିଲେ। ସେଥିପାଇଁ ରେଡିଓଟିଏ କିଣିଥିଲେ। ମାତ୍ର ପ୍ରଥମ ଦିନ ହିଁ ରେଡିଓରୁ ଶୁଣିଲେ ସାଇଗଲ ମରିଗଲେ। ସାଙ୍ଗେ ସାଙ୍ଗେ ଲତା ଯାଇ ଦୋକାନୀକୁ ରେଡିଓ ଫେରେଇ ଦେଇଆସିଲେ। ତେବେ ସିଏ ସିନା ରେଡିଓ ଫେରେଇ ଦେଇଆସିଲେ, ମାତ୍ର ଭାରତର ରେଡିଓ ଦଶନ୍ଧି ଦଶନ୍ଧି ଧରି ତାଙ୍କର ଗୀତକୁ ଗୁଣୁଗୁଣଉଛି, ଗୁଣୁଗୁଣଉଥିବ। ମୁକେଶଙ୍କ ଠାରୁ ମହମ୍ମଦ ରଫି, କିଶୋର କୁମାର ଏବ˚ ଆଜିର ନୂଆ ଗାୟକଙ୍କ ସହ ଏବଂ ପୁରୁଣା ଦିନର ନାୟିକା ନର୍ଗିସ, ନୂତନ, ଵାହିଦା ରହେମନଙ୍କ ଠାରୁ ନେଇ ମାଧୁରୀ ଦୀକ୍ଷିତ, ପ୍ରୀତି ଜିଣ୍ଟାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ବର ପାଲଟିଛନ୍ତି ଲତା ମଙ୍ଗେସକର। ଏହା ସାଙ୍ଗକୁ ହଜାର ହଜାର ଭକ୍ତିଗୀତ, ଭଜନ, ଜଣାଣ, ରୁଦାଲି ପରି ସିନେମାର ଅବିସ୍ମରଣୀୟ ଲୋକଗୀତ ଏବଂ ନେହରୁଙ୍କ ଆଖିରୁ ଲୁହ ନିଗାଡ଼ି ଆଣିଥିବା ‘ୱେ ମେରେ ୱତନ୍ କି ଲୋଗୋଁ’ ପରି ସହସ୍ର ଦେଶାତ୍ମବୋଧକ ଗୀତ। ସେ ଥିଲେ ଭାରତର ସବୁଠାରୁ ଦାମୀ ଓ ବ୍ୟସ୍ତତମ ଗାୟିକା। ସେଥିପାଇଁ ଆଜି ତାଙ୍କର ବିଦାୟରେ ଅଦ୍ଭୁତ ପ୍ରକାର ଶୂନ୍ୟତା ଖେଳିଯାଇଛି। ଏହି ସମୟରେ ମନେ ପଡୁଛି ମଦନମୋହନଙ୍କ ସ˚ଗୀତ ନିର୍ଦ୍ଦେଶନାରେ ସେ ଗାଇଥିବା ମଜରୁହ ସୁଲତାନପୁରୀଙ୍କର ସ୍ମରଣୀୟ ଗୀତିର ପ୍ରଥମ ଦୁଇ ଧାଡ଼ି
ହମାରେ ବାଦ୍‌ ଅବ୍‌ ମେହେଫିଲମେଁ,
ଅଫସାନେ ବୟାନ ହୋଙ୍ଗେ।
ବାହାରୋଁ ହମ୍‌ କୋ ଢୁଣ୍ତେଙ୍ଗି
ନ ଜାନେ ହମ୍‌ କହଁା ହୋଙ୍ଗେ?

(ମୁଁ ଚାଲିଗଲା ପରେ ଏ ପୃଥିବୀ ମୋ ବିଷୟରେ ହୁଏତ ଚର୍ଚ୍ଚା କରିବ। ହୁଏତ ବସନ୍ତ ମୋତେ ଖୋଜି ପାଇବାକୁ ଚେଷ୍ଟା କରିବ, କିନ୍ତୁ କିଏ ଜାଣେ ମୁଁ ସେତେବେଳେ କେଉଁଠି ଥିବି!)

ସେ ଗୀତ ଭିତରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଥିଲା କି ନାହିଁ ଜଣାନାହିଁ। ମାତ୍ର ତାହାର ଉତ୍ତର ଆମକୁ ଜଣାଅଛି। ଭାରତର ରତ୍ନ, ସୁବର୍ଣ୍ଣଲତା ଓ ଭାରତୀୟ ସିନେମାର ଶୀର୍ଷ ଗାୟିକା ଲତା ମଙ୍ଗେସକର ଚିରକାଳ ଗୀତକୁ ଭଲ ପାଉଥିବା ସହସ୍ର ସହସ୍ର କୋଟି ଶ୍ରୋତାଙ୍କ ହୃଦୟରେ ରହିଥିବେ।

ମୋ: ୯୪୩୭୦୭୭୨୮୮

ସମ୍ବନ୍ଧିତ ଖବର