ରାଜନୀତିକୁ ‘ଶ୍ରେଷ୍ଠ ନୀତି’ ବୋଲି କୁହାଯାଏ। ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜଣେ ରାଜନେତା ସମାଜରେ ପରିବର୍ତ୍ତନ ଆଣିବାରେ ସକ୍ଷମ ଏବ˚ ଦେଶ ବା ଜାତିକୁ ଆଗକୁ ବଢ଼େଇ ନେବା ପାଇଁ ପ୍ରେରଣା ଦେଇପାରନ୍ତି। ଏ ଭଳି ଅନେକ ନଜିର ରହିଛି ମଧ୍ୟ। କିନ୍ତୁ, ଏଠାରେ ପ୍ରଶ୍ନ ଉଠେ ଜଣେ ରାଜନେତା ଶିକ୍ଷିତ ହେବା ନିହାତି ଜରୁରୀ କି? ନା କେବଳ କିଛି ବିଶେଷ ଗୁଣକୁ ନେଇ ଜଣେ ସଫଳ ରାଜନେତା ହୋଇପାରେ? ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଯେଉଁ ସବୁ ଶିରୋନାମା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି, ସେଗୁଡ଼ିକ ହେଲା ‘ମଇଦାନରେ ଅନେକ ପାଠୁଆ ପ୍ରାର୍ଥୀ’, ‘ଉଚ୍ଚ ଶିକ୍ଷିତ ଯୁବକଯୁବତୀ ସରପଞ୍ଚ ପ୍ରାର୍ଥୀ’ ଇତ୍ୟାଦି। ତା’ହେଲେ ଆମେ କ’ଣ ବୁଝିବା ଯେ ଶିକ୍ଷିତ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ଏକ ବ୍ୟତିକ୍ରମ; ତେଣୁ ଏହା ଖବରକାଗଜର ଶିରୋନାମା ମଣ୍ତନ କରୁଛି। ଆଜିକାଲିର ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ସ˚ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ଆଲୋଚନା ହେଉଥିଲେ ମଧ୍ୟ ଏହାର ପ୍ରକୃତ ଉଦ୍ଦେଶ୍ୟ ଯେ ଜୀବିକା ନିର୍ବାହ କରିବା, ଏହା ଅପ୍ରିୟ ହେଲେ ମଧୢ ସତ୍ୟ। ତେଣୁ, ବର୍ତ୍ତମାନ ଶିକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ମାର୍ଗ ନିର୍ଦ୍ଧାରିତ ହୋଇଛି ଏବ˚ ଏକ ଡିଗ୍ରି ପ୍ରାପ୍ତିରେ ଏହା ପ୍ରାୟତଃ ଶେଷ ହୋଇଥାଏ। ତା’ ପରେ ସେହି ଡିଗ୍ରି ଆଦିକୁ ଆଧାର କରି ନିଯୁକ୍ତି ବା ରୋଜଗାର ପାଇଁ ଅେନ୍ବଷଣ ଆରମ୍ଭ ହୁଏ। ପୁଣି ବିଭିନ୍ନ ବୃତ୍ତି ପାଇଁ ବିଭିନ୍ନ ପାଠ୍ୟକ୍ରମ ଥିବାରୁ ଏକ ନିର୍ଦ୍ଦିଷ୍ଟ ବୃତ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ଶିକ୍ଷା ପଦ୍ଧତି ଅପରିହାର୍ଯ୍ୟ ହୋଇପେଡ଼। ଛାତ୍ରଛାତ୍ରୀମାନେ ଏକନିଷ୍ଠ ହୋଇ ଏକ ନିର୍ଦ୍ଦିଷ୍ଟ ବୃତ୍ତିକୁ ଆଖି ଆଗରେ ରଖି ଜୀବନର ଶ୍ରେଷ୍ଠ ସମୟ ଯୁବାବସ୍ଥାକୁ ତହିଁରେ ଉତ୍ସର୍ଗ କରି ଦିଅନ୍ତି।
ତେଣୁ ଏବେ ଏ ସଂପର୍କିତ ଆଉ ଗୋଟିଏ ପ୍ରଶ୍ନ ହେଲା ରାଜନୀତି କ’ଣ ଗୋଟାଏ ବୃତ୍ତି? ଯଦି ଏହା ଏକ ବୃତ୍ତି ତେବେ ରାଜନୀତି କରିବା ପାଇଁ ଏକ ନିର୍ଦ୍ଧାରିତ ମାର୍ଗ ରହିଛି କି? ଏହାର ଉତ୍ତର ହେଲା, ରାଜନୀତି ସଂପୂର୍ଣ୍ଣ ଭାବେ ଏକ ବୃତ୍ତି ନୁହେଁ, ଯଦିଓ ଆଜିକାଲି ଅନେକ ସେୟା ଭାବିଲେଣି। କ୍ଷମତା ରାଜନୀତିରେ ପଶିବାକୁ ହେଲେ ପ୍ରଥମେ କୌଣସି ଏକ ଦଳଭୁକ୍ତ ହେବା ଦରକାର। ତା’ ପରେ ଦଳର ସା˚ଗଠନିକ, ରାଜନୈତିକ, ସା˚ସ୍କୃତିକ ଓ ସାମାଜିକ କାର୍ଯ୍ୟରେ ଜଡ଼ିତ ହେବା ଜରୁରୀ। ଏହି ପ୍ରକ୍ରିୟାରେ ନେତୃତ୍ବ ପ୍ରଦାନ କରିବାରେ ସମର୍ଥ ବ୍ୟକ୍ତିମାନେ କ୍ରମେ ନିଜ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୁଅନ୍ତି। ଏହି ସବୁ ମଧୢରେ ସେ ନିଜର ବୁଦ୍ଧି, ଚତୁରତା ଏବଂ ବ୍ୟାବହାରିକ ଜ୍ଞାନ ଖଟାଇ ବଡ଼ ନେତାରେ ପରିଣତ ହୋଇପାରନ୍ତି। ସୁତରାଂ, ରାଜନୀତି ହେଉଛି ଏଭଳି ଏକ କ୍ଷେତ୍ର ଯହିଁରେ ପ୍ରବେଶ କରିବା ଲାଗି କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ ବା ସେଥିରେ ସଫଳ ହେବା ଲାଗି କୌଣସି ପାଠ୍ୟକ୍ରମ ନାହିଁ। ତେଣୁ ରାଜନୀତିରେ ପ୍ରବେଶ କରିଥିବା ଅନେକ ଉଚ୍ଚ ଶିକ୍ଷିତ ଓ ମେଧାବୀ ଛାତ୍ରଛାତ୍ରୀ ସେଥିରେ ବିଫଳ ହୋଇପାରନ୍ତି ଏବଂ ଅଳ୍ପ ପାଠୁଆ ପିଲାଏ ସଫଳ ହୋଇପାରନ୍ତି। ଏହି କାରଣରୁ ମେଧାବୀ ଛାତ୍ରଛାତ୍ରୀମାନେ ଏକ ସୁରକ୍ଷିତ ଭବିଷ୍ୟତ ଲାଗି ଚାକିରି ଖୋଜନ୍ତି ସିନା, ରାଜନୀତିରେ ପଶିବା ଲାଗି ଚାହାନ୍ତି ନାହିଁ।
ଅବଶ୍ୟ, ଏହା ସତ ଯେ ଅନେକ ଛାତ୍ରଛାତ୍ରୀ କଲେଜ ବା ବିଶ୍ବବିଦ୍ୟାଳୟରେ ଛାତ୍ର ରାଜନୀତିରେ ସକ୍ରିିୟ ଥାଇ ପରେ ପ୍ରତିଷ୍ଠିତ ରାଜନେତା ହୋଇପାରିଛନ୍ତି। କିନ୍ତୁ ସେମାନଙ୍କ ତୁଳନାରେ ଅନେକ ଗୁଣରେ ଅଧିକ ସଂଖ୍ୟକ ବ୍ୟକ୍ତି ଛାତ୍ର ରାଜନୀତିରେ ସକ୍ରିୟ ଥିବା ସତ୍ତ୍ବେ ପରବର୍ତ୍ତୀ କାଳରେ ରାଜନୀତିକୁ ଛାଡ଼ି ଅନ୍ୟ ବୃତ୍ତିରେ ପ୍ରବେଶ କରିଛନ୍ତି। ଗଣତାନ୍ତ୍ରିକ ରାଜନୀତି ସବୁ ବ୍ୟକ୍ତିଙ୍କୁ ସେଥିରେ ପଶି ଭାଗ୍ୟ ଅନ୍ବେଷଣ କରିବାର ସୁଯୋଗ ଦେଇଥାଏ। ରାଜନେତାଙ୍କ ମୂଳ ପୁଂଜି ହେଉଛି ଜନ ସମର୍ଥନ। ତେଣୁ ନିଜକୁ ଗଢ଼ୁଥିବା ବେଳେ ଜଣେ ଯୁବକ ଯଦି ସଂଗଠନ ଗଢ଼ିବାର ସାମର୍ଥ୍ୟ େଦଖାଏ, ତେବେ ସେ କ୍ରମେ ସଫଳ ହୁଏ। ସେଥି ଲାଗି ତାକୁ ସାଧାରଣ ଲୋକଙ୍କ ନିତିଦିନିଆ ଜୀବନରେ ସାମିଲ ହେବାକୁ ପଡ଼େ; ରାତି ଅଧରେ କାହାକୁ ହସ୍ପିଟାଲରେ ପହଞ୍ଚାଇବା ହେଉ ବା ସଡ଼କ ନିର୍ମାଣ ଭଳି ସାର୍ବଜନୀନ କାର୍ଯ୍ୟ ଲାଗି ଆନ୍ଦୋଳନ କରିବା ହେଉ ବା କାହା ବାହା ପୁଆଣିରେ ସାହାଯ୍ୟ କରିବା ହେଉ ଭଳି ଅନେକ କାମରେ ନିଜକୁ ନିୟୋଜିତ କରିବାକୁ ହୋଇଥାଏ। ତେଣୁ, ସାଧାରଣ ଭାବେ ଦେଖିଲେ ଦିଶିଥାଏ ଯେ ପ୍ରଥମରୁ ଜନସେବାରେ ବ୍ରତୀ ଥିବା ଲୋକ ହିଁ ପରେ ସଫଳ ରାଜନେତା ହେବାର ସମ୍ଭାବନା ଅଧିକ ଥାଏ।
ଯେହେତୁ, ରାଜନୀତିରେ ପାଠୁଆ ପିଲାଙ୍କ ଅଭାବ ରହିଛି, ସେହି ହେତୁ ବୋଧହୁଏ ଏହି ଲଘୁ ମନ୍ତବ୍ୟଟି ଜନ୍ମ ନେଇଛି ଯେ ‘ଯାହାର ନାହିଁ ଅନ୍ୟ ଗତି, ସେ କରେ ରାଜନୀତି।’ କିନ୍ତୁ ଏହା ସତ ଯେ ବର୍ତ୍ତମାନ ଉଚ୍ଚ ସ୍ତରର ରାଜନୀତିରେ ଉଚ୍ଚ ଶିକ୍ଷିତ ଏପରିକି ଅତି ଉଚ୍ଚ ଶିକ୍ଷିତମାନଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। କିନ୍ତୁ ପଞ୍ଚାୟତ ନିର୍ବାଚନ ଭଳି ତୃଣମୂଳ ସ୍ତରୀୟ ରାଜନୀତିରେ ଉଚ୍ଚ ଶିକ୍ଷିତଙ୍କ ସଂଖ୍ୟା ଢେର କମ୍। ତେଣୁ ସଂପ୍ରତି ଉଚ୍ଚ ଶିକ୍ଷା ଲାଭ କରିଥିବା ବ୍ୟକ୍ତିମାନେ ପଞ୍ଚାୟତ ନିର୍ବାଚନର ମଇଦାନରେ ପ୍ରବେଶ କରୁଥିବାରୁ ତାହାକୁ ଏକ ବ୍ୟତିକ୍ରମ ବୋଲି ଦର୍ଶାଯାଉଛି ଏବଂ ଗଣମାଧ୍ୟମଗୁଡ଼ିକ ସେଥି ଲାଗି ଏଭଳି ଖବର ଛାପୁଛନ୍ତି। ତେଣୁ ଆମେ ସ୍ବୀକାର କରିବା ଯେ ଉଚ୍ଚ ଶିକ୍ଷିତ ପିଲାଏ ତୃଣମୂଳ ରାଜନୀତିରେ ପ୍ରବେଶ କରିବା ଏକ ନୂତନ ପ୍ରଥାକୁ ଜନ୍ମ ଦେଇଛନ୍ତି, ଯାହା ଅଭିନନ୍ଦନୀୟ। କିନ୍ତୁ ଶେଷରେ ଯାହା ସେମାନଙ୍କୁ ସଫଳ କରିବ, ତାହା ସେମାନଙ୍କ ଡିଗ୍ରି ନୁହେଁ, ସେମାନଙ୍କ ଜନ ସଂପୃକ୍ତି ଏବଂ ନେତୃତ୍ବ ନେବାର ଦକ୍ଷତା।
ମୋ: ୭୦୭୭୨୫୦୫୬୬